spot_img
Home Blog Page 7594

କଦଳୀର ମୂଲ୍ୟ ୮୫ ଲକ୍ଷ!

ଦକ୍ଷିଣ ଫ୍ଲୋରିଡା: ଗୋଟିଏ କଦଳୀର ମୂଲ୍ୟ ୮୫,୫୫,୬୪୦ ଟଙ୍କା । କଥା ଟି ବିଶ୍ୱାସ ଲାଗୁନଥିଲେ ମଧ୍ୟ ସତ । ବୁଧବାର ମିଆମି ସମୁଦ୍ରକୁଳରେ ଅନୁଷ୍ଠିତ ପାରିସିଆନ୍ ଆର୍ଟ ଗ୍ୟାଲେରିରେ ଏମିତି ଏକ କଦଳୀ କଳାକୃତି ପ୍ରଦର୍ଶନ କରାଯାଇଛି । ଯାହାକୁ ଏକ ଟ୍ୟାପ୍ ସାହାର୍ଯ୍ୟରେ କାନ୍ଥରେ ଲଗାଯାଇଛି । ଆଉ ଏହାର ମୂଲ୍ୟ ରହିଛି ୧ଲକ୍ଷ ୨୦ ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରା ଅନୁଯାୟୀ ୮୫,୫୫, ୬୪୦ ଟଙ୍କା । ଯାହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସୁଅ ଛୁଟୁଛି ।

Image result for a taped banana

ତେବେ ପ୍ୟାରୋଟିନ୍‌ର ମୁଖ୍ୟ ଇମାନୁଏଲ ପ୍ୟାରୋଟିନଙ୍କ ନେତୃତ୍ୱରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ସିଏନଏନ୍ ରିପୋର୍ଟ ଅନୁଯାୟୀ ଇନଷ୍ଟାଗ୍ରାମରେ ଏହାର ପୋଷ୍ଟ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ପୋଷ୍ଟରେ ଏହା କୁହାଯାଇଛି ଯେ, କଳାକାର କେଟଲନ୍ ଏକ କଦଳୀ ଆକାରର କଳାକୃତି ବନାଇବାକୁ ଚାହୁଁଥିଲେ । ଆଉ ପ୍ରେରଣା ପାଇବାକୁ ସେ ରହୁଥିବା ହୋଟେଲ ରୁମକୁ ପ୍ରତିଦିନ ଏକ କଦଳୀ ସାଙ୍ଗରେ ନେଇ ଯାଉଥିଲେ । ଏହାପରେ ସେ ଏହି କଳାକୃତି ବନାଇବାରେ ସମର୍ଥ ହୋଇଥିଲେ ।

ତେବେ ଉଲ୍ଲେଖଯୋଗ୍ୟ ଯେ, ପୁର୍ବରୁ ଏହି ନାମି କଳାକାରଙ୍କର ପ୍ରସିଦ୍ଧ ଗୋଲଡେନ୍ ଟଏଲେଟ୍ କଳାକୃତିଟି ବ୍ରିଟେନର ଏକ ମୋହତ୍ସବରୁ ଚୋରି ହୋଇ ଯାଇଥିଲା । ଏହି ଘଟଣାଟି ମଧ୍ୟ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା ।

କମ୍ ଦାମରେ ପିଆଜ ବିକି ବାହାବା ନେବାକୁ ଆସିଥିଲେ ନେତାଜୀ, କାମୁଡା ଖାଇ ସିଧା ଗଲେ ହସ୍ପିଟାଲ

ଉତ୍ତରାଖଣ୍ଡ : ନେତା ଗିରି ଦେଖାଇବାକୁ ଆସିଥିଲେ । ସବୁଠି ପିଆଜର ଦର ଆକାଶ ଛୂଆଁ ହୋଇଥିବା ବେଳେ ନେତା ବାବୁ ଭାବିଥିଲେ କମ୍ ଦାମରେ ପିଆଜ ବିକ୍ରୀ କରି ବାହାବା ନେବେ । କିନ୍ତୁ ୩୦ ଟଙ୍କାରେ ପିଆଜ ଶୁଣି ଛୁଟି ଆସିଥିଲେ ଶତାଧିକ ଲୋକ । ପରିସ୍ଥିତି ଏପରି ହେଲା ଯେ, କେହି ପିଆଜ ନେଇପାରିଲେ ନାହିଁ । ସମସ୍ତେ ଟଣା ଘୋଷରାରେ ବ୍ୟସ୍ତ ରହିଲେ । ନେତା ବାବୁଙ୍କ କ୍ରେଡିଟ୍ ନେବା ବି ଅଧା ବାଟରେ ରହିଲା । ପରିସ୍ଥିତି ଏପରି ହେଲା ଯେ, ନେତାଙ୍କୁ ଚିକିତ୍ସା ପାଇଁ ଯିବାକୁ ହେଲା ହସ୍ପିଟାଲ ।

ଉତ୍ତରାଖଣ୍ଡର ଜଣେ କଂଗ୍ରେସ ନେତାଙ୍କୁ ପିଆଜ ପାଇଁ କାମୁଡ଼ା ଖାଇବାକୁ ପଡ଼ିଛି ? ଆଙ୍ଗୁଠିକୁ ପୁରା କାମୁଡ଼ି ଜଣେ ବ୍ୟକ୍ତି ରକ୍ତାକ୍ତ କରିଦେଇଛନ୍ତି । ଏମିତି କିଛି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ପିଆଜର ଚଢ଼ା ଦର ଗରିବ ଲୋକଙ୍କ କଂସାରୁ ପିଆଜ ହଜାଇ ଦେଇଛି । ଦର କେଉଁଠି ୧୪୦ ତ ଆଉ କେଉଁଠି କେଜି ପିଛା ୧୬୦ ।  ଉତ୍ତରାଖଣ୍ଡରେ ବି ପିଆଜ ଦର ଆକାଶ ଛୁଆଁ । ପିଆଜର ଦର ଯେତିକି ବଢ଼ିବାରେ ଲାଗିଛି ସେତିକି ଆଶ୍ଚର୍ଯ୍ୟ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳୁଛି । କେଉଁଠି ପିଆଜକୁ ନେଇ ଟିକଟକ୍‌ ହେଲାଣିତ କେଉଁଠି ନେତା କାମୁଡା ଖାଇ ରକ୍ତାକ୍ତ ହେଲେଣି ।

ଉତ୍ତରାଖଣ୍ଡର ନୈନିତାଲରେ ପିଆଜର ଦର ବୃଦ୍ଧି ନେଇ ଚାଲିଥିଲା ପ୍ରତିବାଦ । କଂଗ୍ରେସ କର୍ମୀ ମାନେ କମ୍‌ ଦରରେ ପିଆଜ ବିକ୍ରୀ କରି ପ୍ରତିବାଦ କରୁଥିଲେ । କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିଲା ପିଆଜ । ମହିଳା ଆନ୍ଦୋଳନ ମଧ୍ୟରେ ଜଣେ ବ୍ୟକ୍ତି ପଶି ମହିଳା ମାନଙ୍କୁ ଗାଳି ଗୁଲଜ କରିବାକୁ ଲାଗିଥିଲେ ।

କଂଗ୍ରେସର କର୍ମୀ ନନ୍ଦନ ମେହେରା ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକାଇବା ସହ ତାଙ୍କୁ ପିଆଜ ଦେବେନାହିଁ ବୋଲି ମନାକରିଥିଲେ । ଏହାପରେ ସେ ରାଗିଯାଇ ତାଙ୍କ ହାତକୁ କାମୁଡ଼ି ପୁରା ରକ୍ତାକ୍ତ କରିଦେଇଥିଲା । ଏ ଘଟଣା ଦେଖି, ପାଖରେ ଥିବା କଂଗ୍ରେସ କର୍ମୀ ମାନେ ପୋଲିସକୁ ଫୋନ କରିଥିଲେ । ଏହାପରେ ତାଙ୍କୁ ପୋଲିସ ଧରିନେଇଥିଲା । କିନ୍ତୁ ସେ ଯିବା ବେଳେ କହୁଥିଲେ, ନେତାଗିରି ଘରେ କର । ପିଆଜ ବିକ୍ରୀ ଛାଡ଼ ।

ନନ୍ଦନ ମେହେରା ଉତ୍ପାତ ମଚାଇଥିବା ବ୍ୟକ୍ତି ବିଜେପିର ବୋଲି କହିଛନ୍ତି । ହଲଦଓ୍ୱାନୀ ପୋଲିସର ଏସ୍‌ଏଚ୍‌ଓ ଙ୍କ କହିବା ଅନୁସାରେ ସେହି ବ୍ୟକ୍ତି ଜଣକ ନିଶାରେ କିମ୍ବା କୌଣସି ଚାପରେ ଥାଇ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଯଣାପଡ଼ିଛି । ଅନ୍ୟପଟେ ପିଜେପି ଏଭଳି ଅଭିଯୋଗକୁ ସଫା ସଫା ମନାକରିଦେଇଛି । ତେବେ କଂଗ୍ରେସ ନେତା ଘଟଣା ସ୍ଥଳରେ ପ୍ରତିବାଦ ନକରି କାମୁଡା ଖାଇବା ପରେ ହସ୍ପିଟାଲ ଯାଇଥିଲେ । ସମସ୍ତେ କହୁଛନ୍ତି ପିଆଜ ବିକିବାରୁ ନେତାଜୀଙ୍କର ହେଲା ଏ ଅବସ୍ଥା ।

 

 

 

ହାଇଦ୍ରାବାଦ ଏନକାଉଣ୍ଟରକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାଏର

ନୂଆଦିଲ୍ଲୀ: ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେବା ଘଟଣାରେ ହାଇଦ୍ରାବାଦ ପୋଲିସକୁ ଦେଶ ସାରା ପ୍ରଶଂସା କରାଯାଉଛି । ଅନ୍ୟପଟେ ପୋଲିସର ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠିଛି । ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ଆଇନଜୀବୀ ଜିଏସ୍ ମଣି ଓ ପ୍ରଦୀପ ଯାଦବ ସୁପ୍ରିମକୋର୍ଟରେ ମାମଲା ଦାଏର କରିଛନ୍ତି ।

ହାଇଦ୍ରାବାଦ ପୋଲିସ ନେଲା ଡିସିସନ୍ ଅନ୍ ସ୍ପଷ୍ଟ, ସଜ୍ଜନରଙ୍କୁ ଚାରିଆଡ଼ୁ ଶୁଭେଚ୍ଛା

ଦାଏର ମାମଲାରେ କୁହାଯାଇଛି, ହାଇଦ୍ରାବାଦ ପୋଲିସ ୨୦୧୪ରେ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରିନାହିଁ । ଏନକାଉଣ୍ଟରରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ ସହ ଯାଞ୍ଚ ଦାବି ହୋଇଛି । ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟ ସୋମବାର କରିବେ ।

ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମକାରୀଙ୍କୁ ଗୁଳି କଲା ପୋଲିସ

ଏଥିସହ ପୋଲିସର ଏନକାଉଣ୍ଟରକୁ ସମର୍ଥନକାରୀଙ୍କ ଅନ୍ୟ ଏକ ଆବେଦନ କରାଯାଇଛି । ସମର୍ଥନକୁ ବିରୋଧ କରି ମନୋହର ଲାଲ ଶର୍ମା ଆବେଦନ କରିଛନ୍ତି । ଏଥିରେ ସମାଜବାଦୀ ପାର୍ଟି ଜୟା ବଚ୍ଚନ ଓ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମଲିୱାଲଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଡାକିନେଲେ ଡାକ୍ତରାଣୀ; ଯେଉଁଠି ନେଇଥିଲେ ଜୀବନ, ସେଇଠି ଗଲା ୪ ଜଣଙ୍କ ଜୀବନ

ଶୁକ୍ରବାର ଭୋରରେ ହାଇଦ୍ରାବାଦ ପୋଲିସ ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ଡେମୋ ପାଇଁ ନେଇଥିଲା । ସିନ୍-ରିକ୍ରିଏସନ୍ ବେଳେ ଅଭିଯୁକ୍ତମାନେ ପୋଲିସ ଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇବା ସହ ଖସିଯିବାକୁ ଉଦ୍ୟମ କରିଥିଲେ । ପୋଲିସ ଆତ୍ମରକ୍ଷା କରିବାକୁ ଯାଇ ୪ ଅଭିଯୁକ୍ତଙ୍କୁ ଗୁଳି କରିଥିଲା । ଯାହାକୁ ସାରାଦେଶରୁ ସମର୍ଥନ ମିଳିଥିଲା ।

ଧାନ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

କଟକ: ଧାନ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ । ଧାନ ଗବେଷଣା କେନ୍ଦ୍ରର ନିର୍ମାଣଧୀନ ଅଡିଟୋରିୟମରେ ନିଆଁ ଲାଗିଛି । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ତେବେ, କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।

ଧାନ ଗବେଷଣା କେନ୍ଦ୍ରରେ କିଛି କାମ ଚାଲିଥିବା ବେଳେ ଲୁହା ୱେଲ୍ଡିଂ କରାଯାଉଥିଲା । ତେଣୁ ସେହି ୱେଲ୍ଡିଂ କାମରୁ କିମ୍ବା ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ ପାଇଁ ପହଞ୍ଚିଲେ ପ୍ରିୟଙ୍କା ଗାନ୍ଧି

ଲକ୍ଷ୍ନୌ: ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁପରେ ତାଙ୍କ ପରିବାର ସହ ସାକ୍ଷାତ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ପୀଡ଼ିତାଙ୍କ ପରିବାର  ଦୀର୍ଘ ଏକ ବର୍ଷ ହେବ ଲଗାତାର ଅସୁବିଧାର ସମ୍ମୁଖିନ ହେଉଥିଲେ ଏବଂ ଶୁଣିବାକୁ ମିଳୁଛି ଯେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କର ବିଜେପି ସହିତ ଲିଙ୍କ୍ ଥିବା କହିଛନ୍ତି ପ୍ରିୟଙ୍କା ଗାନ୍ଧି ।

ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଥିବା ପ୍ରିୟଙ୍କା ଗାନ୍ଧି ଶୁକ୍ରବାର ଲକ୍ଷ୍ନୌ ପହଁଞ୍ଚି ଥିଲେ ଏବଂ ଆଜି ସେ ଉନ୍ନାଓ ପୀଡ଼ିତାଙ୍କ ପରିବାର ସହ ସାକ୍ଷାତ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ‘ ମୁଁ ଇଶ୍ୱରଙ୍କୁ ପ୍ରାର୍ଥନା କରୁଛି  ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଦିଅନ୍ତୁ । ଏହା ଆମର ଦୁର୍ଭାଗ୍ୟ ଯେ ଆମେ ପୀଡ଼ିତାଙ୍କୁ ନ୍ୟାୟ ଦେଇପାରିଲେ ନାହିଁ ।’

ନିଜ ଛାତ କିମ୍ବା କିଚେନ ଗାର୍ଡେନରେ କରିପାରିବେ ପିଆଜ ଚାଷ

ସାରା ଦେଶରେ ପିଆଜ ପାଇଁ ଏବେ ହାହାକାର । ଆକାଶ ଛୁଆଁ ଦରକୁ ଦୈନନ୍ଦିନ ଖାଇବାରେ ପିଆଜ ବ୍ୟବହାର କରିବା ମଧ୍ୟବିତ୍ତ ପରିବାର ପାଇଁ ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ । ପିଆଜକୁ ଆମେ ପ୍ରାୟ ସବୁ ତରକାରିରେ ବ୍ୟବହାର କରୁଛେ । ତେବେ ଘରେ ଅନ୍ୟ ସବୁ ଫୁଲ ଫଳ ଲଗାଇଲା ଭଳି ପିଆଜକୁ ମଧ୍ୟ କୁଣ୍ଡରେ ଲଗାଇ ଆପଣ ସାରମୁକ୍ତ ଏବଂ ସ୍ୱାଦିଷ୍ଟ ପିଆଜ ପାଇପାରିବେ ।

ଆଜ୍ଞା ହଁ, ଆପଣ ନିଜ ଘରେ କୁଣ୍ଡ ମାଧ୍ୟମରେ ପିଆଜ ଚାଷ କରିପାରିବେ । ତେବେ ଆସନ୍ତୁ ଜାଣିବା ଖୁବ କମ୍ ପଇସାରେ ଘରେ ବସି କିପରି ପିଆଜ ଚାଷ ହୁଏ ।

୧. ପିଆଜକୁ ଆମେ ଦୁଇ ପ୍ରକାର କୁଣ୍ଡରେ ଲଗାଇପାରିବେ । ଗୋଟେ ହେଲା ପିଆଜ ମଞ୍ଜି କୁଣ୍ଡରେ ପୋଟି ଏବଂ ଅନ୍ୟଟି ହେଉଛି ଛୋଟ ଛୋଟ ପିଆଜକୁ ମାଟିରେ ପୋତି ।

୨. କୁଣ୍ଡରେ ଚାଷ ଉପଯୋଗୀ ମାଟି ଏବଂ କମ୍ପୋଷ୍ଟ  ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହା ଫଳରେ ମାଟି ଉର୍ବର ଏହା ସହିତ ଏଥିରେ  ଚାଷ ହୋଇଥାଏ । ( ୫୦% ମାଟି, ୫୦% କମ୍ପୋଷ୍ଟ ) ।

୩. ପିଆଜକୁ କୁଣ୍ଡରେ ପୋତି ଦୁଅନ୍ତୁ । ପିଆଜ ପୋତିବା ବେଳେ ଧ୍ୟାନ ଦିଅନ୍ତୁ ଯେପରି ଚେର ତଳକୁ ରହିବ  । ପ୍ରତି ପିଆଜକୁ ୩ ଇଞ୍ଚ ବ୍ୟବଧାନରେ ପୋତନ୍ତୁ । ଏଥିରେ ପାଣି ଦେଇନ୍ତୁ ।

୪. ଗୋଟିଏ ପିଆଜ ଗଛରୁ ଆପଣ ସର୍ବାଧିକ ୫-୬ଟି ପିଆଜ ପାଇପାରିବେ ।

୫. ଯଦି ଆପଣଙ୍କ ଘରେ ବାଲକୋନି କିମ୍ବା ଛାତ ଅଛି ତେବେ ଆପଣ ସହଜରେ ୬ରୁ ୭ଟି କୁଣ୍ଡରେ ପିଆଜ ଲଗାଇପାରିବେ । ଏଥିରୁ ଆପଣ ୩ରୁ ୪ କେଜି ପିଆଜ ଅମଳ କରିପାରିବେ ।

ଏହି ପ୍ରଣାଳୀରେ ଆପଣ ଘରେ କୁଣ୍ଡରେ ପିଆଜ ଚାଷ କରିପାରିବେ ।

 

 

ବାରବାଟୀ ଦିନିକିଆ ପୂର୍ବରୁ ସୁରକ୍ଷାର ସମୀକ୍ଷା କଲେ ଗୃହ ରାଷ୍ଟ୍ରମନ୍ତ୍ରୀ

କଟକ : ବାରବାଟୀ ଦିନିକିଆ ପାଇଁ ପୋଲିସ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଇନଚାର୍ଜ ଡିଜିପି ସତ୍ୟଜିତ୍ ମହାନ୍ତି, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଓସିଏ ସଂପାଦକଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ସହ ୨୨ ତାରିଖରେ ଭାରତ-ଓ୍ୱେଷ୍ଟ ଇଣ୍ଡିଜ୍ ମ୍ୟାଚ୍ ଯେଭଳି ସୁରୁଖୁରୁରେ ସଂପାଦିତ ହେବ ସେ ନେଇ ଆଲୋଚନା କରିଥିଲେ । ଏହି ଅବସରରେ ବାରବାଟୀ ଗ୍ରାଉଣ଼୍ଡ ମଧ୍ୟ ବୁଲି ଦେଖିଥିଲେ ମନ୍ତ୍ରୀ ।

‘କାଳିଆ’ ଯୋଜନାରେ ହେଲା ସଂଶୋଧନ; କିଏ ପାଇବେ, କିଏ ନ ପାଇବେ ପୂରା ପଢ଼ନ୍ତୁ…

ଭୁବନେଶ୍ୱର: ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ଲାଗୁ କରିଥିବା କାଳିଆ ଯୋଜନାର ନିୟମାବଳୀରେ ସଂଶୋଧନ । ରାଜ୍ୟ କ୍ୟାବିନେଟ୍‌ ଏହାକୁ ଅନୁମୋଦନ କରିଛି । ଉଭୟ କାଳିଆ ଓ କିଷାନ ଯୋଜନାର ଗାଇଡ୍‌ଲାଇନ୍‌କୁ ତର୍ଜମା କରିବା ପରେ ନିୟମରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର ।ଭୂମିହୀନ ଭାଗଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ନାହାନ୍ତି । ସେମାନଙ୍କୁ କାଳିଆ ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ । ୨୦୧୮-୧୯ ଆର୍ଥିକ ବର୍ଷରେ ଯେଉଁ ଯୋଗ୍ୟ ହିତାଧିକାରୀ ଏଯାଏଁ କାଳିଆ ଆର୍ଥିକ ସହାୟତା ପାଇ ନାହାନ୍ତି, ସେମାନଙ୍କୁ ଏହି ବର୍ଷ ରବି ଫସଲ ପାଇଁ ସହାୟତା ମିଳିବ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷରେ ଆର୍ଥିକ ସହାୟତା ମିଳିବ ।ଏମାନଙ୍କୁ ଆଉ ୨୦୧୯ ରବି ଫସଲ ପାଇଁ କାଳିଆ ସହାୟତା ମିଳିବ ନାହିଁ । ନାମମାତ୍ର ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ଓ କାଳିଆ ଯୋଜନାରେ ବର୍ଷକୁ ୪ ହଜାର ଟଙ୍କା ପାଇବେ । ମହାନଗର ନିଗମ, ପୌରାଞ୍ଚଳ ଓ ଏନ୍‌ଏସି ଅଧୀନରେ ଆସୁଥିବା ଚାଷୀ କାଳିଆ କିମ୍ବା କିଷାନ ସହାୟତା ପାଇବେ ନାହିଁ ।

କାହିଁକି କରାଯିବ ପାଇକ ବିଦ୍ରୋହ ଡାକ ଟିକଟର ଉନ୍ମୋଚନ ?

ଭୁବନେଶ୍ୱର : ୧୮୫୭ରେ ଇଂରେଜଙ୍କ ବିରୋଧରେ ହୋଇଥିବା ସିପାହୀ ବିଦ୍ରୋହର ବହୁ ପୂର୍ବରୁ ଓଡ଼ିଶାରେ ହୋଇଥିଲା ସଶସ୍ତ୍ର ବିଦ୍ରୋହ । ୧୮୦୩ ମସିହାରେ ବଙ୍ଗ ପରେ ଓଡ଼ିଶା ଦଖଲ ଅଭିଯାନ ଆରମ୍ଭ କରିଥିଲେ ଇଂରେଜ୍ । ସେତେବେଳଠାରୁ କହିବାକୁ ଗଲେ ଓଡ଼ିଶାରେ ପଡ଼ି ସାରିଥିଲା ବିଦ୍ରୋହ ଓ ବିରୋଧର ମୂଳଦୁଆ । ଓଡ଼ିଶାରେ ୧୮୧୭ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ପ୍ରଥମ ବିଦ୍ରୋହ ହୋଇଥିଲା । ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିଲା  ଏହି ବିଦ୍ରୋହ। ତେବେ ପାଇକଙ୍କୁ ବିଦ୍ରୋହସ ସେନାନୀ କହିବାର ଅନେକ କାରଣ ରହିଛି । ଉତ୍କଳୀୟ ପରଂପରା ଓ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ଏମାନଙ୍କର ବଳୀଦାନ ଇତିହାସରେ ସ୍ୱାର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ପାଇକଙ୍କ କାର୍ଯ୍ୟ ଓ ସେମାନଙ୍କର ଇତିହାସ :

ପାଇକମାନେ ସାଧାରଣତଃ ଶାନ୍ତି ସମୟରେ ଚାଷ କାମକରୁଥିଲେ ଓ ଅନ୍ୟ ସମୟରେ ରାଜାଙ୍କ ସୈନ୍ୟଭାବେ କାର୍ଯ୍ୟ କରୁଥିଲେ । ୧୮୧୭ରେ ହୋଇଥିବା ବିଦ୍ରୋହରେ ପାଇକମାନେ ପୂର୍ବଭାରତରେ ବ୍ରିଟିସ୍‌ମାନଙ୍କ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲେ । ବଙ୍ଗ ପ୍ରଦେଶ ଅପେକ୍ଷା ଇଂରେଜମାନଙ୍କୁ ଓଡ଼ିଶାରେ ହିଁ ଅଧିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆଉ ପାଇକ ହିଁ ଥିଲେ ତା ମୂଳର ପୁଞ୍ଜି ।

ଖୋର୍ଦ୍ଧା ରାଜା ପାରିବାରିକଭାବେ ଜଗନ୍ନାଥ ମନ୍ଦିରର ସଂରକ୍ଷକ ଥିଲେ । ଜଗନ୍ନାଥଙ୍କ ପ୍ରତିନିଧିଭାବେ ସେମାନେ ଶାସନ କରୁଥିଲେ । ଓଡ଼ିଶା ଲୋକଙ୍କ ରଜନୀତିକ ଓ ସାଂସ୍କୃତିକ ସ୍ୱାଧୀନତାର ପ୍ରତୀକ ଥିଲେ । ଇଂରେଜନମାନେ ବଙ୍ଗଳା ଓ ମାଡ୍ରାସ୍ ପ୍ରାନ୍ତ ଅଧିକାର କରିବା ପରେ ଓଡ଼ିଶାର ଉତ୍ତର ଓ ଦକ୍ଷିଣରେ ନିଜ ଆଧିପତ୍ୟ ସ୍ଥାପନ କରିଥିଲେ । ୧୮୦୩ରେ ଇଂରେଜମାନେ ଏହାକୁ ଅକ୍ତିଆର କରି ନେଇଥିଲେ ।

ପାଇକଙ୍କ ବଂଶଜ :

ମିଲିସିଆ ସେନାର ବଂଶଜ ହିସାବରେ ବକ୍ସି ଜଗବନ୍ଧୁ ମଧ୍ୟ ପାଇକ ଥିଲେ । ୧୮୧୭ରେ ଯେଉଁ ବିଦ୍ରୋହ ଆରମ୍ଭ ହୋଇଥିଲା ସେଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏଥିରେ ପ୍ରାୟ ସବୁ ବର୍ଗର ଲୋକ ସାମିଲ ହୋଇଥିଲେ । ଘୁମୁସର ବର୍ତ୍ତମାନର ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅଦିବାସୀ ଓ ଅନ୍ୟ ଲୋକେ ମଧ୍ୟ ଏହି ବିଦ୍ରୋହରେ ସାମିଲ ହୋଇଥିଲେ । ଘୁମୁସରର ପ୍ରାୟ ୪୦୦ ଆଦିବାସୀ ଖୋର୍ଦ୍ଧାରେ ବ୍ରଟିସ୍ ସରକାରଙ୍କ ବିରୋଧରେ ଖୋଲାଖୋଲି ପ୍ରତିବାଦ ଆରମ୍ଭ କରିଥିଲେ । ଏହାପରେ ପାଇକ ବିଦ୍ରୋହ ଅଧିକ ପ୍ରଭାବୀ ହୋଇଥିଲା ।

କାହାକୁ ଟାର୍ଗେଟ କରୁଥିଲେ ପାଇକ ଓ କାହିଁକି ? 

