spot_img
Home Blog Page 814

ପହଲଗାଓଁ ଆକ୍ରମଣର ମୃତକ ବାଲେଶ୍ଵର ପ୍ରଶାନ୍ତ ଶତପଥୀଙ୍କ ନାଁରେ ମଗାଯାଉଛି ଟଙ୍କା !

ବଲେଶ୍ବର : ପହଲଗାଓଁ ଆକ୍ରମଣର ମୃତକ ବାଲେଶ୍ଵର ପ୍ରଶାନ୍ତ ଶତପଥୀଙ୍କ ନାଁରେ ମଗାଯାଉଛି ଟଙ୍କା। ସୋସିଆଲ ମିିଡିଆରେ ତାଙ୍କ ନାଁରେ ଟଙ୍କା ମଗାଯାଉଛି। ଏହାକୁ ନାପସନ୍ଦ କରିଛନ୍ତି ପ୍ରଶାନ୍ତଙ୍କ ପରିବାର। କହିଛନ୍ତି, ଏଥିରେ ପରିବାରର କୌଣସି ଭୂମିକା ନାହିଁ। ଆମକୁ ନ ପଚାରି କିଏ ଏମିତି କରିଛି। ଟଙ୍କା ନ ଦେବାକୁ ମଧ୍ୟ ସେମାନେ ଅନୁରୋଧ କରିଛନ୍ତି। ଏହାକୁ ନେଇ ସାଇବର ଥାନାରେ ଏତଲା ଦେଇଛନ୍ତି ପରିବାର । ପୋଲିସ ତଦନ୍ତ କରୁଛି। ପ୍ରଶାନ୍ତଙ୍କ ପତ୍ନୀ କହିଛନ୍ତି, ସ୍ୱାମୀଙ୍କ ପାଇଁ ଟଙ୍କା ଦରକାର ନୁହେଁ, ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରନ୍ତୁ। ମୋ ସ୍ୱାମୀ ଏବେ ଜାତୀୟ ହିରୋ । ମୋ ପରି ଆଉ କେହି ଅସୁବିଧାରେ ନ ପଡ଼ନ୍ତୁ, ସେନେଇ ସରକାର ଠୋସ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରଶାନ୍ତଙ୍କ ପତ୍ନୀ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ବାଲେଶ୍ଵରର ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା। କେତେକ ଲୋକ ଏବେ ପ୍ରଶାନ୍ତଙ୍କ ନାଁରେ ସୋସିଆଲ ମିଡିଆରେ ଟଙ୍କା ମାଗୁଥିବାରୁ ଏପରି କହିଛନ୍ତି ତାଙ୍କ ପତ୍ନୀ। ପରିବାରର ବିନା ଅନୁମତିରେ ଏପରି କରାଯାଉଛି। ଏହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ପ୍ରଶାନ୍ତଙ୍କ ପରିବାର। ସାଇବର ଥାନାରେ ମାମଲା ରୁଜୁ କରାଯାଇ ପୋଲିସ କରୁଛି ତଦନ୍ତ। ବଡ଼ କଥା ହେଲା ପ୍ରଶାନ୍ତଙ୍କ ସ୍ତ୍ରୀ କହିଛନ୍ତି, ଯିଏ ଯାଇଛି ସେ  ଆସିବନି। ଟଙ୍କା କିଛି ଦରକାର ନାହିଁ । ଠାକୁରଙ୍କ ନିକଟରେ ଟିକେ ନିବେଦନ କରନ୍ତୁ ଗୋଟିଏ ମିନିଟ ଦିଅନ୍ତୁ ସେତିକି ମୋ ସ୍ୱାମୀଙ୍କ ପାଇଁ ଆବଶ୍ୟକ । ଯାହାର ଆର୍ଥିକ ଆବଶ୍ୟକ ଅଛି ତାହାକୁ ସାହାଯ୍ୟ କରନ୍ତୁ। ଆଗରୁ ଭାବୁ ନଥିଲି। ଏବେ ଭାବୁଛି ସାରା ଦେଶରେ ଏବେ ମୋ ସ୍ୱାମୀଙ୍କୁ ହିରୋ ବୋଲି ଭାବୁଛନ୍ତି। ସେ କହିଛନ୍ତି, ଗତକାଲି NIA ଯାହା ପଚାରିଛନ୍ତି ସବୁ କହିଛି । ମୁଁ ଭାବିନଥିଲି ମୋ ଜୀବନରେ ଏପରି ଅବସ୍ଥା ଆସିବ ବୋଲି। ଆଉ କାହା ସହ ଏମିତି ନ ହେବ, ସେମିତି ସରକାର ଠୋସ ପଦକ୍ଷେପ ନିଅନ୍ତୁ ସରକାର। ପ୍ରଶାନ୍ତଙ୍କ ଭାଇ ମଧ୍ୟ ଟଙ୍କା ଆଦାୟକୁ ନାପସନ୍ଦ କରିବା ସହିତ ସେ ଏପରି କରିବାକୁ କାହାକୁ ଅନୁମତି ଦେଇନଥିବା କହିଛନ୍ତି।  ପରିବାର ପକ୍ଷରୁ ନିବେଦନ କରିଛନ୍ତି କୌଣସି ସୋସିଆଲ ମିଡିଆରେ ଯଦି ଏପରି ଟଙ୍କା ଆଦାୟ କରାଯାଉଛି, ତେବେ ଏଥିରୁ ସମସ୍ତେ ନିବୃତ୍ତ ରୁହନ୍ତୁ। କେହି ଟଙ୍କା ଦିଅନ୍ତୁ ନାହିଁ।

ସାଇନ୍ସ ପାର୍କ ବସ୍ତିରେ ଛୁରାମାଡ ଘଟଣା, ସାଇଣ୍ଟିଫିକ ଟିମର ଯାଞ୍ଚ

ଭୁବନେଶ୍ବର : ନିଶା ପାଇଁ ନାରକୀୟ କାଣ୍ଡ। ଗଡୁଛି ମୁଣ୍ଡ, ଚାଲୁଛି ଭୁଜାଲି। ପୋଲିସର ସତ ଚେଷ୍ଟା ପରେ ବି ବସ୍ତିରେ ରକ୍ତର ହୋଲି ଖେଳୁଛନ୍ତି ଅପରାଧୀ। ହୋଲିରେ ଶାନ୍ତିପଲ୍ଲୀ ବସ୍ତିରେ ମର୍ଡର, ସମେଇଗାଡ଼ିଆର ଯୁବକଙ୍କୁ ବୀଭତ୍ସ ହତ୍ୟା ଓ ସହଦେବ ନାୟକ ହତ୍ୟାକାଣ୍ଡ ପରେ ପୁଣି ସାଇନ୍ସ ପାର୍କରେ ତାଣ୍ଡବ ରଚିଛନ୍ତି ଅପରାଧୀ। ପୁତୁରାର ଭୁଜାଲି ମାଡରେ ଗୁରୁତର ହୋଇଛନ୍ତି ଦାଦା ଓ ଖୁଡି। ଶାନ୍ତିଭୂଷଣ ନାୟକଙ୍କୁ ଛୁରାମାଡ଼ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ପେଟରେ ଭୁଜାଲି ଭୁସି ଗୁରୁତର କରିଛନ୍ତି ପୁତୁରା ଜନ୍ମେଜୟ ନାୟକ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ସହିଦନଗର ପୋଲିସ ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ସରଜମିନ ଯାଞ୍ଚ କରିଛି। ପାରିପାର୍ଶ୍ବିକ ପରିସ୍ଥିତି ସହ କ୍ରାଇମ ସ୍ପଟରେ ଫରେନସିକ ଯାଞ୍ଚ କରିଛି ଟିମ। ଛୁରାମାଡ଼ କରିଥିବା ଜନ୍ମେଜୟ ନାୟକ ମଧ୍ୟ ଗୁରୁତର ଅଛନ୍ତି । ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପୁଣି ଅଶାନ୍ତ ଗଞ୍ଜାମ, ଶାଳବଣ ଜଙ୍ଗଲରେ ଦୁଇ ଭାଇକୁ ହତ୍ୟା କରାଯାଇଥିବା ଅଭିଯୋଗ

ବ୍ରହ୍ମପୁର : ପୁଣି ଅଶାନ୍ତ ଗଞ୍ଜାମ। ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଶାଳବଣ ଜଙ୍ଗଲରେ ଦୁଇ ଭାଇକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୁମଣ୍ଡଳ ଗ୍ରାମର
ସଞ୍ଜୟ ବାରିକ ଓ ଅଜୟ ବାରିକ ନାମକ ଦୁଇ ଭାଇକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଙ୍ଗଲରେ ପଡିଛି ମୃତଦେହ। ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

୪ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଦିଗପହଣ୍ଡି : ଚାରି ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ। ଏକ ପରିତ୍ୟକ୍ତ ଘରକୁ ଡାକି ନେଇ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି ଦୁର୍ବୃତ୍ତ। ଏହି ଜଘନ୍ୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗି ଗାଁରେ। ଅଭିଯୁକ୍ତ କାଳିଆ ନାହାକକୁ ଗିରଫ କରିଛି ପୋଲିସ।  ଘଟଣା ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ନିଶାଗ୍ରସ୍ତ ଥିବା କାଳିଆ ଏହି କାଣ୍ଡ କରିଥିବା ଏସପି ସ୍ପଷ୍ଟ କରିଛନ୍ତି। ଗତକାଲି ରାତିରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବି ଆଜି ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଦୋଷୀକୁ କଡ଼ା ଦଣ୍ଡ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ସଚେତନତା ଅଭିଯାନ

ଭବାନୀପାଟଣା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାର ନାକରୁଣ୍ଡି ଏବଂ ଗୁଣପୁର ନାମକ ଦୁଇଟି ଗ୍ରାମରେ ସଚେତନତା ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନରେ ୩୮୦ ରୁ ଅଧିକ ବାସିନ୍ଦାଙ୍କୁ ଆକର୍ଷିତ କରି ଅଭିଜ୍ଞ କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଆକର୍ଷଣୀୟ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା । ପୂର୍ବରୁ ସିଜିମାଳି ବକ୍ସାଇଟ୍ ଟିମ୍‍ ଦ୍ୱାରା ବଣ୍ଟନ କରାଯାଇଥିବା ଔଷଧଯୁକ୍ତ ମଶାରୀ ବ୍ୟବହାର ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ଏହି ପଥପ୍ରାନ୍ତ ନାଟକଗୁଡ଼ିକ ପ୍ରମୁଖ ମ୍ୟାଲେରିଆ ପ୍ରତିରୋଧ ରଣନୀତିଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିଥିଲା । ଏହି ପ୍ରଦର୍ଶନ ପରେ ଉପସ୍ଥିତ ଲୋକଙ୍କୁ ନେଇ ଆଲୋଚନା କରାଯାଇଥିଲା, ଯାହା ଗ୍ରାମବାସୀଙ୍କୁ ପ୍ରଶ୍ନ ପଚାରିବା ଏବଂ ଅଭିଜ୍ଞତା ବାଣ୍ଟିବାରେ ସକ୍ଷମ କରିଥିଲା । ଯାହାଦ୍ୱାରା ମ୍ୟାଲେରିଆ ନିୟନ୍ତ୍ରଣ ବିଷୟରେ ଗୋଷ୍ଠି ବୁଝାମଣା ବୃଦ୍ଧି ପାଇଥିଲା ।

ଏହି କାର୍ଯ୍ୟକ୍ରମ ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟସେବା ଏବଂ ଗୋଷ୍ଠି କଲ୍ୟାଣ ପ୍ରତି ନିରନ୍ତର ପ୍ରତିବଦ୍ଧତାର ଅଂଶ ବିଶେଷ । କମ୍ପାନୀ ଗତ ବର୍ଷ ସ୍ୱାସ୍ଥ୍ୟ ଶିବିର, ସ୍ୱର୍ଣ୍ଣ ପ୍ରାଶନ ଟୀକାକରଣ ପଦକ୍ଷେପ ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ୪୫,୦୦୦ ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ।

କଳାହାଣ୍ଡି ଜିଲ୍ଲା ଏକଦା ଦାରିଦ୍ର୍ୟୟ ପାଇଁ କୁଖ୍ୟାତି ଅର୍ଜନ କରିଥିଲା । ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ନଗଣ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମି, କମ୍ ସଚେତନତା ଏବଂ ଅଧିକ ରୋଗ ବୋଝ ଯୋଗୁଁ ସଂଘର୍ଷ କରୁଥିଲା । ଦଶନ୍ଧି ଦଶନ୍ଧି ଧରି ମ୍ୟାଲେରିଆ ଏକ ନିରନ୍ତର ବିପଦ ଭାବରେ ଉଭା ହୋଇଥିଲା, ଉପଯୁକ୍ତ ସ୍ୱାସ୍ଥ୍ୟସେବା ଏବଂ ମୌଳିକ ପରିମଳ ଅଭାବରୁ କଳାହାଣ୍ଡି ଜିଲ୍ଲାର ଦୂର ଦୂରାନ୍ତର ଗ୍ରାମବାସୀମାନେ ବାରମ୍ବାର ଏହି ରୋଗର ଶିକାର ହେଉଥିଲେ । ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି କାହାଣୀ ନାଟକୀୟ ଭାବେ ବଦଳିଛି-ଏହି ଅଞ୍ଚଳରେ ବେଦାନ୍ତ ଆଲୁମିନିୟମର ନିରନ୍ତର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇଛି ।

ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ (ସି.ଓ.ଓ) ଶ୍ରୀ ସୁନୀଲ ଗୁପ୍ତା  କହିଛନ୍ତି ଯେ ଉତ୍ତମ ସ୍ୱାସ୍ଥ୍ୟସେବା ହେଉଛି ସମୃଦ୍ଧ ଗୋଷ୍ଠି ଏବଂ ସ୍ଥାୟୀ ବିକାଶର ମୂଳଦୁଆ । ଆମର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବା ପ୍ରଦାନ ଠାରୁ ଉର୍ଦ୍ଧ୍ୱରେ । ଆମେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ଥତାର ଏକ ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛୁ ଯାହା ତୃଣମୂଳ ସ୍ତରରେ ବ୍ୟକ୍ତିବିଶେଷଙ୍କୁ ଶିକ୍ଷିତ ଏବଂ ସଶକ୍ତ କରିଥାଏ । ମ୍ୟାଲେରିଆ ପ୍ରତିରୋଧ ହେଉ, ପୁଷ୍ଟିସାଧନ ସଚେତନତା ହେଉ, କିମ୍ବା ଯୋଗ ଏବଂ କର୍କଟ ଶିକ୍ଷା ଭଳି ସାମଗ୍ରିକ ସ୍ୱାସ୍ଥ୍ୟ ପଦକ୍ଷେପ ହେଉ, ଆମର ଲକ୍ଷ୍ୟ ହେଉଛି ସୁସ୍ଥ ଜୀବନଶୈଳୀକୁ ସକ୍ଷମ ଏବଂ ସୁସ୍ଥ ସମ୍ପ୍ରଦାୟ ଗଠନ କରି ସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ।

ବେଦାନ୍ତ ଆଲୁମିନିୟମ ସ୍ୱାସ୍ଥ୍ୟ, ଶିକ୍ଷା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ା ଏବଂ ସଂସ୍କୃତି କ୍ଷେତ୍ରରେ ଉତ୍ସର୍ଗୀକୃତ ହସ୍ତକ୍ଷେପ ମାଧ୍ୟମରେ ସ୍ଥାନୀୟ ଗୋଷ୍ଠିକୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ । ଏହି ପ୍ରୟାସ ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରଗତି ଦିଗରେ ଗୋଷ୍ଠି ଯୋଗଦାନର ଭାବନାକୁ ପ୍ରୋତ୍ସାହିତ କରି ଏହାର ପରିଚାଳନା କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥାଏ । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ ରକ୍ଷାକରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ବାସ୍ତବ ସାମାଜିକ-ଅର୍ଥନୈତିକ ପ୍ରଗତି ଆଡ଼କୁ ନେଇଯିବ । ଯତ୍ନ ଏବଂ ଭାଗିଦାରୀର ନୈତିକତା ଉପରେ ଆଧାରିତ ବେଦାନ୍ତର ସାମାଜିକ ପ୍ରଭାବ ପଦକ୍ଷେପଗୁଡ଼ିକ କଳାହାଣ୍ଡି ଜିଲ୍ଲାର ୬୭ଟି ଗାଁର ଦେଢ଼ ଲକ୍ଷ ଲୋକ ଏବଂ ଓଡ଼ିଶାର ୫ ଲକ୍ଷ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବାରେ ସଫଳ ହୋଇଛି ।

ବାଘ ଆକ୍ରମଣରେ ୧୨ ବର୍ଷର ନାବଳକ ଆହତ

ଉମରକୋଟ : କଲରା ପତରିଆ ବାଘ ଆକ୍ରମଣରେ ୧୨ ବର୍ଷର ନାବଳକ ଆହତ। ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଅଞ୍ଚଳର ଘଟଣା। ଘର ବାହାରେ ଖେଳୁଥିବା ସମୟରେ ଏକ କଲରାପତରିଆ ବାଘ ତାକୁ ଆକ୍ରମଣ କରିଥିଲା। । ଶିଶୁର ଚିତ୍କାର ଶୁଣି ପରିବାର ସଦସ୍ୟମାନେ ବାହାରକୁ ଦୌଡ଼ି ଆସି ପାଟିକରିବାରୁ ବାଘଟି ସେଠାରେ ପଳାଇଯାଇଥିଲା।ବାଘ ଆକ୍ରମଣରେ ପିଲାଟିର ବେକ ଓ ହାତରେ ଗଭୀର ଆଘାତ ଲାଗିଛି। ପରିବାର ଲୋକେ ପିଲାଟିକୁ ବାଘ କବଳରୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲୋ।  ଚିତାବାଘ ଆକ୍ରମଣର ଖବର ପାଇବା ମାତ୍ରେ କାଙ୍କେର ବିଧାୟକ ଆଶାରାମ ନେତାମ ଏବଂ କାଙ୍କେର ଡିଏଫଓ ଆଲୋକ ବାଜପେୟୀ ଆହତ ଶିଶୁର ଅବସ୍ଥା ପଚାରି ବୁଝିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ଅନ୍ୟପଟେ ଗତବର୍ଷ ମଧ୍ୟ ଏହି ଅଞ୍ଚଳରେ ବାଘ ଆକ୍ରମଣରେ ଜଣେ ଶିଶୁର ମୃତ୍ୟୁ ହୋଇଥିଲା।

ବାଇକରେ ଆସି ଛଡ଼ାଇ ନେଲେ ସୁନା ଭର୍ତ୍ତି ବ୍ୟାଗ୍

ବାରିପଦା : ବାଇକରେ ଆସିଲେ, ନିର୍ଦ୍ଧୁମ ପିଟିଲେ। ଛଡ଼ାଇ ନେଲେ ସୁନା ଭର୍ତ୍ତି ବ୍ୟାଗ୍। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସୁନା ଦୋକାନୀ। ବାରିପଦା ସହର ମଝିରେ ଟାଉନ ପୋଲିସ ଥାନାରୁ ଏକ କିଲୋମିଟର ଭିତରେ ଘଟିଛି ଛିନତାଇ। ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଗୁରୁତର ଅବସ୍ଥାରେ ଥିବା ସୁବର୍ଣ୍ଣ ଅଳଙ୍କାର ସୁନା ଦୋକାନୀ ମାଲିକ ରାଜୀବ କୁମାର କମିଳା। ଘଟଣା ଅନୁସାରେ ରାତି ପ୍ରାୟ ୧୧ଟାରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ, ଟିଭିଏସ୍ ବାଇକ୍ ସୋରୁମ୍ ପଛପଟେ ହୋଇଥିଲା ଆକ୍ରମଣ। ବାଇକରେ ଚାରି ଜଣ ଦୃର୍ବୁତ୍ତ ଆସି ସୁନା ବ୍ୟବସାୟୀଙ୍କୁ ନିର୍ଦ୍ଧୁମ ଛେଚି ସୁନା ଭର୍ତ୍ତି ବ୍ୟାଗ ନେଇ ଯାଇଛନ୍ତି। ଦିନକୁ ଦିନ ସହର ମଝିରେ ଅପରାଧ ବଢ଼ିଚାଲିଛି। ପୋଲିସ ସାଜିଛି ନୀରବଦ୍ରଷ୍ଟା। ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ହଠାତ୍ ଝେଲମ୍ ପାଣି ଛାଡିଲା ଭାରତ । ପିଓକେରେ ବନ୍ୟା, ଘର ଛାଡିଲେ ଲୋକେ

ନନ୍ଦିଘୋଷ ବ୍ୟୁରୋ : ଝେଲମ୍ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ, ପାକ୍ ଅଧିକୃତ କାଶ୍ମୀରର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସ୍ଥାନୀୟ ଅଧିକାରୀମାନଙ୍କ ଅନୁସାରେ, ପୂର୍ବ ସୂଚନା ବିନା ଶନିବାର ଉରି ଡ୍ୟାମରୁ ପାଣି ଛଡ଼ାଯାଇଥିଲା। ପାଣି ଛଡା ଯିବା ପରେ ପିଓକେର ହଟ୍ଟିୟନ ବାଲା ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ନଇ କୂଳରେ ରହୁଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇଥିଲେ । ଏକ ରିପୋର୍ଟ ଅନୁସାରେ ପିଓକେର ନଇ କୂଳିଆ ଗ୍ରାମ ଡୁମେଲର ବାସିନ୍ଦା ମହମ୍ମଦ ଆସିଫ୍ କହିଛନ୍ତି, ଆମକୁ ସତର୍କ କରାଯାଇନଥିଲା । ପାଣି ଆସିବା ପରେ ଆମେ ନିଜର ଧନ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛୁ ।

ପିଓକେର ରାଜଧାନୀ ମୁଜାଫରାବାଦ ଏବଂ ଚାକୋଠିର ସ୍ଥାନୀୟ କର୍ତ୍ତୃପକ୍ଷ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରିଥିଲେ। ଏଥିରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ଲୋକଙ୍କୁ ସ୍ଥାନନ୍ତର ହେବା ନେଇ ଅନୁରୋଧ କରାଯାଇଥିଲା। ମୁଜାଫରାବାଦର ଜଣେ ଜିଲ୍ଲା ସରକାରୀ ଅଧିକାରୀ ଏକ ବିବୃତ୍ତି ଜାରି କରି କହିଛନ୍ତି, ଭାରତ ଝେଲମ୍ ନଦୀରେ ଆବଶ୍ୟକ ଠାରୁ ଅଧିକ ପାଣି ଛାଡିଥିଲା । ଯାହା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କୋହଲା ଓ ଧଳକୋଟର ତଳିଆ ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ଆସିଛି। କିଛି ସ୍ଥାନରେ ଫସଲ କ୍ଷତି ହୋଇଥିବାର ମଧ୍ୟ ରିପୋର୍ଟ ଆସିଛି। ଅଧିକାରୀମାନେ କହିଛନ୍ତି, ପିଓକେ ବାସିନ୍ଦାଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉଛି।

ଭାରତ ସରକାର କିମ୍ବା ଭାରତୀୟ ଅଧିକାରୀମାନେ ଏ ବିଷୟରେ ଆନୁଷ୍ଠାନିକ ଭାବରେ କିଛି କହିନାହାଁନ୍ତି। ତଥାପି, କିଛି ଗଣମାଧ୍ୟମ ଦାବି କରୁଛନ୍ତି ଯେ ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ପାଣି ଛାଡିବା ଜରୁରୀ  ଥିଲା। ଏହି ଘଟଣା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ରହିଛି। ପାକିସ୍ତାନୀ ଅଧିକାରୀମାନେ ଏହାକୁ ନିନ୍ଦା କରିଛନ୍ତି, ଏହାକୁ ଅନ୍ତର୍ଜାତୀୟ ମାନଦଣ୍ଡ ଏବଂ ସିନ୍ଧୁ ଜଳ ଚୁକ୍ତିନାମାର ଉଲ୍ଲଂଘନ ବୋଲି କହିଛନ୍ତି।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଭାରତୀୟ ଅଧିକାରୀମାନେ ଦାବି କରିଛନ୍ତି, ଏହି ଆକ୍ରମଣର ପାକିସ୍ତାନ ସହିତ ଲିଙ୍କ୍ ଅଛି। ଏହି ଘଟଣା ପରେ ଭାରତ ଅନେକ ପଦକ୍ଷେପ ନେଇଥିଲା। ସେଥିମଧ୍ୟରୁ ଗୋଟିଏ ଥିଲା ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିବା ।

