spot_img
Home Blog Page 6843

ଫେସବୁକ୍ ଇନଷ୍ଟାଗ୍ରାମ ଡିଲିଟ କରିବା ପାଇଁ ଯବନାଙ୍କୁ ସେନାର ଆଦେଶ

ନୂଆଦିଲ୍ଲୀ:  ଭାରତୀୟ ସେନାଙ୍କ ଅଧିକୀରୀ ଏବଂ ସୈନିକମାନଙ୍କୁ ଫେସବୁକ୍-ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ, ଅନ୍ୟ ୮୯ ଟି ଆପ୍ ର ଏକ ତାଲିକା ମଧ୍ୟ ପ୍ରକାଶ କରାଯାଇଛି । ଯାହା ମୋବାଇଲରୁ ଅନଇନଷ୍ଟଲ କରିବାକୁ କୁହାଯାଇଛି । ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ମାସ ୧୫ ତାରିଖ ସୁଦ୍ଧା ସମସ୍ତଙ୍କୁ ଏହି ଆପ ଗୁଡିକୁ ଅନଇନଷ୍ଟଲ କରିବାକୁ କୁହାଯାଇଛି । ସେନାର ସମ୍ବେଦନଶୀଳ ତଥ୍ୟ ଲିକ୍ ହେବା ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁମାନଙ୍କ ମୋବାଇଲରେ ଫେସବୁକ୍, ଇନଷ୍ଟାଗ୍ରାମ ସମେତ ଏହି ୮୯ ଟି ଆପ୍ ରହିବ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଜଣେ ସେନା ଅଧିକାରୀଙ୍କ କହିବା ଅନୁସାରେ, ଏହି ଆପ୍ ମାଧ୍ୟମରେ ଚୀନ୍ ଏବଂ ପାକିସ୍ଥାନ ଭାରତୀୟ ଅଧିକାରୀ ଓ ସେନାଙ୍କ ଉପରେ ଅନଲାଇନ୍ ନଜର ରଖୁଥିବା ଘଟଣା ବୃଦ୍ଧି ହେତୁ ଏଭଳି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସରେ ସେନା ନିଜ ଷ୍ଟାଫମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ଯେ ଅଫିସିଆଲ୍ କାର୍ଯ୍ୟ ପାଇଁ ହ୍ୱାଟସ୍ ଆପ୍ ବ୍ୟବହାର କରାଯିବା ଅନୁଚିତ୍ । ଗୁରୁତ୍ୱପୂର୍ଣ୍ଣ ପଦବୀରେ ଉପସ୍ଥିତ ଥିବା ସେନା ଅଧିକାରୀଙ୍କୁ ଫେସବୁକ୍ ଆକାଉଣ୍ଟ ଡିଲିଟ୍ କରିବାକୁ କୁହାଯାଇଥିଲା। ବିଗତ ବର୍ଷଗୁଡିକରେ ଏମିତି ମାମଲା ଆସିଥିଲା ଯେବେ ପାକିସ୍ତାନୀ ଏଜେଣ୍ଟମାନେ ‘ମହିଳା’ ଭାବେ ହନି ଟ୍ରାପ ମାଧ୍ୟମରେ ସୈନିକଙ୍କୁ ଫସାଇ  ଗୁପ୍ତ ତଥ୍ୟ ହାସଲ କରୁଥିଲେ ।

ଆଦେଶ ଅନୁଯାୟୀ, ଗୋପନୀୟ ସୂଚନା ଏବଂ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ନୌସେନା ତା’ର ସମସ୍ତ ସୈନିକଙ୍କୁ ଫେସବୁକ୍ ବ୍ୟବହାର କରିବାକୁ ମନା କରିଛି ।  ଏଥିସହ ନୌସେନା ଘାଟିକୁ ସ୍ମାର୍ଟ ଫୋନ୍ ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ଗତ ଡିସେମ୍ବର ମାସରେ ନୌସେନାରେ ନିଆଯାଇଥିଲା। ଏଯାଏଁ ଭାରତୀୟ ସେନା ନିଜ କର୍ମଚାରୀମାନଙ୍କୁ କିଛି ପ୍ରତିବନ୍ଧକ ସହିତ ଫେସବୁକ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ୟୁନିଫର୍ମରେ ଫଟୋ ପୋଷ୍ଟ ନକରିବାକୁ ଆଦେଶ ଦିଆଯାଇଥିଲା । ଏବଂ ନିଜ ୟୁନିଟ୍ ର ଲୋକେସନ ପ୍ରକାଶ ନକରିବା ପାଇଁ ପ୍ରତିବନ୍ଧକ ଥିଲା । ହେଲେ ଏବେ ସୋସିଆଲ ମିଡିଆ ବ୍ୟବହାର କରିବାକୁ ମନା କରାଯାଇଛି । ରିପୋର୍ଟ ଅନୁସାରେ ଗୋପନୀୟ ତଥା ସମ୍ବେଦନଶୀଳ ସୂଚନା ପୋଷ୍ଟ କରିଥିବାରୁ ସେନାର ଅନେକ ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

kanpur gangster vikas dubey: ସନ୍ନି ଦେୱଲଙ୍କ ଏହି ଫିଲ୍ମ ଦ୍ୱାରା ପ୍ରଭାବିତ ଥିଲା ବିକାଶ ଦୁବେ

ନୂଆଦିଲ୍ଲୀ: କାନପୁର ଗ୍ୟାଙ୍ଗଷ୍ଟର ତଥା ୮ ପୋଲିସଙ୍କ ହତ୍ୟାକାରୀ ବିକାଶ ଦୁବେ ଗୁରୁବାର ଦିନ ମଧ୍ୟପ୍ରଦେଶର ଉଜ୍ଜୈନ ସ୍ଥିତ ମହାକାଳ ମନ୍ଦିରରୁ ଗିରଫ ହୋଇଛି । ପୋଲିସ ହାତରେ ଧରା ପଡିବା ବେଳେ ମଧ୍ୟ ବିକାଶ ମୁହଁରେ ସେଇ ପୁରୁଣା ଦମ୍ଭ ଥିଲା । ମୁଁ କାନପୁର ବାଲା ବିକାଶ ଦୁବେ ବୋଲି ପୋଲିସକୁ ସେ କହୁଥିଲା । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅପରାଧିର ପାପ ମହାକାଳଙ୍କ ଦର୍ଶନ ଦ୍ୱାରା ଧୋଇଯିବନି ବୋଲି କହିଛନ୍ତି । ତେବେ ବିକାଶକୁ ନେଇ ଏବେ ନୂଆ ନୂଆ ତଥ୍ୟ ଆସୁଛି । ନୂଆ ତଥ୍ୟ ଅନୁସାରେ ବିକାଶ ଦୁବେ ବଲିଉଡ୍ ଅଭିନେତା ସନ୍ନି ଦେୱଲଙ୍କ ଜବରଦସ୍ତ ଫ୍ୟାନ୍ ଥିଲା ।ବିକାଶ ସନ୍ନି ଦେଓଲଙ୍କ ଗୋଟିଏ ଫିଲ୍ମ ଦ୍ୱାର ଅଧିକ ପ୍ରଭାବିତ ହୋଇଥିଲା ।  ସେହି ଫିଲ୍ମକୁ ସେ ୧୦୦ ଥରରୁ ଅଧିକ ଦେଖିଥିଲା ।

ସନ୍ନି ଦେଓଲଙ୍କ ଏହି ଫିଲ୍ମକୁ ଶହେ ଥରରୁ ଅଧିକ ଦେଖିଥିଲା ବିକାଶ

ବିକାଶ ସନ୍ନି ଦେୱଲଙ୍କ ଅର୍ଜୁନ ପଣ୍ଡିତ ଫିଲ୍ମ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲା । ୧୯୯୯ ମସିହାରେ ଆସିଥିବା ଫିଲ୍ମ ଅର୍ଜୁନ ପଣ୍ଡିତ ବିକାଶର ସବୁଠୁ ପସନ୍ଦର ଫିଲ୍ମ ଥିଲା । ଏହି ଫିଲ୍ମ ଦ୍ୱାରା ପ୍ରେରିତ ହୋଇ ସେ ବିକାଶ ପଣ୍ଡିତ ବନିଥିଲା । ଖାଲି ଏତିକି ନୁହେଁ ରାଜନୈତିକ ଦଳ ଓ  ପୋଲିସ ବିଭାଗରେ ସେ ‘ବିକାଶ ପଣ୍ଡିତ୍’ ଭାବେ ପରିଚିତ ଥିଲା ।

arjun

ବିକାଶ ସମ୍ବନ୍ଧରେ ଏଭଳି ସୂଚନା ଜଣେ ସ୍ଥାନୀୟ ସାମ୍ବାଦିକ ନାମ ଗୋପନ ରଖିବା ସର୍ତ୍ତରେ ଦେଇଛନ୍ତି । ସାମ୍ବାଦିକଙ୍କ ଅନୁସାରେ ବିକାଶକୁ କେହି ଯଦି ବିକାଶ ପଣ୍ଡିତ କହି ଡାକୁଥିଲା ତେବେ ସେ ବହୁତ ଖୁସୀ ହେଉଥିଲା ।  ସନ୍ନି ଦେୱଲଙ୍କ ଫିଲ୍ମରେ ଅର୍ଜୁନ(ସନ୍ନି) ଜଣେ ଘଟଣାକ୍ରମରେ ଅପରାଧ ଦୁନିଆରେ ପ୍ରବେଶ କରିଥାଏ । ଅପରାଧ ଦୁନିଆରେ ଅର୍ଜୁନ ପଣ୍ଡିତ ବଡ ନାମ ଭାବେ ଉଭା ହୁଏ ।

ବିକାଶ ଉପରେ ଏହି ଫିଲ୍ମର ପ୍ରଭାବ ଏମିତି ଥିଲା ଯେ, ସେ ସେହି ଫିଲ୍ମକୁ ଅନେକ ଥର ଦେଖିଥିଲା । ଏପରିକି ସେ ନିଜ ଶିକାରଙ୍କ ସାମ୍ନାରେ ପଣ୍ଡିତ ଭାବେ ପରିଚିତ ହେବାକୁ ଭଲ ପାଉଥିଲା । ଜୁନ୍ ୩ ତାରିଖ ଦିନ ବିକାଶ କାନପୁରର ବିକାରୁ ଗାଁରେ ୮ ଜଣ ପୋଲିସଙ୍କୁ ହତ୍ୟା କରିଥିଲା । ଏହି ମାମଲାରେ ତାକୁ ସୂଚନା ଦେଇଥିବା ଅଭିଯୋଗରେ ଦୁଇ ଜଣ ପୋଲିସ ଅଧିକାରୀ ଗିରଫ ମଧ୍ୟ ହୋଇଛନ୍ତି ।

bikash arrest

ଫୁଲ ଦୋକାନୀ ବିକାଶକୁ ଚିହ୍ନି ପାରିଲେ

ମହାକାଳ ମନ୍ଦିର ଆଗରେ ଗୁରୁବାର ଦିନ ଟହଲ ମାରୁଥିବା ବେଳେ ବିକାଶକୁ ଜଣେ ଫୁଲ ଦୋକାନୀ ଚିହ୍ନି ପାରିଥିଲେ । ବିକାଶକୁ ଚିହ୍ନିବା ପରେ ସେଠାରେ ଥିବା ପୋଲିସକୁ ସେ ସୂଚନା ଦେଇଥିଲେ । ବିକାଶକୁ ପୋଲିସ ଧରିବା ବେଳେ ସେ ପୋଲିସ ସହ ଧସ୍ତାଧସ୍ତି କରିଥିଲା ।

ବିକାଶର ସ୍ତ୍ରୀ ମୋବାଇଲରେ ଦେଖୁଥିଲା ଏନକାଉଣ୍ଟର ଲାଇଭ୍

ବିକାରୁ ଗାଁରେ ହୋଇଥିବା ଏନକାଉଣ୍ଟରର ଲାଇଭ୍ ବିକାଶର ସ୍ତ୍ରୀ ମୋବାଇଲରେ ଦେଖୁଥିଲା । କାରଣ ଗାଁରେ ଲାଗିଥିବା ସିସିଟିଭି ତା’ ମୋବାଇଲ ସହ ଯୋଡି ହୋଇଥିଲା । ମୋବାଇଲରୁ ପୋଲିସର ଉପସ୍ଥିତି ଦେଖି ବିକାଶକୁ ତା’ ପତ୍ନୀ ଗୁଳି ଚଳାଇବାକୁ ସୂଚନା ଦେଉଥିଲା । ବିକାଶର ପତ୍ନୀ ଏବେ ପୋଲିସ ହେପାଜତରେ ଅଛି ।

