ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ପ୍ରଦୂଷଣକୁ ନେଇ ଆପ୍ ର ପ୍ରତିବାଦ। ଦିଲ୍ଲୀର ବିଜେପି ସରକାର ଓ କେନ୍ଦ୍ର ସରକାର ଏଥିପ୍ରତି ନିଷ୍କ୍ରିୟତା ଓ ଉଦାସୀନତା ଦେଖାଉଥିବାରୁ ଏହାର ପ୍ରତିବାଦ କରିଛି ଆମ୍ ଆଦମୀ ପାର୍ଟ। ଦିଲ୍ଲୀ ବିଧାନସଭା ପରିସରରେ ଆପ୍ ପକ୍ଷରୁ ଆନ୍ଦୋଳନ କରାଯାଇଛି। ବିରୋଧୀ ଦଳ ନେତା ଅତିଶି ଅଭିଯୋଗ କରିଛନ୍ତି, ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗରୁ ପଳାୟନ କରୁଛି ବିଜେପି। ବିଧାନସଭାରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ବି ରାଜି ହେଉନି। ଏବେ ଦିଲ୍ଲୀର ସବୁଠାରୁ ବଡ଼ ସମସ୍ୟା ହେଉଛି ପ୍ରଦୂଷଣ। ଏହାର ସମାଧାନ ପାଇଁ କିଛି ଚେଷ୍ଟା କରୁନି ବିଜେପି। ପ୍ରସଙ୍ଗରୁ ପଳାୟନ କରୁଛି। ସେମାନଙ୍କ ପାଖରେ କୌଣସି ଉତ୍ତର ବି ନାହିଁ। ଏସବୁ ଡ୍ରାମା ଛାଡ଼ି ଦିଲ୍ଲୀ ପ୍ରଦୂଷଣ ନେଇ ବିଧାନସଭାରେ ଆଲୋଚନା ହେଉ ଏବଂ ସମାଧାନ ପାଇଁ ସରକାର ଚେଷ୍ଟା କରନ୍ତୁ ବୋଲି ଦାବି କରିଛନ୍ତି ଅତିଶି।
ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କଲେ ଡେଲସି ରୋଡ୍ରିଗେଜ୍
ନନ୍ଦିଘୋଷ ବ୍ୟୁରୋ : ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କଲେ ଡେଲସି ରୋଡ୍ରିଗେଜ୍। ଦାୟିତ୍ଵ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ଭବନ ଅଂଚଳରେ ଫୁଟିଥିଲା ଗୁଳି। ରାଜଧାନୀ କାରାକାସରେ ଥିବା ରାଷ୍ଟ୍ରପତି ଭବନ ନିକଟରେ ଡ୍ରୋନ ଦେଖିବାକୁ ମିଳିଥିଲା। ଗୁଳି ଫୁଟିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ରାଷ୍ଟ୍ରପତି ଭବନ ନିକଟରେ ଗୁଳି ବିନିମୟ ଏବଂ ତୀବ୍ର ସଂଘର୍ଷ ଘଟିଥିବା ଜଣାପଡ଼ିଛି। ଡ୍ରୋନ୍ ଦେଖାଯିବା ଏବଂ ରାଜଧାନୀରେ ଉତ୍ତେଜନା ଲାଗି ରହିଥିବା ସତ୍ତ୍ୱେ କର୍ତ୍ତୃପକ୍ଷ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ସେପଟେ ରାଷ୍ଟ୍ରପତି ଭବନ ଅଂଚଳରେ ଗୁଳିକାଣ୍ଡ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି ଆମେରିକା। ସେପଟେ ପଦଚ୍ୟୁତ ନେତା ନିକୋଲାସ୍ ମାଦୁରୋଙ୍କ ବିରୋଧରେ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ ଡ୍ରଗ୍ସ ସମ୍ବନ୍ଧୀୟ ଅଭିଯୋଗରେ ନ୍ୟୁୟର୍କର ଏକ ଫେଡେରାଲ୍ କୋର୍ଟରେ ହାଜର ହୋଇଥିଲେ। ସେଠାରେ ତାଙ୍କୁ ଗିରଫ କରାଯାଇଥିଲା। ଖୁବଶୀଘ୍ର ଭେନେଜୁଏଲାରେ ରାଷ୍ଟ୍ରପତି ନିର୍ବାଚନ ହେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ। ଆଗାମୀ ୩୦ ଦିନ ମଧ୍ୟରେ ଭେନେଜୁଏଲାରେ ନିର୍ବାଚନ ହେବ। ଶନିବାର ରାତିରେ ଆମେରିକୀୟ ସୈନ୍ୟମାନେ କାରାକାସର ଏକ ସାମରିକ ଘାଟିରେ ଥିବା ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ସେମାନଙ୍କ ଘରୁ ବାହାର କରିଥିଲେ। ଏହି ଦମ୍ପତିଙ୍କ ବିରୁଦ୍ଧରେ ଆମେରିକାର ନାର୍କୋ-ଆତଙ୍କବାଦ ଷଡ଼ଯନ୍ତ୍ରରେ ଅଂଶଗ୍ରହଣ କରିବାର ଅଭିଯୋଗ ରହିଛି।
ବିଲ ପାଇଁ ସରପଞ୍ଚଙ୍କ ଅନଶନ ; ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ
ନନ୍ଦିଘୋଷ ବ୍ୟରୋ : ଉନ୍ନୟନମୂଳକ କାର୍ଯ୍ୟର ବିଲ୍ ପାଇଁ ବ୍ଲକ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଲେ ସରପଞ୍ଚ l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ସରପଞ୍ଚ ଦିଲୀପ କୁମାର ଶତପଥୀ ବିଲ ପାଇଁ ଗତ ୭ ଦିନ ତଳେ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ । ହେଲେକିଛି ସୁଫଳ ନହେବାରୁ ଆଜି ଆମରଣ ଅନଶନରେ ବସିଛନ୍ତି l ପଞ୍ଚାୟତର କଲ୍ୟାଣ ମଣ୍ଡପ, କମୁନିଟିସେଣ୍ଟର, ରାସ୍ତା କାମ ଭଳି ଅନେକ ଉନ୍ନୟନମୂଳକ କାମ ସରିଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀଙ୍କ ମନମୂଖୀ କାର୍ଯ୍ୟ ଯୋଗୁ ଦୀର୍ଘ ମାସ ଧରି ବିଲ ଅଟକି ରହିଛି l ଯାହା ଫଳରେ ନିର୍ମାଣ କାର୍ଯ୍ୟରେ ଲାଗିଥିବା ବିଭିନ୍ନ ଉପକରଣର ବିଲ ପୈଠ କରି ପାରୁନାହାନ୍ତି ସରପଞ୍ଚ l କେବଳ ସେତିକି ନୁହଁ ଲେବଲଙ୍କ ପେମେଣ୍ଟ ମଧ୍ୟ କରିବାରେ ସରପଞ୍ଚ ଅସମର୍ଥ । ତେଣୁ ଆଜିଠୁ ବ୍ଲକ ଅଫିସ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି ସରପଞ୍ଚ l ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ସରପଞ୍ଚ l
ଏମିତି ବି ଆସେ ମୃତ୍ୟୁ ; ମାର ମୃତ୍ୟୁ ଖବର ସହିନପାରି ଟଳିପଡିଲା ପୁଅ
ନନ୍ଦିଘୋଷ ବ୍ୟରୋ : ଏମିତି ବି ଆସେ ମୃତ୍ୟୁ । ମାର ମୃତ୍ୟୁ ଖବର ସହିନପାରି ଟଳିପଡିଲା ପୁଅ। ମାଙ୍କ ମୃତଦେହକୁ କୋଳରେ ଧରି ପୁଅର ମୃତ୍ୟୁ ହୋଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜୟପୁରର ପରିଚ୍ଛା ସାହିରେ। ସବୁ ଦିନ ପରି ସକାଳୁ ଜମିକୁ ଯାଇ ଫେରିବା ପରେ ମାଙ୍କୁ ଡାକଥିଲା ପୁଅ । କିନ୍ତୁ ପୁଅ ରବିର ଡାକ ମା ନ ଶୁଣିବାରୁ ମା ଶୋଇଥିବା ଖଟ ପାଖକୁ ଯାଇ ମାକୁ ଉଠାଇଥିଲା। ମାଆ ନ ଉଠିବାରୁ ସାହି ପଡୋଶୀଙ୍କୁ ଡାକିଥିଲା। ପଡୋଶୀ ପହଞ୍ଚି ମାଆ ଆଉ ଦୁନିଆରେ ନଥିବା କହିଥିଲେ। ମାର ମୃତ୍ୟୁ ଖବର ଶୁଣି ମାକୁ କୋଳରେ ଧରି କାନ୍ଦିବାକୁ ଲାଗିଲା ପୁଅ। କିଛି ସମୟର କାନ୍ଦ ପରେ ପୁଅ ମଧ୍ୟ ସେଠାରେ ଟଳିପଡିଥିଲା। ପରିବାରରେ କେବଳ ମାଆ ପୁଅ ରହୁଥିଲେ। ପୁଅର ବୟସ ୫୨ ଓ ମାର ବୟସ ପ୍ରାୟ ୭୮ ହେବ ବୋଲି ଜଣା ପଡ଼ିଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟ ହୋଇଛି।
ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ
ନନ୍ଦିଘୋଷ ବ୍ୟୁରୋ: ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଶିକ୍ଷକ ବଦଳି ବାତିଲ ଓ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଫାଟକ ଧାରଣା ଦିଆଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବରୀ ଶିକ୍ଷା ମଣ୍ଡଳ ଅଧୀନ ରତ୍ନଗିରି ପଞ୍ଚାୟତ ପଟଣା ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ ଟି ଶ୍ରେଣୀ ଥିବା ବେଳେ ପାଖାପାଖି ୮୦ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି । ବିଦ୍ୟାଳୟରେ ମାତ୍ର ୩ ଜଣ ଶିକ୍ଷକ ଥିଲେ କିନ୍ତୁ ଶିକ୍ଷାବିଭାଗ ପକ୍ଷରୁ ସେଠାରୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏବେ ମାତ୍ର ୨ ଜଣ ଶିକ୍ଷକ ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ସେହି ବିଦ୍ୟାଳୟର ହୋଇଥିବା ବେଳେ ଅନ୍ୟଜଣେ ସେଠାକୁ ଡେପୁଟେଶନରେ ଆସିଛନ୍ତି। ଜଣେ ଶିକ୍ଷକ ଅନ୍ୟତ୍ର ବଦଳି ହୋଇଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି ତେଣୁ ବିଦ୍ୟାଳୟ ଫାଟକ ସମ୍ମୁଖରେ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଅଭିଭାବକ ମାନେ ସ୍କୁଲ ଫାଟକରେ ତାଲା ପକାଇ ଛାତ୍ରୀଛାତ୍ରଙ୍କ ସହ ଧାରଣାରେ ବସିଛନ୍ତି l ଶିକ୍ଷକଙ୍କ ବଦଳି ବାତିଲ କିମ୍ୱା ଅନ୍ୟ ଶିକ୍ଷକଙ୍କୁ ଯଦି ଏଠାରେ ନିଯୁକ୍ତି ଦିଆନଯାଇ ତାହେଲେ ଅର୍ନିଦ୍ଦିଷ୍ଟ କାଳପର୍ଯ୍ୟନ୍ତ ଫାଟକରେ ତାଲା ପକାଇ ପ୍ରତିବାଦ ଜାରି ରହିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି । ଅନ୍ୟ ପକ୍ଷରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ତାଙ୍କୁ କୌଣସି ପ୍ରକାର ଲିଖିତ ଅଭିଯୋଗ ଆସିନାହିଁ ବୋଲି କହିଛନ୍ତି ।
ଯାତ୍ରାକୁ ଫେରିଲେ ପୀୟୂଷ ତ୍ରିପାଠୀ ; ପୁଣି ଥରେ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଲା ପୀୟୂଷ ତ୍ରିପାଠୀଙ୍କ ଅଭିନୟ
ନନ୍ଦିଘୋଷ ବ୍ୟୁରୋ: ଯାତ୍ରାକୁ ଫେରିଲେ ପୀୟୂଷ ତ୍ରିପାଠୀ। ପୁଣି ଥରେ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଲା ପୀୟୂଷ ତ୍ରିପାଠୀଙ୍କ ଅଭିନୟ। ଯାତ୍ରା ବିବାଦ ପରେ ଦୀର୍ଘ ଦିନ ପରେ ତାଙ୍କୁ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି। ଚଣ୍ଡିଖୋଲ ସିଣ୍ଡିକେଟ ଯାତ୍ରା କମିଟି ପକ୍ଷରୁ ଯାତ୍ରା ସିଂହବାହିନୀର ତୁ ମୋ ବଜରଙ୍ଗୀ ନାଟକରେ ପୀୟୂଷ ତ୍ରିପାଠୀଙ୍କୁ ଦେଖିବାକୁ ମିଳିଛି। ଚଣ୍ଡିଖୋଲ ଛକରେ କମିଟି ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇ ଥିଲା। ସେଠାରୁ ଶୋଭାଯାତ୍ରାରେ ଯାତ୍ରା ମଞ୍ଚକୁ ଯାଇଥିଲେ ପୀୟୂଷ । ତାଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଖଚାଖଚ ଦର୍ଶକଙ୍କ ଭିତରେ ମଞ୍ଚରେ ନିଜର ଅଭିନୟ ଦେଖାଇ ଦର୍ଶକଙ୍କ ମନ ଜିଣିଥିଲେ ପୀୟୂଷ।
ଜଣେ ପ୍ରତିଷ୍ଠିତ ବାବାଙ୍କ ନାଁରେ ଠକେଇ ଅଭିଯୋଗ ; ପ୍ରାୟ ୧୮ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ
ନନ୍ଦିଘୋଷ ବ୍ୟୁରୋ: ଜଣେ ପ୍ରତିଷ୍ଠିତ ବାବାଙ୍କ ନାଁରେ ଠକେଇ ଅଭିଯୋଗ। ପ୍ରାୟ ୧୮ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ। ଠକେଇର ଶିକାର ହୋଇଛନ୍ତି କୁମଣ୍ଡରେ ରହୁଥିବା ବିନିତ କୁମାର ସେଠୀ । ଏନେଇ ସେ ଅନୁଗୁଳ ସାଇବର ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ଛାନବିନ୍ ଆରମ୍ଭ କରିଛି । ଏକ ଅଜଣା ନମ୍ବରରୁ ବିନିତଙ୍କୁ ଏକ ଫୋନ୍ କଲ ଆସିଥିଲା | କଲ୍ କରି ଥିବା ବ୍ୟକ୍ତି ନିଜକୁ ବାବାଙ୍କ କର୍ମଚାରୀ ବୋଲି ପରିଚୟ ଦେଇଥିଲା। ଏପରିକି ବାବାଙ୍କ ସହ କଥା ମଧ୍ୟ କରାଇ ଦେଇଥିଲା। ପରେ ତାଙ୍କର ପୂଜାପାଠ କରିବା ପାଇଁ ଟଙ୍କା ମାଗିଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ଟଙ୍କା ଦେଇଥିଲେ ବିନିତ । ପରେ ସାଇବର ଠକମାନେ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ଠାରୁ ୧୭ ଲକ୍ଷ ୮୨ ହଜାର ଟଙ୍କା ଠକି ନେଇଥିଲେ। ଠକାମୀର ଶିକାର ହୋଇଥିବା ଜାଣିବା ପରେ ବିନିତ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।
ମଣ୍ଡି ସମସ୍ୟା ନେଇ ସମ୍ବଲପୁରରେ ତାତିଲେ ଚାଷୀ ; ଆନ୍ଦୋଳନ ପରେ ବି ସମାଧାନ କରୁନାହାନ୍ତି ରାଜ୍ୟ ସରକାର
ନନ୍ଦିଘୋଷ ବ୍ୟୁରୋ: ମଣ୍ଡି ସମସ୍ୟା ନେଇ ସମ୍ବଲପୁରରେ ତାତିଲେ ଚାଷୀ। ବାରମ୍ବାର ଚାଷୀଙ୍କ ଆନ୍ଦୋଳନ ପରେ ବି ସମାଧାନ କରୁନାହାନ୍ତି ରାଜ୍ୟ ସରକାର । ଧାନ ମଣ୍ଡିରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ। ଯାହାକୁ ନେଇ ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ॥ ଖଲିଆପାଲି ଧାନ ମଣ୍ଡିରେ ପୁଣି ତାତିଛନ୍ତି ଶହ ଶହ ଚାଷୀ। ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ନିକଟରେ ନିଜ ଦାବି ରଖିଛି ଚାଷୀ।
ନ୍ୟୁଜିଲ୍ୟାଣ୍ଡ ସହ ଦିନିକିଆ ସିରିଜ ପୂର୍ବରୁ ଆସିଲା ବଡ ଖବର : ଏହି ଟୁଣ୍ଣାମେଣ୍ଟର ଗୋଟିଏ ବି ମ୍ୟାଚ ଖେଳିବେନି ବିରାଟ
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିର୍ଦ୍ଦେଶ ପରେ, ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ ର ପ୍ରଥମ ଦୁଇଟି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଦିଲ୍ଲୀ ପାଇଁ ଖେଳି ବିରାଟ ପ୍ରଥମ ମ୍ୟାଚରେ ଶତକ ଏବଂ ଦ୍ୱିତୀୟରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ, ଡିଡିସିଏ ସଭାପତି ରୋହନ ଜେଟଲି ଘୋଷଣା କରିଥିଲେ ଯେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିନିକିଆ ସିରିଜ ପୂର୍ବରୁ, ବିରାଟ ବିଜୟ ହଜାରେ ଟ୍ରଫିର ଚଳିତ ସିଜିନରେ ୬ ଜାନୁଆରୀ, ୨୦୨୬ମଙ୍ଗଳବାର ରେଳବାଇ ବିପକ୍ଷରେ ଆଉ ଗୋଟିଏ ମ୍ୟାଚ ଖେଳିବେ। ତଥାପି, ଦିଲ୍ଲୀର ପ୍ରଶିକ୍ଷକ ଏବେ ନିଶ୍ଚିତ କରିଛନ୍ତି ଯେ କୋହଲି ରେଳବାଇ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ। ଏହାର ଅର୍ଥ ହେଉଛି ଯେ ବିରାଟ ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ସିଧାସଳଖ ପଡ଼ିଆରେ ଦେଖାଯିବେ।
ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ପାଇଁ ନ ଖେଳିବାର ନିଷ୍ପତ୍ତି ଶେଷ ମୁହୂର୍ତ୍ତରେ ନିଆଯାଇଥିଲା। ଏହି ମ୍ୟାଚ ଆଜି, ୬ ଜାନୁଆରୀରେ ବେଙ୍ଗାଲୁରୁରେ ଖେଳାଯିବ। ବିସିସିଆଇ ନିର୍ଦ୍ଦେଶ ଅନୁଯାୟୀ, ବିରାଟ ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ପାଇଁ ଦୁଇଟି ମ୍ୟାଚ ଖେଳିସାରିଛନ୍ତି। ସେ ଆନ୍ଧ୍ର ପ୍ରଦେଶ ଏବଂ ଗୁଜରାଟ ବିପକ୍ଷରେ ମ୍ୟାଚ ଖେଳିଥିଲେ, ପ୍ରଥମ ମ୍ୟାଚରେ ୧୩୧ ଏବଂ ଦ୍ୱିତୀୟ ମ୍ୟାଚରେ ୭୭ ରନର ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହି ଚମତ୍କାର ଇନିଂସ ଦିଲ୍ଲୀକୁ ଲଗାତାର ଦୁଇଟି ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା।
ଦିଲ୍ଲୀର ପ୍ରଶିକ୍ଷକ ଶରଣଦୀପ ସିଂହ ଏକ ସାକ୍ଷା୍କାରରେ କହିଥିଲେ ‘ବିରାଟ ଶେଷ ମ୍ୟାଚ ଖେଳିବେ ନାହିଁ । ’ ବିସିସିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ, କେନ୍ଦ୍ରୀୟ ଚୁକ୍ତିବଦ୍ଧ ଖେଳାଳିମାନଙ୍କୁ ଅତି କମରେ ଦୁଇଟି ବିଜୟ ହଜାରେ ଟ୍ରଫି ମ୍ୟାଚ ଖେଳିବା ଆବଶ୍ୟକ ଯାହାକୁ ବିରାଟ ପୂର୍ବରୁ ପୂରଣ କରିସାରିଛନ୍ତି। ବିରାଟ ଦିଲ୍ଲୀ ପାଇଁ ତାଙ୍କ ଦୁଇଟି ମ୍ୟାଚରେ ଉତ୍କୃଷ୍ଟ ଫର୍ମରେ ଦେଖାଯାଉଥିଲେ। ଏହି ଇନିଂସଗୁଡ଼ିକ ମଧ୍ୟରେ, ସେ ଆଉ ଏକ ପ୍ରମୁଖ ସଫଳତା ହାସଲ କରିଥିଲେ, ୧୬,୦୦୦ ଲିଷ୍ଟ ଏ ରନରେ ପହଞ୍ଚିବା ପାଇଁ ଦ୍ରୁତତମ ଖେଳାଳି ହୋଇଥିଲେ। ସେ ତାଙ୍କର ୩୩୦ତମ ଇନିଂସରେ ଏହି ସଫଳତା ହାସଲ କରିଥିଲେ, ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ, ଯିଏ ୩୯୧ ଇନିଂସରେ ଏହି ସଫଳତା ହାସଲ କରିଥିଲେ।
ଭାରତ ମହାସାଗର ଉପରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର।; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା
ନନ୍ଦିଘୋଷ ବ୍ୟୁରୋ : ଭାରତ ମହାସାଗର ଉପରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା। ଭାରତ ମହାସାଗର ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ପୂର୍ବ ବିଷୁବରେଖା ନିକଟରେ ଲଘୁଚାପ ସୃଷ୍ଟି ହୋଇଛି।ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ଚିହ୍ନିତ ହେବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେଲେ ବର୍ଷାର ସମ୍ଭାବନା ରହିଛି।

