spot_img
Home Blog Page 7542

ମହାରାଷ୍ଟ୍ରରେ ଆଜିଠୁ ଆରମ୍ଭ ଠାକ୍‌ରେ ଯୁଗ: ଐତିହାସିକ ମୁହୁର୍ତ୍ତର ସାକ୍ଷୀ ହେବ ଶିବାଜୀ ପାର୍କ, ସଂଧ୍ୟା ୬ଟା ୪୦ରେ ଶପଥ ଗ୍ରହଣ

ପଶ୍ଚିମରେ ନୂଆ ସୂର୍ଯ୍ୟୋଦୟ। ମହାରାଷ୍ଟ୍ରରେ ଆଜିଠୁ ଆରମ୍ଭ ହେଉଛି ଠାକ୍‌ରେ ଯୁଗ। ଐତିହାସିକ ମୁହୁର୍ତ୍ତର ସାକ୍ଷୀ ହେବ ଶିବାଜୀ ପାର୍କ। ପ୍ରଥମ ଥର ପାଇଁ ଠାକ୍‌ରେ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀ ହେବେ। ଉଦ୍ଧବ ଠାକ୍‌ରେଙ୍କର ହେବ ରାଜ୍ୟଭିଷେକ। ସଂଧ୍ୟା ୬ଟା ୪୦ରେ ଶପଥ ଗ୍ରହଣ ସମାରୋହ ହେବ।

ଶିବସେନା ସହ ଏନ୍‌ସିପି ଓ କଂଗ୍ରେସର ନୂଆ ମେଣ୍ଟ ‘ମହାବିକାଶ ଆଘାଡ଼ି’ ସରକାର ଗଠନ କରିବ। ଆଜି ଉଦ୍ଧବଙ୍କ ସହ ତିନି ଦଳର ଦୁଇ ଜଣ ଲେଖାଏଁ ନେତା ଶପଥ ନେବେ। ଶିବସେନାରୁ ସୁଭାଷ ଦେଶାଇ ଓ ଏକନାଥ ସିନ୍ଦେ ମନ୍ତ୍ରୀ ପଦର ଶପଥ ନେବେ। ସେପଟେ ଏନ୍‌ସିପିରୁ ଜୟନ୍ତ ପାଟିଲ, ଛଗନ ଭୁଜବଳ ଏବଂ କଂଗ୍ରେସରୁ ବାଲାସାହେବ ଥୋରଟ୍‌ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଶପଥ ନେବେ ବୋଲି ଜଣାପଡିଛି। ପୂର୍ବରୁ ଉଭୟ ଏନ୍‌ସିପି ଓ କଂଗ୍ରେସରୁ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିଲା।

ତେବେ ଗତକାଲି ବୈଠକରେ ଏନ୍‌ସିପିରୁ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସରୁ ବାଚସ୍ପତି ହେବା ନେଇ ସ୍ଥିର ହୋଇଛି। ମଙ୍ଗଳବାର ଶିବସେନା, ଏନସିପି ଓ କଂଗ୍ରେସର ନୂଆ ମେଣ୍ଟ ‘ମହାବିକାଶ ଆଘାଡ଼ି’ ପକ୍ଷରୁ ଉଦ୍ଧବ ଠାକରେ ନେତା ନିର୍ବାଚିତ ହୋଇଥିଲେ ।

ଗଞ୍ଜାମ ଜିଲ୍ଲାରେ ହତ୍ୟାକାଣ୍ଡ: ଘରେ କେହି ନଥିବା ବେଳେ ମହିଳାଙ୍କ ତଣ୍ଟିକାଟି ହତ୍ୟା କଲେ ଦୁର୍ବୃତ୍ତ

0

ଗଂଜାମ ଜିଲ୍ଲା ବଡଗଡ ଥାନା ତଥା ଶେରଗଡ ବ୍ଳକର ବାରସିଙ୍ଗି ଗାଁରେ ଗତ ରାତ୍ରିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡରେ କବିତା ସେଠି ନାମକ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି । କୌଣସି ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରାଯାଇଥିବା ଜଣାପଡିଛି ।

ତେବେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ବରଗଡ଼ ଓ ଶେରଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଅ।ରମ୍ଭ କରିଛନ୍ତି । ଘରେ କେହି ନଥିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।

ଆଜିର ରାଶିଫଳ (୨୮/୧୧/୨୦୧୯)

                  ଆଜିର ପଞ୍ଚାଙ୍ଗ

ଆଜି ୨୦୧୯ ମସିହା ନଭେମ୍ବର ୨୮ ତାରିଖ, ଗୁରୁବାର, ମାର୍ଗଶିର ଶୁକ୍ଳପକ୍ଷ, ସୌରମାସ, ବିଛାଚନ୍ଦ୍ର ପ୍ରାତଃ ୭/୩୪ ଗତେ ଧନୁ, ଧୁତି ଯୋଗ, ବାଳବ କରଣ ।

ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିର ପ୍ରାତଃ ୭/୩୪ଗତେ ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ।

ଘାତବାର- ତୁଳା, କୁମ୍ଭ ରାଶିର

ଘାତଚନ୍ଦ୍ର- ପ୍ରାତଃ ୭/୩୪ ଗତେ ତୁଳା ଓ କୁମ୍ଭ ରାଶିର

ରାହୁକାଳ- ଦିବା ୧୨/୫୬ମି.ରୁ ଦିବା ୨/୧୮ମି.

କାଳବେଳା- ଦିବା ୨/୧୭ମି.ରୁ ଦିବା ୩/୪୦ମି.

ଶୁଭବେଳା- ଦିବା ୧/୨୩ମି.ରୁ ଦିବା ୨/୧୫ମି.

ପର୍ବପର୍ବାଣୀ- ମାଣବସା ଗୁରୁବାର (୩ୟ ପାଳି)

              ଆଜିର ରାଶିଫଳ

ମେଷ- ପାରିବାରିକ ସୁଖଶାନ୍ତି ବଜାୟ ରହିବ । ମାଲିମୋକଦ୍ଦମା ମୂଳକ କାର୍ଯ୍ୟରେ ଜୟଯୁକ୍ତ ହେବେ । ଆର୍ଥିକ ଅଭିବୃଦ୍ଧି ଘଟିବ । ବିବାଦମୟ ପରିସ୍ଥିତିର ଅନ୍ତ ଘଟିବ ।

ବୃଷ- ଚିନ୍ତା କରୁଥିବା କାର୍ଯ୍ୟରେ ସଫଳତା ପାଇବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସଂଗଠିତ ହୋଇପାରେ । ପୁରାତନ ବନ୍ଧୁ ମାନଙ୍କ ସହଯୋଗ ପ୍ରାପ୍ତିହେବେ । କର୍ମ କ୍ଷେତ୍ରରେ ପ୍ରଶଂସନୀୟ ହେବେ ।

ମିଥୁନ- ଏକାବେଳକେ ଅନେକ କାର୍ଯ୍ୟ ହାତକୁ ନେବେ । ବିଭିନ୍ନ ସୂତ୍ରତୁ ଅର୍ଥ ଆଗମନ ହେବ । ଗଠନ ମୂଳକ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ ।

କର୍କଟ- ଜୀବନ ସାଥିଙ୍କ ବ୍ୟବହାର ମନକୁ ଚାପଯୁକ୍ତ କରିବ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ସାମାନ୍ୟ ସ୍ୱାସ୍ଥ୍ୟଗତ ପୀଡା ଅନୁଭବ କରିପାରନ୍ତି । ବହୁ ଦିନର ଅପେକ୍ଷାର ଅନ୍ତ ଘଟିବ ।

ସିଂହ- କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବେ । ରଚନାତ୍ମକ ଦିଗରେ ମନ ବଳିବ । ପାରିବାରିକ ଜୀବନରେ ସୁଖର ବାତାବରଣ ସୃଷ୍ଟି ହେବ । ବନ୍ଧୁ ସହଯୋଗ ପ୍ରାପ୍ତି ହେବେ ।

କନ୍ୟା- ମାନସିକ ସ୍ଥିତି ଅଶାନ୍ତ ରହିବ । କର୍ମ କ୍ଷେତ୍ରରେ ସମାଲୋଚିତ ହେବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନରହିଲେ ଅଭାବନୀୟ ପରିସ୍ଥିତି ଉପୁଜିପାରେ । ପ୍ରିୟ ପରିଜନ ମାନଙ୍କର କଟୁକ୍ତିର ଶିକାର ହେବେ ।

ତୁଳା- ଘାତଚ଼ନ୍ଦ୍ର ଓ ଘାତବାର ହେତୁ ସାବଧାନତା ଅବଲମ୍ବନ କରନ୍ତୁ । ଆର୍ଥିକ କ୍ଷତିର ସମ୍ଭାବନା ଅଧିକ । ଗୃହଜୀବନରେ ବିବାଦୀୟ ହୋଇପାରନ୍ତି । ମାନସିକ ସ୍ଥିତି ଅସ୍ଥିର ରହିବ ।

ବିଛା- ଗୃହରେ ମାଙ୍ଗଳିକ କାର୍ଯ୍ୟ ସଂଗଠିତ ହେବ । ପୂରାତନ ବନ୍ଧୁ ମାନଙ୍କ ସହଯୋଗ ପ୍ରାପ୍ତି ହେବେ । ମାନସିକ ଶାନ୍ତି ଅବ୍ୟାହତ ରହିବ । ଦିନଟି ମଂଗଳମୟ ହେବ ।