ସ୍କୁଲ ଖୋଲିବା ପରେ ସିଲାବସ ନେଇ ନିଆଯିବ ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା କାରଣରୁ ସ୍କୁଲ କଲେଜ ସବୁ ବନ୍ଦ । ଦିନ ବଢିବା ସହ ଅଣଆୟତ ହେଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ କେମିତି ପାଠ ପଢିବେ ପିଲା କେବେ ଖୋଲିବ ସ୍କୁଲ ଏନେଇ ସୃଷ୍ଟି ହୋଇଛି ପ୍ରଶ୍ନ । ଏନେଇ ପିଲାଙ୍କ ପାଠ ପଢାନେଇ ଅଭିଭାବକଙ୍କ ଚିନ୍ତା ବିଢିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ମତାମତ ରଖିଛନ୍ତି ।

କେବେ ଖୋଲିବ ସ୍କୁଲ, କଣ ରହିବ ସିଲାବସ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  । CBSE ଯାହା ନିଷ୍ପତ୍ତି ନେଇଛି, ତା’ ଉପରେ ବିଚାର କରାଯିବ । ଅଗଷ୍ଟ ମାସର ସ୍ଥିତିକୁ ଦେଖି ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ୍ ଖୋଲିବା ଦିନକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ।

ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଖାଲି ୩୦ ପ୍ରତିଶତ ନୁହେଁ, ସିଲାବସ୍‌ରେ ଅଧିକ ହ୍ରାସ ହୋଇପାରେ। ଯେହେତୁ ସ୍କୁଲ୍ ଖୋଲିନି, ତେଣୁ ଏ ବାବଦରେ ଏବେଠୁ କହିବା ଠିକ୍ ହେବନି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେପଟେ ଶିକ୍ଷାବିତ କହିଛନ୍ତି, CBSE ଭଳି ରାଜ୍ୟ ସରକାର ବି କୋର୍ସ କମାନ୍ତୁ। ଏହାଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ। ରାଜ୍ୟ ସ୍କୁଲ୍ ଶିକ୍ଷକ ସଂଘ, ଓଷ୍ଟା ମଧ୍ୟ ଏହା ସପକ୍ଷରେ ମତ ରଖିଛି  ।

(ଭୁବନେଶ୍ୱରରୁ ପ୍ରିୟପ୍ରିତମ ମହାନ୍ତି)

ସୁଶାନ୍ତ ସିଂ ରାଜପୁତ ମାମଲା: ସନ୍ଦୀପ ସିଂ ଓ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ପ୍ରଶ୍ନ ଉଠାଇଲେ ଏହି ଅଭିନେତା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବାବଦରେ ପୋଲିସ ଏଯାଏଁ ୩୦ ରୁ ଅଧିକ ଲୋକଙ୍କୁ ପଚରାଉଚରା କରିସାରିଛି। କିନ୍ତୁ ସୁଶାନ୍ତଙ୍କ ଏଭଳି ପଦକ୍ଷେପର କାରଣ ଜଣା ପଡି ନାହିଁ। ଏହି କାରଣରୁ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ କିଛି ବଲିଉଡ ଏବଂ ଟିଭି ତାରକା ଏହି ମାମଲାର ସମାଧାନ ପାଇଁ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଶେଖର ସୁମନ, କଙ୍ଗନା ରାନାୱତ, ରୂପା ଗାଙ୍ଗୁଲି ଏବଂ ରତନ ରାଜପୁତଙ୍କ ଭଳି ତାରକାଙ୍କ ପରେ ଏବେ ଟିଭି ଅଭିନେତା ତରୁଣ ଖନ୍ନା ମଧ୍ୟ ଅଭିନେତାଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଚାହୁଁଛନ୍ତି । ନିକଟରେ ତରୁଣ ଏକ ଭିଡିଓ ପୋଷ୍ଟ କରି ସୁଶାନ୍ତଙ୍କ ସାଙ୍ଗମାନଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ, ଯେଉଁମାନେ ତାଙ୍କ ସହିତ ଅତି ନିକଟତର ଥିଲେ।

“କୌସଟି ଜିନ୍ଦେଗୀ କି”, “ ଆରମ୍ଭ” ଭଳି ଟିଭି ଶୋ’ରେ ଅଭିନୟ କରିଥିବା ତରୁଣ ଖନ୍ନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସିବିଆଇ ତଦନ୍ତ ଦାବି ନକରିବା ନେଇ ବଲିଉଡ ସେଲିବ୍ରିଟିଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଏହା ସହିତ ସେ ସନ୍ଦୀପ ସିଂ ଏବଂ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ। ଏହି ଭିଡିଓରେ ତରୁଣ ଖନ୍ନା କହିଛନ୍ତି ଯେ, ସେ ଟେଲିଭିଜନର ଜଣେ ଛୋଟ ଅଭିନେତା ଏବଂ ବହୁ ବର୍ଷ ଧରି ସେ ଛୋଟ ପରଦାରେ କାମ କରିଆସୁଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସେ ଚୁପ୍ ରହିପାରୁନାହାନ୍ତି । ସେ କହିଛନ୍ତି ଯେ, ସୁଶାନ୍ତ ଡିପ୍ରେସନରେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି । ହେଲେ ସେ ଜାଣିବାକୁ ଚାହୁଛନ୍ତି ଡିପ୍ରେସନର କାରଣ କ’ଣ ଥିଲା? ସୁଶାନ୍ତ ଏକ ସୁପରହିଟ୍ ସିରିଏଲ୍ ରେ କାମ କରିଥିଲେ ଯାହାକି ବହୁ ବର୍ଷ ଧରି ଭାରତର ଟେଲିଭିଜନରେ ଏକ ନମ୍ବର ଥିଲା ।

ସେ ‘କାୟ ପୋ ଛେ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଦୁଃଖିତ ଉଦାସ ଥିଲେ କି ନା ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକରେ କାମ କରି ସେଠାରେ ଖୁସି ନଥିଲେ? ନା ତାଙ୍କର ଶେଷ ଚଳଚ୍ଚିତ୍ର ‘ଛିଚୋରେ’ ୧୫୦ କୋଟି ଟଙ୍କାର ରେକର୍ଡ କରିଛି, ସେ ନେଇ ସେ ଦୁଃଖିତ ଥିଲେ? ମୁକେଶ ଛାବ୍ରା ମୁମ୍ବାଇର ସବୁଠାରୁ ବଡ କାଷ୍ଟିଂ ନିର୍ଦ୍ଦେଶକଙ୍କ ମଧ୍ୟରୁ ଅନ୍ୟତମ।

ଯେତେବେଳେ ସେ ଏକ ଚଳଚ୍ଚିତ୍ର ନିର୍ମାଣ କରନ୍ତି, ସେତେବେଳେ ସେ ସୁଶାନ୍ତଙ୍କୁ ନିଜ ଫିଲ୍ମରେ ହିରୋ ଭାବେ କାଷ୍ଟ କରନ୍ତି । ମୁକେଶ ଛାବ୍ରା ହୁମା କ୍ୟୁରେଶି, ନୱାଜୁଦ୍ଦିନ ସିଦ୍ଦିକି, ସୁଶାନ୍ତ ସିଂ ରାଜପୁତ, ଅମିତ ସାଧ, ରାଜକୁମାର ରାଓଙ୍କ ବ୍ୟତୀତ ଅନେକ ବଡ କଳାକାରଙ୍କୁ ଲାଇମଲାଇଟରେ ଆଣିବାରେ ସାହାଯ୍ୟ କରିଛନ୍ତି ମୁକେଶ । ଯେଉଁ ବ୍ୟକ୍ତି ଜୀବନରେ କୌଣସି ଅସୁବିଧା ନଥିଲା, ସେ ଆତ୍ମହତ୍ୟା କାହିଁକି କରିବ ?

ସୁଶାନ୍ତଙ୍କ ବ୍ୟାଙ୍କ ଡିଟେଲ୍ସ ମଧ୍ୟ ଦର୍ଶାଇଛନ୍ତି ତରୁଣ । ସେ କୋଟି କୋଟି ଟଙ୍କା ଦାନ କରୁଥିଲେ । ସୁଶାନ୍ତଙ୍କ ପାଖେ ଅର୍ଥର ଅଭାବ ନଥିଲା। ସୁଶାନ୍ତ ଛୋଟ ପରଦାର କଳାକାରଙ୍କ ପାଇଁ ଆଶାର କିରଣ ଥିଲେ । ସୁଶାନ୍ତଙ୍କ ଭଳି ସେମାନେ ସମସ୍ତେ କାମ କରିବାକୁ ଚାହୁଁଥିଲେ । ସେମାନଙ୍କ ପାଇଁ ସୁଶାନ୍ତ କୌଣସି ହିରୋଠୁ କମ ନଥିଲେ । ଏବେ ତାଙ୍କ ହିରୋକୁ ମାରିଦିଆଯାଇଛି ।

ସେମାନଙ୍କୁ ସୁଶାନ୍ତଙ୍କ ମୃତ୍ୟୁର କାରଣ ଜାଣିବାର ଅଧିକାର ଅଛି । ସେ ସୁଶାନ୍ତଙ୍କୁ ଦୁଇ ତିନିଥର ଜିମରେ ଭେଟିଥିଲେ । ଯଦିଓ ସେ ସୁଶାନ୍ତଙ୍କୁ ଅତି ନିକଟରୁ ଜାଣି ନଥିଲେ ହେଲେ ସେ ତାଙ୍କୁ ବହୁତ ପସନ୍ଦ କରୁଥିଲେ । ସୁଶାନ୍ତଙ୍କ ବନ୍ଧୁ ସନ୍ଦୀପ ସିଂ ଏକ ସାକ୍ଷାତକାରରେ ଅନେକ କଥା କହିଛନ୍ତି । ସେ ସମସ୍ତଙ୍କୁ ଏକ କ୍ଲିନ୍ ଚିଟ୍ ଦେଇଥିଲେ ।

ତରୁଣ ଖାନ୍ନା କହିଛନ୍ତି ଯେ, କେହି ସୁଶାନ୍ତଙ୍କ ସତ୍ୟତାକୁ ନେଇ କଥା ହେବାକୁ ଚାହୁଁନାହାନ୍ତି । କିନ୍ତୁ ଯେତେବେଳେ ତାଙ୍କ ଘରେ ବସୁଥିଲେ ଏବଂ ତାଙ୍କ ଟଙ୍କା ରେ ଖାଉଥିଲେ ସେତେବେଳେ ସେ ତାଙ୍କର ସମର୍ଥକ ଥିଲେ । ଆଜି ସେ ଆମ ଗହଣରେ ନାହାନ୍ତି । ସେ ସମସ୍ତଙ୍କୁ ସନ୍ଦୀପ ସିଂଙ୍କ ସାକ୍ଷାତକାରକୁ ଦେଖିବାକୁ କହିଥିଲେ । ସୁଶାନ୍ତଙ୍କୁ ତିଆରି କରିବାରେ ଯେମିତି ସନ୍ଦୀପଙ୍କ ହାତ ରହିଛି ସେହିଭଳି ସେ କଥାବାର୍ତ୍ତା କରିଛନ୍ତି । ଏହା ସହ ତରୁଣ କହିଛନ୍ତି ଯେ, ଆରେ ଭାଇ ତୁମେ କିଏ?

https://www.instagram.com/tv/CCT2wwqpXdB/?utm_source=ig_embed

ଏହା ସହ ସେ ବଡ ବଡ ଷ୍ଟାରମାନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଶାହରୁଖ ଖାନ, ସଲମାନ ଖାନ୍, ରଣବୀର ସିଂହ, ରଣବୀର କପୁର, ଏମାନେ ସବୁ କଣ ପାଇଁ ଚୁପ ଅଛନ୍ତି ବୋଲି କହିଛନ୍ତି ତରୁଣ । ଏମାନେ ମଧ୍ୟ ସିବିଆଇ ଯାଞ୍ଚର ଦାବି କରିପାରିବେ ହେଲେ ସମସ୍ତେ ଚୁପ୍ ଅଛନ୍ତି । ସୁଶାନ୍ତଙ୍କର ଇଣ୍ଡଷ୍ଟ୍ରିରେ କୌଣସି ଗଡଫାଦର ନଥିଲେ କିମ୍ବା ସେ କୌଣସି ବଡ ନିର୍ଦ୍ଦେଶକ ବା ପ୍ରଯୋଜକଙ୍କ ପୁଅ ଥିଲେ । ସେଥିପାଇଁ ତାଙ୍କ ବିଷୟରେ କେହି ଇଣ୍ଡଷ୍ଟ୍ରିରେ କଥା ହେଉନାହାନ୍ତି । ଏହା ସହ ଭିଡିଓରେ ତରୁଣ ଶେଖର ସୁମନ୍ ଓ ଶେଖର କପୁରଙ୍କୁ ରିୟଲ ହିରୋ ବୋଲି କହିଛନ୍ତି । କାରଣ ଏମାନେ ସୁଶାନ୍ତଙ୍କ ମୃତ୍ୟୁ ପରେ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି ।

ଦେଶରେ ଗତ ୨୪ଘଣ୍ଟାରେ ୨୫ହଜାର ନୂଆ ମାମଲା ବଢାଇଲା ଚିନ୍ତା !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗୁଛି । ଆଜି ପ୍ରଥମ ଥର ପାଇଁ ୨୪ଘଣ୍ଟାରେ ୨୫ ହଜାର ପାଖାପାଖି କରୋନା ମାମଲା ସାମ୍ନାକୁ ଆସିଛି । ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ୭ଲକ୍ଷ ପାଖରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୨୪ହଜାର ୮୭୯ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୮୭ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ପଜିଟିଭ୍ ସଂଖ୍ୟା ୭ଲକ୍ଷ ୬୭ହଜାର ୨୯୬କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୨ଲକ୍ଷ ୬୯ହଜାର ୭୮୯ ।

ଏହାସହ ଦେଶରେ ୪ଲକ୍ଷ ୭୬ହଜାର ୩୭୮ଜଣ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୧ହଜାର ୧୨୯ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ୨ଲକ୍ଷ ୨୩ହଜାର ୭୨୪ ସଂକ୍ରମିତ ହୋଇଥିବା ବେଳେ ୯ହଜାର ୪୪୮ଜଣ ପ୍ରାଣ ହରାଇଛନ୍ତି । ତାମିଲନାଡୁରେ ଲକ୍ଷେ ୨୨ହଜାର ୩୫୦ ସଂକ୍ରମିତ ହୋଇଥିବା ବେଳେ ୧୭ଶହ ଜଣଙ୍କ ମୃତ୍ୟୁ ହୋଇଛି  । ଦିଲ୍ଲୀରେ ଲକ୍ଷେ ୪୮ଶହ ୬୪ସଂକ୍ରମିତ ହୋଇଥିବା ବେଳେ ୩୨ଶହ ୧୩ଜଣ ପ୍ରାଣ ହରାଇଛନ୍ତି ।

ବିଶ୍ୱର ତୃତୀୟ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ହେଉଛି ଭାରତ

କରୋନା ସଂକ୍ରମିତଙ୍କ ହିସାବରେ ଭାରତ ହେଉଛି ବିଶ୍ୱର ୩ୟ ସବୁଠୁ ବେଶୀ ପ୍ରଭାବିତ ଦେଶ । ଆମେରିକା ବ୍ରାଜିଲ ପରେ କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଦେଶ ହେଉଛି ଭାରତ । ଯଦି ଆମେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ମାମଲା ଏବଂ ମୃତ୍ୟୁ ସଂଖ୍ୟାର ହିସାବ କରିବା ତେବେ ଭାରତର ସ୍ଥିତି ବହିତ ଭଲ ଅଛି । ଭାରତରୁ ଅଧିକ ମାମଲା ଆମେରିକା ଏବଂ ବ୍ରାଜିଲରେ ରହିଛି ।

ପାରିବାରିକ ଅଶାନ୍ତି ନା ଟଙ୍କା ? ଆଦିତ୍ୟଙ୍କ ମୃତ୍ୟୁ ପଛର କାରଣ କ’ଣ ?

ଭୁବନେଶ୍ୱର: ପିପୁଲ ଫର ସେବା ତରଫରୁ ରେଳବାଇ ଥାନାରେ ସମାଜସେବୀ ଆଦିତ୍ୟ ଦାଶଙ୍କୁ ହତ୍ୟା କରାଯାଇଛି ବୋଲି ଏତଲା ଦାଏର କରାଯାଇଛି । ସଂଗଠନର ସଭାପତି ପ୍ରୀତମ ମିଶ୍ର ଏତଲା ଦାଏର କରିଛନ୍ତି । ଏହାରି ଭିତରେ ଆସିଛି ଆଦିତ୍ୟ ଦାଶଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଆଦିତ୍ୟଙ୍କ ମୃତ୍ୟୁ ମୁଣ୍ଡରେ ଶକ୍ତ ଆଘାତ କାରଣରୁ ହୋଇଛି ବୋଲି କୁହାଯାଇଛି ।

ଆଦିତ୍ୟଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସମାଜ ସେବା କରୁଥିବା ପିପୁଲ ଫର ସେବାର କର୍ମକର୍ତ୍ତା ତାଙ୍କୁ ହତ୍ୟା କରାଯାଇଛି ବୋଲି କହୁଛନ୍ତି । ଏହା ସହ ଯଦି ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ତେବେ ଏଥିପାଇଁ ତାଙ୍କ ଉପରେ ଯିଏ ଚାପ ପକାଇଛି ତାକୁ ଖୋଜି ବାହାର କରାଯାଉ ବୋଲି ସେବାର କର୍ମକର୍ତ୍ତା କହୁଛନ୍ତି ।

ପିପୁଲ ଫର ସେବାର କର୍ମକର୍ତ୍ତାଙ୍କ କହିବାକୁ ଯଦି ବିଶ୍ୱାସ କରାଯାଏ ତେବେ ପ୍ରଥମ ପ୍ରଶ୍ନ ଆଦିତ୍ୟଙ୍କ ପାରିବାରିକ ସମସ୍ୟାକୁ ନେଇ ଉଠୁଛି । ବାହାଘର ପରେ ଆଦିତ୍ୟଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା ବୋଲି ସେମାନେ ଦାବି କରୁଛନ୍ତି ।

aditya

ବାହା ହୋଇ ଭୂଲା କରିଛି !

ଆଦିତ୍ୟଙ୍କ ବନ୍ଧୁ ବିକାଶଙ୍କ ଦାବି ହେଉଛି ଯେ, ବାହାଘର ପରଠାରୁ ସେ ମାନସିକ ଚାପରେ ଥିଲେ । ଆଶ୍ରମକୁ ବେସି ଆସୁନଥିଲେ କିମ୍ବା ସାମାଜିକ କାମରେ ଅଧିକ ସମୟ ବ୍ୟୟ କରୁନଥିଲେ । ନନ୍ଦିଘୋଷ ଟିଭିକୁ ଜିଆରପି ଥାନା ପରିସରରେ ଦେଇଥିବା ସାକ୍ଷାତକାରରେ ବିକାଶ ପୁଣିଥରେ ନିଜ କଥାକୁ ଦୋହରାଇଛନ୍ତି । ବିକାଶ କହିଛନ୍ତି, ଆଦିତ୍ୟ ତାଙ୍କୁ ବାହା ହୋଇ ଭୁଲ କରିଛି ବୋଲି କହିଥିଲେ । ବାହା ହେଲା ପରେ କ୍ଷମତା ଜଣକ ହାତରୁ ଆଉ ଜଣକ ହାତକୁ ଚାଲିଯାଏ ବୋଲି ଆଦିତ୍ୟ କୁଆଡେ ବିକାଶଙ୍କୁ କହିଥିଲେ । ବିକାଶଙ୍କ କହିବା ହେଲା,ଆଦିତ୍ୟ ବାହାଘରରେ ସନ୍ତୁଷ୍ଟ ନଥିଲେ । ଯଦି ପାରିବାରିକ ଅଶାନ୍ତି ଯୋଗୁ ସେ ଆତ୍ମହତ୍ୟା କରିଛନ୍ତି ତେବେ ତା’ର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁ ପପୁ ମଧ୍ୟ ସମାନ କଥା ଦୋହରାଇଛନ୍ତି । ସେ କହିଛନ୍ତି ଯେ, ଆଦିତ୍ୟଙ୍କ ପାଇଁ ଟଙ୍କା ପଇସା ବଡ କଥା ନଥିଲା । ଟଙ୍କାକୁ ନେଇ ସେ ମାନସିକ ଚାପରେ ନଥିଲେ । ଅର୍ଥ ପାଇଁ ଆଦିତ୍ୟ ଆତ୍ମହତ୍ୟା କରିଥିବା କଥାକୁ ବିକାଶ ମଧ୍ୟ ମାନିବାକୁ ପ୍ରସ୍ତୁତ ନାହାନ୍ତି । ଆଦିତ୍ୟ ଚାକିରି କରୁଥିଲେ ଓ ୟୁଟ୍ୟୁବରୁ ମାସିକ କିଛି ଅର୍ଥ ରୋଜଗାର କରୁଥିଲେ ବୋଲି ବିକାଶ କହିଛନ୍ତି ।

ବିକାଶ ପପୁ,କିଏ ?

ବୁଧବାର ଦିନ ଆଦିତ୍ୟଙ୍କର ତଥାକଥିତ ଡାଏରୀରେ ମଧ୍ୟ ପପୁ ଓ ବିକାଶଙ୍କ କଥା ଉଲ୍ଲେଖ ଥିଲା । ଯେଉଁଥିରେ ଆଦିତ୍ୟ ଲେଖିଛନ୍ତି ଯେ, ପପୁ  ୫୦ ହଜାର ଟଙ୍କା ଓ ବିକାଶ ୭୦ ହଜାର ଟଙ୍କା ନେଇଛନ୍ତି । ଏହା ସହ ସେ ପପୁଙ୍କୁ ଚେୟାରମ୍ୟାନ୍ ଓ ବିକାଶଙ୍କୁ ଟ୍ରେଜରର କରିବାକୁ ଡାଏରୀରେ ଲେଖିଥିଲେ ।

(ଭୁବନେଶ୍ୱରରୁ ଶକ୍ତିଧର ରାଜଗୁରୁଙ୍କ ରିପୋର୍ଟ)

 

ଧରା ପଡିବା ପରେ ବି ସେଇ ପୁରୁଣା ଦମ୍ଭ, ପୋଲିସକୁ ଦେଲା ଧମକ

ଉଜ୍ଜୈନ: କାନପୁର ସୁଟଆଉଟ୍ ମୁଖ୍ୟ  ଅଭିଯୁକ୍ତ ମଧ୍ୟପ୍ରଦେଶର ଉଜ୍ଜୈନସ୍ଥିତ ମହାକାଳେଶ୍ୱର ମନ୍ଦିରରୁ ବନ୍ଧା ହୋଇଛି । ତଥାପି ତା’ର ପୁରୁଣା ଦମ୍ଭ ଯାଇନି । ପୋଲିସ ହେପାଜତରେ ଥାଇ ସେ ପୋଲିସକୁ ଦେଇଛି । ଧମକ । ଗୁରୁବାର ଦିନ ବିକାଶ ଧରା ପଡିବା ପରେ ତାକୁ ପୋଲିସ ଭ୍ୟାନକୁ ନେଇ ଯାଉଥିବା ପୋଲିସ କର୍ମଚାରୀଙ୍କୁ ସେ ଧମକ ଦେଇଥିଲା । ଚିଲେଇକରି କହିଥିଲା ‘ମୁଁ ବିକାଶ ଦୁବେ,କାନପୁରବାଲା’ ।

ପୋଲିସକୁ ଏମିତି ଦେଲା ଧମକ

ବିକାଶ କାଳେ ଫେରାର ହୋଇଯିବ ସେଇ ଡରରେ ଦୁଇ ତିନିଜଣ ପୋଲିସ ଅଧିକାରୀ ତାକୁ ଧରିଥିଲେ । କିନ୍ତୁ ବିକାଶର ଚେହେରାରେ ଡରର ଚିହ୍ନ ନଥିଲା । ସେ ଗଡଜିତିଲା ଭଳି ଚାଲୁଥିଲା । ପୋଲିସ ଭ୍ୟାନ୍ ପାଖରେ ପହଂଚିବା ପରେ ତାକୁ ଗାଡିରେ ବସାଇବାକୁ ଚେଷ୍ଟା କରୁଥିବା ପୋଲିସ ଅଧିକାରୀଙ୍କୁ ସେ ଧମକ ଦେଇ କହିଥିଲା ଯେ, ମୁଁ କାନପୁର ବାଲା ବିକାଶ ଦୁବେ । କିନ୍ତୁ ପୋଲିସ ତା’ଧମକରେ ଡରିନଥିଲା । ତା’ ପଛରେ ଥିବା ଜଣେ ପୋଲିସ ଅଧିକାରୀ ବିକାଶକୁ ପଛପଟୁ ଭଲକରି ଚାପୁଡାଟାଏ ମାରିଥିଲେ । ଚାପୁଡା ଖାଇବା ପରେ ବିକାଶ ଦୁବେ ଚୁପ୍ ହୋଇଥିଲା ।

bikash dubey

ମୁହଁରେ ନଥିଲା ଡର

ପୋଲିସ ଅଧିକାରୀଙ୍କଠାରୁ ଚାପୁଡା ଖାଇ ବିକାଶ ଚୁପ୍ ହୋଇଥିଲା ସତ କିନ୍ତୁ ତା’ ସାମ୍ନାରେ ଛିଡା ହୋଇଥିବା ଜଣେ ଅଧିକାରୀଙ୍କୁ ସେ ଆଖି ଲାଲ କରି ଅନେଇ ଥିଲା । ବିକାଶକୁ ଦେଖି ଲାଗୁନଥିଲା ଯେ,ତା’ ମନରେ ଆଇନକୁ ନେଇ କୌଣସି ଡର ଅଛି ।

bikash arrest

ଏମିତି ଧରାପଡିଲା ବିକାଶ

କାନପୁରରେ ୮ ପୋଲିସ ଅଧିକାରୀଙ୍କ ଲାସ ବିଛେଇଥିବା ବିକାଶ ଗୁରୁବାର ଦିନ ଉଜ୍ଜୈନର ମହାକାଳ ମନ୍ଦିରରୁ ଧରାପଡିଥିଲା । ସକାଳେ ବିକାଶ ମହାକାଳ ମନ୍ଦିରରେ ପହଂଚିବା ପରେ ମୁଁ କାନପୁର ବାଲା ବିକାଶ ଦୁବେ ବୋଲି ଚିଲ୍ଲାଇ ଥିଲା । ଏହାପରେ ପୋଲିସ ପହଂଚି ତାକୁ ଗିରଫ କରିଥିଲା । ନିକଟରେ ଦିଲ୍ଲୀରୁ ବିକାଶ ଅଳ୍ପକେ ଖସି ଯାଇଥିଲା ।

ବିକାଶ ଗୋଟିଏ ଅଟୋରେ ବସି ଯାଉଥିବା ଭିଡିଓ ସାମ୍ନାକୁ ଆସିଥିଲା । ବିକାଶର ପ୍ଲାନ୍ ଉତ୍ତର ପ୍ରଦେଶ ପୋଲିସ ହାତରେ ନପଡି ଆତ୍ମସମର୍ପଣର ଥିଲା । ଏନକାଉଣ୍ଟର ଭୟରେ ସେ ମଧ୍ୟପ୍ରଦେଶ ଆସି ଜାଣିଶୁଣି ପୋଲିସକୁ ଧରା ଦେଇଛି । ତେବେ ଏବେ ସବୁଠୁ ବଡ ପ୍ରଶ୍ନ ହେଉଛି ଉତ୍ତର ପ୍ରଦେଶରୁ ମଧ୍ୟପ୍ରଦେଶ ଆସିବାରେ ତାକୁ କିଏ ସାହାଯ୍ୟ କରିଥିଲା ।

ବିକାଶକୁ ମହାକାଳ ମନ୍ଦିରରୁ ଗିରଫ କଲା ପୋଲିସ୍

ମାଆଙ୍କ କବିତା ତାଙ୍କୁ ଆଗକୁ ଯିବାକୁ ପ୍ରୋତ୍ସାହନ ଦେଇଥିଲା, ଜାଣନ୍ତୁ କଣ ଥିଲା ସେହି କବିତା ଯାହା ପାଇଁ ସେ…

ମୁମ୍ବାଇ: ବରିଷ୍ଠ ଅଭିନେତା ଜଗଦୀପ ଆଉ ଆମ ଗହଣରେ ନାହାଁନ୍ତି । ଜଗଦୀପଙ୍କ ବୁଧବାର ରାତିରେ ନିଜ ବାସଭବନରେ ନିଧନ ହୋଇଛି । ସେ ୮୧ବର୍ଷ ବୟସରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜଗଦୀପ ତାଙ୍କ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ କିନ୍ତୁ କେବେ ହାର ମାନିନଥିଲେ, ସେ ତାଙ୍କ ଜୀବନ ଚଲାପଥରେ ଆଗକୁ ବଢିବାରେ ଲାଗିଲେ । ଏକ ସାକ୍ଷାତକାରରେ, ସେ ତାଙ୍କ ମାଆଙ୍କ ଦ୍ୱାରା କୁହାଯାଇଥିବା କବିତା ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ସେହି କବିତା ତାଙ୍କୁ କେବେ ହରାଇବାକୁ ଦେଇ ନାହିଁ ।

ମାଆଙ୍କ କବିତା ସାହାରାରେ ଜୀବନରେ କେବେ ହାରି ନଥିଲେ ସେ 

ଜଗଦୀପ କହିଥିଲେ – ମୁଁ ଜୀବନରୁ ବହୁତ କିଛି ଶିଖିଛି। ମୋ ମା ମୋତେ ବୁଝାଇ ଥିଲେ। ଥରେ ବମ୍ବେରେ ବହୁତ ଭୟଙ୍କର ଝଡ଼ ହୋଇଥିଲା । ସବୁକିଛି ଭାଙ୍ଗି ଚୁରମାର ହୋଇଯାଇଥିଲା । ଆମକୁ ଅନ୍ଧେରିରୁ ଯିବାର ଥିଲା । ଆମେ ସେହି ଝଡ଼ରେ ଚାଲି ଚାଲି ଯାଉଥିଲୁ । ଏକ ଟିଣ ପାତ୍ର ଖସି ମା’ଙ୍କ ଗୋଡରେ ବାଜିଥିଲା ଏବଂ ମାଆ ଆହତ ହୋଇଥିଲେ ।

‘ସେଠାରେ ମାଆଙ୍କ ଗୋଡରୁ ବହୁତ ଜୋରରେ ରକ୍ତ ବାହାରିଥିଲା । ଏହା ଦେଖି ମୁଁ କାନ୍ଦିବାକୁ ଲାଗିଲି । ତେଣୁ ମୋ ମା ସଙ୍ଗେ ସଙ୍ଗେ ତାଙ୍କର ଶାଢି ଚିରି ବାନ୍ଧି ଦେଇଥିଲେ । ସେପର୍ଯ୍ୟନ୍ତ ଝଡ଼ ତାର ଭୟଙ୍କର ରୂପ ଦେଖାଇ ଚାଲିଥିଲା । ସେତେବେଳେ ମୁଁ ମାଆଙ୍କୁ କହିଲି ଏଠାରେ ରହିଯିବା ଏଭଳି ପରିସ୍ଥିତିରେ ଆମେ ଆଗକୁ ଯିବା ନାହିଁ । ତେଣୁ ସେ ଏକ କବିତା ପଢିଥିଲେ । ସେ କହିଥିଲେ- ‘ ସେ ଲକ୍ଷସ୍ଥଳ କ’ଣ ଯାହା ସହଜରେ ମିଳିଯାଏ ଆଉ ସେ ରାସ୍ତା କ’ଣ ଯେଉଁଠି ଥକି ଯାଇ ବସି ପଡ଼ିବା ?’ ପୂରା ଜୀବନ ମୁଁ ଏହା ଭାବି ଆଗେଇ ଚାଲିଲି ଯେ, ନିଜର ପ୍ରତ୍ୟେକ ପଦକ୍ଷେପକୁ ଏକ ଗନ୍ତବ୍ୟସ୍ଥଳ ଭାବରେ ବିବେଚନା କରାଯିବା ଉଚିତ୍ । ଆଉ ଜଦି ତୁମେ ଏଭଳି ପରିସ୍ଥିତିରେ ଡେଇଁବା ପଡ଼ିବ ତେବେ ତୁମେ ପଡ଼ିବ ନିଶ୍ଚୟ । ଆପଣଙ୍କୁ କହିରଖୁଛୁ ଯେ, ଜଗଦୀପ ସବୁ ବେଳେ ଜଣେ ବରିଷ୍ଠ ହାସ୍ୟ ଅଭିନେତା ଭାବେ ବେସ୍ ପରିଚିତ । ସମୟ ଥିଲା ଯେତେବେଳେ ସେ ଲୋକପ୍ରିୟତାର ଶିଖରରେ ପହଞ୍ଚି ଥିଲେ ।

ରାଜ୍ୟରେ କରୋନାରେ ଆଉ ୪ ମୃତ, ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି

ଭୁବନେଶ୍ୱର: କରୋନାରେ ଆଜି ଆଉ ୪ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୪ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଓ ଜଣେ ଭଦ୍ରକର ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ଗଞ୍ଜାମରେ ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୦ ପିଜିଟଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ଗଞ୍ଜାମର ୬୫ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣଙ୍କ କୋଭିଡ୍ ଆକ୍ରାନ୍ତ ହେବା ସହ ମଧୁମେହ ଓ ଉଚ୍ଚରକ୍ତଚାପରେ ପିଡୀତ ଥିଲେ । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ଏହା ସହ ମୃତକଙ୍କ ମଧ୍ୟରୁ ଆଉ ଜଣେ ୫୮ ବର୍ଷୀୟ  ମହିଳା ଯକ୍ଷ୍ମା ମେନେନଜାଇଟିସ୍ ରୋଗରେ ପୀଡିତ ଥିଲେ । କରୋନା ପାଇଁ ଚିକିତ୍ସିତ ହେଉଥିବା ବେଳେ ମହିଳା ଜଣକ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି ।

ରାଜ୍ୟରୁ ଆଉ ୫୭୭ କରୋନା ପଜିଟିଭ ଚିହ୍ନଟ… କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪୧୬, ଲୋକାଲ୍ କେସ ୧୬୧

ଗଞ୍ଜାମର ଆଉ ଜଣେ ମୃତକଙ୍କର ୬୩ ବୟସ ଥିଲା । ୬୩ ବର୍ଷୀୟ ବ୍ୟକ୍ତି ମଧୁମେହରେ ମଧ୍ୟ ପୀଡିତ ଥିଲେ ଓ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷରେ ଭଦ୍ରକର ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି । ସେ ମଧୁମେହ ସହ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ । ଆଜି ରାଜ୍ୟର ୨୨ଜିଲ୍ଲାରୁ ଆଉ ୫୭୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୧୬ ଓ ଲୋକାଲ୍ କେସ୍ ୧୬୧ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ୨୦୧କୁ ବୃଦ୍ଧି ପାଇଛି ।

ପିପୁଲ ଫର ସେବା ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କଲା ଜିଆରପି

ଭୁବନେଶ୍ୱର: ଫିଟୁନି ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ । ଦିନ ଗଡ଼ିବା ସହ ଆଦିତ୍ୟଙ୍କ ମୃତ୍ୟୁ ନୂଆ ନୂଆ ରହସ୍ୟ ସାମ୍ନାକୁ ଆସୁଛି । ଅଚାନକ  ସମାଜସେବୀ ତଥା ମୋଟିଭେଟରଙ୍କ ମୃତ୍ୟୁ ପରେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଚର୍ଚ୍ଚା ଲାଗି ରହିଛି । ଆଦିତ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ  ଆସିଥିବା ବେଳେ ଏନେଇ ହତ୍ୟା ମାମଲା ରୁଜୁ କରିଛି ଜିଆରପି ।   ଆଦିତ୍ୟ କାର୍ଯ୍ୟ କରୁଥିବା ପିପୁଲ ଫର ସେବାର କର୍ମକର୍ତ୍ତାଙ୍କ ଏତଲା ଆଧାରରେ ଜିଆରପି ଏହି ମାମଲା ରୁଜ୍ଜ କରିଛି ।

https://www.youtube.com/watch?v=AgdNRHKvxKg

ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ତାଙ୍କ ହାତ ଲେଖା ଡାଏରୀରେ ସ୍ପଷ୍ଟ ହୋଇଥିଲା । ଯଦିଓ ସେ ଲେଖିଥିଲେ ଯେ ତାଙ୍କ ମୃତ୍ୟୁ ପାଇଁ କେହି ବି ଦାୟୀ ନୁହଁନ୍ତି ବୋଲି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କ ପ୍ରଂଶସକ । ଆଜି ତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ, ଅଦିତ୍ୟଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିବାରୁ ତାଙ୍କ ମୃତ୍ୟୁ ହୋଇଛି ।

ଟ୍ରେନ୍ ଲାଇନରେ ଜୀବନ ହାରିଲେ ଆଦିତ୍ୟ, ମୃତ୍ୟୁର କାରଣ ଖୋଜୁଛି ପୋଲିସ

ଗତ ମଙ୍ଗଳବାର ଦିନ ସକାଳେ ରକ୍ତାକ୍ତ ଅବସ୍ଥାରେ ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡ଼ରୁ ମିଳିଥିଲା । ଫଳରେ ସୋମବାର ରାତିରେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କ ମୃତ୍ୟୁ ନେଇ ନୂଆ ନୂଆ ସସପେନ୍ସ ଉପରୁ ପରଦା ଉଠିଥିଲା । ଯଦିଓ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ବିଶ୍ଳେଷଣ କରାଯାଇଥିଲା । ଗତକାଲି ତାଙ୍କ ସୁଇସାଇଡ୍ ନୋଟ୍ ଲୋକ ଲୋଚନକୁ ଆସିଥିବା ବେଳେ ଏବେ ତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

(ଭୁବନେଶ୍ୱରରୁ ଅରୁଣ ସାହୁଙ୍କ ରିପୋର୍ଟ)

https://youtu.be/mAExwqox9M0