spot_img
Home Blog Page 763

ଡାଲା ଅଟୋ ଓଲଟି ଦୁଇ ମୃତ  ଓ ୧୪ ଜଣ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଭେଟନଈ -ଭେଜିପୁଟ ମଝିରେ ସଡ଼କ ଦୁର୍ଘଟଣା। ଡାଲା ଅଟୋ ଓଲଟି ଦୁଇ ମୃତ  ଓ ୧୪ ଜଣ ଗୁରୁତର। ଗୁରୁତର ମାନଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସାତ ଜଣକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁଇ ମୃତକ ହେଲେ ଭେଟନଈ ଗାଁର ୨୫ ବର୍ଷୀୟା ଗାୟତ୍ରୀ ଗୌଡ଼ ଓ ୫୦ ବର୍ଷୀୟା ସରୋଜିନୀ ସାହୁ। ସାନ ଖୋଲି ଗାଁକୁ ଭେଟନଈ ଗାଁର ୨୦ରୁ ଅଧିକ ଲୋକ ଏକ ଡାଲା ଅଟୋରେ ଯଜ୍ଞ ଦେଖିବାକୁ ଯାଇଥିଲେ। ଯଜ୍ଞ ଦେଖି ଫେରିବା ବେଳେ ଡାଲା ଅଟୋଟି ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି।

ରାଜଧାନୀରେ ୪ ବର୍ଷର ଶିଶୁକୁ ଅପହରଣ କଲା ଧରମ ମାମୁଁ

ଭୁବନେଶ୍ବର: ରାଜଧାନୀର ଭୋଇ ନଗରରୁ ୪ ବର୍ଷର ଶିଶୁ ପୁତ୍ରକୁ ଅପହରଣ କଲା ଧରମ ମାମୁଁ । ବାପାମାଆ ଘର ଭିତରେ ଥିବା ସମୟରେ ବାହାରେ ଖେଳୁଥିବା ୪ ବର୍ଷ ଶିଶୁ ପୁତ୍ରକୁ ଅପହରଣ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ମାମୁଁ ଅଭିଷେକ ଦିଗଲ ଓରଫ ସୋନୁ । ଘର ଲୋକେ ପୁଅକୁ ନପାଇ ଖୋଜା ଖୋଜି କରିଥିଲେ । ହେଲେ ପୁଅକୁ ନପାଇବାରୁ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ଦମ୍ପତି । ଅଭିଯୋଗ ପରେ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ସହିଦନଗର ଥାନା ପୋଲିସ । ତିନି ଘଣ୍ଟାର ଖୋଜା ପରେ ସାଲିଆ ସାହିରୁ ଶିଶୁ ଓ ଅପହରଣକାରୀ ସୋନୁକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ପୋଲିସ ଅପହରଣକାରୀଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ବେଙ୍ଗାଳୁରୁରେ ଅଭିଯୁକ୍ତ ସୋନୁ ସହିତ ଦମ୍ପତିଙ୍କର ଦେଖା ହୋଇଥିଲା । ପରେ ଅଭିଯୋଗକାରିଣୀ ଗୋରିତା ସିଂଙ୍କ ସହିତ ଅଭିଯୁକ୍ତ ସୋନୁର ସମ୍ପର୍କ ସ୍ଥାପନ ହୋଇଥିଲା । ସେଠି ମିସ୍ତ୍ରୀ ଭାବେ କାମ କରୁଥିଲା, ପରବର୍ତ୍ତି ସମୟରେ ଉଭୟଙ୍କ ଭିତରେ ସମ୍ପର୍କ ବଢିବା ସହ ସୋନୁକୁ ଧରମ ଭାଇ ବନାଇଥିଲେ ଗୋରିତା । ଗୋରିତା ଭୁବନେଶ୍ୱର ଫେରି ଆସି ନିଜ ସ୍ୱାମୀ ଓ ପିଲାଙ୍କ ସହ ରହିଥିଲେ । ପାଖାପାଖି ବର୍ଷେ ପରେ ଅଭିଯୁକ୍ତ ଭୁବନେଶ୍ୱର ଆସି ଗୋରିତାଙ୍କୁ ଦେଖା କରିଥିଲେ । ଧରମ ଭାଇ ହିସାବରେ ଗୋରିତା ତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ତେବେ ଘର ଭିତରେ ସ୍ୱାମୀ ସ୍ତ୍ରୀ ଥିବା ବେଳେ, ବାହାରେ ଖେଳୁଥିବା ୪ ବର୍ଷ ଶିଶୁକୁ ନେଇ ଆଜି ଫେରାର ହୋଇଯାଇଥିଲା ଅଭିଯୁକ୍ତ ।

ନିଜ ନିର୍ବାଚନ ମଣ୍ଡଳୀରୁ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ ବିଧାୟକ

ନନ୍ଦିଘୋଷ ବ୍ୟୁରୋ: ନିଜ ନିଜ ନିର୍ବାଚନ ମଣ୍ଡଳୀର ଶିକ୍ଷକଙ୍କୁ ବଦଳି କରିବା ଲାଗି ସୁପାରିସ କରିପାରିବେ ବିଧାୟକ ଓ ସାଂସଦ । ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୧୫ ଜଣ ଶିକ୍ଷକଙ୍କୁ ବଦଳି କରିବା ଲାଗି କରିପାରିବେ ସୁପାରିସ । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ ।

