spot_img
Home Blog Page 7205

୧୭ ପରିବାର ପାଇଁ ଘର ଭଡ଼ା ଛାଡ଼ କଲେ ରଘୁନାଥ

କଟକ: ଲକ୍‌ଡାଉନ୍‌ ପାଇଁ ସାରା ଦେଶ ଏବେ ଡହଳ ବିକଳ । କୋରୋନା ଆକ୍ରମଣରୁ ଦେଶକୁ ରକ୍ଷା କରିବା ପାଇଁ ସରକାର ଏହି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ହେଲେ ଏହି ଲକ୍‌ଡାଉନ୍‌ ଏବେ ଲୋକଙ୍କ ପାଇଁ ବିପଦ ଆଣି ଦେଇଛି । ଦିନ ମଜୁରିଆଙ୍କ ପାଇଁ ଏବେ ଏହା ଚିନ୍ତାର ବିଷୟ ପାଲଟିଛି । ପ୍ରାୟ ମାସେରୁ ଅଧିକ ସମୟ ହେବ ଲକ୍‌ଡାଉନ୍‌ ଚାଲିଛି । ତେଣୁ ଲୋକମାନେ ଘରେ ବସି ରହିଛନ୍ତି । ଘରେ ଯାହା ସଞ୍ଚିତ ଧନ ଥିଲା ତାହା ଏବେ ଶେଷ ହେବାକୁ ବସିଲାଣି । ସେମାନଙ୍କ ପାଇଁ ଦୁଇ ଓଳି ଦୁଇ ମୁଠା ଖାଇବା ଏବେ କଷ୍ଟ ସାଧ୍ୟ ହୋଇପଡ଼ିଥିବା ବେଳେ ଘର ଭଡ଼ା କେମିତି ଦେବେ ତାହା ଚିନ୍ତାର ବିଷୟ ପାଲଟିଛି ।

ତେବେ ଏହିଭଳି ଘଡ଼ି ସନ୍ଧି ମୂହୁର୍ତ୍ତରେ ନିଜର ଉଦାର ପଣିଆ ଦେଖାଇଛନ୍ତି କଟକ ରୋଭର୍ସଷ୍ଟ୍ରୀଟ୍‌ ଅଂଚଳର ରଘୁନାଥ ଦତ୍ତ । ସେ ପ୍ରାୟ ୧୭ ଜଣ ପରିବାରକୁ ଘର ଭଡା ଛାଡ଼ କରି ମାନବିକତାର ପରିଚୟ ଦେଇଛନ୍ତି । ଖାଲି ସେତିକି ନୁହେଁ ସେହି ଖଟିଖିଆ ଗରିବଙ୍କ ପାଇଁ ଦୁଇ ଓଳା ଜଳଖିଆ ମଧ୍ୟ ଦେଉଛନ୍ତି ।

ରଘୁନାଥଙ୍କ ଏହି ପଦକ୍ଷେପକୁ ନେଇ ଭଡ଼ାରେ ରହୁଥିବା ସମସ୍ତ ପରିବାର ବେଶ ଖୁସି ବ୍ୟକ୍ତ କରିଛନ୍ତି । ସେଡଇ ୧୭ ପରିବାର ମଧ୍ୟରୁ କିଏ ଦିନ ମଜୁରିଆ ତ କିଏ ବଣିଆ ଓ କିଏ ପରଘରେ କାମ କରି ଗୁଜୁରାଣ ମେଣ୍ଟାନ୍ତି ।

ମଣିଷ ଶରୀରରେ କରୋନା ପ୍ରତିଷେଧକର ପ୍ରଥମ ପରୀକ୍ଷଣ, ଆସିବ କି ଶୁଭ ଖବର ?

କରୋନାକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି । ଆମ ଦେହରେ ଭାଇରସ ଆସିଯାଇନି ତ ? ଏଭଳି ପ୍ରଶ୍ନରେ ପୁରା ପୃଥିବୀ ଥରହର ହେଉଛି । ସାମାଜିକ ଦୂରତା ଏହାର ଏକ ମାତ୍ର ପ୍ରତିକାରକ । ଯାହା ପାଇଁ ସମସ୍ତେ କରୋନା ଦାଉରୁ ବଞ୍ଚିବା ପାଇଁ ଘରେ ନିଜକୁ ବନ୍ଦୀ କରି ରଖୁଛନ୍ତି । ତେବେ କରୋନା ଯୁଦ୍ଧର ଅସ୍ତ୍ର ଆଣ୍ଟିଭାଇରସ ପାଇଁ ଚାଲିଛି ପରୀକ୍ଷା ପରେ ପରୀକ୍ଷା । ବିଶ୍ୱର ପ୍ରତିଟି ବୈଜ୍ଞାନିକ ଗବେଷଣା କେନ୍ଦ୍ର ଏବେ କରୋନା ପ୍ରତିକାର ବାହାର କରିବାରେ ବ୍ୟସ୍ତ । କିନ୍ତୁ ପ୍ରତିଥର ବୈଜ୍ଞାନିକ ମାନଙ୍କୁ ବିଫଳତାର ସ୍ୱାଦ ଚାଖିବାକୁ ପଡ଼ୁଛି। ଲାଗୁଛିକି ଯେମିତି ସଫଳତାର ଦୁଆର ମୁହଁରେ ଦରଓ୍ୱାନ ହୋଇ ଜଗି ରହିଛି କରୋନା ଭାଇରସ । କିନ୍ତୁ ଏସବୁକୁ ଖାତିର ନକରି ବୈଜ୍ଞାନିକ ମାନେ ଚଲାଇଛନ୍ତି ତାଙ୍କର ଗବେଷଣା ।

ଏଇ ଭିତରେ ବ୍ରିଟେନର ବୈଜ୍ଞାନିକ ମଣିଷଙ୍କ ଉପରେ ପ୍ରଥମ ଥର ପାଇଁ କରୋନା ଆଣ୍ଟିଭାଇରସର ପରୀକ୍ଷା କରିଛନ୍ତି । ଶୁକ୍ର ବାର ଦିନ ଏହି ଟିକାର ମଣିଷଙ୍କ ଉପରେ ପରୀକ୍ଷା କରାଯାଇଛି । ତେବେ ଏହି ପରୀକ୍ଷାରେ ଜଣେ ମାଇକ୍ରୋ ବାୟୋଲୋଜିଷ୍ଟ ବୈଜ୍ଞାନିକଙ୍କୁ କୋଭିଡ-19 ର ପ୍ରତିଷେଧକ ଟୀକା ଦିଆଯାଇଛି । ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏହି ପରୀକ୍ଷାରେ ୮ଶହ ଜଣଙ୍କ ମଧ୍ୟରୁ ଏଲିସା ଗ୍ରେନେଟୋଙ୍କୁ ବଛାଯାଇଥିଲା ।

ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକ ମାନେ କହିଛନ୍ତି ଯେ ଏଲିସାଙ୍କ ଠାରେ ଲାଗିଥିବା ଟୀକା ଉପରେ ସେମାନଙ୍କର ଭରସା ରହିଛି ।  ସେମାନେ ଦାବି କରିଛନ୍ତି ଯେ ଏହି ଟିକା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି କରୋନା ଭାଇରସ୍‌ ସହିତ ଲଢ଼ିବାରେ ସାହାଯ୍ୟ କରିବ।

ସେପଟେ ନିଜ ଉପରେ ହୋଇଥିବା ପରୀକ୍ଷା ପରେ ଆଲିସା କହିଛନ୍ତି, ‘ଜଣେ ବୈଜ୍ଞାନିକ ଭାବରେ ମୁଁ ଏହି ଅନୁସନ୍ଧାନକୁ ସମର୍ଥନ କରିବାକୁ ଚାହୁଁଛି । ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ ଉପରେ କୌଣସି ଅଧ୍ୟୟନ କରି ନଥିବାରୁ ଦୁଃଖିତ । କିନ୍ତୁ ବର୍ତ୍ତମାନ ଏଭଳି ସାହାଯ୍ୟ କରିବା ପରେ ମୁଁ ନିଜକୁ ବହୁତ ଖୁସି ଅନୁଭବ । ସବୁଠାରୁ ବଡ଼କଥା ହେଉଛି ଆଲିସାଙ୍କର ୩୨ ତମ ଜନ୍ମ ଦିନରେ ତାଙ୍କ ଉପରେ ଏହି କରୋନା ଟେଷ୍ଟ କରାଯାଇଥିଲା ।

କ୍ଷତିଗ୍ରସ୍ତ ଶିଳ୍ପକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଖୁବଶୀଘ୍ର ଆସିପାରେ ପ୍ୟାକେଜ୍‌

ଭୁବନେଶ୍ୱର: କରୋନା ମାଡ଼ରେ ଦୁର୍ବଳ ହୋଇଯାଇଥିବା ଶିଳ୍ପକୁ ପୁଣି ଟ୍ରାକକୁ ଫେରାଇବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ଖୁବଶୀଘ୍ର ଶିଳ୍ପ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରିପାରନ୍ତି ସରକାର । ଏ ନେଇ ଆଜି ବସିଥିବା ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ପ୍ରାଥମିକ ଭାବେ ଆଲୋଚନା ହୋଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କର କଣ ସମସ୍ୟା ରହିଛି, କଣ ଆବଶ୍ୟକତା ରହିଛି ସରକାରଙ୍କୁ ଜଣାଇବା ପାଇଁ ସମସ୍ତ ଶିଳ୍ପ ଆସୋସିଏସନକୁ କୁହାଯାଇଛି ।

ବିଶେଷକରି ଭିତ୍ତିଭୂମି କ୍ଷେତ୍ରରେ ସରକାର ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି ବୋଲି ଆଜି ବସିଥିବା ବୈଠକରେ ଆଲୋଚନା ହୋଇଛି । ୪ରୁ ୫ଦିନ ମଧ୍ୟରେ ପୁଣି ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଶିଳ୍ପ ସଚିବ ନୀତିନ ଭାନୁଦାସ ଜାଓ୍ୱଲେ । ଆଜିର ବୈଠକ ଭିଡିଓ କନଫରେସିଂରେ ଅନୁଷ୍ଠିତ ହୋଇଥିଲା । ଅର୍ଥ, ଶିଳ୍ପ, ଶ୍ରମ, ଶକ୍ତି, ଖଣି ବିଭାଗର ମନ୍ତ୍ରୀ ଓ ସଚିବ ମାନେ ବୈଠକରେ ଉପସ୍ଥିତ ଥିଲେ ।

୩ ଯୁବ IPS ଅଧିକାରୀ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ୩ ଆଇପିଏସ୍‌ ଅଫିସର୍‌ ହେଲେ କୋରୋନା ଆକ୍ରାନ୍ତ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି । ସେ ଏହି ଆଇପିଏସ୍‌ ଅଫିସର୍‌ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆଇପିଏସ୍‌ ଅଧିକାରୀମାନେ ଖୁବ୍‌ ଶୀଘ୍ର ସୁସ୍ଥ ହେବା ସହ ପୁଣି ଥରେ ଦେଶ ସେବାରେ ଯୋଗଦେବେ ବୋଲି ଆଶା କରିଛନ୍ତି ସୁଧାଂଶୁ । ସେମାନେ କୋରୋନା ଯୁଦ୍ଧରେ ଆଗଧାଡ଼ିରେ ଯୋଦ୍ଧା ଭାବେ ସୂଚାର ରୂପେ ନିଜ ଦାୟିତ୍ୱ ତୁଲାଇଛନ୍ତି ବୋଲି କହିଛନ୍ତି ପୋଲିସ କମିଶନର ।

ଏହି ଯୁବ ଆଇପିଏସ୍ ଅଧିକାରୀମାନେ ହେଲେ ୨୦୧୫ ବ୍ୟାଚ୍‌ର ଅଖିଲ ପଟେଲ, ୨୦୧୬ ବ୍ୟାଚ୍‌ର ଅମିତ୍‌ ତୋଳାନି, ୨୦୧୭ ବ୍ୟାଚ୍‌ର ରୋହିତ କେଶଓ୍ୱାନୀ ।

https://twitter.com/SarangiSudhansu/status/1253956501120536576

ରମ୍‌ଜାନ୍‌ର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରମ୍‌ଜାନ୍‌‌ ପର୍ବ ନେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଟ୍ୱଟ୍ ଜରିଆରେ ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ  ଅଭିନନ୍ଦନ ଜଣାଇଛନ୍ତି । ସେ ନିଜ ଟ୍ୱିଟ୍‌ ହାଣ୍ଡେଲରେ ଲେଖିଛନ୍ତି, ଏହି ପବିତ୍ର ମାସରେ ସମସ୍ତଙ୍କ ମନରୁ ଖରାପ ଭାବନା ଦୂର ହୋଇଯାଉ ଏବଂ ସମସ୍ତଙ୍କ ଜୀବନ ଖୁଖ ସମୃଦ୍ଧି ଓ ଶାନ୍ତିରେ ଭରି ହୋଇଯାଉ । ସମସ୍ତେ ସୁସ୍ଥ ରୁହନ୍ତୁ ଓ ଖୁସିରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି । ଏହାସହ ମହାମାରୀ କୋରୋନା ଭାଇରସ୍‌ ସହ ମୁକାବିଲା କରିବା ଓ ହରାଇବା ପାଇଁ ଭଗବାନ ଆମ ସମସ୍ତଙ୍କୁ ସାହସ ଓ ଶକ୍ତି ପ୍ରଦାନ କରୁନ୍ତୁ ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର: ବୋର୍ଡର ୪ଟି ଜୋନାଲ ଅଫିସକୁ ଯିବ ପାଠ୍ୟପୁସ୍ତକ

ଭୁବନେଶ୍ୱର: ଲକଡାଉନ ପାଇଁ ଘରମୁହାଁ ସମସ୍ତେ । ଏଭଳି ସ୍ଥିତରେ ଘରବାହରକୁ ଅନୁମତି ଦିଆଯାନଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ହୋଇଯାଇଛି । ତେବେ ଏଭଳି ପରିସ୍ଥିତିରେ ଘରେ ରହି ନୂଆ ବହି ପାଇ ପାରୁନାହାଁନ୍ତି ଛାତ୍ରଛାତ୍ରୀମାନେ । ତେଣୁ ରାଜ୍ୟସରକାର ଏକ ନୂଆ ପଦକ୍ଷେପ ନାଇଛନ୍ତି ।

ଏନେଇ ଖୁବ୍‌ଶୀଘ୍ର ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ମୁଖ୍ୟ ଅଫିସରୁ ନବମ ଓ ଦଶମ ଶ୍ରେଣୀ ପୁସ୍ତକ ବୋର୍ଡର ୪ଟି ଜୋନାଲ ଅଫିସକୁ ପଠାଯିବ ବୋଲି ସୂଚନା ମିଳିଛି । ବୋର୍ଡର ସମ୍ବଲପୁର, ବ୍ରହ୍ମପୁର, ଭୁବନେଶ୍ୱର ଓ ବାଲେଶ୍ୱର ଜୋନାଲ ଅଫିସରେ ପହଞ୍ଚିବ ବହି । ସେଠାରୁ ଡିଲରମାନେ ବହି ନେଇପାରିବେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ଗାଡ଼ି ଯୋଗେ ବହି ପରବିହନ ପାଇଁ ପୋଲିସର ଅନୁମତି ମଗାଯାଇଛି । ଅନୁମତି ମିଳିବା ପରେ ବହି ପଠାଯିବ । ସେହିପରି ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ୍‌ ପାଇଁ ୧ ଲକ୍ଷ ବହି ଛାପିବାକୁ ଅନୁମତି ମିଳିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ଶ୍ରୀମନ୍ଦିର ଭିତରେ ହେବ ଚନ୍ଦନଯାତ୍ରା, ତିଆରି ହେବ ଜଳକ୍ରୀଡ଼ା କୁଣ୍ଡ

ପୁରୀ: ଶ୍ରୀମନ୍ଦିର ଭିତରେ ହେବ ବାହାର ଚନ୍ଦନ ଯାତ୍ରା । ଚଳିତବର୍ଷ ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବ ବାହାର ଚନ୍ଦନ ଯାତ୍ରା ନୀତି । ଜଳକ୍ରୀଡା ପାଇଁ ନିର୍ମାଣ ହେବ ସ୍ୱତନ୍ତ୍ର ଜଳକୁଣ୍ଡ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହୋଇଥିବା ବେଳେ ଏଥିରେ ପଞ୍ଚୁପାଣ୍ଡବ ସେବକଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ବର୍ତ୍ତମାନ ଅକ୍ଷୟ ତୃତୀୟା ପାଇଁ ବୈଠକରେ ଆଲୋଚନା ହେଉଛି ।

ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ଓ ବାହାର ଚନ୍ଦନ ଯାତ୍ରା ନୀତି ଶ୍ରୀମନ୍ଦିର ଭିତରେ କିଭଳି ହେବ ସେନେଇ ଚାଲିଛି ବୈଠକ । ସେବାୟତ ନିଯୋଗର ପ୍ରତିନିଧିଙ୍କ ସହିତ ପୁରୀ ଜିଲ୍ଲାପାଳ ଓ ଅନ୍ୟମାନେ ଆଲୋଚନା କରୁଛନ୍ତି । ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀଜୀଉଙ୍କ ନୀତିକାନ୍ତି ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଗତକାଲି ଗଜପତି ଓ ଅନ୍ୟମାନେ ଆଲୋଚନା କରିଥିଲେ । ମହାପ୍ରଭୁଙ୍କ ବିଧି ରକ୍ଷା ପାଇଁ ଜଗଦ୍‌ଗୁରୁ ପରାମର୍ଶ ଦେଇଥିଲେ । ଏହା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହେଉଛି ।

ମେ’ ୩ ପରେ କ’ଣ ହେବ ? ରାଜ୍ୟ ପ୍ରସ୍ତୁତ କରୁଛନ୍ତି ଏହି ଏଗ୍‌ଜିଟ୍‌ ପ୍ଲାନ୍‌..

କରୋନା ସଙ୍କଟ ଓ ଲକଡାଉନ୍‌କୁ ନେଇ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମାନେ ଏକାଠି ହୋଇ ଆଲୋଚନା ଆରମ୍ଭ କରିଛନ୍ତି । ଲକ୍‌ ଡାଉନ୍‌ ମେ’ ୩ ରେ ଶେଷ ହେବାକୁ ଯାଉଛି । ତେବେ ଏହା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର କ’ଣ ପଦକ୍ଷେପ ରହିବ ବୋଲି ମନ୍ତ୍ରୀମାନେ ଆଲୋଚନା କରିଛନ୍ତି । ଏହି ପ୍ରଥମ ଅଧିବେଶନରେ ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ରଘୁ ଶର୍ମା, ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେବ, ବିହାର କ୍ୟାବିନେଟ୍‌ ମନ୍ତ୍ରୀ ସଞ୍ଜୟ ଝା, ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୀନ୍ଦର ଜୈନ୍‌ ଏବଂ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଯୋଗ ଦେଇଥିଲେ । ସେମାନେ କରୋନା ସଙ୍କଟ ବିଷୟରେ ଆଲୋଚନା କରିଥିବାବେଳେ ଏହାର ଆଗାମୀ ପନ୍ଥା କ’ଣ ରହିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ।

Raghu sharma

ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମାଙ୍କ କହିବାନୁଯାୟୀ, ମାର୍ଚ୍ଚ ୨୨ ରୁ ଲକ୍‌ଡାଉନ୍‌ ତାଙ୍କ ରାଜ୍ୟରେ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ର ସରକାର ୨୪ ତାରିଖରୁ ଆରମ୍ଭ କରିଥିଲେ । ଆସନ୍ତା ମେ ୩ ସୁଦ୍ଧା ଏହି ଲକ୍‌ଡାଉନ୍ ୪୦ ଦିନ ଟପିବ । ଯଦି ଲକଡାଉନ୍ କରୋନାର ସମାଧାନ, ତେବେ ଆମକୁ ବହୁତ ଗମ୍ଭୀର ଭାବରେ ଚିନ୍ତା କରିବାକୁ ପଡ଼ିବ ବୋଲି ରଘୁ ଶର୍ମା କହିଛନ୍ତି । ସେ ଆହୁରି କହିଛନ୍ତି ଲକଡାଉନ୍ ସମୟରେ ଲୋକଙ୍କ କ’ଣ ଅସୁବିଧା ହେଉଛି ତାହା ବୁଝିବାକୁ ପଡ଼ିବ । ଏହା ସହ ଲକ୍‌ଡାଉନ୍ ସମୟରେ ମୌଳିକ ସ୍ୱାସ୍ଥ୍ୟସେବାର ସୁବିଧା ବୃଦ୍ଧି କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

Sanjaya jha

ସେହିଭଳି ବିହାର ସରକାରଙ୍କ ମନ୍ତ୍ରୀ ସଞ୍ଜୟ ଝା କହିଛନ୍ତି ତାଙ୍କ ରାଜ୍ୟରେ ଏବେ ସୁଦ୍ଧା ୧୫ ହଜାର ଲୋକଙ୍କ ପରୀକ୍ଷା ସରିଲାଣି । ପ୍ରତିଦିନ ୧୦୦୦ ସ୍ୱାବ୍‌ ଟେଷ୍ଟ କରାଯାଉଛି । ଏବେ ସୁଦ୍ଧା ୩.୭୫ କୋଟି ଲୋକଙ୍କର ଡୋର-ଟୁ-ଡୋର୍‌ ସ୍କ୍ରିନିଂ କରାଯାଇଛି । ବିହାରରେ ମଧ୍ୟ ୨୨ ମାର୍ଚ୍ଚଠାରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିଲା । ଲକ୍‌ଡାଉନ୍‌କୁ ଧିରେ ଧିରେ କୋହଳ କରିବା ଉଚିତ୍‌ ଏକା ସଙ୍ଗେ କୋହଳ କରିବା ଠିକ୍‌ ହେବ ନାହିଁ ବୋଲି କହିଛନ୍ତି ସଞ୍ଜୟ ଝା ।

rajesh-tope

ସେହିଭଳି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ମହାରାଷ୍ଟ୍ରରେ ମାମଲା ଦ୍ୱିଗୁଣିତ ହୋଇଛି । ଏବେ ଏହା ସାଢ଼େ ସାତ ଦିନରେ ଦ୍ୱିଗୁଣିତ ହେଉଛି । ମୃତ୍ୟୁ ହାର ମଧ୍ୟ ୭ରୁ ଖସି ଆସି ୪ ପ୍ରତିଶତରେ ପହଞ୍ଚିଛି । ସେ କହିଛନ୍ତି ସବୁଠୁ ବଡ଼ ଅସୁବିଧା ହେଉଛି କ୍ଲଷ୍ଟରକୁ କିପରି ରୋକା ଯାଇପାରିବ । ଅନେକ ବସ୍ତିରେ ହୋମ୍‌ କ୍ୱାରେଣ୍ଟାଇନ୍‌ର କୗଣସି ଫାଇଦା ଦେଖାଯାଉନାହିଁ । ତେଣୁ ଲୋକଙ୍କୁ ବସ୍ତିରୁ ହଟାଯିବା ପରେ ସରକାରୀ ସ୍ଥାନକୁ ନିଆଯାଉଛି ।

Satinder jain

ଏଥିସହ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୀନ୍ଦର ଜୈନ କହିଛନ୍ତି ଯେ ଲକଡାଉନ୍ ଅବଧି ଶେଷ ହେବାକୁ ଅନେକ ସମୟ ବାକି ରହିଛି । ତେଣୁ ଏବେଠାରୁ ଆମେ ଲକ୍‌ଡାଉନ୍‌ ପରବର୍ତ୍ତି ସ୍ଥିତି କଥା ଚିନ୍ତା କରିବା ଉଚିତ୍‌ ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ଏପ୍ରିଲରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ତେଣୁ ମେ ୧ କିମ୍ବା ମେ ୨ ରେ ଲକଡାଉନ୍ ପରବର୍ତ୍ତି ଯୋଜନା ବିଷୟରେ ଆଲୋଚନା କରିବା  ଉଚିତ ।

ନକଲି ଖଣ୍ଡଗିରି ଥାନା ଆଇଆଇସି ଗିରଫ

ଭୁବନେଶ୍ୱର: ପୁଣି ରାଜଧାନୀରେ ନକଲି ଆଇପିଏସ ପରେ ନକଲି ଆଇଆଇସି ଗିରଫ ହୋଇଛି । କାଲି ଫେକ୍ ଲେଡି ଆଇପିଏସ । ଆଜି ରାଜଧାନୀରୁ ନକଲି IIC ଗିରଫ । ଭୁବନେଶ୍ୱର ବଡ଼ଗଡ ଅଞ୍ଚଳରୁ ନକଲି IICକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଏକ ଦୁଷ୍କର୍ମ ମାମଲାର ରଫାଦଫା କରିବାକୁ ବ୍ଲାକମେଲ କରୁଥିଲା ଉକ୍ତ ଯ଼ୁବକ । ନାବାଳିକା ପୀଡ଼ିତାଙ୍କୁ ପ୍ରେମ ନିବେଦନ ମଧ୍ୟ କରୁଥିଲେ ବୋଲି ଅଭିଯୋଗ ରହିଛି । ଏହା ସହ ତାର ୨ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିବା ସହ ମୋବାଇଲ ଜବତ କରିଛି । ନକଲି IIC ଜଣେ ସାମ୍ବାଦିକ ହୋଇଥିବା ମଧ୍ୟ ସୂଚନା ରହିଛି । ଯ଼ୁବକଙ୍କୁ ପୋଲିସ ଗରିଫ କରି କଲ ରେକର୍ଡ ଯାଞ୍ଚ କରୁଛି ।

ଗତ କାଲି ମଧ୍ୟ ରାଜଧାନୀରେ ନକଲି ଆଇପିଏସ ଅଫିସରକୁ ଗିରଫ କରାଯାଇଥିଲା । ନିଜକୁ ଆଇପିଏସ ଅଫିସର ପରିଚୟ ଦେଇ ପୋଲିସର ଗାଡି, କ୍ୱାଟର୍ସ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନେବାକୁ ଉଦ୍ୟମ କରୁଥିଲେ । ଏ ନେଇ ରିଜର୍ଭ ପୋଲିସ ଲାଇନକୁ ବାରମ୍ବର ଫୋନ କରି ଚାପ ପକାଉଥିଲେ । କେବଳ ସେତିକି ନୁହେଁ ନିଜ ପରିବାରର ଓ ମହିଳା କନେଷ୍ଟବଳ ବନ୍ଧୁଙ୍କ ଡ୍ୟୁଟି ପରିବର୍ତ୍ତନ କରିବାକୁ ଫୋନରେ ଚାପ ପକାଉଥିଲେ । ଉକ୍ତ ମହିଳାଙ୍କ ବିରୋଧରେ ଅଭିଯୋଗ ହେବା ପରେ ମହିଳାଙ୍କୁ ଥାନାରେ ହାଜର ହେବା ପାଇଁ ପୋଲିସ ନୋଟିସ କରିଥିଲା ।

ଭୁବନେଶ୍ୱରରୁ ଧରା ପଡିଲେ ନକଲି ଆଇପିଏସ,ଜାଣନ୍ତୁ କଣ ଥିଲା କାରନାମା…

ପଶ୍ଚିମବଙ୍ଗରୁ ଆସିଥିବା ୧୨୩୮ ଶ୍ରମିକ ଚିହ୍ନଟ,କ୍ୱାରେଣ୍ଟାଇନ ହୋମକୁ ଗଲେ ସବୁ ପ୍ରବାସୀ

ବାଲେଶ୍ୱର: ପଶ୍ଚିମବଙ୍ଗରୁ ଆସିଥିବା ୧୨୩୮ ଶ୍ରମିକ ଚିହ୍ନଟ । ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିଲା ପ୍ରଶାସନ । ସ୍ଥାନୀୟ ଲୋକଙ୍କ ସାହଯୋଗରେ ପଶ୍ଚିମବଙ୍ଗରୁ ଆସିଥିବା ଏହି ଶ୍ରମିକଙ୍କୁ ଚିହ୍ନଟ କରିପାରିଛି ପ୍ରଶାସନ । ଚିହ୍ନଟ ହୋଇଥିବା ସମସ୍ତ ୧୨୩୮ ଶ୍ରମିକଙ୍କୁ ଏବେ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ରଖାଯାଇଛି । ସମସ୍ତଙ୍କ ଉପରେ ପ୍ରଶାସନ ଓ ମେଡିକାଲ୍‌ ଟିମ୍‌ର ତିକ୍ଷ୍ନ ନଜର ରହିଛି ।

ଏହି ଶ୍ରମିକଙ୍କୁ ସ୍ଥାନୀୟ ସରପଞ୍ଚମାନଙ୍କ ଦ୍ୱାରା ଚିହ୍ନଟ କରଯାଇଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲାରେ ଥିବା ସମସ୍ତ ୩୬୦ଟି କ୍ୱାରେଣ୍ଟାଇନ୍‌ ହୋମ୍‌ରେ ବାହାରୁ ଆସିଥିବା ଏହି ଶ୍ରମିକଙ୍କୁ ରଖିବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଖୁବ୍‌ ଶୀଘ୍ର ସମସ୍ତଙ୍କୁ କ୍ୱରେଣ୍ଟାଇନ୍‌ରେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ପୂର୍ବରୁ ସେମାନଙ୍କୁ ଅନ୍ୟ ଲୋକଙ୍କ ସହ ମିଳାମିଶା ନକରିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଦୁଇଟି କ୍ୱାରେଣ୍ଟାଇନ୍‌ ହୋମ୍‌ରୁ ତିନି ଶହ ସ୍ୱାବ୍‌ ସଂଗ୍ରହ କରାଯାଇଛି । ଟେଷ୍ଟ ରିପୋର୍ଟ ଆସିବା ପରେ କ୍ୱାରେଣ୍ଟାଇନ୍‌ ଅବଧି ବଢିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ତେବେ ପୁର୍ବରୁ ନୀଳିଆବାଗ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ରହୁଥିବା ଆକ୍ରାନ୍ତଙ୍କ ଅବଧି ଆଜି ଶେଷ ହେଉଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳର କ୍ଷମତା ଦେଇଛନ୍ତି । ସରପଞ୍ଚମାନେ ନିଜ ଗାଁର ଦାୟିତ୍ୱ ନେବେ । ସେମାନଙ୍କ ଗାଁକୁ ବାହାରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି କ୍ୱାରେଣ୍ଟାଇନ୍‌ରେ ରଖିପାରିବେ ।