spot_img
Home Blog Page 6735

ସନ୍ଧ୍ୟାରେ କଳି, ସକାଳୁ ମର୍ଡର; ଗାଁ ଦାଣ୍ଡରେ ପଡ଼ିଛି ରକ୍ତାକ୍ତ ମୃତଦେହ

ନୟାଗଡ଼: ଜିମ ବିବାଦକୁ ନେଇ ବୀଭତ୍ସ ହତ୍ୟା । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜମିଜମା ବିବାଦକୁ ନେଇ ଭୋରରୁ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଗାଁ ଦାଣ୍ଡରେ ପଡ଼ି ରହିଛି କ୍ଷେତ୍ରବାସୀ ମହାପାତ୍ରଙ୍କ ମୃତଦେହ । ଇଟାମାଟି ଥାନା ପୋଲିସ ହତ୍ୟା ଅଭିଯୋଗର ତଦନ୍ତ କରୁଛି ।

ଗତକାଲି ଗାଁର କ୍ଷେତ୍ରବାସୀ ମହାପାତ୍ର ଓ ଜଗବନ୍ଧୁ ମହାପାତ୍ରଙ୍କ ମଧ୍ୟରେ ଜମିକୁ ନେଇ ଝଗଡ଼ା ହୋଇଥିଲା । ଉଭୟେ ହାତାହାତି ହୋଇଥିଲେ । ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଶାନ୍ତ ପଡ଼ିଥିଲା କଳି । ଭୋର୍ ପ୍ରାୟ ୪ଟା ସମୟରେ କ୍ଷେତ୍ରବାସୀ ପରିସ୍ରା ଲାଗି ବାହାରକୁ ଆସିଥିଲେ । ସେତେବେଳେ ତାଙ୍କୁ କେହି ହତ୍ୟା କରିଛି ।

Covid19 Vaccine: ବନ୍ଦ ହେଲା ଏଷ୍ଟ୍ରାଜେନେକା ଭ୍ୟାକ୍ସିନ୍ ଟ୍ରାଏଲ୍

ଲଣ୍ଡନ: କରୋନା ଭାଇରସ୍ ବିରୋଧୀ ଲଢ଼େଇକୁ ବଡ଼ ଝଟକା ଲାଗିଛି । ଏଷ୍ଟ୍ରାଜେନେକା କୋଭିଡ୍ ଭ୍ୟାକ୍ସିନ୍ ମାନବ ପରୀକ୍ଷଣରେ ସାମିଲ୍ ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଟ୍ରାଏଲକୁ ରୋକି ଦିଆଯାଇଛି । ଏଷ୍ଟ୍ରାଜେନେକା ଏକ ବୟାନ ଜାରି କରି କହିଛି ଏହା ରୁଟିନ୍ ଅନୁସାରେ ସ୍ଥଗିତ ରଖାଯାଇଛି । କାରଣ ପରୀକ୍ଷଣରେ ସାମିଲ ବ୍ୟକ୍ତିଙ୍କ ରୋଗ ନେଇ ଏଯାଏଁ କିଛି ବୁଝି ହେଉନାହିଁ ।

ଏହି ଭ୍ୟାକ୍ସିନର ନାଁ AZD1222 ରଖା ଯାଇଥିଲା । WHO ଅନୁସାରେ ଏହି ଭ୍ୟାକ୍ସିନ୍ ଦୁନିଆର ଅନ୍ୟ ସମସ୍ତ ଭ୍ୟାକ୍ସିନ୍ ଠାରୁ ଟ୍ରାଏଲରେ ଆଗରେ ଥିଲା । ସୂଚନା ଯୋଗ୍ୟ ଯେ, ଭାରତ ସମେତ ଅନ୍ୟ କେତକ ଦେଶର ନଜର ଅକ୍ସଫୋର୍ଡ ଟିକା ଉପରେ ରହିଛି । ଦୁନିଆର ଏକାଧିକ ସ୍ଥାନରେ ଚାଲିଛି କରୋନା ଭ୍ୟାକ୍ସିନର ଟ୍ରାଏଲ । ଏହି ଭ୍ୟାକ୍ସିନ୍ ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ପହଞ୍ଚିଛି । ସର୍ବପ୍ରଥମେ ଅକ୍ସଫୋର୍ଡ ଭ୍ୟାକ୍ସିନ୍ ବଜାରକୁ ଆସିବା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

ଖବର ମୁତାବକ ଏଷ୍ଟ୍ରାଜେନେକାର ସମସ୍ତ ଟ୍ରାଏଲକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ସ୍ୱତନ୍ତ୍ର ଯାଞ୍ଚ ପରେ ପୁଣି ଟ୍ରାଏଲ ଆରମ୍ଭ ହେବ । ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ହଜାର ହଜାର ସାମିଲ ହୁଅନ୍ତି । ପରୀକ୍ଷଣ ବହୁତ ଦିନ ଧରି ଚାଲେ । ଏହି ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୩୦ ହଜାର ଲୋକ ସାମିଲ୍ ଥିଲେ ।

ଅସ୍ତ୍ରଶସ୍ତ୍ର ସହ LACରେ ଚୀନ୍ ସୈନିକ, ରେଜାଙ୍ଗ ଲାରେ କରିଥାନ୍ତେ ଗଲବାନ ଭଳି ପ୍ରତାରଣା

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ ସୈନିକ ପଛକୁ ହଟୁନାହାଁନ୍ତି । ପୁଣିଥରେ ଚୀନ ସୈନିକ ଭାରତୀୟ ଯବାନଙ୍କୁ ଧୋକା ଦେଇ ଆକ୍ରମଣ ପାଇଁ ଚେଷ୍ଟା କରିଛନ୍ତି । ଯାହାକୁ ବିଫଳ କରିଛି ଭାରତୀୟ ସେନା । ରେଜାଙ୍ଗ ଲାର ଉତ୍ତରରେ ଥିବା ମୁଖପୁରୀରେ ଚୀନର ପ୍ରାୟ ୫୦ ଯବାନ ସୋମବାର ଧାରୁଆ ଅସ୍ତ୍ରଶସ୍ତ୍ର ନେଇ ଭାରତ କବଜାରେ ଥିବା ପାହାଡ଼ ଅଞ୍ଚଳକୁ ଆସିଥିଲେ । ଏହା ପୂର୍ବରୁ ଚୀନ ଜୁନ୍ ୧୫ରେ ଗଲବାନ ଘାଟିରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା ।

ଏହାର ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ଦେଖାଯାଛି ଲଦାଖର ରେଜାଙ୍ଗ ଲା ଅଞ୍ଚଳରେ ସୋମବାର ଚୀନ ସେନା ଭାରତୀୟ ସେନାକୁ ହଟାଇବାକୁ ପ୍ରୟାସ କରିଥିଲା । ଫଟୋରେ ଚୀନ ସେନା ଧାରୁଆ ଅସ୍ତ୍ରଶସ୍ତ୍ର ଧରିଥିବା ବେଳେ ପିଠିରେ ବନ୍ଧୁକ ମଧ୍ୟ ରହିଛି । ସୋମବାର ରାତିରେ ଚୀନ ସୈନିକ LAC ନିକଟରେ ଥିବା ଏକ ଫରୱର୍ଡ ପୋଷ୍ଟ କବଜା ପାଇଁ ପ୍ରୟାସ କରିଥିଲେ । ଯାହାକୁ ବିଫଳ କରିଥିଲେ ଭାରତୀୟ ଯବାନ ।

ସେନା ସୂତ୍ର ଅନୁସାରେ ଚୀନ ସୈନିକ ଅସ୍ତ୍ରଶସ୍ତ୍ର ସହିତ ଆସିଲେ । କିନ୍ତୁ ଭାରତୀୟ ସେନା ସେମାନଙ୍କୁ ପାଖକୁ ଆସିବାକୁ ଦେଇନଥିଲା । କାରଣ ଏହାଦ୍ୱାରା ହିଂସାତ୍ମକ ସଂଘର୍ଷ ହୁଏ ଏବଂ ଗଲବାନ ଘାଟି ପରି ଘଟଣା ଘଟେ ।

ସୋମବାର ସନ୍ଧ୍ୟାରେ ଚୀନ ପକ୍ଷରୁ ଲଦାଖ ସୀମାରେ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା । ଭାରତୀୟ ସେନା ଯେତେବେଳେ ତାଙ୍କୁ ଅଟକାଇଲା ତ ସେମାନେ PLA ଯବାନ ଫାୟାରିଂ ଆରମ୍ଭ କରିଥିଲେ । ଆକାଶ ମାର୍ଗରୁ ଫାୟାରିଂ କରି ଡରାଇବାକୁ ଚେଷ୍ଟା କରିଥିଲା ଚୀନ୍ ସେନା । କିନ୍ତୁ ଭାରତୀୟ ସେନା ଧୈର୍ଯ୍ୟର ସହ ମୁକାବିଲା କରିଥିଲା ଓ ଚୀନ ସୈନିକ ପଛକୁ ଫେରିବାକୁ ବାଧ୍ୟ ହୋଇଥିଲେ ।

ଅନ୍ୟପଟେ ଚୀନ ବିଦେଶ ମନ୍ତ୍ରାଳୟ କହିଛି- ସୋମବାର ରାତିରେ ଭାରତୀୟ ସେନା LAC କ୍ରସ୍ କରି ଗୁଳି କରିଛି । ଯାହାର ଜବାବ ଦେଇଛି ଚୀନ ସେନା । ଚୀନ ଅଭିଯୋଗ କରିଛି ବିଗତ ଦିନରେ ହୋଇଥିବା ବୁଝାମଣାକୁ ଭାରତ ଉଲ୍ଲଂଘନ କରିଛି । ଭାରତ ତା’ ସେନାକୁ ତୁରନ୍ତ ବର୍ଡରରୁ ହଟାଇବାକୁ ଚୀନ ଦାବି କରିଛି ।

ଡ୍ରଗ୍ସ ମାମଲାରେ ରିୟାଙ୍କୁ ମିଳିଲାନି ଜାମିନ୍, ୧୪ ଦିନ ଯାଏଁ ରହିବେ ବିଚାର ବିଭାଗୀୟ ହାଜତରେ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା । ଏହାପରେ ରିୟାଙ୍କୁ ସାୟନ ହସ୍ପିଟାଲ ନିଆଯାଇ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ତା’ ପରେ ଏନସିବି ଅଫିସକୁ ରିୟାଙ୍କୁ ନିଆଯାଇଥିଲା ।

ସେଠାରେ ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠି ଅଦାଲତ ରିୟାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଯାହାପରେ ରିୟାଙ୍କ ଓକିଲ ଜାମିନ୍ ପାଇଁ ଆବେଦନ କରିଥିଲେ । ଲମ୍ବା ଶୁଣାଣି ପରେ ଅଦାଲତ ରିୟାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।

ତେବେ, ଆଜି ରିୟା ଜେଲ୍ ଯିବେ ନାହିଁ । ଆଜି ରାତିରେ ସେ NCBର ସେଲରେ ରହିବେ । ଜେଲ୍ ରୁଲ୍ ବୁକ୍ ଅନୁସାଲେ ସନ୍ଧ୍ୟାରେ ଜେଲରେ କଏଦୀଙ୍କ ଗଣନା ପରେ ଆଉ ନୂଆ କଏଦୀଙ୍କୁ ନିଆଯାଏ ନାହିଁ । ଏଥିପାଇଁ ରିୟା ଆଜି NCB ଲକଅପରେ ରହିବେ ।

ଏହାର ଠିକ୍ ପୂର୍ବରୁ ଏନସିବି ଅଧିକାରୀ କହିଥିଲେ- ଏଜେନ୍ସି ରିୟା ଚକ୍ରବର୍ତ୍ତୀଙ୍କ ରିମାଣ୍ଡ ଆବେଦନ କରିବ ନାହିଁ ବୋଲି କହିଥିଲେ । ଏନସିବି ୨୧ ସେପ୍ଟେମ୍ବର ଯାଏଁ ରିୟାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ଆବେଦନ କରିଥିଲା । ପଚରାଉଚରା ବେଳେ ରିୟା ଡ୍ରଗ୍ସ ପାଇଁ ଟଙ୍କା ଦେଉଥିବା ମାନିଥିବା କହିଛି ଏନସିବି । ରିମାଣ୍ଡ କପି ମୁତାବକ, ଡ୍ରଗ୍ସ ରାକେଟରେ ରିୟା ଚକ୍ରବର୍ତ୍ତୀ ସାମିଲ୍ ଥିଲେ । କେଉଁ ପ୍ରକାର ଡ୍ରଗ୍ସ ଏହା ବି ରିୟା କହୁଥିଲେ ।

Unlock 4: ଶିକ୍ଷାନୁଷ୍ଠାନ ପାଇଁ ଆସିଲା SOP, କରୋନା କାଳରେ ଏମିତି ହେବ ପାଠପଢ଼ା

ନୂଆଦିଲ୍ଲୀ: କୋଭିଡ୍ କଟକଣା ପାଇଁ ୫ ମାସ ବନ୍ଦ ରହିବା ପରେ ସ୍କୁଲ ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଅନଲକ-୪ରେ ଧୀରେଧୀରେ ବିଭିନ୍ନ ସଂସ୍ଥା ସବୁ ଖୋଲିବାରେ ଲାଗିଛି ।

ତେଣୁ, ଏହି ପର୍ଯ୍ୟାୟରେ ସେପ୍ଟେମ୍ବର ୨୧ଠାରୁ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲକୁ ଖୋଲିବା ପାଇଁ ଏସଓପି ଜାରି କରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ତେବେ ଏଥିପାଇଁ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଅନୁମତି ନେବାକୁ କୁହାଯାଇଛି । ତେବେ ସ୍କୁଲକୁ ଆସିବା ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ରହିବ ।

ସେହିପରି ନିୟମିତ ବ୍ୟବଧାନରେ ହାତ ଧୋଇବା ଓ ସାନିଟାଇଜ କରାଯିବାକୁ କୁହାଯାଇଛି । ତେବେ ଛେପ ପକାଇବା ଉପରେ କଡ଼ା ପ୍ରତିବନ୍ଧକ ଲାଗୁ ରହିବ । ସ୍କୁଲ ଖୋଲିଥିଲେ ସୁଦ୍ଧା ଅନଲାଇନ୍ ପାଠପଢା ଜାରି ରହିବ । ଯେଉଁମାନେ ସ୍କୁଲକୁ ନିୟମିତ ନ ଆସି କେବଳ କୌଣସି ବିଷୟରେ ଶିକ୍ଷକଙ୍କ ପରାମର୍ଶ ନେବାକୁ ଚାହିଁବେ ସେମାନେ ସମୟ ସମୟରେ ଆସିପାରିବେ ବୋଲି କୁହାଯାଇଛି । ଏଥିପାଇଁ ତାଙ୍କୁ ଶିକ୍ଷକମାନେ ସେମାନଙ୍କ ପାଇଁ ସମୟ ବାହାର କରିବେ ।

ରିୟାଙ୍କୁ ନେଇ ଏମିତି କହିଲେ କଙ୍ଗନା, ‘ସିଏ ଛୋଟ ଡ୍ରଗି, ଏବେ କୁହ ମାଷ୍ଟରମାଇଣ୍ଡ କିଏ ?’

ମୁମ୍ବାଇ: ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି । ତିନିଦିନର ମାରାଥନ ଜେରା ପରେ ରିୟାଙ୍କ ହାତରେ ପଡ଼ିଛି ହାତକଡ଼ି । ଏହି ମାମଲାରେ ସୋସିଆଲ୍ ମିଡିଆରେ କେତକ ୟୁଜର ଏନସିବି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି । ଏହି ମାମଲାରେ ଶେଖର ସୁମନ ପ୍ରତିକ୍ରିୟା ରଖି ଏହାକୁ ଭଲ କହିଛନ୍ତି । ଅନ୍ୟପଟେ ମାମଲାରେ ମତ ରଖିଛନ୍ତି କଙ୍ଗନା ରଣାୱତ ।