ପାଇକମାନେ ବ୍ରିଟସ୍ ସରକାରଙ୍କ ପ୍ରତୀକଭାବେ ଥିବା ପୋଲିସ ଷ୍ଟେସନ୍, ପ୍ରଶାସନିକ କାର୍ଯ୍ୟାଳୟ ଉପରେ ପ୍ରଥମେ ଆକ୍ରମଣ କରିଥିଲେ । ଯାହା ଫଳରେ ଇଂରେଜମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ପଳାୟନ କରିଥିଲେ । ଏହାର ଅନ୍ୟ ଏକ କାରଣ ହେଉଛି ପାଇକମାନଙ୍କୁ କୁଜଙ୍ଗ, ନୟାଗଡ଼ ଏବଂ ଘୁମୁସରର,  ଗ୍ରାମ ପ୍ରଧାନ ଏବଂ ସାଧାରଣ ଚାଷୀ ଓ ରାଜାଙ୍କ ଦ୍ୱାରା ସମର୍ଥନ କରାଯାଇଥିଲା । କନ୍ଧମାଳର ରେଣ୍ଡୋ ମାଝିଙ୍କ ସଂଗ୍ରାମ ଆଜି ବି ପିଲାଙ୍କ ପାଠ୍ୟ ପୁସ୍ତକରେ ରହିଛି । ଚନ୍ଦନୀ ହଜୁର ତଥା ଚାଖୀ ଖୁଣ୍ଟିଆ, ଜୟୀ ରାଜଗୁରୁଙ୍କର ବଳୀଦାନ ବେଶ୍ ଉଲ୍ଲେଖନୀୟ ।

ବିଦ୍ରୋହ ପିପିଲି, କଟକ ସମେତ ରାଜ୍ୟର ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଥିଲା । ଆରମ୍ଭରେ ଇଂରେଜମାନଙ୍କୁ ହଟାଇ ଦିଆଗଲା, କିନ୍ତୁ ପରେ ପୁଣି ଜମି ହାତେଇବାପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ଏଣୁ ଇଂରେଜମାନଙ୍କୁ କଡ଼ା ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ବିଦ୍ରୋହୀମାନଙ୍କର ଇଂରେଜଙ୍କ ସହ ଯୁଦ୍ଧ ହେଲା । ଶେଷରେ ୩ ମାସ ମଧ୍ୟରେ ଇଂରେଜମାନେ ସେମାନଙ୍କୁ ହରାଇ ଦେଇଥିଲେ ।

ବହୁ ବିଦ୍ରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଲୋକଙ୍କୁ ବନ୍ଦୀ କରିଥିଲେ ଇଂରେଜମାନେ । ୧୮୧୯ ଯାଏଁ ବିଦ୍ରୋହୀମାନେ ଗରିଲା ଯୁଦ୍ଧ ଲଢ଼ିଥିଲେ । ୧୮୨୫ରେ ବକ୍ସି ଜଗବନ୍ଧୁଙ୍କୁ ଗିରଫ କରାଗଲା । ୧୮୨୯ରେ ବନ୍ଦୀଭାବେ ତାଙ୍କର ମୃତ୍ୟୁ ହୋଇଥିଲା ।

ଇଂରେଜଙ୍କ ବିରୋଧରେ ଏହି ଲଢ଼େଇର କାହାଣୀକୁ ଶୁଣି ଶୁଣି ଓଡ଼ିଶାରେ ପିଲାମାନେ ବଡ଼ ହୋଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଜାତୀୟସ୍ତରରେ ଏହା ଉପରେ ଯେତିକି ଧ୍ୟାନ ଦିଆଯିବା କଥା ତାହାଠରୁ କମ୍ ଧ୍ୟାନ ଦିଆଯାଇଛି ।

କିନ୍ତୁ ଖୁସିର କଥା କି ଭାରତ ସରକାର ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିକୁ ଅତି ଧୁମ୍‌ଧାମରେ ପାଳନ କରିଛନ୍ତି । ଏବେ ବି ଏ ଦିଗରେ ଅନେକ କିଛି କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି । ତେବେ ଏହି ଅବସରେ ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାଦଦେଶରେ ପାଇକ ଭବନର ଶିଳାନ୍ୟାସ କରିବେ । ଏଥିସହ ପ୍ଳାଟିନମ୍‌ ଜୁବଲି ସମାରୋହର ଉଦ୍‌ଯାପନୀ ସମାରୋହରେ ଯୋଗଦେବେ । ଏଥିସହ ପାଇକ ବିଦ୍ରୋହ ସ୍ମୃତିରେ ଏକ ଡାକ ଟିକଟ ଓ ମୁଦ୍ରା ପ୍ରଚଳିତ ହେବ ।

