spot_img
Home Blog Page 812

ମୃତ୍ୟୁପଥ ପାଲଟିଛି ଜାତୀୟ ରାଜପଥ: ଦୁର୍ଘଟଣାରେ ଯାଉଛି ଜଣଙ୍କ ପରେ ଆଉ ଜଣଙ୍କ ଜୀବନ

ଜୟପୁର: ମତ୍ୟୁପଥ ପାଲଟିଛି ଜାତୀୟ ରାଜପଥ । କୋରାପୁଟ-ସୁନାବେଡ଼ା ରାସ୍ତାରେ ନୟାନ୍ତ ଯାତ୍ରୀ । ଖରାରେ ଧୂଳି କରୁଛି ଅଣନିଃଶ୍ବାସୀ, ବର୍ଷା ହେଲେ ଟ୍ରାଫିକ ଜାମ । ଲଗାତର ଦୁର୍ଘଟଣା ଯୋଗୁଁ ଚିନ୍ତାରେ ଗାଡ଼ି ଚାଳକ । କୋରାପୁଟ ଜିଲ୍ଲାରୁ ଆନ୍ଧ୍ର, ଛତିଶଗଡକୁ ସଂଯୋଗ କରୁଛି ୨୬ ନମ୍ବର ଜାତୀୟ ରାଜପଥ । ସରକାରୀ ମହାବିଦ୍ୟାଳୟ ଠାରୁ ସୁନାବେଡା ପର୍ଯ୍ୟନ୍ତ ୯ କିଲୋମିଟର ରାସ୍ତାରେ ଦୀର୍ଘ ଏକବର୍ଷ ଧରି ଜାରି ରହିଛି କାମ । ୧୫ ବର୍ଷକ ମଧ୍ଯରେ ଏଠାରେ ୧୫ ଜଣଙ୍କ ଦୁର୍ଘଟଣାରେ ଜୀବନ ଗଲାଣି । ସାମାନ୍ଯ ବର୍ଷା ହେଲେ କାଦୁଅ ପଚପଚ ହୋଇ ପାଣି ଜମି ରହୁଥିବାରୁ ଦୁର୍ଘଟଣା ଘଟୁଛି । ଠିକାଦାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅକାଳରେ ଯାଉଛି ଲୋକଙ୍କ ଜୀବନ । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ରାସ୍ତା ମରାମତି କାମ ସାରିବାକୁ ଦାବି କରିଛନ୍ତି ବିଧାୟକ ଓ ସ୍ଥାନୀୟ ଲୋକେ ।

ମରାମତି କାମ ସାରିବାକୁ ଅନେକ ସମୟରେ ଲୋକେ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି । ତଥାପି ମାତ୍ର ୯ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲାଗି ଗଲାଣି ଏକବର୍ଷରୁ ଅଧିକ ସମୟ । ବାରମ୍ବାର ଦୁର୍ଘଟଣା ସତ୍ତ୍ବେ ଏନଏଚ କର୍ତ୍ତୃପକ୍ଷଙ୍କ ବେଫିକର ଥିବା ଅଭିଯୋଗ କରିଛନ୍ତି ଲୋକେ । ସେପଟେ ଠିକାଦାରଙ୍କୁ କାମ ସାରିବାକୁ ୩ ମାସ ସମୟ ଦିଆଯାଇଛି, ଯଦି କାମ ସମ୍ପୂର୍ଣ୍ଣ ନହୁଏ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ବର୍ଷକ ଭିତରେ ୧୫ ଜୀବନ ଗଲା ପରେ ମଧ୍ଯ କର୍ତ୍ତୃପକ୍ଷଙ୍କ ଚେତା ପଶୁନି । ଯଦି ୩ ମାସ ମଧ୍ୟରେ କାମ ନସରେ, ତେବେ ବଡ଼ ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଲୋକେ ।

