spot_img
Home Blog Page 7335

କରୋନା ପାଇଁ ସତର୍କତା: ଏଣିକି ଘରେ ରହି କାମ କରିବେ ଅଧା କର୍ମଚାରୀ

ଏଣିକି ଘରେ ରହି କାମ କରିବେ କେନ୍ଦ୍ର ସରକାରଙ୍କ କର୍ମଚାରୀ । କରେନା ସଂକ୍ରମଣକୁ ରୋକିବା ଲାଗି ପୂର୍ବରୁ କଛି ଘରୋଇ କମ୍ପାନୀ ପକ୍ଷରୁ ଓ୍ୱାର୍କ ଫର୍ମ ହୋମ୍ ବ୍ୟବସ୍ଥା ଆରମ୍ଭ କରାଯାଇଥିବା ବେଳେ ଏବେ କେନ୍ଦ୍ର ସରକାର ଲାଗୁ କରିଛନ୍ତି ଏହି ବ୍ୟବସ୍ଥା ।  ଗ୍ରୁପ୍ ବି ଓ ଗ୍ରୁପ ସି ବିଭାଗର ମୋଟ କର୍ମଚାରୀଙ୍କ ମଧ୍ୟରୁ ଅନୁନ୍ୟ ୫୦% କର୍ମଚାରୀ ଘରେ ରହି କାମ କରିବେ ।

ପ୍ରଥମ ସପ୍ତାହରେ ଘରେ ରହି କାମ କରିଥିବା କର୍ମଚାରୀ ଦ୍ୱିତୀୟ ସପ୍ତାହରେ ଅଫିସ୍‌ ଆସି କାମ କରିବେ । ଅପରପକ୍ଷରେ ଅଫିସରେ କାମ କରିଥିବା କର୍ମଚାରୀ ଦ୍ୱିତୀୟ ସପ୍ତାହରେ ଘରେ ରହି କାମ କରିବେ । ତେବେ ଅଫିସ୍‌ ନିକଟରେ ରହୁଥିବା କର୍ମଚାରୀ ଯେଉଁମାନେ ନିଜସ୍ୱ ସାଧନରେ ଘରୁ ଆସୁଥିବେ ସେମାନଙ୍କୁ ପ୍ରଥମ ସପ୍ତାହର ପାଇଁ ପ୍ରସ୍ତୁତ କରାଯାଇଥିବା ସିଫ୍ଟରେ ଅନ୍ତର୍ଭୁକ୍ତ କରିବେ । ସମସ୍ତ ବିଭାଗର ଅଧିକାରୀ ଏହା ସୁନିଶ୍ଚିତ କରିବେ । ସକାଳରୁ ୯ଟାରୁ ସନ୍ଧ୍ୟା ସାଢ଼େ ୫, ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ୬ଟା ଏବଂ ସକାଳ ୧୦ଟାରୁ ସାଢ଼େ ୬  । ଏହି ୩ଟି ସମୟ ସାରଣୀ ଅନୁଯାୟୀ ସିଫ୍ଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଘର କାମ କରିବା ଦିନ କର୍ମଚାରୀମାନେ ଫୋନ କିମ୍ୱା ଅନ୍ୟ କୌଣସି ଇଲୋକଟ୍ରନିକ୍ସ ମାଧ୍ୟମରେ ଯୋଗାଯୋଗରେ ରହିବେ । ଯଦି କୌଣସି ଜରୁରୀ କାମରେ ଅଫିସ ଆସିବାକୁ କୁହାଯାଏ ତାହା ହେଲେ ସେମାନେ ଅଫିସ ଆସିବେ । ଆସନ୍ତା ଏପ୍ରିଲ ୪ ତାରିଖ ଯାଏଁ ଏହି ନିୟମ ଲାଗୁ ରହିବ ।

ଜରୁରୀକାଳୀନ ସେବାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବନାହିଁ ।

ଏ ନେଇ ଭାରତ ସରକାରଙ୍କ ଅତିରିକ୍ତ ସଚିବ ସୁଜାତା ଚର୍ତ୍ତୁବେଦୀ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରାଳୟ ବିଭାଗକୁ ଚିଠି ଲେଖି ଜଣାଇଛନ୍ତି ।

ସବୁଚାଲ ଫେଲ୍‌, ଶେଷରେ କାଲି ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ କାଲି ଫାଶୀ । କାଲି ଭୋର ୫ଟା ୩୦ ମିନିଟରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୁଷ୍କର୍ମକାରୀ । ଏଥିପାଇଁ ପୂର୍ବରୁ ସବୁ ପ୍ରସ୍ତୁତି ସରିଛି । ୪ ଦୁଷ୍କର୍ମକାରୀଙ୍କ ଡମିକୁ ପୂର୍ବରୁ ଫାଶୀଙ୍କୁଣ୍ଟରେ ଝୁଲାଯାଇଥିଲା । ତବେ ଆସନ୍ତା କାଲି ଭୋର ୫ଟା ୩୦ ରେ ୪ ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ । ତେବେ  ନିର୍ଭୟା ଦୋଷୀ ପବନ ଗୁପ୍ତାର ଶେଷ ଚାଲ୍‌ ଫେଲ୍‌ ହୋଇଛି । ଏପଟେ ମୁକେଶର କ୍ୟୁରେଟିଭ ପିଟିସନ ମଧ୍ୟ ଖାରଜ ହୋଇଛି ।  ସୁପ୍ରିମକୋର୍ଟରେ ଉଭୟଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହୋଇଛି।

୨୦୧୨ ନିର୍ଭୟା ଦୁଷ୍କର୍ମ ବେଳେ ସେ ନାବାଳକ ଥିବା ନେଇ ପବନ ଆବେଦନରେ ଦର୍ଶାଇଥିଲା। ତେବେ ଏହାକୁ ଅଗ୍ରାହ୍ୟ କରିଛନ୍ତି ସର୍ବୋଚ୍ଚ କୋର୍ଟ। ଗତ ମଙ୍ଗଳବାର ସୁପ୍ରିମକୋର୍ଟରେ ପବନ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିଲା। ଏଥିରେ ନିଜକୁ ନାବାଳକ ଦର୍ଶାଇ ଫାଶୀ ଦଣ୍ଡାଦେଶ ଏଡାଇବାକୁ ପବନ ଆବେଦନ କରିଥିଲା। ତେବେ ସର୍ବୋଚ୍ଚ କୋର୍ଟ ଏହାକୁ ଖାରଜ କରିଛନ୍ତି। ଏହାପୂର୍ବରୁ ସୁପ୍ରିମକୋର୍ଟରେ ପୁନିଃବିଚାର ଆବେଦନ ଦାଖଲ କରି ଅପରାଧ ସମୟରେ ନାବାଳକ ଥିବା ନେଇ ଦଲିଲ୍‌ ଦେଇଥିଲା ପବନ।

ଫାଶୀର ୨ ଘଣ୍ଟା ପରେ ମଧ୍ୟ ଜୀବିତ ଥିଲା ଦୁଷ୍କର୍ମ ଓ ହତ୍ୟା ମାମଲାର ଏହି ଦୋଷୀ

ଏହାକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ପୁଣି କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିଲା ପବନ। ଏଥିରେ ମୃତ୍ୟୁଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡାଦେଶ ପାଇଁ ଆବେଦନ କରିଥିଲା ଦୋଷୀ ପବନ ଗୁପ୍ତା। ଅନ୍ୟପଟେ ଫାଶୀର ଦିନକ ପୂର୍ବରୁ ନିର୍ଭୟା ଦୋଷୀ ମୁକେଶର ନୂଆ ଷଡ଼ଯନ୍ତ୍ର ମଧ୍ୟ ଫେଲ ମାରିଛି । ଫାଶୀ ରୋକିବାକୁ ମୁକେଶର ଆବଦେନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଘଟଣା ସମୟରେ ସେ ଦିଲ୍ଲୀରେ ନୁହେଁ ଜୟପୁରରେ ଥିଲା ବୋଲି ମୁକେଶ ଆବେଦନରେ ଦର୍ଶାଇଥିଲା ।

କ୍ଷମତା ଖେଳରେ ଗଣତନ୍ତ୍ରକୁ ‘ଗ୍ରହଣ’

ଏଠାରେ ପ୍ରତି ମୁହୂର୍ତ୍ତରେ ବଦଳୁଛି ରାଜନୈତିକ ପାଣିପାଗ । ରାଜନୈତିକ ଭବିଷ୍ୟତକୁ ନେଇ କୈାଣସି ପୂର୍ବାନୁମାନ କରିବା କଷ୍ଟକର । ପୁଣି ରାଜନୀତିରେ କେହି କେବେ କାହାର ଶତ୍ରୁ କିମ୍ବା ମିତ୍ର ନୁହନ୍ତି । ଭାରତୀୟ ରାଜନୀତିରେ ଏହା ଅନେକଥର ପ୍ରମାଣିତ ହୋଇଛି । ମଧ୍ୟପ୍ରଦେଶର ସଦ୍ୟତମ ରାଜନୈତିକ ହଟଚମଟ ଏହାର ଏକ ବଳିଷ୍ଠ ଉଦାହରଣ । କହିବାକୁ ଗଲେ କ୍ଷମତା ଲୋଭ ଏବଂ ଶାସନର ମୋହ ରାଜନୀତିର ସମସ୍ତ ନୀତି ଆଦର୍ଶକୁ କଳୁଷିତ କରିସାରିଛି । ଏହା ଥରେ ନୁହେଁ ବରଂ ବାରମ୍ବାର ପ୍ରମାଣିତ ହୋଇଛି । ମଧ୍ୟପ୍ରଦେଶ ରାଜନୀତିରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପୂର୍ବରୁ ଭାରତର ଅନେକ ରାଜ୍ୟରେ ଏଭଳି ଘଟଣା ଘଟିସାରିଛି । ଏମିତି କିଛି ରାଜନୈତିକ ଘଟଣାବଳୀକୁ ନେଇ ଆମର ଆଜିର ସ୍ୱତନ୍ତ୍ର ଉପସ୍ଥାପନା । ମଧ୍ୟପ୍ରଦେଶ ପୂର୍ବରୁ

ଏବେ ସାରା ଦେଶ କରୋନା ଭୂତାଣୁ ସହ ଲଢେଇ କରୁଥିବା ବେଳେ ମଧ୍ୟପ୍ରଦେଶବାସୀ ଆଉ ଏକ ଭାଇରସର ସାମ୍ନା କରୁଛନ୍ତି । ସେ ହେଉଛି କ୍ଷମତା ହାସଲର ଭାଇରସ୍‌ । ମଧ୍ୟପ୍ରଦେଶରେ ମାତ୍ର ୧୫ ମାସ ପୁରୁଣା କଂଗ୍ରେସ ସରକାରକୁ ଭଙ୍ଗ କରି ବିଜେପି ପୁଣି ଥରେ ସେଠାରେ ଶାସନ କ୍ଷମତା ହାସଲ କରିବାକୁ ପ୍ରୟାସ ଜାରି ରଖିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ମନ୍ତ୍ରୀ, ବିଧାୟକ ଇସ୍ତଫା ଦେବା ସହ ସେ ନିଜେ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ତେବେ ସରକାର ବଞ୍ଚାଇବାକୁ କଂଗ୍ରେସର ବରିଷ୍ଠ ନେତୃବର୍ଗ ଆପ୍ରାଣ ଉଦ୍ୟମ ଚଳାଇଥିବାବେଳେ ଫ୍ଲୋର ଟେଷ୍ଟରେ ସମସ୍ତ ଦୃଶ୍ୟ ସ୍ପଷ୍ଟ ହୋଇଯିବ । ମଧ୍ୟପ୍ରଦେଶ ରାଜନୀତିର କ୍ଷମତା ଅଳିନ୍ଦରେ କେଉଁ ଦଳ ବାଜି ମାରିବ ଏବେ ତାରି ଉପରେ ସମଗ୍ର ଦେଶବାସୀଙ୍କ ନଜର ।

୧୫ ବର୍ଷର ବନବାସ ପରେ ମଧ୍ୟପ୍ରଦେଶରେ ଶାସନକୁ ଫେରିଥିଲା କଂଗ୍ରେସ । ସମସ୍ତେ ଖୁସିଥିଲେ ଏବଂ ଗତ ୧୫ ମାସ ଧରି ସୁରୁଖୁରରେ ଚାଲିଥିଲା ସରକାର । ହେଲେ କିଏ ଜାଣିଥିଲା ସେଥିରେ ଗ୍ରହଣ ଲଗାଇବେ ଏକଦା କଂଗ୍ରେସର ସୁନାପୁଅ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କ ସମର୍ଥକ ୬ ମନ୍ତ୍ରୀଙ୍କ ସମେତ ୨୨ ବିଧାୟକ ବିଦ୍ରୋହୀ ହେଲେ ଏବଂ କମଳନାଥ ସରକାର ପ୍ରତି ଘନେଇ ଆସିଥିଲା ରାଜନୈତିକ ସଙ୍କଟ । କମଳନାଥଙ୍କ ରାତାରାତି କ୍ଷମତାରୁ ହଟାଇବାକୁ ପ୍ରସ୍ତୁତି ହୋଇଥିଲା । ସମସ୍ତ ବିଦ୍ରୋହୀ ବିଧାୟକ ଅଜ୍ଞାତବାସରେ ରହିଲେ ଏବଂ ସେମାନଙ୍କ ଇସ୍ତଫାପତ୍ର ପଠାଇ ଦେଇଥିଲେ । ହଠାତ ସେମିତି ପରିସ୍ଥିତି ସୃଷ୍ଟି ହେବାପରେ କମଳନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇବା ଏବଂ କ୍ଷମତାଚ୍ୟୁତ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା । ଅପରପକ୍ଷେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପରେ ମଧ୍ୟପ୍ରଦେଶରେ ସରକାର ଗଠନ କରିବାକୁ ବିଜେପି ଯୋଜନା ଆରମ୍ଭ କରିଥିଲା । ସେଥିପାଇଁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ସେମାନେ ଦାବି କରିଥିଲେ । ଅପରପକ୍ଷେ ଆଇନ ମୁତାବକ ସମସ୍ତ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି ଏବଂ ରାଜ୍ୟପାଳ  କହିବା ପରେ ମାର୍ଚ୍ଚ ୧୬ ତାରିଖରେ କଂଗ୍ରେସକୁ ବହୁମତ ସାବ୍ୟସ୍ତ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ କମଳନାଥ ସରକାରଙ୍କୁ କରୋନା ସାହା ହେଲା ଏବଂ ବିଧାନସଭା ଅଧିବେଶନକୁ ୨୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଶ୍ପତ୍ତି ହେଲା । ଏବେ ୨୬ ତାରିଖ ପର୍ଯ୍ୟନ୍ତ କମଳନାଥ ସରକାର ସୁରକ୍ଷିତ ଥିଲେ ମଧ୍ୟ କେମିତି ସରକାର ବଞ୍ଚିବ ସେଥିପାଇଁ ସବୁ ଜୋର ଲଗାଇ ଦେଇଛନ୍ତି କମଳନାଥ ।

ମଧ୍ୟପ୍ରଦେଶର ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ ମଧ୍ୟ କେବଳ ୬ ଜଣ  ମନ୍ତ୍ରୀଙ୍କ ଇସ୍ତଫା ଗୃହିତ ହୋଇଛନ୍ତି । ବଳକା ୧୬ ବିଧାୟକଙ୍କ ଇସ୍ତଫା ଉପରେ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବାଚସ୍ପତି ଏନ.ପି.ପ୍ରଜାପତି । ଏସବୁ ଘଟଣା ପରେ କମଳନାଥ କୈାଣସି ମତେ ସରକାର ବଞ୍ଚାଇବାକୁ ସକ୍ଷମ ହେବେ ବୋଲି ରାଜନୈତିକ ସମୀକ୍ଷକ ପୂର୍ବାନୁମାନ କରୁଛନ୍ତି ।

୨୦୧୮, ନଭେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶରେ ନିର୍ବାଚନ ପରେ ସେଠାରେ ସରକାର ଗଠନ କରିଥିଲା କଂଗ୍ରେସ । ବିଧାନସଭାର ୨୩୦ ଆସନରୁ ୧୧୪ ଆସନରେ ବିଜୟୀ ହୋଇଥିଲା କଂଗ୍ରେସ । ସରକାର ଗଠନ ପାଇଁ ୧୧୬ ଆସନର ଆବଶ୍ୟକତା ଥିବାବେଳେ ଏସପି, ବିଏସସି ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଠନ କରିଥିଲା ଏବଂ କମଳନାଥ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ବର୍ତ୍ତମାନ ମଧ୍ୟପ୍ରଦେଶ ବିଧାନସଭାର ୨୩୦ ରୁ ୨ ଆସନ ଖାଲି ରହିଛି । ଯଦି ୨୨ ବିଧାୟକଙ୍କ ଇସ୍ତଫା ଗୃହିତ ହୁଏ ତେବେ ଆସନ ସଂଖ୍ୟା ୨୦୨କୁ ଖସି ଆସିବ । ଏଭଳି ସ୍ଥିତିରେ କଂଗ୍ରେସ ପାଖରେ ରହିବ ୯୨ ଏବଂ ବିଜେପି ପାଖରେ ରହିବେ ୧୦୭ ବିଧାୟକ । ସଂଖ୍ୟାଗରିଷ୍ଠତା ପାଇଁ ୧୦୧ ବିଧାୟକ ଦରକାର ଥିବାବେଳେ କଂଗ୍ରେସ ପ୍ରତି ଏସପି ଏବଂ ବିଏସପିଙ୍କ ସମର୍ଥନ ରହିବ । ତେବେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ କାହା ପ୍ରତି ରହିବ ଏବଂ କମଳନାଥ କେମିତି ତାଙ୍କର ସରକାର ରକ୍ଷା କରିବେ ତାକୁ ଏବେ ସମସ୍ତଙ୍କ ଅପେକ୍ଷା । ଅପରପକ୍ଷେ ମଧ୍ୟପ୍ରଦେଶରେ କ୍ରମାଗତ ଭାବରେ ଚତୁର୍ଥଥର ପାଇଁ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ବାନ୍ଧିଥିଲେ ହେଲେ ନିର୍ବାଚନ ପରେ ତାହା ସମ୍ଭବ ହୋଇନଥିଲା । ତେବେ ୧୫ ମାସ ପରେ ଶାସନ କ୍ଷମତାକୁ ଫେରିବା ପାଇଁ ବିଜେପି ପାଖରେ ସୁଯୋଗ ରହିଛି ।

ମହାରାଷ୍ଟ୍ରର ରାଜନୈତିକ କଳହ

ରାଜନୀତିରେ କୈାଣସି ନୀତି କିମ୍ବା ଆଦର୍ଶ ନାହିଁ ଏହା ଅନେକଥର ପ୍ରମାଣିତ ହୋଇଛି । ମଧ୍ୟପ୍ରଦେଶ ପୂର୍ବରୁ ମହାରାଷ୍ଟ୍ରରେ ମଧ୍ୟ ସେମିତି କିଛି ରାଜନୈତିକ ବାତାବାରଣ ସାରା ଦେଶରେ ଚହଳ ପକାଇଥିଲା । ମହାରାଷ୍ଟ୍ରରେ ନିମିଷକ ମଧ୍ୟରେ ବଦଳୁଥିଲା ରାଜନୈତିକ ଦୃଶ୍ୟପଟ । ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବରେ ବିଜେପିର ଦେବେନ୍ଦ୍ର ଫଡନଓ୍ବିସଙ୍କ ଶପଥ ଗ୍ରହଣ ଓ ପରେ ଇସ୍ତଫା ପ୍ରଦାନ, ରାଜନୀତିକୁ ବେଶ୍‌ ଗରମ କରିଥିଲା । ଆଉ ତାପରେ ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠିତ ହୋଇଥିଲା ଏବଂ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସାମୟିକ ଲାଭ ପାଇଁ କେମିତି ରାଜାନୀତିକୁ ମୋହରା କରାଯାଇପାରେ ମହାରାଷ୍ଟ୍ରରେ ତାହା ପ୍ରମାଣିତ ହୋଇଥିଲା ।

ରାତି ପାହିଥିଲେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ଉଦ୍ଧବ ଠାକରେ । ସେଥିପାଇଁ ସରିଥିଲା ସବୁ ପ୍ରସ୍ତୁତି । ହେଲେ ରାତି ଭିତରେ ବଦଳଗଲା ସବୁ ଦୃଶ୍ୟ । ମହାରାଷ୍ଟ୍ରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ହୋଇଥିଲା । ୨୦୧୯, ନଭେମ୍ବର ୨୩ ତାରିଖ  ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଦେବେନ୍ଦ୍ର ଫଡନଓ୍ବିସ । ଏହି ଖବର ସମସ୍ତ ଦେଶବାସୀଙ୍କୁ ଚକିତ କରିଥିଲା । ଆରମ୍ଭ ହୋଇଥିଲା ରାଜନୈତିକ ସମୀକ୍ଷା । କେମିତି ଏବଂ କେଉଁ ଆଧାରରେ ଦେବେନ୍ଦ୍ର ଫଡନଓ୍ବିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଅଜିତ ପାୱାର ଥିଲେ ଏହି ନାଟକର ମୁଖ୍ୟ ନାୟକ । ରାଜ୍ୟପାଳଙ୍କ ନିକଟରେ ବିଜେପିର ୧୦୫, ଏନସିପିର ୫୬ ଏବଂ ଅନ୍ୟ ସ୍ୱାଧିନ ବିଧାୟକଙ୍କ ସମେତ ୧୭୦ ବିଧାୟକଙ୍କ ସମର୍ଥନ ସମ୍ବଳିତ ପତ୍ର ଦାଖଲ କରିଥିଲେ । ଏହାପରେ ଯୁଦ୍ଧକାଳିନ ଭିତ୍ତିରେ ବିଜେପିର ଦେବେନ୍ଦ୍ର ଫଡନଓ୍ବିସଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ରାଜ୍ୟପାଳ ଭଗତ ସିଂହ କୋଶିୟାରି ଆମନ୍ତ୍ରଣ କରିଥିଲେ । ତାଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଏନସିପିର ଅଜିତ ପାୱାର ।

ତେବେ ଏତିକିରେ ଅଟକି ନଥିଲା ମହାରାଷ୍ଟ୍ର ମହାଡ୍ରାମା । ଶିବସେନା, କଂଗ୍ରେସ କିମ୍ବା ଏନସିପି ଏତେଶୀଘ୍ର ଆସନ୍ନ କ୍ଷମତାକୁ ହରାଇବାକୁ ପ୍ରସ୍ତୁତ ନଥିଲେ । ତେଣୁ ରାଜନୈତିକ ଗୋଟି ଚାଳନାରେ ମାହିର ଶରଦ ପାଓ୍ବାର ତାଙ୍କ ଚାଲ୍‌ ଆରମ୍ଭ କରିଥିଲେ । ପୁତୁରା ଅଜିତ ପାଓ୍ବାରଙ୍କୁ କୈାଣସି ମତେ ପୁଣି ଥରେ ଦଳକୁ ଫେରାଇ ଆଣିବାକୁ ଚେଷ୍ଟା ଆରମ୍ଭ ହୋଇଥିଲା । ଅପରପକ୍ଷେ ଶପଥ ଗ୍ରହଣ ପରେପରେ ଅଜିତ ପାୱାରଙ୍କ ସମର୍ଥକ କିଛି ବିଧାୟକ ପୁଣିଥରେ ଶରଦ ପାଓ୍ବାରଙ୍କ ପାଖକୁ ଫେରି ଆସିଥିଲେ । ସେତେବେଳେ ବିଜେପି ଏବଂ ଅଜିତ ପାଓ୍ବାରଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ନାହିଁ ବୋଲି ସେମାନେ ମଧ୍ୟ ବୁଝି ସାରିଥିଲେ । ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣିତ କରିବା ନେଇ ଦେବେନ୍ଦ୍ର ଫଡନଓ୍ବିସଙ୍କ ଉପରେ ଚାପ ପଡିଥିଲା । ପୂର୍ବରୁ ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବାରୁ ସରକାର ଗଠନରୁ ଓହରି ଯାଇଥିବା ଫଡନଓ୍ବିସ ଏଥର ମଧ୍ୟ ସଂଖ୍ୟାଗରିଷ୍ଠତା ପ୍ରମାଣିତ କରିବା ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅପରପକ୍ଷେ ଅଜିତ ପାଓ୍ବାର ପୁଣି ଥରେ ଏନସିପିକୁ ଫେରି ଆସିଥିଲେ ଏବଂ ନଭେମ୍ବର ୨୬    ତାରିଖରେ ଶିବସେନା,କଂଗ୍ରେସ ଏବଂ ଏନସିପି ମିଳିତ ଭାବେ ସରକାର ଗଠନ କରିଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ପାଇଁ ପ୍ରସ୍ତୁତ ହୋଇଥିବା ଫର୍ମୁଲା ମୁତାବକ ଶିବସେନା,କଂଗ୍ରେସ ଏବଂ ଏନସିପି ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ  ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ୨୦୧୯, ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ହୋଇଥିଲା ଏବଂ ଅକ୍ଟୋବର ୨୪ ତାରିଖରେ ଫଳାଫଳ ଘୋଷଣା ହୋଇଥିଲା । ଏଥରେ ୧୦୫ ଆସନ ସହ ବିଜେପି ସଂଖ୍ୟାଗରିଷ୍ଠ ଦଳ ହୋଇଥିବାବେଳେ ସହଯୋଗୀ ଶିବସେନାକୁ ମିଳିଥିଲା ୫୬ ଆସନ । ତେବେ ମୁଖ୍ୟମନ୍ତ୍ରୀ ପଦ ସହ ୫୦/୫୦ ଫର୍ମୁଲାକୁ ନେଇ ଶିବସେନା ଅଡି ବସିବା ପରେ ମହାରାଷ୍ଟ୍ରରେ ସରକାର ଗଠନ ହୋଇପାରିନଥିଲା । ଶିବସେନାକୁ ବୁଝାଇବାର ସମସ୍ତ ରାସ୍ତା ବନ୍ଦ ହୋଇଯିବା ପରେ ବିଜେପି ସରକାର ଗଠନ କରିବ ନାହିଁ ବୋଲି କହିଥିଲା । ଅପରପକ୍ଷେ ସରକାର ଗଠନ ପାଇଁ ଶିବସେନା, କଂଗ୍ରେସ ଏବଂ ଏନସିପି ମଧ୍ୟରେ ବୁଝାମଣା ହୋଇପାରିନଥିଲା ଏବଂ ନଭେମ୍ବର ୧୨ ତାରିଖରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ରାଜ୍ୟପାଳ ସୁପାରିଶ କରିଥିଲେ । ତେବେ ମେଣ୍ଟ ସରକାର ଗଠନ ନେଇ ତିନି ଦଳ ସେମାନଙ୍କ ପ୍ରଚେଷ୍ଟା ଜାରି ରଖିଥିଲେ । ଶେଷରେ ୩୬-୨୪-୧୨ ଫର୍ମୁଲାରେ ସବୁ ଠିକ୍‌ ହୋଇଥିଲା ଏବଂ ଶିବସେନା, ଏନସିପି ଏବଂ କଂଗ୍ରେସ ସରକାର ଗଠନ ପାଇଁ ପ୍ରସ୍ତୁତ ହୋଇଥିଲା ରୂପରେଖ । ହେଲେ ରାତାରାତି ବଦଳି ଯାଇଥିଲା ଚିତ୍ର । ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ହେବାସହ ବିଜେପିର ଦେବେନ୍ଦ୍ର ଫଡନଓ୍ବିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ହେଲେ ରାଜନୈତିକ ପାଣିପାଗ ଖୁବଶୀଘ୍ର ବଦଳି ଯାଇଥିଲା ଏବଂ ମାତ୍ର ୭୨ ଘଣ୍ଟା ଭିତରେ ଇସ୍ତଫା ଦେଇଥିଲେ ଫଡନଓ୍ବିସ ।

କର୍ଣ୍ଣାଟକ ରାଜନୈତିକ ସଙ୍କଟ

କ୍ଷମତା ଲୋଭ ପାଇଁ ରାଜନୈତିକ ଦଳ ଗୁଡିକ କେମିତି ନୀତିଆଦର୍ଶକୁ ଭୁଲି ଯାଆନ୍ତି ତାର ଅନେକ ଉଦାହରଣ ରହିଛି । କର୍ଣ୍ଣାଟକ ରାଜନୀତିରେ ଦେଖାଦେଇଥିବା ସଙ୍କଟ ଏବଂ ତାର ସମାଧାନ ଏହାର ଏକ ବଳିଷ୍ଠ ଉଦାହରଣ । ଆବଶ୍ୟକ ସଂଖ୍ୟକ ବିଧାୟକ ନଥିଲେ ମଧ୍ୟ କଂଗ୍ରେସ ଏବଂ ଜେଡିଏସ୍‌ ସେଠାରେ ସରକାର ଗଠନ କରିଥିଲେ । ହେଲେ ସେହି ସରକାର ମଧ୍ୟ ବେଶି ଦିନ ତିଷ୍ଠିପାରିନଥିଲା ବରଂ ତାକୁ ଭାଙ୍ଗିବାକୁ ବିଜେପି ତାର ପ୍ରଚେଷ୍ଟାରେ କୈାଣସି ଉଣା କରିନଥିଲା । ମାତ୍ର ୧୪ ମାସରେ ଭାଙ୍ଗିଗଲା ସରକାର ।  କ୍ଷମତା ହାସଲ ପାଇଁ ଚାଲିଥିବା ଲଢେଇରେ ବିଜେପି ବାଜି ମାରିଥିଲା ଏବଂ ବି.ଏସ.ୟେଦୁରପ୍ପା ପୁଣିଥରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

କର୍ଣ୍ଣାଟକରେ କାମ ଦେଇନଥିଲା ମେଣ୍ଟ ସରକାର । ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ କୁମାରସ୍ୱାମୀ । କ୍ଷମତା ହାତେଇବାରେ ସଫଳ ହେଲା ବିଜେପି । ପୁଣି ମୁଖ୍ୟମନ୍ତ୍ରୀ ହେଲେ ୟେଦୁରପ୍ପା । ୟେ ହେଉଛି କର୍ଣ୍ଣାଟକ ରାଜନୀତିର ଅସଲ ଖେଳ । ୨୦୧୯, ଜୁଲାଇ ୧ ତାରିଖରେ ଆରମ୍ଭ ହୋଇଥିଲା ବିଧାୟକଙ୍କ ଇସ୍ତଫା ଦେବାର ପ୍ରକ୍ରିୟା ଆଉ ମାତ୍ର ଅଳ୍ପ ଦିନରେ କଂଗ୍ରେସର ୧୦ ଏବଂ ଜେଡି(ଏସ)ର ୩ ବିଧାୟକ ଇସ୍ତଫା ଦେଇଥିଲେ । ଫଳରେ କର୍ଣ୍ଣାଟକରେ କଂଗ୍ରେସ-ଜେଡି(ଏସ)ମେଣ୍ଟ ସରକାର ଉପରକୁ ଘନେଇ ଆସିଥିଲା କ୍ଷମତାଚ୍ୟୁତ ହେବାର କଳାବାଦଲ । ଇସ୍ତଫା ଦେବାପରେ ୧୩ ବିଧାୟକ ମୁମ୍ବାଇରେ ଆତ୍ମଗୋପନ କରିଥିଲେ ଏବଂ ସେମାନଙ୍କୁ ମନାଇବାକୁ କଂଗ୍ରେସ ହାଇକମାଣ୍ଡର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଶେଷରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ କଂଗ୍ରେସର ୨୧ ମନ୍ତ୍ରୀ ଇସ୍ତଫା ଦେଇଥିଲେ ଏବଂ ସେମାନଙ୍କ ସ୍ଥାନରେ ସେମାନଙ୍କୁ ମନ୍ତ୍ରୀ କରାଯିବ ବୋଲି କୁହାଯାଇଥିଲା । ତେବେ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗୃହିତ ହେବ କି ନାହିଁ ସେ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଶେଷରେ ବିଦ୍ରୋହୀ ସାଜିଥିବା ୧୭ ବିଧାୟକଙ୍କ ସଦସ୍ୟତା ରଦ୍ଦ ହୋଇଥିଲା ଏବଂ ଜଣେ ବିଧାୟକ ତାଙ୍କ ଇସ୍ତଫା ପ୍ରତ୍ୟାହର କରିନେଇଥିଲେ ।

ଏହାପରେ କର୍ଣ୍ଣାଟକ ବିଧାନସଭାରେ ମିଳିତ ସରକାରଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ କୁହାଯାଇଥିଲା । ୧୮ ଦିନର ପଲିଟିକାଲ ଡ୍ରାମା ପରେ ୨୦୧୯, ଜୁଲାଇ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିନଥିଲେ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟିବାକୁ ପଡିଥିଲା । ଏହାପରେ କର୍ଣ୍ଣାଟକରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲା ଏବଂ ଜୁଲାଇ ୨୬ ତାରିଖରେ ବି.ଏସ.ୟେଦୁରପ୍ପା ପୁଣିଥରେ ମୁଖ୍ୟମୃନ୍ତ୍ରୀ ହୋଇଥିଲେ ।

୨୦୧୮ରେ କର୍ଣ୍ଣାଟକ ବିଧାନସଭାର ୨୨୪ ଆସନରୁ ୨୨୨ ଆସନରେ ଭୋଟଗ୍ରହଣ ହୋଇଥିଲା । ବିଜେପିକୁ ୧୦୪, କଂଗ୍ରେସକୁ ୮୦ ଏବଂ ଜେଡି(ଏସ)କୁ ୩୭ ଆସନ ମିଳିଥିଲା । ତେବେ ସରକାର ଗଠନ ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ କଂଗ୍ରେସ ଏବଂ ଜେଡି(ଏସ) ମିଳିତ ଭାବରେ ସରକାର ଗଠନ କରିଥିଲେ । ଜେଡି(ଏସ)ର  ଏଚ.ଡି.କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ଜି.ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ସଂଖ୍ୟାକୁ ନେଇ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଢେର ଅସନ୍ତୋଷ ରହିଥିଲା । ଏହାର ଫାଇଦା ନେଇଥିଲା ବିଜେପି ଏବଂ ସୁଯୋଗ ମିଳିବା ମାତ୍ରକେ ମେଣ୍ଟ ସରକାର ଭାଙ୍ଗିବାକୁ ସମସ୍ତ ଜୋର ଲଗାଇ ଦେଇଥିଲା । ଲୋକସଭା ନିର୍ବାଚନରେ ବିଜେପିର ସଫଳତାକୁ ଆଧାର କରି କର୍ଣ୍ଣାଟକରେ ମଧ୍ୟ ସରକାର ଗଠନ କରିବାକୁ ରଣନୀତି ପ୍ରସ୍ତୁତ କରିଥିଲା ଏବଂ ସଫଳ ମଧ୍ୟ ହୋଇଥିଲା ।

ଗୋଆର ରାଜନୈତିକ ସଙ୍କଟ

ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ନିର୍ବାଚନ ପରେ ସଂଖ୍ୟାଗରିଷ୍ଠ ଦଳକୁ ଶାସନ କରିବାର କ୍ଷମତା ହାସଲ ହୋଇଥାଏ । ତେବେ ପରବର୍ତ୍ତୀ ସମୟରେ କ୍ଷମତା ହାସଲ କରିବା ପାଇଁ ଭାରତୀୟ ଗଣତନ୍ତ୍ରରେ ମେଣ୍ଟ ସରକାର ଭଳି ପରମ୍ପରାର ପ୍ରଚଳନ ହୋଇଥିଲା । ତେବେ ଗୋଆ ରାଜନୀତି ସେହି ଅଧ୍ୟାୟରେ ଯୋଡି ଦେଇଛି ଆଉ ଏକ କଳଙ୍କିତ ପୃଷ୍ଠା । ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକ ନଥିଲେ ମଧ୍ୟ ଅନ୍ୟ ବିଧାୟକଙ୍କୁ ବିଭିନ୍ନ ଭାବରେ ପ୍ରଲୋଭିତ କରି ସରକାର ଗଠନ କରିଛି ବିଜେପି । ଅପରପକ୍ଷେ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ କଂଗ୍ରେସ ସେଠାରେ ସରକାର ଗଠନ କରିବାରେ ସକ୍ଷମ ହୋଇନଥିଲା । ପୁଣି ନିଜ ସରକାରକୁ ଶକ୍ତିଶାଳୀ କରିବାକୁ ବିଜେପି ଆହୁରି ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲା ।

ଗୋଆ ରାଜନୀତିରେ ମଧ୍ୟ ଘଡିକେ ଘୋଡା ଛୁଟୁଛି । ୨୦୧୭ ଗୋଆ ବିଧାନସଭା ପାଇଁ ନିର୍ବାଚନ ପରେ ସେଠାରେ ସରକାର ଗଠନ କରିବା ନେଇ ଦେଖାଦେଇଥିଲା ସଙ୍କଟ । ୪୦ ଆସନ ବିଶିଷ୍ଟ ବିଧାନସଭାରେ କୈାଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନଥିଲା । ତେବେ ସର୍ବବୃହତ୍‌ ଦଳ ଭାବରେ କଂଗ୍ରେସକୁ ୧୭ ଆସନ ମିଳିଥିଲା । ଏହାଛଡା ବିଜେପି ୧୩, ମହାରାଷ୍ଟ୍ର ଗୋମନ୍ତକ ପାର୍ଟି ୩, ଗୋଆ ଫରଓ୍ବାର୍ଡ ପାର୍ଟି ୩ , ଏନସିପି ୧ ଏବଂ ୩ ସ୍ୱାଧିନ ପ୍ରାର୍ଥୀ ଗୋଆ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ଗୋଆରେ ଆରମ୍ଭ ହୋଇଥିଲା ଅସଲ ସଙ୍କଟ । ସରକାର ଗଠନ କରିବାକୁ ୨୧ ଆସନର ଆବଶ୍ୟକତା ଥିବାବେଳେ କୈାଣସି ଦଳକୁ ବହୁମତ ମିଳିନଥିଲା । ତେବେ ସରକାର ଗଠନ କରିବାକୁ ଜୋଡତୋଡ୍‌ ଆରମ୍ଭ ହୋଇଥିବାବେଳେ ବିଜେପି ଶେଷରେ ବାଜି ମାରି ନେଇଥିଲା ।

ବିଜେପି ନିଜର ୧୩, MAGର ୩, GFPର ୩ ଏବଂ ୩ ସ୍ୱାଧୀନ ବିଧାୟକଙ୍କୁ ନେଇ ସରକାର ଗଠନ କରିବାକୁ ଦାବି କରିଥିଲା । ଏହାପରେ ବିଜେପିର ମନୋହର ପାରିକର ଗୋଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଅପରପକ୍ଷେ ସଂଖ୍ୟାଗରିଷ୍ଠ ଦଳ ହେବା ସତ୍ତ୍ଵେ କଂଗ୍ରେସ ଏବଂ ଏନସିପିକୁ ବିରୋଧୀ ଦଳରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ସରକାର ଗଠନ କରିବାକୁ ବିଜେପିର ଏଭଳି ପଦକ୍ଷେପକୁ ବିଭିନ୍ନ ରାଜନୈତିକ ମହଲରେ ନିନ୍ଦା କରାଯାଇଥିଲେ ମଧ୍ୟ କ୍ଷମତା ହାସଲ ପାଇଁ ସବୁକିଛି ସମ୍ଭବ ବୋଲି ସ୍ପଷ୍ଟ ହୋଇଥିଲା । ତେବେ ୨୦୧୯, ମାର୍ଚ୍ଚ ୧୭ ତାରିଖରେ ମନୋହର ପାରିକରଙ୍କ ମୃତ୍ୟୁ ପରେ ପ୍ରମୋଦ ସାୱନ୍ତ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ତେବେ ଏତିକିରେ ବିଜେପିର କ୍ଷମତା ମୋହ ସରିଯାଇନଥିଲା । ବିଜେପି ବହୁକଷ୍ଟରେ ସରକାର ଗଠନ ପାଇଁ ଆବଶ୍ୟକ ଥିବା ସଂଖ୍ୟା ଯୋଗାଡ କରିଥିଲେ ମଧ୍ୟ ସରକାର ଭାଙ୍ଗିବାର ସମ୍ଭାବନା ସବୁବେଳେ ଦଳକୁ ଭୟଭୀତ କରୁଥିଲା । ସେଥିପାଇଁ ବିଜେପି ନେତୃତ୍ୱ ଗୋଆ କଂଗ୍ରେସ ଭିତରେ ଫାଟ ସୃଷ୍ଟି କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ବିଭିନ୍ନ ସମୟରେ ଏପର୍ଯ୍ୟନ୍ତ କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୧୩ ବିଧାୟକ ବିଜେପିରେ ସାମିଲ ହୋଇସାରିଛନ୍ତି ।

ସରକାର ଗଠନରେ କଂଗ୍ରେସ ବିଫଳ ହେବା ପରେ ୨୦୧୯ରେ ବିଶ୍ୱଜିତ ରାଣେ ପ୍ରଥମେ ଦଳରୁ ଇସ୍ତଫା ଦେଇଥିଲେ । ଏହାପରେ ୨୦୧୮ରେ ଦୁଇ ଜଣ ବିଧାୟକ ସୁବାସ ସିରୋଡକର ଏବଂ ଦୟାନନ୍ଦ ସୋପଟେ ମଧ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ତେବେ ୨୦୧୯ରେ କଂଗ୍ରେସକୁ ମିଳିଥିଲା ସବୁଠାରୁ ବଡ ଝଟକା । ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକରଙ୍କ ସମେତ କଂଗ୍ରେସର ୧୦ ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ଏଭଳି ଭାବରେ କଂଗ୍ରେସ ପାଖରେ ମାତ୍ର ୪ ବିଧାୟକ ରହିଯାଇଛନ୍ତି । ରାଜନୀତିରେ ନିରଙ୍କୁଶ କ୍ଷମତା ହାସଲ ପାଇଁ ରାଜନୈତିକ ଦଳ ଗୁଡିକ କୈାଣସି ବି ପନ୍ଥା ଅବଲମ୍ବନ କରିବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ ତାହା ଗୋଆ ପ୍ରସଙ୍ଗରୁ ସ୍ପଷ୍ଟ ।

ଗୋଆ ବିଧାନସଭାରେ ଯେନତେଣ ପ୍ରକାରେଣ ସରକାର ଗଠନ କରିବା ସହ ମଣିପୁରରେ ମଧ୍ୟ ଅନୁରୂପ ଭାବରେ କ୍ଷମତା ହାସଲ କରିଥିଲା ବିଜେପି । ୨୦୧୭ ନିର୍ବାଚନରେ କଂଗ୍ରେସ ତାର ପୂର୍ବ ସଫଳତାକୁ ଦୋହରାଇ ପାରିନଥିଲା ଏବଂ ସରକାର ଗଠନ କରିବାଠାରୁ ଅଳ୍ପ ଦୂରରେ ରହି ଯାଇଥିଲା । ତେବେ କଂଗ୍ରେସର ଏହି ଦୁର୍ବଳତାର ସୁଯୋଗ ନେଇଥିଲା ବିଜେପି ଏବଂ ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ଅନ୍ୟ ଆଞ୍ଚଳିକ ଦଳ ଗୁଡିକ ସହ ମେଣ୍ଟ କରିଥିଲା । ମଣିପୁରରେ ବିଜେପି ସରକାର ଗଠନ କଲା ସତ, ହେଲେ ଦଳ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ବକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ରୀୟ ନେତାଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା ।

ମଣିପୁର ରାଜନୀତିର ସମୀକ୍ଷା

କ୍ଷମତା ହାସଲ ପାଇଁ ରାଜନୈତିକ ଦଳ ଗୁଡିକ କେମିତି ସମସ୍ତ ନୀତି ଆଦର୍ଶକୁ ତଳିତଳାନ୍ତ କରି ଦିଅନ୍ତି ତାର ଉଦାହରଣ ତ ଅନେକ ରହିଛି । ସଂଖ୍ୟାଗରିଷ୍ଠତା ନଥିଲେ ମଧ୍ୟ କେମିତି ସରକାର ଗଠନ କରିବେ ସେଥିପାଇଁ ରାଜନୈତିକ ଦଳ ଗୁଡିକ ଘୋଡା ବେପାର କରନ୍ତି । ଗୋଆ ବିଧାନସଭାରେ ସଂଖ୍ୟାଗରିଷ୍ଠ ଦଳ ହୋଇନଥିଲେ ମଧ୍ୟ ବିଜେପି ସରକାର ଗଠନ କରିବା ପାଇଁ ସକ୍ଷମ ହୋଇଥିଲା । ସେହିଭଳି ଅନୁରୂପ ପରିସ୍ଥିତିରେ ୨୦୧୭ରେ ମଣିପୁରରେ ମଧ୍ୟ ବିଜେପି କ୍ଷମତା ହାସଲ କରିଥିଲା । ଜନମତ ବିରୋଧରେ ଯାଇ ନିଜର ରାଜନୈତିକ କ୍ଷୁଧା ମେଣ୍ଟାଇବାକୁ ବିଜେପି କେମିତି ପଦକ୍ଷେପ ନେଇଥିଲା ମଣିପୁର ରାଜନୀତିର ସମୀକ୍ଷା କଲେ ତାହା ସ୍ପଷ୍ଟ ଜଣାପଡେ ।

୨୦୧୭, ମାର୍ଚ୍ଚ ୪ ଏବଂ ୮ ତାରିଖରେ ମଣିପୁର ବିଧାନସଭାର ୬୦ ଆସନ ପାଇଁ ନିର୍ବାଚନ ହୋଇଥିଲା । ୨୦୧୨ ନିର୍ବାଚନରେ ମଣିପୁରରେ ୪୨ ଆସନ ସହ କଂଗ୍ରେସ ନିରଙ୍କୁଶ କ୍ଷମତା ହାସଲ କରିଥିଲା । ୨୦୧୭ ନିର୍ବାଚନରେ ମଧ୍ୟ ସେହି ଘଟଣାର ପୁନରାବୃତ୍ତି କରିବାକୁ କଂଗ୍ରେସ ସମସ୍ତ ଜୋର ଲଗାଇ ଦେଇଥିଲା । ତେବେ ୨୦୧୭ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ମାତ୍ର ୨୮ ଆସନରେ ସୀମିତ ରହିଥିଲା ଏବଂ ସରକାର ଗଠନରୁ ମାତ୍ର ୩ ଆସନ ପଛରେ ରହିଯାଇଥିଲା । ଅପରପକ୍ଷେ ବିଜେପିକୁ ୨୧, NPFକୁ ୪,NPPକୁ ୪, LJPକୁ ୧, AITCକୁ ୧ ଆସନ ମିଳିଥିବାବେଳେ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ ।

ନିର୍ବାଚନରେ ଏଭଳି ଫଳାଫଳ ସତ୍ତ୍ଵେ କଂଗ୍ରେସ ମାତ୍ର ୩ଟି ବିଧାୟକଙ୍କୁ ନିଜ ସମର୍ଥନ ପାଇଁ ଯ଼ୋଗାଡ କରିପାରିନଥିଲା । ତେବେ ଶାସନ କ୍ଷମତାର କୈାଣସି ସୁଯ଼ୋଗକୁ ବିଜେପି ହାତଛଡା କରିନଥିଲା ଏବଂ ଅନ୍ୟ ଦଳଙ୍କ ସହ ମେଣ୍ଟ କରିବା ସହ ମଣିପୁରରେ ସରକାର ଗଠନ କରିଥିଲା । ବିଜେପି ନେତା ଏନ.ବିରେନ ସିଂହ ମଣିପୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ମଣିପୁରରେ ଶାସନ କ୍ଷମତାରେ ଥିଲେ ମଧ୍ୟ ଦଳ ଭିତରେ ଅସନ୍ତୋଷକୁ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ କମ୍‌ କରିପାରିନଥିଲେ । ୨୦୧୯ରେ ଦଳର କେତେକ ନେତା ଏବଂ ବିଧାୟକ ତାଙ୍କ ବିରୋଧରେ ବିଜେପି ହାଇକମାଣ୍ଡ ଆଗରେ ଫେରାଦ ହୋଇଥିଲେ । ଏହାପରେ ଏନ. ବିରେନ ସିଂହଙ୍କୁ ଦିଲ୍ଲୀ ଡାକରା ହୋଇଥିଲା । ସେଠାରେ ସମସ୍ତ ବିଷୟରେ ଆଲୋଚନା କରିବା ପରେ ମଣିପୁରକୁ ଫେରି ମୁଖ୍ୟମନ୍ତ୍ରୀ କ୍ୟାବିନେଟରେ ବଡଧରଣର ଅଦଳବଦଳ କରିଥିଲେ । ଏହାପରେ ମଣିପୁର ସରକାର ପ୍ରତି ଥିବା ସଙ୍କଟ ଦୂର ହୋଇଥିଲା ।

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି କ୍ଷମତା ଲୋଭ ଏବଂ ସେଥିପାଇଁ ହେଉଥିବା ହୀନ ରାଜନୀତିର କୈାଣସି ନିର୍ଦ୍ଦିଷ୍ଟ ସୀମା ସରହଦ ନାହିଁ । ନୀତି ଆଦର୍ଶ ଭୁଲି ବ୍ୟକ୍ତିଗତ ଲାଭ ପାଇଁ ଦଳବଦଳ କରିବା, ଜନାଦେଶକୁ ଅବମାନନା କରିବା ଯେମିତି ରାଜନେତାଙ୍କ ଫ୍ୟାସନ ହୋଇଯାଇଛି । ଆଉ ଏମିତି ନେତାଙ୍କ ପାଇଁ ହଇରାଣରେ ପଡନ୍ତି ସେମାନଙ୍କ ସମର୍ଥକ, ଶୁଭେଚ୍ଛା ଆଉ ବୋକା ପାଲଟି ଯାଆନ୍ତି ନିରୀହ ମତଦାତା । ତେବେ ରାଜନୀତିର ପରିଭାଷା କେବଳ କ୍ଷମତା ହାସଲରେ ସୀମିତ ନରହି ନେତା ମାନେ କେମିତି ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇପାରିବେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ସାଇକେଲ ପାଇଁ ସ୍ୱାମୀ ସାଜିଲା ସଇତାନ, ସ୍ତ୍ରୀକୁ କଲା ଦରମରା

ସାଲେପୁର: ଘରୋଇ କଳିରୁ ମହାଭାରତ । ପ୍ରାପ୍ତ ବୟସରେ ବି ଗଛରେ ବାନ୍ଧି ଅତି ନିର୍ମମ ଭାବରେ ସ୍ତ୍ରୀକୁ ପିଟିଲା ସ୍ୱାମୀ । ବୟସ୍କା ମହିଳା ଜଣଙ୍କ ଚିତ୍କାର କରିବାରୁ ପାଖ ପଡ଼ିଶାଙ୍କ ଦ୍ୱାରା ଉଦ୍ଧାର ହେଲେ ମହିଳା ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗାଁରେ । ଏହି ଗାଁର କୁନିଲତା ମଳିକଙ୍କୁ ଘରୋଇ କଳିକୁ କେନ୍ଦ୍ର କରି ଅତି ନିର୍ମମ ଭାବେ ତାଙ୍କ ଘର ଆଗରେ ଥିବା ଚାଖୁଣ୍ଡା ବାନ୍ଧି ତାଙ୍କ ସ୍ୱାମୀ ଧୀର ମଳିକ ପିଟୁଥିବା ବେଳେ ସେ ଚିତ୍କାର କରିବାରୁ ପାଖ ପଡ଼ୋଶୀ କୁନିଲତାଙ୍କୁ ଗଛରୁ ଫିଟାଇ ପୋଲିସକୁ ଖବର ଦେଇଥିଲେ ।

ତେବେ ବିବାହିତ ଝିଅର ଏକ ସାଇକେଲ ଧୀର ମଳିକ ନଫେରାଇ ତାକୁ ବନ୍ଧା ପକାଇ ଦେଇଥିଲେ । ବନ୍ଧା ପଇସାରେ ଧୀର ମଦ ପିଇଦେଇଥିବାର ଜାଣି ସ୍ତ୍ରୀ ସାଇକେଲଟିକୁ ମୁକୁଳେଇ ଝିଅକୁ ଫେରାଇ ଦେବାକୁ କହିଥିଲେ । ବାରମ୍ବାର ସ୍ତ୍ରୀର ସେହି କଥାକୁ ଶୁଣି ବିରକ୍ତ ହୋଇ ଧୀର ସ୍ତ୍ରୀକୁ ଗଛରେ ବାନ୍ଧି ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ ।

ଏନେଇ କୁନିଲତା ଅଭିଯୋଗ ମଧ୍ୟ କରିଥିଲେ । ଅନ୍ୟପଟେ  ଗ୍ରାମବାସୀ ମଧ୍ୟ ଧୀର ମଳିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ଅନୁରୋଧ କରିବାରୁ ପୋଲିସ ଧୀରକୁ ଗିରଫ କରିଛି  ।

କରୋନା ପ୍ରଭାବ: ‘ଆପଣ କେଉଁଠାରୁ ଆସୁଛନ୍ତି’? ଉତ୍ତର ଶୁଣି ଟ୍ରେନରେ ସୃଷ୍ଟି ହେଲା ହଇଚଇ

ହାୱଡା ରାଞ୍ଚି ଶତାବ୍ଦି ଏକ୍ସପ୍ରେସ କୋଚ ନମ୍ବର ସି ୭ରେ ଗତ କାଲି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେତେବେଳେ ଟିଟି ଜଣେ ଯାତ୍ରୀଙ୍କୁ ଟିକେଟ ମାଗିଥିଲେ, ସେତେବେଳେ ପୁରା ଟ୍ରେନରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ଟିଟି ଜଣେ ଯୁବକଙ୍କୁ ପଚାରିଥିଲେ ଯେ, ସେ କେଉଁଠାରୁ ଆସିଛନ୍ତି । ଏନେଇ ଯୁବକ ଜଣକ ଉତ୍ତର ଦେଇଥିଲେ ଯେ, ସେ ୟୁଏଇର ଆବୁଧାବିରୁ ଫେରୁଛନ୍ତି। ଏହା କହିବା ମାତ୍ରେ ସେହି ବଗିରେ ଉପସ୍ଥିତ ଥିବା ସମସ୍ତ ଲୋକେ ଡରିଯାଇଥିଲେ । କେବଳ ସେଠାରେ ଥିବା ଯାତ୍ରୀମାନେ ନୁହଁନ୍ତି, ଟିଟି ନିଜେ ଏତେ ଡରିଯାଇଥିଲେ ଯେ, ସେ ଆଉ ଟିକେଟ ବିଷୟରେ ପଚାରିଲେ ନାହିଁ।

ଏହାପରେ ବୋକାରୋ ଷ୍ଟେସନରେ ହିଁ ଯୁବକଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ତାଙ୍କୁ ଷ୍ଟେସନରୁ ଛଡା ଯାଇଥିଲା । ଡାକ୍ତର ଯାତ୍ରୀଙ୍କ ପରୀକ୍ଷା କରିବା ପରେ କରୋନାର କୌଣସି ଲକ୍ଷଣ ମିଳିନଥିଲା। ଏହା ପରେ ବରିଷ୍ଠ ଡିଏମଓ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ସହ କଥା ହୋଇ ଯୁବକଙ୍କୁ ମୁକ୍ତ କରିଥିଲେ। ଏହା ପରେ ସେ ଘରକୁ ଯାଇଥିଲେ। ଗତ କାଲି ଯୁବକଙ୍କ ବୟାନ ପରେ ତାଙ୍କର ସବୁ ପରୀକ୍ଷା କରାଯାଇଥିଲା । ଟେଷ୍ଟ ନେଗେଟିଭ ଆସିବା ପରେ ଏହା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ WHO ର ଅଧିକାରୀମାନଙ୍କୁ ଜଣା ଯାଇଥିଲେ।

ଶତାବ୍ଦି ଏକ୍ସପ୍ରେସ ପହଞ୍ଚିବା ପୂର୍ବରୁ ବୋକାରୋ ରେଳ ଷ୍ଟେସନରେ ରେଳ ପ୍ରଶାସନ ପ୍ଲାଟଫର୍ମ ନମ୍ବର -୨ ରେ ପହଞ୍ଚିଥିଲେ। ଯୁବକ ଟ୍ରେନରୁ ଓହ୍ଲାଇବା ମାତ୍ରେ ରେଳ ଅଧିକାରୀମାନେ ତାଙ୍କୁ ସୁରକ୍ଷା ପାଇଁ ପଚରାଉଚରା କରିଥିଲେ। ଏହି କ୍ରମରେ ଦମଦମ୍  ବିମାନବନ୍ଦରରେ   ଯାଞ୍ଚ ପରେ ତାଙ୍କୁ ଡାକ୍ତର ଦେଇଥିବା କାଗଜପତ୍ର  ଯୁବକ ଦେଖାଇଥିଲେ ।  ଟିଟି ବୋକାରୋ ଅଧିକାରୀମାନଙ୍କୁ ଟ୍ରେନର ପୁରା କାହାଣୀ କହିଥିଲେ ।

ପଚରାଉଚରା ବେଳେ ଯୁବକ କହିଥିଲେ ଯେ, ସେ ବିମାନବନ୍ଦରରୁ ସିଧାସଳଖ ହାୱଡା ଜଙ୍କସନରେ ପହଞ୍ଚିଥିଲେ । ତାଙ୍କୁ ଅଧିକ ସମୟ ବିମାନ ବନ୍ଦରରେ ଅଟକ ରଖାଯିବା କାରଣରୁ ସେ ଟ୍ରେନ୍ ଟିକେଟ୍ କରିବାକୁ ସମୟ ପାଇନଥିଲେ । ତେଣୁ  ହାୱଡା ରାଞ୍ଚି ଶତାବ୍ଦି ଏକ୍ସପ୍ରେସର ସି -୭ କୋଚରେ ସେ  ବିନା ଟିକେଟ୍ ରେ ବୋକାରୋ ଯିବାକୁ ସବାର ହୋଇଥିଲେ ।

ଜେଲ୍‌ରେ ଆରମ୍ଭ ହେଲା ଇ-ମୁଲାକାତ ବ୍ୟବସ୍ଥା

ଜେଲକୁ କୋରୋନା ଭୟ । ଆଜି ଠୁ ସବୁ ଜେଲରେ ଲାଗୁ ହେଲା ଇ- ମୁଲାକାତ ବ୍ୟବସ୍ଥା । ଜିଲ୍ଲା ମୁଖ୍ୟ କାରାଗାରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଜେଲର ଭିଜିଟର ରୁମ୍‌ର ସ୍କାଏପି ମାଧ୍ୟମରେ କଏଦୀଙ୍କ ସହ କଥାବାର୍ତ୍ତା ହୋଇପାରିବେ ସମ୍ପର୍କୀୟ । ଭିଜିଟର ରୁମ୍‌ରେ କଏଦୀଙ୍କ ସମ୍ପର୍କୀୟ ରହୁଥିବା ବେଳେ ଜେଲ୍‌ ଭିତରୁ ଅନ୍ୟ ଏକ ଲ୍ୟାପଟପରୁ ସ୍କାଏପି ମାଧ୍ୟମରେ କଥା ହେବେ କଏଦୀ । ଚୈଦ୍ୱାର ଜେଲରେ ଦିନ ୧୦ଟା ସୁଦ୍ଧା ୨୫ ଜଣ ମୁଲାକାତ କରିଲେ ।

କଟକ ଜେଲରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଲାକାତ ଚାଲିଛି । ପ୍ରାୟ ଅଧିକାଂଶ ଜେଲରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ମୁଖ୍ୟ କାରାଗାର ଗୁଡ଼ିକରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ପାରୋଲରୁ ଫେରଥିବା କଏଦୀ କିମ୍ୱା ନୂଆ କଏଦୀ ଆସିଲେ ସେମାନଙ୍କୁ ସାନିଟାଇଜ କରାଯିବା ପରେ ସ୍ୱତନ୍ତ୍ର ଓ୍ୱାର୍ଡରେ ରଖାଯିବ । ଯଦି ସେମାନଙ୍କ ଠାରେ କୌଣସି ପ୍ରକାର ଲକ୍ଷଣ ଦେଖାଗଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟୟ ।

ଓଡ଼ିଶାରେ ସାଇବର୍ ଠକେଇର ନୂଆ ଟ୍ରେଣ୍ଡ ଜୁସ୍ ଜ୍ୟାକିଂ, ସର୍ବସାଧାରଣରେ ଫୋନ୍ ଚାର୍ଜ କରୁଥିଲେ ସାବଧାନ୍

ଭୁବନେଶ୍ୱର: ଆପଣ ବାହାର ସ୍ଥାନରେ ଅର୍ଥାତ୍ ବିମାନ ବନ୍ଦର, ରେଳ ଷ୍ଟେସନ, କଫି ସପ୍, ବସଷ୍ଟାଣ୍ଡ ଏବଂ ସପିଂ ମଲରେ ଫୋନ୍ ଚାର୍ଜ କରୁଛନ୍ତି କି ? ତେବେ ଏଣିକି ସାବଧାନ୍ ହୋଇଯାଆନ୍ତୁ । କାରଣ ଆପଣଙ୍କ ଫୋନ୍ ଚାର୍ଜ ହେଉଥିବା ବେଳେ ଆପଣଙ୍କର ସମସ୍ତ ଡାଟା ଚୋରି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । କିଛିଦିନ ତଳେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ସହ ଏଭଳି ହୋଇଛି ।

ଶିକ୍ଷାବିତ୍ ରଘୁନାଥ ପଣ୍ଡା ତାଙ୍କର ଜଣେ ଛାତ୍ରଙ୍କ ପୁଅର ବାହାଘରରେ ଯୋଗଦେବାକୁ ମୁମ୍ବାଇର ଲୁନାଭଲା ଯାଇଥିବା ବେଳେ ସେ ବାହାର ସ୍ଥାନରେ ଚାର୍ଜ କରିଥିଲେ । ଏହାପରେ ତାଙ୍କର କଣ୍ଟାକ୍ଟ ଡିଟେଲ୍ଟ ନେଇ ହ୍ୟାକର ତାଙ୍କର ୫୦ରୁ ଅଧିକ ସହଯୋଗୀଙ୍କୁ ହ୍ୱାଟ୍ସଆପରେ ମେସେଜ୍ ପଠାଇଥିଲେ । ଏଥିରେ ଉଲ୍ଲେଖଥିଲା ଯେ, ଶିକ୍ଷାବିତ ଜଣଙ୍କ ଆମେରିକାରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଅଛି, ତୁରନ୍ତ ଅର୍ଥ ଦେଲେ ସେ ସୁସ୍ଥ ହେବେ ।

ଏଭଳି ୫୦ରୁ ଅଧିକ ବନ୍ଧୁ ଓ ପରିଜନକୁ ସେ ମ୍ୟାସେଜ୍ ପଠାଇଥିଲେ । ମାତ୍ର ଜଣଙ୍କର ସନ୍ଦେହ ହେବାରୁ ସେ ଶିକ୍ଷାବିତଙ୍କୁ ଫୋନ୍ କରି ପଚାରିବାକୁ ସେ ଏହାକୁ ଖଣ୍ଡନ କରିଥିଲେ । ପରେ ଫୋନର ପାସଓ୍ବାର୍ଡ ପରିବର୍ତ୍ତନ କରିବାକୁ ହ୍ୟାକର ବହୁ ପ୍ରୟାସ କରିଥିଲେ ମଧ୍ୟ ଏହା IOS ଫୋନ୍ ହୋଇଥିବାରୁ ପାସଓ୍ୱାର୍ଡ ପରିବର୍ତ୍ତନ କରିବା ସହଜ ହୋଇନଥିଲା । ପରେ ସେ ସାଇବର୍ ଥାନାରେ ଅଭିଯୋଗ କରିଥିଲେ ।

ଜଣାପଡ଼ିଛି ଯେ, ସଂପୃକ୍ତ ହ୍ୟାକର ହ୍ୱାଟ୍ସଆପରେ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ମୁମ୍ବାଇରେ ଥିବା କୋଟାକ୍ ମହିନ୍ଦ୍ରା ବ୍ରାଞ୍ଚର । ତେବେ ବିଦେଶରୁ ଏଭଳି କାରବାର ହେଉଥିବା ଜଣାପଡ଼ିଥିଲା । ତେଣୁ ଏଭଳି ସାଇବର୍ ଠକେଇକୁ ଜୁସ୍ ଜ୍ୟାକିଂ କୁହାଯାଇଛି । ପବ୍ଲିକ୍ ପ୍ଲେସରେ ଥିବା ୟୁଏସବି ପଏଣ୍ଟରେ ଚାର୍ଜ କଲେ ସେମାନେ ଡାଟା ସହଜରେ ହାସଲ କରୁଛନ୍ତି । ଏହାସହିତ ଫୋନରେ ସେଭ୍ ଥିବା ସମସ୍ତ ଆକାଉଣ୍ଟ ନମ୍ବର ଏବଂ ସପିଂ ଡିଟେଲ୍ଟ ମଧ୍ୟ ପାଇପାରୁଛନ୍ତି ।

ଏପରିକି ସବୁ ଫଟୋ, ବ୍ୟାଙ୍କିଂ ହିଷ୍ଟ୍ରି, ସପିଂ ଡିଟେଲ୍ଟ, ବିଲ୍ ପେମେଣ୍ଟ ଓ ବହୁ କିଛି ସେମାନେ ନେଇଯାଉଛନ୍ତି । ଏହାକୁ ଷ୍ଟଡି କରିବା ପରେ ସେମାନେ ବିଛାନ୍ତି ଠକାମିର ଜାଲ । କେତେବେଳେ ଅନଲାଇନ୍ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରି ଲୁଟିଥାନ୍ତି ତ ଆଉ କେତେବେଳେ ସହଯୋଗୀଙ୍କୁ ଠକିଥାନ୍ତି । ୨୦୧୧ରେ ଆମେରିକାରେ ପ୍ରଥମେ ଜୁସ୍ ଜ୍ୟାକିଂ ହ୍ୟାକିଂ ସଂପର୍କରେ ରିପୋର୍ଟ କରିଥିଲେ ଜଣେ ବ୍ୟକ୍ତି ।

ଏଥିରୁ ବର୍ତ୍ତିବାକୁ ହେଲେ, ଯଦି ଆପଣ ବାହାର ସ୍ଥାନରେ ଚାର୍ଜ କରୁଛନ୍ତି ତେବେ ଫୋନକୁ ସୁଇଚ୍ ଅଫ୍ କରି ଚାର୍ଜ କରନ୍ତୁ । ନହେଲେ ପାଖରେ ସର୍ବଦା ପାଓ୍ୱାର ବ୍ୟାଙ୍କ ରଖିଥାନ୍ତୁ । ପାଓ୍ବାର ବ୍ୟାଙ୍କକୁ ଚାର୍ଜ କରିବା ପରେ ସେଥିରୁ ଫୋନ୍ ଚାର୍ଜ କରିବେ । ଏହା ନହେଲେ କନେକ୍ଟର ସାଙ୍ଗରେ ରଖିଥାନ୍ତୁ ।

ୟୁଏସବି ପ୍ଲଗରେ କନେକ୍ଟର ପ୍ଲଗ୍ ଇନ୍ କରି ଚାର୍ଜ କରିପାରିବେ । ଚନେଚ୍ ସବୁଠି ନିଜର ଚାର୍ଜର ବ୍ୟବହାର କରି ଫୋନ୍ ଚାର୍ଜ କରନ୍ତୁ । ଏଭଳି କଲେ ହିଁ ଏ ଠକଙ୍କ କବଳରୁ ଆପଣ ମୁକ୍ତି ପାଇପାରିବେ ।

ସାଧାରଣଲୋକଙ୍କୁ ଲୋକସେବା ଭବନ ମନା

ଭୁବନେଶ୍ୱର: ଲୋକସେବା ଭବନକୁ ସାଧାରଣ ଲୋକଙ୍କ ପ୍ରବେଶ ନେଇ କଟକଣା । ଭିଜିଟର ପାସ ଇସ୍ୟୁ ନକରିବାକୁ ନିର୍ଦ୍ଦେଶ । ଲୋକସେବା ଭବନର କର୍ମଚାରୀଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି । ଥଣ୍ଡା, କାଶ, ଛିଙ୍କ ହେଲେ କର୍ମଚାରୀଙ୍କୁ ୧୪ ଦିନ ଛୁଟି ଦିଆଯିବ। ସେମାନେ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନାଭାଇସର ନବ୍ୟାପିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ସାଧାରଣତଃ ଲୋକସେବା ଭବନ ପରିଦର୍ଶନ କରିବା ପାଇଁ ଏବଂ ତା’ ଭିତରେ ଥିବା ବଗିଚାକୁ ଦେଖିବା ପାଇଁ ପ୍ରତିଦିନ ବହୁ ଦେଖଣାହାରି ଆସନ୍ତି ।

ତେବେ କରୋନାଭାଇସର କଟକଣାକୁ ଆଖି ଆଗରେ ରଖି ଆଜିଠୁ ଲୋକସେବା ଭବନକୁ ସାଧାରଣ କୋଲଙ୍କୁ ନଆସିବା ପାଇଁ ସୂଚନା ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି।

ଆସନ୍ତାକାଲିଠାରୁ ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ

ଆସନ୍ତାକାଲିଠାରୁ ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ

ପୁରୀ: ଭାବ ବିନୋଦିଆ ସହ ଆଉ ଭାବ ଲଗାଇପାରିବନି ଭକ୍ତ । ପୁରୀରେ ବଡ଼ଠାକୁରଙ୍କୁ କାଲିଠୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ, ୧୪ ଦିନ ପାଇଁ ଭକ୍ତ ଦର୍ଶନ କରିପାରିବେନି । ପୂର୍ବରୁ କାଳିଆ ଦର୍ଶନ ପାଇଁ ଅନେକ କଟକଣା ଲାଗୁ ହୋଇଥିଲା । ଆଜି ସେବାୟତଙ୍କ ସହ ଆଲୋଚନା କରି କରୋନା ସଂକ୍ରମଣ ରୋକିବାକୁ ଶୁକ୍ରବାରଠାରୁ ସାଧାରଣ ଦର୍ଶନ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ସହଯୋଗ କରିବାକୁ ଅପିଲ୍‌ କରାଯାଇଛି ।
କରୋନା ସଂକ୍ରମଣ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏହି କଟକଣା ଜାରି କରିଛି । ସେବାୟତଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ବଲୱନ୍ତ ସିଂ ଏପରି ନିର୍ଦ୍ଦେଶ ଦେଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସୂଚନା ଦେଇଛି । ନିର୍ଦ୍ଦେଶ ଅନୁସାରେ ଦେଉଳ ଭିତରକୁ କେବଳ ପାଳିଆ ସେବାୟତ ଓ ଅଧିକୃତ କର୍ମଚାରୀଙ୍କୁ ଛାଡ଼ି ଅନ୍ୟ କାହାରିକୁ ଛଡ଼ାଯିବନି । ସମସ୍ତଙ୍କ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଇଛି । ତେଣୁ ଏଥିରେ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି ।

ସେବାୟତମାନେ ମଧ୍ୟ ଏଥିପାଇଁ ସହମତି ଜଣାଇଛନ୍ତି । କିନ୍ତୁ ଏହି କଟକଣା ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ କୋହଳ କରାଯାଇଛି । କଟକଣା ପାଳନ କରିବାକୁ ସମସ୍ତେ ସହଯୋଗ କରିବେ ବୋଲି ସମ୍ମତି ଜଣାଇଛନ୍ତି ।

ଏହା ପୂର୍ବରୁ ଦର୍ଶନାର୍ଥଙ୍କ ପାଇଁ କଟକଣ ଲାଗୁ ହୋଇସାରିଛି । ସଂକ୍ରମଣ ରୋକିବା ପାଇଁ ନିର୍ଦ୍ଧାରିତ ଫର୍ମ ପୂରଣ କରି ଶ୍ରୀଜିଉ ଦର୍ଶନ କରିବାକୁ ଅନୁମତି ମିଳୁଛି । ମନ୍ଦିର ଭିତରେ ସେବାପୂଜାବେଳେ ସେବାୟତଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅରୁଣ ଓ ଗରୁଡ଼ ସ୍ତମ୍ଭ ସହ ଅନ୍ୟ ଦେବାଦେବୀଙ୍କୁ ଛୁଇଁବାକୁ ବାରଣ କରାଯାଇଛି । ଆନନ୍ଦବଜାରରେ ଏକାଠି ବସି ଖାଇବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି ।