spot_img
Home Blog Page 77

ଶୁଖିଲାଣି ଓଡ଼ିଶାର ଜୀବନରେଖା, ବର୍ଷା ବନ୍ଦ ହେବାପରେ ସମସ୍ତ ଗେଟ ବନ୍ଦ କଲା ଛତିଶଗଡ଼

ଓଡ଼ିଶାର ଜୀବନରେଖାକୁ ଅଣଦେଖା । ଚିରସ୍ରୋତା ମହାନଦୀର ବନ୍ଦ ହେଲାଣି ଜଳସ୍ରୋତ । ବର୍ଷା ବନ୍ଦ ହେବାପରେ ଗେଟ୍ ବନ୍ଦ କରିଛି ଛତିଶଗଡ଼ । ଯଦି ନଭେମ୍ବରରୁ ଏମିତି, ଖରାଦିନେ କେମିତି ରହିବ ସ୍ଥିତି ? ଶୁଖିଲାଣି ଓଡ଼ିଶାର ଜୀବନରେଖା । ମହାନଦୀର ପାଣି ଉପରେ ଖାଲି ସମ୍ବଲପୁର ନୁହେଁ ସାରା ଓଡ଼ିଶାର ଲୋକେ ନିର୍ଭର କରନ୍ତି । ହେଲେ ଏହାକୁ ଅଣଦେଖା କରାଯାଉଛି । ପଡ଼ୋଶୀ ରାଜ୍ଯର ମନମୁଖି ଯୋଗୁଁ ଶିରୀ ହରାଇଛି ଚିରସ୍ରୋତା ମହାନଦୀ । ବର୍ଷା ବନ୍ଦହେବା ପରେ ଛତିଶଗଡ଼ ସମସ୍ତ ବ୍ଯାରେଜର ଗେଟ ବନ୍ଦ କରିଦେଇଥିବାରୁ ନଦୀ ଶୁଖିବାରେ ଲାଗିଛି । ତେଣୁ ଜୀବନ ଜୀବିକାକୁ ନେଇ ଚିନ୍ତାରେ ସମ୍ବଲପୁରବାସୀ ।

ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ଓ ଜଳ ସମ୍ପଦ ବିଭାଗ ଦେଇଥିବା ସୂଚନା ଅନୁସାରେ ଗତ ୧୩ ତାରିଖରେ ହୀରାକୁଦ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ମାତ୍ର ୫ ହଜାର ଶହେ ଘନଫୁଟ ଜଳ ପ୍ରବେଶ କରୁଛି । ଯାହା ବର୍ତ୍ତମାନର ଆବଶ୍ୟକତା ଠାରୁ ଯଥେଷ୍ଟ କମ । ବର୍ତ୍ତମାନ ୭ ହଜାରରୁ ଅଧିକ ଘନଫୁଟ ପାଣି ଆବଶ୍ୟକ । ତେଣୁ ଜଳଭଣ୍ଡାର ଜଳସ୍ତର କ୍ରମାଗତ ଭାବେ କମିବାରେ ଲାଗିଛି । ଆଗକୁ ଅଧିକ ପାଣି ନଆସିଲେ କୃଷି କାର୍ଯ୍ୟ ସମେତ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବା ଆଶଂକା ଦେଖାଦେଇଛି । ତେଣୁ ରାଜ୍ଯ ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସହରବାସୀ ।

ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା : ଟେରର ମଡ୍ୟୁଲରେ ସମ୍ପୃକ୍ତ ଥିବା ଆଉ ଜଣେ ଡାକ୍ତର ଗିରଫ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା। ହ୍ବାଇଟ କୋଲାର ଟେରର ମଡ୍ୟୁଲରେ ସମ୍ପୃକ୍ତ ଥିବା ଆଉ ଜଣେ ଜାକ୍ତର ଗିରଫ। ଦକ୍ଷିଣ କାଶ୍ମୀରରେ ଏକ ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ହରିଆଣାର ଜଣେ ମହିଳା ଡାକ୍ତର ଗିରଫ। ଗିରଫ ମହିଳା ଡାକ୍ତରଙ୍କ ନାମ ପ୍ରିୟଙ୍କା ଶର୍ମା। ତାଙ୍କ ଘର ହରିଆଣାର ରୋହତକରେ। ସେ ଅନନ୍ତନାଗ ଜିଏମସିରେ ଡାକ୍ତରୀ ଚାକିରି କରୁଥିଲେ। ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ଓ ଏକ ସିମ୍ କାର୍ଡ ଜବତ ହୋଇଛି। ଏହି ବହୁଚର୍ଚ୍ଚିତ ଟେରର ମଡ୍ୟୁଲ ଲାଗି ଡାକ୍ତର ପ୍ରିୟଙ୍କା ଲଜିଷ୍ଟିକ ଓ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ। ବିଭିନ୍ନ କଲ ଡିଟେଲ ଆଧାରରେ ପ୍ରିୟଙ୍କାଙ୍କ ଘରେ ପହଞ୍ଚିଥିଲା ପୋଲିସ। ଡାକ୍ତର ପ୍ରିୟଙ୍କାଙ୍କୁ ଜେରା ଲାଗି ହରିଆଣାର ଏକ ଟିମ ଅନନ୍ତନାଗ ଯାଇଛନ୍ତି। ପୂର୍ବରୁ ଏହି ଘଟଣାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଅଲ ଫଲାହ ବିଶ୍ବବିଦ୍ୟାଳୟ ନାମରେ ୨ଟି ମାମଲା ରୁଜୁ କରିଛି। ବର୍ତ୍ତମାନ ସୁଦ୍ଧା ଫରିଦାବାଦ ପୋଲିସ ପ୍ରାୟ ୧୪୦ ମସଜିଦ, ୧୭୦୦ କର୍ମଚାରୀ, ୪୦ଟି ସାର ଓ ଶସ୍ୟ ଦୋକାନ, ୨୦୦ ଗେଷ୍ଟ ହାଉସ ଯାଞ୍ଚ କରିସାରିଲାଣି।

 

ମେକ୍ସିକୋରେ ପୁଣି ତେଜିଲା ଜେନଜି ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ : ମେକ୍ସିକୋରେ ପୁଣି ତେଜିଲା ଜେନ୍ ଜି ଆନ୍ଦୋଳନ। ଜଣେ ମେୟରଙ୍କ ହତ୍ୟାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ। ସରକାରକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ଯାରେ ଯୁବକ। ଦେଶରେ ଲାଗି ରହିଥିବା ଦୁର୍ନୀତି, ଅପରାଧ ଓ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ ତୀବ୍ର ହୋଇଛି। ଦୁର୍ନୀତି, ଅପରାଧ ବିରୋଧରେ ହଜାର ହଜାର ଯୁବକ ମେକ୍ସିକୋରେ ରାସ୍ତାକୁ ଶୋଭାଯାତ୍ରା କରିଥିଲେ। ଏହି ପ୍ରଦର୍ଶନରେ ଅଧିକ ସଂଖ୍ଯାରେ ଯୁବବର୍ଗ ସାମିଲ ହୋଇଛନ୍ତି।

ସରକାରଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି ଲୋକେ। କିଛି ସ୍ଥାନରେ ପୋଲିସ ସହ ମୁହାଁମୁହଁ ହୋଇଥିଲେ ଆନ୍ଦୋଳନକାରୀ। ମେକ୍ସିକୋ ସହରରରେ ସରକାର ବିରୋଧୀ ଶୋଭାଯାତ୍ରା ସମୟରେ ପ୍ରଦର୍ଶନକାରୀ ପୋଲିସ ବିରୁଦ୍ଧରେ ଏକାଠି ହୋଇଥିଲେ। ପୋଲିସ ସହ ମୁହାଁମୁହିଁ ହୋଇ ୧୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଶହେରୁ ଅଧିକ ପୋଲିସ କର୍ମଚାରୀ ରହିଛନ୍ତି। ବିକ୍ଷୋଭକାରୀମାନେ ପଥର, ବାଣ, ଲାଠି ଏବଂ ଲୁହା ଚେନ ସାହାଯ୍ୟରେ ପୋଲିସ ଉପରେ ଆକ୍ରମଣ କରିଥିଲେ।

ପୋଲିସ ଆନ୍ଦୋଳନକାରୀଙ୍କ ଠାରୁ ଢାଲ ଏବଂ ଅନ୍ୟାନ୍ୟ ଉପକରଣ ଛଡ଼ାଇ ନେଇଥିଲେ। ୪୦ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୋଲିସ। ଏହା ପୂର୍ବରୁ ମଧ୍ୟ ମେକ୍ସିକୋରେ ଜେନଜି ଆନ୍ଦୋଳନ ଦେଖାଦେଇଥିଲା । ଚଳିତ ବର୍ଷ ବିଶ୍ଵର ଅନେକ ଦେଶରେ ଜେନଜି ଆନ୍ଦୋଳନ ମୁଣ୍ଡ ଟେକିଛି। ୧୯୯୦ ଦଶକର ଶେଷ ଏବଂ ୨୦୧୦ ଦଶକର ପ୍ରାରମ୍ଭରେ ଏହି ଜେନଜି ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ଅସମାନତା, ଗଣତାନ୍ତ୍ରିକ ବ୍ୟବସ୍ଥା ଫେଲ ସହ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ ସଂଗଠିତ ହୋଇଥିଲା।

ସଂସ୍କୃତିର ଅପଭ୍ରଂଶ, ମୌଳାଭଣଜା ଗାଁରେ ଆୟୋଜିତ ରାମାୟଣ ନାଟକରେ ଅଶ୍ଳୀଳତା

ନନ୍ଦିଘୋଷ ବ୍ୟୁରୋ : ରାମାୟଣ ନାଟକରେ ଅଶ୍ଳୀଳତା ପ୍ରଦର୍ଶନ। ରାବଣ ଓ ସୀତା ଭୂମିକାରେ ଥିବା କଳାକାର ଅଶ୍ଲୀଳତା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ନାଟକର ସୀତା ହରଣ ଦୃଶ୍ୟରେ ଷ୍ଟେଜରେ ଅଶ୍ଲୀଳତା ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଥିଲା। ରାମାୟଣ ଭଳି ପବିତ୍ର କଥାବସ୍ତୁରେ ଏଭଳି ଅପସଂସ୍କୃତି ପ୍ରଦର୍ଶନକୁ ନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିଲାଗି ନାଟକ ଆୟୋଜନ କରିଥିବା କର୍ତ୍ତୃପକ୍ଷଙ୍କ ସହ କଳାକାରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଣଜା ଗାଁରେ ନାଟକ ପରିବେଷଣ କରାଯାଇଥିଲା।

ଏଥିରେ ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତା ଲାଗି ସଂସ୍କୃତିକୁ ଭୁଲି ଅଶ୍ଲୀଳତା ପ୍ରଦର୍ଶନ କରିଥିଲେ ଦୁଇ ନାଟକ ସଂଗଠନର କଳାକାର। ନାଟକ ମଧ୍ୟରେ ଏକାଧିକ ଥର ଆଇଟମ ଗୀତ ପ୍ରଦର୍ଶିତ ହୋଇଥିଲା। ରାମାୟଣ ନାଟକ ପରିବେଷଣ ସ୍ଥଳରେ ଷ୍ଟେଜରେ ଆଇଟମ ଗୀତ ପରିବେଷଣ କରାଯାଇଥିଲା। ଏହି ନୃତ୍ୟ ପରିବେଷଣ କରିଥିଲେ। ରାମାୟଣ ଭଳି ଏକ ପବିତ୍ର ଗ୍ରନ୍ଥକୁ ନେଇ ନାଟକ ପରିବେଷଣ ବେଳେ ଅଶ୍ଲୀଳତା ପ୍ରଦର୍ଶନକୁ ଚାରିଆଡୁ ନିନ୍ଦା କରାଯାଇଛି। ପୁରାଣକୁ ନେଇ ଏଭଳି ଅପସଂସ୍କୃତି ପ୍ରଦର୍ଶନ ଆମ ରାଜ୍ୟର କଳା, ସଂସ୍କୃତି ପ୍ରତି କୁଠାରଘାତ। ଏଭଳି ନାଟକ ପ୍ରଦର୍ଶନକୁ ବନ୍ଦ କରିବାକୁ ସୋସିଆଲ ମିଡିଆରେ ଦାବି କରାଯାଇଛି।

ବଢ଼ୁଛି ଲାଲୁ ପରିବାରରେ ବିଦ୍ରୋହ ; ପରାଜୟ ଲାଗି ରୋହିଣୀଙ୍କୁ ଦାୟୀ କହିଲେ ତେଜସ୍ବୀ

ନନ୍ଦିଘୋଷ ବ୍ୟୁରୋ : ବିହାର ନିର୍ବାଚନ ଫଳାଫଳ ପରେ ପରେ ତେଜିବାରେ ଲାଗିଛି ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ବିଦ୍ରୋହ। ଏପରିକି ବିହାରରେ ଆରଜେଡିର ଏହି ପରାଜୟ ଲାଗି ରୋହିଣୀ ଆଚାର୍ଯ୍ୟ ହିଁ ଦାୟୀ ବୋଲି କହିଛନ୍ତି ତେଜସ୍ବୀ। ଏପରିକି ରୋହିଣୀଙ୍କ ଉପରକୁ ତେଜସ୍ବୀ ଚପଲ ଫୋପାଡିଥିବା କୁହାଯାଉଛି। ଗତକାଲି ରାଜନୀତିରୁ ସନ୍ନ୍ୟାସ ନେବା ସହ ଲାଲୁ ପରିବାରଠାରୁ ନିଜକୁ ଦୂରେଇଥିଲେ ରୋହିଣୀ। ଏପରିକି ବରିଷ୍ଠ ଆରଜେଡି ନେତା ସଞ୍ଜୟ ଯାଦବ ଓ ତେଜସ୍ବୀଙ୍କ ଦୀର୍ଘଦିନର ବନ୍ଧୁ ରମିଜ ନେମାତ ଖାଁଙ୍କ ପରାମର୍ଶ କ୍ରମେ ସେ ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ ରୋହିଣୀ।

ଗତକାଲି ରୋହିଣୀ କହିଥିଲେ- ଜଣେ ଝିଅ, ଜଣେ ଭଉଣୀ, ଜଣେ ବିବାହିତା ମହିଳା ଓ ଜଣେ ମାଆଙ୍କୁ ନିର୍ଯାତନା ଓ ଅପମାନ ଦିଆଯାଇଛି। ବାପାଙ୍କୁ କିଡନୀ ଦାନ ପ୍ରସଙ୍ଗରେ ସେ ତେଜସ୍ବୀଙ୍କୁ କଟାକ୍ଷ କରିଥିବାବେଳେ ତାଙ୍କ ଭଗବାନରୂପୀ ବାପାଙ୍କ ଜୀବନ ଲାଗି କିଡନୀ ଦାନ କରିଥିବା ସେ କହିଛନ୍ତି। ପୂର୍ବରୁ ଆରଜେଡିରୁ ତେଜପ୍ରତାପଙ୍କୁ ବହିଷ୍କାର ଘଟଣାକୁ ନେଇ ଅସନ୍ତୁଷ୍ଟ ଥିଲେ ରୋହିଣୀ। ମାତ୍ର ଗତ ନିର୍ବାଚନରେ ଭାଇ ତେଜସ୍ବୀଙ୍କ ଲାଗି ସେ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ତେଣେ ଏକ କିଡନୀ ଦାନ ବଦଳରେ ଏକ ନିର୍ବାଚନ ଟିକେଟ ରୋହିଣୀ ପାଇଛନ୍ତି ବୋଲି ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ସମାଲୋଚନା କରିଛନ୍ତି ରୋହିଣୀ। ତେଣେ ତେଜସ୍ବୀଙ୍କୁ ଆଉରେଙ୍ଗଜେବଙ୍କ ସହ ତୁଳନା କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ।

କନ୍ଧମାଳ ଏସପିଙ୍କ ଅଫିସରେ ଦୁଇ ନକ୍ସଲଙ୍କ ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ : ଆତ୍ମସମର୍ପଣ କଲେ ଦୁଇ ନକ୍ସଲ। କନ୍ଧମାଳ ଏସପିଙ୍କ ଅଫିସରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ଉପସ୍ଥିତିରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ଦୁଇ ହାର୍ଡକୋର୍ ନକ୍ସଲ ହେଲେ ଉଙ୍ଗା କଲମୁ ଓରଫ୍ କିଶୋର ଓ ମାସେ ମାଧବୀ । ଉଭୟେ ସ୍ଵାମୀ ସ୍ତ୍ରୀ। ସେମାନେ ଛତିଶଗଡ଼ ସୁକୁମା ଅଞ୍ଚଳର। କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳରେ ରହି BGM ଡିଭିଜନରେ କାର୍ଯ୍ୟ କରୁଥିଲେ। ଉଭୟଙ୍କ ନାମରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ସେମାନଙ୍କ ପାଖରୁ ଅନେକ ମାଓ ସାମଗ୍ରୀ ମିଳିଛି।

ଯୋଧପୁରରେ ଭୟଙ୍କର ଦୁର୍ଘଟଣା, ୫ ମୃତ

ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନର ଯୋଧପୁରରେ ଏକ ବଡ଼ ଦୁର୍ଘଟଣା । ଟ୍ରଲର ଓ ମିନି-ଟେମ୍ପୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ପାଞ୍ଚ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାକୁ ନେବା ସମୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟେମ୍ପୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ରାଜସ୍ଥାନର ରାମଦେବରା ବାବା ମନ୍ଦିର ଦର୍ଶନ ପାଇଁ ଗୁଜୁରାଟର ବନାସକାଣ୍ଠା ଏବଂ ଧନସୁରାରୁ ୨୦ ଜଣ ଭକ୍ତ ଏକ ମିନି ଟେମ୍ପୋରେ ଯାତ୍ରା କରୁଥିଲେ। ରବିବାର ସକାଳ ପ୍ରାୟ ୫:୩୦ ସମୟରେ, ଯୋଧପୁରର ବାଲେସରରେ ଏନଏଚ-୧୨୫ ରେ ସେମାନଙ୍କ ଟେମ୍ପୋକୁ ଏକ ଦ୍ରୁତଗାମୀ ଟ୍ରେଲର ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଥିବା ସମସ୍ତ ଲୋକ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଏମଡିଏମ ହସ୍ପିଟାଲକୁ ନେବା ବାଟରେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଟ୍ରେଲରଟି ଦ୍ରୁତ ଗତିରେ ଏବଂ ବେପରୁଆ ଭାବରେ ଚଳାଉଥିଲା, ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

ରୋମାଞ୍ଚକର ସ୍ଥିତିରେ କୋଲକାତା ଟେଷ୍ଟ, ଭାରତ ଆଗରେ ୧୨୪ ରନର ଟାର୍ଗେଟ୍

ନନ୍ଦିଘୋଷ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍। ରୋମାଞ୍ଚକର ସ୍ଥିତିରେ କୋଲକାତା ଟେଷ୍ଟ॥ ତୃତୀୟ ଦିନରେ ଭାରତ ଆଗରେ ଟେଷ୍ଟ ଜିତିବାକୁ ୧୨୪ ରନର ଟାର୍ଗେଟ। ଇଡେନ ଟେଷ୍ଟ କ୍ରିକେଟ ପିଚରେ ଗୋଟିଏ ପରେ ଗୋଟିଏ ୱିକେଟ ଖସିବାରେ ଲାଗିଛି। ଟାର୍ଗେଟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିବାବେଳେ ପ୍ରଥମେ ଟିମର ସ୍କୋର ଶୂନ ଥିବାବେଳେ ଖସିଥିଲା ପ୍ରଥମ ୱିକେଟ। ଡକ୍ ଆଉଟ ହୋଇଥିଲେ ଯଶସ୍ଵୀ ଜୟସ୍ଵାଲ। ଟିମର ସ୍କୋର ୧ ଥିବାବେଳେ ଖସିଥିଲା କେଏଲ ରାହୁଲଙ୍କ ୱିକେଟ। ଗୋଟିଏ ରନରେ ଖସିଥିଲା ଭାରତର ଦୁଇଟି ମୂଲ୍ୟବାନ ୱିକେଟ। କେଏଲ ରାହୁଲ ୧ ରନ କରି ପାଭିଲିୟନ ଫେରିଥିଲେ। ମାର୍କୋ ଜନସେନଙ୍କ ବଲରେ କ୍ୟାଚ୍ ଆଉଟ ହୋଇଥିଲେ ଦୁଇ ଖେଳାଳି। ଏବେ କ୍ରିଜରେ ୱାସିଂଟନ ସୁନ୍ଦର ଓ ଧ୍ରୁବ ଜୁରେଲ ବ୍ୟାଟିଂ ଜାରି ରଖିଛନ୍ତି।..କୋଲକାତା ଟେଷ୍ଟରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନ କରିଥିଲା। ଜବାବରେ ଭାରତ ତାର ପ୍ରଥମ ଇନିଂସରେ ୧୮୯ ରନ କରି ଅଲଆଉଟ ହୋଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଇନିଂସରେ ମାତ୍ର ୧୫୩ ରନରେ ଅଲଆଉଟ ହୋଇଯାଇଛି। ଦକ୍ଷିଣ ଆଫ୍ରିକା ଦେଇଥିବା ୧୨୪ ରନର ଟାର୍ଗେଟକୁ ପିଛା କରୁଛି ଭାରତ। ଗତକାଲି ଦ୍ଵିତୀୟ ଦିନରେ ୧୬ଟି ୱିକେଟ ପଡିଥିଲା। ପ୍ରଥମ ଦିନରେ ଇଡେନରେ ୧୧ଟି ୱିକେଟ ଯାଇଥିଲା। ପ୍ରଥମ ଇନିଂସ ବୋଲିଂରେ ଭାରତର ପେସର ଯଶପ୍ରୀତ ବୁମରାଙ୍କୁ ସର୍ବାଧିକ ୫ ୱିକେଟ ମିଲିଥିବାବେଳେ ଦ୍ଵିତୀୟ ଇନିଂସ ବୋଲିଂରେ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ ୱିକେଟ ନେଇଛନ୍ତି।

ଡ୍ୟୁଟି କରୁଥିବା ବେଳେ ଚାଲିଗଲା ଡାକ୍ତରଙ୍କ ଜୀବନ

ନୀଳଗିରି : ଡ୍ୟୁଟି କରୁଥିବା ବେଳେ ଚାଲିଗଲା ଡାକ୍ତରଙ୍କ ଜୀବନ । ନୀଳଗିରି ମେଡିକାଲରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲଙ୍କ ଦେହାନ୍ତ । ଆଜି ସକାଳେ ନୀଳଗିରି ମେଡିକାଲରେ ଡ୍ୟୁଟି ସମୟରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଅକ୍ସିଜେନ ଦିଆଯାଇଥିଲା । ସଙ୍ଗେସଙ୍ଗେ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରିବା ବେଳେ ଆମ୍ବୁଡିହା ରାସ୍ତାରେ ମୃତ୍ୟୁ ହୋଇ ଯାଇଥିଲା । ତେବେ ବାଲେଶ୍ୱର ମେଡିକାଲକୁ ନିଆଯାଇଥିଲେ ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ନୀଳଗିରି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ପୁଅ ଜନ୍ମ କଲାନି ବୋଲି ତଡିଦେଲା ସ୍ବାମୀ…

ଭୁବନ : ପୁଅ ଜନ୍ମ ନହେବାରୁ ମା’ ସହିତ ୫ ଝିଅଙ୍କୁ ବାହାର କରିଦେଲା ବାପା । ଏଭଳି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଞ୍ଚଳରେ । ମହିଳାଙ୍କ ୫ଟି କନ୍ୟା ସନ୍ତାନ ଥିବା ବେଳେ ପୁଅ ଜନ୍ମ ନହେବାରୁ ବାରମ୍ବାର ଅତ୍ୟାଚାର କରୁଥିଲା ସ୍ଵାମୀ । ପଞ୍ଚମ କନ୍ୟା ମାତ୍ର ୧୫ ଦିନର ହୋଇଥିବା ବେଳେ ଗତକାଲି ରାତିରେ ସ୍ତ୍ରୀ ସହିତ ପାଞ୍ଚ କନ୍ୟାକୁ ବାହାର କରିଦେଇଛି ବାପା । ମହିଳା ଜଣଙ୍କ କୌଣସି ଉପାୟ ନପାଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସଗୃହ ପରିସର ମଧ୍ୟରେ ଶୋଇଥିଲେ । ଆଜି ଖବର ପାଇ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତ ଘଟଣା ଶୁଣିବା ପରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ମା’ ସହ ୫ ଝିଅଙ୍କୁ ଥଇଥାନ କରିଛନ୍ତି । ଏନେଇ ମହିଳା ଜଣଙ୍କ ଭୁବନ ଥାନା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।