ପହଲଗାଓଁ ଆତଙ୍କବାଦୀ ହମଲାର ତଦନ୍ତ କରୁଛି NIA

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ହମଲାର ତଦନ୍ତ କରୁଛି NIA। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଏନଆଇଏ ଟିମ୍। ଟିକିନିଖି ଅନୁଧ୍ୟାନ କରିବା ସହ ଆତଙ୍କୀ ଆକ୍ରମଣର ଖୋଳତାଡ଼ କରିବ। ଏହାସହ ସ୍ଥାନୀୟ ପୋଲିସ ଠାରୁ ମାମଲାର ଦାୟିତ୍ବ ମଧ୍ୟ ନେଇଛନ୍ତି ଏନଆଇଏ ଟିମ୍। ଘଟଣାର ତଦନ୍ତ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପହଲଗାଓଁ ହମଲାରେ ପ୍ରାଣ ହରାଇଥିଲେ ୨୬ ଜଣ ଲୋକ। ଗତ ୨୨ ତାରିଖରେ ଘଟିଥିଲା ଏହି ଅମାନବିକ ଘଟଣା। ଏଥିରେ ଜଣେ ଓଡ଼ିଆ ଯୁବକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଅନ୍ୟପଟେ ପହଲଗାଓଁ ଅନନ୍ତନାଗରେ ୧୭୫ ଜଣଙ୍କୁ କବଜାକୁ ନେଇଛି ଜମ୍ମୁ ପୋଲିସ। ଆକ୍ରମଣ ଘଟଣାକୁ ନେଇ ପଚରା ଉଚରା କରାଯିବ।

ଧ୍ବଂସ ହେଲା ଆଉ ୪ ଜଣ ଆତଙ୍କବାଦୀଙ୍କ ଘର

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ହମଲା ପରେ ଜୋରସୋରରେ ଚାଲିଛି ଆତଙ୍କବାଦୀ ତଲାସୀ ଅଭିଯାନ। ଆତଙ୍କୀଙ୍କ ଠିକଣାକୁ ଖୋଜି ଖୋଜି ଧୂଳିସାତ କରୁଛି ସେନା। ଆଉ ୪ ଜଣ ଆତଙ୍କବାଦୀଙ୍କ ଘରକୁ ଧ୍ବଂସ କରିଛି ସେନା। ମାଟିରେ ମିଶିଲା ମୋଟ ୯ ଆତଙ୍କବାଦୀଙ୍କ ଘର। ପାକ ଅଧିକୃତ କାଶ୍ମୀରରେ ଆଇଇଡି ବିସ୍ଫୋରଣ କରି ଆତଙ୍କବାଦୀଙ୍କ ଘର ଉଡାଇଛନ୍ତି ଯବାନ। କୁପଓ୍ବାଡାରେ ଥିବା ଆତଙ୍କବାଦୀର ଘର ଧ୍ବଂସ ହୋଇଛି । ଆତଙ୍କବାଦୀ ଫାରୁକ ଅହମ୍ମଦ ତଡ଼ଓ୍ବାର ଘରକୁ ଧ୍ବଂସ କରିଛନ୍ତି ଯବାନ। ଏହି ଅପରେସନର ଭିଡିଓ ମଧ୍ୟ ଜାରି କରିଛି ଭାରତୀୟ ସେନା। ପୂର୍ବରୁ ଆତଙ୍କୀ ଅମିର ନଜିର, ଏହେଶାନ ଶେଖରର ଘରକୁ ଧ୍ବଂସ କରିଥିଲେ ଯବାନ। ସେହିପରି ଆତଙ୍କବାଦୀ ଜାକିର ଓ ସାହିଦର ଆଡ୍ଡାସ୍ଥଳୀ ଧ୍ବଂସ ହୋଇଛି। ପୁଲଓ୍ବାମା, ସୋପିଆନ, କୁଲଗାମରେ ଯବାନଙ୍କ ପକ୍ଷରୁ ଚଢ଼ାଉ ହୋଇଛି। ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି।