spot_img
Home Blog Page 7648

ନୂଆ MV ଆଇନ୍ ଲାଗୁ ପରେ କେତେ ଜଣଙ୍କୁ ମିଳିଛି ଡ୍ରାଇଭିଂ ଲାଇସେନ୍ସ ? ରାଜ୍ୟରେ ୧୫ ବର୍ଷରୁ ଅଧିକ କେତେ ଗାଡ଼ି ରହିଛି ? ପଢ଼ନ୍ତୁ ପରିବହନ ବିଭାଗର ପୂରା ଉତ୍ତର ।

ଭୁବନେଶ୍ୱର : ରାଜ୍ୟରେ ୧୫ ବର୍ଷରୁ ଅଧିକ ସମୟ ଧରି ମୋଟ୍ ୨୨ ଲକ୍ଷ ୯ ହଜାର ୫୭୩ଟି ମୋଟର ଯାନ ରହିଛି । ଏହାମଧ୍ୟରୁ ୧୧ ଲକ୍ଷ ୪୩ ହଜାର ୨୬ଟି ମୋଟର ଯାନ ଚଳାଚଳ କରୁଛି । ବିଧାନସଭାରେ ବିଧାୟକ ମୋହନ ମାଝିଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେହିପରି ବେପରୁଆ ଗାଡ଼ିଚାଳକଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କଣ ହୋଇଛି, ସେ ନେଇ ପ୍ରଶ୍ନ କରିଥିଲେ ବିଧାୟକ ମୌଷଧି ବାଗ୍ । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୮ରେ ବେପରୁଆ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଇଥିବା ୫,୧୨୧ ଜଣଙ୍କର ଏବଂ ୨୦୧୯ ଅକ୍ଚୋବର ମାସ ସୁଦ୍ଧା ୩,୮୮୯ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇଛି । ଆବଶ୍ୟକସ୍ଥଳରେ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରିବା ପାଇଁ ପଦକ୍ଷେପ ନିଆଯାଇପାରେ ।

ସେହିପରି ୨୦୧୯ ନୂଆ ପରିବହନ ଆଇନ୍ ଲାଗୁ ହେବା ପରେ ସେପ୍ଟେମ୍ୱର-ଅକ୍ଟୋବର ମାସରେ ଜୋରିମାନା ବାବଦକୁ ୧୩ କୋଟି ୮୫ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ଯାହା ପୂର୍ବବର୍ଷ ଏହି ୨ ମାସରେ ୨୦ କୋଟି ୬ ଲକ୍ଷ ହୋଇଥିଲା । ଏହି ୨ ମାସରେ ଟିକସ ବାବଦକୁ ୨୪୪ କୋଟି ୬୪ ଲକ୍ଷ ଟଙ୍କା ଆଦାୟ ହୋଇଛି । ପୂର୍ବବର୍ଷ ଏହି ୨ ମାସରେ ଟିକସ ଆଦାୟର ପରିମାଣ ଥିଲା ୨୦୨ କୋଟି ଟଙ୍କା । ଫିଟନେସ୍ ପ୍ରମାଣପତ୍ର ନଥାଇ ଗାଡ଼ି ଚାଳନା ବାବଦକୁ ୨୬ ଲକ୍ଷ ୪୦ ହଜାର ଟଙ୍କା ଏବଂ ପ୍ରଦୂଷଣ ପ୍ରମାଣପତ୍ର ନଥାଇ ଗାଡ଼ି ଚାଳନା ବାବଦକୁ ୫୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ନୂଆ ଲାଇସେନ୍ସ ପ୍ରଦାନ ବାବଦକୁ ୩୦ କୋଟି ୮୪ ଲକ୍ଷ ଟଙ୍କା ଫି ଆଦାୟ କରାଯାଇଛି । ଟିକସ ଦାଖଲ ନକରି ଚାଲୁଥିବା ୬,୮୯୨ଟି ଗାଡ଼ି, ଫିଟନେସ୍ ପ୍ରମାଣପତ୍ର ନଥାଇ ୧୩୪୦ ଗାଡ଼ି ଓ ପ୍ରଦୂଷଣ ପ୍ରମାଣପତ୍ର ନଥାଇ ଚାଲୁଥିବା ୯୦ଟି ଗାଡ଼ିକୁ ଯାଞ୍ଚ କରାଯାଇ ଚାଲାଣ କଟାଯାଇଛି । ନୂଆ ପରିବହନ ଆଇନ୍ ଲାଗୁ ହେବା ପରେ ସେପ୍ଟେମ୍ବର ଓ ଅକ୍ଟୋବର ମାସ ମଧ୍ୟରେ ୯ ଲକ୍ଷ ୮୧ ହଜାର ୩୨୫ ଅନଲାଇନ୍ ପ୍ରଦୂଷଣ ପ୍ରମାଣପତ୍ର, ୩ ଲକ୍ଷ ୫୧ ହଜାର ୭୫ ଲାର୍ଣ୍ଣିଂ ଲାଇସେନ୍ସ, ୫୦ ହଜାର ୪୧୪ ଡ୍ରାଇଭିଂ ଲାଇସେନ୍ସ ଓ ୪୯,୩୮୯ ଫିଟନେସ୍ ପ୍ରମାଣପତ୍ର ଦିଆଯାଇଛି ।

ରାଜ୍ୟରେ ନୂଆ ଆଇନ୍ ଲାଗୁ ହେବା ପରେ ଧରପଗଡ଼ ବେଳେ ଆରଟିଓ ଅଫିସରେ ଦଲାଲି କରୁଥିବା ମୋଟ୍ ୧୨୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସଡ଼କ ସୁରକ୍ଷା ସପ୍ତାହ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ବୋଲି ମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

 

ଲୁଚି ଖାଉଥିଲା କୁକୁଡା, ଯନ୍ତା ବସାଇବାରୁ ଧରାପଡିଲା

0

ମାଲକାନଗିରି: କୁକୁଡ଼ା ଖାଇବାକୁ ଆସି ଯନ୍ତାରେ ପଡ଼ିଲା ବାଘ । ବହୁଦିନ ଧରି କୁକୁଡା ଖାଉଥିବାରୁ ଯନ୍ତା ବସାଯାଇଥିଲା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଠେଲ୍‌କାବୋଡ଼ ଗାଁରେ ଏହି ଘଟଣା ଘଟିଛି । ଏକ କୁକୁଡ଼ା ଫାର୍ମରୁ ଗତ ୧୫ ଦିନ ହେଲା କୁକୁଡ଼ା ଗାଏବ୍‌ ହୋଇଯାଉଥିଲେ ।

କୌଣସି ଜଙ୍ଗଲୀ ଜନ୍ତୁ କୁକୁଡ଼ା ଖାଇ ଯାଉଥିବା ସନ୍ଦେହ କରି ଫାର୍ମ ମାଲିକ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପକ୍ଷରୁ ଫାର୍ମ ପାଖରେ ଏକ ଯନ୍ତା ବସାଯାଇଥିଲା । ପରେ ଦେଖିଲା ବେଳକୁ ସେହି ଯନ୍ତାରେ ଏକ ଚିତାବାଘ ପଡ଼ିଛି । ପୂର୍ବରୁ ମଧ୍ୟ ସେହି କୁକୁଡ଼ା ଫାର୍ମ ପାଖରେ ଏକ ଚିତାବାଘ ଯନ୍ତାରେ ପଡ଼ିଥିଲା ।

ତାକୁ ବନ ବିଭାଗ କର୍ମଚାରୀ ସେହି ପାଖ ଜଙ୍ଗଲରେ ଛାଡ଼ି ଦେଇଥିଲେ । କିନ୍ତୁ ବାଘଟି କୁକୁଡ଼ା ଲୋଭରେ ପୁଣି ଆସି ଯନ୍ତାରେ ପଡ଼ିଥିବା ଅନୁମାନ କରାଯାଉଛି । ଏଥର ବାଘଟିକୁ ଦୂରରେ, ଘଞ୍ଚ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ଅଧିକାରୀ କହିଛନ୍ତି ।

ତୃତୀୟ ବିବାହ ପରେ ପୁଣି ଚର୍ଚ୍ଚାରେ ଦାନ ମାଝୀ

0

ଭବାନୀପାଟଣା : ପୁଣି ଚର୍ଚ୍ଚାରେ ଦାନ ମାଝୀ । ଏଥର କିନ୍ତୁ ନିଜ କାନ୍ଧରେ ଶବ ବୋହିବାକୁ ନେଇ ନୁହେଁ । ନିଜର ଦ୍ୱିତୀୟ ଇନିଂସ ମାନେ ସୁଖୀ ଜୀବନକୁ ନେଇ । ୨୦୧୬ରେ ଆମ୍ବୁଲାନ୍ସ ନପାଇ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହିବା ଘଟଣାରେ ଦାନ ମାଝୀ ଚର୍ଚ୍ଚାକୁ ଆସିଥିଲେ । ଯାହାକୁ ନେଇ ବିଦେଶରେ ବି ଆଲୋଡ଼ନ ସୃଷ୍ଟି ହୋଇଥିଲା । ଦାନଙ୍କ ପାଇଁ ଛୁଟିବାକୁ ଲାଗିଥିଲା ଦାନର ସୁଅ । ଓଳିଏ ଖାଇବାକୁ ପାଉନଥିବା ଦାନଙ୍କ ଜୀବନରେ ଆସିଥିଲା ପରିବର୍ତ୍ତନ । ପରେ ନୂଆ ଗାଡ଼ି ସାଙ୍ଗକୁ ଭଲ ଡ୍ରେସ ପିନ୍ଧିଥିବା ସେ ନଜର ଆସିଥିଲେ । ଆଉ ସେବେଠାରୁ ଦାନଙ୍କ ଜୀବନରେ ଧିରେ ଧିରେ ପରିବର୍ତ୍ତନ ହେବାକୁ ଲାଗିଥିଲା । ବର୍ତ୍ତମାନ କିନ୍ତୁ ଦାନ ମାଝୀଙ୍କ ସୁଖୀ ଅବତାରକୁ ନେଇ ସୋସିଆଲ ମିଡିଆରେ ଢେର ଚର୍ଚ୍ଚା ।

ଏହାରି ଭିତରେ ଦାନ ମାଝୀ ପୁଣି ବିବାହ କରିଛନ୍ତି । ତୃତୀୟ ସ୍ତ୍ରୀ ଓ ସନ୍ତାନଙ୍କ ସହ ତାଙ୍କ ଫଟୋ ଭାଇରାଲ ହୋଇଛି । ସେହିପରି ମେଲଘରା ଗାଁରେ ସେ ନିର୍ମାଣ କରୁଥିବା ନିଜ ନୂଆ କୋଠାର ଫଟୋ ମଧ୍ୟ ଭାଇରାଲ ମିଳିଛି, ଯାହାକୁ ନେଇ ଦାନ ମାଝୀ ପୁଣି ଚର୍ଚ୍ଚ।ର ପରିସରକୁ ଆସିଛନ୍ତି ।

(ଭବାନୀପାଟଣାରୁ ଚିତ୍ତରଂଜନ ବିଶିଙ୍କ ରିପୋର୍ଟ)

ପ୍ରେମ ପାଇଁ ଲାଲଗଡ଼ ଛାଡ଼ି ବାହା ହେଲେ ପ୍ରେମୀଯୁଗଳ

0

ଅନୁଗୁଳ: ମାଓ ସଂଗଠନରେ ମିଶିଥିଲେ ବନ୍ଧୁକ ଧରି ଦୁନିଆ ବଦଳାଇବା ପାଇଁ । ଲକ୍ଷ୍ୟ ଥିଲା ବନ୍ଧୁକ ମୁନରେ ଶ୍ରେଣୀହୀନ ସମାଜର ଗଠନ । କିନ୍ତୁ ଠିକଣା ଜାଗାରେ ହୋଇଗଲା ସବୁକିଛି ଓଲଟ ପାଲଟ । ଦୁନିଆକୁ ବଦଳେଇବା ବଦଳରେ ନିଜେ ବଦଳିଗଲେ ଆଉ ଲାଲଗଡ଼ରେ ରକ୍ତ ବଦଳରେ ଲଗାଇଲେ ଗୋଲାପି ରଙ୍ଗର ଛିଟା । ଆମେ କହୁଛୁ ମହିଳା ମାଓବାଦୀ ଜଲି ଆଉ ମାଓବାଦୀ ଛୋଟୁ ଗଞ୍ଜୁଙ୍କ କଥା  । ଲାଲଗଡ଼ରେ ଯୋଗ ଦେବା ପରେ ଉଭୟଙ୍କ ମଧ୍ୟରେ ହେଲା ଲଭ ଆଟ୍ ଫାଷ୍ଟ ସାଇଟ୍ । ମାନେ ଦେଖୁ ଦେଖୁ ପରସ୍ପର ପରସ୍ପରକୁ ହୃଦୟ ଦେଇ ଭଲ ପାଇ ବସିଲେ ।

ଆଜି ମଝିପଡ଼ା ଚମ୍ପେଶ୍ୱର ଶିବ ମନ୍ଦିର ପାରଂପରିକ ରୀତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯେଉଁ ହାତରେ ଦିନେ ବନ୍ଧୁକ ଶୋଭା ପାଉଥିଲା ସେ ହାତରେ ଏବେ ଲାଲ ଶଙ୍ଖା ଆଉ ମଥାରେ ସିନ୍ଦୁର ଶୋଭା ପାଉଛି । ପ୍ରେମ ପାଇଁ ମାଓବାଦୀ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ଜଲି ଆଉ ଛୋଟୁ । ଅନୁଗୁଳ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ମଝିପଡ଼ା ଗାଁରେ ଉଭୟଙ୍କ ବାହାଘର ହୋଇଥିଲା ଆଉ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା ।

୨୦୧୮ ଜାନୁଆରୀରେ ଟିକରପଡ଼ା ଅଞ୍ଚଳକୁ ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ ଡିଭିଜନର କିଛି ମାଓବାଦୀ ଆସିଥିଲେ । ସେହି ଗାଁର ପ୍ରଫୁଲ୍ଲ ଦେହୁରୀ ଓ ଭାବିନୀ ଦେହୁରୀଙ୍କ ମଝିଆଁ ଝିଅ ଜଲି ହେଦୁରୀ ମାଓବାଦୀ ମାନଙ୍କ ସଂସ୍ପର୍ଶରେ ଆସିଥିଲେ । ପରିବାରରେ ବହୁ ଅଭାବ ଅନଟନ ଥିବାରୁ ଜଲି ଦେହୁରି ସେମାନଙ୍କ ପ୍ରଲୋଭନରେ ପଡ଼ି ଘର ଛାଡ଼ି ମାଓ ସଂଗଠନରେ ସାମିଲ ହୋଇଥିଲେ । ସେଠାରେ ପ୍ରଶିକ୍ଷଣ ବେଳେ ମାଓବାଦୀ ଛୋଟୁ ଗଞ୍ଜୁଙ୍କ ସହିତ ଜଲିଙ୍କର ପ୍ରଥମ ଦେଖାରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଛୋଟୁର ଘର ଝାଡ଼ଖଣ୍ଡ ରାଞ୍ଚି ଜିଲ୍ଲାର ସିରମ ଗାଁରେ । ଉଭୟଙ୍କ ପ୍ରେମକୁ ସ୍ୱୀକାର କରିନଥିଲା ମାଓବାଦୀ ସଙ୍ଗଠନ । ତେଣୁ ଉଭୟ ନିଜ ପ୍ରେମକୁ ସାକାର କରିବା ପାଇଁ ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । ଆଉ ତା’ ପରେ ଲୁଚି ଆସି ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ  । ଜଲି ଗାଁରେ ରହୁଥିବା ବେଳେ ଛୋଟୁ ଅନୁଗୁଳରେ ରହୁଛନ୍ତି । ଛୋଟୁ ତାଙ୍କ ସାନଭାଇ ସହିତ ବିବାହ ସଂପର୍କରେ କଥାବାର୍ତ୍ତା କରିଥିଲେ ।