spot_img
Home Blog Page 7255

ଲକ୍‌ଡାଉନ୍ ବଢିବ ? ପିଏମ୍-ସିଏମ୍ ମିଟିଂରୁ ମିଳିଲା ସଂକେତ

ନୂଆଦିଲ୍ଲୀ: କ’ଣ ଲକଡାଉନ୍ ଅବଧି ପୁଣି ବଢିବ ? କ’ଣ ମଙ୍ଗଳବାର ପୁଣି ଥରେ ଲକଡାଉନ୍ ବଢୁଛି ବୋଲି କେନ୍ଦ୍ର ସରକାର ଘୋଷଣା କରିବେ ? ଏହି ପ୍ରଶ୍ନ ଓ ଆଶଙ୍କା ଏଥିପାଇଁ ଉତ୍ପନ୍ନ ହେଉଛି ଯେ, ସୋମବାର ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କ ଆଲୋଚନା କାଳରେ କରୋନା ମୁକାବିଲା ରଣନୀତି ଉପରେ ଚର୍ଚ୍ଚା ସମୟରେ କିଛି ମୁଖ୍ୟମନ୍ତ୍ରୀ ଲକଡାଉନ୍ ଅବଧି ବଢାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ସବୁଠୁ ବଡ଼ କଥା ହେଉଛି, ଲକଡାଉନ୍ ବଢ଼ାଇବା ପାଇଁ ଦାବି, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ନୁହନ୍ତି ବିରୋଧୀ ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପଟୁ ଆସିଛି । ଲକଡାଉନ୍ ଅବଧି ବଢାଇବା ସପକ୍ଷରେ ଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଲକଡାଉନ୍ ନବଢିଲେ ସଂକ୍ରମଣ ରୋକିବା ଅସମ୍ଭବ

ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକଡାଉନ୍ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି ଯେ, ଲକଡାଉନ୍‌କୁ ନବଢାଗଲେ ସଂକ୍ରମଣ ରୋକିବା ଅସମ୍ଭବ ହୋଇପଡିବ । ସେହିଭଳି ମମତା ବାନାର୍ଜୀ ମଧ୍ୟ ଲକଡାଉନ୍ ସପକ୍ଷରେ ଯୁକ୍ତି ବାଢିଥିଲେ । ଲକଡାଉନ୍ ଅବଧିକୁ ଅଧିକ ବଢାଇବା ପାଇଁ ମମତା କହିଥିଲେ ।

ରେଡ୍ ଜୋନରୁ ଗ୍ରୀନ୍‌ଜୋନ୍‌ ମଧ୍ୟରେ ଯାତାୟତ ବନ୍ଦ ହେଉ

ଅନ୍ୟପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ସମ୍ପୂର୍ଣ୍ଣ ଦେଶରେ ଯାତାୟତ ଉପରେ ପ୍ରତିବନ୍ଧକ ଲାଗୁ ଉପରେ ଜୋର୍‌ ଦେଇଥିଲେ । ସେ ରେଡ୍ ଜୋନ୍‌ରୁ ଗ୍ରୀନ୍‌ ଜୋନ୍‌କୁ ଯାତାୟତ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ କହିଥିଲେ ।

ରଣନୀତି ସହ ଲକଡାଉନ୍ ବଢୁ

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ମଧ୍ୟ ଲକଡାଉନ୍ ବଢୁ ବୋଲି କହିଥିଲେ । ତେବେ ଏଥିପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ କହିଥିଲେ । ରାଜ୍ୟମାନଙ୍କ ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଥିଲେ ।

୩୧ ମେ’ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ହେଉ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ତାଙ୍କ ରାଜ୍ୟରେ ୩୧ ମେ’ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ ।ଚେନ୍ନାଇରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରେଳ ଚଳାଚଳା ପାଇଁ ଅନୁମତି ନଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଗତ ମିଟିଂ, ପରଦିନ ହୋଇଥିଲା ଲକଡାଉନ୍ ବୃଦ୍ଧି ଘୋଷଣା

ଲକଡାଉନ୍ ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇବାର ମୁଖ୍ୟ କାରଣ ହେଉଛି ଗତଥର ମିଟିଂ ପରଦିନ ହିଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଲକଡାଉନ୍ ୩.୦ର ଘୋଷଣା ହୋଇଥିଲା । ୨୭ ଏପ୍ରିଲରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ଓ ତା’ର ପରଦିନ ଅର୍ଥାତ ଏପ୍ରିଲ ୨୮ରେ ଲକଡାଉନ୍ ୩.୦ ଘୋଷଣା ହୋଇଥିଲା । ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ଯେ, କେନ୍ଦ୍ର ସେମାନଙ୍କ ପରାମର୍ଶ ଆଧାରରେ ନିଷ୍ପତ୍ତି ନେବ । ତେଣୁ ଲକଡାଉନ୍ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ପରାମର୍ଶ ଉପରେ ପ୍ରଧାନମନ୍ତ୍ରୀ କେଉଁ ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଜଣା ପଡିଯିବ ।

ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ ପାଇଁ ଗୁରୁତ୍ୱ

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ଆରମ୍ଭ ହେବ ପାନୀୟ ଜଳ ପ୍ରକଳ୍ପ ! ଏନେଇ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଗରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ବୈଠକରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍‌ର ୪୬ଟି ଗ୍ରାମକୁ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ, କୃଷ୍ଣ ପ୍ରସାଦ ବ୍ଲକ୍‌ର ୯୯ଟି ଗ୍ରାମ, ବ୍ରହ୍ମଗିରି ବ୍ଲକ୍‌ର ୬୯ଟି ଗ୍ରାମ, କୃଷ୍ଣପ୍ରସାଦ ବ୍ଲକ୍‌ର ୭ଟି ପଞ୍ଚାୟତ, କଣାସ ବ୍ଲକ୍‌ର ୧୨୬ଟି ଗ୍ରାମ, ବ୍ରହ୍ମଗିରି ବ୍ଲକ୍‌ର ୧୮ଟି ଗ୍ରାମ, ସତ୍ୟବାଦୀ ବ୍ଲକ୍‌ର ୧୪ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ତଥା ବ୍ରହ୍ମଗିରି, ଭଣ୍ଡାରୀକୁଦାର ଗୋବର୍ଦ୍ଧନପୁରଠାରେ ନିର୍ମାଣାଧୀନ ୫୯ଟି ଗ୍ରାମକୁ ବୃହତ୍‌ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଛି ଏବଂ ଏହି ପ୍ରକଳ୍ପଗୁଡ଼ିକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ଦାସବର୍ମା ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ଚିଲିକା ହ୍ରଦ ମଧ୍ୟରେ ଥିବା ମହିଷା ଓ ବ୍ରହ୍ମପୁର ଗ୍ରାମକୁ ସ୍ୱତନ୍ତ୍ର ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ୨ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏଥି ସହିତ ପୁରୀ ସଦର ବ୍ଲକ୍‌ର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ଟି ପଞ୍ଚାୟତ ଏବଂ ପୁରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୯ଟି ପଞ୍ଚାୟତକୁ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟସ୍ତରୀୟ ମଞ୍ଜୁର ପାଇଁ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ଏଥି ସହିତ ପୁରୀ ସଦର, ଗୋପ, ଡେଲାଙ୍ଗ, କାକଟପୁର ବ୍ଳକ୍ ଓ ଅସ୍ତରଙ୍ଗ ବ୍ଲକ୍ ତଥା ପୁରୀ ସଦର ବ୍ଲକ୍‌ରେ ବିଶୁଦ୍ଧ ପାନୀୟ ଜଳ ଆବଶ୍ୟକତାକୁ ଆଖି ଆଗରେ ରଖି ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆଲୋଚନା କରାଯାଇଥିଲା । ଏଥି ସହିତ କ୍ୱାରାଣ୍ଟାଇନ୍ ସେଣ୍ଟରଗୁଡ଼ିକରେ ଶୌଚାଳୟ ଓ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ପାଇଁ ଶ୍ରୀ ଦାସବର୍ମା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ୪ ଶହ ପାର‌ ହେଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୩୭

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ସନ୍ଧ୍ୟାରେ ପୁଣି ୨୦ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୭ ଜଣ ଗଞ୍ଜାମର ହୋଇଥିବା ବେଳେ ବୌଦ୍ଧର ଜଣେ ଓ ସୁନ୍ଦରଗଡ଼ରୁ ଦୁଇ ଜଣ ରହିଛନ୍ତି । ତେବେ ଏହି ୨୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି ।

 

ତେବେ ଗଞ୍ଜାମରେ ନୂଆ ୧୭ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି । ସେହିଭଳି ବୌଦ୍ଧରେ ଏବେ ସୁଦ୍ଧା ମୋଟ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ଓ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି ।

ରାଜ୍ୟରେ ମୋଟ ୪୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୬ ଟି ମାମଲା ସକ୍ରିୟ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଗୋଟିଏ ଦିନରେ ସନ୍ଧ୍ୟା ସାଢ଼େ ସାତ ସୁଦ୍ଧା ୩୭ଟି ନୂଆ ମାମଲା ଚିହ୍ନଟ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : କରୋନା ମୁକାବିଲା ପାଇଁ ଦେଲେ ୫ ପ୍ରସ୍ତାବ

ଭୁବନେଶ୍ୱର: ଲକଡାଉନ୍ ୩.୦ ଶେଷ ହେବାକୁ ଆଉ ୬ ଦିନ ବାକି ଅଛି । ତାହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଗାମୀ ପଦକ୍ଷେପ ବାବଦରେ ଆଲୋଚନା କରୁଛନ୍ତି । ଲକଡାଉନ୍ ଅବଧି ବଢିବ କି ନାହିଁ ,କରୋନା ମୁକାବିଲା ପାଇଁ ଦେଶର ରଣନୀତି କଣ ହେବ ତାକୁ ନେଇ ଚାଲିଛି ମାନସ ମନ୍ଥନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ୫ ପ୍ରସ୍ତାବ ଦେଇଛନ୍ତି । ସେ ଲକଡାଉନ୍ ସଂପର୍କରେ ଜାତୀୟ ନୀତି ନିର୍ଦ୍ଧାରଣ କରିବାକୁ କହିଛନ୍ତି । ସ୍ଥାନୀୟ ପ୍ରଶାସନକୁ ଲକଡାଉନ ସମ୍ବନ୍ଧିତ ନିୟମ ଲାଗୁ କରିବା ଅଧିକାର ଦିଆଯାଉ ବୋଲି ସେ ମତ ରଖିଛନ୍ତି । ଏହାସହ  ଅର୍ଥନୀତିକୁ ପୁଣି ମଜବୁତ କରିବା ପାଇଁ କେନ୍ଦ୍ର ଜାତୀୟ ସ୍ତରରେ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର) ଆଣିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏସଓପି ଅର୍ଥନୀତିକୁ ଗତି ପ୍ରଦାନ କରିବ ।  ବର୍ତ୍ତମାନର ଯୋଜନା ଗୁଡିକର ଅଧିକ ଉନ୍ନତୀକରଣ କରାଯାଉ ।  କୋଭିଡ୍ ମୁକାବିଲାରେ ପଂଚାୟତି ରାଜ ଅନୁଷ୍ଠାନକୁ ସାମିଲ କରାଯିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।  ।

ସେହିଭଳି ସଂପୂର୍ଣ୍ଣ ଜିଲ୍ଲାକୁ ଜୋନ୍ ନକରାଯାଇ ,ଛୋଟଛୋଟ ଅଂଚଳକୁ ନେଇ ଜୋନ୍ ଗଠନ ହେଉ ।ସ୍ଥାନୀୟ ପ୍ରଶାସନକୁ ସେହି ଅଂଚଳକୁ ନେଇ ନିଷ୍ପତ୍ତି ନେବାର ଅଧିକାର ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଶେଷ ପ୍ରସ୍ତାବ ଭାବେ ମୁଖ୍ୟମନ୍ତ୍ରୀ  ରେଳଚଳାଚଳକୁ ଅଧିକ ନିୟନ୍ତ୍ରିତ କରାଯିବା କଥା କହିଛନ୍ତି ।

ଟିକଟ କନ୍‌ଫର୍ମ ଥିଲେ କର୍ଫ୍ୟୁ ପାସ୍‌ ଲୋଡ଼ା ନାହିଁ

ନୂଆଦିଲ୍ଲୀ: କରୋନା ଭାଇରସ୍ ଏବଂ ଲକ୍‌ଡାଉନ୍‌ କାରଣରୁ ଦୀର୍ଘ ୪୮ ଦିନ ଧରି ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ରେଳ ସେବା ଆରମ୍ଭ ହେବାକୁ ଯାଉଛି । ଏନେଇ ସୋମବାର ସନ୍ଧ୍ୟା ୬ଟାରୁ ଟିକଟ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ତେବେ ଟିକଟ ବୁକିଂ ପରେ ବିନା ପାସ୍‌ରେ ଲୋକମାନେ ଘରୁ ବାହାରି କିଭଳି ଯାଆସ କରିବେ ସେନେଇ ଦ୍ୱନ୍ଦ୍ୱରେ ରହିଥିଲେ । ଏହି ଦ୍ୱନ୍ଦ୍ୱକୁ ଗୃହମନ୍ତ୍ରାଳୟ ପକ୍ଷରୁ ଦୂର କରାଯାଇଛି । ସୋମବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନଙ୍କ ପାଖରେ ରେଳବାଇର କନ୍‌ଫର୍ମ ଟିକଟ ରହିଥିବ ସେମାନଙ୍କୁ କର୍ଫ୍ୟୁ ପାସ୍‌ର ଆବଶ୍ୟକତା ନାହିଁ ।

ମଙ୍ଗଳବାର ଠାରୁ ପୁଣିଥରେ ଟ୍ରେନ୍ ସେବା ଆରମ୍ଭକୁ ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାରଠାରୁ ନୂଆଦିଲ୍ଲୀରୁ ୧୫ଟି ଟ୍ରେନ୍ ଚଳାଚଳ କରିବ । କନ୍‌ଫର୍ମ ଟିକେଟ୍ ଥିବା ଯାତ୍ରୀମାନେ ବିନା କର୍ଫ୍ୟୁ ପାସ୍‌ରେ ବି ଯାତ୍ରା କରିପାରିବେ ।

ଗୃହମନ୍ତ୍ରାଳୟ ପକ୍ଷରୁ ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଛି । ଯେଉଁମାନଙ୍କ ପାଖରେ କନ୍‌ଫର୍ମ ଟିକଟ ଥିବ ସେମାନେ ହିଁ ଷ୍ଟେସନ୍‌ ମଧ୍ୟରେ ପ୍ରବେଶ କରିପାରିବେ । ସେଠାରେ ସାମନଙ୍କର ସ୍କ୍ରିନିଂ କରାଯିବ । ଯଦି ଯାତ୍ରୀଙ୍କଠାରେ କୌଣସି ଲକ୍ଷଣ ନଦେଖାଯାଏ ତେବେ ତାଙ୍କୁ ଟ୍ରେନ୍‌ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଏହାସହ ଟ୍ରେନ୍‌ରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହା କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ପୁଣି ଲକ୍‌ଡାଉନ୍‌ ବଢ଼ାଇବା ନେଇ ୫ ମୁଖ୍ୟମନ୍ତ୍ରୀଙ୍କ ଦାବି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ପୁଣି ଦାବି କଲେ ୫ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କାଳରେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ଦାବି କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲକ୍‌ଡାଉନ୍‌ ବଢ଼ାଇବା ସପକ୍ଷରେ ରହିଛନ୍ତି । ସବୁଠାରୁ ବଡ଼ କଥା ହେଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଲକ୍‌ଡାଉନ୍‌ ବଢ଼ାଇବା ପସ୍ତାବକୁ ସମର୍ଥନ ଜଣାଇଛନ୍ତି ।

ଏହି ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଲକ୍‌ଡାଉନ୍‌ ବୃଦ୍ଧି ଦାବି କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକ୍‌ଡାଉନ୍‌ ଅବଧି ନ ବଢ଼ାଇ ଆଗକୁ ବଢ଼ିବା ଅସମ୍ଭବ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଭିଡିଓ କନ୍‌ଫରେନ୍ସିଂରେ କହିଛନ୍ତି ଯେ, ଲୋକଙ୍କ ଜୀବନ ବଞ୍ଚାଇବା ଜରୁରୀ । ୩ ମାସ ପାଇଁ ଆର୍ଥିକ ସହାୟତା ଦିଆଯାଉ । ଏହା ସହ କରୋନା ଟେଷ୍ଟିଂ ରଣନୀତି ତିଆରି ପାଇଁ ମଧ୍ୟ ମତ ରଖିଛନ୍ତି ଅମରିନ୍ଦର ।

ନାମ ପଞ୍ଜିକରଣ କଲେ ବୋଲି କରୋନା ଯୋଦ୍ଧାଙ୍କୁ ଆକ୍ରମଣ

ନୟାଗଡ଼: କରୋନା ଯୋଦ୍ଧାଙ୍କୁ ସାରା ଦେଶ ସନମାନ ଜଣାଉଛି । କାରଣ ସେମାନେ ପ୍ରତ୍ୟେକଟି ସମୟରେ ଆଗରେ ରହି କରୋନା ସହ ଯୁଦ୍ଧ କରୁଛନ୍ତି । କିନ୍ତୁ କିଛି ସ୍ଥାନରେ କରୋନା ଯୋଦ୍ଧାଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି । ସେ ଡାକ୍ତର ହୁଅନ୍ତୁ କି ଆଶା କର୍ମୀ । ସମସ୍ତେ ଲୋକଙ୍କ ଆକ୍ରୋସର ଶିକାର ହେଉଛନ୍ତି । ନୟାଗଡ଼ ବିନୋଦପଡାରୁ ଆସିଛି ଏଭଳି ଅଭିଯୋଗ ।  ଗୋଟିଏ ଜାଗାରେ ଜଣେ ସରପଞ୍ଚଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଆଉ ଗୋଟିଏ ସ୍ଥାନରେ ଜଣେ ଆଶା କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ନାମ ପଞ୍ଜିକରଣକୁ ନେଇ ରଣପୁର ବ୍ଲକ ବୃନ୍ଦାବନପୁର ପଞ୍ଚାୟତର ବିନୋଦପଡ଼ା ଗାଁରେ ଆଶା କର୍ମୀଙ୍କ ଉପରେ ଆକ୍ରମଣର ଅଭିଯୋଗ ହୋଇଛି । ଜଣେ ଯୁବକ ଭୁବନେଶ୍ୱରରୁ ଫେରି ନାମ ପଞ୍ଜିକରଣ କରୁଥିବା ବେଳେ ଯୁବକଙ୍କ ବାପା ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏନେଇ ଆଶା କର୍ମୀ ଜଣକ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସେହିଭଳି ସ୍କୁଲ ଗୃହର ମରାମତି ନେଇ ସେହି ବ୍ଲକର ଲୋଧାଚୁଆ ପଞ୍ଚାୟତର ସରପଞ୍ଚଙ୍କୁ ଆକ୍ରମଣ କରାଯାଇଛି । ରାଜନଗର ସ୍କୁଲଗୃହକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରିବା ପାଇଁ ସେଠାରେ ଗୃହର ମରାମତି କାମ ଚାଲୁଥିଲା । ସେହି ସମୟରେ କିଛି ଯୁବକ ଆସି ସରପଞ୍ଚଙ୍କୁ ଆକ୍ରମଣ କରିଥିବା ରଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

କୋଭିଡ୍-୧୯ : ଆଖି କରୋନା ପ୍ରବେଶ ଦ୍ୱାର,ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସ୍ ଆଖି ମାଧ୍ୟମରେ ମଧ୍ୟ ଶରୀରରେ ପ୍ରବେଶ କରିପାରେ । ଆମେରିକାର ଜାନ୍ସ ହମ୍ପକିନସ୍ ୟୁନିଭରସିଟିର ସ୍କୁଲ ଅଫ୍ ମିଡ଼ିଆର ବୈଜ୍ଞୈନିକମାନଙ୍କ ଦଳ ଅନୁସନ୍ଧାନ କରିଛି ଯେ, ଆଖିର ଏସିଇ-୨ରିସେପ୍ଟର୍ସ ମାଧ୍ୟମରେ ଭାଇରସ୍ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ।

ଶରୀରର କୋଷଗୁଡ଼ିକରେ ସଂକ୍ରମଣ ପାଇଁ ଏସିଇ-୨ ରିସେପ୍ଟର୍ସକୁ ଗେଟୱେ ଭାବରେ ବିବେଚନା କରାଯାଏ । ଭାଇରସ୍ ଏହାକୁ ମାଧ୍ୟମ କରି ଶରୀର ଉପରେ ଆକ୍ରମଣ କରିଥାଏ । ଏସିଇ-୨ ରିସେପ୍ଟର୍ସ ଫୁସଫୁସ୍, ବ୍ୟତୀତ ଶରୀର ଅନ୍ୟ ଅଙ୍ଗରେ ମଧ୍ୟ  ଉପସ୍ଥିତ ରହିଥାଏ ।

ବୈଜ୍ଞାନିକମାଙ୍କ ଅନୁସାରେ, ଯଦି କୌଣସି ବ୍ୟକ୍ତିର କଫ କିମ୍ବା ଛିଙ୍କିବା ଦ୍ୱାରା ଜଳୀୟ କଣା ବାହାରିଥାଏ ଏବଂ ଏହା ଅନ୍ୟବ୍ୟକ୍ତିର ଆଖିରେ ପଡ଼ିଥାଏ ଏହା ଦ୍ୱାରା ଭାଇରସ୍ ଶରୀରରେ ପ୍ରବେଶ କରିଥାଏ । ତେଣୁ ଏହି କାରଣରୁ କରୋନା ଭାଇରସର କେତେକ ସଂକ୍ରମିତଙ୍କ ଠାରେ କନଜକଟିଭ୍ସ ର ଲକ୍ଷଣ ଦେଖା ଦେଇଥାଏ । ଏହି କାରଣରୁ ସଂକ୍ରମିତଙ୍କ ଆଖି ଲାଲ ହୋଇଯାଇଥାଏ ।

ବୈଜ୍ଞାନିକମାନଙ୍କ ଅନୁସାରେ ଲୁହ ମାଧ୍ୟମରେ ମଧ୍ୟ କରୋନା ଭାଇରସ୍ ବ୍ୟାପିଥାଏ । ଜନ୍ସ ହାପକିନ୍ସ ୟୁନିଭରସିଟି ସ୍କୁଲ ଅଫ୍ ମେଡିସିନର ବୈଜ୍ଞାନିକ ମାନେ କରୋନା ଆଖି ଦ୍ୱାରା ମଧ୍ୟ ବ୍ୟାପିବାର ଅନୁସନ୍ଧାନ କରିଛନ୍ତି । ଏହାସହ ବୈଜ୍ଞାନିକମାନେ ଏସିଇ-୨କୁ ବୁଝାଇବା ପାଇଁ ୧୦ଜଣ ମୃତ ଲୋକଙ୍କ ଆଖିର ଅଧ୍ୟୟନ କରିଥିଲେ ଯେଉଁମାନେ କରୋନାରେ ମୃତ୍ୟୁ ବରଣ କରିଥିଲେ । କରୋନା ଭାଇରସ୍ ଆଖିରୁ ବ୍ୟାପିବାକୁ ନେଇ କିଛି ରିପୋର୍ଟ ସାମ୍ନାକୁ ଆସିବା ପରେ ବୈଜ୍ଞାନିକମାନେ ଏହି ଅଧ୍ୟୟନ ଆରମ୍ଭ କରିଥିଲେ ।

ଏହା ପୂର୍ବରୁ ଏକ ଅଧ୍ୟୟନରୁ ଜଣା ପଡ଼ିଥିଲା ଯେ, କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ଆଖିରୁ ସପ୍ତାହେଠୁ ଅଧିକ ସମୟ ପର୍ଯ୍ୟନ୍ତ କରୋନା ବ୍ୟାପିବାର ବିପଦ ରହିଥାଏ । ପରୀକ୍ଷଣ ସମୟରେ ସଂକ୍ରମଣର ୨୧ଦିନ ପରେ ମଧ୍ୟ ଜଣେ ମହିଳାଙ୍କ ଆଖିରୁ ଭାଇରସ୍ ମିଳିଥିଲା ।

ମେ’୧୪ରେ ଦୁବାଇରୁ ପ୍ରବାସୀଙ୍କୁ ନେଇ ଭୁବନେଶ୍ୱରରେ ପହଞ୍ଚିବ ଏୟାର ଇଣ୍ଡିଆ

ଭୁବନେଶ୍ୱର: ମହାମାରୀ କରୋନା କାରଣରୁ ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି ହୋଇଛି । ଦେଶ ଭିତରେ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ବେଳେ ଲକଡାଉନ୍ କାରଣରୁ ଫେରି ପାରୁନାହାନ୍ତି । ଦେଶ ବାହାରେ ମଧ୍ୟ ପ୍ରବାସୀ ଭାରତୀୟ ଅଟକି ରହିଛନ୍ତି ।

ଦୁବାଇରେ ମଧ୍ୟ ଅନେକ ଭାରତୀୟ, ବିମାନ ଚଳାଚଳ ବନ୍ଦ ଥିବା କାରଣରୁ ନିଜ ଦେଶକୁ ଫେରି ପାରୁନାହାନ୍ତି । ଯେଉଁମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ଅଛନ୍ତି । ତେବେ ଦୁବାଇରେ ଅଟକି ରହିଥିବା ଓଡ଼ିଆ ପରିବାର ମାନଙ୍କ ପାଇଁ ଖୁସିର ଖବର । ଆସନ୍ତା ମେ’୧୪ ତାରିଖ ଦିନ ଏୟାର ଇଣ୍ଡିଆର ଗୋଟିଏ ବିମାନ ଭୁବନେଶ୍ୱର ପହଞ୍ଚିବ । ଭୁବନେଶ୍ୱର ଆସୁଥିବା ଏହି ବିମାନ ୧୭୯ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବ ।

ଲକ୍‌ଡାଉନ ହେଲା କାଳ : ଭୁବନେଶ୍ୱରରେ ଅଟକିଛନ୍ତି ମହାରାଷ୍ଟ୍ର ଭକ୍ତ,ଓଡ଼ିଶା ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର: ଆସିଥିଲେ ଜଗାର ଦର୍ଶନ କରିବାକୁ, ହେଲେ ଲକଡାନ କଲା କାଳ । କରୋନା ପାଇଁ ଅଟକି ଗଲା ଘର ବାହୁଡ଼ା । ଏବେ ଘରର ଚାରି କାନ୍ଥ ନୁହଁ ରାଜଧାନୀର ରାଜରାସ୍ତା ସାହାରା ଦେଇଛି। ଭଗାବାନଙ୍କ ଦୟାରୁ ଦୁଇ ଓଳି ଦୁଇ ମୁଠା ଗଣ୍ଡେ ଖାଇବାକୁ ମିଳିଯାଉଛି । ଏ ହେଉଛି ଜଗା ଦର୍ଶନ ପାଇଁ ପୁରୀ ଆସି ଫସି ଯାଇଥିବା ତୀର୍ଥଯାତ୍ରୀଙ୍କ କଥା ।

ମହାରାଷ୍ଟ୍ରରୁ ଓଡିଶା ଆସି ଫସିରହିଛନ୍ତି ୧୦୦ରୁ ଉର୍ଦ୍ଧ ତୀର୍ଥଯାତ୍ରୀ । ରାଜଧାନୀର ରାଜରାସ୍ତା ଉପରେ ଖୋଲା ଆକାଶ ଓ ଫୁଙ୍ଗୁଳା ଭୂଇଁ ଉପରେ କାଟୁଛନ୍ତି ଜୀବନ । ରାଜଧାନୀ ଉପକଣ୍ଠରେ ପଡ଼ି ରହିଛନ୍ତି ଏମାନେ । ବିଲ ଭିତରେ ପିଲାଛୁଆଁଙ୍କୁ ଧରି ପଡ଼ିରହିଛନ୍ତି ।

ଏମାଙ୍କ ମଧ୍ୟରୁ ଅନେକଙ୍କ ଘର ହେଉଛି ମହାରାଷ୍ଟ୍ରରେ ।  ଲକଡାଉନ ଫଳରେ ଆଉ ନିଜ ଭିଟା ମାଟିକୁ ଫେରି ପାରୁ ନାହାଁନ୍ତି ଏମାନେ । କିନ୍ତୁ ମହାରାଷ୍ଟ୍ର ଠାରୁ ଓଡିଶାରେ କରୋନାର ସଂକ୍ରମଣ କମଥିବା ଯୋଗୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ ମଧ୍ୟ  କରିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ଓ ବିଭିନ୍ନ ସ୍ଥାନୀୟ ଲୋକଙ୍କ ତରଫରୁ ସେମାଙ୍କୁ ଦୁଇ ଓଳିର ଖାଦ୍ୟ ଯୋଗାଇ ମଧ୍ୟ ଦିଆଯାଉଛି ।

କରୋନା ସଂକ୍ରମିତଙ୍କ ପୃଥକବାସ ପାଇଁ ଓଡ଼ିଶା ସରକାରଙ୍କ ନୂଆ ଗାଇଡଲାଇନ୍