ଏନସିବି ଦ୍ୱାରା ରିୟାଙ୍କ ଗିରଫଦାରୀ ଉପରେ କଙ୍ଗନା ରହିଛନ୍ତି-‘ମୁଁ ସବୁବେଳେ କହି ଆସୁଛି ରିୟା କେବଳ ମୋହରା । ହୋଇଥାଇ ପାରେ ସେ କେବେ ଛୋଟମୋଟ ଡ୍ରଗ୍ସ କାରବାରେ ସମ୍ପୃକ୍ତ । କିନ୍ତୁ ଏବେ ମାଷ୍ଟରମାଇଣ୍ଡ ନାଁ ସାମ୍ନାକୁ ଆସିବା ଦରକାର । ଯିଏକି ସୁଶାନ୍ତଙ୍କ କ୍ୟାରିଅର ଶେଷ କରି ଦେଇଛି ।’ ପ୍ରକୃତରେ କିଏ ସୁଶାନ୍ତଙ୍କ ହାତରୁ ଫିଲ୍ମ ଛଡ଼ାଇ ନେଇଥିଲା ? କିଏ ସୁଶାନ୍ତଙ୍କ ଛବି ଖରାପ କରୁଥିଲା ? ସବୁଠୁ ବଡ଼ ପ୍ରଶ୍ନ କିଏ ଡ୍ରଗ୍ସ ଦେଉଥିଲା ? ଏବେ ସମସ୍ତଙ୍କୁ ଏକ୍ସପୋଜ୍ କରିବା ଦରକାର, ନହେଲେ ବହୁତ ଡେରି ହୋଇଯିବ ।

କଙ୍ଗନାଙ୍କ ଡ୍ରଗ୍ସ ଆଙ୍ଗଲର ଯାଞ୍ଚ କରିବ ମହାରାଷ୍ଟ୍ର ପୋଲିସ

ଅନ୍ୟପଟେ ଡ୍ରଗ୍ସ ଆଙ୍ଗଲରେ କଙ୍ଗନା ନିଜେ ଫସିଛନ୍ତି । ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ପୂର୍ବତନ ବଏଫ୍ରେଣ୍ଡ ଅକ୍ଷୟନ ସୁମନଙ୍କ ସାକ୍ଷାତକାର ଆଧାରରେ ନିଷ୍ପତ୍ତି ନେଇଛନ୍ତି ସରକାର, ଯାଞ୍ଚ ହେବ ଡ୍ରଗ୍ସ ସହ କଙ୍ଗନାଙ୍କ ସମ୍ପୃକ୍ତି । ଅକ୍ଷୟନଙ୍କ ଅନୁସାରେ- କଙ୍ଗନା ତାଙ୍କୁ ବେଆଇନ୍ ଡ୍ରଗ୍ସ ଦେଉଥିଲେ । କଙ୍ଗନା ଏହି ମାମଲାରେ ପ୍ରତିକ୍ରିୟା ରଖି କହିଛନ୍ତି- ସେ ଯାଞ୍ଚ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଯଦି ଡ୍ରଗ୍ସ ପେଡଲରଙ୍କ ସହ ମୋ ସମ୍ପର୍କ ନେଇ ପ୍ରମାଣ ମିଳେ ତ ମୁଁ ମୁମ୍ବାଇ ଛାଡ଼ିଦେବି ବୋଲି କହିଛନ୍ତି କଙ୍ଗନା ।

Corona Recovery Odisha: ରାଜ୍ୟରେ ଲକ୍ଷେ ଟପିଲା କରୋନାରୁ ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ମହାମାରୀ କରୋନା ରାଜ୍ୟରେ ମାଡ଼ି ଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଦେଇଛି ଭଲ ଖବର । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୭୮୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛି । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ପାର୍ କରିଛି । ରାଜ୍ୟରେ ଏବେ ଯାଏଁ ୧ ଲକ୍ଷ ୩୧ ହଜାର ୩୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷ ୨ ହଜାର ୧୮୫ ଜଣ ସୁସ୍ଥ ହୋଇ ସାରିଲେଣି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୩୦, ପୁରୀ ୧୯୨, ମୟୂରଭଞ୍ଜ ୧୫୩, ଗଞ୍ଜାମ ୧୧୫, ବାଲେଶ୍ୱର ୭୮, କେନ୍ଦୁଝର ୭୬, ବରଗଡ଼ ୭୫, ଯାଜପୁର ଓ କୋରାପୁଟରୁ ୬୮ ଜଣ ଲେଖାଏଁ, ଜଗତସିଂହପୁର ୬୪, ସମ୍ବଲପୁର ୬୨, ଭଦ୍ରକ ୫୪, ଝାରସୁଗୁଡ଼ା ୫୦, ନବରଙ୍ଗପୁର ୪୫, ମାଲକାନଗିରି ୪୧, ସୋନପୁର ୩୬, ଢେଙ୍କାନାଳ ୩୫, ବଲାଙ୍ଗିର ଓ କନ୍ଧମାଳରୁ ୨୮ ଜଣ ଲେଖାଏଁ, ନୂଆପଡ଼ାରୁ ୨୫, ସୁନ୍ଦରଗଡ଼ ୨୩, କଳାହାଣ୍ଡି ଓ ରାୟଗଡ଼ାରୁ ୧୮ ଜଣ ଲେଖାଏଁ, ଗଜପତି ୧୭, କେନ୍ଦ୍ରାପଡ଼ା ୧୫, ନୟାଗଡ଼ ୧୨, ଅନୁଗୁଳ ୯ ଓ ବୌଦ୍ଧରୁ ୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଏବେ ରାଜ୍ୟରେ ୨୮ ହଜାର ୫୭୫ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ୫୬୯ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଓ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା ଯୋଗୁଁ ଲକ୍ଷେରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଖୁସିବ୍ୟକ୍ତ କରିଛନ୍ତି ।

ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଜେଲରେ ମଦ, ମାଂସ, ବିରିୟାନି ଦିଆଯାଉଥିବା ଅଭିଯୋଗ

ଭୁବନେଶ୍ୱର: ଜେଲ୍ କାନ୍ଥରେ ପୋଷ୍ଟର । କୌଣସି ଦୁର୍ଦ୍ଦାନ୍ତ ଅପରାଧୀ କି ଡକାୟତକୁ ଧରାଇ ଦେବାକୁ ନୁହେଁ । ବରଂ ଜେଲ୍ କର୍ତ୍ତୃପକ୍ଷଙ୍କ ମନମାନି ନେଇ ଝାରପଡ଼ା ଜେଲ କାନ୍ଥରେ ପୋଷ୍ଟର ଲାଗିଛି । ଯେଉଁଥିରେ ଉଲ୍ଲେଖ ଅଛି- ଚିଟଫଣ୍ଡ ଆସାମୀଙ୍କୁ ଜେଲରେ ରାଜକୀୟ ସମ୍ମାନ ଦିଆଯାଉଥିଛି । ଚିଟଫଣ୍ଡ ଅଭିଯୁକ୍ତଙ୍କୁ ମଦ, ମାଂସ, ବିରିୟାନି ଦିଆଯାଉଥିବା ଅଭିଯୋଗ ହେଉଛି । ଏପରିକି ଚିଟଫଣ୍ଡ ଅଭିଯୁକ୍ତଙ୍କ କଥା ରେ ନିମ୍ନ ଶ୍ରେଣୀର ଅଭିଯୁକ୍ତ ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦିଆଯାଉଥିବା ଅଭିଯୋଗ ଆସିଛି ।

ଏହାକୁ ବିରୋଧ କରି ଜେଲ୍ କାନ୍ଥରେ କେହି ଅଜଣା ବ୍ୟକ୍ତି ପୋଷ୍ଟର ମାରିଥିବା ସନ୍ଦେହ କରାଯାଉଛି । କେବଳ ସେତିକି ନୁହେଁ, ଜେଲରେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ମଧ୍ୟ ଆସିଛି । ଜେଲ ସୁପରିଟେଣ୍ଡେଣ୍ଟ ଓ ଜେଲର ମୋଟା ଅଙ୍କର ଅର୍ଥ କାରବାର କରି ଅଭିଯୁକ୍ତଙ୍କୁ ସୁରକ୍ଷା ଯୋଗାଉଥିବା ଏଥିରେ ଉଲ୍ଲେଖ ରହିଛି । ଲକ୍ଷ୍ମୀସାଗର ଥାନାରେ ଏ ନେଇ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ କିଏ କେଉଁ ଉଦ୍ଦେଶ୍ୟରେ ପୋଷ୍ଟର ଲଗାଇଛି ଜଣାପଡ଼ିନାହିଁ ।

ଅନଲାଇନ କ୍ଲାସ ସମୟରେ ହଠାତ ଚୋରଙ୍କ ପ୍ରବେଶ, ଆଉ ତା’ ପରେ..

