spot_img
Home Blog Page 82

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟକୁ ନେଇ ଆଶା ଆଶଙ୍କାରେ ଶିଳ୍ପ ସମୁଦାୟ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟକୁ ନେଇ ଆଶା ଆଶଙ୍କାରେ ଶିଳ୍ପ ସମୁଦାୟ, ରିଅଲ ଇଷ୍ଟେଟ କ୍ଷେତ୍ର, ଏମଏସଏମଇ, ଅଟୋ, ଇଲେକ୍ଟ୍ରୋନିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଦି କ୍ଷେତ୍ର  । ବିଶେଷ କରି ଶିଳ୍ପ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଜିଏସଟି ସରଳୀକରଣ ଲାଗି ଆଶା ରଖିଛନ୍ତି ଶିଳ୍ପ ସମୁଦାୟ  । ଆମେରିକାର ଟାରିଫ, ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ଶିଳ୍ପ ପ୍ରତି ବିଶେଷ ସହାୟତା ଦେବା ଲାଗି ବିଭିନ୍ନ ମହଲରୁ ଆସିଛି ପ୍ରସ୍ତାବ  । ମେକ ଇନ ଇଣ୍ଡିଆ କ୍ଷେତ୍ରରେ ଶୁଳ୍କଗତ ପରିବର୍ତ୍ତନ ଲାଗି ରଖାଯାଇଛି ଆଶା  । ବିଶ୍ବ ସ୍ତରରେ ପ୍ରତିଯୋଗିତା କରିବା ଲାଗି ଶିଳ୍ପ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେବା ଲାଗି ଦାବି ହୋଇଛି  । ସେହିପରି ଇଭି, ସୌର ଯନ୍ତ୍ରପାତି, ପ୍ରତିରକ୍ଷା, ପ୍ରସ୍ତୁତି, ସେମିକଣ୍ଡକ୍ଟର କ୍ଷେତ୍ରକୁ ଗୁରୁତ୍ବ ଦେବା ଲାଗି ପ୍ରସ୍ତାବ ଦିଆଯାଇଛି  । ପ୍ରତିଯୋଗିତା ବୃଦ୍ଧି, ଧାରାବାହିକ ଯୋଗାଣ, ଦୀର୍ଘସୂତ୍ରୀ ଟିଭି ମାନୁଫାକ୍ଚରିଂ କ୍ଷେତ୍ରକୁ ବି ଗୁରୁତ୍ବ ଦେବାକୁ ହୋଇଛି ଦାବି  । ବାଣିଜ୍ୟଗତ ପ୍ରତିବନ୍ଧକ ହଟାଇବା, ଅକ୍ଷୟ ଶକ୍ତିର ବିକାଶ, ହାଇଟେକ ଅଟୋମେସନ, ଡିଜିଟାଲ ଟ୍ରାନ୍ସଫର୍ମେସନ, ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼଼ କରିବା ଲାଗି ବଜେଟରେ ପଦକ୍ଷେପ ନେଇପାରନ୍ତି ଅର୍ଥମନ୍ତ୍ରୀ  ।

ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଯାପିତ: ୪୯୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଉଦଯାପିତ ହୋଇଯାଇଛି ଗୋପାଳପୁର ବେଳାଭୂମି ମହୋତ୍ସବ । ମହୋତ୍ସବର ଶେଷ ରଜନୀରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ୪୯୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପ ଜିଲ୍ଲାବାସୀଙ୍କୁ ଭେଟି ଦେଇଛନ୍ତି । ଏଥିସହ ୧୫ଟି ପ୍ରକଳ୍ପର ଉଦଘାଟନ ସାଙ୍ଗକୁ ୬୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏସବୁ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି, ହଷ୍ଟେଲ ସୁବିଧା, ସଡକ ନିର୍ମାଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି । ଦୀର୍ଘ ଚାରି ଦିନ ଧରି ଚାଲିଥିଲା ଗୋପାଳପୁର ମହୋତ୍ସବ । ଶେଷ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ଗୋପାଳପୁରରେ ପହଞ୍ଚିବା ପରେ ସମୁଦ୍ର ଆଳତୀରେ ଯୋଗ ଦେଇଥିଲେ । ଏହାପରେ ମହୋତ୍ସବର ଆୟୋଜିତ ସଭାରେ ନିଜର ଅଭିଭାଷଣ ରଖିଥିଲେ । ସେହିପରି ଉଦଯାପନୀ ସଂଧ୍ୟାରେ ସମ୍ମାନିତ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ ।

ନାଳରେ ପଡି ୨ ବର୍ଷର ଶିଶୁ ପୁତ୍ର ମୃତ

ନାଳରେ ପଡି ୨ ବର୍ଷର ଶିଶୁ ପୁତ୍ର ମୃତ । କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍ ତଳ ନାଳରୁ ୨ ବର୍ଷ ବୟସ୍କ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଚୁଳିଆ ମୁଣ୍ଡା ସାହିର ଟୁନା ମୁଣ୍ଡାଙ୍କ ପୁଅ ଅଭିଜିତ ମୁଣ୍ଡା । ଅଭିଜିତ ଏକ କୁକୁର ସହିତ ଖେଳୁଖେଳୁ ଘର ଠାରୁ ପ୍ରାୟ ୧ କିଲୋମିଟର ଦୂରକୁ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ । ସେଠାରେ ସେ ନାଳରେ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଶିଶୁ ପୁତ୍ରଟିର ସନ୍ଧାନ ପାଇନଥିଲେ । ଆଜି ସକାଳୁ ସିଆରିମାଳିଆ ଗାଁ ବ୍ରିଜ ତଳ ନାଳରେ ଶିଶୁଟିର ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଥିଲେ। ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

୩୦ ବର୍ଷ ପରେ ହେଉଛି ଶନିଦେବଙ୍କ ଏହି ଯୋଗ, ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିବ

୩୦ ବର୍ଷ ପରେ ହେଉଛି ଶନିଦେବଙ୍କ ଏହି ଯୋଗ, ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିବ

ନନ୍ଦିଘୋଷ ବ୍ୟୁରୋ: ଶନିଦେବଙ୍କୁ କର୍ମଫଳ ଦାତା ସ ନ୍ୟାୟର ଦେବତା କୁହାଯାଇଥାଏ । ତାଙ୍କ ୯ଟି ଗ୍ରହର ସ୍ବାମୀ କୁହାଯାଇଥାଏ । ଶନି ଦେବଙ୍କ ଅସ୍ତ ହେଲେ ସାଧାରଣ ଲୋକଙ୍କ ଜୀବନରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଶନି ଗ୍ରହ ଶୃଙ୍ଖଳା, ଧର୍ମବୃଦ୍ଧି, କର୍ମ ଓ ଆଧ୍ୟାତ୍ମିକତା ଉପରେ ପ୍ରଭାବ ପକାଇଥାନ୍ତି । ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି, ଗ୍ରହମାନେ ଏକ ନିଶ୍ଚିତ ସମୟରେ ନିଜ ନିଜ ରାଶି ପରିବର୍ତ୍ତନ କରିଥାନ୍ତି । ଏକ ନିର୍ଦ୍ଧିଷ୍ଟ ସମୟରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ଏକ ସାମାନ୍ୟ କଥା । ଏହାଦ୍ବାରା ଗ୍ରହଙ୍କ ସହ ଜଡିତ ରାଶିର ବ୍ୟକ୍ତିଙ୍କ ଉପରେ ଭଲ ଓ ଖରାପ ପ୍ରଭାବ ପଡ଼ିଥାଏ । ଆଉ ଏହି ସମୟରେ ଶନିଦେବ ମୀନ ରାଶିକୁ ପ୍ରବେଶ କରୁଛନ୍ତି ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଶନିଦେବ ଚଳିତବର୍ଷ ମାର୍ଚ୍ଚ ୧୩ ତାରିଖ ସନ୍ଧ୍ୟା ୭ଟା ୧୩ ମିନିଟରେ ମୀନ ରାଶିରେ ଅସ୍ତ ହେବେ । ଆଉ ଏହି ଯୋଗ ପ୍ରାୟ ୩୦ ବର୍ଷ ପରେ ବନିଛି । ଏହାର ପ୍ରଭାବ ବିଶେଷ କରି ମୀନ ରାଶିର ବ୍ୟକ୍ତିଙ୍କ ଉପରେ ଅଧିକ ପଡ଼ିବ । ଯାହା ସକରାତ୍ମକ ରହିବ । ଶନି ଦେବ ପଜେଟିଭ୍ ଏନର୍ଜି ଓ ସୌଭାଗ୍ୟ ନେଇ ଆସିବେ । ଏବେ ଆସନ୍ତୁ ଜାଣିବା, ଶନି ଦେବଙ୍କ ଅସ୍ତ ହେବା ପରେ କେଉଁ କେଉଁ ରାଶିର ବ୍ୟକ୍ତିଙ୍କୁ ଲାଭ ମିଳିବ ।