ଆଜିର ରାଶିଫଳ (୦୭.୧୨.୨୦୧୯) ଶନିବାର

ତାରିଖ୦୭.୧୨.୨୦୧୯ ଶନିବାର

ମେଷ- ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଶାରିରୀକ ଅସୁସ୍ଥତା ଜନିତ ସମସ୍ୟା ଦେଖା ଦେଇପାରେ । ଅଯଥା ଭ୍ରମଣ ଓ ଅପବ୍ୟୟ ହୋଇପାରେ ।ପାରିବାରିକ ଜୀବନ ଅଶାନ୍ତ ରହିବ ।

ବୃଷ- ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ଯୋଗ ରହୁଛି । ଚିନ୍ତା କରିଥିବା କାର୍ଯ୍ୟରେ ମଫଳ ହେବେ । ପିତା, ମାତା, ଗୁରୁ, ଗୁରୁଜନ ମାନଙ୍କର କୃପାଲାଭ କରିବେ । ସାମାଜିକ କର୍ମରେ ତତ୍ପର ହେବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।

ମିଥୁନ- କର୍ମ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବେ । ସାଂଗଠନିକ କାର୍ଯ୍ୟରେ ନେତୃତ୍ୱଲାଭ କରିବେ । କଳା, ସଙ୍ଗୀତ, ଓ ସାହିତ୍ୟ ପ୍ରତି ରୁଚି ବୃଦ୍ଧି ପାଇବ । ପାରିବାରିକ ଜୀବନ ସୁଖମୟ ହେବ ।

କର୍କଟ- ସୁ ସମ୍ବାଦ ପାଇ ମନର ଖୁସି ବହୁ ଗୁଣିତ ହେବ । କର୍ମ କ୍ଷେତ୍ରରେ ଲାଭବାନ ହେବେ । ବନ୍ଧୁ ବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । ସାମାଜିକ ସ୍ତରରେ ଯଶ, ଖ୍ୟାତି ସମ୍ପନ୍ନ ହେବ ।

ସିଂହ- ପାରିବାରିକ ଜୀବନ ଅଶାନ୍ତ ରହିପାରେ । କୌଣସି କାରଣରୁ ପଡ଼ୋଶୀଙ୍କ ସହିତ ବିବାଦୀୟ ହୋଇପାରନ୍ତି । କର୍ମକ୍ଷେତ୍ରରେ ସମାଲୋଚିତ ହେବେ । ଆୟ ତୁଳନାରେ ବ୍ୟୟ କମ୍ ହେବ ।

କନ୍ୟା- ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରସଂଶିତ ହେବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ପାରିବାରିକ ଜୀବନ ଶୁଖଶାନ୍ତିରେ କଟିବ ।

ତୁଳା- ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ହେବ । ବହୁ ଦିନରୁ ଲାଗି ରହିଥିବା ବିବାଦର ସମାଧାନ ହେବ । ଦୃଢ଼ ମନୋବଳ ପାଇଁ କର୍ମ କ୍ଷେତ୍ରରେ ପ୍ରତିଷ୍ଠିତ ହେବେ । ପାରିବାରିକ ଓ ସାମାଜିକ ଜୀବନ ସୁଖମୟ ହେବ ।

ବିଛା- କର୍ମ କ୍ଷେତ୍ରରେ ନିଷ୍ଠାବାନ ହେବେ । ସାମାନ୍ୟ ଶାରିରୀକ ଅସୁସ୍ଥତା ମନକୁ ବିବ୍ରତ କରିବ । ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ହେବ । ପାରିବାରିକ ଜୀବନ ସୁଖମୟ ହେବ ।

ଧନୁ- ସାନସିକ ଅସ୍ଥିରତା ବୃଦ୍ଧି ପାଇବ । ଗୁପ୍ତ ଶତ୍ରୁମାନେ ନାନା ପ୍ରକାର ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । କର୍ମ କ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ପାରିବାରିକ ଜୀବନ ବିଶାଦଗ୍ରସ୍ଥ ରହିପାରେ ।

ମକର- ଦିନଟି ଭଲରେ କଟିବ । ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବ । ଗବେଷଣାତ୍ମକ ଦିଗରେ ରୁଚି ବଢିବ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସଙ୍ଗଛଠିତ ହୋଇପାରେ ।

କୁମ୍ଭ- ଶରୀର ସୁସ୍ଥ ରହିବ । ବ୍ୟୟାଧିକ କାରଣରୁ ମାନସିକ ଚାପଗ୍ରସ୍ଥ ରହିବେ । କର୍ମ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଦେଖାଦେଇପାରେ । ପାରିବାରିକ ଜୀବନ ସୁଖମୟ ହେବ ।

ମୀନ- ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ସୁଧାର ଆସିବ । ମାନସିକ ସ୍ଥିତି ଦୃଢ ରହିବ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । ପାରିବାରିକ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ ।

ଯୋଗାଯୋଗ- ୯୮୬୧୨୭୧୫୫୭