spot_img
Home Blog Page 702

ଥାଇଲାଣ୍ଡର ଓପାଲ ସୁଚିତା ହେଲେ ୭୨ତମ ମିସ୍ ୱାର୍ଲଡ

ନନ୍ଦିଘୋଷ ବ୍ୟୁରୋ: ଥାଇଲାଣ୍ଡର ଓପାଲ ସୁଚିତା ୭୨ତମ ମିସ୍ ୱାର୍ଲଡ ଟାଇଟଲ ହାସଲ କରିଛନ୍ତି । ଗତ ଶନିବାର ୨୦୨୪ ମିସ ୱାର୍ଲଡ କ୍ରିଷ୍ଟିନା ପିସ୍ମକୋଓ୍ବା ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ଏହିପରି ଭାବରେ ସୁଚତା ନିଜର ଏବଂ ନିଜ ଦେଶର ନାମ ସାରା ବିଶ୍ବରେ ପ୍ରସିଦ୍ଧ କରିଛନ୍ତି । ସୁଚତା ଜଣେ ଇଣ୍ଟରନାସନାଲ ରିଲେସନର ଛାତ୍ରୀ ଏବଂ ମଡେଲ । ଫାଇନାଲରେ ସେ ଏକ ଗାଉନ ପିନ୍ଧିଥିଲେ ଯାହା ତାଙ୍କର ସୌନ୍ଦର୍ଯ୍ୟ ଏବଂ ଆତ୍ମବିଶ୍ବାସକୁ ବୃଦ୍ଧି କରିଥିଲା । ସେ ମନସ୍ତତ୍ତ୍ବ ଏବଂ ନୃବିଜ୍ଞାନରେ ଆଗ୍ରହ ରଖନ୍ତି । ସେ ସ୍ତନ କର୍କଟ କ୍ଷେତ୍ରରେ କାମ କରୁଥିବା ସଂଗଠନ ଗୁଡ଼ିକର ସ୍ବଚ୍ଛାସେବୀ ଭାବରେ କାମ କରନ୍ତି । ଇଥିଓପିଆର ହାସେଟ ପ୍ରଥମ ରନର୍ ଅପ୍ ହୋଇଛନ୍ତି। ଭାରତର ନନ୍ଦିନୀ ଟପ୍ ଫୋର୍ଟିରେ ସ୍ଥାନ ପାଇଥିଲେ।

ଆଜିଠୁ ନୂଆ ନିୟମ ଲାଗୁ, କମିଲା LPG ଦର, ଶସ୍ତା ହେବ ବିମାନ ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଜୁନ ମାସ ଆରମ୍ଭ ହେବା ମାତ୍ରେ ହୋଇଛି ବଡ଼ ପରିବର୍ତ୍ତନ । ଗୋଟିଏ ପଟେ ତୈଳ ବିପଣନ କମ୍ପାନୀ ଗୁଡ଼ିକ ଏଲପିଜି ସିଲିଣ୍ଡର ଦର ମୂଲ୍ୟ ହ୍ରାସ କରିଥିଲା ବେଳେ ବିମାନ ଯାତ୍ରୀଙ୍କ ପାଇଁ ବି ଆଶ୍ବସ୍ତିକର ଖବର ଆସି ପହଞ୍ଚିଛି ।

ଚଳିତ ମାସରେ ଦେଶରେ ବହୁତ ଗୁଡ଼ିଏ ଆର୍ଥିକ ପରିବର୍ତ୍ତନ ହୋଇଛି । କ୍ରେଡିଟ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ମ୍ୟୁଚୁଆଲ ଫଣ୍ଡ ସମ୍ବନ୍ଧୀୟ ନିୟମ ମଧ୍ୟ ପରିବର୍ତ୍ତନ ହୋଇଛି ।

ଏହି ସବୁ ବିଷୟରେ ବିସ୍ତୃତରେ ଜାଣନ୍ତୁ…

ଆଜିଠୁ କମିଛି ଏଲପିଜି ଗ୍ୟାସ ସିଲିଣ୍ଡର ଦର । ସିଲିଣ୍ଡର ମୂଲ୍ୟ ୨୪ ଟଙ୍କା କମିଛି ।  ୧୪. ୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । କେବଳ ବାଣିଜ୍ୟିକ ପ୍ରତିଷ୍ଠାନ ଯେପରିକି ରେଷ୍ଟୁରାଣ୍ଟ, ଢାବା, ହୋଟେଲ ମାଲିକଙ୍କ ପାଇଁ ଏହି ଖବର ଆଶ୍ବସ୍ତି ଦେଇଛି ।

ସେହିପରି ଆଜିଠାରୁ ବିମାନଯାତ୍ରା ଶସ୍ତା ହୋଇଛି । ଏଲପିଜି ମୂଲ୍ୟ ହ୍ରାସ ସହ ବିମାନ ଇନ୍ଧନ ଅର୍ଥାତ ଏୟାର ଟର୍ବାଇନ ଇନ୍ଧନର ମୂଲ୍ୟ ହ୍ରାସ ହୋଇଛି । ଇନ୍ଧନର ମୂଲ୍ୟ ହ୍ରାସ ଯୋଗୁ ବିମାନ କମ୍ପାନୀ ଗୁଡ଼ିକ ଭଡ଼ା କମ୍ କରିପାରିବେ ।

ଆଜିଠାରୁ ମ୍ୟୁଚୁଆଲ ଫଣ୍ଡ ସହ ଜଡିତ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ବଜାର ନିୟାମକ SEBI ମ୍ୟୁଚୁଆଲ ଫଣ୍ଡ ସ୍କିମ୍ ପାଇଁ ନୂଆ କଟ୍ ଅଫ୍ ସମୟ ଲାଗୁ କରିଛି । ଏହି ନିୟମ ଆଜିଠୁ କାର୍ଯ୍ୟକାରୀ ହେବାକୁ ଯାଉଛି ।

ସରକାର EPFOର ନୂଆ ସଂସ୍କରଣ ଆଣିବାକୁ ଯାଉଛନ୍ତି । ଏହାକୁ ଜୁନ୍ ମାସରେ ଆରମ୍ଭ କରାଯିବାର ଆଶା କରାଯାଉଛି । ଏବେ EPFO ଉପଭୋକ୍ତା ATM  ଏବଂ UPI ମାଧ୍ୟମରେ PF ଟଙ୍କା ଉଠାଇ ପାରିବେ । ଏପରି କରିବା ଦ୍ବାରା ଦେଶର ୯ କୋଟିରୁ ଅଧିକ ଲୋକ ଉପକୃତ ହେବେ ।

କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ନିୟମରେ ପରିବର୍ତ୍ତନ କରାଯାଇଛି । ଯଦି ଆପଣ କୋଟାକ ମହିଦ୍ରା ବ୍ୟାଙ୍କ କ୍ରେଡିଟ କାର୍ଡ ବ୍ୟବହାର କରନ୍ତି ତେବେ ଆଜିଠାରୁ ନିୟମରେ ପରିବର୍ତ୍ତନ ହୋଇଛି । ବ୍ୟାଙ୍କ ଓ୍ବେବସାଇଟ୍ ଅନୁସାରେ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ଅଟୋ ଡେବିଟ ଟ୍ରାଞ୍ଜାକ୍ସନ ଯଦି ବିଫଳ ହୁଏ ତେବେ ବ୍ୟାଙ୍କ ଦ୍ବାରା ୨ ପ୍ରତିଶତ ବାଉନ୍ସ ଚାର୍ଜ ଲାଗୁ କରାଯିବ । ଏହା ସର୍ବନିମ୍ନ ୪୫୦ ଟଙ୍କା ଏବଂ ସର୍ବାଧିକ ୫ ହଜାର ଟଙ୍କା ହୋଇପାରେ । ଏହା ସହ ଅଧିକାଂଶ ବ୍ୟାଙ୍କର କ୍ରେଡିଟ କାର୍ଡରେ ମାସିକ ଫାଇନାନ୍ସ ଚାର୍ଜ ପ୍ରଥମ ତାରିଖରୁ ବଢ଼ିପାରେ ।

ଏହା ସହ ଆଧାରକାର୍ଡ ମାଗଣାରେ ଅପଡେଟ କରିବାର ଶେଷ ତାରିଖ ଚଳିତ ମାସ ୧୪ ତାରିଖରେ ଶେଷ ହେବାକୁ ଯାଉଛି । ଏହା ପରେ ଅପଡେଟ କଲେ ୫୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ଏହା ସହ ଚଳିତ ମାସରେ ଅନେକ ବ୍ୟାଙ୍କ ସ୍ଥାୟୀ ଜମା ଏବଂ ଋଣ ସୁଧ ହାର ପରିବର୍ତ୍ତନ କରିପାରନ୍ତି ।

 

ରେରା ଆଇନକୁ ଦୁର୍ବଳ କରିବାକୁ ଯୋଜନା, ସଦସ୍ୟ ଚୟନରେ ଅନିୟମିତତା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ରେରା ଆଇନକୁ ଦୁର୍ବଳ କରିବାକୁ ଯୋଜନା । ରେରା ସଦସ୍ୟ ଚୟନରେ ଅନିୟମିତତା ଅଭିଯୋଗ । ଜଣେ ସଚିବ ପାହ୍ୟାର ଅଧିକାରୀ ରେରା ସଦସ୍ୟ ହୋଇପାରିବେ ବୋଲି ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିବା ବେଳେ ଚୟନ ହୋଇଥିବା ରାଜେନ୍ଦ୍ର ମିଶ୍ରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ରେରାର ସଚିବ ଥିବା ରାଜେନ୍ଦ୍ର ମିଶ୍ର ସ୍ବତନ୍ତ୍ର ସଚିବ ପାହ୍ୟାର ଅଧିକାରୀ ହୋଇଥିବା ବେଳେ ତାଙ୍କ ନିଯୁକ୍ତି ବେଆଇନ ବୋଲି ଜଣାପଡ଼ିଛି । ରେରା ସଦସ୍ୟ ପାଇଁ ଆଶାୟୀ ଅନ୍ୟତମ ଆଇଏଏସ୍ ଅଧିକାରୀ ଏହି ଅଭିଯୋଗ କରିଛନ୍ତି । ଆଇନଜୀବୀମାନେ ମଧ୍ୟ ଏହାକୁ ଗ୍ରହଣ କରିପାରୁନାହାନ୍ତି ।

ରାଜ୍ୟରେ ସରକାର ବଦଳିବା ପରେ ରେରା ଆଇନକୁ ଦୁର୍ବଳ କରିବାକୁ ରୀତିମତ ଉଦ୍ୟମ ଚାଲିଛି । ହାଇକୋର୍ଟ ଓ ସୁପ୍ରମିକୋର୍ଟରେ ମାମଲା ପରେ ଦୀର୍ଘ ଦିନ ଧରି ଅଚଳ ହୋଇଥିବା ରେରା କୋର୍ଟ ସଚଳ କରିବାକୁ ସରକାର ବାଧ୍ୟ ହେଲେ । ମେ’ ୧୪ ତାରିଖରେ ଅଧ୍ୟକ୍ଷ ଓ ସଦସ୍ୟ ମନୋନୀତ କଲେ । ହେଲେ ସଦସ୍ୟ ମନୋନୀତ ହୋଇଥିବା ରାଜେନ୍ଦ୍ର ମିଶ୍ରଙ୍କ ନିଯୁକ୍ତିକୁ ନେଇ ଉଠିଛି ପ୍ରଶ୍ନ । ରେରା ଆଇନର ଧାରା ୨୨ ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନରେ ଜଣେ ସଚିବ ଭାବେ କାମ କରିଥିବା ଅଧିକାରୀ ହିଁ ରେରାର ସଦସ୍ୟ ହୋଇପାରିବେ । ହେଲେ ରାଜେନ୍ଦ୍ର ମିଶ୍ର ଅବସର ବେଳେ ଖାଦ୍ୟ ଯୋଗାଣ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାମ କରୁଥିଲେ । ସେ କେବେ ବି ସଚିବ ପାହ୍ୟାରେ କାମ କରିନାହାନ୍ତି କି ଆଇଏଏସ୍ ମଧ୍ୟ ହୋଇନାହାନ୍ତି । ସଦସ୍ୟ ହେବା ପାଇଁ ଯୋଗ୍ୟତା ନ ଥିବା ବେଳେ କିପରି ଚୟନ କମିଟି ତାଙ୍କୁ ନିଯୁକ୍ତି କଲେ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଡ଼ିଏର ପୂର୍ବତନ ସଚିବ ।

ନଭେମ୍ବର ୨୦୨୪ରେ ସିଦ୍ଧାନ୍ତ ଦାସ ରେରା ଅଧ୍ୟକ୍ଷ ପଦ ଛାଡ଼ିବା ପରେ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ସରକାର କାହାକୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ନଥିଲେ । ରେରା କୋର୍ଟ ଦୀର୍ଘଦିନ ଧରି ଅଚଳ ହୋଇଥିଲା । ମାମଲା ସୁପ୍ରମିକୋର୍ଟକୁ ଗଲା । ହାଇକୋର୍ଟର ଦ୍ବାରସ୍ଥ ହେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମାମଲା ଅଦାଲତକୁ ଯିବା ପରେ ସରକାର ତରବରିଆ ଭାବେ ନଗର ଉନ୍ନୟନ ସଚିବଙ୍କୁ ରେରା ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଲେ । ପରେ ସ୍ଥାୟୀ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତ କରିଥିଲେ ବି ସଦସ୍ୟ ଚୟନରେ ଅନିୟମିତତା ହୋଇଛି । ଯଦି ରେରା ସଦସ୍ୟଙ୍କ ନିଯୁକ୍ତି ବିନା ଯୋଗ୍ୟତାରେ ହୋଇଛି, ତା’ ହେଲେ ରେରା କୋର୍ଟର କୌଣସି ମାମଲାରେ ସଦସ୍ୟଙ୍କ ରାୟ ବି ବେଆଇନ ହେବ । ଏହାକୁ ନେଇ ଆଇନଜୀବୀ ପ୍ରଶ୍ନ ଉଠାଇଥିବା ବେଳେ ସରକାର କେଉଁ ଦୃଷ୍ଟିରୁ ଜଣେ ଅଯୋଗ୍ୟ ଅଧିକାରୀଙ୍କୁ ନିଯୁକ୍ତ ଦେଲେ, ଏ ବାବଦରେ ସରକାରଙ୍କ ସ୍ପଷ୍ଟୀକରଣ ମାଗିଛନ୍ତି ଆଇନଜୀବୀ ।

ରେରା ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । ଉଦ୍ଦେଶ୍ୟ ଥିଲା ଆପାର୍ଟମେଣ୍ଟ ବା ପ୍ଲଟ କ୍ରେତାଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଓ ରିଏଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବା । କିନ୍ତୁ ଏବେ ରେରା ଆଇନକୁ ଦୁର୍ବଳ କରିବାକୁ ଉଦ୍ୟମ ହେଉଛି ବୋଲି ଚର୍ଚ୍ଚା ହେଲାଣି ।

ବର୍ଷେ ପୂରିନି, ବଦଳି ଗଲା ରାଜ୍ୟ ବିଜେପି ସରକାରଙ୍କ ପ୍ରତିଶ୍ରୁତି: ଓଡ଼ିଶାକୁ ୧ ନମ୍ବର ନୁହେଁ କରିବେ ୫ ନମ୍ବର

ନନ୍ଦିଘୋଷ ବ୍ୟୁରୋ: ବର୍ଷେ ହୋଇନି ବଦଳି ଗଲା ରାଜ୍ୟ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି । ଓଡ଼ିଶାକୁ ୧ ନମ୍ବର ନୁହେଁ ଦେଶର ୫ ନମ୍ବର ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଦେଶରେ ଓଡ଼ିଶାକୁ ନମ୍ୱର୍ ୱାନ ରାଜ୍ୟ ଭାବେ ଗଢି ତୋଳିବାକୁ ସ୍ବପ୍ନ ଦେଖିଥିବା ବିଜେପିର ଡବଲ ଇଞ୍ଜିନ ସରକାରର ମିଛକୁ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଧରାଇ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଜେଡି କହିଛି ବିଜେପି ସରକାର ମିଛର ସରକାର, ବର୍ଷେ ଭିତରେ ସେମାନେ ତାହା ପ୍ରମାଣିତ କରିଛନ୍ତି । କଂଗ୍ରେସ ମଧ୍ୟ ବିଜେପିର ଓଡ଼ିଶା ବିକାଶ ଆଭିମୁଖ୍ୟ ନେଇ ବର୍ଷିଛି ।

ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ନାରା ଦେଉଥିବା ବିଜେପି ସରକାରର ମିଛ ଧରାଇ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡ଼ିଶାକୁ ଦେଶର ୧ ନମ୍ଵର ରାଜ୍ୟ କରିବେ ବୋଲି ୨୪ ନିର୍ବାଚନ ଆଗରୁ ରଡ଼ି ଛାଡୁଥିଲା ବିଜେପି । ସରକାର ଗଠନର ବର୍ଷେ ପୂରିନି, ବଦଳି ଯାଇଛି ଦଳ ଓ ସରକାରର ସ୍ବପ୍ନ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଓଡ଼ିଶାକୁ ଦେଶର ୫ ନମ୍ବର ରାଜ୍ୟ ଭାବେ ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ହଠାତ୍ କାହିଁକି ଓଡ଼ିଶାକୁ ୧ ନମ୍ବର କରିବାର ସ୍ଵପ୍ନରୁ ବିଜେପି ପଛ ଘୁଞ୍ଚା ଦେଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ଡବଲ ଇଞ୍ଜିନ ସରକାର ହେବା ପରେ ଓଡିଶା ପାଇଁ କମିଛି କେନ୍ଦ୍ରୀୟ ଅନୁଦାନ । ଠପ୍ ହୋଇଯାଇଛି ବିକାଶ କାମ ।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, କେବଳ ଭାଷଣ ବାଜିରେ ସରକାର ଚାଲିଥିବାରୁ ଓଡ଼ିଶାକୁ ବିଜେପି ଦେଶର ୫ ନମ୍ଵର ରାଜ୍ୟ କରିବ ନା ୨୫ ନମ୍ଵର କରିବ, ତାହା ମନ୍ତ୍ରୀଙ୍କ ବୟାନରୁ ଜଣାପଡୁଛି । ଜୟଦେବ ମାନିଛନ୍ତି, ନବୀନ ପଟ୍ଟନାୟକ ଓଡ଼ିଶାକୁ ୧ ନମ୍ଵର ରାଜ୍ୟ କରିବାକୁ ସବୁବେଳେ ପ୍ରୟାସ କରୁଥିଲେ ।

ନବୀନ ପଟ୍ଟନାୟକଙ୍କ ସରକାର ବେଳେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ନା କେବଳ ଦେଶର ରୋଲ୍ ମଡେଲ ସାଜିଥିଲା ବରଂ ଆର୍ଥିକ ପରିଚାଳନାରେ  ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଶିଳ୍ପାୟନ, ଭିତ୍ତିଭୂମି ବିକାଶ, ରାସ୍ତାଘାଟ, ସେତୁ ନିର୍ମାଣ, ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନର ବିକାଶ ନବୀନଙ୍କ ସମୟରେ ଶୀର୍ଷରେ ପହଞ୍ଚିଥିଲା । ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ୧ ନମ୍ବର ରାଜ୍ୟ ପରିଣତ ହୋଇଥିଲା । ବିଜେପି ସରକାର ଆସିବା ପରେ ଏଥିରେ ବ୍ରେକ ଲାଗିଛି ।  ବିଜେପି ମନ୍ତ୍ରୀ କହିଲେଣି, ଓଡ଼ିଶାକୁ ୫ ନମ୍ବର ରାଜ୍ୟ କରାଯିବ । ଏ ସରକାର ଯେତେ ପୁରୁଣା ହେବ, ଏହି ନମ୍ଵର ସେତେ ଘୁଞ୍ଚି ଘୁଞ୍ଚି ଚାଲିବ ବୋଲି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ।

୨୪ ବର୍ଷ ଧରି ନବୀନ ପଟ୍ଟନାୟକ କଥା କମ୍, କାମ ଅଧିକ ନୀତିରେ ବିଶ୍ବାସ କରି ଓଡ଼ିଶାର ବିକାଶ ନକ୍ସାକୁ ନୂଆ ପରିଚୟ ଦେଇଥିଲେ । ଓଡ଼ିଶାକୁ ୧ ନମ୍ବର ରାଜ୍ୟ ଭାବେ ଗଢି ତୋଳିବାକୁ କାମ କରୁଥିଲେ । ହେଲେ ସରକାର ବଦଳିବା ପରେ ଏଥିରେ ଯେ ବଡ଼ ବ୍ରେକ୍ ଲାଗିଛି, ମନ୍ତ୍ରୀଙ୍କ ବୟାନରୁ ତାହା ସ୍ପଷ୍ଟ ହୋଇଛି ।

ମାଓବାଦୀଙ୍କ ଦ୍ବାରା ୫ ହଜାର କେଜି ବିସ୍ଫୋରକ ଲୁଟ ପରେ ପୋଲିସର ବଡ଼ ଆକ୍ସନ, ଜଙ୍ଗଲର ଚାଲିଛି ଚପ୍ପା ଚପ୍ପା ଯାଞ୍ଚ

ନନ୍ଦିଘୋଷ ବ୍ୟୁରୋ: କୁଆଡେ ଗଲା ୫ ଟନ ବିସ୍ଫୋରକ ? ସରଣ୍ଡା ଜଙ୍ଗଲରେ ଓଡ଼ିଶା ଓ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଓ ସର୍ଚ୍ଚ ଅପରେସନକୁ ଆଜି ବି ଜୋରଦାର କରାଯାଇଛି । ଅପରେସନରେ ସାମିଲ ହୋଇଛନ୍ତି ଓଡ଼ିଶା ଓ ଝାଡଖଣ୍ଡ ପୋଲିସ ସହ ଏସଓଜି, କୋବ୍ରା, ସିଆରପିଏଫ ଓ ଝାଡ଼ଖଣ୍ଡ ଜାଗୁଆର । ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ସୂଚନା ପାଇ ଗତକାଲି ଓଡ଼ିଶା-ଝାଡଖଣ୍ଡ ପୋଲିସ ପକ୍ଷରୁ ସେମାନଙ୍କ କ୍ୟାମ୍ପ ଉପରେ ଚଢାଉ କରାଯାଇ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।

ମାଓବାଦୀଙ୍କ ବାରୁଦ ଲୁଟ ପରେ ପୋଲିସର ବଡ଼ ଆକ୍ସନ । ସୁନ୍ଦରଗଡ କେ-ବଲାଙ୍ଗ ଜଙ୍ଗଲର ଚପ୍ପା ଚପ୍ପା ଚାଲିଛି ଯାଞ୍ଚ । ଗ୍ରାଉଣ୍ଡ ଜିରୋରେ କମ୍ବିଂ ଅପରେସନ୍ ଜାରି ରଖିଛନ୍ତି ଯବାନ । ସୁନ୍ଦରଗଡ଼ କେ-ବଲାଙ୍ଗ ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ଓଜନର ବିସ୍ଫୋରକ ସାମଗ୍ରୀ ମାଓବାଦୀ ଲୁଟି ନେଇଥିଲେ । ଲୁଟ ବିସ୍ଫୋରକ ଜବତ ପାଇଁ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ ।

ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ସୂଚନା ପାଇ ଗତକାଲି ଓଡିଶା-ଝାଡଖଣ୍ଡ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ମାଓବାଦୀଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯିବା ସହ ଏକ କ୍ଵିଣ୍ଟାଲରୁ ଅଧିକ ଜିଲୋଟିନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଏହାସହ ଲୁଟ ହୋଇଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଜଵତ କରାଯାଇଥିଲା ।

ପୋଲିସ ପକ୍ଷରୁ ଆଡିସନାଲ ଏସପିଙ୍କ ନେତୃତ୍ବରେ SITର ୫ ଜଣିଆ ଟିମ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଖଣି ବିଭାଗ ମଧ୍ୟ ତଦନ୍ତରେ ସାମିଲ ହୋଇଛି । ବିସ୍ଫୋରକ ସାମଗ୍ରୀ ଯାଇଥିବା ଗୋଦାମ ମାଲିକ, ଗୋଦାମ କର୍ମଚାରୀ, ପଥର ଖଣି କର୍ମଚାରୀଙ୍କୁ ପୋଲିସ ପକ୍ଷରୁ ପୁଣି ଥରେ ପଚରାଉଚରା କରାଯାଉଛି । ପଥର ଖଣିକୁ ୫ ହଜାର କେଜି ବିସ୍ଫୋରକ ସାମଗ୍ରୀ ମିନି ଟ୍ରକରେ କାହିଁକି ଚାଲାଣ କରାଯାଇଥିଲା ? ଖଣିରେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀର କ’ଣ ଆବଶ୍ୟକତା ଥିଲା ? ପୋଲିସ ଅନୁମତି ଓ ସୁରକ୍ଷା ବଳୟରେ କାହିଁକି ବିସ୍ଫୋରକ ଚାଲାଣ କରାଯାଇ ନଥିଲା ? ଏଭଳି ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ ।

ଓଡ଼ିଶାରେ ବଢୁଛି ତମାଖୁ ସେବନକାରୀଙ୍କ ସଂଖ୍ୟା, ପୁରୁଷଙ୍କଠାରୁ ମହିଳା ଆଗରେ; ତଥ୍ୟ ଆସିବା ପରେ ସରକାରଙ୍କ ନିଦ ଭାଙ୍ଗିଲା

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ବଢୁଛି ତମାଖୁ ସେବନ । ଆଉ ଏହି କ୍ଷେତ୍ରରେ ପୁରୁଷଙ୍କଠାରୁ ମହିଳାଙ୍କ ସଂଖ୍ୟା ଅଧିକ । ଏ ନେଇ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେକ୍ଷଣ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇଛି । ରିପୋର୍ଟ ପ୍ରକାଶ ପାଇବା ପରେ ସରକାରଙ୍କ ନିଦ ଭାଙ୍ଗିଛି । ସ୍ବାସ୍ଥ୍ୟ ସଚିବଙ୍କ କହିବା କଥା ଏଣିକି କୋଟପା ଆଇନକୁ କଡ଼ାକଡ଼ି ଅନୁପାଳନ ହେବ । ଏହାସହ ତମାଖୁ ବିଜ୍ଞାପନ ଓ ସ୍କୁଲ, କଲେଜରେ ଛାତ୍ରଛାତ୍ରୀ ଯେପରି କୌଣସି ପ୍ରକାର ତମାଖୁ ପଦାର୍ଥ ଗ୍ରହଣ ନ କରନ୍ତି ସେଥିପ୍ରତି ପଦକ୍ଷେପ ନେବାକୁ କହିଛନ୍ତି ।

ତମାଖୁ ନେଉଛି ଜୀବନ । ଚାରିଆଡ଼େ ବୈଧାନିକ ସତର୍କତା । ହେଲେ ବ୍ୟବହାର କମିବା ପରିବର୍ତ୍ତେ ବଢ଼ୁଛି । ଓଡ଼ିଶାରେ ପୁରୁଷଙ୍କ ତୁଳନାରେ ମହିଳା ବ୍ୟବହାର କଲେଣି ଅଧିକ । ଏଭଳି ସାଂଘାତିକ ତଥ୍ୟ ଦେଇଛି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେକ୍ଷଣ ସଂସ୍ଥା ଏନଏଫଏଚଏସ ।

ଏନଏଫଏଚଏସର ପାଞ୍ଚ ନମ୍ବର ରିପୋର୍ଟ ଅନୁଯାୟୀ ପୁରୁଷଙ୍କ ତୁଳନାରେ ରାଜ୍ୟରେ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି । ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି । ଏନଏଫଏଚଏସର ୪ ନମ୍ବର ରିପୋର୍ଟରେ ରାଜ୍ୟର ୫୫.୯ ପ୍ରତିଶତ ପୁରୁଷ ତମାଖୁ ସେବନ କରୁଥିଲେ । ସଦ୍ୟତମ ରିପୋର୍ଟରେ ଏହା ହ୍ରାସ ପାଇ ୫୧.୬ ପ୍ରତିଶତ ହୋଇଛି । ହେଲେ ମହିଳାଙ୍କ ସଂଖ୍ୟା ୪ ନମ୍ବର ରିପୋର୍ଟରେ ଥିଲା ୧୭.୩ ପ୍ରତିଶତ । ଯାହା ଏବେ ୮.୭ ପ୍ରତିଶତ ବଢି ୨୬ ପ୍ରତିଶତ ହୋଇଛି । ରିପୋର୍ଟ ଦେଖିବା ପରେ ସ୍ବାସ୍ଥ୍ୟ ବିଭାଗ କହିଛି ସିଗାରେଟ ଓ ତମାଖୁ ଉତ୍ପାଦନ ନିୟନ୍ତ୍ରଣ ଆଇନ ବା କୋଟପାକୁ କଡ଼ାକଡ଼ି ପାଳନ କରାଯିବ । ତମାଖୁ ବର୍ଜନ ପାଇଁ ପ୍ରଥମେ ବିଜ୍ଞାପନ ଉପରେ ଅଂକୁଶ ଲଗାଇବାକୁ ସ୍ବାସ୍ଥ୍ୟ ବିଭାଗ ରୋଡମ୍ୟାପ ପ୍ରସ୍ତୁତ କରିବ । ନିୟମକୁ ଫୁ କରି ଗଳାବାଟ ଦେଇ ଯେପରି ତମାଖୁ ପ୍ରସ୍ତୁତକାରୀ କମ୍ପାନୀ ଖସି ନଯିବେ ସେ ନେଇ ମିଳିତ ଭାବେ ଅବକାରୀ, ସ୍ବାସ୍ଥ୍ୟ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେବେ ବୋଲି ସରକାରଙ୍କ ତରଫରୁ କୁହାଯାଇଛି ।

ଆଜି ବିଶ୍ବ ତମାଖୁ ବର୍ଜନ ଦିବସ । ବଜାରରେ ବୈଧାନିକ ସତର୍କତା ଥାଇ ୨ରୁ ୫ ଟଙ୍କାରେ ମିଳୁଛି ବିଷ । ତମାଖୁ ବର୍ଜନ ଦିବସରେ ରିବନ୍‌ ଓ ଭାଷଣରେ କାମ ସାରି ଦେଉଛନ୍ତି ସରକାର । ସରକାରଙ୍କ ତମାଖୁ ଓ ନିଶା ନିବାରଣ ନେଇ ମାଳମାଳ ଆକ୍ସନ ପ୍ଲାନ୍‌ ବର୍ଷ ତମାମ ଦେଖା ମିଳେନି । କେବଳ ସ୍ବତନ୍ତ୍ର ଦିବସ ଆସିଲେ ମନେପଡ଼େ । ରାଜ୍ୟରେ ମହିଳାମାନେ ଅଧିକ ତମାଖୁ ସେବନ କରୁଥିବାରୁ ଗର୍ଭଧାରଣରେ ମଧ୍ୟ ନାନାଦି ଅସୁବିଧା ସୃଷ୍ଟି ହେଉଛି ।

ଓଡ଼ିଶାରେ ଖଇନି ଓ ତମାଖୁ ସେବନ ବେଧଡ଼କ ଭାବେ ଚାଲିଛି । ୧୬.୯ ପ୍ରତିଶତ ସାବାଳକ ଖଇନି ଓ ୧୪.୯ ପ୍ରତିଶତ ସାବାଳକ ତମାଖୁ ସେବନ କରୁଛନ୍ତି । ହେଲେ ସେମାନଙ୍କୁ ଜଗୁଛି କିଏ ? ତମାଖୁ ସେବନ ଦ୍ୱାରା କର୍କଟ, ହୃଦଘାତ, ଯକ୍ଷ୍ମା, ଫୁସଫୁସ ରୋଗ ବୃଦ୍ଧି ପାଉଛି । ପୁରୁଷଙ୍କ ନପୁଂସକତା, ପ୍ରଜନନ ଶକ୍ତି ହ୍ରାସ ସମେତ ଅକାଳ ବାର୍ଦ୍ଧକ୍ୟ ପରି ରୋଗ ହେଉଛି ।

ରାଜ୍ୟରେ ପ୍ରତିଦିନ ବଢୁଛି କରୋନା ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ୮ ଛୁଇଁଲା

ନନ୍ଦିଘୋଷ ବ୍ୟୁରୋ: ଦେଶରେ କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବା ସହ ରାଜ୍ୟରେ ବି ପ୍ରତିଦିନ ମାମଲା ବଢିବାରେ ଲାଗିଛି । ନୂଆ ଭାରିଆଣ୍ଟର ଭୟାବହତା ସେତେଟା ନଥିଲେ ବି ସରକାରଙ୍କ ନିଦ ହଜାଇ ଦେଇଛି ଦୈନିକ ମାମଲା । ଏଯାଏଁ ଓଡ଼ିଶାରେ ୮ ଜଣ କୋଭିଡ ରୋଗୀ ଚିହ୍ନଟ କରାଯାଇଛି । ଏମାନଙ୍କ ଭିତରୁ ଜଣଙ୍କ ଆରଟିପିସିଆର ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେପଟେ କେନ୍ଦ୍ର ଏଯାଏଁ କୌଣସି ମାର୍ଗଦର୍ଶିକା ଦେଇ ନଥିଲେ ବି ମନିଟରିଂ କରିବାକୁ ରାଜ୍ୟମାନଙ୍କୁ ଦେଇଛନ୍ତି ନିର୍ଦ୍ଦେଶ ।

ଓଡ଼ିଶାରେ କୋଭିଡ ମାମଲା ବଢୁ ନଥିବା ଘୋଷି ହେଉଥିବା ରାଜ୍ୟ ସରକାରଙ୍କୁ ଲାଗିଛି ବଡ଼ ଝଟକା । ପ୍ରତିଦିନ ବାହାରୁଛନ୍ତି କୋଭିଡ ରୋଗୀ । ଆଜି ବି ଦୁଇ ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ରୋଗୀ ସଂଖ୍ୟା ୮ରେ ପହଞ୍ଚିଛି । ଏମାନଙ୍କ ଭିତରୁ ଜଣେ ଆଣ୍ଟିଜେନ ଟେଷ୍ଟିଂରୁ କୋଭିଡ ଚିହ୍ନଟ ହୋଇଛନ୍ତି । ତାଙ୍କ ଆରଟିପିସିଆର ରିପୋର୍ଟକୁ ଅପେକ୍ଷା କରିଛି ସ୍ବାସ୍ଥ୍ୟ ବିଭାଗ । ତେଣେ ରାଜ୍ୟରେ ବ୍ୟବହାର ହେଉଥିବା ଆଣ୍ଟିଜେନ କିଟ୍ ଠିକ୍ ଭାବ କାମ କରୁଥିବା ନେଇ ଆରଏମଆରସି ରିପୋର୍ଟ କରିଛି । ଯେଉଁଥି ପାଇଁ ଅଷ୍ଟମ ରୋଗୀଙ୍କ ଆରଟିପିସିଆର ରିପୋର୍ଟ କୋଭିଡ ପଜିଟିଭ ବାହାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶଂକା ପ୍ରକାଶ କରିଛି । ଏଯାଏଁ ଚିହ୍ନଟ ହୋଇଥିବା ୮ ରୋଗୀଙ୍କ ମଧ୍ୟରୁ ୬ ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବାବେଳେ ବାକି ଦୁଇ ଜଣ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ସେପଟେ ଦେଶରେ ବି ବଢି ଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧୦ରେ ପହଞ୍ଚିଛି । କେରଳରେ ସର୍ବାଧିକ ୧୧୪୭, ମହାରାଷ୍ଟ୍ର ୪୨୪, ଦିଲ୍ଲୀରେ ୨୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କୋରୋନାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାରା ଦେଶରେ ୫୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲୋକଙ୍କୁ ଭୟଭୀତ ନ କରିବାକୁ କେନ୍ଦ୍ର ସରକାର ଏଯାଏଁ କୌଣସି ମାର୍ଗଦର୍ଶିକା ସିନା ଜାରି କରୁ ନାହାନ୍ତି, ହେଲେ ରାଜ୍ୟମାନଙ୍କୁ ମନିଟରିଂ କରିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

IDSP ସେଲ୍ କୋଭିଡ ମନିଟରିଂ କରୁଛି । ସଜାଗ ଓ ସତର୍କ ରହି ଦୂରେଇ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ମାର୍ଗଦର୍ଶିକା ନ ଦେଇଥବା ସତ୍ତ୍ବେ ଉଭୟ ଆରଟିପିସିଆର ଓ ଆଣ୍ଟିଜେନ କିଟ ବିପୁଳ ମାତ୍ରାରେ ମଗାଇଥିଲେ ରାଜ୍ୟ ସରକାର । ସେପଟେ କେନ୍ଦ୍ରରୁ ବି ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ପହଞ୍ଚି ସାରିଲାଣି ।

ଦକ୍ଷିଣ ଭାରତରେ କୋଭିଡ ମହାମାରୀର ରୂପ ନେବାକୁ ଯାଉଛି । କାରଣ ଦେଶର ୪୦ ପ୍ରତିଶତରୁ ଅଧିକ ମାମଲା କେବଳ କେରଳରୁ ଆସୁଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟ କୋଭିଡ ହଟସ୍ପଟ ପାଲଟି ଗଲେଣି । ଆନ୍ଧ୍ର ପ୍ରଦେଶରେ ରୋଗୀ ସଂଖ୍ୟା ବଢୁଥିବାରୁ କିଛି ଦିନ ତଳେ ନିଜ ଆଡ଼ୁ ମାର୍ଗଦର୍ଶିକା ଜାରି କରିଥିଲେ ଆନ୍ଧ୍ର ସରକାର । ଓଡ଼ିଶା ଆନ୍ଧ୍ରର ପଡ଼ୋଶୀ ରାଜ୍ୟ ହୋଇଥିବାରୁ, ରାଜ୍ୟରେ କୋଭିଡ ଭୟ ବଢିଛି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଓଡ଼ିଶା ରାଜ୍ୟ ବାର କାଉନସିଲର ନୋଟିସ୍, ୧୫ ଦିନରେ ଜବାବ ରଖିବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ରାଜ୍ୟ ବାର କାଉନସିଲର ନୋଟିସ୍ । ୧୫ ଦିନ ଭିତରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ । ମନ୍ତ୍ରୀ ଥିବା ବେଳେ ଅଫିସ୍ ଅଫ୍ ପ୍ରଫିଟ ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ମନମୋହନଙ୍କୁ ନୋଟିସ୍ କରାଯାଇଛି ।

ସୂଚନାଯୋଗ୍ୟ, ମନମୋହନ ୧୯୮୬ ମସିହାରୁ ଅଦ୍ୟାବଧି ଲାଇସେନ୍ସ ପ୍ରାପ୍ତ ଆଇନଜୀବୀ ଅଛନ୍ତି । ତେବେ ୨୦୦୪ ମସିହାରୁ ୨୦୦୮  ମସିହା ପର୍ଯ୍ୟନ୍ତ ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ । ଏକଥା ସେ ବାର କାଉନସିଲକୁ ଜଣାଇ ନଥିଲେ । ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ରହିବା ଦ୍ବାରା ସେ ଅଫିସ ଅଫ୍ ପ୍ରଫିଟ୍ ନିୟମ ଭିତରକୁ ଆସୁଛନ୍ତି । ଏହି ସମୟ ମଧ୍ୟରେ ସେ ସାମୟିକ ଭାବେ ଆଇନଜୀବୀ ବୃତ୍ତିରୁ ଦୂରେଇ ରହିବା ପାଇଁ ବାର କାଉନସିଲ ନିକଟରେ ଆଇନଜୀବୀ ଲାଇସେନ୍ସ ଦାଖଲ କରିବାର ଥିଲା । କିନ୍ତୁ ସେ ଏଭଳି କରି ନଥିଲେ ।

ଏନେଇ ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ବାର କାଉନସିଲ୍ ମନମୋହନ ସାମଲଙ୍କୁ ୧୫ ଦିନିଆ ନୋଟିସ୍ ଜାରି କରିଛି । ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଆମେ ଯୋଗାଯୋଗ କରିଥିଲେ ମଧ୍ୟ ସେ ପରବର୍ତ୍ତୀ ମସୟରେ ଏନେଇ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ।

ଅବସର ଦିନ ଫୁଲମାଳ ବଦଳରେ ହାତକଡ଼ି ପିନ୍ଧିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ଆଜି ନେଇଥାନ୍ତେ ଅବସର । ଅଫିସରେ ସହକର୍ମୀ ଫୁଲ ମାଳ ପିନ୍ଧାଇ ଧୁମଧାମରେ ବିଦାୟ ଦେଇଥାନ୍ତେ । ହେଲେ ଅବସର ନେବା ପୂର୍ବରୁ ବାନ୍ଧିଲା ଭିଜିଲାନ୍ସ । ବେକରେ ଫୁଲମାଳ ପିନ୍ଧିବା ବଦଳରେ ହାତରେ ହାତକଡ଼ି ପିନ୍ଧି ଜେଲ୍ ଗଲେ । ଗତକାଲି ବାବୁଙ୍କ ଘରୁ ବିଡ଼ା ବିଡ଼ଶ ଟଙ୍କା ସହ ଅମାପ ସମ୍ପତ୍ତି ମିଳିବା ପରେ ଆଜି ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି ।

ଆଜି ମଧ୍ୟ ଦ୍ୱିତୀୟ ଦିନରେ ଭିଜିଲାନ୍ସ ଟିମ୍ ମାରାଥନ ରେଡ୍ କରୁଛି । ଅମାପ ଧନ ଦେଖି ତାଜୁବ ଭିଜିଲାନ୍ସ ଟିମ୍ । ଗତକାଲି ଚଢ଼ାଉରେ ତାଙ୍କ ଘରୁ ନଗଦ ୨ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା । ଏହାସହ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍‌, ୭ଟି ଦାମୀ ପ୍ଲଟ, ଦେଢ଼ କୋଟି ଟଙ୍କାର ବୀମା ଓ ବ୍ୟାଙ୍କ ଡିପୋଜିଟ ମିଳିଥିଲା । ସେୟାର ମାର୍କେଟରେ ୨ କୋଟି ୭୦ ଲକ୍ଷ ଟଙ୍କା ନିବେଶ କରିଥିଲେ ବାବୁ । ଅନୁଗୁଳ କରଡ଼ାଗଡ଼ିଆରୁ ଦୁଇ ମହଲା କୋଠା ଓ ମାଟିଆସିହରୁ ଏକ ଦୁଇ ମହଲା କୋଠା ଠାବ ହୋଇଥିଲା ।

ସେହିପରି ଭୁବନେଶ୍ଵର ଡୁମୁଡୁମାରେ ଫ୍ଲାଟ, ପିପିଲିରେ ଏକ ଫ୍ଲାଟ ଠାବ ହୋଇଥିଲା । ଭୁବନେଶ୍ଵର ଓ ଅନୁଗୁଳର ବିଭିନ୍ନ ସ୍ଥାନରୁ ୭ଟି ଦାମୀ ପ୍ଲଟ ଠାବ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ରେଡ ଜାରି ରଖିଛି । ଅନୁଗୁଳ ଜିଲ୍ଲାର ୪ଟି ସ୍ଥାନ ସମେତ ଭୁବନେଶ୍ଵର ଓ ପିପିଲିକୁ ମିଶାଇ ମୋଟ ୭ଟି ଜାଗାରେ ଚାଲିଛି ରେଡ୍ ।

ଗତକାଲି ଭିଜିଲାନ୍ସ ଟିମକୁ ଦେଖି ଭୁବନେଶ୍ଵର ଘରୁ ଝରକା ଦେଇ ଟଙ୍କା ଫିଙ୍ଗି ଦେଇଥିଲେ ଲାଞ୍ଚୁଆ ବାବୁ । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବହୁ ସୁନା ଅଳଙ୍କାର, ପାଟ ଶାଢ଼ୀ ଓ ନାମୀ ଦାମୀ ବ୍ରାଣ୍ଡର ହାତ ଘଣ୍ଟା ବି ଅଛି ତାଙ୍କ ସମ୍ପତ୍ତି ତାଲିକାରେ । ଭିଜିଲାନ୍ସ ଅଧିକାରୀ ଏସବୁ ଦେଖି ଜଳକା ହୋଇଯାଇଛନ୍ତି ।

ଆମ୍ବ ତୋଳାରୁ ବିବାଦ : ଭାଉଜର ମୁଣ୍ଡ କାଟିଦେଲା ଦିଅର

ନନ୍ଦିଘୋଷ ବ୍ୟୁରୋ: ଭାଉଜର ମୁଣ୍ଡ କାଟିଦେଲା ଦିଅର । ଆମ୍ଵ ତୋଳା ବିବାଦକୁ ନେଇ ଭାଉଜର ମୁଣ୍ଡ କାଟିଦେଲା ଦିଅର । ଭାଉଜର ମୁଣ୍ଡକୁ କାଟିନେଇ ଅଭିଯୁକ୍ତ ଦିଅରର ଥାନାରେ ଅତ୍ମସମର୍ପଣ । ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗର ଦକ୍ଷୀଣ ଚବିଶ ପ୍ରଗଣା ଜିଲ୍ଲା ବାସନ୍ତୀ ଅଞ୍ଚଳର ଭରତଗଡ଼ ରୋଡରେ । ଅଭିଯୁକ୍ତ ଦିଅର ଭାଉଜର କଟା ମୁଣ୍ଡକୁ ନେଇ ଚାଲି ଚାଲି ଥାନାରେ ପହଞ୍ଚିଥିଲା । ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହା ସହିତ ମୃତଦେହ ଓ କଟା ମୁଣ୍ଡକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଜାରି ରଖିଛି । ମୃତ ମହିଳାଙ୍କ ସ୍ଵାମୀ ୩ ମାସ ଆଗରୁ ମୃତ୍ୟୁ ହୋଇଛି । ସ୍ଵାମୀଙ୍କ ମୃତ୍ୟୁ ପରେ ଘରେ ରହୁଥିବା ଦିଅର ଓ ଭାଉଜଙ୍କ ମଧ୍ୟ ପ୍ରତିଦିନ ଝଗଡ଼ା ଲାଗିରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।