ପ୍ରେମ ପାଇଁ ଲାଲଗଡ଼ ଛାଡ଼ି ବାହା ହେଲେ ପ୍ରେମୀଯୁଗଳ

1 min read

ଅନୁଗୁଳ: ମାଓ ସଂଗଠନରେ ମିଶିଥିଲେ ବନ୍ଧୁକ ଧରି ଦୁନିଆ ବଦଳାଇବା ପାଇଁ । ଲକ୍ଷ୍ୟ ଥିଲା ବନ୍ଧୁକ ମୁନରେ ଶ୍ରେଣୀହୀନ ସମାଜର ଗଠନ । କିନ୍ତୁ ଠିକଣା ଜାଗାରେ ହୋଇଗଲା ସବୁକିଛି ଓଲଟ ପାଲଟ । ଦୁନିଆକୁ ବଦଳେଇବା ବଦଳରେ ନିଜେ ବଦଳିଗଲେ ଆଉ ଲାଲଗଡ଼ରେ ରକ୍ତ ବଦଳରେ ଲଗାଇଲେ ଗୋଲାପି ରଙ୍ଗର ଛିଟା । ଆମେ କହୁଛୁ ମହିଳା ମାଓବାଦୀ ଜଲି ଆଉ ମାଓବାଦୀ ଛୋଟୁ ଗଞ୍ଜୁଙ୍କ କଥା  । ଲାଲଗଡ଼ରେ ଯୋଗ ଦେବା ପରେ ଉଭୟଙ୍କ ମଧ୍ୟରେ ହେଲା ଲଭ ଆଟ୍ ଫାଷ୍ଟ ସାଇଟ୍ । ମାନେ ଦେଖୁ ଦେଖୁ ପରସ୍ପର ପରସ୍ପରକୁ ହୃଦୟ ଦେଇ ଭଲ ପାଇ ବସିଲେ ।

ଆଜି ମଝିପଡ଼ା ଚମ୍ପେଶ୍ୱର ଶିବ ମନ୍ଦିର ପାରଂପରିକ ରୀତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯେଉଁ ହାତରେ ଦିନେ ବନ୍ଧୁକ ଶୋଭା ପାଉଥିଲା ସେ ହାତରେ ଏବେ ଲାଲ ଶଙ୍ଖା ଆଉ ମଥାରେ ସିନ୍ଦୁର ଶୋଭା ପାଉଛି । ପ୍ରେମ ପାଇଁ ମାଓବାଦୀ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ଜଲି ଆଉ ଛୋଟୁ । ଅନୁଗୁଳ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ମଝିପଡ଼ା ଗାଁରେ ଉଭୟଙ୍କ ବାହାଘର ହୋଇଥିଲା ଆଉ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା ।

୨୦୧୮ ଜାନୁଆରୀରେ ଟିକରପଡ଼ା ଅଞ୍ଚଳକୁ ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ ଡିଭିଜନର କିଛି ମାଓବାଦୀ ଆସିଥିଲେ । ସେହି ଗାଁର ପ୍ରଫୁଲ୍ଲ ଦେହୁରୀ ଓ ଭାବିନୀ ଦେହୁରୀଙ୍କ ମଝିଆଁ ଝିଅ ଜଲି ହେଦୁରୀ ମାଓବାଦୀ ମାନଙ୍କ ସଂସ୍ପର୍ଶରେ ଆସିଥିଲେ । ପରିବାରରେ ବହୁ ଅଭାବ ଅନଟନ ଥିବାରୁ ଜଲି ଦେହୁରି ସେମାନଙ୍କ ପ୍ରଲୋଭନରେ ପଡ଼ି ଘର ଛାଡ଼ି ମାଓ ସଂଗଠନରେ ସାମିଲ ହୋଇଥିଲେ । ସେଠାରେ ପ୍ରଶିକ୍ଷଣ ବେଳେ ମାଓବାଦୀ ଛୋଟୁ ଗଞ୍ଜୁଙ୍କ ସହିତ ଜଲିଙ୍କର ପ୍ରଥମ ଦେଖାରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଛୋଟୁର ଘର ଝାଡ଼ଖଣ୍ଡ ରାଞ୍ଚି ଜିଲ୍ଲାର ସିରମ ଗାଁରେ । ଉଭୟଙ୍କ ପ୍ରେମକୁ ସ୍ୱୀକାର କରିନଥିଲା ମାଓବାଦୀ ସଙ୍ଗଠନ । ତେଣୁ ଉଭୟ ନିଜ ପ୍ରେମକୁ ସାକାର କରିବା ପାଇଁ ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । ଆଉ ତା’ ପରେ ଲୁଚି ଆସି ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ  । ଜଲି ଗାଁରେ ରହୁଥିବା ବେଳେ ଛୋଟୁ ଅନୁଗୁଳରେ ରହୁଛନ୍ତି । ଛୋଟୁ ତାଙ୍କ ସାନଭାଇ ସହିତ ବିବାହ ସଂପର୍କରେ କଥାବାର୍ତ୍ତା କରିଥିଲେ । 

Leave a Reply