ବିଶ୍ୱରେ ଭୟାନକ୍ ହେଉଛି କରୋନା…ଭୂତାଣୁ ନେଲାଣି ୨ ଲକ୍ଷ ୨୫ ହଜାର ଜୀବନ…୩୧ ଲକ୍ଷରୁ ଅଧିକ ଆକ୍ରାନ୍ତ…ସେପଟେ ଭାରତରେ ମୃତ୍ୟୁ ସଂଖ୍ୟା ୧ ହଜାର ପାର…୩୩ ହଜାରରୁ ଅଧିକ ସଂକ୍ରମିତ….
ମାଙ୍କଡ଼ଙ୍କ ଉପରେ ସଫଳ ହେଲା କରୋନା ଭାକସିନ୍ ପରୀକ୍ଷଣ: ମଣିଷଙ୍କ ଉପରେ ଟ୍ରାଏଲ ପାଇଁ ବ୍ରିଟେନ୍ ଦେବ ମୋଟା ଅଙ୍କ
ବିଟ୍ରେନ୍ : ବିଶ୍ୱର ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀମାନେ କରୋନାଭାଇରସ୍ ବିରୁଦ୍ଧରେ ଲଢ଼ିବା ପାଇଁ ଟିକା ପ୍ରସ୍ତୁତ କରିବାରେ ଜଡିତ ଅଛନ୍ତି । ତେବେ ଅନେକ ଦେଶ ଟିକା ପ୍ରସ୍ତୁତ କରି ଦେବା ପାଇଁ ଦାବି କରିଛନ୍ତି । ତଥାପି, ବଜାରକୁ ଆସିବା ପୂର୍ବରୁ ଏହି ଟିକାକୁ ଅନେକ ପରୀକ୍ଷା ଦେଇ ଗତି କରିବାକୁ ପଡିବ । ତାପରେ ଏହା ଲୋକଙ୍କ ପାଇଁ ଉପଲବ୍ଧ କରାଯିବ । ଏହି ପରିପ୍ରେକ୍ଷୀରେ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଖୁବ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ଗତ ସପ୍ତାହରେ ବିଶ୍ୱବିଦ୍ୟାଳୟର ଜେନେର୍ ଇନଷ୍ଟିଚ୍ୟୁଟ୍ କରୋନା ଭ୍ୟାକ୍ସିନ୍ ର ମାନବ ପରୀକ୍ଷା ଆରମ୍ଭ କରିଛି ।

ମେ ମାସ ଶେଷ ସୁଦ୍ଧା ୬,୦୦୦ ରୁ ଅଧିକ ଲୋକଙ୍କ ଉପରେ ଏହି ଟିକା ପରୀକ୍ଷା କରିବାକୁ ଅନୁଷ୍ଠାନ ଚାହୁଁଛି । ଏଥିପାଇଁ ବ୍ରିଟିଶ ସରକାର ଏହି ଅନୁଷ୍ଠାନକୁ ୨୦୦ ମିଲିୟନ୍ (୧୮୦ କୋଟି ଟଙ୍କା) ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ସମୟରେ, ଅନୁଷ୍ଠାନର ରେସୁସ୍ ମାକାକ୍ ପ୍ରଜାତିର ମାଙ୍କଡ଼ ଉପରେ ଏକ ଟିକା ପରୀକ୍ଷା ଫଳାଫଳ ମଧ୍ୟ ଆସିଛି । ଭ୍ୟାକ୍ସିନ୍ ‘ChAdOx1 nCoV-19’ ମାଙ୍କଡମାନଙ୍କୁ କରୋନା ଜୀବାଣୁ ସହ ଲଢ଼େଇ କରିବାରେ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି ।

କରୋନାଭାଇରସ୍ ଭ୍ୟାକ୍ସିନ୍ କରିବାକୁ ଦାବି କରୁଥିବା ଅଧିକାଂଶ ଦେଶ ଛୋଟ ଛୋଟ ପରୀକ୍ଷଣ କରୁଛନ୍ତି। ଅନ୍ୟପଟେ ଅକ୍ସଫୋର୍ଡ ୟୁନିଭରସିଟି ମେ’ ମାସ ଶେଷ ସୁଦ୍ଧା ହଜାର ହଜାର ମାନବଙ୍କ ଉପରେ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି । ଦି ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ବ୍ରିଟେନ ଟିକା ପ୍ରସ୍ତୁତ କରିବା ଦୌଡ଼ରେ ଆଗରେ ରହିଛି । ସେହିଭଳି ରିପୋର୍ଟରେ କୁହାଯାଇଛି ଯେ ଅକ୍ସଫୋର୍ଡ ନିର୍ମିତ ଟିକା ରେସୁସ୍ ମାକାକ୍ ପ୍ରଜାତିର ମାଙ୍କଡମାନଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

ସୂଚନା ଅନୁସାରେ, ଅକ୍ସଫୋର୍ଡ ୟୁନିଭରସିଟି ମାର୍ଚ୍ଚ ମାସରେ ମୋଣ୍ଟାନାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ରକି ମାଉଣ୍ଟେନ୍ ଲ୍ୟାବ୍ ରେ ୬ଟି ମାଙ୍କଡ ଉପରେ ଏହାର ଟିକା ପରୀକ୍ଷା କରିଥିଲା। ଏହା ପରେ ମାଙ୍କଡ଼ମାନଙ୍କୁ କରୋନା ଭାଇରସ ସଂସ୍ପର୍ଶରେ ଅଣାଯାଇଥିଲା । ଅର୍ଥାତ୍ ସେମାନଙ୍କୁ ବହୁ ପରିମାଣରେ କରୋନା ଜୀବାଣୁ ଦିଆଯାଇଥିଲା । ଅନ୍ୟ କେତେକ ମାଙ୍କଡ଼ ମଧ୍ୟ କରୋନା ଜୀବାଣୁ ସଂସ୍ପର୍ଶରେ ଆସିଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ ଟିକା ଦିଆଯାଉଥିବା ମାଙ୍କଡ଼ମାନେ ପ୍ରାୟ ଚାରି ସପ୍ତାହ ପରେ ମଧ୍ୟ ସୁସ୍ଥ ଥିଲେ ।
ମେ’ ୩ ପରେ: ହଟିବନି ଲକ୍ଡାଉନ୍ ହେଲେ କୋହଳ ହୋଇପାରେ କଟକଣା!
