ନନ୍ଦିଘୋଷ ବ୍ୟୁରୋ : ଆଜି ସାବିତ୍ରୀ ଅମାବାସ୍ୟା । ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା । ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ। ରାଜ୍ୟର ବିଭିନ୍ନ ପୀଠରେ ସକାଳୁ ସକାଳୁ ପୂଜା କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା । ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ବିଶେଷ କରି ଆମ୍ବ, ପଣସ, ନଡିଆ, ଫୁଟି କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି।
ମଣିପୁର ଅଶାନ୍ତ: ଇମ୍ଫାଲରେ ନିରାପତ୍ତାରକ୍ଷୀ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି
ନନ୍ଦିଘୋଷ ବ୍ୟୁରୋ: ପୁଣି ଅଶାନ୍ତ ମଣିପୁର । ଇମ୍ଫାଲରେ ନିରାପତ୍ତାରକ୍ଷୀ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି । ରାଜଭବନ ଅଭିମୁଖେ ଆନ୍ଦୋଳନକାରୀ ଯିବାବେଳେ ଧସ୍ତାଧସ୍ତି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ପ୍ରୟୋଗ କରିଛି ଲୁହବୁହା ଗ୍ୟାସ ।
ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ଏକ ବିବୃତିକୁ ବିରୋଧ କରି ତାତିଛନ୍ତି ମେତେଇ । ଏପରିକି ରାଜ୍ୟପାଳ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ମେତେଇ । ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ଆଲୋଚନା ଲାଗି ମେତେଇଙ୍କ ଟିମ ନୂଆଦିଲ୍ଲୀ ଯିବେ । ଆସନ୍ତା ୨୭ରେ ଏ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ଅଭିଯୋଗ ଅନୁସାରେ ଶିରୁଇ ଲିଲି ଉତ୍ସବର ଖବର ପ୍ରସାରଣ ଲାଗି ଏକ ବସରେ କିଛି ସାମ୍ବାଦିକ ଉଖରୁଲକୁ ଯାଉଥିଲେ । ତେବେ ସେହି ବସରେ ଲେଖାଥିବା ମଣିପୁର ଷ୍ଟେଟ ଟ୍ରାନ୍ସପୋର୍ଟକୁ ଲୁଚାଇ ଦେବା ଲାଗି ନିରାପତ୍ତାରକ୍ଷୀ ପରାମର୍ଶ ଦେଇଥିଲେ । ମେତେଇ ଅଭିଯୋଗ ହେଲା ଯେ, ଏହି ନିର୍ଦ୍ଦେଶ ମଣିପୁରର ପରିଚୟ, ସ୍ବାଭିମାନ ଓ ଆତ୍ମମର୍ଯ୍ୟାଦା ଉପରେ ଆଘାତ ଆଣିଛି । ଉତ୍ତ୍ୟକ୍ତ ଲୋକମାନେ ରାଜଭବନ ଅଭିମୁଖେ ଯିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଶିରୁଇ ଉତ୍ସବରେ ସାମିଲ ହୋଇଥିବା ମେତେଇଙ୍କୁ କୁକୀ ନେତା ଧମକ ଦେବା ପରେ ତାଙ୍କ ନାଁରେ ଏତଲା ଦାୟର ହୋଇଛି । ପୋଲିସ ଓ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତିରେ ୫ ଜଣ ଆହତ ହୋଇଛନ୍ତି । ଗତ ଶନିବାର ମଣିପୁର ଛାତ୍ର ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ମାନବ ଶୃଙ୍ଖଳ।
ଶାହାଜାହାନପୁର ମେଡିକାଲ କଲେଜରେ ଗ୍ୟାସ ଲିକ୍, ଜଣେ ମୃତ
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ଶାହାଜାହାନପୁରରେ ଗ୍ୟାସ ଲିକ୍ । ଶାହାଜାହାନପୁର ମେଡିକାଲ କଲେଜରେ ଗ୍ୟାସ ଲିକ୍ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ କିଛି ଲୋକ ଅସୁସ୍ଥ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗ୍ୟାସ ଲିକକୁ ନେଇ ହସ୍ପିଟାଲରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ରୋଗୀଙ୍କୁ ତୁରନ୍ତ ମେଡିକାଲରୁ ବାହାର କରାଯାଇଥିଲା ।
ମେଡିକାଲ ପରିସରରେ ଫାୟାର ବ୍ରିଗେଡ୍ ମୁତୟନ ହୋଇଥିବାବେଳେ ଘଟଣାସ୍ଥଳରେ ଜିଲ୍ଲାପାଳ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅପରେସନ ଥିଏଟରରୁ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି । ଘଟଣାର ତଦନ୍ତ ଜାରି ରହିଛି । ହଠାତ୍ ଗ୍ୟାସ୍ ଲିକ ହେବାରୁ ଲୋକେ ଆତଙ୍କରେ ଦୌଡ଼ିବାରୁ ସେଠାରେ ଦଳାଚକଟା ସ୍ଥିତି ଉପୁଜିଥିଲା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।
ଆତତାୟୀଙ୍କ ଗୁଳିରେ ଶିରୋମଣି ଅକାଳୀ ଦଳ ନେତା ହରିଜିନ୍ଦର ସିଂ ନିହତ
ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବ ଅମୃତସରରେ ଆତତାୟୀଙ୍କ ଗୁଳିରେ ଶିରୋମଣି ଅକାଳୀ ଦଳ ନେତା ତଥା କାଉନସିଲର ହରିଜିନ୍ଦର ସିଂ ନିହତ । ଜାନ୍ଦିଆଲା ଗୁରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି ।
ଆତତାୟୀ ବାଇକରେ ଆସି ହରିଜିନ୍ଦରଙ୍କୁ ଗୁଳି ମାରିଥିଲେ । ହରିଜିନ୍ଦରଙ୍କ ଉପରକୁ ୫ରୁ ୬ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା । ଏକ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ଏଡିସିପି ହରପାଲ ସିଂ ରାନ୍ଧୱା ପହଞ୍ଚି ଘଟଣାର ତଦନ୍ତ ଚଲାଇଛନ୍ତି ।