ଧନୁ- କର୍ମକ୍ଷେତ୍ରରେ ଅସ୍ଥିରମନା ରହିବେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶତ୍ରୁମାନେ ସମସ୍ୟା ସୃଷ୍ଟି କରିବେ । ମାନସିକ ସ୍ଥିତି ଅସ୍ଥିର ରହିବ । ସନ୍ତାନ ସନ୍ତତି ମାନଙ୍କୁ ନେଇ ଚିନ୍ତିତ ରହିବେ ।

ମକର- ବ୍ୟସ୍ତ ବିବ୍ରତ ମଧ୍ୟରେ ଦିନଟି କଟିବ । ଅର୍ଥ ପ୍ରାପ୍ତିର ଯୋଗ ରହୁଛି । ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ଲାଭ କରିବେ । କର୍ମମୟ ଜୀବନ ଅଶାନ୍ତ ରହିବ ।

କୁମ୍ଭ- ସାମାନ୍ୟ କଥାକୁ କେନ୍ଦ୍ର କରି ବଡ଼ ଧରଣର ବଚସା ହୋଇପାରେ । କର୍ମ କ୍ଷେତ୍ରରେ ସ୍ଥିର ରହିବେ । ବୁଝିବିଚାରି ପୁଞ୍ଜି ବିନିଯୋଗ କରନ୍ତୁ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।

ମୀନ- ସାମାଜିକ କର୍ମରେ ନିଜକୁ ଲିପ୍ତ ରଖିବେ । କର୍ମକ୍ଷେତ୍ରରେ ପ୍ରସଂଶାର ପାତ୍ର ହେବେ । ସାମାନ୍ୟ ଶାରିରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।

ଯୋଗାଯୋଗ- ୯୮୬୧୨୭୧୫୫୭

ମେନ୍ ଇନ୍ ବ୍ଳୁରେ ଓଡ଼ିଆ ଦୃଷ୍ଟିବାଧିତ କ୍ରିକେଟର

  ଭୁବନେଶ୍ୱର (ଅନୁଜ ଦାସ): ଇନ୍ଦ୍ରଧନୁର ସାତ ରଙ୍ଗ ସେ ଦେଖିନି । ଦେଖିନି ନୀଳ ଆକାଶର ସୌନ୍ଦର୍ଯ୍ୟ ।  ରଙ୍ଗ ବୋଲି କେବଳ କଳା ହିଁ ଜାଣିଛି ।  ହଁ , ସେ ଦୃଷ୍ଟିବାଧିତ ।  ସେଥିପାଇଁତ  ରଙ୍ଗ ବେରଙ୍ଗର ଏହି ଦୁନିଆ ଦେଖିବାକୁ ସେ ଅସମର୍ଥ ।  ବାପା ଛେଉଣ୍ଡ କାଳିଆକୁ ଆଗକୁ ବଢିବା ପାଇଁ ମା’ ହିଁ ସାହାସ ଦେଇଛି ।  ବ୍ରହ୍ମପୁରର ଚିକିଟି ବ୍ଲକର ଆମ୍ବ ଗାଁରେ କାଳିଆର ଘର । ଘର କହିଲେ ସରକାରୀ ଯ଼ୋଜନାରେ ମିଳିଥିବା ଖଣ୍ଡେ ଘର । ମୂଲ ଲାଗିଲେ ପରିବାର ଚଳେ । ଓଳିଏ ଖାଇ ଓଳିଏ ଓପାସ  ରହୁଥିବା ଏହି ପିଲା କ’ଣ ବଡ ସ୍ୱପ୍ନ ଦେଖିପାରିବ ।

ନିସ୍ତବ୍ଧ ରାତିରେ ଶୋଇଗଲା ପରେ ନୁହଁ ବରଂ ରାତି ଦିନ ସବୁବେଳେ ସେ ଦେଖୁଥାଏ  ଏକ ନିଆରା ସ୍ୱପ୍ନ । ‘କ୍ରିକେଟର ହେବି , ଭାରତ ପାଇଁ ଖେଳିବି ‘।  ଗରିବ ପରିବାରରେ ଜନ୍ମ ହୋଇଥିବା ଜଣେ ପିଲା ଏତ ବଡ ସ୍ୱପ୍ନ ଦେଖିବା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଦିନ ମଜୁରିଆ ଘରେ ରହିଲେ ବି ସେ ଦେଖିଥିଲା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିବାର ସ୍ୱପ୍ନ ।  ତୁଳସୀ ଦୁଇ ପତ୍ର ରୁ ବାସିଲା ଭଳି କାଳିଆ ପିଲାବେଳୁ ହିଁ କ୍ରିକେଟ ଖେଳିବାକୁ ଆରମ୍ଭ କରିଦେଇଥିଲା ।