ନୂଆଦିଲ୍ଲୀ: ମେ’ ୪ ପରେ ଆହୁରି କୋହଳ ହୋଇପାରେ ଲକଡାଉନ କଟକଣା । ଏନେଇ କେନ୍ଦ୍ରସରକାରଙ୍କ ଗୃହମନ୍ତ୍ରାଳୟ ଇସାରା ଦେଇଛି । ତେବେ ଲକଡାଉନ ପରେ କେନ୍ଦ୍ର ଜାରି କରିବାକୁ ଯାଉଛି ନୂଆ ଗାଇଡଲାଇନ୍ । ନୂଆ ଗାଇଡଲାଇନରେ ଗ୍ରୀନ୍ ଜୋନ ଓ ୟେଲୋ ଜୋନ୍ରେ ଥିବା ଜିଲ୍ଲା ଗୁଡିକରେ କୋହଳସୀମାର ପରିସର ବୃଦ୍ଧି ହୋଇପାରେ । ତେବେ ରେଡ୍ ଓ ଅରେଞ୍ଜ ଜୋନ୍ରେ ପୂର୍ବବତ ଜାରି ରହିପାରେ କଟକଣା । ଏନେଇ ନୂଆ ଗାଇଡଲାଇନ ଆସିଲେ ସବୁ ସ୍ପଷ୍ଟ ହେବ ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ଗୃହ ମନ୍ତ୍ର।ଳୟ ମୁଖପାତ୍ର ।
New guidelines to fight #COVID19 will come into effect from 4th May, which shall give considerable relaxations to many districts. Details regarding this shall be communicated in the days to come.#Corona Update#StayHomeStaySafe @PMOIndia @HMOIndia @MoHFW_INDIA
— PIB – Ministry of Home Affairs (@PIBHomeAffairs) April 29, 2020
ସଫଳ ହେଉନି ଉଦ୍ଦେଶ୍ୟ: ଫସିରହିଥିବା ଲୋକଙ୍କ ସମ୍ପର୍କରେ ଜନ ପ୍ରତିନିଧି ଦେଉନାହାନ୍ତି ତଥ୍ୟ
ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ବାହାର ରାଜ୍ୟରେ ଫସିଥିବା ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଧାନସଭାରେ ଖୋଲିଥିବା ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠର ଉଦ୍ଦେଶ୍ୟ ସଫଳ ହେଉନାହିଁ । ଲୋକସଭା ବାଚସ୍ପତିଙ୍କ ପରାମର୍ଶକ୍ରମେ ଏହି ପ୍ରକୋଷ୍ଠ ଖୋଲିଛି । ବାହାର ରାଜ୍ୟରେ ଫସିଥିବା ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସଂପର୍କରେ ନିର୍ବାଚିତ ପ୍ରତିନିଧି ଏହି ପ୍ରକୋଷ୍ଠକୁ ତଥ୍ୟ ଦେବା କଥା । କିନ୍ତୁ ଏଥିପ୍ରତି ଲୋକ ପ୍ରତିନିଧିମାନଙ୍କର ସେତେଟା ଆଗ୍ରହ ଦେଖିବାକୁ ମିଳୁନାହିଁ ।

ଓଡ଼ିଶାର ୧୪୭ ବିଧାୟକଙ୍କ ମଧ୍ୟରୁ ହାତ ଗଣତି ବିଧାୟକ ବିଧାନସଭାରେ ଖୋଲିଥିବା ସ୍ୱତନ୍ତ୍ର କୋଭିଡ୍ – ୧୯ ପ୍ରକୋଷ୍ଠକୁ ବାହାର ରାଜ୍ୟରେ ଫସିଥିବା ନିଜ ଅଞ୍ଚଳର ଲୋକଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୬୩୮ ଜଣଙ୍କ ତଥ୍ୟ ଦେଇଛନ୍ତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୨୦୯୯, ପ୍ରମିଳା ମଲ୍ଲିକ ୨୧୦, ରୋହିତ ପୂଜାରୀ ୩୭, ପ୍ରଶାନ୍ତ ବେହେରା ୬୬ ଓ ଅନ୍ୟ ଦେଇଥିବା ତଥ୍ୟକୁ ମିଶାଇ ମୋଟ୍ ୩୦୨୨ଲୋକଙ୍କ ତଥ୍ୟ ମିଳିଛି ।

ସେହିପରି ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ସଂପର୍କରେ ଓଡ଼ିଶା ସରକାର ସଠିକ୍ ତଥ୍ୟ ଦେଉ ନାହାନ୍ତି ବୋଲି ଅଭିଯୋଗ କରୁଥିବା ବିରୋଧୀ ବିଧାୟକ ମଧ୍ୟ ବାହାରେ ଫସିଥିବା ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି । ଏନେଇ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ କଣ କହୁଛନ୍ତି, ଶୁଣନ୍ତୁ ।

ବର୍ତ୍ତମାନ ସୁଦ୍ଧା ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ସଂପର୍କରେ ବିଧାନସଭାର ସ୍ୱତନ୍ତ୍ର କୋଭିଡ୍-୧୯ ଅଭିଯୋଗ ପ୍ରକୋଷ୍ଠକୁ ନିର୍ବାଚିତ ପ୍ରତିନିଧିମାନେ ଯେତିକି ତଥ୍ୟ ଦେଇଛନ୍ତି, ରାଜ୍ୟ ଗୃହ ବିଭାଗ ତାହା ଲୋକସଭା ଓ ସଂପୃକ୍ତ ରାଜ୍ୟ ସରକାରଙ୍କ ପାଖକୁ ପଠାଇ ସମାଧାନ କରିବାକୁ ଚେଷ୍ଟା କରୁଛି । ଆହୁରି ତଥ୍ୟ ଆସିଲେ ତାହା ପଠାଇ ସମସ୍ୟାର ସମାଧାନ କରାଯିବ ।

ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଲା ବିଏମ୍ସି, ଦୂର ହେଲା ସନ୍ଦେହ…
ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ରାଜଧାନୀରେ କିଛି ଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ବିଏମ୍ସି ଅନୁମତି ଦେଇଛି । ତେବେ ଏହି ଅନୁମତି ପରେ ଲୋକଙ୍କର ଅନେକ ସନ୍ଦେହ ରହିଥିଲା । କେଉଁ ଦୋକାନ ଖୋଲିବ ଆଉ କେଉଁ ଦୋକାନ ଖୋଲିବ ନାହିଁ ? ତେଣୁ ସୋସିଆଲ ମିଡିଆ ଯୋଗେ ଲୋକମାନେ ନିଜର ସନ୍ଦେହ ଦୂର କରିବାକୁ ବିଏମ୍ସିକୁ ଅନେକ ପ୍ରଶ୍ନ କରିଥିଲେ । ତେବେ ଏହି ସବୁ ପ୍ରଶ୍ନର ଉତ୍ତର ରଖିଛି ବିଏମ୍ସି । ପ୍ରଶ୍ନ ଉତ୍ତର ଗୁଡ଼ିକ ହେଲା:-
୧.ଆଦେଶ କେଉଁ ତାରିଖରୁ କାର୍ଯ୍ୟକାରୀ ହେବ ?
ଏହି ଆଦେଶଟି ଯେଉଁ ତାରିଖରେ ଇସ୍ୟୁ କରାଯାଇଛି, ଅର୍ଥାତ୍ ୨୮ ଏପ୍ରିଲ ୨୦୨୦ ରୁ କାର୍ଯ୍ୟକାରୀ ହେବ ।
୨. ଜିଏସ୍ଟି ପଞ୍ଜୀକରଣ ପତ୍ର ପାସ୍ ଭାବେ ବ୍ୟବହୃତ ହୋଇପାରିବ କି ?
ବିଏମସି ଦ୍ୱାରା ଜାରି ହୋଇଥିବା ବୈଧ ଟ୍ରେଡ୍ ଲାଇସେନ୍ସ ଏବଂ ଦୋକାନ/ବାଣିଜ୍ୟିକ ପ୍ରତିଷ୍ଠାନ ମାଲିକଙ୍କ ଦ୍ୱାରା ପ୍ରମାଣିତ ବୈଧ ପ୍ରମାଣ ପତ୍ରର ଏକ କପି ପାସ୍ ଭାବରେ ବ୍ୟବହାର କରାଯାଇପାରିବ ।
୩. ମୋବାଇଲ୍ ଦୋକାନ ଖୋଲି ବିକ୍ରି କରିବାକୁ ଅନୁମତି ରହିଛି କି ?
ଯଦି ମୋବାଇଲ୍ ବିକ୍ରୟ ଦୋକାନଟି ଗୋଟିକିଆ ଭାବେ ରହିଥିବ, ତେବେ ଦୋକାନ ଖୋଲି ବିକ୍ରୟ କରିବାକୁ ଅନୁମତି ରହିଛି । କିନ୍ତୁ ଯଦି ଦୋକାନଟି ମାର୍କେଟ ଉପରେ ରହିଥିବ ତେବେ ଖୋଲିବାକୁ ଅନୁମତି ନାହିଁ ।
୪.ପ୍ଲାଏ ଉଡ୍, ପେଣ୍ଟ, ହାର୍ଡଓୟାର୍ ଦୋକାନ ଖୋଲିବାକୁ ଅନୁମତି ରହିଛି କି ?
ହଁ, ଅନୁମତି ରହିଛି । କିନ୍ତୁ ଦୋକାନଟି ଗୋଟିକିଆ ହୋଇଥିବ, ମାର୍କେଟ କମ୍ପ୍ଲେକ୍ସ/ ମଲ୍ରେ ଅବସ୍ଥିତ ହୋଇନଥିବ ।
୫.ଦୁଇ ଏବଂ ଚାରି ଚକିଆ ଶୋ’ରୁମ୍ ଖୋଲିବାକୁ ଅନୁମତି ଦିଆଯାଇଛି କି ନାହିଁ ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ । ସାଧାରଣତଃ ଚାରି ଚକିଆ ଶୋ’ରୁମ୍ ଏକକ ବ୍ରାଣ୍ଡ ଅଧୀନରେ ଆସେ ତେଣୁ ତାହା ଖୋଲିବାକୁ ଅନୁମତି ନାହିଁ ।
୬. ପୋଷାକ ଦୋକାନ ଖୋଲିବା ପାଇଁ ଅନୁମତି ରହିଛି କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବ ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।
୭. ଘରୋଇ କନ୍ଷ୍ଟ୍ରକ୍ସନ କାମ କରାଯିବା ପାଇଁ ଅନୁମତି ରହିଛି କି ?
ଯେଉଁ ସବୁ କନ୍ଷ୍ଟ୍ରକ୍ସନ୍ ସାଇଟ୍ରେ ପୂର୍ବରୁ ଶ୍ରମିକ ମାନେ ଅଛନ୍ତି ସେଠାରେ କାମ କରିବାକୁ ଅନୁମତି ରହିଛି । କିନ୍ତୁ କାମ ପାଇଁ ବାହାରୁ ଶ୍ରମିକଙ୍କୁ ଆଣିବାକୁ ଅନୁମତି ନାହିଁ ।
୮. ଫ୍ଲେକ୍ସ ପ୍ରିଣ୍ଟିଂ ଡିଜିଟାଲ ପ୍ରିଣ୍ଟିଂ ଦୋକନ ଖୋଲିବାକୁ ଅନୁମତି ରହିଛି କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।
୯. ମାରବଲ୍, ଟାଇଲ୍, ଗ୍ରାନାଇଟ୍ ଦୋକାନ୍ ଖୋଲିବା ପାଇଁ ଅନୁମତି ରହିଛି କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।
୧୦. ସାଧାରଣ ଇନ୍ସ୍ୟୁରାନ୍ସ କମ୍ପାନୀ ଖୋଲିବାକୁ ଅନୁମତି ରହିଛି କି ?
ହଁ, କିନ୍ତୁ ୨୫ ପ୍ରତିଶତ ଷ୍ଟାଫ୍ କାମ କରିବେ ।
୧୧. ସୁନା, ରୂପା ଅଳଙ୍କାର ଦୋକାନ ଖୋଲା ରହିବ କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।
୧୨. ସାର୍ ମୁଁ ମୋ ଝରକା କବାଟ୍ ଗ୍ଲାସ୍ ଦୋକାନ୍ ଖୋଲିପାରିବି କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।
୧୩. ଯେଉଁ ମିଠା ଦୋକାନରେ ଜିନିଷ ବାହାରକୁ କେବଳ ବିକ୍ରି ହୁଏ ସେଗୁଡ଼ିକ ଖୋଲା ଯାଇପାରିବ କି ?
ହଁ, କିନ୍ତୁ କେବଳ ଆଉଟ୍ଲେଟ୍ ଭାବେ ବିକ୍ରି ପାଇଁ ।
୧୪, ଘରୋଇ ରୋଷେୟା କମବାଲିଙ୍କୁ କାମ କରିବାକୁ ଅନୁମତି ରହିଛି କି ?
ହଁ, କିନ୍ତୁ ସଠିକ୍ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ସହିତ, ସାମାଜିକ ଦୂରତା, ମାସ୍କ / ଗ୍ଲୋଭସ୍ ଇତ୍ୟାଦି ବ୍ୟବହାର କରିବା ସେମାନଙ୍କ ପାଇଁ ବାଧ୍ୟତାମୂଳକ । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରତିଦିନ ନଜର ରଖାଯିବ । ଫ୍ଲୁ ପରି ଲକ୍ଷଣ ଦେଖାଗଲେ ସେମାନଙ୍କୁ ଘରେ ରହିବାକୁ ଏବଂ ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯିବ ।
୧୫. ସାନିଟାରୀ ଦୋକାନ ଖୋଲାଯାଇପାରିବ କି?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।
୧୬. ଲିଫ୍ଟ ଏବଂ ଏସ୍କାଲେଟର ରକ୍ଷଣାବେକ୍ଷଣର ଅନୁମତି ରହିଛି କି ?
ଯେହେତୁ ୯୦% ରୁ ଅଧିକ ଫିଲ୍ଡ କର୍ମଚାରୀ, ଯେଉଁମାନେ ସାଧାରଣତଃ ଏକାଧିକ ସାଇଟ୍ରେ କାମ କରନ୍ତି । ସେମାନଙ୍କୁ ଅନୁମତି ରହିଛି କିନ୍ତୁ ସାମାଜିକ ଦୂରତା ନିୟମ, ପରିମଳ ଓ ସ୍ୱଚ୍ଛତା ରଖିବାକୁ ସେମାନେ ବାଧ୍ୟ ।
୧୭. କମ୍ପ୍ୟୁଟର, ଲାପଟପ୍ ଶୋ’ରୁମ୍ ଖୋଲାଯାଇପାରିବ କି?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।
୧୮.ମଦ ଦୋକାନ ବିଷୟରେ କିଛି ଉଲ୍ଲେଖ ନାହିଁ ? ଏନେଇ କିଛି ସ୍ପଷ୍ଟୀକରଣ ରହିଛି କି ?
ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମଦ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ ।
Here is the FAQs in relation to the above-mentioned order. @CMO_Odisha @SecyChief @SarangiSudhansu @cpbbsrctc @HUDDeptOdisha pic.twitter.com/GYe1nxoE62
— BMC (@bmcbbsr) April 29, 2020
ବଡ଼ ନିଷ୍ପତ୍ତି, ଫେରିବେ କୋଟାରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ
ଭୁବନେଶ୍ୱର: କରୋନା, ଲକଡାଉନ୍ ଯିଏ ଯେଉଁଠି ଯେମିତି ଓଳିଏ ଖାଇଲେ, ଓଳିଏ ନଖାଇ ପଡ଼ି ରହିଛନ୍ତି । ପାଠ ପଢ଼ିବାକୁ ଯାଇ ରାଜସ୍ଥାନରେ ଫସିଛନ୍ତି ପ୍ରାୟ ୯୭୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ । ରାଜସ୍ଥାନରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ସେଠାରୁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରବାସୀ ଓଡ଼ିଆଙ୍କ ଦାୟିତ୍ୱରେ ଥିବା ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ଫସିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ଲାଗି ସରକାର ବ୍ୟବସ୍ଥା କରୁଛନ୍ତି । ସେମାନଙ୍କୁ କୋଟାରୁ ସ୍ୱତନ୍ତ୍ର ବସ୍ ଯୋଗେ ଓଡ଼ିଶା ଆଣିବାକୁ ସରକାର ପଦକ୍ଷେପ ନେଇଛନ୍ତି । ଗାଡ଼ି ପରମିଟ୍ ସହ ଅନ୍ୟ ସବୁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ଏନେଇ ରାଜସ୍ଥାନ ସରକାର ଓ କୋଟା ପ୍ରଶାସନ ମଧ୍ୟ ବିସ୍ତୃତ ଆଲୋଚନା କରିଛନ୍ତି ।
ଏଯାବତ୍ ରାଜସ୍ଥାନରେ ୨ ହଜାର ୩୯୩ଟି କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବା ବେଳେ କୋଟାରେ ୧୯୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କେବଳ କୋଟାର ସ୍ଥିତି ଆମ ରାଜ୍ୟ ସ୍ଥିତି ଠାରୁ ଉଦବେଗଜନକ ରହିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ସେଠାରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ନେଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
ଛାତରେ ଛକି ବସିଥିଲା ମୃତ୍ୟୁ: ମାଆ ଡାକୁଥିଲା ଘରକୁ, ପୁଅ ଚାଲିଗଲା ଆରପାରିକୁ
ଢେଙ୍କାନାଳ: ଲକ୍ଡାଉନ୍ ସରିଲେ ଘରକୁ ଫେରିବି। ଯଦି ସୁବିଧା ହୁଏ ପ୍ରବାସୀ ଫେରୁଥିବା ବସ୍ରେ ମଧ୍ୟ ଫେରି ପାରେ। ହଁ.. ଫେରିଲେ ମୁଁ ଘରକୁ ନଯାଇ କ୍ୱାରେଣ୍ଟାଇନ୍ରେ ରହିବି। ସବୁ ଠିକ୍ଠାକ୍ ହେବା ପରେ ଘରକୁ ଯିବି। ମାଆ ସହ ଫୋନ୍ରେ ଏମିତି କିଛି ଗପୁ ଗପୁ ଚାଲିଗଲା ପୁଅର ଜୀବନ। ଚାରି ମହଲା ଛାତ ଉପରୁ ଖସି ପଡି ପ୍ରାଣ ହରାଇଲା ସୁରତରେ ରହୁଥିବା ଦାଦନ ପୁଅ। ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ କଙ୍କଳି ଗାଁରୁ ଆସିଛି ଏମିତି ଏକ ହୃଦୟ ବିଦାରକ କାହାଣୀ।

ଅନ୍ଧାର ରାତିରେ ଅଲୋକର ଏ ପଦେ ଦି ପଦ କଥା ମାଆ ଆଖିରେ ଆଲୁଅ ଭରି ଦେଉଥିଲା। ମାଆପୁଅ ଭିତରେ ମାଇଲ୍ ମାଇଲ୍ ଦୂରତାକୁ କମାଇ ଦେଉଥିଲା ମୋବାଇଲ୍। ହେଲେ ମିଠାମିଠା କଥା ମଝିରେ ଯେ ମୃତ୍ୟୁ ଛକି ବସିଥିଲା ସେକଥା କିଏ ଜାଣିଥିଲା। ହଠାତ୍ ଅନ୍ଧାର ଘୋଟି ଆସିଥିଲା ଆଲୋକଙ୍କ ଜୀବନରେ। ଏ ଏମିତି ଏକ ଅନ୍ଧାର ଯେଉଁଠୁ ଫେରିବା ଅସମ୍ଭବ ଥିଲା। ଚାରି ମହଲା ଛାତ ଉପରୁ ଗଳି ପଡିଥିଲେ ଆଲୋକ। ଗୋଟିଏ ମୁହୂର୍ତ୍ତ ଶଦ୍ଦ ପାଲଟି ଯାଇଥିଲା ଶବ। ଆଉ କରୋନା କାହାଣୀରେ ଲେଖା ହୋଇଯାଇଥିଲା ଦାଦନ ମୃତ୍ୟୁର ଏ ଲୁହଭରା ଅଧ୍ୟାୟ।

ସେପଟେ ରକ୍ତ ଝରୁଥିଲା ଏପଟେ ମାଆ ଝୁରୁଥିଲା। ବାହୁନା କାନ୍ଦରେ ଭାଙ୍ଗି ଯାଉଥିଲା ଲକ୍ଡାଉନ୍ର ନୀରବତା। କୁମୁଦ ଓ ଅନୁଡି ନାୟକଙ୍କ ସାନପୁଅ ଆଲୋକ। ସ୍ଥାନୀୟ ସ୍କୁଲ୍ରେ ପାଠପଢ଼ା ପରେ ଗରିବୀ ବାନ୍ଧିଥିଲା ପାଠରେ ଡୋରୀ। ନିଜେ ବଞ୍ଚିବେ ଆଉ ପରିବାରକୁ ବଞ୍ଚାଇ ରଖିବେ। ସେଥିପାଇଁ ପୁଅ କାଟିଥିଲା ସୁରତର ଟିକେଟ୍। ଜଟିଳ ସୂତାକୁ ସଜାଡୁ ସଜାଡୁ ସେ ଖୋଜୁଥିଲେ ଏକ ସରଳ ଜୀବନର ଖିଅ। ହେଲେ ଲକ୍ଡାଉନ୍ର ଅନ୍ଧାର ରାତିରେ ଅଡୁଆ ସୂତାର ଖିଅରେ ହଠାତ୍ ପଡି ଯାଇଥିଲା ଜୀବନର ଗଣ୍ଠି।

ହୁଏତ ଜୀବନ ଥିଲେ ଏମିତିଆ ଏକ ପ୍ରବାସୀ ଗାଡ଼ିରେ ବସି ପୁଅ ଫେରୁଥାନ୍ତା ଗାଁକୁ। ଆଲୋକ ଫେରିଥାନ୍ତା ଆଶା ବି ଫେରିଥାନ୍ତା। ହେଲେ ଏବେ ଜୀବିତ ନୁହେଁ ମୃତପୁଅକୁ ମାଗୁଛି ମାଆ। ଶବକୁ ଶେଷ ଦର୍ଶନ କରିବାକୁ ଚାହିଁ ବସିଛି ଗାଁ। ଏବେ ଅପେକ୍ଷା…ମାସ୍କ ପିନ୍ଧା ପୁଅର ମୃତଦେହ ଫେରିଲେ ଗାଁ ମଶାଣିର ବାଟ ଧରିବେ ମାଲଭାଇ।…
https://www.facebook.com/NandighoshaTV/videos/547075279328999/
ହେଲେ ଅଫେରା ରାଇଜରୁ ପୁଅ ତ ଆସୁନି, ଆସୁଛି ତା ଶବ। ଗୁଜୁରାଟ ସରକାରଙ୍କ ସହ ସ୍ଥାନୀୟ ପ୍ରଶାସନ କଥାବାର୍ତ୍ତା ହୋଇ ଆଲୋକଙ୍କ ମୃତଦେହ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛି।
ଭାରତରେ ଆଉ ଏକ କମ୍ପାନୀ କହିଲା ପ୍ରସ୍ତୁତ କରିବ କରୋନା ପାଇଁ ଭ୍ୟାକ୍ସିନ୍
ଅହମ୍ମଦାବାଦ୍: ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଭ୍ୟାକ୍ସିନ୍ ପ୍ରସ୍ତୁତି ପାଇଁ ବିଭିନ୍ନ ଫାର୍ମା କମ୍ପାନୀ ଦିନ ରାତି ଏକ କରିଦେଇଛନ୍ତି । ଭାରତରେ ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ପରେ ଏବେ ହେଷ୍ଟର ବାୟୋସାଇନ୍ସେସ୍ ମଧ୍ୟ କରୋନା ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାକୁ ଘୋଷଣା କରିଛି । କମ୍ପାନୀ ପକ୍ଷରୁ ଏହି ଘୋଷଣା ପରେ ସେୟାର ବଜାରରେ ଏହାର ଦର ୨୦ ପ୍ରତିଶତ ବୃଦ୍ଧି ପାଇଛି ।
ବୁଧବାର ଅହମ୍ମଦାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ହେଷ୍ଟର ବାୟୋସାଇନ୍ସେସ୍ର କହିବାନୁଯାୟୀ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଗୌହାଟି ସହ ମିଶି ସେ COVID-19 ଭ୍ୟାକ୍ସିନ ପ୍ରସ୍ତୁତ କରିବ । ଏନେଇ ଗତ ଏପ୍ରିଲ୍ ୧୫ରେ ଚୁକ୍ତି ମଧ୍ୟ ହୋଇସାରିଛି । ଏହି ଟିକା ଏଭିଆନ୍ ପେରାମଇକ୍ସୋଭାଇରସ୍ ଭେକ୍ଟର ପ୍ଲାଟଫର୍ମ ଉପରେ ଆଧାରିତ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ ପୁଣେର ସିରମ୍ ଇନଷ୍ଟିଚ୍ୟୁଟ୍ ଦାବି କରିଛି ଯେ, ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା କରୋନା ଭ୍ୟାକ୍ସିନ୍ ବଜାରକୁ ଛାଡ଼ିବ । ଯାହାର ମୂଲ୍ୟ ପ୍ରତି ଡୋଜ୍ ପିଛା ୧୦୦୦ ଟଙ୍କା ରହିବ ।
ନ୍ୟୁଜ୍ ଏଜେନ୍ସି ପିଟିଆଇର କହିବାନୁଯାୟୀ, ହେଷ୍ଟର ବାୟୋସାଇନ୍ସେସ୍ ସିଇଓ ତଥା ଏମଡି ଆର. ଗାନ୍ଧୀ କହିଛନ୍ତି କୋଭିଡ୍-୧୯ ଭାଇରସ୍କୁ ଧ୍ୱଂସ କରିବାକୁ, ଆଇଆଇଟି ଗୌହାଟି ଏବଂ ହେଷ୍ଟର ମଳିତ ଭାବେ ଭ୍ୟାକ୍ସିନ୍ ପ୍ରସ୍ତୁତ କରୁଛନ୍ତି । ଆଇଆଇଟି ଗୌହାଟିକୁ ହେଷ୍ଟର ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି । ଏହି ଭ୍ୟାକ୍ସିନ୍ ବଜାରରେ ବିକ୍ରି ଉପଯୋଗୀ ହେବା ଭଳି ପ୍ରସ୍ତୁତ କରାଯିବ ।
ତେବେ ଏହି ଘୋଷଣା ପରେ, ବୁଧବାର ହେଷ୍ଟର ବାୟୋସାଇନ୍ସେସର ଶେୟାର ଆଶାତୀତ ଭାବେ ବୃଦ୍ଧି ପାଇଛି । ଏକକାଳିନ ୨୦ ପ୍ରତିଶତ ଉପରକୁ ଉଠିଛି ଶେୟାର ଦର । ବିଏସ୍ଇରେ ଏହାର ଆଜିର କାରବାର ୧୩୬୬ରେ ସୀମିତ ରହିଥିଲା ।
ଓଡ଼ିଶା ସୀମା ଅତିକ୍ରମ କଲେ ପ୍ରବାସୀ ଓଡ଼ିଆ : ଗଞ୍ଜାମ ଜିଲ୍ଲା ଅଭିମୁଖେ ସୁରତ ଫେରନ୍ତା
ବ୍ରହ୍ମପୁର: ଓଡ଼ିଶା ପହଞ୍ଚିଲେ ପ୍ରବାସୀ ଓଡ଼ିଆ । ୪ଟି ବସ୍ ଏବେ ସୋନପୁର ଜିଲ୍ଲା ଅତିକ୍ରମ କରିଛି । ଆଉ କିଛି ଘଣ୍ଟା ପରେ ଜନ୍ମମାଟିରେ ପହଞ୍ଚିବେ ସୁରତ ଫେରନ୍ତା । ବସ୍ ଗୁଡିକୁ ପୋଲିସ ଏସ୍କଟ କରିଆଣୁଛି । ସୋନପୁର, ବୌଦ୍ଧ, ଫୁଲବାଣୀ ଦେଇ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିବ । ୪ଟି ବସରେ ଗଞ୍ଜାମ ଜିଲ୍ଲାର ୧୦ରୁ ଅଧିକ ପଞ୍ଚାୟତର ୨୦୦ରୁ ଅଧିକ ଲୋକ ଆସୁଛନ୍ତି । ଗତ ରବିବାର ଦିନ ପ୍ରବାସୀ ଓଡିଆ ପରିବାରର ନେତୃତ୍ୱରେ ପାଣ୍ଡେସର ଓ ପଟେଲ ନଗର ଅଞ୍ଚଳରୁ ୪ଟି ବସ ବାହାରିଥିଲା । ସେପଟେ ଦ୍ୱିତୀୟ ପର୍ଯ୍ୟୟରେ ଆଉ ୪ ଟି ବସ ସୁରତରୁ ଓଡ଼ିଶା ବାହାରିଛି । ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ୪ଟି ବସରେ ୧୪୪ ଜଣ ପ୍ରବାସୀ ଓଡିଆ ଓଡ଼ିଶା ଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ୮ଟି ବସ ବାହାରିଥିବା ବେଳେ ଆସନ୍ତା ଦିନରେ ସୁରତ ପ୍ରଶାସନର ଅନୁମତି ମିଳିବା ପରେ ଅନେକ ବସ ଓଡିଶା ଯିବାର କାର୍ଯ୍ୟକ୍ରମ ରହିଛି । ବସରେ ଆସୁଥିବା ପ୍ରବାସୀ ଓଡିଆ ମାନେ ମାସ୍କ ପିନ୍ଧିଛନ୍ତି । ସଭିଏଁ ନିଜସ୍ୱ ଖର୍ଚ୍ଚରେ ଓଡିଶା ଆସୁଛନ୍ତି । ଗଞ୍ଜାମ ଜିଲ୍ଲାରେ ପହଞ୍ଚିଲା ପରେ ସଭିଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବ ।
କରୋନା ଭଳି ୧୫୦୦ ମାରାତ୍ମକ ଭାଇରସ୍ ଗଚ୍ଛିତ ରଖିଛି ଚୀନ୍…!
କରୋନା ଭାଇରସ୍ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଶ୍ୱରେ ପ୍ରାୟ ୩୦ ଲକ୍ଷ ଲୋକ ଏବେ ଆକ୍ରାନ୍ତ ଥିବା ବେଳେ ୨ ଲକ୍ଷ ଲୋକ କରୋନା ଆକ୍ରାନ୍ତ ଯୋଗୁଁ ମୃତ୍ୟୁ ବରଣ କରିସାରିଲେଣି । ଏହାରି ମଧ୍ୟରେ ଏବେ ଖବର ଆସିଛି, ଚୀନ୍ରେ କରୋନା ଭଳି ଆହୁରି ୧୫୦୦ ଭୟଙ୍କର ଭାଇରସ୍ ଗଚ୍ଛିତ ଅଛି । ଉହାନ୍ ସହରର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଲ୍ୟାବ୍ରେ ହିଁ ଏହି ଭାଇରସ୍ ପ୍ରସ୍ତୁତ କରି ରଖାଯାଇଛି ।
ରିପୋର୍ଟ ଅନୁଯାୟୀ, ଚାଇନାର ଏହି ଲ୍ୟାବ୍ରେ ୧୫ ଶହରୁ ଅଧିକ ମାରାତ୍ମକ ଭାଇରସ୍ ଷ୍ଟକ୍ ରହିଛି । ଯାହାର ରିସର୍ଚ୍ଚ ଏବେ ବି ଚାଲିଛି । ଏଥିରୁ ଅନୁମାନ କରାଯାଇପାରିବ ଯେ, ଯଦି କରୋନା ଭଳି ଅନ୍ୟ ଭାଇରସ୍ ଲ୍ୟାବରୁ ବାହାରକୁ ଚାଲି ଆସନ୍ତି ତେବେ ମାନବ ଜାତିର ଅବସ୍ଥା କ’ଣ ହେବ ? ତେବେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଚୀନ୍ ପ୍ରତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଥିବା କ୍ରୋଧ ଅଯଥା ନୁହେଁ ।
ଲ୍ୟାବ୍ର ଏକ ବଡ଼ ଫ୍ରିଜ୍ ମଧ୍ୟରେ ସବୁ ଭାଇରସ୍କୁ ସୁରକ୍ଷିତ ଭାବେ ରଖାଯାଇଛି । ଅନ୍ୟପଟେ ଏହି ଭାଇରସ୍କୁ ନେଇ ଏବେ ବି ରିସର୍ଚ୍ଚ ଜାରି ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ସାରା ବିଶ୍ୱକୁ ହାନୀ ପହଞ୍ଚାଇଲା ଭଳି ଏହି ଭାଇରସ୍କୁ କାହିଁକି ଗଚ୍ଛିତ ରଖାଯାଇଛି । ଯଦି କୌଣସି କାରଣ ବସତଃ ଏହା ଲିକ୍ ହୋଇଯାଏ ତେବେ ବିଶ୍ୱ ପାଇଁ ବଡ଼ ବିପଦ ଆସିପାରେ ।
ବ୍ରିଟିଶ ଗଣମାଧ୍ୟମ, ଦି ଡେଲି ମେଲ୍ ଗ୍ରୁପ୍ ପକ୍ଷରୁ ଏହା ଦାବି କରାଯାଇଛି ଯେ, ସେହି ଲାବ୍ରେ ୧୫୦୦ ଭାଇରସ୍ ଏବେ ବି ମହଜୁଦ୍ ରହିଛି । ଉକ୍ତ ଗଣମାଧ୍ୟମ ସଂସ୍ଥାର ଜଣେ ସାମ୍ବାଦିକ, ଲ୍ୟାବ୍ର ଭିତର ଫଟୋ ଭାଇରାଲ କରିଛନ୍ତି । ଲ୍ୟାବ୍ର ଏଭଳି ଫଟୋ ପୂର୍ବରୁ ମଧ୍ୟ ଭାଇରାଲ ହୋଇଛି । ସେତେବେଳେ ଚୀନ୍ର ଏହି ଲ୍ୟାବ୍କୁ ଏସିଆର ସବୁଠାରୁ ବଡ଼ ଭାଇରସ୍ ବ୍ୟାଙ୍କ ବୋଲି କୁହାଯାଇଥିଲା ।
ବାସ୍ତବରେ ବୁହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ଏଭଳି ଏକ ଳ୍ୟାବ୍ ରହିଛି ଯେଉଁଠି ଅନେକ ମାରାତ୍ମକ ଭାଇରସ୍ ଉପରେ ପରୀକ୍ଷଣ କରାଯାଉଛି । ବ୍ରିଟିସ୍ ଗଣମାଧ୍ୟମର ଦାବି ଅନୁଯାୟୀ, ଲ୍ୟାବ୍ର ଯେଉଁ ଫ୍ରିଜ୍ରେ ଗୁଡ଼ିକରେ ଏଭଳି ମାରାତ୍ମକ ଭାଇରସ୍ ରହିଛି, ସେହି ଫ୍ରିଜ୍ ଗୁଡ଼ିକର ଲକ୍ ଭଙ୍ଗାଯାଇଛି । ଆଉ ସେହି ଫ୍ରିଜ୍ ଚାରିପଟେ ଘେରାବନ୍ଦୀ କରାଯାଇଛି ।
ତେବେ ଏଠି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚୀନ୍ ନିଜ ଲ୍ୟାବ୍ରେ ରଖିଥିବା ୧୫୦୦ ରୁ ଅଧିକ ଭାଇରସ୍ ପାଇଁ ଆମେରିକା ମଧ୍ୟ ଦାୟୀ । କାରଣ ବାଦୁଡ଼ି ଉପରେ ରିସର୍ଚ୍ଚ କରିବା ପାଇଁ ଆମେରିକା ଚୀନ୍କୁ କହିଥିଲା । ଏଥିପାଇଁ ଗତ ୨୦୧୫ରୁ ଆମେରିକା ଚୀନ୍କୁ ଫଣ୍ଡିଂ ମଧ୍ୟ କରୁଛି । ଏନେଇ ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ସ୍ୱୀକାର କରି ସାରିଛନ୍ତି । ଏହି ବାଦୁଡ଼ି ରିସର୍ଚ୍ଚରୁ ହିଁ କୋଭିଡ଼-୧୯ ଭାଇରସ୍ ଉତ୍ପନ୍ନ ହୋଇଛି ବୋଲି କୁହାଯାଉଛି ।

