spot_img
Home Blog Page 802

ପବିତ୍ର ଘୋଷଯାତ୍ରା ପାଇଁ ଆଜିଠୁ ରଥକାମ ଆରମ୍ଭ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିଠୁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ । ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ତିନି ରଥର ନିର୍ମାଣ କାମ ଅନୁକୂଳ ହୋଇଥିଲା । ରଥ ନିର୍ମାଣ ପାଇଁ ଭୋଇ ସେବାୟତମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ କରତୀ ସେବକମାନେ ତୁମ୍ଭ ନିର୍ମାଣ ପାଇଁ ଫାଶୀ କାଠ ଚିରଟ ଆରମ୍ଭ କରିବେ । ପ୍ରାଥମିକ ଭାବରେ ତିନି ରଥ ପାଇଁ ୪୨ ଚକର ଆବଶ୍ୟକ ଥିବାବେଳେ ୪୨ ଟି ତୁମ୍ଭର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ବିଶ୍ୱକର୍ମା ଓ କରତୀ ସେବାୟତମାନେ ।

ଚଳିତ ସିଜିନର ପ୍ରଥମ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ଚହଲ: ଚେନ୍ନାଇ ବିପକ୍ଷରେ ୪ ଓ୍ବିକେଟରେ ଜିତିଲା ପଞ୍ଜାବ

ନନ୍ଦିଘୋଷ ବ୍ୟୁରୋ: ଚଳିତ ଆଇପିଏଲ ସିଜିନର ପ୍ରଥମ ହ୍ୟାଟ୍ରିକ ନେଇଛନ୍ତି ୟୁଜବେନ୍ଦ୍ର ଚହଲ । ଚହଲ ଗୋଟିଏ ଓଭରରରେ ୪ଟି ଓ୍ବିକେଟ ନେଇ ଇତିହାସ ରଚିଛନ୍ତି । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୯୦ ରନ୍ ସଂଗ୍ରହ କରିଥିବା ବେଳେ ପଞ୍ଜାବ ୬ ଓ୍ବିକେଟ ହରାଇ ଜିତି ନେଇଛି । ଏହାଫଳରେ ଚେନ୍ନାଇର ପ୍ଲେ ଅଫ୍ ଖେଳିବା ସ୍ବପ୍ନ ଚୁରମାର ହୋଇଯାଇଛି । ଚହଲଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ତାଙ୍କ ଟିମ୍ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛି । ଏହା ଆଇପିଏଲରେ ଚହଲଙ୍କର ଦ୍ବିତୀୟ ହ୍ୟାଟ୍ରିକ ଥିଲା । ଏହାପୂର୍ବରୁ ୨୦୨୨ରେ କୋଲକତା ବିପକ୍ଷରେ ଚହଲ ହ୍ୟାଟ୍ରିକ ନେଇଥିଲେ ।
ଆଇପିଏଲରେ ଅମିତ ମିଶ୍ରା ସର୍ବାଧିକ ୩ ଥର ହ୍ୟାଟ୍ରିକ ନେଇଛନ୍ତି । ୨୦୦୮, ୨୦୧୧ ଓ ୨୦୧୩ ସିଜିନରେ ସେ ଏହି ସଫଳତା ପାଇଥିଲେ । ଯୁବରାଜ ସିଂହ ୨୦୦୯ରେ ଦୁଇଥର ଓ ଚହଲ ୨୦୨୨, ୨୦୨୫ରେ ଦୁଇଥର ହ୍ୟାଟ୍ରିକ ନେଇଥିଲେ । ଚହଲ ଆଇପିଏଲରେ ସର୍ବାଧିକ ୯ ଥର ୪ଟି ଓ୍ବିକେଟ ନେଇଛନ୍ତି । ସୁନିଲ ନାରାୟଣ ୮ ଥର, ଲସିଥ ମାଲିଙ୍ଗା ୭ ଥର ଓ କଗିସୋ ରବାଡ଼ା ୬ ଥର ନେଇଛନ୍ତି । ପଞ୍ଜାବ କିଙ୍ଗସ ପାଇଁ ଯୁବରାଜ ୨ ଥର, ଅମିତ ମିଶ୍ରା, ସାମ କରନ ଓ ୟୁଜବେନ୍ଦ୍ର ଚହଲ ଥରେ ଲେଖାଏଁ ହ୍ୟାଟ୍ରିକ ନେଇଛନ୍ତି ।

ନିଜ ଏୟାରସ୍ପେସରେ ଜାମର ଲଗାଇଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ପହଲଗାମ୍  ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିଚାଲିଛି । ପୂର୍ବରୁ, ପାକିସ୍ତାନ ଭାରତୀୟ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ କରିଦେଇଥିଲା । ଏବେ ଭାରତ ମଧ୍ୟ ପ୍ରତିବଦଳରେ ପାକିସ୍ତାନୀ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ କରିଦେଇଛି। ଏହି ସମୟରେ, ପାକିସ୍ତାନ ଏକ ବଡ଼ ପଦକ୍ଷେପ ନେଇଛି।

ପାକିସ୍ତାନ ତାର ଏୟାରସ୍ପେସ ବନ୍ଦ କରିବା ପରେ, ଭାରତୀୟ ଲଢ଼ୁଆ ବିମାନଗୁଡ଼ିକ ଯେପରି ପାକିସ୍ତାନର ଏୟାରସ୍ପେସରେ ପ୍ରବେଶ କରିପାରିବେ ନାହିଁ, ସେଥିପାଇଁ ପାକିସ୍ତାନ ସେଠାରେ ଜାମର ଲଗାଇଛି। ନିୟନ୍ତ୍ରଣ ରେଖା (LoC) ରେ ଗୁଳିବିନିମୟ ମଧ୍ୟରେ, ପାକିସ୍ତାନ ଚୀନ୍ ନିର୍ମିତ ବିମାନ ପ୍ରତିରୋଧୀ କ୍ଷେପଣାସ୍ତ୍ର ପ୍ରଣାଳୀର ମୁତୟନ ବୃଦ୍ଧି କରିଛି। ପାକିସ୍ତାନ ଚୀନ୍ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ନିୟୋଜିତ କରିଛି।

 

ଆଜିଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର: ଆଜିଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ ।  କୁମ୍ଭୀର ପ୍ରଜନନ ପାଇଁ ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଭିତରକନିକା ଯିବାକୁ ବାରଣ କରାଯାଇଛି । ଏହି ସମୟରେ ପ୍ରଜନନ ପାଇଁ ବଉଳା କୁମ୍ଭୀର ହିଂସ୍ର ହେଉଥିବାରୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ଥିବାରୁ ପର୍ଯ୍ୟଟକ ମାନଙ୍କୁ ବାରଣ କରାଯାଇଛି । ଏହି ୩ମାସ ଭିତରକନିକା ଭିତରେ ବୋଟ ମଧ୍ୟ ଚଳାଚଳ କରିବ ନାହିଁ । ଏନେଇ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜୟଶଙ୍କରଙ୍କୁ ଆମେରିକାରୁ ଆସିଲା ଫୋନ୍ , କହିଲେ ଆମେ ଭାରତ ସହ ଅଛୁ

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆକ୍ରମଣକୁ ନେଇ ଭାରତକୁ ସମର୍ଥନ କଲା ଆମେରିକା  । ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଆମେରିକା ଖୋଲାଖୋଲି ଭାବରେ ଭାରତକୁ ସମର୍ଥନ କରିଛି । ଏହି ଜଘନ୍ୟ ଆକ୍ରମଣର ତଦନ୍ତରେ ପାକିସ୍ତାନ ପୂର୍ଣ୍ଣ ସହଯୋଗ କରୁ ବୋଲି ସେ ଦାବି କରିଛନ୍ତି । ବିଳମ୍ବିତ ରାତିରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ କଥା ହୋଇଥିଲେ । ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ପୃଥକ ଆଲୋଚନାରେ ଆତଙ୍କବାଦ ବିରୋଧରେ ଆମେରିକାର ତାର ନୀତି ସ୍ପଷ୍ଟ କରିଛି ।

ଆମେରିକାର ବୈଦେଶିକ ବିଭାଗ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି କଷ୍ଟକର ସମୟରେ ଭାରତକୁ ଆମେରିକାର ଏକ ଘନିଷ୍ଠ ସହଯୋଗୀ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇରେ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଯୋଗକୁ ଆହୁରି ମଜବୁତ କରିବାକୁ ଆଶ୍ୱାସନା ଦେଇଛନ୍ତି। ଏହା ସହିତ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଲଢ଼େଇରେ ଆମେରିକା ଭାରତ ସହିତ ଛିଡ଼ା ହୋଇଛି ।

ପାକିସ୍ତାନ ସହିତ ଏକ ଆଲୋଚନାରେ ରୁବିଓ ଅତ୍ୟନ୍ତ କଠୋର ସ୍ୱରରେ କହିଛନ୍ତି ଯେ ଆକ୍ରମଣର ନିରପେକ୍ଷ ତଦନ୍ତ କରିବା ଏବଂ ଦୋଷୀମାନଙ୍କୁ ଦଣ୍ଡ ଦେବା ପାକିସ୍ତାନର ଦାୟିତ୍ୱ। ଆମେରିକାର ବୈଦେଶିକ ବିଭାଗ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ଆଲୋଚନାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ପାକିସ୍ତାନ ପହଲଗାମ ଆକ୍ରମଣର ତଦନ୍ତରେ ସହଯୋଗ କରିବା ଉଚିତ। ଆମେରିକା

ଆଲୋଚନା ମାଧ୍ୟମରେ ଆଞ୍ଚଳିକ ଶାନ୍ତି ବଜାୟ ରଖିବାକୁ ନିବେଦନ କରିବା ସହ ​​ ଦକ୍ଷିଣ ଏସିଆରେ ଶାନ୍ତି ପାଇଁ ଉଭୟ ଭାରତୀୟ ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପରସ୍ପର ସହିତ କଥାବାର୍ତ୍ତା କରିବାକୁ ଅନୁରୋଧ କରିଥିଲା  ।

ଆଜିଠାରୁ ବଦଳିଲା ୭ଟି ବଡ଼ ନିୟମ, ପ୍ରଭାବିତ ହେବେ ସାଧାରଣ ଜନତା

ନନ୍ଦିଘୋଷ ବ୍ୟୁରୋ: ପ୍ରତି ମାସ ପହିଲାରୁ ସରକାର କିଛି ନିୟମରେ ପରିବର୍ତ୍ତନ କରିଥାନ୍ତି । ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲର ଦାମ୍ ମାସର ୧ ତାରିଖରେ ସ୍ଥିର ହୋଇଥାଏ । ଏହା ମଧ୍ୟରେ ଆଜିଠାରୁ ଅନେକ ଫାଇନାନ୍ସିଆଲ ପରିବର୍ତ୍ତନ ହୋଇଛି । ଏହାର ପ୍ରଭାବ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିଥାଏ । ଏହିକ୍ରମରେ ଆଜିଠାରୁ ୭ଟି ବଡ଼ ନିୟମ ବଦଳିଛି ।
୧- ଅମୂଲ କ୍ଷୀର ମହଙ୍ଗା: ମଦର ଡେୟରୀ ଓ ବେରକା ବ୍ରାଣ୍ଡ ପରେ ଅମୂଲ ମଧ୍ୟ ସାରା ଦେଶରେ କ୍ଷୀରର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଆଜିଠାରୁ ନୂଆ ନିୟମ ଲାଗୁ ହୋଇଛି ।
୨- ରେଲଓ୍ବେ ଟିକେଟ ବୁକିଂ ନିୟମ ପରିବର୍ତ୍ତନ: ଭାରତୀୟ ରେଲଓ୍ବେ ତରଫରୁ ନିୟମ ବଦଳିଛି । ଏବେ ସ୍ଲିପର ଓ ଏସି କୋଚରେ ଓ୍ବେଟିଂ ଟିକେଟ ମାନ୍ୟ ହେବ ନାହିଁ । ଅଗ୍ରୀମ ସଂରକ୍ଷଣର ଅବଧି ୧୨୦ ଦିନକୁ ହ୍ରାସ କରାଯାଇ ୬୦ ଦିନ କରାଯାଇଛି ।
୩- ଏଲପିଜି ସିଲିଣ୍ଡର ଦାମରେ ସଂଶୋଧନ: ପ୍ରତି ମାସର ୧ ତାରିଖରୁ ଏଲପିଜି ସିଲିଣ୍ଡରର ଦାମ୍ ସମୀକ୍ଷା କରାଯାଇଥାଏ । ୧ ମେରେ ଘରୋଇ ଓ ବ୍ୟବସାୟିକ ସିଲିଣ୍ଡରର ଦାମରେ ପରିବର୍ତ୍ତନ ସମ୍ଭାବନା ରହିଛି ।
୪- ଏଟିଏମ୍ ଓ ସିଏନଜି-ପିଏନଜି ଦାମରେ ପରିବର୍ତ୍ତନ: ଆଜି ଠାରୁ ଏୟାର ଟର୍ବାଇନ ଫୁଏଲ (ଏଟିଏଫ), କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ (ସିଏନଜି), ଓ ପାଇପଡ ନ୍ୟାଚୁରାଲ ଗ୍ୟାସ (ପିଏନଜି)ର ଦରରେ ପରିବର୍ତ୍ତନ ସମ୍ଭାବନା ରହିଛି ।
୫- ବ୍ୟାଙ୍କ ସୁଧ ଦର ପରିବର୍ତ୍ତନ ସମ୍ଭାବନା: ଆରବିଆଇ ଦ୍ବାରା ନିକଟରେ ରେପୋ ରେଟ କଟ୍ ପରେ ଅନେକ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଓ ସେଭିଙ୍ଗ ଆକାଉଣ୍ଟ ଉପରେ ସୁଧ ଦରରେ ପରିବର୍ତ୍ତନ କରିଛନ୍ତି । ଏହା ଗ୍ରାହକଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିପାରେ ।
୬- ବ୍ୟାଙ୍କ ଛୁଟି: ଚଳିତ ମାସରେ ବିଭିନ୍ନ ଉତ୍ସବ ଓ ସପ୍ତାହାନ୍ତ କାରଣରୁ ବ୍ୟାଙ୍କ ୧୨ ଦିନ ବନ୍ଦ ରହିବ । ତେଣୁ ବ୍ୟାଙ୍କରେ ଜରୁରୀ କାମ ଥିଲେ ଆଗୁଆ ସାରିଦେବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି ।
୭- ଏଟିଏମ୍ ନେଣଦେଣରେ ଅଧିକ ଖର୍ଚ୍ଚ: ଆଜିଠାରୁ ଏଟିଏମରୁ ନେଣଦେଣ ଶୁଳ୍କ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ଚାର୍ଜ ବିତ୍ତୀୟ ଓ ଅଣ-ବିତ୍ତୀୟ ଉଭୟ କ୍ଷେତ୍ରରେ ଲାଗୁ ହେବ ।

ପାକ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍,ଅନ୍ୟ ସେଲିବ୍ରିଟିଙ୍କ ଆକାଉଣ୍ଟ ଉପରେ ଲାଗିଲା କଟକଣା

ନନ୍ଦିଘୋଷ ବ୍ୟୁରୋ: ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା । ପହଲଗାମ ଆକ୍ରମଣ ପରେ, ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବଡ଼ ବଡ଼ ପାକିସ୍ତାନୀ କଳାକାରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି। ଏହି ତାଲିକାରେ ହାନିଆ ଆମିରଙ୍କଠାରୁ ଆରମ୍ଭ କରି ଇମରାନ ଆବାସଙ୍କ ଭଳି ସେଲିବ୍ରିଟିଙ୍କ ନାଁ ରହିଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ, ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ଏବେ ସସପେଣ୍ଡ କରାଯାଇଛି । ଯାହା ଫଳରେ ସେଲିବ୍ରିଟିଙ୍କ ଫଲୋଅର୍ସରେ ବହୁତ ହ୍ରାସ ପାଇଛି ।

ଇନଷ୍ଟାଗ୍ରାମରେ ଏହି ପାକିସ୍ତାନୀ କଳାକାରଙ୍କ ୟୁଜର ଆଇଡି ସର୍ଚ୍ଚ କଲେ ଲେଖାଯାଉଛି ଯେ  – ଆକାଉଣ୍ଟ ଭାରତରେ ଉପଲବ୍ଧ ନାହିଁ। ଲୋକପ୍ରିୟ ଅଭିନେତ୍ରୀ ହାନିଆ ଆମିର ସେହି ପାକିସ୍ତାନୀ କଳାକାରଙ୍କ ମଧ୍ୟରେ ଅନ୍ୟତମ  । ଯାହାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଭାରତରେ ବ୍ୟାନ୍ କରାଯାଇଛି। ଏହା ବ୍ୟତୀତ ଫିଲ୍ମ ରଇସରେ ଶାହରୁଖ ଖାନଙ୍କ ସହ ନଜର ଆସିଥିବା ମାହିରା ଖାନ, ଫିଲ୍ମ ମମରେ ଶ୍ରୀଦେବୀଙ୍କ ସହ କାମ କରିଥିବା ସଜଲ ଅଲି ଏବଂ ଏ ଦିଲ ହେ ମୁସକିଲରେ ନଜର ଆସିଥିବା ଇମ୍ରାନ ଆବାସ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ଏହା ବ୍ୟତୀତ ଅଲି ଜାଫର ସମେତ ଆହୁରି ଅନେକ ଆକାଉଣ୍ଟକୁ ମଧ୍ୟ ସସପେଣ୍ଡ କରାଯାଇଛି।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ହାନିଆ ଆମିର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ- ‘ସାମ୍ପ୍ରତିକ ଘଟଣା ଦ୍ୱାରା ପ୍ରଭାବିତ ନିରୀହ ଲୋକଙ୍କ ପ୍ରତି ମୋର ସମବେଦନା।’ ଆମେ ସମସ୍ତେ ଯନ୍ତ୍ରଣା, ଦୁଃଖ ଏବଂ ଆଶାରେ ଏକଜୁଟ୍। ଯେତେବେଳେ ନିର୍ଦ୍ଦୋଷ ଲୋକମାନେ ଜୀବନ ହରାନ୍ତି, ସେହି ଯନ୍ତ୍ରଣା କେବଳ ସେମାନଙ୍କର ନୁହେଁ ବରଂ ଆମେ ସମସ୍ତେ ଅନୁଭବ କରୁ। ଆମେ ଯେଉଁଠାରୁ ଆସିଥାଉ ନା କାହିଁକି, ଦୁଃଖ ସମାନ ଭାଷା କହେ। ଆମକୁ ସବୁବେଳେ ମାନବିକତା ବାଛିବା ଉଚିତ।

ସୂଚନା ଅନୁସାରେ, ଏହା ପୂର୍ବରୁ ଭାରତ ସରକାର 16ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ବ୍ଲକ୍ କରିଥିଲେ  ।  ଏଥିରେ ଜିଓ ନ୍ୟୁଜ୍, ଡନ୍ ନ୍ୟୁଜ୍, ସାମା ଟିଭି ଏବଂ ଏଆରୱାଇ ନ୍ୟୁଜ୍ ସମେତ ଅନେକ ପାକିସ୍ତାନୀ ମିଡିଆ ସାଇଟ୍ ଏବଂ ଚ୍ୟାନେଲ୍ ଅନ୍ତର୍ଭୁକ୍ତ ।

 

 

 

୧୦୦ ବିଲିଅନ ଡଲାର କ୍ଲବକୁ ପୁଣି ଫେରିଲେ ମୁକେଶ ଅମ୍ଵାନୀ

ନନ୍ଦିଘୋଷ ବ୍ୟୁରୋ : ୧୦୦ ବିଲିଅନ ଡଲାର କ୍ଲବକୁ ପୁଣି ଫେରିଲେ ମୁକେଶ ଅମ୍ଵାନୀ। ଏବେ ଫୋର୍ବସ୍ ରିୟଲ ଟାଇମ୍ ବିଲିଅନର୍ ଇନଡେସ୍କ ଅନୁସାରେ ରିଲାଏନ୍ସ ମାଲିକ ମୁକେଶ ଅମ୍ଵାନୀଙ୍କ ମୋଟ ସଂପତ୍ତି ହେଲା ୧୦୫.୯ ବିଲିୟନ ଡଲାର। ଏବେ ସେ ବିଶ୍ଵର ସବୁଠୁ ଧନୀ ତାଲିକା ର ଟପ୍ ୧୫ରେ ପହଞ୍ଚିଛନ୍ତି। ଏବେ ତାଙ୍କ ସ୍ଥାନ ହେଲା ଚତୁର୍ଦ୍ଦଶ। ଟ୍ରମ୍ପଙ୍କ ଟାରିଫ ୱାର୍ ପରେ ମୁକେଶଙ୍କ ସଂପତ୍ତି କମି ଯାଇ ଶହେ ବିଲିୟନ ଡଲାର ତଳକୁ ଖସି ଯାଇଥିଲା। ଏହି ଟେନସନ୍ କମିବା ପରେ ମୁକେଶଙ୍କ ସଂପତ୍ତି ପୁଣି ବୃଦ୍ଧି ହୋଇଛି ଏବଂ ପୁଣି ଥରେ ୧୦୦ ବିଲିଅନ୍ ଡଲାର କ୍ଲବକୁ ଫେରିଛନ୍ତି ମୁକେଶ ଅମ୍ଵାନୀ। ସେହିପରି ଗୌତମ ଅଦାନୀଙ୍କ ସଂପତ୍ତି ପହଞ୍ଚିଛି ୬୧.୯ ବିଲିୟନ ଡଲାରରେ। ଏହି ତାଲିକାର ଟପରେ ରହିଛନ୍ତି ଟେସଲା ମାଲିକ ଏଲନ ମସ୍କ। ତାଙ୍କ ସଂପତ୍ତି ହେଲା ୨୯୨.୧ ବିଲିୟନ ଡଲାର। ଦ୍ଵିତୀୟ ସ୍ଥାନରେ ଅଛନ୍ତି ଆମାଜନ ମାଲିକ ଜେଫ୍ ବେଜୋସ୍। ତାଙ୍କ ସଂପତ୍ତି ହେଲା ୨୦୪. ୩ ବିଲିୟନ ଡଲାର। ତୃତୀୟ ସ୍ଥାନରେ ଅଛନ୍ତି ମେଟା ମାଲିକ ମାର୍କ ଜୁକରବର୍ଗ। ତାଙ୍କ ସଂପତ୍ତି ହେଲା ୧୯୧.୯ ବିଲିୟନ ଡଲାର।

ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଜେଡି ସୁପ୍ରିମୋ

ନନ୍ଦିଘୋଷ ବ୍ୟୁରୋ : ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ପୂର୍ବରୁ ବିଜେଡି ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିବା ସହ ୫୦ ପ୍ରତିଶତ ସଂରକ୍ଷଣ ସୀମାରେଖାକୁ ହଟାଇବାକୁ ପ୍ରସ୍ତାବ ଦେଇଥିଲା। ୨୦୨୩ରେ ତତ୍କାଳୀନ ବିଜେଡି ସରକାର ମଧ୍ୟ ରାଜ୍ୟରେ ଜାତିଭିତ୍ତିକ ଗଣନା ଆରମ୍ଭ କରିଥିଲେ। ଯାହାଦ୍ବାରା ବିଭିନ୍ନ ବର୍ଗର ଲୋକଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିଲା। କେନ୍ଦ୍ର ସରକାରଙ୍କ ଏହି ଜାତିଭିତ୍ତିକ ଜନଗଣନା ଦ୍ବାରା ପଛୁଆ ବର୍ଗର ଲୋକଙ୍କ ଉନ୍ନତି ପାଇଁ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ନବୀନ। ବିଜୁ ଜନତା ଦଳ ସବୁବେଳେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ସହଯୋଗ କରିଆସୁଛି।

ବିରୋଧୀ ଦଳ ଦାବି ଆଗରେ ନଇଁଲେ କେନ୍ଦ୍ର ସରକାର, ଜାତିଭିତ୍ତିକ ଜନଗଣନା କରିବାକୁ ନେଲେ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ : ଶେଷରେ ବିରୋଧୀ ଦଳ ଦାବି ଆଗରେ ନଇଁଲେ କେନ୍ଦ୍ର ସରକାର । ଜାତିଭିତ୍ତିକ ଜନଗଣନା କରିବାକୁ ନେଲେ ନିଷ୍ପତ୍ତି । ଏହା ବିରୋଧୀ ଦଳର ବଡ଼ ବିଜୟ । ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ପରେ ସାମ୍ବାଦିକ ସମ୍ମିଳନୀରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।ଦୀର୍ଘ ଦିନରୁ କଂଗ୍ରେସ ସମେତ ଅନ୍ଯ ବିରୋଧୀ ଦଳ ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ଆସୁଥିଲେ । କିନ୍ତୁ କେନ୍ଦ୍ର ସରକାର ଆଳ ଦେଖାଇ ଏହାକୁ ଟାଳି ଚାଲିଥିଲେ । ତେଲେଙ୍ଗାନା ରାଜ୍ଯର ଜାତିଭିତ୍ତିକ ଜନଗଣନା ଜାତୀୟସ୍ତରରେ ନୂଆ ଉଦାହରଣ ସୃଷ୍ଟି କରିଛି ।

ତେଲେଙ୍ଗାନାର ଉଦାହରଣକୁ ଜାତୀୟ ସ୍ତରରେ ଲାଗୁ କରିବା ପାଇଁ ଏକ ସହମତି ପ୍ରକାଶ ପାଇବା ଦରକାର । ଏଦିଗରେ ସରକାର କାର୍ଯ୍ୟ କଲେ ସମାଜର ନବେ ପ୍ରତିଶତ ଦଳିତ ଓ ଗରିବ ପଛୁଆ ବର୍ଗ ଉପକୃତ ହୋଇପାରିବେ । ତେଲେଙ୍ଗାନା ଓ ବିହାରରେ ଜାତିଭିତ୍ତିକ ଜନଗଣନା ମାନଦଣ୍ଡ ଅଲଗା ଅଲଗା । ସବୁ ପଛୁଆ ବର୍ଗର ବିକାଶ ପାଇଁ ସଂରକ୍ଷଣ ଆବଶ୍ୟକ । ଏହା ପୂର୍ବରୁ ଥିବା ୫୦ ପ୍ରତିଶତ ସର୍ବୋଚ୍ଚ ସଂରକ୍ଷଣ ସୀମା ଭିତରେ ସମ୍ଭବ ହେବ ନାହିଁ । ୫୦ ପ୍ରତିଶତ ସୀମାକୁ ବଢାଇବାକୁ ପଡିବ । ଏହା ସହିତ ରାହୁଲ ଯୁକ୍ତି ଦର୍ଶାଇ କହିଛନ୍ତି ଦଳିତ ଓ ପଛୁଆ ବର୍ଗଙ୍କର ଶିକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୧୫-(୫)କୁ ବାଧ୍ଯତାମୂଳକ ଲାଗୁ କରିବା ଦରକାର । ଏ ନେଇ ଆଗରୁ କଂଗ୍ରେସ ସରକାରଙ୍କୁ ଆଗରେ ଦାବି କରିଥିଲା । ଜାତିଭିତ୍ତିକ ଜନଗଣନା ସରକାର କେବେ କରିବେ ତାର ତାରିଖ ସ୍ପଷ୍ଟ କରିବାକୁ ରାହୁଲ ଦାବି କରିଛନ୍ତି । ଏହାସହିତ ବଜେଟରେ କି ପ୍ରକାର ବ୍ଯବସ୍ଥା କରାଯାଇଛି ତାକୁ ମଧ୍ଯ ଲୋକେ ଜାଣିବା ଦରକାର । ଡେରିରେ ହେଲେ ବି ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସ୍ବାଗତ କରୁଛି ବୋଲି କହିଛନ୍ତି ରାହୁଲ ।