2009ରେ ଓଡିଶା ଦୃଷ୍ଟିହୀନ କ୍ରିକେଟ ସଂଘ ଅଧିନରେ ପ୍ରଫେସନାଲ କ୍ରିକେଟ ଖେଳିବା ଆରମ୍ଭ କଲା ।  ସମୟ ଗଡିଚାଲିଥାଏ କିନ୍ତୁ ଅନ୍ତର୍ଜାତୀୟ ଟୂର୍ଣ୍ଣାମେଣ୍ଟରେ ଖେଳିବାର ସୁଯ଼ୋଗ ପାଉନଥିଲେ କାଳିଆ । କିନ୍ତୁ

ହାର ମାନିନଥିଲେ , ଜାରି ରଖିଥିଲେ ଅଭ୍ୟାସ । ବିଳମ୍ବରେ ହେଉ ପଛେ ନିଷ୍ଠାର ଫଳ ପାଇଛନ୍ତି କାଳିଆ ।  ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି କାଳିଆ ।  ନେପାଳ ବିପକ୍ଷରେ ହେବାକୁ ଥିବା ଏକ ଦିବସୀୟ ଓ ଟି-୨୦ ମ୍ୟାଚରେ ନିଜର ଦକ୍ଷତା ଦେଖାଇବେ ଅଲରାଉଣ୍ଡର କାଳିଆ । ଏହା କାଳିଆଙ୍କ ଡେବ୍ୟୁ ସିରିଜ ।  ଦଳରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ଏହି ସିରିଜରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଟାର୍ଗେଟ ରଖିଛି କାଳିଆ ପ୍ରଧାନ ।

ଓଡ଼ିଶାରେ ଦୁର୍ନୀତି କମ୍, କେଉଁ ରାଜ୍ୟରେ ଅଧିକ ପଢ଼ନ୍ତୁ ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶାରେ ଦୁର୍ନୀତି ବଢ଼ୁଛି ବୋଲି ଡିଣ୍ଡିମ ପିଟୁଥିବା ଲୋକଙ୍କ ମୁହଁରେ ଶକ୍ତ ଚାପୁଡ଼ା ବାଜିଛି । ଟ୍ରାନ୍ସପରେନ୍ସି ଇଣ୍ଟରନାସନାଲ ଇଣ୍ଡିଆ ପକ୍ଷରୁ ବିଭିନ୍ନ ରାଜ୍ୟରେ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣାଯାଇଛି ଯେ, ଓଡ଼ିଶାରେ ଦୁର୍ନୀତି ବହୁତ କମ୍‌ ।

କିନ୍ତୁ ରିପୋର୍ଟକୁ ଅନୁଶୀଳନ କଲେ ଯାହା ଜଣାପଡ଼ୁଛି, ବିଜେପି ଶାସିତ ରାଜ୍ୟରେ ଓଡ଼ିଶାଠାରୁ ଅଧିକ ଦୁର୍ନୀତି ହେଉଛି । ଦଳ ଭ୍ରଷ୍ଟାଚାର ବିରୋଧୀ ବୋଲି କହୁଥିବା ବେଳେ ବିଜେପି ଶାସିତ ରାଜ୍ୟରେ ଅଧିକ ଦୁର୍ନୀତି ଦଳର ମୁହଁକୁ କଳା କରିଛି ।  ଉତ୍ତରପ୍ରଦେଶ ଆଉ ଝାଡ଼ଖଣ୍ଡ, ବିହାରରେ ବିଜେପି ଶାସନ ଥାଇ ମଧ୍ୟ ଦୁର୍ନୀତି ଅଧିକ ରହିଛି । ତାମିଲନାଡୁ, ରାଜସ୍ଥାନ, ପଞ୍ଜାବ, ତେଲେଙ୍ଗାନା ଅବସ୍ଥା ମଧ୍ୟ ତଦ୍ରୁପ। ଏହି ସବୁ ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ଲୋକେ ବିଭିନ୍ନ କାମ ପାଇଁ ଅଫିସର ବା ଉପରିସ୍ଥ ଅଧିକାରୀଙ୍କୁ ଲାଞ୍ଚ ଦିଅନ୍ତି । ସେହିପରି ୫୦ରୁ ୫୯ ପ୍ରତିଶତ ଲୋକ ଲାଞ୍ଚ ଦେଉଥିବା ରାଜ୍ୟ ହେଉଛନ୍ତି ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ।

୪୯ ପ୍ରତିଶତ ବା କମ୍ ଲାଞ୍ଚ କାରବାର ହେଉଥିବା ରାଜ୍ୟ ମଧ୍ୟରେ ରହିଛନ୍ତି ଓଡ଼ିଶା, ପଶ୍ଚିମବଂଗ, ଦିଲ୍ଲୀ, ହରିଆଣା, ଗୁଜରାଟ, ଗୋଆ ଆଉ କେରଳ । ବିଜେପି ଶାସିତ ରାଜ୍ୟ ଭିତରେ କେବଳ ହରିଆଣାରେ ଦୁର୍ନୀତି କମ୍ ରହିଛି । ଓଡ଼ିଶାରେ ମୋ ସରକାର ଲାଗୁ ହୋଇଥିବାରୁ ଆଗାମୀ ଦିନରେ ଦୁର୍ନୀତି ଆହୁରି କମିବ ବୋଲି ଆଶା କରାଯାଉଛି ।

ରିପୋର୍ଟରେ କୁହାଯାଇଛି ଯେ, ଗତ ବର୍ଷକ ମଧ୍ୟରେ ଭାରତରେ ଦୁର୍ନୀତି ୧୦ ପ୍ରତିଶତ କମିଛି । ସାଂଘାତିକ କଥା ହେଉଛି, ୫୧ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ, ଗତ ବର୍ଷକ ମଧ୍ୟରେ ବିଭିନ୍ନ କାମ ପାଇଁ ତାଙ୍କୁ ଲାଞ୍ଚ ଦେବାକୁ ପଡ଼ିଛି । ଦେଶର ୨୪୮ ଜିଲ୍ଲାରେ ୧ ଲକ୍ଷ ୯୦ ହଜାର ଲୋକଙ୍କ ମତାମତକୁ ଭିତ୍ତି କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଯାହା ତଥ୍ୟ ମିଳିଛି ଜମିବାଡ଼ି ମାମଲା, ସଂପତ୍ତି ପଞ୍ଜୀକରଣ, ପୁଲିସ, ପୌରାଞ୍ଚଳରେ ଦୁର୍ନୀତି ଅଧିକ ହେଉଛି । ଆଉ ଏକ ସାଂଘାତିକ କଥା ହେଉଛି, ୩୮ ପ୍ରତିଶତ ଲୋକ ଭାବୁଛନ୍ତି କାମ ହେଇଯିବା ପାଇଁ ଲାଞ୍ଚ ହିଁ ଏକ ମାତ୍ର ମାଧ୍ୟମ  । ତେଣୁ ସେମାନେ ଲାଞ୍ଚ ଦିଅନ୍ତି । ୧୬ ପ୍ରତିଶତ ଲୋକଙ୍କ ମତରେ ସିସିଟିଭି ଲାଗିଥିବା ଅଫିସରେ ବି ଦୁର୍ନୀତି ହେଉଛି । ଲାଞ୍ଚ କାରବାରରେ ନଗଦ ଟଙ୍କା ହିଁ କାରବାର ହେଉଥିବା ରିପୋର୍ଟରେ କୁହାଯାଇଛି ।

ଦେଶକୁ ଗୌରବାନ୍ୱିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ହକି ବିଶ୍ୱକପ୍‌ ଭଳି ଏକ ସମ୍ମାନଜନକ ପ୍ରତିଯୋଗିତାର ଆୟୋଜନ ଯେକୌଣସି ଦେଶ ପାଇଁ ଗୌରବର କଥା ହୋଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ନିଜ ମାଟିରେ ଏହି ପ୍ରତିଯୋଗିତା ଆୟୋଜନ କରି ଦେଶକୁ ଗୌରବାନ୍ୱିତ କରାଇଛନ୍ତି । ଗତ ବିଶ୍ୱକପ୍‌କୁ ସଫଳତାର ସହ ଆୟୋଜନ କରିବା ପରେ ପୁଣି ୨୦୨୩ ବିଶ୍ୱକପ୍‌ ଆୟୋଜନ ଲାଗି ଅନୁମତି ପାଇଛି ଓଡ଼ିଶା । FIH ନଜରରେ ଓଡ଼ିଶା ହିଁ ହେଉଛି ସର୍ବୋତ୍କୃଷ୍ଟ ସ୍ଥାନ, ଯେଉଁଠି ହକି ବିଶ୍ୱକପ୍‌ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇପାରିବ । କାରଣ ପୂର୍ବରୁ ହକି ବିଶ୍ୱକପ, ଆଥଲେଟିକ୍‌ ମିଟ୍‌, ଏସିଆନ ରଗବୀ, ଆଇଏସଏଲ ଲିଗ୍‌, ଏଚଆଇଏଲ, ଓ୍ୱାର୍ଲ୍ଡ ହକି ଲିଗ, ଅନ୍ତର୍ଜାତୀୟ ଟେବୁଲ ଟେନିସ ପ୍ରତିଯ଼ୋଗିତା, ଚାମ୍ପିୟନ୍ସ ଟ୍ରଫି ଭଳି ଅନ୍ତର୍ଜାତୀୟ ପ୍ରତିଯ଼ୋଗିତାକୁ ସଫଳତାର ସହ ଆୟୋଜନ କରି ବିଶ୍ୱସ୍ତରରେ ଓଡ଼ିଶା ବେଶ ପ୍ରଶଂସା ସାଉଁଟିଛି।

ସବୁଠୁ ବଡ଼ କଥା ହେଉଛି ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ କି ଉତ୍ସର୍ଗୀକୃତ ମନୋଭାବ ନେଇ କ୍ରୀଡ଼ାର ବିକାଶ ପାଇଁ ଚିନ୍ତା କରୁଛନ୍ତି, ଆଉ ନିଜ ମାଟିରେ ପ୍ରତିଯୋଗିତା ଆୟୋଜିତ କରି କ୍ରୀଡ଼ା ପ୍ରେମୀଙ୍କୁ ଉତ୍ସାହିତ କରୁଛନ୍ତି । ପୂର୍ବରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଓଡ଼ିଶାଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ଆଉ କ୍ରୀଡ଼ା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଓ ଓଡ଼ିଶାବାସୀଙ୍କ ସହଯୋଗ ଅନନ୍ୟ ବୋଲି କହିଥିଲେ ।

ଏବେ ହକି ଭେନ୍ୟୁ କଥା ଉଠିବା ମାତ୍ରେ ସମସ୍ତଙ୍କ ନଜର କଳିଙ୍ଗ ଷ୍ଟାଡିୟମ୍‌ ଉପରେ ହିଁ ପଡ଼ୁଛି । ଭାରତ ଲଗାତାର ଦ୍ୱିତୀୟ ଥରପାଇଁ ଏହି ପ୍ରତିଯୋଗିତା ଆୟୋଜନ କରିବାର ସୁଯୋଗ ପାଇଛି । ଭାରତ ପାଇଁ ସବୁଠୁ କଥା ହେଉଛି ଓଡ଼ିଶା ଭଳି ଏକ ରାଜ୍ୟ ଏହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରି ହକି ମାନଚିତ୍ରରେ ଦେଶକୁ ଏକ ମର୍ଯ୍ୟଦାଜନକ ସ୍ଥାନ ଦେଇଛି ।

ବିଶ୍ୱ ହକିର ଗ୍ଳୋବାଲ ସେଣ୍ଟର ଓଡ଼ିଶା: ୨୦୨୩ରେ ପୁଣି ବିଶ୍ୱକପ୍‌

ଭୁବନେଶ୍ୱର: ଓଡ଼ିଶାରେ ହେବ ୨୦୨୩ ପୁରୁଷ ବିଶ୍ୱକପ୍‌ ହକି । ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ । କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଘୋଷଣା କରିଛନ୍ତି । ଘୋଷଣା କରିସାରି ମୁଖ୍ୟମନ୍ତ୍ରୀ କହିଥିଲେ ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଚିରାଚରିତ ମନ୍ତବ୍ୟ ପରେ ଷ୍ଟାଡିୟମ୍‌ରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଥିଲା । ଏହି ଉତ୍ସବରେ ଭାରତୀୟ ହକି ଫେଡ୍‌ରେସନ୍‌ ସଭାପତି ନରିନ୍ଦର ବାତ୍ରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସୁନ୍ଦରଗଡ଼ରେ ୧୭ଟି ହକି ଟର୍ଫ ସହ ହାଇ ପରଫରମାନ୍ସ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଟର୍ଫ ଏବଂ ହାଇ ପରଫରମାନ୍ସ ସେଣ୍ଟର ଗୁଡ଼ିକର ନିର୍ମାଣ କାର୍ଯ୍ୟ ୧ ବର୍ଷ ମଧ୍ୟରେ ଶେଷ ହେବ ।

ଏଥର ହକି ବିଶ୍ୱକପ୍‌ ଆୟୋଜନ ପାଇଁ ମାଲେସିଆ, ବେଲ୍‌ଜିୟମ୍‌ ଓ ଭାରତ ଦାବିଦାର ଥିଲେ । ସିରିଜ୍‌ ବିଡିଂ ରାଉଣ୍ଡ ପରେ ଇଣ୍ଡିଆକୁ ବିଶ୍ୱକପ୍‌ ଆୟୋଜନ କରିବାର ଅଧିକାର ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଫେଡ୍‌ରେସନ୍‌କୁ ବିଶ୍ୱକପ୍‌ ଆୟୋଜନ ନେଇ ଏଥର ପୁଣି ପ୍ରସ୍ତାବ ଦେଇଥିଲେ । ଏହାପରେ ହକି ଇଣ୍ଡିଆ ଓଡ଼ିଶାକୁ ଭେନ୍ୟୁ ରୂପେ ବାଛିଚି । ଏହି ଘୋଷଣା ପରେ ଓଡ଼ିଶା ଯେ ବିଶ୍ୱ ହକିର ଏକ ଗ୍ଳୋବାଲ୍‌ ସେଣ୍ଟରେ ପରିଣତ ହୋଇଛି ତାହା ସ୍ପଷ୍ଟ ହୋଇଛି ।

ଭୁବନେଶ୍ୱରରେ ଗତଥର ହକି ବିଶ୍ୱକପ୍‌ ସଫଳତାର ସହିତ ଆୟୋଜିତ ହୋଇଥିବାରୁ ହକି ଇଣ୍ଡିଆର ଏହାର ଶ୍ରେୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ । ଅନ୍ୟ ଭେନ୍ୟୁଗୁଡ଼ିକ ଅପେକ୍ଷା ଓଡ଼ିଶା ହିଁ ସବୁଠୁ ଭଲ ଥିବାରୁ ହକି ଇଣ୍ଡଆ ଫେଡରେସନ୍‌ ପୁଣି ଥରେ ଓଡ଼ିଶା ମୁହାଁ ହୋଇଛି ।

ବୁନ୍ଦେ ରକ୍ତରୁ ଜଣାପଡ଼ିବ ୧୩ ପ୍ରକାରର କ୍ୟାନ୍ସର

ଜାପାନ: ଜାପାନର ଅତି ଜଣାଶୁଣା ଉଦ୍ୟୋଗୀ ତୋଶିବାଙ୍କ ଦ୍ୱାରା ସୋମବାର ଏକ ଏମିତି ମେସିନର ଆବିଷ୍କାର କରାଯାଇଛି ଯାହା ଏକ ବୁନ୍ଦା ରକ୍ତରୁ ୯୯ପ୍ରତିଶତ ନିର୍ଭୁଲ ଭାବରେ ୧୩ ପ୍ରକାରର କ୍ୟାନ୍ସରକୁ ପରଖି ପାରିବ । ରୋଗ ଚିହ୍ନିବାର ଏହି କ୍ରାନ୍ତିକାରୀ ପଦ୍ଧତିକୁ ବାହାର କରିବା ପାଇଁ ତୋଶିବା ଜାତୀୟ କର୍କଟ ରୋଗ ପରୀକ୍ଷଣ କେନ୍ଦ୍ର ଓ ଟୋକିଓ ଡାକ୍ତରୀ ମହାବିଦ୍ୟାଳୟର ସାହାଯ୍ୟ ନେଇଥିଲେ ।

ଏହି ମେସିନ ମାଧ୍ୟମରେ ରକ୍ତ ପରୀକ୍ଷଣ କରିବା ଅତ୍ୟନ୍ତ ସରଳ । ଏହି ଯନ୍ତ୍ରରେ ଅତି କ୍ଷୁଦ୍ର ଆରଏନଏର ଅଣୁ ଯାହା ରକ୍ତରେ କର୍କଟ ରୋଗର କଣିକା ଗୁଡିକୁ କ୍ଷରଣ କରେ ତାକୁ ଅତି ସ୍ପଷ୍ଟ ଭାବେ ପରୀକ୍ଷଣ କରିପାରେ ।

କୋଜି ହାସିମୋଟ, ଯିଏକି ତୋଶିବା ଫ୍ରୋଣ୍ଟିୟର ପରୀକ୍ଷଣ କେନ୍ଦ୍ରର ମୁଖ୍ୟ ପରିକ୍ଷଣ ବୈଜ୍ଞାନିକ, ତାଙ୍କ କହିବା ଅନୁସାରେ ଅନ୍ୟ କମ୍ପାନୀ ଗୁଡିକର ପଦ୍ଧତି ତୁଳନାରେ ଏହା ଅତି ନିର୍ଭୁଲ ଭାବରେ କର୍କଟ ରୋଗ ପରୀକ୍ଷଣ କରିପାରେ ।

ଏହା ଚିହ୍ନଟ କରୁଥିବା କ୍ୟାନ୍ସର ଗୁଡିକ ହେଲା ପାକସ୍ଥଳୀ, ଖାଦ୍ୟନଳୀ, ଫୁସଫୁସ୍, ପାଚକ ଗ୍ରନ୍ଥି, ଯକୃତ, ଅନ୍ତବୁଜୁଳି, ପିତ୍ତରସ, ଓଭାରିଆନ୍, ପୁରସ୍ଥଗ୍ରନ୍ଥି, ସ୍ତନ, ମୂତ୍ରାଶୟ, ସାରକୋମା ଓ ଗ୍ଲିଓମା ସମ୍ବଦ୍ଧୀୟ କର୍କଟ ରୋଗ ।

ତେବେ କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗ ପାଇଁ ଏହି ଆବିଷ୍କାର ଲୋକଙ୍କୁ ଅନେକ ସାହାଯ୍ୟ ହେବ ବୋଲି ଆଶା କରାଯାଉଛି ।

 

 

ବାରବାଟୀ ଦିନିକିଆ: ବିସିସିଆଇ ଦେଲା ୧୦ କୋଟି, ଡିସେମ୍ବର ପୂର୍ବରୁ ପ୍ରସ୍ତୁତି ଶେଷ ପାଇଁ ଡେଡଲାଇନ୍