ନିର୍ଦ୍ଦେଶନାମା ଅନୁସାରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଶିକ୍ଷକଙ୍କୁ ବଦଳି ଲାଗି କରିପାରିବେ ସୁପାରିସ । ବଦଳି ନେଇ ସିଧାସଳଖ ଜିଲ୍ଲାପାଳଙ୍କୁ ସୁପାରିସ କରାଯିବ । ଜିଲ୍ଲାସ୍ତରୀୟ ବଦଳି କମିଟି ବା ଡିଏଲଟିସି ବଦଳି ଉପରେ ବିଚାର କରିବ । ଏ ନେଇ ଗଣଶିକ୍ଷା ବିଭାଗ ୭ଟି ସର୍ତ୍ତ ରଖିଛି । ସରକାରଙ୍କ ଶିକ୍ଷକଙ୍କ ବଦଳି ନୀତି ଉଲ୍ଲଂଘନ ହେଉ ନଥିବ । ଜରୁରୀ ଆବଶ୍ୟକତା ଅନୁସାରେ ବଦଳିକୁ ଦିଆଯିବ ପ୍ରାଥମିକତା । କୌଣସି ସ୍ଥିତିରେ ଗ୍ରାମାଞ୍ଚଳ ଶିକ୍ଷକ ସହରାଞ୍ଚଳକୁ ବଦଳି ହୋଇପାରିବେ ନାହିଁ । ଏହି ବଦଳି କେବଳ ଜିଲ୍ଲା ଭିତରେ ସୀମିତ ରହିବ ।

ଚଳିତଶିକ୍ଷା ବର୍ଷ ପାଇଁ ସୁପାରିସ ବ୍ୟବସ୍ଥା ମେ’ ୧୫ ତାରିଖରୁ ଜୁନ୍‌ ୧୫ ଜୁନ ଯାଏଁ ଲାଗୁ ହେବ । ଏହାସହ ସାଂସଦ ଓ ବିଧାୟକଙ୍କ ସୁପାରିସ ସେହି ବର୍ଷର ଶିକ୍ଷା ବର୍ଷ ପାଇଁ ଉଦ୍ଦିଷ୍ଟ ରହିବ ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, OPSCର ସଦସ୍ୟ ହେଲେ ପ୍ରଫେସର ମିହିର ପ୍ରସାଦ ମିଶ୍ର

ନନ୍ଦିଘୋଷ ବ୍ୟୁରୋ: OPSCର ସଦସ୍ୟ ହେଲେ ପ୍ରଫେସର ମିହିର ପ୍ରସାଦ ମିଶ୍ର । SCS କଲେଜର ଅଧ୍ୟକ୍ଷ ପ୍ରଫେସର ମିହିର ପ୍ରସାଦ ମିଶ୍ର । ୬ ବର୍ଷ ପାଇଁ OPSC ସଦସ୍ୟ ଭାବେ ପାଇଲେ ନିଯୁକ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

IAS ଉଦୟ ନାରାୟଣ ଦାସ ହେଲେ OPSC ସଦସ୍ୟ । ଜନଗଣନା ନିର୍ଦ୍ଦେଶକ ଉଦୟ ନାରାୟଣ ଦାସ । ୬ ବର୍ଷ ପାଇଁ ନିଯୁକ୍ତି ପାଇଲେ ଉଦୟ । ସେହିପରି OSSC ସଦସ୍ୟ ହୋଇଛନ୍ତି ଡ. ଶୃତି ଦାସ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଶୃତି । ୫ ବର୍ଷ ପାଇଁ OSSCର ସଦସ୍ୟ ଭାବେ କାର୍ଯ୍ୟ କରିବେ । ସୁଧାକର ବୁର୍ଗି ହୋଇଛନ୍ତି OSSCର ସଦସ୍ୟ । ଅବସରପ୍ରାପ୍ତ IAS ଅଫିସର ସୁଧାକର ବୁର୍ଗି । ୫ ବର୍ଷ ପାଇଁ OSSCର ସଦସ୍ୟ ଭାବେ କାର୍ଯ୍ୟ କରିବେ ।

ମହାନଦୀ ପରେ ଶାଖା ନଦୀ ଉପରେ ଛତିଶଗଡ଼ର ଆଖି, ସାନକେଲୋ ନଦୀରେ ନିର୍ମାଣ କରୁଛି ଷ୍ଟକ ୱାଟର ପ୍ରୋଜେକ୍ଟ

ନନ୍ଦିଘୋଷ ବ୍ୟୁରୋ: ପୁଣି ଛତିଶଗଡ଼ ସରକାରଙ୍କ ଦାଦାଗିରି । ମହାନଦୀର ପାଣି ଶୁଖାଇବାକୁ କରୁଛି ଷଡଯନ୍ତ୍ର । ମହାନଦୀର ଶାଖା ସାନକେଲୋ ନଦୀରେ ନିର୍ମାଣ କରୁଛନ୍ତି ଆଉ ଏକ ବ୍ୟାରେଜ । ଅଣ ମୌସୁମୀ ସମୟରେ ସାନକେଲୋ ନଦୀକୁ ଟୋପାଏ ପାଣି ଆସିବ ନାହିଁ । ଫଳରେ ହୀରାକୁଦ ଜଳଭଣ୍ଡାର ପ୍ରଭାବିତ ହେବା ସହ ସୀମାନ୍ତବାସୀ ପାଣି ପାଇଁ ଡହଳ ବିକଳ ହେବେ । ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ମାନୁନି ଛତିଶଗଡ଼, ତୁଟିନି ମହାନଦୀ ବିବାଦ । ଟ୍ରିବ୍ୟୁନାଲରେ ଗଡ଼ୁଛି ମାମଲା । ହେଲେ ସାମ୍ନାକୁ ଆସୁଛି ଛତିଶଗଡ଼ର ଗୋଟିଏ ପରେ ଗୋଟିଏ ଦାଦାଗିରି । ସାନକେଲୋ ନଦୀରେ ନିର୍ମାଣ କରୁଛି ବ୍ୟାରେଜ । ମହନଦୀର ଶାଖା ନଦୀକୁ କବଜା କରି ବନ୍ଧ ବାନ୍ଧି ଚାଲିଛି ସେଠାକାର ସରକାର । ଆଉ ନିହଲ ବସିଛନ୍ତି ରାଜ୍ୟର ବିଜେପି ସରକାର । ଏହି ବ୍ୟାରେଜ୍‌ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ହୀରାକୁଦକୁ ପାଣି ଆସିବା ଆହୁରି କମିବ । ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେବେ ସୀମାନ୍ତବାସୀ । ପୂର୍ବରୁ ବଡ଼କେଲୋ ନଦୀରେ ବନ୍ଧ କରି ପାଣି ଅଟକାଇଥିବା ବେଳେ ଏବେ ପୁଣି ସାନକେଲୋ ନଦୀର ପାଣିକୁ ରୋକିବାକୁ ଷଡଯନ୍ତ୍ର କରୁଛି ଛତିଶଗଡ଼ । ଏଥର ରାୟଗଡ଼ ଜିଲ୍ଲାର ବେଲେରିଆ ନିକଟ ନଦୀ ଉପରେ ନିର୍ମାଣ ଚାଲିଛି ଏହି ବ୍ୟାରେଜ୍‌ । ମୌସୁମୀ ପୂର୍ବରୁ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ଛତିଗଡ଼ ସରକାର l ଏହି ବ୍ୟାରେଜ ନିର୍ମାଣ ହେଲେ ନଦୀର ପାଣି ଓଡିଶାର ଭିକମପାଲି ଦେଇ ଆଉ ଆସିବ ନାହିଁ ।

ବେଲେରିଆରେ ନିର୍ମାଣ ହେଉଥିବା ବ୍ୟାରେଜ ପ୍ରକଳ୍ପକୁ ଷ୍ଟକ ୱାଟର ପ୍ରୋଜେକ୍ଟ ନାମ ଦିଆଯାଇଛି । ଏହା ବେଲେରିଆରୁ ଡ଼ୁମେରପାଲିକୁ ଯୋଡିବା ସହ ଜଳସେଚନ ଓ ଆଖପାଖ ଶିଳ୍ପକୁ ପାଣି ଯୋଗାଇବ । ତେବେ ପ୍ରକଳ୍ପ ନିର୍ମାଣ ହେଲେ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକରେ ଉତ୍କଟ ଜଳ ସମସ୍ୟା ଦେଖା ଦେବ । ଲଖନପୁର ବ୍ଲକର ଛୁଇଁପାଲି ଗାଁ ନିକଟରେ ଏହା ହୀରାକୁଦରେ ମିଶିଛି l ପରୋକ୍ଷରେ ହୀରାକୁଦ ଜଳଭଣ୍ଡାର ମଧ୍ୟ ପ୍ରଭାବିତ ହେବା ଆଶଂକା ରହିଛି । ଅଣ ମୌସୁମୀ ସମୟରେ  ନଦୀ ଅବବାହିକାରେ ଥିବା ଭିଖମପାଲି, ଅତାବିରା ଓ ବାଦିମାଲ ସମେତ ଆଖପାଖର ଅନେକ ପଞ୍ଚାୟତ ପାଣି ପାଇବାରୁ ବଞ୍ଚିତ ହେବେ । ଛତିଶଗଡ଼ର ଏହି ଷଡ଼ଯନ୍ତ୍ର ଯୋଗୁଁ ଚିରସ୍ରୋତା ମହାନଦୀ ବାଲିଚରରେ ପରିଣତ ହେବ ବୋଲି କହିଛନ୍ତି ଲୋକେ ।

ପିଇବା ପାଣି ପାଇଁ ରାଜ୍ୟବାସୀ ହେଉଛନ୍ତି ଝଟପଟ, ରଙ୍ଗ ବଦଳା ସରକାରଙ୍କ ନିଘା ନାହିଁ

ନନ୍ଦିଘୋଷ ବ୍ୟୁରୋ: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ । ପାଣି ମୁନ୍ଦିଏ ଲାଗି ସବୁଠି ଛଟପଟ ହେଉଛନ୍ତି ଜନତା । ଗାଁ ଗଣ୍ଡାରେ ଜଳ ସମସ୍ୟା ଉତ୍କଟ । ଭୂତଳ ଜଳସ୍ତର କମିଯିବାରୁ ନଳକୂପ ଅଚଳ, ଶୁଖି ଗଲାଣି କୂଅ, ପୋଖରୀ । ଲୋକଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାରେ ବି ବିଫଳ ସରକାର । ବିଭାଗୀୟ ମନ୍ତ୍ରୀ ହାତ ଟେକି ଦେଇଛନ୍ତି। ମନ୍ତ୍ରୀ ସ୍ବୀକାର କରିଛନ୍ତି ପାନୀୟ ଜଳ ସମସ୍ୟା ଗମ୍ଭୀର । ମାସକ ମଧ୍ୟରେ ସବୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ସରକାର କେବଳ ରଙ୍ଗ ବଦଳାଉଛନ୍ତି, ହେଲେ ଲୋକଙ୍କୁ ପିଇବା ପାଣି ଯୋଗାଇ ପାରୁନାହାନ୍ତି କହି ଟାର୍ଗେଟ କରିଛି ବିଜେଡ଼ି ।