ଦୁଃଖ ଦେଲା କାଳବୈଶାଖୀ: କୋଲକାତାରେ ପାଗ ଖରାପ ଯୋଗୁଁ ଭୁବନେଶ୍ବରରେ ୮ ବିମାନର ଜରୁରୀ ଅବତରଣ

ଭୁବନେଶ୍ବର: ଦୁଃଖ ଦେଲା କାଳବୈଶାଖୀ ବର୍ଷା । ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ୮ ଫ୍ଲାଇଟ । ୧୫ ଘଣ୍ଟା ଧରି ଅଟକିଲେ ୩ଶହ ଯାତ୍ରୀ । ପରୀକ୍ଷା ଦେଇନପାରି କାନ୍ଦିଲେ ଛାତ୍ରୀ । କୋଲକାତାରେ ମଧ୍ୟ ରାତ୍ରରେ ମାଡି ଆସିଲା କାଳବୈଶାଖୀ ଝଡ । ପାଗ ଖରାପ ହେବାରୁ ୮ଟି ଫ୍ଲାଇଟ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ପାଗ ପରିବର୍ତ୍ତନ ହେବା ପରେ ବିମାନ ଚଳାଚଳ ଆରମ୍ଭ ହୋଇଥିବାବେଳେ ସ୍ପାଇସଜେଟର ଦୁଇଟି ବିମାନ ଅଟକି ରହିଥିଲା । ୧୫ ଘଣ୍ଟା ବିମାନ ବନ୍ଦରରେ ଅଟକି ରହିବା ଫଳରେ ଅସନ୍ତୋଷ ଝାଡ଼ିଥିଲେ ଯାତ୍ରୀ । କୋଲକାତାରେ ବାୟୋ ମେଟ୍ରିକ ପରୀକ୍ଷା ଦେଇ ନପାରି ବିମାନ କର୍ତ୍ତୃପକ୍ଷଙ୍କୁ ଦୋଷ ଦେବା ସହ କାନ୍ଦିକାନ୍ଦି ଅଭିଯୋଗ କରିଛନ୍ତି ଛାତ୍ରୀ । ପରୀକ୍ଷା ଓ ବିମାନ ବାବଦରେ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ସେ ଏଗଜାମ ଦେବାରୁ ବଞ୍ଚିତ ହୋଇଥିବା କହିଛନ୍ତି । ଶନିବାର ରାତି ୧୨ ଟା ପରେ ଦିଲ୍ଲୀରୁ ୩ଟି, ଜୟପୁର, ଲକ୍ଷ୍ନୌ, ଚେନାଇ, ଶ୍ରୀନଗର, ଗୌହାଟିରୁ କୋଲକାତା ଅଭିମୁଖେ ଆସୁଥିଲା ଫ୍ଲାଇଟ । ପାଣିପାଗରେ ସୁଧାର ଆସିବା ପରେ ୬ଟି ଫ୍ଲାଇଟ ଉଡ଼ାଣ ଭରିଛି ।

ସେପଟେ ବିମାନବନ୍ଦର ନିର୍ଦ୍ଦେଶକଙ୍କ କହିବା କଥା, କାଳବୈଶାଖୀ ପାଇଁ ଇଣ୍ଡିଗୋ, ସ୍ପାଇସ ଜେଟ, ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ ଟି ଫ୍ଲାଇଟ ଜରୁରୀ ଅବତରଣ କରିଥିଲା । ୬ଟି ବିମାନ ଯାତ୍ରା କରିଥିବାବେଳେ ସ୍ପାଇସଜେଟର ଦୁଇଟି ଅଟକି ରହିଥିଲା । ସ୍ପାଇସ ଜେଟର ବେସ୍ ଏଠି ନାହିଁ । କମ୍ପାନିର କର୍ମଚାରୀ ଏଠି ଅପରେଟ କରନ୍ତି । ଫ୍ଲାଇଟ ଚେକ ଓ ଅନ୍ୟାନ୍ୟ ଟେକ୍ନିକାଲ କାମ କରିବା ପାଇଁ କମ୍ପାନିର କର୍ମଚାରୀ ନାହାନ୍ତି । ତେଣୁ ବିମାନ ବନ୍ଦର ପକ୍ଷରୁ ଯାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । କିଛି ଯାତ୍ରୀ ହୋଟେଲ ଯାଇଥିବାବେଳେ କିଛି ଟର୍ମିନାଲରେ ଅଟକି ରହିଥିଲେ । ତେଣୁ ଅସନ୍ତୋଷ ଦେଖାଦେବା ସ୍ବାଭାବିକ । ଆଜି ସକାଳୁ ସ୍ପାଇସ ଜେଟର ଷ୍ଟାଫ, ଇଞ୍ଜିନିୟର ଆସି ଯାଞ୍ଚ କରିବା ପରେ କୋଲକାତା ଅଭିମୁଖେ ଉଡ଼ାଣ ଭରିଛି ବିମାନ ।

ବସ୍ତିରେ ବଢୁଛି ଅପରାଧ: କମ୍ୟୁନିଟି ପୋଲିସିଂ ବ୍ୟବସ୍ଥାର ସତ ଚେଷ୍ଟା ପରେ ବି କମୁନି କ୍ରାଇମ୍‌

ଭୁବନେଶ୍ବର: ରକ୍ତ ଚରିତ୍ର ଷ୍ଟାଇଲରେ ରକ୍ତର ହୋଲି । ବସ୍ତିରେ ବେଧଡକ ଅପରାଧ, ବେଫିକର ଅପରାଧୀ । ନିଶା ପାଇଁ ବୁଲୁଛି ହତିଆର, ଚାଲୁଛି ଭୁଜାଲି । ରଙ୍ଗର ପର୍ବ ହୋଲିରେ ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ଗୋପୀ ଗୁଣିଙ୍କୁ ଦ୍ୱିପ୍ରହରେ ନିର୍ମମ ହତ୍ୟା । ସେହିଦିନ ମଞ୍ଚେଶ୍ୱର ଥାନା ଠାରୁ କିଛି ଦୂରରେ ସମେଇଗାଡ଼ିଆର ଆୟୁଷ୍ମାନ ପତିଙ୍କୁ ହତ୍ୟା । ଏ ଦୁଇଟି ଘଟଣା ପୂର୍ବରୁ ରାଜରାସ୍ତା ଉପରେ ସହଦେବ ନାୟକଙ୍କୁ ଗଣ୍ଡି ମୁଣ୍ଡ ଅଲଗା କରି ବିଭତ୍ସ ହତ୍ୟା । ବସ୍ତିରେ ରହୁଥିବା ଯୁବକଙ୍କୁ ହତ୍ୟା ପଛରେ ମୂଳ କାରଣ ହେଉଛି ନିଶା । ଠିକ ସେହିପରି ଶନିବାର ଦିନ ସାଇନ୍ସ ପାର୍କ ବସ୍ତିରେ ଦାଦା ପୁତୁରା ଗଣ୍ଡଗୋଳ ଓ ଛୁରାମାଡ଼ ଘଟଣାରେ ମୋଟ ୩ ଜଣ ଆହତ ହୋଇଥିବା ବେଳେ ଦାଦା ଶାନ୍ତିଭୂଷଣ ନାୟକଙ୍କୁ ଗିରଫ କରିଛି ପୋଲିସ । ବସ୍ତିରେ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବସ୍ତିକୁ ଚାଲ, ଖେଳକୁଦ ଭଳି ପ୍ରତିଯୋଗିତା କରି କମ୍ୟୁନିଟି ପୋଲିସିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିଲେ ମଧ୍ୟ ନିଶା ପାଇଁ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ ।

ନିଶା ପାଲଟିଛି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ମୂଳ କାରଣ । ରାଜଧାନୀ ସମେତ ସାରା ଓଡିଶାରେ ଚାଲିଛି ବେଧଡକ ନିଶା କାରବାର। ତଥ୍ୟ କହୁଛି ୨୦୨୨ରେ ୧୮୯୨ NDPS ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨ ହଜାର ୬୦୩ ଜଣ ଗିରଫ ହୋଇଛନ୍ତି । ଜବତ ହୋଇଛି ୧୧ ଶହ ୭୩ କେଜି ୭୩ କେଜି ଗଞ୍ଜେଇ । ୫୦ କିଲୋରୁ ଉର୍ଦ୍ଧ୍ବ ବ୍ରାଉନସୁଗାର । ସେହିପରି ୨୦୨୩ରେ ୧୮ ଶହ ୬୮ ଟି NDPS କେସରେ ୨ ହଜାର ୪୧୦ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ଜବତ ହୋଇଥିଲା ୧୮୧୧ କୁଇଣ୍ଟାଲ ଗଞ୍ଜେଇ । ୧୭ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର । ୨୦୨୪ ରେ ୨ ହଜାର ୧୬୦ NDPS ମାମଲାରେ ୨ ହଜାର ୨୭୬ ଜଣଙ୍କୁ ଗିରଫ କରାଯାଇଛି । ଜବତ ହୋଇଛି ୧ ହଜାର ୪୫୨ କୁଇଣ୍ଟାଲ ଗଞ୍ଜେଇ ସହ ୧୦ କେଜିରୁ ଉର୍ଦ୍ଧ୍ବ ଧଳାଜହର । ଏୟାରପୋର୍ଟରୁ ଦାମୀ କୋକେନ୍, ମାରିଜୁଆନା ଜବତ ପରେ ନିଶାର ରାଜଧାନୀ ପାଲଟିଛି ଭୁବନେଶ୍ୱର । ଏସବୁ ପରେ ମଧ୍ୟ ବସ୍ତିକୁ ଅପରାଧ ମୁକ୍ତ କରିବାକୁ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଏସିପି ।

ପାର୍କ ନିର୍ମାଣରେ ମହାଦୁର୍ନୀତି: ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ବି କେବଳ ଫଳକରେ ସୀମିତ ନିର୍ମାଣ କାର୍ଯ୍ୟ

ବାରିପଦା: ପାର୍କ ନିର୍ମାଣରେ ମହାଦୁର୍ନୀତି । ପାର୍କ ନିର୍ମାଣ ଅନୁଦାନ ଗାର୍ଡ ୱାଲ ଓ ନଦୀ ଘାଟ ନିର୍ମାଣରେ ଖର୍ଚ୍ଚ । ୪ ବର୍ଷରେ ଖର୍ଚ୍ଚ ସରିଲାଣି ୧୧ ଲକ୍ଷରୁ ଅଧିକ ଟଙ୍କା । ଫଳକରେ ସୀମିତ ପାର୍କ ନିର୍ମାଣ । ସାମନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ ରଙ୍ଗମାଟିଆ କାଞ୍ଚିଖାଲ ନିକଟ ପାର୍କ ନିର୍ମାଣର ଦୁର୍ନୀତି । ୨୦୨୨-୨୩ ବର୍ଷରେ ପାର୍କ ନିର୍ମାଣ ପାଇଁ ଜିଲ୍ଲା ପରିଷଦ ପାଣ୍ଠିରୁ ମିଳିଥିଲା ୭ ଲକ୍ଷ ଟଙ୍କା ସେହି ଟଙ୍କାରେ ଏପର୍ଯ୍ୟନ୍ତ ଏକ ଛୋଟ ଗାଡୱାଲ ନିର୍ମାଣ କରାଯାଇଛି । ୨୦୨୩-୨୪ରେ ରୁରାଲ ପାର୍କ ନାଁରେ ପୁଣିଥରେ ୪ ଲକ୍ଷ ୨୩ ହଜାର ୫୮୩ ଟଙ୍କା ଆର୍ଥିକ ଅନୁଦାନ ମିଳିଲା । ସେଥିରେ ଛୋଟ ନଦୀ ଘାଟ ନିର୍ମାଣ କରି ଦାୟୀତ୍ଵ ସାରିଦିଆଯାଇଛି । ଗତ ୪ ବର୍ଷ ମଧ୍ୟରେ ରୁରାଲ ପାର୍କ ନିର୍ମାଣ ନାଁରେ ୧୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ସରିଥିବା ବେଳେ ପାର୍କ ନିର୍ମାଣର ନାଁ ଗନ୍ଧ ନାହିଁ । ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧୂଚନ୍ଦ୍ରିକାରେ ପାର୍କ ଅନୁଦାନ ରାଶିକୁ ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ବ୍ଲକ କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ପାର୍କ ନିର୍ମାଣ କାର୍ଯ୍ୟ ଗ୍ରାମପଞ୍ଚାୟତ ଦ୍ଵାରା ନିର୍ମାଣ କରାଯିବା କଥା । ପ୍ରକୃତ କଥା ହେଲା ଜଣେ ଠିକାଦାର ନିର୍ମାଣ କାର୍ଯ୍ୟ କରୁଛନ୍ତି । ସେପଟେ ଦୀର୍ଘ ୫ ବର୍ଷ ଧରି କାମ ଚାଲୁରହିଥିବା କଥା କହି କ୍ୟାମେରା ପଛରେ ସଫେଇ ଦେଇଛନ୍ତି ଶାମାଖୁଣ୍ଟା ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଅପରପକ୍ଷରେ ଗଣମାଧ୍ୟମର ପ୍ରଶ୍ନର ସିଧା ଉତ୍ତର ନରଖି ବାଁରେଇ ଦେଇଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ । ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରାରେ କାଞ୍ଚିଖାଲ ନିକଟରେ ନିର୍ମାଣ ହେବାକୁ ଥିବା ପାର୍କ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ଏବେ ବି ବଞ୍ଚିଛି ପାରମ୍ପରିକ ବାଦ୍ୟଯନ୍ତ୍ର ମୃଦଙ୍ଗ: ଏପରି ଭାବେ ପ୍ଲାଷ୍ଟିକ ରଶିରେ ତିଆରି ହେଉଛି ବାଦ୍ୟଯନ୍ତ୍ର

ବଡ଼ମ୍ବା: ଲୋକକଳା ସହିତ ବିଭିନ୍ନ ପୂଜା ପର୍ବାଣୀରେ ଖୋଜା ପଡ଼େ ଢୋଲ ମୃଦଙ୍ଗ । ଏହି ପାରମ୍ପରିକ କୌଳିକ ବୃତ୍ତି ଧିରେ ଧିରେ ଲୋକ ପାଇବାକୁ ବସିଥିବା ବେଳେ ଏହାକୁ ବଞ୍ଚାଇ ରଖି ପରିବାର ପ୍ରତିପୋଷଣ କରୁଛନ୍ତି କଟକ ଜିଲ୍ଲାର ନରସିଂହପୁର ବ୍ଲକର ଅଲରା ଗାଁର ଢୋଲ ମୃଦଙ୍ଗ କାରିଗର । ଭଳିକି ଭଳି ବାଦ୍ୟଯନ୍ତ୍ର ତିଆରି କରି ବିକ୍ରି କରି ଗୁଜରାଣ ମେଣ୍ଟାଉଛନ୍ତି । ତେବେ ପର୍ବପର୍ବାଣୀ ସମୟରେ ବାଦ୍ୟଯନ୍ତ୍ରର ଚାହିଦା ରହୁଥିବା ବେଳେ ଅନ୍ୟ ସମୟରେ ହାତବାନ୍ଧି ବସିବାକୁ ପଡୁଛି ।

ଅବସ୍ଥାନ କେନ୍ଦ୍ର ଏବେ ଭୂତକୋଠି: ପରିତ୍ୟକ୍ତ ଅବସ୍ଥାରେ ବାଲେଶ୍ୱର ସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର

ଉଦଳା: ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିଲା ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଲକ୍ଷ୍ୟ ଥିଲା ପର୍ଯ୍ୟଟକ ଓ ପଥଚାରୀମାନେ ଏଠାରେ ବିଶ୍ରାମ ନେବେ ଓ ଖାଦ୍ୟପେୟର ମଧ୍ୟ ସୁବନ୍ଦୋବସ୍ତ ରହିବ । ୨୦୧୮ ମସିହାରେ ଉଦଘାଟନର ୨ ବର୍ଷ ପରେ ସୁବିଧା କେନ୍ଦ୍ରକୁ ବନ୍ଦ କରି ଦିଆଗଲା ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ଛଟେଇ କରିଦିଆଗଲା । ବାଲେଶ୍ୱର ରାଜ୍ୟ ରାଜପଥର କପ୍ତିପଦା ବ୍ଲକ ଝୀଙ୍କପଦା ଠାରେ ଥିବା ଏହି ଆଲିସାନ ଘରଟି ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ପର୍ଯ୍ୟଟକଙ୍କ ସମେତ ପଥଚାରୀମାନେ ବିଶ୍ରାମ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାର ପୁନରୁଦ୍ଧାର ଜରୁରୀ ହୋଇପଡ଼ିଛି ।

ଲକ୍ଷ୍ନୌକୁ ଲାଗିଲା ବଡ଼ ଝଟକା: ମୁମ୍ବାଇର କ୍ରମାଗତ ପଞ୍ଚମ ବିଜୟ

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଖେଳାଯାଇଥିବା ଏକ ମ୍ୟାଚରେ ଲକ୍ଷ୍ନୌକୁ ଲାଗିଛି ବଡ଼ ଝଟକା । ଲକ୍ଷ୍ନୌ ବିପକ୍ଷରେ ୫୪ ରନରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାଫଳରେ ମୁମ୍ବାଇ କ୍ରମାଗତ ପଞ୍ଚମ ଥର ପାଇଁ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୧୫ ରନ୍ ସଂଗ୍ରହ କରିଥିବା ବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସ ୧୬୧ ରନରେ ସୀମିତ ରହିଯାଇଥିଲା । ମୁମ୍ବାଇ ପକ୍ଷରୁ ରାନ ରିକେଲ୍ଟନ ୫୮ ରନ, ସୂର୍ଯ୍ୟକୁମାର ଯାଦବ ୫୪ ରନ୍ ଓ ଓ୍ବିଲ ଜ୍ୟାକ୍ସ ୨୯ ରନ୍ ସଂଗ୍ରହ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ ଓ ଆଭେଶ ଖାନ ୨ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ । ପ୍ରିନ୍ସ ଯାଦବ, ଦିଗଭେଶ ରାଠି ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଲକ୍ଷ୍ନୌ ପକ୍ଷରୁ ମିଚେଲ ମାର୍ଶ ୩୪ ରନ୍, ନିକୋଲାସ ପୁରନ ୨୭ ରନ୍, ଆୟୁଷ ବଦୋନୀ ୩୫ ରନ୍ ସଂଗ୍ରହ କରିଥିଲେ । ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରି ପାରନଥିଲେ । ଫଳରେ ଦଳ ଏହି ହାଇ ସ୍କୋରକୁ ପିଛା କରିବାକୁ ଅକ୍ଷମ ହୋଇଥିଲା । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍ରା ୪ଟି, ଟ୍ରେଣ୍ଟ ବୋଲ୍ଟ ୩ଟି, ଓ୍ବିଲ ଜ୍ୟା୍ସ ୨ଟି ଓ କର୍ବିନ ବୋଶଚ ଗୋଟିଏ ଓ୍ବିକେଟ ହାସଲ କରିଥିଲେ ।

ମିଳୁନି ବିଶୁଦ୍ଧ ଜଳ: ନଳକୂପର ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ ଜଣ୍ଡିସରେ ଆକ୍ରାନ୍ତ ହେଲେଣି ୧୨୦ ଜଣ ଶିଶୁ

ନୂଆପଡ଼ା: ନଳକୂପର ଫ୍ଲୋରାଇଡ୍ ଯୁକ୍ତ ପାଣି ବ୍ୟବହାର କରି ଜଣ୍ଡିସ ଆକ୍ରାନ୍ତ । ୧୫ ଦିନ ହେଲାଣି ଟ୍ୟାପରେ ଜଳ ଯୋଗାଣ ମଧ୍ୟ ବନ୍ଦ । ଦୂର ଗାଁରୁ ମୁଣ୍ଡରେ ବୋହି ଆଣିବାକୁ ପଡୁଛି ପାଣି । ଜଣ୍ଡିସ ରୋଗ ସାଙ୍ଗକୁ ଉତ୍କଟ ହେଉଛି ଜଳ କଷ୍ଟ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନରସିଂହପୁର ଗାଁରେ ବିଶୁଦ୍ଧ ପାନୀୟ ଜଳ ସଂକଟ ଦେଖାଦେଇଛି । ଗାଁରେ ଥିବା ନଳକୂପର ଦୂଷିତ ପାଣି ବ୍ୟବହାର କରି ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ସ୍ଵାସ୍ଥ୍ୟ ପରୀକ୍ଷାରୁ ଗାଁର ୧୨୦ଜଣ ଶିଶୁ ଜଣ୍ଡିସ ଆକ୍ରାନ୍ତ ଥିବା ଜଣାପଡ଼ିଛି । ୧୫ ଦିନ ତଳେ ଖଡ଼ିଆଳ ଡାକ୍ତରଖାନାର ଏକ ଟିମ୍ ଗାଁକୁ ଯାଇ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ହେଲେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଔଷଧ ପ୍ରଦାନ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବାଧ୍ୟହୋଇ ଲୋକେ ଜଣ୍ଡିସ ରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ ଝଡ଼ାଫୁଙ୍କାର ଆଶ୍ରୟ ନେଉଥିବା କହିଛନ୍ତି ଗ୍ରାମବାସୀ ।

ନରସିଂହପୁର ଗାଁରେ ୩ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ଗାଁରେ ଥିବା ସମସ୍ତ ୬ଟି ନଳକୂପରୁ ଫ୍ଲୋରାଇଡ୍ ଯୁକ୍ତ ପାଣି ବାହାରୁଥିବାରୁ ଲାଲ ଛକି ଚିହ୍ନ ଦିଆଯାଇଛି । ପିଇବା ପାଣି ପାଇଁ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଲୋକେ ପାଣି ପାଇପାରୁ ନାହାନ୍ତି । ବାଧ୍ୟହୋଇ ଲୋକେ ଚାଷଜମିରେ ଥିବା ଏକ ଖୋଲା କୂଅରୁ ଓ ୧ କିଲୋମିଟର ଦୂର ସରଗାଦି ଗାଁରୁ ଗରାମାଠିଆରେ ପିଇବା ପାଣି ବୋହି ଆଣୁଛନ୍ତି । ପାଣି ସମସ୍ୟା ବାବଦରେ ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏବେ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିଲାଣି । ଅନ୍ୟପଟେ ଗାଁକୁ ଏକ ଡାକ୍ତରୀ ଦଳ ଯାଇ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉପଖଣ୍ଡ ଚିକିତ୍ସା ଅଧିକାରୀ। ନରସିଂହପୁର ଗ୍ରାମବାସୀଙ୍କ ପାଇଁ ଜଣ୍ଡିସ ରୋଗ ସହିତ ଉତ୍କଟ ଜଳ ସମସ୍ୟା ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ତୁରନ୍ତୁ ଜଣ୍ଡିସ ଆକ୍ରାନ୍ତଙ୍କ ଚିକିତ୍ସା ବ୍ୟବସ୍ଥା ସହିତ ଔଷଧ ପ୍ରଦାନ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ: ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା

ଭଦ୍ରକ: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚିକିତ୍ସା ଅବହେଳା ପାଇଁ ଜଣେ ଦୁଇ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶିମୁଳିଆ ଥାନା ଅମରିଆ ଅଗ୍ନିପୁରର ମନୋଜ ମହାଳିକଙ୍କ ୨ ମାସର ଶିଶୁପୁତ୍ର ଅସୁସ୍ଥ ହୋଇଥିଲେ । ଆଜି ସକାଳୁ ପ୍ରଥମେ ଏକ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ । ପରେ ଭଦ୍ରକ ଗେଲପୁର ଠାରେ ନିର୍ମିତ ନୂତନ ଏମସିଏଚରେ ଭର୍ତ୍ତି କରିଥିଲେ । ତେବେ ମେଡିକାଳରେ ଭର୍ତ୍ତି ହେବାର ଅଧ ଘଣ୍ଟା ଭିତରେ ଶିଶୁଟିର ମୃତ୍ୟୁ ହୋଇଥିଲା । ମେଡ଼ିକାଲରେ ଡାକ୍ତର ଅନୁପସ୍ଥିତ ଥିବା ବେଳେ ଷ୍ଟାଫନର୍ସ ଶିଶୁଟିକୁ ଚିକିତ୍ସା କରିଥିଲେ। ଏପରିକି ଘରୋଇ ଡାକ୍ତରଙ୍କ ପ୍ରେସକ୍ରିପସନ ଅନୁସାରେ ଷ୍ଟାଫ ନର୍ସ ଜଣଙ୍କ ଚିକିତ୍ସା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ୍ୟୁ ପରେ ଆସି ଡାକ୍ତର ପହଂଚିଥିବା କହିଛନ୍ତି ପରିବାର ଲୋକେ । ଶିଶୁ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା । ଅନ୍ୟପଟେ ଘଟଣା ସଂପର୍କରେ ଅବଗତ ଥିବା କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ। ଯଦି ଚିକିତ୍ସାରେ କୌଣସି ଅବହେଳା ହୋଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଡ଼ିଏମଓ।

ରବିବାରରେ ବଡ଼ ଅଘଟଣ: ପାଣିରେ ବୁଡ଼ି ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରବିବାରରେ ଘଟିଛି ବଡ଼ ଅଘଟଣ । ୮ ଜଣଙ୍କ ସଲିଳ ସମାଧି । କେନ୍ଦୁଝର ହରିଚନ୍ଦନପୁର ପାଟହରା ଜଳପ୍ରପାତରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ନୟାଗଡ଼ ଦଶପଲ୍ଲାରେ ପୋଖରୀରେ ବୁଡି ୩ ନାବାଳକଙ୍କ ମୃତ୍ୟୁ  । କଟକ କାଠଯୋଡ଼ିରେ ବୁଡି ଜଣେ ନାବାଳକ ମୃତ । ରାଉରକେଲା କୋଏଲ ନଦୀ ନେଲା ଛାତ୍ରର ଜୀବନ । କେରାପୁଟ ପାତାଳି ନଦୀରେ ଭାସିଗଲେ ଯୁବକ  ।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଗୋଡ଼ିବିଡ଼ା ଗାଁରେ ଦୁଃଖଦ ଘଟଣା। ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ। ପୋଖରୀରେ ଗାଧୋଇବା ବେଳେ ତିନି ନାବାଳକ ବୁଡ଼ି ଯାଇଥିଲେ। ପରିବାର ଓ ଗାଁ ଲୋକେ ଖୋଜାଖୋଜି କରିବା ପରେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଏହା ପରେ ଦଶପଲ୍ଲା ହସପିଟାଲକୁ ନିଆଯାଇଥିଲା। ସେଠାରେ ତିନି ନାବାଳକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ସେହିପରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗରଗଡବାହଳ ନିକଟସ୍ଥ ପାଟହରା ଜଳପ୍ରପାତରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଜଣେ ଯାଜପୁର ଓ ଅନ୍ୟଜଣେ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡ଼ିଛି ।