ଆସନ୍ତାକାଲିଠାରୁ ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ

ପୁରୀ: ଭାବ ବିନୋଦିଆ ସହ ଆଉ ଭାବ ଲଗାଇପାରିବନି ଭକ୍ତ । ପୁରୀରେ ବଡ଼ଠାକୁରଙ୍କୁ କାଲିଠୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ, ୧୪ ଦିନ ପାଇଁ ଭକ୍ତ ଦର୍ଶନ କରିପାରିବେନି । ପୂର୍ବରୁ କାଳିଆ ଦର୍ଶନ ପାଇଁ ଅନେକ କଟକଣା ଲାଗୁ ହୋଇଥିଲା । ଆଜି ସେବାୟତଙ୍କ ସହ ଆଲୋଚନା କରି କରୋନା ସଂକ୍ରମଣ ରୋକିବାକୁ ଶୁକ୍ରବାରଠାରୁ ସାଧାରଣ ଦର୍ଶନ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ସହଯୋଗ କରିବାକୁ ଅପିଲ୍‌ କରାଯାଇଛି ।
କରୋନା ସଂକ୍ରମଣ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏହି କଟକଣା ଜାରି କରିଛି । ସେବାୟତଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ବଲୱନ୍ତ ସିଂ ଏପରି ନିର୍ଦ୍ଦେଶ ଦେଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସୂଚନା ଦେଇଛି । ନିର୍ଦ୍ଦେଶ ଅନୁସାରେ ଦେଉଳ ଭିତରକୁ କେବଳ ପାଳିଆ ସେବାୟତ ଓ ଅଧିକୃତ କର୍ମଚାରୀଙ୍କୁ ଛାଡ଼ି ଅନ୍ୟ କାହାରିକୁ ଛଡ଼ାଯିବନି । ସମସ୍ତଙ୍କ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଇଛି । ତେଣୁ ଏଥିରେ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି ।

ସେବାୟତମାନେ ମଧ୍ୟ ଏଥିପାଇଁ ସହମତି ଜଣାଇଛନ୍ତି । କିନ୍ତୁ ଏହି କଟକଣା ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ କୋହଳ କରାଯାଇଛି । କଟକଣା ପାଳନ କରିବାକୁ ସମସ୍ତେ ସହଯୋଗ କରିବେ ବୋଲି ସମ୍ମତି ଜଣାଇଛନ୍ତି ।

ଏହା ପୂର୍ବରୁ ଦର୍ଶନାର୍ଥଙ୍କ ପାଇଁ କଟକଣ ଲାଗୁ ହୋଇସାରିଛି । ସଂକ୍ରମଣ ରୋକିବା ପାଇଁ ନିର୍ଦ୍ଧାରିତ ଫର୍ମ ପୂରଣ କରି ଶ୍ରୀଜିଉ ଦର୍ଶନ କରିବାକୁ ଅନୁମତି ମିଳୁଛି । ମନ୍ଦିର ଭିତରେ ସେବାପୂଜାବେଳେ ସେବାୟତଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅରୁଣ ଓ ଗରୁଡ଼ ସ୍ତମ୍ଭ ସହ ଅନ୍ୟ ଦେବାଦେବୀଙ୍କୁ ଛୁଇଁବାକୁ ବାରଣ କରାଯାଇଛି । ଆନନ୍ଦବଜାରରେ ଏକାଠି ବସି ଖାଇବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି ।

Leave a Reply