ତାତି ବଢିବା ସହ ପିଇବା ପାଣିର ଅଭାବ ଯୋଗୁଁ ଛଟପଟ ହେଉଛନ୍ତି ଲୋକେ । ନବରଙ୍ଗପୁରରୁ ସୁବର୍ଣ୍ଣପୁର, ସବୁଠି ଜଳ ସମସ୍ୟା ଉତ୍କଟ । ଗାଁ ଗଣ୍ଡାରେ ନଳକୂପ ଅଚଳ । ସବୁଠୁ ଶୁଖିଲା କୂଅ ଓ ପୋଖରୀ । ଯେଉଁଠି ବୋରିଂ ପଏଣ୍ଟ ଅଛି, ସେଠାରୁ ପାଣି ବୋହିବା କାଠିକର ପାଠ । କେଉଁଠି ଅଟୋରେ ଲୋକେ ପାଣି ବୋହୁଛନ୍ତି ତ କେଉଁଠି ନଳକୂପ ପାଖରେ ଲମ୍ବା ଲାଇନ ଲାଇନ ଲାଗିଥିଲେ ବି ପାଣି ମିଳୁନି । ଅସହ୍ୟ ତାତି ସାଙ୍ଗକୁ ବଳି ଯାଉଛି ପାଣି ଯନ୍ତ୍ରଣା । ସହରାଞ୍ଚଳରେ ଅମୃତ ଧାରାରୁ ବି ବାହାରୁନାହିଁ ପାଣି । ପିଇବା ପାଣି ଯୋଗାଇବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ସାଧାରଣ ଜନତା ।

ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ସରକାର ସମ୍ପୂର୍ଣ୍ଣ ହାତ ଟେକି ଦେଇଛନ୍ତି। ନିଜର ଅସହାୟତା ପ୍ରକାଶ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସ୍ବୀକାର କରିଛନ୍ତି ଜଳ ସମସ୍ୟା ଉତ୍କଟ । କମ୍ ବର୍ଷା ସାଙ୍ଗକୁ ଅଧିକ ଚାଷକୁ ଜଳ ସମସ୍ୟା ପାଇଁ ଦାୟୀ କରିଛନ୍ତି ମନ୍ତ୍ରୀ । ଯନ୍ତ୍ରାଂଶର ଅଭାବ ଯୋଗୁଁ ଟ୍ୟୁବଓ୍ବେଲ ମଧ୍ୟ ଖୋଳା ଯାଇପାରୁନାହିଁ । ଜଳାଭାବ ଜାଗାରେ ବିକଳ୍ପ ବ୍ୟବସ୍ଥା କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଥିବା ବେଳେ ଗ୍ରାଉଣ୍ଡ ଜିରୋରେ ଏହାର ପ୍ରତିଫଳନ ଦେଖାଯାଉନାହିଁ । ସରକାରଙ୍କ ଏପରି ବେପରୁଆ ମନୋଭାବକୁ ବିଜେଡ଼ି ସମାଲୋଚନା କରିଥିବା ବେଳେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ସ୍ଥିତି ଉପରେ ନଜର ରଖିଛୁ ।

ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଛୁଇଁଲାଣି । ଅସହ୍ୟ ଗରମ ବେଳେ ପାଣି ବୁନ୍ଦିଏ ବି ନମିଳିବା ଲୋକଙ୍କ ପାଇଁ ଅସହ୍ୟ ହୋଇଛି । ପିଇବା ପାଣି ଯୋଗାଇବା ଦାୟିତ୍ବ ନେଇଥିବା ସରକାର ଯଦି ହାତ ଟେକିଦିଅନ୍ତି, ଲୋକେ କାହାକୁ ଗୁହାରୀ କରିବେ ? ଯୁଦ୍ଧକାଳୀନ ଭିତ୍ତିରେ ସବୁଠି ବିଶୁଦ୍ଧ ଜଳ ଯୋଗାଣ ଉପରେ ଗୁରୁତ୍ବ ଦେବାକୁ ଦାବି ହେଉଛି ।

ଶୀଘ୍ର ନୂଆ ଟିମ୍ ଗଠନ କରିବେ ଭକ୍ତ, କଂଗ୍ରେସ ଶିବିର ଚଳଚଞ୍ଚଳ

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ନୂଆଟିମ ଗଠନ କରିବେ ପିସିସି ସଭାପତି ଭକ୍ତ ଦାସ । ଯାହାକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇ ଉଠିଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଭକ୍ତଙ୍କ ନୂଆ ଟିମରେ କାହାକୁ ମିଳିବ ପ୍ରାଧାନ୍ୟ । ଦାୟିତ୍ବ ନେବାର ୩ ମାସ ପରେ ପୂର୍ଣ୍ଣାଙ୍ଗ ପିସିସି ଗଠନ କରିବାକୁ ଅଣ୍ଟା ଭିଡିଛନ୍ତି ଭକ୍ତ । ଲବି ନୁହେଁ, ପରଫର୍ମାନ୍ସ ଆଧାରରେ ନେତାଙ୍କୁ ସାଂଗଠନିକ ଦାୟିତ୍ବ ଦେବାକୁ ତାଲିକା ପ୍ରସ୍ତୁତ ହେଉଛି । ଭକ୍ତଙ୍କ ନୂଆ ଟିମକୁ ନେଇ ବରିଷ୍ଠ ନେତାମାନେ ମଧ୍ୟ ନିଜର ମତାମତ ରଖିଛନ୍ତି ।

ଫେବ୍ରୁଆରୀ ୧୧ ତାରିଖରେ ଓଡ଼ିଶା କଂଗ୍ରେସର ମଙ୍ଗ ଧରିଲେ ଭକ୍ତ ଦାସ । ଦାୟିତ୍ବ ନେବାର ୩ ମାସ ପରେ ପିସିସିର ପୂର୍ଣ୍ଣାଙ୍ଗ ଟିମ ଗଠନ କରିବାକୁ ଅଣ୍ଟା ଭିଡିଛନ୍ତି । ୫ ଦିନ ଭିତରେ କରାଯିବ ପିସିସିର ନୂଆ ଟିମ । ଭକ୍ତଙ୍କ ନୂଆ ଟିମରେ କାହାକୁ ଉପ ସଭାପତି, କାହାକୁ ସାଧାରଣ ସମ୍ପାଦକ, ସମ୍ପାଦକ ଓ କିଏ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇବେ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଟିମ୍ ଗଠନ ପୂର୍ବରୁ ପିସିସି ସଭାପତି ସିଧାସିଧା ଦଳୀୟ ନେତାଙ୍କୁ ଶୁଣାଇଛନ୍ତି ଚରମବାଣୀ। ପିସିସି ଟିମରେ ଏଣିକି ଲବି ନୁହେଁ, ପରଫର୍ମାନ୍ସ  ଆଧାରରେ ଯୁବ, ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ସଙ୍ଗଠନ ପଦ ପଦବୀ ମିଳିବ । ଏହାସହ ୫୦୦ରୁ ଅଧିକ ଉତ୍ସର୍ଗୀକୃତ କଂଗ୍ରେସ ନେତାଙ୍କୁ ଗୁରୁଦାୟିତ୍ବ ଦେବାକୁ ରଣନୀତି କରିଛନ୍ତି ପିସିସି ସଭାପତି । ଏହି ୫୦୦ ସଦସ୍ୟ କୌଣସି ପଦ ପଦବୀରେ ନରହି ଦଳର ସଂଗଠନକୁ ମଜବୁତ କରିବାକୁ କାମ କରିବେ । ଲଢ଼େଇ ମନୋଭାବ ଥିବା ଯୁବନେତାଙ୍କୁ ସାଂଗଠନିକ ଦାୟିତ୍ବରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି ।

ପିସିସି ସଭାପତି ନିଜର ଟିମ୍ ଗଠନ କରିବାକୁ ଘୋଷଣା କରିବା ପରେ, ଦଳର ବରିଷ୍ଠ ନେତାମାନେ ନୂଆଟିମକୁ ନେଇ ନିଜର ମତ ରଖିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ କହିବା କଥା, ପିସିସି ଟିମ ପାଇଁ ସଭାପତି ବରିଷ୍ଠ ନେତାଙ୍କ ମତାମତ ନେଇଛନ୍ତି । କଂଗ୍ରେସ ସଂଗଠନ ପାଇଁ ସମୟ ଦେଇ ପାରୁଥିବା ନେତାଙ୍କୁ ପଦ ପଦବୀ ଦାୟିତ୍ବ ଦିଆଯିବ । ସେହିପରି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ସଂଗଠନକୁ ମଜବୁତ କରିବା ଉପରେ ଦଳ ଫୋକସ ଦେଇଛି । ତେବେ ଟିମରେ କିଏ ରହିବ, କିଏ ନ ରହିବ ତାହା ଦଳର ନେତୃବୃନ୍ଦ ବିଚାର କରିବେ ।

ଭକ୍ତଙ୍କ ନୂଆ ଟିମରେ ଯୁବ ନେତୃତ୍ବକୁ ଗୁରୁତ୍ବ ଦିଆଯିବ ନା ଚିରାଚରିତ ଭାବେ ଜୁମ୍ବୋ ଟିମ ଗଠନ କରାଯିବ, ତାହାକୁ ଅପେକ୍ଷା କରି ରହିଛି ଓଡ଼ିଶା କଂଗ୍ରେସ । ନୂଆ ଟିମ ଗଠନ ପରେ ରାଜ୍ୟରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ସଂଗଠନ କେତେ ଆଗକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।

୧୧ ମାସ ହେବ କେବଳ ରଙ୍ଗ ଓ ନାଁ ବଦଳାରେ ମାତିଛନ୍ତି ରାଜ୍ୟ ସରକାର, ବିକାଶରେ ଲାଗିଛି ବ୍ରେକ

ନନ୍ଦିଘୋଷ ବ୍ୟୁରୋ: ବିଜେପି ଯାହା କହେ ତାହା କରେ ନାହିଁ । କେବଳ ନିର୍ବାଚନ ଜିତିବା ପାଇଁ ଦେଇଥିଲା ମାଳ ମାଳ ନିର୍ବାଚନୀ ପ୍ରତିଶ୍ରୁତି । କିନ୍ତୁ କ୍ଷମତାକୁ ଆସିବା ପରେ ବିଜେପି ସରକାର ରଙ୍ଗ ଓ ନାଁ ପରିବର୍ତ୍ତିନରେ ସୀମିତ ରହିଛନ୍ତି । ଚାଷୀଙ୍କ ଠାରୁ ଯୁବକ, ମହିଳା ଯାଏଁ ସମସ୍ତଙ୍କୁ ପ୍ରତାରଣା କରିଛନ୍ତି । କେବଳ ମିଥ୍ୟା ପ୍ରଚାର କରି ଓଡିଶାବାସୀଙ୍କୁ ଦଳ ଭଣ୍ଡେଇଛି ବୋଲି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।