ଅମ୍ବାଟୋ: ଘରେ ଅନଲାଇନ କ୍ଲାସ ନେଉଥିବା ଜଣେ ଛାତ୍ରୀଙ୍କ ଘରକୁ ହଠାତ୍ ପଶି ଆସିଲେ କିଛି ଚୋର । ଉକ୍ୱାଡୋରର ତୁଙ୍ଗୁରହୁଆରେ ଅମ୍ବାଟୋ ସହରରେ ରହୁଥିବା ମାରିୟା ଜୋସ ନାମକ ଜଣେ ଛାତ୍ରୀ ତାଙ୍କ ଶିକ୍ଷକଙ୍କ ସମେତ ଅନ୍ୟ ୨୫ ଜଣ ଛାତ୍ରଛାତ୍ରୀଙ୍କ ସହିତ ଅନଲାଇନରେ ପାଠ ପଢୁଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓରେ ଦ୍ୱିତୀୟ ଧାଡ଼ିର ତୃତୀୟ ସଂଖ୍ୟାରେ ଥିବା ଛାତ୍ରୀ ମାରିୟାଙ୍କ ଘରେ ଚୋର ପ୍ରବେଶ କରି ମାରିୟାଙ୍କୁ ଧମକ ଦେବା ଆରମ୍ଭ କଲେ । କିନ୍ତୁ ପରେ ପୋଲିସକୁ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ୪ ଦୁର୍ବୁତ୍ତଙ୍କୁ ପୋଲିସ ହେପାଜତକୁ ନେଇଛି ।


ସୂଚନାଯୋଗ୍ୟ ଚୋର ପ୍ରବେଶ କରିବା ସମୟରେ ମାରିୟା ଅନଲାଇନ କ୍ଲାସରେ ଥିବା ଖବର ବିଷୟରେ ସେମାନେ ଜାଣି ନଥିଲେ । କିନ୍ତୁ ଅନଲାଇନରେ ଥିବା ଅନ୍ୟ ସମସ୍ତେ ଏହାକୁ ଦେଖି ପାରିଥିଲେ । ଅବଶ୍ୟ ପଢାଇବାରେ ଶିକ୍ଷକ ବ୍ୟସ୍ତ ଥିବାରୁ ଉକ୍ତ ଘଟଣା ତାଙ୍କ ନଜରକୁ ଆସି ନଥିଲା । କିନ୍ତୁ ପିଲାଙ୍କ ପାଖରେ ମାରିୟାଙ୍କ ମା’ଙ୍କ ମୋବାଇଲ ନମ୍ବର ଥିବାରୁ ସେମାନେ ଯୋଗାଯୋଗ କରି ପାରିଥିଲେ । ଫଳସ୍ୱରୂପ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହେଲା ପୋଲିସ ।

ରାଉରକେଲା ସହରରେ ଘରକୁ ଘର ବୁଲି ହେବ ସର୍ଭେ

ରାଉରକେଲା: ରାଉରକେଲାରେ କୋଭିଡ୍ ପରିଚାଳନାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ପ୍ରଥମେ ହାଇଟେକ୍ କୋଭିଡ୍ ହସ୍ପିଟାଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ରାଉରକେଲା ମହାନଗର ନିଗମର କମିସନର ଉପସ୍ଥିତ ଥିଲେ ।

Chief Secretary Reviewed Covid19 Situation in Rourkela

ପରେ ଜେପି ହସ୍ପିଟାଲ ଓ ଶାନ୍ତି ମେମୋରିଆଲ ହସ୍ପିଟାଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ମୁଖ୍ୟ ଶାସନ ସଚିବ ରାଉରକେଲା ହାଉସରେ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ମୁକାବିଲା କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅଧିକ ଟେଷ୍ଟ କରାଯାଉଛି ।

ରାଉରକେଲା ସରକାରୀ ଚିକିତ୍ସାଳୟରରେ ଅଧିକ ୨୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରାଉରକେଲା ସହରରେ ୫ ଦିନ ଧରି ହୋଇଥିବା ସେରୋ ସର୍ଭେଲାନ୍ସର ରିପୋର୍ଟ ଆସିଥିବା ଓ ଏଥିରେ ୨୫ ଶତକଡ଼ା ଆଣ୍ଟିବଡି ଡେଭଲପ କରିଥିବା କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ସହରରେ ୪୫ ହଜାରରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କର ଯତ୍ନ ନିଆଯିବା ସହ ଘରକୁ ଘର ବୁଲି ସର୍ଭେ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ।