spot_img
Home Blog Page 6723

କୋରାପୁଟ ଜିଲ୍ଲାରେ ପୁଣି ୪୮ ଘଣ୍ଟା ସଟଡାଉନ ଘୋଷଣା କଲା ଜିଲ୍ଲା ପ୍ରଶାସନ

କୋରାପୁଟ: କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ୪୮ ଘଣ୍ଟା ତଥା ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । କୋରାପୁଟ ଜିଲ୍ଲାରେ ବର୍ଦ୍ଧିତ କରୋନା ସଂକ୍ରମଣ କୁ ଆଖି ଆଗରେ ରଖି ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର । ପୂର୍ବରୁ ବି ଦୁଇ ଦିନ ସଟଡାଉନ କରାଯାଇଥିଲା। ଜିଲ୍ଲାରେ ବର୍ତ୍ତମାନ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ସଂକ୍ରମଣ ଚେନକୁ ରୋକିବାକୁ ଏପରି କରାଯାଇଥିବା କହିଛନ୍ତି ଜିଲ୍ଲାପାଳ କହିଛନ୍ତି । ସଚଡାଉନ ସମୟରେ କୌଣସି ଅମାନିଆ କାମ ନଥାଇ ରାସ୍ତାରେ ବୁଲିଲେ ପୋଲିସ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ଏଥିସହ ବାହାର ଜିଲ୍ଲାରୁ କୌଣସି ଲୋକଙ୍କୁ ଜିଲ୍ଲା ଭିତରେ ପ୍ରବେଶ କରାଯାଇପାରିବ ନାହିଁ ବୋଲି କହିଛନ୍ତି ।

ଅନ୍ୟପଟେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ କାର୍ଯ୍ୟ କରୁଥିବା ୯ ଜଣ କରୋନା ଯୋଦ୍ଧ। କରୋନା ପଜିଟିଭ ଚିହ୍ନଟ ହେବା ପରେ ସମଗ୍ର ଲମତାପୁଟ ବ୍ଲକରେ ଆତଙ୍କ ସୃଷ୍ଟି ହୋଇଛି । ଏପଟେ ସଂକ୍ରମଣକୁ ରୋକିବା ପାଇଁ ଲମତାପୁଟ ବ୍ଲକର ଅନକାଡେଲି, ମାଛକୁଣ୍ଡ, ପଇବେଡା, ମାଟାମପୁଟ, ଲମତାପୁଟ, ଗୁମାଲପୁଟ, ଉଚେଇପଡା, ବାଦିଗଡ, ଟିଆକଣ୍ଟା, ପରଜା ଖୁଡୁବିକୁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ  ବ୍ଲକ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ।

ତେବେ ପ୍ରଥମ କରି ଲମତାପୁଟ ବ୍ଲକରେ କାର୍ଯ୍ୟ କରୁଥିବା ୯ଜଣ ଅଙ୍ଗନବାଡ଼ି ଆଶା କର୍ମୀ ଓ ୬ ଜଣ ସାଧାରଣ ଲୋକ କରୋନା ପଜିଟିଭ ଚିହ୍ନଟ ହେବା ପରେ  ଲୋକଙ୍କ ମନରେ ଛନକା ପଶି ଯାଇଛି  । ଆଜି ଲମତାପୁଟ ବ୍ଲକର ଅନକାଡେଲି ଗୁରୁବାର ସାପ୍ତାହିକ ହାଟକୁ ମଧ୍ୟ ସମ୍ପୂର୍ଣ ଭାବରେ ବନ୍ଧ କରିବା ସହ ସମସ୍ତ ଦୋକାନ ବଜାରକୁ ମଧ୍ୟ ବନ୍ଦ କରାଯାଇଛି ।

ପୁଣି ଜଣେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ

ବଲାଙ୍ଗିର: ପୁଣି ଜଣେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ । ଡାକ୍ତର ଓ ନର୍ସ ଚିକିତ୍ସାରେ ଅବହେଳା କରିଥିବାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରୁ । ଡାକ୍ତର ଓ ନର୍ସଙ୍କ ଭୁଲ୍ ଚିକିତ୍ସା ଓ ଅବହେଳା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

 Bolangir

ମୃତ ମହିଳା ଜଣକ ହେଲେ ବଲାଙ୍ଗିର ସହର ମାଲଗୋଦାମପଡ଼ାର ପ୍ରମିଳା ହରପାଲ । ୨୫ ବର୍ଷୀୟ ପ୍ରମିଳା ବୁଧବାର ସଂଧ୍ୟାରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଳା । ସେଠାରେ ଜଣେ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ହେଲେ ଜନ୍ମ ଦେବା ପରେ ପରେ ନର୍ସଙ୍କ ଭୁଲ ଯୋଗୁଁ ତାଙ୍କର ଶିର କାଟି ଯାଇଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା ।

Bolangir

ରାତି ସାରା କଷ୍ଟ ଅନୁଭବ କରିବା ପରେ ଗୁରୁବାର ସକାଳେ ପ୍ରମିଳାଙ୍କର ଡାକ୍ତରଖାନାରେ ହିଁ ମୃତ୍ୟୁ ହୋଇଯାଇଛି । ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ମହିଳାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ଅବହେଳା କରିଥିବା ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ଲୋକ ସ୍ତ୍ରୀ ଓ ପ୍ରସୂତି ବିଭାଗ ସମ୍ମୁଖରେ ମୃତଦେହ ରଖି ବିରୋଧ ପ୍ରଦର୍ଶନ କରିଛନ୍ତି ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଡାକ୍ତରଖାନା ପରିସରରେ ଉତ୍ତେଜନା ପରିସ୍ଥିତିକୁ ସାନ୍ତ କରିବା ପାଇଁ ବ୍ୟାପକ ପୋଲିସ  ମୁତୟନ କରାଯାଇଛି । ଅନ୍ୟପଟେ ଏତେ ସବୁ ଘଟଣା ଘଟିଯାଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: CBIକୁ ହସ୍ତାନ୍ତର କରିପାରେ ନିତିଶ ସରକାର

ପାଟନା: ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଅନେକ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସେମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ସୁଶାନ୍ତଙ୍କ ମୃତ୍ୟୁ ଯେଉଁପରି ହୋଇଛି ଏହା ଏକ ଆତ୍ମହତ୍ୟା ନା ଏକ ବଡ଼ ଷଡ଼ଯନ୍ତ୍ର ? ଏହି ଘଟଣାରେ ସୁଶାନ୍ତଙ୍କ ସମ୍ପର୍କୀୟମାନେ ଯେଉଁଭଳି ଭାବେ ମୁମ୍ବାଇ ପୋଲିସର ଅନୁସନ୍ଧାନର ପଦ୍ଧତି ଏବଂ ଦିଗ ଉପରେ ପ୍ରଶ୍ନ ଉଠାଉଛନ୍ତି, ତାହା ଏହି ମାମଲାର ଗମ୍ଭୀରତା ବଢ଼ାଇ ଦେଇଛି । ଆଉ ଏକ ବଡ଼ ପ୍ରଶ୍ନ ଉଠିଛି ଯେ ମହାରାଷ୍ଟ୍ର ସରକାର ବେଳେବେଳେ ଏକ ଛୋଟ ପ୍ରସଙ୍ଗରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରନ୍ତି, କିନ୍ତୁ ଏହି ମାମଲାରେ ଅନେକ ଅଭିଯୋଗ ସତ୍ତ୍ୱେ ମଧ୍ୟ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ  ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହି ମାମଲାର ତଦନ୍ତ ସିବିଆଇକୁ ଦିଆଯିବ ନାହିଁ।

ବୈଷୟିକ ଏବଂ ଆଇନଗତ ଦିଗଗୁଡିକ କ’ଣ ?

ବୋଧହୁଏ ଏହି ମାମଲାରେ ରାଜନୈତିକ ଭୟ ଆରମ୍ଭ ହୋଇଛି । ବିହାରରେ ଶେଖର ସୁମନ, ତେଜସ୍ୱୀ ଯାଦବ, ଚିରାଗ ପାସୱାନ, ପପୁ ଯାଦବଙ୍କ ସମେତ ବହୁ ରାଜନେତା ସିବିଆଇର ତଦନ୍ତ ପାଇଁ ଦାବି କରୁଛନ୍ତି। ଏହି କ୍ରମରେ ବର୍ତ୍ତମାନ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ନାମ ମଧ୍ୟ ଯୋଡା ଯାଇଛି। ଟୁଇଟ୍ କରି ସେ କହିଛନ୍ତି ଯେ ଏହି ମାମଲା କ୍ରମାଗତ ଭାବେ ଗଭୀର ହେବାରେ ଲାଗିଛି, ଏବେ ସିବିଆଇ ଦ୍ୱାରା ଏହି ମାମଲାର ଅନୁସନ୍ଧାନ କରିବା ଭଲ ହେବ। ଏବେ ପ୍ରଶ୍ନ ଉଠିଛି ଯେ ମହାରାଷ୍ଟ୍ର ସରକାର ମନା କରିବା ପରେ ବିହାର ସରକାରଙ୍କର ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାର ଅଧିକାର ରହିଛି  କି ? ଆଇନ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ହୋଇପାରିବ, କିନ୍ତୁ ଏହାର କିଛି ବୈଷୟିକ ଦିଗ ରହିଛି ।

ସିବିଆଇ ଏକ ନିରପେକ୍ଷ ତଦନ୍ତ କରିପାରିବ

ପାଟନା ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ତଥା ଆଡଭୋକେଟ୍ ଆସୋସିଏସନ୍ସର ସମନ୍ୱୟ କମିଟିର ସଭାପତି ଯୋଗେଶ ଚନ୍ଦ୍ର ବର୍ମା କହିଛନ୍ତି ଯେ, ଏହାର ଉଭୟ ଆଇନଗତ ଏବଂ ବୈଷୟିକ ଦିଗ ରହିଛି । ପ୍ରଥମ କଥା ହେଉଛି, ଯେହେତୁ ଏହି ମାମଲା ପାଟଣାର ରାଜୀବ ନାଗର ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି ଏବଂ ପାଟନା ପୋଲିସ ବର୍ତ୍ତମାନ ଏହାର ଅନୁସନ୍ଧାନ କରୁଛି, ବିହାର ସରକାରଙ୍କୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାର ଅଧିକାର ରହିଛି । ଦିଲ୍ଲୀ ପ୍ରତିଷ୍ଠା ଅଧିନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ କ୍ଷମତା ରହିଛି । ଦ୍ୱିତୀୟତଃ ଲାର୍ଜର ଇଣ୍ଟ୍ରେଷ୍ଟ ଅଫ୍ ଜଷ୍ଟିସ ଅନୁଯାୟୀ, ଏହାର ସଠିକ୍ ତଦନ୍ତ ପାଇଁ ସିବିଆଇ ଦ୍ୱାରା ଅନୁସନ୍ଧାନ କରାଯିବା ଉଚିତ୍ ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

ଯୋଗେଶ ଚନ୍ଦ୍ର ବର୍ମା କହିଛନ୍ତି ଯେ ଯେହେତୁ ଏହି ମାମଲା ଗୁରୁତର ଏବଂ ମହାରାଷ୍ଟ୍ରରେ ଘଟିଛି, ତେଣୁ ଏହାର ପ୍ରମୁଖ ତଦନ୍ତ ମହାରାଷ୍ଟ୍ରରେ ହେବ, କିନ୍ତୁ ଯଦି ଆମେ ଏହାର ବୈଷୟିକ ଦିଗ ବୁଝିବା ତେବେ ବିହାର ପୋଲିସ ମଧ୍ୟ ଏଥିରେ ଭାଗ ନେଉଛି । ଏଭଳି ପରିସ୍ଥିତିରେ ବିହାର ପୋଲିସ ଏବଂ ମହାରାଷ୍ଟ୍ର ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରିବା ମଧ୍ୟ ଏକ ବଡ଼ କାର୍ଯ୍ୟ । ତେବେ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ କେସକୁ ବିହାରରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର ପାଇଁ ଆବେଦନ କରିଛନ୍ତି, ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତ ନଜର ରହିଛି ।

ମୁମ୍ବାଇ ପୋଲିସର ତଦନ୍ତ ଉପରେ ଏପର୍ଯ୍ୟନ୍ତ ପ୍ରଶ୍ନ

ପାଟନା ହାଇକୋର୍ଟର ବରିଷ୍ଠ ହାଇକମିଶନର ୱାଇବି ଗିରି କହିଛନ୍ତି ଯେ, ପ୍ରଥମ ପ୍ରଶ୍ନ ହେଉଛି ମହାରାଷ୍ଟ୍ର ପୋଲିସ CRPC 174 (UDR ଉପରେ ଆଧାର କରି) ଏହାର ତଦନ୍ତ କରୁଛି। ଏହା ସ୍କାନରରେ ଅଛି, କାରଣ ଏକ ଅପ୍ରାକୃତିକ ମୃତ୍ୟୁ ହୋଇଥିଲେ ମଧ୍ୟ ପୋଲିସକୁ ଏହାର ଅନୁସନ୍ଧାନ କରିବାକୁ ପଡିବ ଏବଂ ଏଥିପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡିବ । ଏଥିରେ ଏହା ଦେଖିବାକୁ ହେବ ଯେ ମୃତ୍ୟୁ ପଛରେ କାହାର ହାତ ଅଛି ନା ନାହିଁ। ଆଇନଗତ ଭାଷାରେ ଏହାକୁ ଆବେଟମେଣ୍ଟ ଅଫ୍ ସୁଇସାଇଡ କୁହାଯାଏ । ଏହା IPC 306 ଅନୁଯାୟୀ ଦଣ୍ଡନୀୟ । ଏହା ଅଧୀନରେ ୧୦ ବର୍ଷ ଦଣ୍ଡର ବ୍ୟବସ୍ଥା ରହିଛି ।

ପରିବାର ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ଦାବି କରିବା ଉଚିତ୍

ୱାଇବି ଗିରି କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ଯଦି ବିହାର ସରକାର ଏଥିରେ ପଞ୍ଜୀକୃତ ହୋଇଥିବା ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଚାହାଁନ୍ତି, ତେବେ ଏହା ସମ୍ଭବ ଏବଂ ଏଥିରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ। ବାସ୍ତବରେ, ସୁଶାନ୍ତ ସିଂଙ୍କ ପରିବାର ସୁପ୍ରିମକୋର୍ଟ ଯାଇ ନିଜପକ୍ଷରୁ ସିବିଆଇ ତଦନ୍ତ ଦାବି କରିବା ଭଲ। ସମସ୍ତ ଅଦାଲତର ଏହା ହେଉଛି ପ୍ରଥମ ଉଦ୍ଦେଶ୍ୟ ଯେ ଇଚ୍ଛାକୃତ ବ୍ୟକ୍ତି ନ୍ୟାୟ ପାଇବା ଉଚିତ୍, ଏପରି ଭାବରେ ଯଦି ପରିବାର ସଦସ୍ୟ ସୁପ୍ରିମକୋର୍ଟ ଆଗରେ ନିଜର କଥା ରଖନ୍ତି, ତେବେ କୋର୍ଟ ନିଶ୍ଚିତ ଭାବରେ ସହାନୁଭୂତି ସହ ବିଚାର କରିବେ ଏବଂ ସୁପ୍ରିମକୋର୍ଟ ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବେ।

ମୁମ୍ବାଇ ହାଇକୋର୍ଟରେ ମଧ୍ୟ ଏକ ପିଟିସନ ଦାଖଲ କରାଯାଇଛି

ଜଣାଇ ରଖୁଛୁ ଯେ, ଜୁଲାଇ ୨୯ ତାରିଖରେ ମୁମ୍ବାଇର ହାଇକୋର୍ଟରେ ଦିଲ୍ଲୀର ଜଣେ ଓକିଲ ସାର୍ଥକ ନାୟକଙ୍କ ଦ୍ୱାରା ଏକ ପିଟିସନ ଦାଖଲ କରାଯାଇଛି, ଯେଉଁଥିରେ ଏହା ଅପିଲ କରାଯାଇଛି ଯେ ଏହି ମାମଲାର ଯାଞ୍ଚ କୋର୍ଟର ତତ୍ତ୍ୱାବଧାନରେ ଗଠିତ ଏକ ନିରପେକ୍ଷ ତଦନ୍ତ ଏଜେନ୍ସି କିମ୍ବା ଏସଆଇଟି ଦ୍ୱାରା କରାଯାଉ । ବିହାର ପୋଲିସ ଦେଇଥିବା ଏଫଆଇଆର ଆଧାରରେ ଆଡଭୋକେଟ ସାର୍ଥକ ନାୟକ ମୁମ୍ବାଇ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।

ୱେବ ସାଇଟ୍ ବିରୋଧରେ କାହିଁକି ମାନହାନୀ ମକଦ୍ଦମା କଲେ ପ୍ରକୃତି? ଜାଣନ୍ତୁ…

ଭୁବନେଶ୍ୱର: ମାନହାନୀ ମକଦ୍ଦମା ରୁଜୁ କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଏକ ୱେବ ପୋର୍ଟାଲ ନାଁରେ ଥାନାରେ ଫେରାଦ ହୋଇଛନ୍ତି ପ୍ରକୃତି । ତାଙ୍କ ଚରିତ୍ରକୁ କଦର୍ଯ୍ୟ କରି ଦର୍ଶାଇବା ସହ ଆପତ୍ତିଜନକ ମନ୍ତବ୍ୟ ନେଇ ଅଭିଯୋଗ କରିଛନ୍ତି । ସେହିପରି ତାଙ୍କ ପରିବାର ଲୋକଙ୍କ ବିରୋଧରେ ବି ଆପତ୍ତିଜନକ ମନ୍ତବ୍ୟ ନେଇ ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ମାନହାନୀ ମାମଲା ରୁଜୁ କରିଛନ୍ତି । ଏପରି ପ୍ରତିକୂଳ ମନ୍ତବ୍ୟ ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିବ ବୋଲି ସେ ଅଭିଯୋଗ କରିଛନ୍ତି ।

ୱେବ ପେଜରେ ଏଭଳି ବିଭ୍ରାନ୍ତିକର ଖବରକୁ ନେଇ ସେ ଓ ତାଙ୍କ ପରିବାର ଲୋକଙ୍କ ପାଖକୁ ବାରମ୍ବାର କଲ୍ ଆସୁଛି । ଏହାକୁ ନେଇ ସେ ବିଚଳିତ ଓ ମାନସିକ ଚାପଗ୍ରସ୍ତ ହେଉଛନ୍ତି । କୌଣସି ଏକ ବ୍ରାଣ୍ଡକୁ ପ୍ରମୋସନ କରିବା ତାଙ୍କ ପେଶାଗତ କାର୍ଯ୍ୟ । ଏହାକୁ କିନ୍ତୁ ସଂପୃକ୍ତ ନ୍ୟୁଜ ପୋର୍ଟାଲ ବିବାଦୀୟ ଢଙ୍ଗରେ ଉପସ୍ଥାପନ କରିଥିବା ପ୍ରକୃତି ଏଫଆଇଆରରେ ଦର୍ଶାଇଛନ୍ତି । ଏଥିପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ଅନ୍ୟପଟେ ଏନେଇ ପ୍ରକୃତି ପ୍ରତିକ୍ରିୟା ରଖିଛନ୍ତି

ସେ କହିଛନ୍ତି ଯେ, ସେ କିଛିଦିନ ତଳେ ଗୋଟିଏ ବ୍ରାଣ୍ଡ ପାଇଁ ପ୍ରମୋଶନ କରିଥିଲେ । କେବଳ ସେ ନୁହଁନ୍ତି କେତେକ ବଲିଉଡ଼ ଏବଂ ଓଲିଉଡ଼ କଳାକାର ମଧ୍ୟ ଏମିତି ବିଜ୍ଞାପନ କରିଛନ୍ତି । ସେମାନେ ସବୁ ଗାଇଡଲାଇନକୁ ମାନି ସୋସିଆଲ ମିଡ଼ିଆ କ୍ୟାମ୍ପେନିଂ ମଧ୍ୟ କରିଥିଲେ କିନ୍ତୁ କେତେକ ୱେବ ସାଇଟ୍ ତାହାକୁ ବହୁ କଦର୍ଯ୍ୟ ଭାବରେ ଉପସ୍ଥାପନା କରିଛନ୍ତି । କେବଳ ତାଙ୍କୁ ନୁହେଁ ତାଙ୍କ ପରିବାରକୁ ନେଇ ମଧ୍ୟ ଆପତ୍ତିଜନକ କଥା ଲେଖାଯାଇଥିଲା ଯାହାକୁ ନେଇ ସେ ଗତ ସପ୍ତାହେ ହେବ ମାନସିକଚାପରେ ଅଛନ୍ତି ।

ତେବେ ବିଜ୍ଞାପନରେ ଅଭିନୟ କରିବା କି ପ୍ରମୋସନ କରିବା ସେଇଟା ତାଙ୍କ ବୃତ୍ତି ତେଣୁ ଏଥିରେ କିଛି ବି ଭୁଲ ନାହିଁ । କିନ୍ତୁ କେତକ ୱେବ ପୋର୍ଟାଲ ପାଇଁ ସେ ବଦନାମ ହେଉଛନ୍ତି । ତାଙ୍କ ବାପା ମାଆଙ୍କୁ ଏସବୁ କୁ ନେଇ ଗତ ସପ୍ତାହେ ହେବ କଲ୍ ଆସୁଛି । ଏଥିପାଇଁ ତାଙ୍କ ସହ ତାଙ୍କ ପରିବାର ମଧ୍ୟ ବହୁ ହଇରାଣ ହେଉଛନ୍ତି । ସାମାନ୍ୟ ବିଜ୍ଞାପନକୁ ନେଇ ତାଙ୍କୁ ଏବଂ ତାଙ୍କ ପରିବାରକୁ ମାନସିକ ନିର୍ଯାତନା ଦେବା ସମ୍ପୂର୍ଣ୍ଣ ଭୁଲ୍ ।

ଆପଣଙ୍କୁ କହି ରଖୁଛୁ ଯେ, ସମ୍ପୃକ୍ତ ୱେବ୍ ପୋର୍ଟାଲ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । କେଉଁ କାରଣରୁ ୱେବ ପୋର୍ଟାଲରେ ଏମିତି ଲେଖାଗଲା ଆଉ ସେହି ୱେବ ପୋର୍ଟାଲ କାହାର ଏବଂ ତାହାକୁ କିଏ ଚଳାଉଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଯଦିଓ ଅଭିନେତ୍ରୀ ସେନେଇ ଥାନାରେ  ଫେରାଦ ହୋଇଛନ୍ତି ।

ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌: ପିଣ୍ଟୁ ନନ୍ଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ…

ଭୁବନେଶ୍ୱର: ଓଲିଉଡ୍‌ କଳାକାର ତଥା ବିଜେପି ନେତା ପିଣ୍ଟୁ ନନ୍ଦଙ୍କ ଗୁଣ୍ଡା ଗର୍ଦ୍ଦି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଛି । ପିଣ୍ଟୁଙ୍କ ଏଭଳି ଗୁଣ୍ଡାଗର୍ଦ୍ଦିକୁ ନେଇ ପୁରା ଓଲିଉଡ୍‌ ଜଗତ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ପିଣ୍ଟୁଙ୍କ ନାଁରେ ବୁଧବାର ରାତିରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ଗୁରୁବାର ଘଟଣାରେ ଆସିଛି ନୂଆ ମୋଡ଼ ।

ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ପିଣ୍ଟୁ କେବଳ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ନାହାନ୍ତି ବରଂ ତାଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଛନ୍ତି । ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ପିଣ୍ଟୁ ବାଧ୍ୟ କରିଛନ୍ତି । ଆଉ ପିଣ୍ଟୁ କହିଛନ୍ତି ଯେ, ‘ଯଦି ଷ୍ଟାର ହେବାର ଅଛି ତେବେ ମତେ ଖୁସି କର ।’ ଏଭଳି ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି ଯୁବତୀ । ତେବେ ଯୁବତୀଙ୍କ ଏଭଳି ଅଭିଯୋଗକୁ ପିଣ୍ଟୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିବା ବେଳେ ଏହା ଭିତ୍ତିହୀନ ବୋଲି କହିଛନ୍ତି । ପିଣ୍ଟୁ କହିଛନ୍ତି ଯେ, ସେ କେବଳ ପବ୍ଲିସିଟି ପାଇଁ ଏଭଳି ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗରେ ଯଥାର୍ଥତା ନାହିଁ । ସେ ଜଣେ ଜୁନିଅର ଆର୍ଟିଷ୍ଟ । ତାଙ୍କୁ ଚିହ୍ନି ନାହାନ୍ତି ବୋଲି କହିଛନ୍ତି ପିଣ୍ଟୁ । ଏହି ଘଟଣାରେ ପିଣ୍ଟୁଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣଙ୍କ ନାଁରେ ଅଭିଯୋଗ ମଧ୍ୟ କରିଛନ୍ତି ଯୁବତୀ । ଗୋଲାପି ଗୋଲାପି ପାର୍ଟ-ଟୁ ଫିଲ୍ମ ପାଇଁ ଅଡିସନ ଦେବା ପାଇଁ ଯାଇଥିବା ବେଳେ ତାଙ୍କ ସହ ଦୁର୍ବ୍ୟବହାର ହୋଇଥିଲା ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ସିସିଟିଭି ଯାଂଚ କଲେ ପ୍ରକୃତ ସତ ପଦାକୁ ଆସିବ ବୋଲି କହିଛନ୍ତି ଯୁବତୀ ।

 Pintu Nanda

ଅନ୍ୟପଟେ ପିଣ୍ଟୁଙ୍କ ପଛରେ ରାଜନୈତିକ ନେତାଙ୍କ ହାତ ଅଛି ବୋଲି କହିଛନ୍ତି ଅଭିଯୋଗକାରିଣୀ । ନୂଆପଲ୍ଲୀ ଥାନାକୁ ଏକ ନିର୍ଦ୍ଦିଷ୍ଟ ଦଳର ନେତା ଆସିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ପିଣ୍ଟୁଙ୍କ ପଛରେ ରାଜନୈତିକ ଦଳର ହାତ ଥିବାରୁ ସେ ଭୟଭୀତ ଅଛନ୍ତି ବୋଲି ଅଭିଯୋଗକାରିଣୀ କହିଛନ୍ତି ।

Pintu Nanda

ଅନ୍ୟପକ୍ଷରେ ପିଣ୍ଟୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ,  ଅଭିଯୋଗକାରିଣୀଙ୍କୁ ମୁଁ ଭଲରେ ଚିହ୍ନନାହିଁ । ମୁଁ ତାଙ୍କୁ କେବେ ମଧ୍ୟ ସୁଟିଂ ସେଟରେ ଦେଖିନାହିଁ । ସେ ଜଣେ ଜୁନିଅର ଆର୍ଟିଷ୍ଟ,ଜୁନିଅର ଆର୍ଟିଷ୍ଟଙ୍କୁ ମାନସ ଆଣନ୍ତି । କିନ୍ତୁ ମୁଁ ଏହି ଅଭିଯୋଗକାରିଣୀଙ୍କୁ ଜାଣିନାହିଁ ।

ପିଣ୍ଟୁ ନନ୍ଦଙ୍କ ଉପରେ ଯୁବତୀଙ୍କ ଏଭଳି ଅଭିଯୋଗ ପରେ ନନ୍ଦିଘୋଷ ଟିଭି ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଯୁବତୀଙ୍କର ପ୍ରତିକ୍ରିୟା ନେଇଥିଲା । ଯୁବତୀଙ୍କ କହିବା ଅନୁଯାୟୀ, ଟିକ୍‌ ଟକ୍‌ ଦେଖି ତାଙ୍କୁ ପିଣ୍ଟୁ ନନ୍ଦଙ୍କ ଜଣେ ଖାସ ଲୋକ ମାନସ ତାଙ୍କୁ ଫେସବୁକରେ କଣ୍ଟାକ୍ଟ କରିଥିଲେ । ମାନସ ସୁଟିଂ ପାଇଁ ଦରକାର ହେଉଥିବା ଝିଅଙ୍କୁ ଯୋଗାଡ଼ କରନ୍ତି  । ଏହାପରେ ମାନସ ତାଙ୍କୁ ଏକ ଭଲ ଫିଲ୍ମ ପାଇଁ ଅଫର କରିଥିଲେ । ଯୁବତୀ ଏଥିରେ ରାଜି ହୋଇଥିଲେ  । କିନ୍ତୁ ପରବର୍ତ୍ତି ମୁହୂର୍ତ୍ତରେ ଯୁବତୀଙ୍କୁ ଗୋପାଳପୁର ଆସିବାକୁ କହିଥିଲେ । ଗାେପାଳପୁରରେ ଯୁବତୀଙ୍କୁ ପିଣ୍ଟୁ ନନ୍ଦ ଦେଖିବେ ବୋଲି କହିଥିଲେ ମାନସ । ସେ ସମୟରେ ଯୁବତୀ ଜଣକ ଯିବା ପାଇଁ ମନା କରିଦେଇଥିଲେ । ଏବଂ ଏକ ଫଟୋ ପଠେଇ ଦେବା ପାଇଁ କହିଥିଲେ । ଯୁବତୀ ଜଣକ କହିଥିଲେ କି ଭୁବନେଶ୍ୱରରେ ଯେଉଁଠାରେ ସୁଟିଂ ହେବ ସେହିଠାରେ ଯାଇ ଦେଖା କରିବେ ବୋଲି କହିଥିଲେ । ଗାଡ଼ିରେ ନେଇ ଯିବା ପାଇଁ ମଧ୍ୟ ଯୁବତୀଙ୍କୁ ଅଫର କରାଯାଇଥିଲା । ତେବେ କଟକ ସିଡିଏରେ ସୁଟିଂ ହେଉଥିବା ସ୍ଥାନରେ ମହିଳା ଯାଇ ପହଞ୍ଚି ଥିଲେ । ତାପରେ ସାଲିଆ ସାହି ପାଖରେ ସୁଟିଂ ସେଟରେ ମଧ୍ୟ ଯୁବତୀ ପହଞ୍ଚି ଥିଲେ । ଯୁବତୀଙ୍କୁ ସେଠାରେ ବହୁତ ରାତି ଯାଏଁ ରହିବାକୁ ପଡ଼ିଥିଲା । ତାପରେ ସେଠାରେ ଯୁବତୀଙ୍କ ସହ ଅଶ୍ଳୀଳ ବ୍ୟବହାର କରାଯାଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ କାରିଣୀଙ୍କୁ ଗୋଲାପି ଗୋଲାପି ଫିଲ୍ମ କରିବାକୁ ଅଫର ଦିଆ ଯାଇଥିଲା । ଯେତେବେଳେ ପିଣ୍ଟୁ ନନ୍ଦ ଏଭିଳି ଅଭିଯୋକୁ ଖଣ୍ଡନ କରିଥିଲେ ସେତେବେଳେ ଯୁବତୀ ଜଣକ କହିଥିଲେ କି ତାଙ୍କୁ ପଚାରନ୍ତୁ ସେ କାହିଁ ମୋ ଗୋଡ଼ ଧରିକି ଭୁଲ ମାଗୁଥିଲେ । ସେ ସ୍ଥାନରେ ଏକ ସିସିଟିଭି କ୍ୟାମେରା ମଧ୍ୟ ରହିଛି ସେଥିରୁ ମଧ୍ୟ ସବୁ ଧରା ପଡ଼ିଯିବ ବୋଲି କହିଥିଲେ ଅଭିଯୋଗ କାରିଣି । ଏହାପରେ ଯୁବତୀ ନୟାପଲ୍ଲୀ ଥାନାରେ ଯାଇ ଅଭିଯୋଗ କରିଥିଲେ । ସେଠାରେ ରାତି ୧ରୁ ୧:୩୦ ବେଳେ ଥାନାରେ ଏଫାୟାର କରିଥିଲେ ଯୁବତୀ । ପିଣ୍ଟୁନନ୍ଦ ଆସିବା ପରେ ଥାନା ବାହାରେ ବହୁ ଗାଡ଼ି ମଧ୍ୟ ଜମା ହୋଇଥିଲା ।

(ଭୁବନେଶ୍ୱରରୁ ଶତରୁପ ସାମନ୍ତରାୟଙ୍କ ରିପୋର୍ଟ)

ପ୍ରଧାନମନ୍ତ୍ରୀ ଭୂମି ପୂଜାରେ ଯୋଗଦେବା ପୂର୍ବରୁ ,ରାମ ମନ୍ଦିର ପୂଜକ ହେଲେ କରୋନା ପଜିଟିଭ୍ !

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ବଡ଼ ଖବର ସାମ୍ନାକୁ ଆସିଛି । ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜାର ପ୍ରସ୍ତୁତି ଚାଲିଥିବାବେଳେ କାର୍ଯ୍ୟରେ ବାଧା ସୃଷ୍ଟି କରିଛି କରୋନା ।  ଅଯୋଧ୍ୟାରେ ସାଧୁ-ସନ୍ଥଙ୍କ ସମେତ ରାମ ଜନ୍ମଭୂମିର ସୁରକ୍ଷା ପାଇଁ ଲାଗିଥିବା ସୁରକ୍ଷାକର୍ମୀଙ୍କୁ ମଧ୍ୟ କରୋନା ହୋଇଥିବା ସୂଚନା ମିଳିଛି । ତାଜା ଖବର ରହିଛି ଯେ, ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାଶ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ପ୍ରଧାନ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାଶଙ୍କ ଶିଷ୍ୟ ଅଟନ୍ତି । ପ୍ରଦୀପ ଦାଶ ମଧ୍ୟ ସତ୍ୟେନ୍ଦ୍ର ଦାଶଙ୍କ ସହିତ ରାମ ଜନ୍ମଭୂମିରେ ପୂଜା କରନ୍ତି । ଜଣାଇ ରଖୁଛୁ ଯେ, ରାମ ଜନ୍ମଭୂମିରେ ପ୍ରଧାନ ପୂଜାରୀଙ୍କ ସହିତ ୪ ଜଣ ପୂଜାରୀ ରାମ ଲଲ୍ଲାଙ୍କ ସେବା କରନ୍ତି ।

ରାମ ଜନ୍ମଭୂମିର ସୂରକ୍ଷା କାର୍ଯ୍ୟରେ ଥିବା ୧୬ ପୋଲିସକର୍ମୀ କରୋନା ପଜିଟିଭ

ବର୍ତ୍ତମାନ କରୋନା ପଜିଟିଭ ରିପୋର୍ଟ ଆସିବା ପରେ ପୂଜାରୀ ପ୍ରଦୀପ ଦାଶ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଅନ୍ୟପଟେ ରାମ ଜନ୍ମଭୂମିର ସୁରକ୍ଷାରେ ଲାଗିଥିବା ୧୬ ପୋଲିସକର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାପରେ ଅଞ୍ଚଳରେ କ୍ଷୟର ବାତାବରଣ ରହିଛି ।

ଅଗଷ୍ଟ ୫ରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜଣାଇ ରଖୁଛୁ ଯେ, ଅଗଷ୍ଟ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଆସିବେ । ପିଏମ୍ ମୋଦି ରାମ ମନ୍ଦିରର ଭୂମି ପୂଜା କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହିତ ଦେଶର ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ରହିବେ । ଏହି ଭୂମି ପୂଜା କାର୍ଯ୍ୟକ୍ରମର ଭବ୍ୟତା ଏବଂ ପ୍ରଚାରରେ ରାମମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟ କୌଣସି ମଉକା ହାତଛଡ଼ା କରିନାହିଁ ।

ଅଯୋଧ୍ୟାରେ କଡ଼ାକଡ଼ି ହେଉଛି ସୁରକ୍ଷା ବ୍ୟବସ୍ଥା

ଜଣାଇ ରଖୁଛୁ ଯେ, ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଆଗମନ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପରିଚୟ ପତ୍ର ଦେଖାଇଲେ ଅଯୋଧ୍ୟା ଧାମରେ ଲୋକମାନଙ୍କୁ ପ୍ରବେଶ ମିଳୁଛି । ଅଯୋଧ୍ୟା ଧାମକୁ ୭ଟି ଜୋନରେ ବିଭକ୍ତ କରାଯାଇଛି । ଏହି ଅବସରରେ ସମସ୍ତ ପ୍ରବେଶ ମାର୍ଗରେ କଡ଼ାକଡ଼ି ଚେକିଂ ଚାଲିଛି ।

 

ଦୁଇଟି ୱାଟରପ୍ରୁଫ ପଣ୍ଡାଲ ଏବଂ ଗୋଟିଏ ସୁସଜ୍ଜିତ ମଞ୍ଚ ପ୍ରସ୍ତୁତ ହେବ

ରାମ ମନ୍ଦିର ଭୂମି ପୂଜନ ପାଇଁ ରାମ ଜନ୍ମଭୂମି ପରିସରରେ ପଣ୍ଡାଲ ପ୍ରସ୍ତୁତ କରିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସୂଚନା ଅନୁୟାୟୀ, ୨ଟି ୱାଟରପ୍ରୁଫ ପଣ୍ଡାଲ ତିଆରି କରାଯାଉଛି । ଏଥିରେ ଏକ ଛୋଟ ମଞ୍ଚ ମଧ୍ୟ ପ୍ରସ୍ତୁତ କରାଯିବ ।  ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ର ଯୋଗୀ ଆଦିତ୍ୟନାଥ, ସଙ୍ଘ ପ୍ରମୁଖ ମୋହନ ଭଗବତ, ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଉପସ୍ଥିତ ରହିବେ ।  ଅନ୍ୟପଟେ ସଂସ୍କୃତି ବିଭାଗ ପରିସରରେ ପ୍ରଦର୍ଶନୀ ଲଗିବ ନାହିଁ । ସାମାଜିକ ଦୂରତା ରକ୍ଷା କରି ପଣ୍ଡାଲ ପାଖରେ ଚଉକି ରଖାଯିବ ।

ରାଜସ୍ଥାନ ରାଜନୀତିରେ ଅଡ଼ିଓ ପରେ ଏବେ ଭିଡ଼ିଓ ରେକର୍ଡ଼ିଂକୁ ନେଇ ରାଜନୀତିରେ ଝଡ଼

ରାଜସ୍ଥାନ ରାଜନୀତିର ନାଟକ ଥମିବାର ନାଁ ନେଉ ନାହିଁ । ପ୍ରଥମେ ଅଡିଓ ଟେପକୁ ନେଇ ବିବାଦ ଦେଖାଦେବା ପରେ ଏବେ  ଭିଡ଼ିଓ ରେକର୍ଡିଂକୁ ନେଇ ଉତ୍ତେଜନା ଲାଗି ରହିଛି । ବିଧାନସଭା ବାଚସ୍ପତି ସିପି ଯୋଶୀ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ପୁଅ ବୈଭବ ଗେହଲୋତଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଭିଡିଓ ଉପରେ ଭାରତୀୟ ଜନତା ପାର୍ଟି ଆକ୍ରମଣ କରିଛି । ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି ଯେ ବାଚସ୍ପତି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଦରକାର ।

ବିଜେପି ନେତା ସତୀଶ ପୁନିଆ କହିଛନ୍ତି ଯେ, ଯେଉଁ ପ୍ରକାରର ଆମେ ବାର୍ତ୍ତାଳାପ ଭିଡିଓରେ ଶୁଣିଛୁ, ଏଥିରୁ ଜଣାପଡୁଛି ଯେ ବିଧାନସଭା ବାଚସ୍ପତି କଂଗ୍ରେସ ପାର୍ଟିରୁ ଆସିଛନ୍ତି ଏବଂ ଦଳ ପାଇଁ ପକ୍ଷପାତ ଦେଖାଉଛନ୍ତି ଯାହା ଜଣେ ବାଚସ୍ପତିଙ୍କ ପକ୍ଷରେ ଅନୁଚିତ । ସେ କହିଛନ୍ତି ଯେ ବଚସ୍ପତି ପଦବୀ ଏକ ଗୁରୁତ୍ୱପୂର୍ଣ୍ଣ ପଦ ଏବଂ ଯେତେବେଳେ ଏଭଳି ଜଣେ ବ୍ୟକ୍ତିଙ୍କୁ ନେଇ  ପ୍ରଶ୍ନ ଉଠିଥାଏ, ସେତେବେଳେ ସେ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ୍ ।

Ashok Gehlot calls another cabinet meet to discuss governor’s reservations over Rajasthan assembly session

ସେ ଏହା ମଧ୍ୟ କହିଛନ୍ତି ଯେ, ବାଚସ୍ପତ୍ତି କୌଣସି ସାଧାରଣ ବ୍ୟକ୍ତିଙ୍କ ସହ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ପୁଅଙ୍କ ସହ କଥା ହେଉଛନ୍ତି । ଏଭଳି ପରିସ୍ଥିତିରେ ସେ କଂଗ୍ରେସକୁ ସମର୍ଥନ କରୁଥିବା ସ୍ପଷ୍ଟ ଜଣାପଡୁ ଥିବାବେଳେ ସମ୍ବିଧାନ ଅନୁଯାୟୀ ବିଧାନସଭା ବାଚସ୍ପତି ନିରପେକ୍ଷ ହେବା ଉଚିତ୍ । ସେ କହିଛନ୍ତି ଯେ, ଗୋଟିଏ ପଟେ ବିଧାନସଭା ବାଚସ୍ପତି ବିଧାୟକଙ୍କୁ ନୋଟିସ ଦେବା ପ୍ରସଙ୍ଗରେ  ହାଇକୋର୍ଟ ଲକ୍ଷ୍ମଣରେଖ ଅତିକ୍ରମ କରୁଥିବା ଅଭିଯୋଗ ନେଇ ସୁପ୍ରିମକୋର୍ଟ ଯାଇଛନ୍ତି ଅନ୍ୟପକ୍ଷରେ ସେ ନିଜେ ହିଁ ସବୁ ମର୍ଯ୍ୟଦା ଉଲ୍ଲଂଘନ କରି କହୁଛନ୍ତି ଯେ, ଯଦି ୩୦ ଜଣ ବିଧାୟକ ସେପଟକୁ ଚାଲିଯିବେ ତେବେ  ସରକାର ବଂଚିବ ନାହିଁ ।

ସୂଚନାଯୋଗ୍ୟ ଯେ, ବାଚସ୍ପତି ସିପି ଯୋଶୀଙ୍କ ସହ ବୈଭବ ଗେହଲୋତଙ୍କ ଭେଟିବାର ଭିଡିଓ ଆସିଛି ଏବେ ଭାଇରାଲ ହୋଇଛି । ଯେଉଁଥିରେ ବାଚସ୍ପତି କହୁଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି କଷ୍ଟକର । ଯଦି ୩୦ଜଣ ବିଧାୟକ ଚାଲିଯିବେ ତେବେ ଆପଣ କିଛି କରିପାରିବେ ନାହିଁ, ସେମାନେ ସରକାର ଭାଙ୍ଗି ଦେବେ ।

 

ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକଙ୍କୁ ଯୋଗାଇଲେ ସହାୟତା । କରୋନାରେ ମୃତ ସମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହୟତା ରାଶି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଗୁରୁବାର ଦିନ ଏହି କ୍ରମରେ କରୋନାରେ ପ୍ରାଣ ହରାଇଥିବା ଦୁଇ ଜଣ ସାମ୍ବାଦିକଙ୍କ ପରିବାରକୁ ୧୫-୧୫ ଲକ୍ଷ ଟଙ୍କା ଦିଆଯିବ । ଏନେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମଙ୍ଗରାଜ ନିଜ ଟ୍ୱିଟ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କରେନାରେ ମୃତ୍ୟୁ ବରଣ କରିଥିବା ଦୁଇ ଜଣ ସାମ୍ବାଦିକଙ୍କ ପରିବାରକୁ ଏହି ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇସାରିଛନ୍ତି । ସେଥିମଧ୍ୟରୁ ଜଣେ ହେଲେ ଗଞ୍ଜାମ ଜିଳ୍ଲାର ସାମଜ ଖବର କାଗଜ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ । ଅନ୍ୟ ଜଣେ ସାମ୍ବାଦିକ ହେଲେ କେ.ସିଏଚ ରତ୍‌ନମ୍‌ ଯିଏ ଗଜପତି ଜିଲ୍ଲାରେ  ଇନାଡୁ (ନ୍ୟୁଜ୍‌ ଟୁଡେ) ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ ।

Manas Mangraj Tweet

କରୋନାରେ ଆକ୍ରାନ୍ତ ହେବା ପରେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବେ ବୋଲି ଘୋଷଣା କରିଥିଲେ । ଗୁରୁବାର ସେହି ରାଶି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ମଞ୍ଜୁରି ମିଳିସାରିଛି ।

ଅଭାବନୀୟ ଘଟଣା, ଜଙ୍ଗଲରୁ ଏକାଥରକେ ତିନି ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଛେଣ୍ଡିପଦା ଥାନା ବାଲିପଟା ଜଙ୍ଗଲର ଅଭାବନୀୟ ଘଟଣା । ଜଙ୍ଗଲରୁ ଏକାଥରକେ  ମୃତଦେହ ଉଦ୍ଧାର । ୩ ଜଣ ମୃତକଙ୍କ ମଧ୍ୟରେ ଦୁଇ ଜଣ ଯୁବକ ଥିବା ବେଳେ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ମୃତଦେହ ଗୁଡ଼ିକ ଅନେକ ଦିନ ଧରି ଜଙ୍ଗଲରେ ସେହିଭଳି ଝୁଲନ୍ତା ଅବସ୍ଥାରେ ରହିଥିବା ଜଣାପଡ଼ିଛି ।

ANUGUL DEADBODY1

କିଛି ଗ୍ରମବାସୀ ଜଙ୍ଗଲ ଭିତର ଦେଇ କୌଣସି କାମରେ ଯାଇଥିବା ବେଳେ ମୃତଦେହ ଗୁଡ଼ିକ ଝୁଲୁଥିବା ଦେଖିବାକୁ ପାଇଥିଲେ । ସେମାନେ ତୁରନ୍ତ ଅନ୍ୟ ଲୋକଙ୍କୁ ସୂଚନା ଦେବା ସହ ପୋଲିସ୍‌କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩  ମୃତ ଦେହକୁ ଉଦ୍ଧାର କରିଛି ।

ANUGUL DEADBODY1

ତେବେ ପ୍ରେମ ଜନିତ କାରଣରୁ ସେମାନେ ଆତ୍ମହତ୍ୟା କରିଥିବା ଲୋକମାନେ ସନ୍ଦେହ କରିଛନ୍ତି । ଗୋଟିଏ ଡାଳରେ ଜଣେ ଯୁବକ ଓ ଜଣେ ଯୁବତୀ ଏକା ସଙ୍ଗେ ବେଗରେ ଦଉଡ଼ି ଦେଇ ଆତ୍ମ ହତ୍ୟା କରିଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଜଣେ ଯୁବକ ଅନ୍ୟ ଏକ ଗଛ ଡାଳରେ ବହୁ ଉପରେ ଠିକ୍‌ ସେହିଭଳି ଝୁଲିଥିବା ଦେଖାଯାଇଛି ।

ANUGUL DEADBODY1

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ମୃତକମାନେ ନିକଟସ୍ଥ ଗାଁ ବାଲିପଶିର ବୋଲି ଅନୁମାନ କରାଯାଉଛି । ତେବେ ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ଏବେ ବି ସନ୍ଦେହ ଘରରେ ରହିଛି । ମୃତଦେହ ଅନେକ ଦିନ ହେବ ଝୁଲି ରହିଥିବାରୁ ପଚି ଯାଇ ସେଥିରୁ ଦୁର୍ଗନ୍ଧ ବାହାରୁଛି । ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ତେବେ ପ୍ରଶ୍ନ ଉଠୁଛି ଯେ, ଯଦି ଗୋଟିଏ ଗଛରେ ଝୁଲୁଥିବା ଦୁଇ ଜଣ ଯୁବକ ଯୁବତୀ ପ୍ରେମ ପାଇଁ ଆତ୍ମହତ୍ୟା କରିଛନ୍ତି ତେବେ ତୃତୀୟ ଯୁବକ କଣ ପାଇଁ ଆତ୍ମହତ୍ୟା କରିଛନ୍ତି । ସୂଚନାଯୋଗ୍ୟ ଯେ, ତୃତୀୟ ଯୁବକ ପ୍ରଥମ ଯୁବକଙ୍କ ସାଙ୍ଗ । ୨୦୧୮ ମସିହାରୁ ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ଏବେ କେଉଁ ପରିସ୍ଥିତିରେ ସେମାନେ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ପରିବାର ବର୍ଗଙ୍କ ସନ୍ଦେହ ଯେ,ସେମାନଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଛି ।

ମଣିପୁରରେ ୩ ଯବାନ ସହିଦ, ୪ ଗୁରୁତର

ମଣିପୁର: ପୁଣି ସେନା ଉପରେ ଆକ୍ରମଣ । ୩ ଯବାନ ସହିଦ । ମଣିପୁରରେ ଭାରତୀୟ ସେନା ବାହିନୀ ଉପରେ ଆକ୍ରମଣ କରାଯାଇଛି । ଏହି ଘଟଣାରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ମିଆଁମାର ସୀମାନ୍ତରେ ଥିବା ଚାନ୍ଦେଲରେ ସ୍ଥାନୀୟ ଗୋଷ୍ଠୀ ପିପୁଲ୍ସ ଲିବରେସନ୍ ଆର୍ମିର ଆତଙ୍କବାଦୀ ଗୋଷ୍ଠି ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ଅଚାନକ ଭାରତୀୟ ସେନାଙ୍କ ଉପରେ ଗୁଳି ବର୍ଷା କରିଥିଲେ । ଫଳରେ ଆସାମ ରାଇଫଲ୍ସ ୟୁନିଟ୍‌ର ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା ।

ANI ଅନୁଯାୟୀ ଆତଙ୍କବାଦୀମାନେ ପ୍ରଥମେ IED ବିସ୍ଫୋରଣ କରିଥିଲେ ଏବଂ ପରେ ସୈନିକମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଇମ୍ଫାଲ ଠାରୁ ୧୦୦ କିଲୋମିଟର ଦୂରରେ ଥିବା ସେହି ଅଞ୍ଚଳକୁ ଏବେ ଅଧିକ ଫୋର୍ସ ପଠାଯାଇଛି । ସମ୍ପୂର୍ଣ୍ଣ ଅଞ୍ଚଳରେ ଅପରେସନ୍‌କୁ ଜୋର୍‌ଦାର କରାଯାଇଛି ।