ବାରବାଟୀ ଦିନିକିଆ ପାଇଁ ଓଡ଼ିଶା କ୍ରିକେଟ  ଆସୋସିଏସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତ୍ୟେକ ଦିନ ମାରାଥନ ବୈଠକ ହେଉଛି ଏବଂ ନୂଆ ନୂଆ ପଦକ୍ଷେପ ନିଆଯାଉଛି। ଏହାରି ଭିତରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟା୍ଚ ପାଇଁ ବିସିସିଆଇ ପକ୍ଷରୁ ଓସିଏକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। କ୍ରିକେଟ୍ ମ୍ୟାଚର ଆୟୋଜନ ପାଇଁ ବ୍ୟାପକ୍ ଅର୍ଥ ଆବଶ୍ୟକ ଥିବା ବେଳେ ଓସିଏ ପକ୍ଷରୁ ବିସିସିଆଇକୁ ସହାୟତା ପାଇଁ ଅନୁରୋଧ କରାଯାଇଥିଲା। ଫଳରେ ବିସିସିଆଇ 10 କୋଟି ଟଙ୍କା ଓସିଏକୁ ପ୍ରଦାନ କରିଛି। ଟ୍ୟାକ୍ସ କାଟି ଓସିଏ ନିକଟରେ 9 କୋଟି ଟଙ୍କା ହସ୍ତଗତ ହୋଇଛି। ଯାହା ବର୍ତ୍ତମାନ ସମୟରେ ଓସିଏ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ।  ଅର୍ଥ ନ ମିଳିଥିଲେ ବାରବାଟୀରେ କ୍ରିକେଟ ମ୍ୟାଚ ଆୟୋଜନ କରିବା କଷ୍ଟକର ହୋଇପଡ଼ିଥାନ୍ତା ବୋଲି ଓସିଏ ସମ୍ପାଦକ କହିଛନ୍ତି। ସେ ଏଥିପାଇଁ ବିବିସିଆଇକୁ ଧନ୍ୟବାଦ ଦେଇଛନ୍ତି।

ଏହାସହ ସାଧାରଣ ଲୋକଙ୍କ ସମର୍ଥନ ମିଳିଲେ ଏହି ମ୍ୟାଚ ସଫଳତାର ସହ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ମ୍ୟାଚ ପାଇଁ ରାସ୍ତା. ସଫେଇ, ସୌନ୍ଦର୍ଯ୍ୟକରଣ, ଟିକେଟ ବିକ୍ରି ପାଇଁ ବ୍ୟାରିକେଡ଼ ନିର୍ମାଣ, ପାନୀୟଜଳ ଯୋଗାଣ ପାଇଁ ସୁବ୍ୟବସ୍ଥା ଇତ୍ୟାଦି କାର୍ଯ୍ୟକୁ ଡିସେମ୍ବର ୫ ସୁଦ୍ଧା ସାରିବାକୁ  ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ବାରବାଟୀ ମ୍ୟାଚ ପାଇଁ  ଏଥର ୫୨୦୦ ସିଟ୍ ସଂଖ୍ୟା କମାଇ ଦିଆଯାଇଛି।  ଷ୍ଟାଡିୟମର ୭ନମ୍ବର ଗ୍ୟାଲେରୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ଗ୍ୟାଲେରୀକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ଫଳରେ ପାଖାପାଖି ୫ହଜାର୨ଶହ ସିଟ୍ ସଂଖ୍ୟା କମିଯିବ। ମ୍ୟାଚ ସମୟରେ ବାରବାଟୀ ଷ୍ଟାଡିୟମ ଓ ଏହାର ଆଖାପାଖ ଅଞ୍ଚଳରେ ଯେପରି ବିଦ୍ୟୁତ ସରବରାହ ବ୍ୟାହତ ନ ହୁଏ ସେ ଦିଗ ପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ସେହିପରି ମ୍ୟାଚ ବେଳେ ଦର୍ଶକଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥର ମ୍ୟାଚ ପାଇଁ ଡିସେମ୍ବର ୫ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ। ୧୯ତାରିଖରୁ ବାରବାଟୀ ଷ୍ଟାଡିୟମରେ ଥିବା ବିଭିନ୍ନ କାଉଣ୍ଟରରେ ଲୋକଙ୍କୁ ଅଫଲାଇନରେ ଟିକେଟ ବିକ୍ରି କରାଯିବ। ତେବେ ସମସ୍ତ ପ୍ରସ୍ତୁତି ୫ତାରିଖ ପୂର୍ବରୁ ସାରିବାକୁ ଓସିଏକୁ ବିସିସିଆଇ ନିର୍ଦ୍ଦେଶ ଦେଇଛି।