ଧନୁ ରାଶି

ମୀନ ରାଶିରେ ଶନି ଅସ୍ତ ହେବା ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ ଆଣିବ । ସରକାରୀ ଚାକିରି, କର୍ମସ୍ଥଳରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ନିଜ ପ୍ରତିଭା ଦେଖାଇବାକୁ ସୁଯୋଗ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ସବୁଠାରୁ ଭଲ ସମୟ ରହିବ । ଆୟରେ ବୃଦ୍ଧି ଘଟିବ । ଯାହାଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଛାତ୍ରଛାତ୍ରୀ ପାଠପଢ଼ାରେ ସଫଳତା ପାଇବାର ସମ୍ଭାବନା ରହିଛି । ବିଦେଶ ଗସ୍ତର ବି ସଙ୍କେତ ରହିଛି । ଦାମ୍ବତ୍ୟ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

କୁମ୍ଭ ରାଶି

ଶନି ଦେବଙ୍କ ଅସ୍ତ ହେବା କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ଦେବ । ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ହଠାତ ଧନପ୍ରାପ୍ତିର ଯୋଗ ରହିଛି । ଏହାଦ୍ବାରା ଋଣ ସୁଝିବାରେ ସଫଳ ହେବେ । ସମ୍ପତ୍ତି ଜନିତ ମାମଲାରେ ଅନୁକୂଳ ନିଷ୍ପତ୍ତି ନେବେ । ଦୀର୍ଘଦିନ ଧରି ପଡ଼ି ରହିଥିବା କାମ ଶେଷ କରିବାରେ ସଫଳତା ହାସଲ କରିବାର ଯୋଗ ରହିଛି । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ଯୋଗ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କ୍ୟାରିଅରରେ ଆଶାତିତ ଲାଭ ପାଇବେ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । ଅତୀତରେ କରିଥିବା ନିବେଶରୁ ଲାଭ ମିଳିବ ।

ମୀନ ରାଶି

ମୀନ ରାଶିରେ ଶନି ଦେବଙ୍କ ଅସ୍ତ ହେବା ଧନ ଓ ପ୍ରସିଦ୍ଧି ନେଇ ଆସିବ । ଆପଣଙ୍କ ଆର୍ଥିକ ସମସ୍ୟା ମାର୍ଚ୍ଚରୁ ଦୂର ହେବାକୁ ଲାଗିବ । ପୁରୁଣା ଋଣ ସୁଝି ପାରିବେ । ସମ୍ପତ୍ତି ଭଲ ଦାମରେ ବିକ୍ରି କରିପାରିବେ । ବ୍ୟବସାୟୀଙ୍କୁ ସଫଳତା ମିଳିବା ସହ ଭଲ ଲାଭ ହେବ । ବ୍ୟବସାୟରେ ନୂଆ ଡିଲ ହେବାର ଯୋଗ ରହିଛି । ଘର, ଅଳଙ୍କାର ସ ଯାନବାହାନ କିଣିବାର ଯୋଗ ରହିଛି । ବିବାହଯୋଗ୍ୟ ବ୍ୟକ୍ତିଙ୍କୁ ଶୀଘ୍ର ଭଲ ଖବର ମିଳିବାର ଯୋଗ ରହିଛି ।

ଫାଇନାଲ ଥିଲା NCP ମିଶ୍ରଣ: ଅଜିତ ପାଓ୍ବାରଙ୍କ ମୃତ୍ୟୁ ପରେ କାହିଁକି ଅଟକିଲା ?

ଫାଇନାଲ ଥିଲା NCP ମିଶ୍ରଣ: ଅଜିତ ପାଓ୍ବାରଙ୍କ ମୃତ୍ୟୁ ପରେ କାହିଁକି ଅଟକିଲା ?

ନନ୍ଦିଘୋଷ ବ୍ୟୁରୋ: ଅଜିତ ପାଓ୍ବାରଙ୍କ ଦେହାନ୍ତ ପରେ ମହାରାଷ୍ଟ୍ର ରାଜନୀତିକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । କୁହାଯାଉଛି ଅଜିତଙ୍କ ପରଲୋକ ପୂର୍ବରୁ ଏନସିପିର ଦୁଇ ଗୋଷ୍ଠୀର ମିଶ୍ରମଣ ପାଇଁ କଥା ବହୁତ ଆଗକୁ ବଢ଼ିଯାଇଥିଲା । ଦୁଇ ପକ୍ଷରୁ କିଛି ଲୋକ ଏହାକୁ ସମର୍ଥନ କରୁଥିଲେ ତ ଆଉ କିଛି ବିରୋଧ କରୁଥିଲେ । ହେଲେ ଅଜିତଙ୍କ ଦେହାନ୍ତ ପରେ ୨ରୁ ୩ ଦିନି ହେବ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଥିବା ମତଭେଦ ପଦାକୁ ଆସିବାରେ ଲାଗିଛି । ଏମିତି ସ୍ଥିତିରେ ପୁଣି ଥରେ ଏନସିପି ଗୋଟିଏ ହେବାକୁ ନେଇ ପ୍ରକ୍ରିୟା ଚାଲିଥିଲା ତାହା ଆଶଙ୍କା ମଧ୍ୟକୁ ଚାଲିଯାଇଛି । କୁହାଯାଉଛି ଶରଦ ପାଓ୍ବାରଙ୍କ ଗୋଷ୍ଠୀ ମିଶ୍ରଣ ପାଇଁ ପ୍ରସ୍ତୁତ ଅଛନ୍ତି । ଦଳର ଦୁଇ ବଡ଼ ନେତା ରାଜେଶ ଟୋପେ ଏବଂ ଅନିଲ ଦେଶମୁଖ ଖୋଲାଖୋଲି ଏହାକୁ ସମର୍ଥନ କରୁଛନ୍ତି । ହେଲେ ଅଜିତଙ୍କ ଗୋଷ୍ଠୀ ପକ୍ଷରୁ ସେମିତି କିଛି ସକରାତ୍ମକ ସଙ୍କେତ ଦେଖିବାକୁ ମିଳୁନି । ଏମିତି ସ୍ଥିତିରେ ନିକଟ ଭବିଷ୍ୟରେ ଦୁଇ ଗୋଷ୍ଠୀ ପୁଣି ଥରେ ଏକାଠି ହେବା ପରି ଲାଗୁନି ।

ଶରଦଙ୍କ ଗୋଷ୍ଠୀ ଏବେ ବି ଆଶାବାଦୀ

ଅଜିତ ପାଓ୍ବାରଙ୍କ ଏନସିପି ମିଶ୍ରଣକୁ ନେଇ ତତ୍ପରତା ଦେଖାଉ ନଥିବା ବେଳେ ଶରଦ ପାଓ୍ବାରଙ୍କ ଗୋଷ୍ଠୀ ଏବେ ବି ଆଶା ରଖିଛନ୍ତି । ଶରଦ ପାଓ୍ବାର ଆଜି ବାରାମତିରେ କହିଛନ୍ତି, ଦୁଇ ଏନସିପିର ମିଶ୍ରଣ ନେଇ ଅଜିତ ପାଓ୍ବାର ୧୨ ଫେବୃଆରୀରେ ନିଜେ ଘୋଷଣା କରିଥାନ୍ତେ । ସୁନେତ୍ରା ପାଓ୍ବାର ଉପମୁଖ୍ୟମନ୍ତ୍ରୀ ହେବା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଏଥିରୁ ଜଣାପଡୁଛି ଅଜିତ ପାଓ୍ବାରଙ୍କ ଗୋଷ୍ଠୀର ନେତା ଶରଦ ପାଓ୍ବାରଙ୍କୁ ବିଶ୍ବାସରେ ନେଇ କିଛି କାମ କରୁନାହାନ୍ତି ।

ମିଶ୍ରଣ ପାଇଁ ଏକାଧିକ ବୈଠକ

ଅଜିତଙ୍କ ଦଳର ନେତା ତୁରନ୍ତ ଉପମୁଖ୍ୟମନ୍ତ୍ରୀ ପଦ ନେବାକୁ ଚେଷ୍ଟା କରୁଛନ୍ତି । କାରଣ ଅଜିତଙ୍କ ଦେହାନ୍ତ ପରେ ଯେପରି କୌଣସି ବିଧାୟକ ଅନ୍ୟ ଦଳକୁ ଚାଲି ନଯାଆନ୍ତି । ଅଜିତଙ୍କ ଜୀବିତାବସ୍ଥାରେ ମିଶ୍ରଣକୁ ନେଇ ୫ରୁ ୬ ଥର ବୈଠକ ହୋଇଥିଲା । ଶରଦଙ୍କ ଗୋଷ୍ଠୀର ଜଣେ ବରିଷ୍ଠ ନେତା କହିଥିଲେ, ଫେବୃଆରୀ ୧୨ ତାରିଖରେ ଦୁଇ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଯୁଗ୍ମ ବୈଠକ ଡକାଯାଇ ମିଶ୍ରଣ ନେଇ ଘୋଷଣା କରାଯିବ ।

ନିର୍ବାଚନ ପରେ ମିଶ୍ରଣ ପାଇଁ ହୋଇଥିଲା ଘୋଷଣା

ଶରଦଙ୍କ ଗୋଷ୍ଠୀର ବିଧାୟକ ଶଶିକାନ୍ତ ସିନ୍ଧେ କହିଥିଲେ ଦୁଇ ଗୋଷ୍ଠୀଙ୍କ ମିଶ୍ରଣ ନେଇ ଆଲୋଚନା ହୋଇଥିଲା । ନଗରପାଳିକା ନିର୍ବାଚନ ପରେ ମିଶ୍ରଣ ନେଇ ନିଜେ ଅଜିତ ପାଓ୍ବାର ପ୍ରସ୍ତାବ ରଖିଥିଲେ । ପରେ ଜିଲ୍ଲା ପରିଷଦ ନିର୍ବାଚନ ଆସିଯିବାରୁ ଏହା ଅଟକି ଯାଇଥିଲା । ହେଲେ ପୁଣି ଆଲୋଚନା ହୋଇ ଜିଲ୍ଲା ପରିଷଦ ନିର୍ବାଚନ ପରେ ମିଶ୍ରଣ ପାଇଁ ସ୍ଥିର ହୋଇଥିଲା ।  ସିନ୍ଧେଙ୍କ ଏହି ବୟାନରୁ ଏମିତି ଲାଗୁଛି ମିଶ୍ରଣକୁ ନେଇ ଅଜିତ ପାଓ୍ବାରଙ୍କ ଇଚ୍ଛା ଥିଲା ଓ ଏହା ଶୀଘ୍ର ହୋଇଯିବା ସେ ଚାହୁଁଥିଲେ । ହେଲେ ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ତାଙ୍କ ଦେହାନ୍ତ ପରେ ଦେଖା ଦେଇଥିବା ସ୍ଥିତିରେ ଦଳ ଓ ସରକାରରେ ତାଳମେଳ ବନାଇ ରଖିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ଅଜିତଙ୍କ ଗୋଷ୍ଠୀରେ ଉତ୍ସାହ ନାହିଁ

ଏନସିପି କାର୍ଯ୍ୟାଳୟର ପ୍ରଦେଶ ଅଧ୍ୟକ୍ଷ ସୁନୀଲ ତଟକରେ ଗତକାଲି ଶୁକ୍ରବାର କହିଥିଲେ, ଆମେ ଏବେ ଶୋକରେ ଅଛୁ । ଏହା ଉପରେ ଆଲୋଚନା ପରେ ହେବ । ଅଜିତଙ୍କ ଗୋଷ୍ଠୀର ବରିଷ୍ଠ ନେତା ଛଗନ ଭୁଜବଳ ବି କହିଛନ୍ତି, ମିଶ୍ରଣକୁ ନେଇ ଦଳର ନେତାଙ୍କ ସହ କୌଣସି ଆଲୋଚନା ହୋଇନି । ବର୍ତ୍ତମାନ ଆମର ମୁଖ୍ୟ କାମ ହେଲା ବିଧାୟକ ଦଳର ନେତା ଚୟନ କରିବା । ଏମିତି ସ୍ଥିତିରେ ବିଜେପିର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଯାଉଛି ।

ବିଜେପିର ଜିଙ୍ଗାଲାଲା

ଏନସିପିର ଦୁଇ ଗୋଷ୍ଠୀ ଏକାଠି ହେବାରେ ବିଜେପିର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଯାଉଛି । ଅଜିତଙ୍କ ଗୋଷ୍ଠୀ ପାଖରେ ବର୍ତ୍ତମାନ ଲୋକସଭାରେ ସୁନିଲ ତଟକରେ ହିଁ ଏକମାତ୍ର ସାଂସଦ ଅଛନ୍ତି । ହେଲେ ଶରଦ ପାଓ୍ବାରଙ୍କ ଗୋଷ୍ଠୀ ପାଖରେ ୮ ଜଣ ସାଂସଦ ଅଛନ୍ତି । ଯଦି ଦୁଇ ଗୋଷ୍ଠୀ ଏକାଠି ହୋଇ ଏନଡିଏରେ ଯୋଗ ଦିଅନ୍ତି, ଏହାର ଲାଭ ବିଜେପିର କେନ୍ଦ୍ର ସରକାରକୁ ହେବ । ଏହାକୁ ନେଇ ବିଜେପି ଉପରେ କୌଣସି ଚାପ ନଥିଲେ ବି ରାଜନୈତିକ ତାଳମେଳ କରିବାକୁ ପଡ଼ିପାରେ ।

ମିଶ୍ରଣରୁ ଅଜିତଙ୍କ ଗୋଷ୍ଠୀର ପଛଘୁଞ୍ଚା କାହିଁକି ?

ଯଦି ମିଶ୍ରଣ ହେବ, ତେବେ ଶରଦଙ୍କ ଗୋଷ୍ଠୀର ନେତାଙ୍କୁ ମନ୍ତ୍ରୀମଣ୍ଡଳରେ କେମିତି ନିଆଯିବ ତାହା ବଡ଼ ପ୍ରଶ୍ନ ହୋଇ ଛିଡ଼ା ହେବ । ମହାରାଷ୍ଟ୍ରରେ ଅଜିତଙ୍କ ପରେ ମାତ୍ର ଗୋଟିଏ ମନ୍ତ୍ରୀପଦ ଖାଲି ରହିଛି । ଯଦି ଶରଦଙ୍କ ଗୋଷ୍ଠୀର ୩ରୁ ୪ ଜଣଙ୍କୁ ମନ୍ତ୍ରୀ କରାଯିବ ତେବେ ଅଜିତଙ୍କ ଗୋଷ୍ଠୀର କିଛି ନେତାଙ୍କୁ ମନ୍ତ୍ରୀ ପଦ ଛାଡିବାକୁ ପଡ଼ିବ । ଯଦି ଏପରି ହୁଏ ଅଜିତଙ୍କ ଗୋଷ୍ଠୀ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଇବ । ଯାହା ଅଜିତଙ୍କ ଗୋଷ୍ଠୀର ନେତା ବି ଜାଣିଛନ୍ତି । ଏହାବାଦ ମିଶ୍ରଣ ପରେ ଶରଦଙ୍କ ଗୋଷ୍ଠୀର ଏମିତି ବି କିଛି ନେତା ଅଛନ୍ତି, ଯେଉଁମାନଙ୍କର ଦବଦବା ବଢ଼ିଯିବା ସହ ଅଜିତଙ୍କ ଗୋଷ୍ଠୀର ବଡ଼ ନେତାଙ୍କର କମିଯିବ । ଏସବୁ କାରଣରୁ ଅଜିତଙ୍କ ଗୋଷ୍ଠୀ ବର୍ତ୍ତମାନ ମିଶ୍ରଣକୁ ନେଇ ଚୁପ ରହିବାକୁ ପସନ୍ଦ କରୁଛି । ନିଜ ନେତାଙ୍କୁ ଏକାଠି କରି ଦଳ ସୁନେତ୍ରା ପାଓ୍ବାରଙ୍କୁ ନେତୃତ୍ବ ଦେବାକୁ ଚାହିଁଛି । ଯାହାଦ୍ବାରା ବିଧାୟକ ଏବଂ ପଦାଧିକାରୀ ପାଓ୍ବାର ପରିବାର ପ୍ରତି ନିଷ୍ଠାବାନ ରହିବେ ।

ଭାଲୁ ସହ ଲଢି ନିଜର ଜୀବନ ବଞ୍ଚାଇଲା ୧୩ ବର୍ଷର ନାବାଳକ

ଭାଲୁ ସହ ଲଢିଲା ୧୩ ବର୍ଷର ନାବାଳକ । ବାଲେଶ୍ବର ଜିଲ୍ଲା ପୋଡାଶୂଳ ଗ୍ରାମରେ ଦିନ ୯ ଟାରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଦୁଇଟି ଭାଲୁ ଗାଁରେ ପଇଁତରା ମାରୁଥିଲେ । ପୋଡାଶୂଳ ଗ୍ରାମ ପାତ୍ରସାହିର ପ୍ରଭାତ ପାତ୍ର ଘରୁ ବାହାରିବା ସମୟରେ ଦୁଇଟି ଭାଲୁ ହଠାତ ଆକ୍ରମଣ କରିଥିଲେ । ପ୍ରଭାତ ଏଥିରେ ବିଚଳିତ ନହୋଇ ସାହସର ସହ ସାମ୍ନା କରିଥିଲେ । ଭାଲୁକୁ ଧରି ପିଟି ସେ ନିଜର ଜୀବନ ବଞ୍ଚାଇଥିଲେ । ଭାଲୁ ଆକ୍ରମଣରେ ପ୍ରଭାତଙ୍କର ପେଟ ଓ ଗୋଡରେ ଆଘାତ ଲାଗିଛି । ଗାଁରେ ଭାଲୁ ପଶୁଥିବା ଦେଖି ଲୋକମାନେ ଭୟଭୀତ ହୋଇଛନ୍ତି।

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପୁରୀ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆସନ୍ତା ଫେବୃଆରୀ ୩ ତାରିଖରେ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୋପର୍ଦୀ ମୁର୍ମୁ। ୩ ତାରିଖ ସନ୍ଧ୍ୟାରେ ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ରାଷ୍ଟ୍ରପତି ପହଁଚିବା ପରେ ଲୋକ ଭବନ ଯିବେ। ୪ ତାରିଖ ସକାଳେ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ପୂର୍ବପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନ କରିବା ପରେ ୭.୪୦ ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତ ଉପଲକ୍ଷେ ସୁରକ୍ଷା ଦୃଷ୍ଟିରୁ ସମୁଦାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାସହ ବିଭିନ୍ନ ଜାଗାରେ ୬ ଜଣ କମାଣ୍ଡାଣ୍ଟ ରାଙ୍କର ଅଫିସର ନିୟୋଜିତ ହେବେ।

ତାଳବଣିଆ ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ଲୋକଭବନ,ଶ୍ୱେତଗଙ୍ଗା ପୁଷ୍କରିଣୀ, ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଟ୍ରାଫିକ ଉପରେ ମଧ୍ୟ କଟକଣା ରହିବ। ସେପଟେ ଶ୍ୱେତଗଙ୍ଗା ପୁଷ୍କରିଣୀ ସଲଗ୍ନରେ ଗଢି ଉଠିଥିବା ବିଭିନ୍ନ ହୋମଷ୍ଟେ ଗୁଡିକରେ ୩ ତାରିଖ ଏବଂ ୪ ତାରିଖରେ କୌଣସି ପର୍ଯ୍ୟଟକଙ୍କ ରହଣି କିଭଳି ନହେବ ସେନେଇ ପର୍ଯ୍ୟଟନ ବିଭାଗ ସହ ଆଲୋଚନା କରାଯାଉଛି ବୋଲି ଏସପି କହିଛନ୍ତି। ଅନ୍ୟପଟେ ଶ୍ୱେତଗଙ୍ଗା ପୁଷ୍କରିଣୀ ଚାରିପଟ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ପୁରୀ ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ।

ଗ୍ରାମବାସୀ ଏବଂ ବନବିଭାଗ କର୍ମଚାରୀଙ୍କ ମାଡ଼ରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଅଭିଯୋଗ: ଧାରଣାରେ ମୃତକଙ୍କ ପରିବାର ଲୋକେ

ସୋଲାର ଲାଇଟ ଚୋରି ଅଭିଯୋଗରେ ଗ୍ରାମବାସୀ ଏବଂ ବନବିଭାଗ କର୍ମଚାରୀଙ୍କ ମାଡ଼ରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ପାଳଲହଡା ବନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଲେ ମୃତକଙ୍କ ପରିବାର ଲୋକେ । ଅନୁଗୁଳ ଜିଲ୍ଲା ପାଳଲହଡା ସଇଡା ପଞ୍ଚାୟତ ଡ଼ଙ୍ଗାଧର ଗାଁରେ ହାତୀ ଗତିବିଧି ନିରୀକ୍ଷଣ ପାଇଁ ବନବିଭାଗ ପକ୍ଷରୁ ସୋଲାର ଲାଇଟ ଲଗାଯାଇଛି । ଡ଼ାଲ ଗାଁରେ ସମ୍ପର୍କୀୟ ମାମୁଁ ଘରେ ରହୁଥିବା ବିପିନ ଦାସ ନାମକ ଯୁବକ ଏହାକୁ ଚୋରି କରୁଥିଲା । ସେହି ସମୟରେ ଗ୍ରାମବାସୀ ତାଙ୍କୁ ନିସ୍ତୁକ ମାଡ ମାରିବା ସହ କାବୁ କରିଥିଲେ । ପରେ ପାଳଲହଡା ବନବିଭାଗକୁ ଜିମା ଦେଇଥିଲେ । ସେଠାରେ ତାଙ୍କୁ ନିସ୍ତୁକ ମାଡ ମରାଯାଇ ଗୁରୁତର ଆହତ କରିଥିଲେ । ପରେ ଯୁବକଙ୍କୁ ଏକ ଚୁକ୍ତିନାମା ଲେଖା କରି ପରିବାର ଲୋକଙ୍କୁ ଜିମା ଦେଇଥିଲେ ।

ଯୁବକଙ୍କୁ ଗୁରୁତର ଅବସ୍ଥାରେ ଦେଖି ଡାକ୍ତରଖାନା ନେବାକୁ ବନ ବିଭାଗକୁ ନିବେଦନ କରିଥିଲେ ପରିବାର ଲୋକ । ବନ ବିଭାଗ ନଶୁଣିବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ପାଳଲହଡା ଉପଖଣ୍ଡ ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଂକଟପନ୍ନ ହେବାରୁ ବିପିନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିପିନର ଗତକାଲି ମୃତ୍ୟୁ ହୋଇଛି । ଆଜି ସକାଳୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ ବନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି ପରିବାର ଲୋକେ ।

ପୁଣି କମିଲା ସୁନା ରୁପା ଦର: ସୁନା ୭ ହଜାର କମିଲା, ରୁପା ୫୫ ହଜାର ହ୍ରାସ

ପୁଣି କମିଲା ସୁନା ରୁପା ଦର। ଲଗାତର ଦ୍ବିତୀୟ ଦିନ ପାଇଁ କମିଲା ସୁନା ରୁପା ଦର। ଆଜି ୭ ହଜାରରୁ ଅଧିକ ଟଙ୍କା ଖସିଛି ସୁନା ମୂଲ୍ୟ। ସେହିପରି ରୁପା ୫୫ ହଜାର ଟଙ୍କା ହ୍ରାସ ପାଇଛି। ଦୁଇ ଦିନରେ ୧୫ ହଜାରରୁ ଅଧିକ ଟଙ୍କା ଖସିଛି ସୁନା ମୂଲ୍ୟ। ସେହିପରି ଦୁଇ ଦିନରେ ରୁପା ୭୫ ହଜାର ଟଙ୍କାରୁ ଅଧିକ ଖସିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା ଛୁଇଁଛି। ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୩ ଲକ୍ଷ ୫୦ ହଜାର ଟଙ୍କା ରହିଛି।

କୋଣାର୍କରେ କାଜୁ ଗୋଦାମରେ ଚଢାଉ

କୋଣାର୍କରେ କାଜୁ ଗୋଦାମରେ ଚଢାଉ । ଅସାଧୁ ବ୍ୟବସାୟୀ ମାନେ କାଜୁ ପ୍ୟାକେଟରେ ନକୁଳ ଦାନା ଓ ନିମ୍ନମାନର କାଜୁ ବିକ୍ରି କରୁଥିବା ଅଭିଯୋଗରେ କୋଣାର୍କ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିଛି । ନିମାପଡା ଏସଡିପିଓଙ୍କ ନେତୃତ୍ୱରେ କୋଣାର୍କ ଆଇଆଇସି ପୂର୍ଣଚନ୍ଦ୍ର ସେଠୀ ପ୍ରମୁଖ କୋଣାର୍କ ଜଗନ୍ନାଥ ମନ୍ଦିର ନିକଟ ଏକ ଗୋଦାମରେ ଚଢଉ କରିଥିଲେ । ଗୋଦାମରୁ କୁଇଁଟାଲ କୁଇଁଟାଲ କାଜୁ, ପ୍ୟାକିଙ୍ଗ ମେସିନ, ଓଜନ ମେସିନ, ୨ବସ୍ତା ରାମଦାନା ଅଥବା ନକୁଳ ଦାନା ଜବତ କରି ଥାନାକୁ ଆଣିଛନ୍ତି । ଏହାସହ ୨ ଜଣ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି । ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କୁ ଜରି ପ୍ୟାକେଟ ଭିତରେ ନକୁଳ ଦାନା, ପୋକରା କାଜୁ ରଖି କିଲୋ ପ୍ରତି ୬ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଥିଲା । ଗତ କିଛି ଦିନ ହେବ ମହାରାଷ୍ଟ୍ରର ପର୍ଯ୍ୟଟକମାନଙ୍କୁ କୋଣାର୍କ ରିଙ୍ଗ ରୋଡ ନିକଟରେ କାଜୁ ପ୍ୟାକେଟକୁ ୬ଶହ ଟଙ୍କାରେ ୧୫ପ୍ୟାକେଟ ବିକ୍ରି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କୋଣାର୍କରେ ଖାଦ୍ୟ ନିରୀକ୍ଷକ ଓ ପୁଲିସ ପକ୍ଷରୁ ମିଳିତ ଚଢାଉ କରି ଅସାଧୁ କାଜୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।