ଓଡିଶା ବିକାଶରେ ଲାଗିଛି ବ୍ରେକ । ୧୧ ମାସ ହେବ ରାଜ୍ୟର ବିକାଶ ପୂରା ଧୀମେଇ ଯାଇଛି । ରଙ୍ଗ ଓ ନାଁ ପରିବର୍ତ୍ତନ ହେଉଛି । ହେଲେ ରାଜ୍ୟର ବିକାଶ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ । ୨୦୨୪ ନିର୍ବାଚନରେ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା ତାହା ବି ପୂରଣ କରିନାହିଁ । କେବଳ ମିଥ୍ୟା ପ୍ରଚାର, ପ୍ରସାର ଓ ସଭାସମିତିରେ ମାତିଛନ୍ତି ରାଜ୍ୟ ସରକାର । ଧାନରେ କଟନୀ ଛଟନୀ କରି ଚାଷୀଙ୍କୁ ହଇରାଣ କଲେ । ଏବେ ଚାଷୀଙ୍କୁ ସେହି ଟଙ୍କାରୁ କିଛି ଦେଇ ବାହାଦୁରୀ ନେବାକୁ ଚାହୁଁଛନ୍ତି ବୋଲି ପିସିସି ସଭାପତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେତେ ଜମିକୁ ଜଳସେଚନ କଲ, କେତେ ଚାଷୀଙ୍କ ଆୟ ଡବଲ କଲ, କେତେଟି ଶୀତଳ ଭଣ୍ଡାର କରିଛ ? କେତେ ଚାଷୀଙ୍କୁ ମାଗଣାରେ ବିଜୁଳି ଦେଲ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।

ସେହିପରି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଭଣ୍ଡାଇ ଦିନକୁ ମାତ୍ର ୨୭ ଟଙ୍କା ଦେଇ ପ୍ରତାରଣା କରିଛନ୍ତି । ଟ୍ରିପଲ ଇଞ୍ଜିନ ସରକାରରେ ମହାନଦୀ ସମସ୍ୟା ଦୂର ହେବା ଦିବାସ୍ବପ୍ନ ପାଲଟିଛି ବୋଲି କଂଗ୍ରେସ କହିଛି । ଅନ୍ୟପଟେ ବିଜେପି ଏହାର ଜବାବରେ କହିଛି ବିରୋଧୀ ଯାହା କହିଲେ ବି ଚାଷୀ ଖୁସି ଅଛନ୍ତି ।

ସେପଟେ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ କହିଛନ୍ତି, ୧୧ ମାସ ହେବ ରାଜ୍ୟରେ କ’ଣ ବିକାଶ ହୋଇଛି ତାହା କେହି ବି ଅନୁଭବ କରୁନାହାନ୍ତି । ବିକାଶ କାମ କେଉଁଠି ହେଉଛି ତାହା ଖୋଜିଲେ ବି ମିଳୁନାହିଁ । ନବୀନ ପଟ୍ଟନାୟକଙ୍କ ସମୟରେ ଯେଉଁ କିଛି ବିକାଶ ଆରମ୍ଭ ହୋଇଥିଲା ତାହା ବି ସଂପୂର୍ଣ୍ଣ ହୋଇପାରୁନାହିଁ । ରାସ୍ତାଘାଟ ଠାରୁ ଭିତ୍ତିଭୂମି, ସ୍କୁଲ ଓ କଲେଜକୁ ନୂଆ ରୂପ ଦେଇଥିଲେ ନବୀନ । ହେଲେ ବିଜେପି ସରକାର ସମୟରେ ଗ୍ରାଉଣ୍ଡ ଜିରୋରେ କିଛି କାମ ହେଉନାହିଁ ।

୨୦୩୬ରେ ଓଡ଼ିଶାସବାସୀଙ୍କୁ ଏକ ବିକଶିତ ଓଡିଶା ଟେକି ଦେବାକୁ ସ୍ବପ୍ନ ଦେଖାଉଥିବା ବେଳେ ୧୧ ମାସର ଡବଲ ଇଞ୍ଜିନ ସରକାର ଗତି କୁଆଡେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ସାର୍ଟିଫିକେଟ ଦେଲା ICRA: ନବୀନ ପଟ୍ଟନାୟକଙ୍କ ଭିଜନ ଯୋଗୁଁ ଶିଳ୍ପ ସମୃଦ୍ଧ ହୋଇଛି ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ନବୀନଙ୍କ ଭିଜନ ଯୋଗୁଁ ସମୃଦ୍ଧ ହୋଇଛି ଓଡ଼ିଶା । ଗତ ଦଶନ୍ଧିରେ ଶିଳ୍ପ ଅଭିବୃଦ୍ଧିରେ ସାରା ଦେଶରେ ରେକର୍ଡ କରିଛି ଓଡ଼ିଶା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଶିଳ୍ପ ଅନୁକୂଳ ବାତାବରଣ ଯୋଗାଇଥିବାରୁ ରାଜ୍ୟକୁ ଏହି ସଫଳତା ମିଳିଛି । ଇନଭେଷ୍ଟମେଣ୍ଟ ଇନଫର୍ମେସନ ଆଣ୍ଡ କ୍ରେଡିଟ ରେଟିଂ ଏଜେନ୍ସି (ICRA)ର ରିପୋର୍ଟ ଏହା ସ୍ପଷ୍ଟ କରିଛି । ନବୀନଙ୍କ ଉଦ୍ୟମ ଯୋଗୁଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେଇଥିଲେ ଜାପାନ, ଚୀନ, ଇଟାଲି, ଜର୍ମାନୀ, ସାଉଦି ଆରବ ଓ ଦକ୍ଷିଣ କୋରିଆର ଶିଳ୍ପପତି । ନିବେଶ କରିଥିବା ଭାରତୀୟ ଶିଳ୍ପପତିଙ୍କ ମଧ୍ୟରେ ଅଛନ୍ତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ, ଜିନ୍ଦଲ ଗ୍ରୁପ, ଟାଟା ସନସ୍, ବିର୍ଲା ଗ୍ରୁଫ ପରି ସଂସ୍ଥା ।

୨୦୧୫ରୁ ୨୦୨୪ ମଧ୍ୟରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ୧୦ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଇନଭେଷ୍ଟମେଣ୍ଟ  ଇନଫର୍ମେସନ ଆଣ୍ଡ କ୍ରେଡିଟ ରେଟିଂ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ ଗ୍ରସ ଭାଲ୍ୟୁରେ ଅଭିବୃଦ୍ଧି ୧୦ ପ୍ରତିଶତ ହୋଇଛି । ଏସବୁ ସମ୍ଭବ ହୋଇଛି ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ସମୟରେ । ଉତ୍ପାଦନ ଭିତ୍ତିକ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ହାରରେ ସାରା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି ଓଡ଼ିଶା । ରାଜ୍ୟର ଗ୍ରସ୍ ଷ୍ଟେଟ ଭ୍ୟାଲୁରେ ଶିଳ୍ପର ଅବଦାନ ହେଉଛି ୫୧ ପ୍ରତିଶତ । ନବୀନ ସରକାର ସମୟର ଶିଳ୍ପାୟନ ଦ୍ଵାରା ଓଡ଼ିଶାର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି । ଓଡ଼ିଶାର ଏହି ରୂପାନ୍ତରଣ ଯାତ୍ରାରେ ସାଢେ ଚାରି କୋଟି ରାଜ୍ୟବାସୀଙ୍କ ଯୋଗଦାନକୁ ମଧ୍ୟ ନବୀନ ପ୍ରଶଂସା କରିଛନ୍ତି ।

ମେକ୍ ଇନ୍ ଓଡ଼ିଶା, ଷ୍ଟାର୍ଟ ଅଫ୍ ଓଡ଼ିଶା, ସ୍କିଲଡ ଇନ୍ ଓଡ଼ିଶା ରାଜ୍ୟର ଶିଳ୍ପ ଭିତ୍ତିଭୂମିକୁ ଦେଇଥିଲା ନୂଆ ଦିଶା । ୨୦୧୬, ୨୦୧୮ ଓ ୨୦୨୨ର ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ୧୬ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ଏହାଦ୍ଵାରା ସୃଷ୍ଟି ହୋଇଥିଲା ୧୭.୨୮ ଲକ୍ଷ ନିଯୁକ୍ତି ସୁଯୋଗ ।

ମେକ ଇନ୍ ଓଡ଼ିଶାର ନାଁ ପରିବର୍ତ୍ତନ କରି ଉତ୍କର୍ଷ ଓଡ଼ିଶା କରିଛନ୍ତି ରାଜ୍ୟର ବିଜେପି ସରକାର । ଉତ୍କର୍ଷ ଓଡ଼ିଶା ବି ସ୍ପଷ୍ଟ କରି ଦେଇଥିଲା ନବୀନ ସରକାର ସମୟରେ କେମିତି ହୋଇଥିଲା ଶିଳ୍ପ ବିକାଶ । ଉତ୍କର୍ଷ ଓଡ଼ିଶାର ପ୍ରଚାର ପତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ଵୀକାର କରିଛନ୍ତି ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନ ୨୦୨୨ ବାଣିଜ୍ୟ ଉପଯୋଗୀ ବାତାବରଣ ସୃଷ୍ଟି କରିଛି । ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ସହ ଏହା ଶିଳ୍ପ ବିକାଶକୁ ଗୁରୁତ୍ଵ ଦେଇଛି । ୧୦ ବର୍ଷରେ ନିବେଶକଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ଇଜ୍ ଅଫ୍ ଡୁଇଂ ବିଜନେସରେ ଏକ ଆଚିଭର ଷ୍ଟେଟ୍ ଭାବେ ଓଡ଼ିଶାକୁ ପରିଗଣିତ କରାଯାଇଥିବା ବି ଉତ୍କର୍ଷ ଓଡ଼ିଶା ପ୍ରଚାରପତ୍ରରେ ସ୍ଥାନ ପାଇଥିଲା । ନବୀନ ପଟ୍ଟନାୟକଙ୍କ ସମୟରେ ଓଡ଼ିଶା ପାଇଥିଲା ସ୍ଥିର ସରକାର । ଯେଉଁଠି ନିବେଶକମାନେ ପୁଞ୍ଜି ଲଗାଇବାକୁ ପସନ୍ଦ କରୁଥିଲେ ।

ପାକିସ୍ତାନ POK ଖାଲି କରୁ, ତୃତୀୟ ପକ୍ଷ କାଶ୍ମୀର ପ୍ରସଙ୍ଗରୁ ଦୂରେଇ ରୁହନ୍ତୁ: ଭାରତ

ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ ଓ କାଶ୍ମୀରକୁ ନେଇ ସମସ୍ତ ସମସ୍ୟା କେବଳ ଦୁଇ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହେବ । ଏଥିରେ କୌଣସି ତୃତୀୟ ପକ୍ଷଙ୍କ କୌଣସି ଭୂମିକା ନାହିଁ । ତୃତୀୟ ପକ୍ଷ ଏଥିରୁ ଦୂରେଇ ରୁହନ୍ତୁ । ଆଜି ସାମ୍ବାଦିକ ସମ୍ମିଳନୀରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସାରା ବିଶ୍ବକୁ ଏନେଇ ସ୍ପଷ୍ଟ କରିଦିଆଯାଇଛି । ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଣଧିର ଜୟସଓ୍ବାଲ କହିଛନ୍ତି, ପାକିସ୍ତାନ ଅବୈଧ ଭାବେ ଦଖଲ କରିଥିବା କାଶ୍ମୀରକୁ ତୁରନ୍ତ ଖାଲି କରୁ । ଭାରତର ଏହି ନୀତି ପୂର୍ବରୁ ରହି ଆସିଛି ଓ ଏଥିରେ କୌଣସି ପରିବର୍ତ୍ତନ ହୋଇନି କି ହେବ ନାହିଁ ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୧୦ ମେ’ରେ ଭାରତ ଓ ପାକିସ୍ତାନ ଡିଜିଏମଓଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଅସ୍ତ୍ରବିରତି ଉପରେ ସହମତି ହୋଇଥିଲା । ପାକିସ୍ତାନ ପଟରୁ ଏଥିପାଇଁ ଅନୁରୋଧ କରାଯାଇଥିଲା । ଉକ୍ତ ଦିନ ମଧ୍ୟାହ୍ନ ୧୨ଟା ୩୭ରେ ପାକିସ୍ତାନ ପକ୍ଷରୁ ଭାରତ ସହ ଯୋଗାଯୋଗ କରାଯାଇଥିଲା । କାରଣ ଟେକ୍ନିକାଲ କାରଣରୁ ହଟଲାଇନରେ ଭାରତ ସହ ସମ୍ପର୍କ ହୋଇପାରି ନଥିଲା । ଏହାପରେ ଭାରତୀୟ ଡିଜିଏମଓଙ୍କ ଉପଲବ୍ଧି ଆଧାରରେ ଗୋଟାଏ ୩୫ ମିନିଟରେ ଆଲୋଚନା ହୋଇଥିଲା ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି, ପାକିସ୍ତାନ ନାଚାର ଥିଲା । କାରଣ, ଉକ୍ତଦିନ ଭୋରୁ ଭାରତୀୟ ବାୟୁସେନା ପାକିସ୍ତାନର ପ୍ରମୁଖ ଏୟାରଫୋର୍ସ ଠିକଣାରେ ଭୟଙ୍କର ଆକ୍ରମଣ କରିଥିଲା । ଏହା ଭାରତୀୟ ସେନାର ଶକ୍ତି ଥିଲା, ଯାହା ପାକିସ୍ତାନକୁ ଗୁଳିଗୋଳା ମାଡ଼ ଓ ସୈନ୍ୟ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ବାଧ୍ୟ କରିଥିଲା ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହା ବି ସ୍ପଷ୍ଟ କରାଯାଇଛି, ଅନ୍ୟ ଦେଶଙ୍କ ସହ ଆଲୋଚନା ବେଳେ ଭାରତ ଗୋଟିଏ କଥା କହିଛି । ୨୨ ଏପ୍ରିଲରେ ହୋଇଥିବା ନରସଂହାର ଜବାବ ଦେବାକୁ ଯାଇ ଭାରତ କେବଳ ଆତଙ୍କବାଦ କେନ୍ଦ୍ରକୁ ଟାର୍ଗେଟ କରିଛି । ଯଦି ପାକିସ୍ତାନ ସେନା ଆକ୍ରମଣ କରିବ ତେବେ ଭାରତ ତା’ର ଜବାବ ଦେବ । ଯଦି ପାକିସ୍ତାନ ଚୁପ ରହିବ ତେବେ ଭାରତ ଆକ୍ରମଣ କରିବ ନାହିଁ । ଅପରେସନ ସିନ୍ଦୂର ଆରମ୍ଭ ହେବା ସମୟରେ ହିଁ ଏ ସୂଚନା ପାକିସ୍ତାନକୁ ଦେଇ ଦିଆଯାଇଥିଲା । ଯାହାକୁ ସେ ସମୟରେ ପାକିସ୍ତାନ ଅଣଦେଖା କରି ଦେଇଥିଲା ।

ଆମେରିକା ରାଷ୍ଟ୍ରପତିଙ୍କ କାଶ୍ମୀର ପ୍ରସଙ୍ଗରେ ବୟାନକୁ ନେଇ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଭାରତର ନୀତି ସ୍ପଷ୍ଟ । ଜମ୍ମୁ ଓ କାଶ୍ମୀର ସହ ଜଡ଼ିତ ସମସ୍ତ ସମସ୍ୟା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପକ୍ଷିକ ପ୍ରସଙ୍ଗ । ଏହି ନୀତିରେ କୌଣସି ପରିବର୍ତ୍ତନ ହୋଇନି । ଅବୈଧ ଭାବେ ପାକିସ୍ତାନ ଦଖଲରେ ରଖିଥିବା ପିଓକେକୁ ଶୀଘ୍ର ଖାଲି କରୁ । ୭ରୁ ୧୦ ମେ’ ମଧ୍ୟରେ ଅପରେସନ ସିନ୍ଦୂର ସମୟରେ ଭାରତ ଓ ଆମେରିକା ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ କେବଳ ସୈନ୍ୟ ସ୍ଥିତି ଉପରେ ଆଲୋଚନା ହୋଇଥିଲା । ବେପାର ସହ ଜଡ଼ିତ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ହୋଇନି ।

ଏହାସହ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ଦିଆଯାଇଥିବା ପ୍ରତିକ୍ରିୟା ଉପରେ କଡ଼ା ଟିପ୍ପଣୀ ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଯେଉଁ ଦେଶ ଆତଙ୍କବାଦୀଙ୍କୁ ଉଦ୍ୟୋଗ ଭଳି ପାଳିଛି, ଆଉ ଭାବୁଛି ଆତଙ୍କବାଦରୁ ବର୍ତ୍ତି ଯିବ ତେବେ ସେ ନିଜକୁ ଠକୁଛି । ଯେଉଁ ଆତଙ୍କବାଦୀ ଶିବିରିକୁ ଆମେ ନଷ୍ଟ କରିଛି, ସେମାନେ ନା କେବଳ ଭାରତ ବରଂ ସାରା ଦୁନିଆରେ ନିର୍ଦ୍ଦୋଶ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ । ଏବେ ଏକ ନୂଆ ଧାରଣା ଆସିଛି, ଯେତେ ଶୀଘ୍ର ପାକିସ୍ତାନ ଏହାକୁ ସ୍ବୀକାର କରିବ, ତା’ ପାଇଁ ଲାଭଦାୟକ ହେବ ।