ବାହା ହେବା ପାଇଁ ଛୁଟିରେ ଥିଲେ ପିଏସଓ, ନିର୍ବନ୍ଧ ଦିନ କଲେ ଆତ୍ମହତ୍ୟା !

1 min read

ବଣାଇ: ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ PSO ଡମ୍ବରୁ ସାହୁଙ୍କ ଆତ୍ମହତ୍ୟା । କୁର୍ଡ଼ା ଗାଁରେ ନିଜ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ନିଜ ସର୍ଭିସ ରିଭରବଲ୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।ତେବେ PSO କିଛିଦିନ ହେବ ମାନସିକ ଚାପରେ ଥିଲେ । କିନ୍ତୁ କଣ ପାଇଁ ସେ ମାନସିକ ଚାପରେ ଥିଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଡମ୍ବରୁ ବିବାହ ପାଇଁ ଛୁଟି ନେଇ ଘରେ ଥିଲେ । ଆଜି ଡମ୍ବରୁଙ୍କ ପରିବାର ତାଙ୍କ ବିବାହ ନିର୍ବନ୍ଧ ପାଇଁ  ଘଟଗାଁ ତାରିଣୀ ମନ୍ଦିର ଯିବାକୁ ଥିବା ବେଳେ ଏଭଳି ଅଘଟଣ ଘଟିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ଛି ଯେ ପ୍ରାୟ ୬ ମାସ ହେବ ଡମ୍ବରୁ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଅପ୍ରାକୃତିକ ବ୍ୟବହାର କରୁଥିଲେ । ଏନେଇ ତାଙ୍କୁ ପରିବାର ଲୋକେ ରାଉରକେଲା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ କରାଉଥିବା ଜଣାପଡିଛି l ମୃତ ଡମ୍ବରୁଙ୍କ ପିତା ନଥିବା ବେଳେ ଘରେ ମା ଏବଂ ସାନ ଭାଇଙ୍କ ସହ ରହୁଥିଲେ, ତାଙ୍କର ପାଞ୍ଚ ଭଉଣୀ ବିବାହ କରିସାରିଛନ୍ତି ଏବଂ ଏବେ ଡମ୍ବରୁଙ୍କ ବିବାହ ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା l ଏବଂ ଏନେଇ ଗତକାଲି ରାତିରେ ଡମ୍ବରୁଙ୍କ ସାନ ଭାଇ ଓ କିଛି ସାଙ୍ଗ ତାଙ୍କସହ ଥିଲେ  ।

ଆଜି ସକାଳ ପ୍ରାୟ ୬ଟା ସମୟରେ ଡମ୍ବରୁ ନିଜ କୁର୍ଡା ସ୍ଥିତ ବାସଭବନରେ ଛାତ ଉପରକୁ ଯାଇ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି l ଗୁଳି ଶବ୍ଦ ଶୁଣି ସମସ୍ତେ ଛାତ ଉପରକୁ ଯାଇ ମୁମୁର୍ଷୁ ଅବସ୍ଥାରେ ଡମ୍ବରୁଙ୍କୁ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏବେ ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଭାଗୃହରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ଶବ ବ୍ୟବଚ୍ଛେଦ ପରେ ଶବ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି l

ଅପରପକ୍ଷରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଡମ୍ବରୁ ଜଣେ ଭଲ କର୍ମଚାରୀ ଥିଲେ ବୋଲି କହିଛନ୍ତି । ସେ ବିବାହ ପାଇଁ କିଛିଦିନ ଛୁଟି ମାଗି ଘରେ ରହୁଥିବା କଥା ପ୍ରକାଶ କରିଛନ୍ତି l ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟଦ ମଜବୁର୍ ରେହମାନ, ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ତଦନ୍ତ ପରେ ଅଧିକ ସୂଚନା ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply