spot_img
Home Blog Page 6811

ଆଜିଠୁ ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭିଜିବ ସାରା ଓଡ଼ିଶା । ଆଜିଠୁ ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ରାଜସ୍ଥାନ ଠାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ସହ ଉତ୍ତର ପ୍ରଦେଶ ଓ ତାର ଆଖପାଖ ଅଚଂଳରେ ଏକ ସାଇକ୍ଲୋନିକ ସର୍‌କୁଲେସନ ସୃଷ୍ଟି ହୋଇଛି । ଯାହା ଫଳରେ ଆଗାମୀ କିଛି ଦିନ ରାଜ୍ୟରେ ପାଗ କୋହଲା ରହିବା ସହ ବର୍ଷାର ଆଶଙ୍କା ରହିଛି ।

ତେବେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବା ବେଳେ ରାଜସ୍ଥାନ ଠାରୁ ପଶ୍ଚିମ ଉତ୍ତରପ୍ରଦେଶ ଆଡକୁ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପଶ୍ଚିମ ଓ ଉତ୍ତର ଓଡିଶା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ସକ୍ରିୟ ଥିବା କାରଣରୁ ରାଜ୍ୟରେ ଏଣିକି ନିୟମିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଜୁନ ୧ ଠାରୁ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ୩୫ ମିଲିମିଟର ବୃଷ୍ଟି ରେକର୍ଡ କରିଛି ଆଚଂଳିକ ପାଣିପାଗ କେନ୍ଦ୍ର । ଠିକ ସେହିଭଳି ୪ଟି ଜିଲ୍ଲା ବଲାଙ୍ଗୀର, ନବରଙ୍ଗପୁର, ଯାଜପୁରରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି।

ରାଜ୍ୟରେ ସକ୍ରିୟ ହେଲା ମୌସୁମୀ: ୫ ଦିନ ଯାଏଁ ଅବିଶ୍ରାନ୍ତ ବର୍ଷା

ଅଷ୍ଟମ ଥର ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ

ନୂଆଦିଲ୍ଲୀ: ଅଷ୍ଟମ ଥର ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛି ଭାରତ । ଗତକାଲି ହୋଇଥିବା ଭୋଟିଂ ପ୍ରକ୍ରିୟାରେ ଜାତିସଂଘର ୧୯୩ ଦେଶ ମଧ୍ୟରୁ ଭାରତକୁ ଅସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରିବା ସପକ୍ଷରେ ୧୮୪ ଭୋଟ୍‌ ପଡିଛି । ଫଳରେ ଭାରତ ଅଷ୍ଟମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି ।

ଏସିଆ ପ୍ୟାସିଫିକ ଶ୍ରେଣୀରେ ଭାରତ ୨୦୨୧-୨୨ ବର୍ଷ ପାଇଁ ମନୋନୀତ ହୋଇଥିବା ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି । ଏହି ଗ୍ରୁପର ଏକମାତ୍ର ସିଟ୍‌ ପାଇଁ ଭାରତ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚିତ ହୋଇଛି । ଚୀନ୍‌, ପାକିସ୍ତାନ ସମେତ ଏସିଆ ପ୍ୟାସିଫିକ ଗ୍ରୁପର ୫୫ଟି ଯାକ ଦେଶ ଭାରତକୁ ସମର୍ଥନ କରିଥିଲେ । ଭାରତ ଏହା ପୂର୍ବରୁ ୭ଥର ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଥିଲା । ଭାରତ ସହ ଆୟର୍ଲାଣ୍ଡ, ମେକ୍ସିକୋ ଓ ନରୱେ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦକୁ ନିର୍ବାଚିତ ହୋଇଛନ୍ତି ।

୧୨ ହଜାର ଟପିଲା ଦେଶରେ କରୋନା ମୃତ୍ୟୁ ସଂଖ୍ୟା , ୨୪ ଘଣ୍ଟାରେ ୧୨ ହଜାର ୮୮୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୨ ହଜାର ଟପିଛି । ଗତ ୨୪ ଘଣ୍ଟାରେ ୧୨ ହଜାର ୮୮୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭କୁ ବୃଦ୍ଧି ପାଇଛି ।

ସେହିପରି କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୬ ହଜାର ପାର ହୋଇଛି। ଏହା ମଧ୍ୟରୁ ୧ ଲକ୍ଷ ୬୦ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ଥିବା ବେଳେ ୧ ଲକ୍ଷ ୯୪ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ର।ଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 

ଦେଶରେ ଦିନକରେ ସର୍ବାଧିକ ୨ହଜାର କରୋନା ମୃତ୍ୟୁ

ଆଜି ଜନ୍ମମାଟିକୁ ଫେରିବ ୨ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଲଦାଖ ସୀମାରେ ଚୀନ୍‌ ସେନାକୁ କଡ଼ା ଜବାବ । ସାହାସ ଓ ଶୌର୍ଯ୍ୟର ଅପୂର୍ବ ନିଦର୍ଶନ ସହ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି ୨୦ ଯବାନ । ସାରାଦେଶ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସେପଟେ ପ୍ରିୟଜନଙ୍କୁ ହରାଇ ସ୍ତବ୍ଧ ସହିଦଙ୍କ ପରିବାର । ବିହାର ପାଟନାର ସହିଦ ହବଲଦାର ସୁନୀଲ କୁମାରଙ୍କ ପାର୍ଥିବ ଶରୀର ଘରକୁ ଫେରିଛି ।

ଆଜି ଅପରାହ୍ନ ୨ଟାରେ ଆସିବ ସହିଦ ଓଡ଼ିଆ ଯବାନଙ୍କ ମୃତଦେହ । କନ୍ଧମାଳ ରାଇକିଆ ବେଓରପଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜ ଜିଲ୍ଲାର ଚମ୍ପାଉଦା ଗାଁର ନନ୍ଦୁରାମ୍‌ ସୋରେନ୍‌ ଗଲୱାନ୍‌ ଘାଟିରେ ସହିଦ ହୋଇଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ସେମାନଙ୍କ ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ସମ୍ମାନ ଦିଆଯିବ । ପରେ ସ୍ୱତନ୍ତ୍ର ଗାଡ଼ିରେ ୨ ଯବାନଙ୍କ ଗାଁକୁ ଯିବ ପାର୍ଥିବ ଶରୀର । ଲଦାଖରୁ ସ୍ୱତନ୍ତ୍ର ବାୟୁସେନା ବିମାନରେ ସହିଦଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯାଉଛି । ସେପଟେ ଓଡ଼ିଆ ସହିଦ ଯବାନଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଦୁଇ ଯବାନଙ୍କ ପରିବାରକୁ ୨୫-୨୫ ଲକ୍ଷ  ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିଲିଫ ପାଣ୍ଠିରୁ ଏହି ରାଶି ଘୋଷଣା କରାଯାଇଛି।

ଯୁଦ୍ଧକାଳୀନ ଭିତ୍ତିରେ ସୀମାରେ ନିଜର ଶକ୍ତି ବଢାଇଛି ଭାରତ,ହାଇ ଆଲର୍ଟରେ ତିନି ସେନା

ଲଦାଖ: ଗଲୱାନ୍‌ ଘମାସାନ ପରେ ହାଇଆଲର୍ଟରେ ସେନା । ଜଳ, ସ୍ଥଳ, ଆକାଶ ସବୁଠି ସେନା ସଜାଗ । ଚୀନ୍‌ ସହ ସୀମା ବିବାଦକୁ ନଜରରେ ରଖି ଭାରତ ଯୁଦ୍ଧକାଳୀନ ଭିତ୍ତିରେ ସୀମାରେ ନିଜର ଶକ୍ତି ବଢାଇଛି ଓ ବ୍ୟାପକ ଯୁଦ୍ଧାସ୍ତ୍ର ପରିବହନ ଆରମ୍ଭ କରିଛି । ଚୀନ୍‌ ସୀମାରେ ଥିବା ୩ହଜାର ୪୮୮ କିଲୋମିଟର ବାସ୍ତବ ସୀମା ବା LAC ନିକଟରେ ଭାରତୀୟ ସ୍ଥଳ ସେନା ଓ ବାୟୁସେନା ଆଲର୍ଟ ପୋଜିସନ୍‌ରେ ରହିଛନ୍ତି ।

 ଲଦାଖରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ  LACରେ ସେନା ଯେକୈାଣସି ସ୍ଥିତିର ସାମନା କରିବାକୁ ସଜାଗ ରହିଛି । ଅରୁଣାଚଳ ପ୍ରଦେଶ, ଉତ୍ତାରଖଣ୍ଡ, ହିମାଚଳପ୍ରଦେଶ ଓ ଲଦାଖ LACର ଫରୱାଡ ଘାଟିରେ ଭାରତୀୟ ସେନା ଅତିରିକ୍ତ ସେନା ମୁତୟନ କରିସାରିଛି । ସେହିପରି LAC ଉପରେ ଭାରତୀୟ ବାୟୁସେନା ପକ୍ଷରୁ କଡା ନଜର ରଖାଯାଇଛି।

ଅନ୍ୟପଟେ ଭାରତୀୟ ମହାସାଗର ଅଞ୍ଚଳରେ ନୌସେନା ସତର୍କ ନଜର ରଖିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ ବିପିନ ରାୱତ ଓ ତିନି ସେନା ମୁଖ୍ୟଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସେପଟେ ଚୀନ୍‌ ମଧ୍ୟ LACରେ ନିଜ ସୈନ୍ୟବଳ ବଢାଇଛି । ବିଶେଷ କରି ଗଲୱାନ୍‌, ଦୌଲତ ବୈଗ ଓଲଡି, ଦେପସାଙ୍ଗ, ଚୁସୁଲ ଓ ପୂର୍ବ ଲଦାଖର ଅନ୍ୟ ଅଞ୍ଚଳରେ ଚୀନ୍‌ ଅଧିକ ସଂଖ୍ୟାରେ ସେନା ମୁତୟନ କରିଛି।

ସୁଶାନ୍ତଙ୍କ ମୃତ୍ୟୁ ପରେ ଆୟଶା ଟାକିଆ ଖୋଲିଲେ ବଲିଉଡର ରାଜ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ବି-ଟାଉନ୍ ର ଅନେକ କଳାକାର ଇଣ୍ଡଷ୍ଟ୍ରିର ବୁଲିଂ ଓ ଟାର୍ଗେଟକୁ ନେଇ ନିଜନିଜ ମତ ପ୍ରକାଶ କରିଛନ୍ତି । ନିକଟରେ ଅଭିନେତ୍ରୀ ଆୟଶା ଟାକିଆ ମଧ୍ୟ ବଲିଉଡରେ ବୁଲିଂ(ପରିହାସ) କରାଯାଉଥିବା ନେଇ ନିଜର ଅନୁଭବ ସେୟାର କରିଛନ୍ତି ।

ଆୟଶା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଆୟଶା ଲେଖିଛନ୍ତି ଯେ, ତାଙ୍କର କାମ ବଦଳରେ ଟ୍ରୋଲିଂ  ଏବଂ ବୁଲିଂର  ଅନୁଭୂତି ଅଛି … ସେ ଏହି ବିଷୟରେ ଖୋଲାଖୋଲି ମତ ପ୍ରକାଶ କରିଛନ୍ତି । ଆୟଶାଙ୍କ କହିବା ଅନୁସାରେ ଯେତେବେଳେ ଜଣେ ଅନ୍ୟଜଣଙ୍କୁ ଅପମାନିତ କରେ ସେତେବେଳେ ଏହାକୁ ବିରୋଧ କରିବା ଜରୁରୀ । ନିଜ ଆତ୍ମବିଶ୍ୱାସ କେବେ କାହା ପାଇଁ ହାରିବା ଅନୁଚିତ୍ । ସବୁବେଳେ ନିଜକୁ ଉଜ୍ଜ୍ୱଳ ଏବଂ ଭିନ୍ନ ଭାବିବା ଉଚିତ୍ । କେବେ କିଏ ଅପମାନ କରିବା ସମୟରେ ତାଙ୍କୁ ଜିତିବାକୁ ଦେବା ହିଁ ସବୁଠାରୁ ବଡ ଭୁଲ ।

ଏହା ସହ ସେ ଲେଖିଛନ୍ତି ଯେ, ” କୌଣସି ନିବିଡ଼ ବନ୍ଧୁ ସହ ନିଜ ଭାବନା ସେୟାର କରିବା ଜରୁରୀ । ନିଜ କଥାବାର୍ତ୍ତା, ଦୁଃଖସୁଖ ଜଣଙ୍କୁ ଜଣାଇବା ଆବଶ୍ୟକ । ଯେତେବେଳେ ଏକା ଅନୁଭବ ହୁଏ ସେତେବେଳେ କେହି ନଥିଲେ ନିଜ ଡାଏରୀରେ ପ୍ରତ୍ୟେକ କଥା ଲେଖିବା କିମ୍ବା ଅନଲାଇନରେ କାହା ସହିତ କଥାବାର୍ତ୍ତା କରିବା ଉଚିତ୍ । କେବେ ବି କୌଣସି ଅପମାନ ସହିବା ଅନୁଚିତ୍ ଏସବୁ କହିବା ସହଜ, କିନ୍ତୁ ଏହା କରିବାକୁ ପଡିବ, କାହା ପାଇଁ ନହେଲେ ମଧ୍ୟ ନିଜ ପାଇଁ ଏହା କରିବା ଆବଶ୍ୟକ ।

https://www.instagram.com/p/CBfgXCpDIid/?utm_source=ig_embed

ପରବର୍ତ୍ତୀ ପିଢି ପାଇଁ ଏହି ପୃଥିବୀକୁ ଏକ ଉନ୍ନତ ସ୍ଥାନ କରିବାକୁ ପଡିବ । ଫଳରେ ସମସ୍ତଙ୍କ ମଧ୍ୟରେ ପ୍ରେମର ସମ୍ପର୍କ ରହିବ । ସବୁ ମଣିଷମାନଙ୍କୁ ପରସ୍ପର ସହ ଭଲ ବ୍ୟବହାର କରିବା ଜରୁରୀ କାରଣ କିଏ କେତେବେଳେ କଠିନ ସମୟ ଦେଇ ଗତି କରୁଛି, ତାହା କେହି ଜାଣିନଥାନ୍ତି । ଶେଷ ଥର ପାଇଁ ଆୟଶା ଟାକିଆ ସଲମାନ ଖାନଙ୍କ ସହ ଫିଲ୍ମ ୱାଣ୍ଟେଡରେ ନଜର ଆସିଥିଲେ । ଏହି ଫିଲ୍ମ ପରେ ଆୟଶାଙ୍କୁ ଅନେକ ଲୋକପ୍ରିୟତା ମିଳିଥିଲା । କିନ୍ତୁ ଏହି ଚଳଚ୍ଚିତ୍ର ପରେ ସେ ଅନ୍ୟ କୌଣସି ଫିଲ୍ମରେ ନଜର ଆସିନଥିଲେ ।

ବାହା ହେବା ପାଇଁ ଛୁଟିରେ ଥିଲେ ପିଏସଓ, ନିର୍ବନ୍ଧ ଦିନ କଲେ ଆତ୍ମହତ୍ୟା !

ବଣାଇ: ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ PSO ଡମ୍ବରୁ ସାହୁଙ୍କ ଆତ୍ମହତ୍ୟା । କୁର୍ଡ଼ା ଗାଁରେ ନିଜ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ନିଜ ସର୍ଭିସ ରିଭରବଲ୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।ତେବେ PSO କିଛିଦିନ ହେବ ମାନସିକ ଚାପରେ ଥିଲେ । କିନ୍ତୁ କଣ ପାଇଁ ସେ ମାନସିକ ଚାପରେ ଥିଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଡମ୍ବରୁ ବିବାହ ପାଇଁ ଛୁଟି ନେଇ ଘରେ ଥିଲେ । ଆଜି ଡମ୍ବରୁଙ୍କ ପରିବାର ତାଙ୍କ ବିବାହ ନିର୍ବନ୍ଧ ପାଇଁ  ଘଟଗାଁ ତାରିଣୀ ମନ୍ଦିର ଯିବାକୁ ଥିବା ବେଳେ ଏଭଳି ଅଘଟଣ ଘଟିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ଛି ଯେ ପ୍ରାୟ ୬ ମାସ ହେବ ଡମ୍ବରୁ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଅପ୍ରାକୃତିକ ବ୍ୟବହାର କରୁଥିଲେ । ଏନେଇ ତାଙ୍କୁ ପରିବାର ଲୋକେ ରାଉରକେଲା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ କରାଉଥିବା ଜଣାପଡିଛି l ମୃତ ଡମ୍ବରୁଙ୍କ ପିତା ନଥିବା ବେଳେ ଘରେ ମା ଏବଂ ସାନ ଭାଇଙ୍କ ସହ ରହୁଥିଲେ, ତାଙ୍କର ପାଞ୍ଚ ଭଉଣୀ ବିବାହ କରିସାରିଛନ୍ତି ଏବଂ ଏବେ ଡମ୍ବରୁଙ୍କ ବିବାହ ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା l ଏବଂ ଏନେଇ ଗତକାଲି ରାତିରେ ଡମ୍ବରୁଙ୍କ ସାନ ଭାଇ ଓ କିଛି ସାଙ୍ଗ ତାଙ୍କସହ ଥିଲେ  ।

ଆଜି ସକାଳ ପ୍ରାୟ ୬ଟା ସମୟରେ ଡମ୍ବରୁ ନିଜ କୁର୍ଡା ସ୍ଥିତ ବାସଭବନରେ ଛାତ ଉପରକୁ ଯାଇ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି l ଗୁଳି ଶବ୍ଦ ଶୁଣି ସମସ୍ତେ ଛାତ ଉପରକୁ ଯାଇ ମୁମୁର୍ଷୁ ଅବସ୍ଥାରେ ଡମ୍ବରୁଙ୍କୁ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏବେ ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଭାଗୃହରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ଶବ ବ୍ୟବଚ୍ଛେଦ ପରେ ଶବ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି l

ଅପରପକ୍ଷରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଡମ୍ବରୁ ଜଣେ ଭଲ କର୍ମଚାରୀ ଥିଲେ ବୋଲି କହିଛନ୍ତି । ସେ ବିବାହ ପାଇଁ କିଛିଦିନ ଛୁଟି ମାଗି ଘରେ ରହୁଥିବା କଥା ପ୍ରକାଶ କରିଛନ୍ତି l ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟଦ ମଜବୁର୍ ରେହମାନ, ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ତଦନ୍ତ ପରେ ଅଧିକ ସୂଚନା ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

ଲକଡାଉନ୍ ସୁଶାନ୍ତଙ୍କ ଜୀବନକୁ କରିଥିଲା ପ୍ରଭାବିତ ! ଅଭିନୟ ଛାଡ଼ି କରିବାକୁ ଚାହୁଁଥିଲେ ଚାଷ …

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଏକ ଖବର ଏହା ମଧ୍ୟ ଆସୁଛି ଯେ, ସେ ତାଙ୍କ ମହିଳା ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଥିଲେ । କୁହାଯାଉଛି ୟେ ସୁଶାନ୍ତ ସିଂହ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଏହି ଫିଲ୍ମକୁ ରୁମୀ ଜାକରୀ ପ୍ରସ୍ତୁତ କରିବାକୁ ଯାଉଥିଲେ ଏବଂ ଏହାର ସ୍କ୍ରିପ୍ଟିଂ ମଧ୍ୟ ଶେଷ ହୋଇଯାଇଥିଲା । କରୋନା ଭାଇରସ ଲକଡାଉନ ପାଇଁ ଫିଲ୍ମର ସୁଟିଂ ନଭେମ୍ବରରେ ଆରମ୍ଭ ହେବାକୁ ଥିଲା । କିନ୍ତୁ ରୁମୀ ଜାକରୀଙ୍କ ସୂଚନା ଅନୁଯାୟୀ ସୁଶାନ୍ତ ସିଂହ ରାଜପୁତ ଫିଲ୍ମ ଜଗତକୁ ଛାଡ଼ିବାକୁ ଚାହୁଁଥିଲେ ।

ସ୍ପଟବୟର ରିପୋର୍ଟ ମୁତାବକ, ରୁମୀ ଜାକରୀ ମିଡିଆ ସହ ଆଲୋଚନା କରିବା ବେଳେ କହିଛନ୍ତି ଯେ, ଲକଡାଉନ ସୁଶାନ୍ତ ସିୁଂହ ରାଜପୁତଙ୍କୁ ବହୁତ ପ୍ରଭାବିତ କରୁଥିଲା । ସେ ଦୀର୍ଘ ଛଅ ମାସ ଧରି ଡିପ୍ରେସନର ଚିକିତ୍ସା କରାଉଥିଲେ । ସେ ଫିଲ୍ମ ଜଗତ ଛାଡ଼ିବାକୁ ଚାହୁଥିଲେ । ଏହାର କୌଣସି କାରଣ ଅବଶ୍ୟ ସେ ଜଣାଇନଥିଲେ କିନ୍ତୁ ସେ ଆକ୍ଟିଂ ଛାଡ଼ି ଚାଷ କରିବାକୁ ଚାହୁଁଥିଲେ । ସେ କହିଥିଲେ ଯେ, ‘ ମୁଁ ଦେଶବ୍ୟାପୀ ଏକ ଲକ୍ଷ ଗଛ ଲଗାଇବାକୁ ଚାହୁଁଛି ଏବଂ ବୈଜ୍ଞାନିକଙ୍କ ପରି ନୂଆ ନୂଆ ଆବିଷ୍କାର କରିବାକୁ ଚାହୁଁଛି ।’

ଜଣାଇ ରଖୁଛୁ ଯେ, ସୁଶାନ୍ତ ସିଂହ ରାଜପୁତଙ୍କୁ ବାନ୍ଦ୍ରା ସ୍ଥିତ ବାସଭବନରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୁଶାନ୍ତଙ୍କ ୩୪ ବର୍ଷ ହୋଇଥିଲା ଏବଂ ଟେଲିଭିଜନ ଜଗତରେ ବହୁ ଲୋକପ୍ରିୟତା ହାସଲ କରିସାରିବା ପରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ । ସେ ବଲିଉଡରେ ‘କାଇ ପୋ ଛେ’, ‘ବ୍ୟୋମକେଶ ବଖସୀ’, ‘ଏମଏସ ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀ’, ‘ଛିଛୋରେ’ ଭଳି ଅନେକ ଚଳଚିତ୍ରରେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଛନ୍ତି ।

ଦ୍ଵାଦଶୀ ତିଥିରେ ରାଜପ୍ରାସାଦ ବିଜେ କରିବେ ଶ୍ରୀଜିଉ

ପୁରୀ: ଆଜି ଶ୍ରୀଜିଉମାନଙ୍କ ରାଜପ୍ରାସାଦ ବିଜେ ନୀତି । ଦ୍ଵାଦଶୀ ତିଥି ଅବସରରେ ଏହି ନୀତି ସମାପନ କରିବେ ସେବାୟତ । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇ ବେହରଣ ଦ୍ଵାର ଫିଟାଇବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିଲା ।

ଏହାସହ ଶ୍ରୀଜିଉଙ୍କୁ ଶ୍ରୀ ବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ଔଷଧ ମଧ୍ୟ ଲାଗି କରାଯାଇଥିଲା । ଔଷଧ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ସହ ଶ୍ରୀଜିଉଙ୍କ ଅନବସର ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରାଯିବ । ପରେ ପହୁଡ ଆଳତୀ ନୀତି ହେବା ପରେ ଦଇତାପତି ମାନେ ଘଣା ଲାଗି ନୀତି କରିବେ ।

ଦୁବାଇରୁ ଫେରୁଛନ୍ତି ୨୧୦ଜଣ ଓଡିଆ ପ୍ରବାସୀ

ଭୁବନେଶ୍ୱର: ଆଜି ଦୁବାଇରୁ ଓଡିଆ ପ୍ରବାସୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱରରେ ପହଞ୍ଚିବ । ସକାଳ ୧୧ ସୁଦ୍ଧା ଏହି ବିମାନ ପହଞ୍ଚିବ ବୋଲି ସୂଚନା ମିଳିଛି । ୨୧୦ ସିଟ୍‌ ବିଶିଷ୍ଟ ଏହି ଚାର୍ଟାଡ ବିମାନ ଓଡିଆ ପ୍ରବାସୀଙ୍କୁ ନେଇ ଆସୁଛି । ଆବୁଧାବିରେ ଥିବା ଓଡିଆ ସମାଜ ଏହି ପ୍ରବାସୀଙ୍କ ଟିକେଟ ଖର୍ଚ୍ଚ ବହନ କରୁଛି ।

ପୂର୍ବରୁ ୨୧୬ ଜଣ ଯାତ୍ରୀଙ୍କୁ ନେଇ ଏକ ଚାର୍ଟାଡ ପ୍ଲେନ୍‌ ଦୁବାଇରୁ ଆସିଥିଲା । ଦୁବାଇରେ ଥିବା ପ୍ରବାସୀ ମାନେ କରୋନା କଟକଣା ଯୋଗୁଁ ଅଟକି ରହିଥିଲେ । ସେମାନଙ୍କୁ ସ୍ୱଦେଶ ଫେରାଇବାକୁ ଅଣ୍ଟା ଭିଡିଥିଲା ଆବୁଧାବି ଓଡିଆ ସମାଜ । ପ୍ରଥମ ପର୍ଯ୍ୟାୟରେ ୨୧୬ ଯାତ୍ରୀଙ୍କୁ ଓଡିଶା ପଠାଇ ସାରିଥିବା ବେଳେ ଆଜି ୨୧୦ ଜଣଙ୍କୁ ନେଇ ଓଡିଶା ଫେରୁଛି ସ୍ୱତନ୍ତ୍ର ବିମାନ । ବନ୍ଦେ ଭାରତ ଯୋଜନାରେ ବିଦେଶରେ ଫସିଥିବା ପ୍ରବାସୀମାନେ ଓଡିଶା ଫେରୁଛନ୍ତି।