ନନ୍ଦିଘୋଷ ବ୍ୟୁରୋ: ଆଜି ବିଜେଡିର ରାଇଘର ବନ୍ଦ ଡ଼ାକରା । ରାଜ୍ୟ ସରକାର ବିରୋଧରେ ୧୨ ଘଣ୍ଟିଆ ବନ୍ଦ ପାଳନ ସହ ଆନ୍ଦୋଳନ ତୀବ୍ରତର ପାଇଁ ସରକାରଙ୍କୁ ଚେତାବନୀ ଦେଇଛି ବିଜେଡି। ଆନ୍ଦୋଳନ ବେଳେ ଅତ୍ୟାବଶ୍ୟକ ସେବା ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀର ଗାଡି ଓ ଔଷଧ ଦୋକାନକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ବିଜେଡି ପକ୍ଷରୁ ଲୋକଙ୍କୁ ଅପିଲ କରାଯାଇଛି। ରାଇଘର ଅଂଚଳର ୩୪୪ ଜଣ ଚାଷୀ ସରକାରୀ ନିୟମ ଅନୁସାରେ ରେଜିଷ୍ଟ୍ରେସନ ପରେ ଧାନ ଚାଷ କଲେ।୧୫ ଫେବୃଆରୀରୁ ଧାନ ବିକିବା ପାଇଁ ମେସେଜ ଆସିଲା। ମଣ୍ଡିରେ ଧାନ ଦେଇ ରସିଦ ପାଇଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଧାନ ବିକ୍ରି ଟଙ୍କା ପାଇଲେ ନାହିଁ। ସରକାରୀ ନିୟମ ଅନୁସାରେ ୨୪ ଘଣ୍ଟାରୁ ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଧାନ ବିକ୍ରିର ଟଙ୍କା ମିଳିବା କଥା।୨୩ ଏପ୍ରିଲରେ ସରକାରୀ ଅଧିକାରୀ ଚାଷୀଙ୍କ ସହ ଆଲୋଚନା ପରେ ବି ଚାଷୀ ଟଙ୍କା ପାଇଲେ ନାହିଁ। କିଛି ମିଲ୍ ମାନଙ୍କୁ ଟାର୍ଗେଟ ଦିଆ ଯାଇନାହିଁ ତେଣୁ ଚାଷୀ ଟଙ୍କା ପାଇ ପାରୁ ନାହାନ୍ତି। ଚାଷୀଙ୍କ ଭୁଲ୍ ରହିଲା କେଉଁଠି ବୋଲି ବିଜେଡି ପ୍ରଶ୍ନ କରିଛି। ବିଜେପିର ଚାଷୀ ମାରଣ ନୀତି ବିରୋଧରେ ଆନ୍ଦୋଳନ ତୀବ୍ରତର ହେବ। ଆଜି ରାଇଘରରେ ପାଳନ ହେବ କଳାଦିବସ। ଚାଷୀଙ୍କର ସାଢ଼େ ଚାରିକୋଟି ଟଙ୍କା ଏଯାଏଁ ମିଳିନାହିଁ। ୬ ଦିନ ହେଲା ଭୁବନେଶ୍ୱରରେ ଚାଷୀ ଆନ୍ଦୋଳନ କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଏ ବିଷୟ ନବୁଝିବା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି।
ଖାଦ୍ୟରେ ବିଷକ୍ରିୟା ଯୋଗୁଁ ୧୦୦ରୁ ଅଧିକ ଭକ୍ତ ମେଡିକାଲରେ ଭର୍ତ୍ତି
ଖାଦ୍ୟରେ ବିଷକ୍ରିୟା ଯୋଗୁଁ ୧୦୦ରୁ ଅଧିକ ଭକ୍ତ ମେଡିକାଲରେ ଭର୍ତ୍ତି। ତାମିଲନାଡୁ ବିରୁଧୁନଗର ଜିଲ୍ଲାର ଏକ ମନ୍ଦିରରେ ପ୍ରସାଦ ଖାଇ ଅସୁସ୍ଥ ହୋଇ ପଡିଛନ୍ତି ଭକ୍ତ। ମନ୍ଦିରରେ ମହୋତ୍ସବରେ ଖାଦ୍ୟ ପରିବେଷଣ କରାଯାଇଥିଲା। ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାଂଶ ଅସୁସ୍ଥଙ୍କୁ ମଦୁରାଇର ରାଜାଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ କିଛି ଲୋକଙ୍କୁ ବିରୁଧୁନଗରର ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି। ସମସ୍ତ ରୋଗୀ ସୁସ୍ଥ ଥିବା ରାଜାଜୀ ହସ୍ପିଟାଲର ଡିନ୍ କହିଛନ୍ତି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ। ଖାଦ୍ୟରେ ବିଷକ୍ରିୟାର କାରଣ କଣ ଏହାର ତଦନ୍ତ ଚାଲିଛି।
ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସୂପକାର ସେବାୟତଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ
ପୁରୀ: ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସୂପକାର ସେବାୟତଙ୍କୁ ହତ୍ୟା ଘଟଣା। ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୁରୀ ପୋଲିସ। ଅଭିଯୁକ୍ତ ନାରାୟଣ ପାଟ୍ଟଯୋଶୀଙ୍କୁ ଗିରଫ କରିଛି ପୋଲିସ।
ଟାଉନ ଥାନା ଅନ୍ତର୍ଗତ ଗୁଡ଼ିଆ ସାହିରେ ଘଟିଥିଲା ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ।
ମୃତ ସେବାୟତ ହେଲେ ମହି ପ୍ରକାଶ ମଠର ୮୪ ବର୍ଷୀୟ ଜଗନ୍ନାଥ ଦିକ୍ଷୀତ। ସ୍ନାନ ମଣ୍ଡପରେ ପନ୍ତିବଡୁ ସେବା ପାଳିସାରି ଫେରୁଥିଲେ ଜଗନ୍ନାଥ। ରାସ୍ତାରେ ଜଗନ୍ନାଥଙ୍କୁ ନିଜ ଘରକୁ ଡ଼ାକି ହତ୍ୟା କରିଥିଲା ନାରାୟଣ। ପରେ ମୃତ ଦେହକୁ ଦାଣ୍ଡରେ ଶୁଆଇ ଦେଇ ସାଇକେଲ ଯୋଗେ ପଳାଇଥିଲା। ପଡ଼ୋଶୀ ଖବର ଦେବାପରେ ସାଇଣ୍ଟିଫିକ ଟିମ୍ ଓ ଟାଉନଥାନା ପୋଲିସ ପହଞ୍ଚି ଛନଭିନ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇଛି ପୋଲିସ। ସେପଟେ ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ । ବ୍ୟକ୍ତିଗତ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସେ କହିଛନ୍ତି।
ସରକାରଙ୍କୁ ଘାରିଛି ଦଶମରେ ଡ୍ରପଆଉଟ ଚିନ୍ତା
ସରକାରଙ୍କୁ ଘାରିଛି ଦଶମରେ ଡ୍ରପଆଉଟ ଚିନ୍ତା । ଏହାକୁ ରୋକିବାକୁ ଡ୍ରପଆଉଟ୍ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି । ଚାଇଲ୍ଡ ଟ୍ରାକିଂ ସର୍ଭେ ବି ଚାଲିଛି । ଡୋର ଟୁ ଡୋର ଯାଇ ଶିକ୍ଷକମାନେ ସର୍ଭେ କରିଛନ୍ତି । ସେହି ସର୍ଭେ ରିପୋର୍ଟ ଆସିଲା ପରେ ପଦକ୍ଷେପ ନେବେ ସରକାର । ଗତ ଶିକ୍ଷା ବର୍ଷରେ ଏହା ଉପରେ ଅଂକୁଶ ଲାଗିପାରି ନଥିଲା ।
ଗତବର୍ଷ ୭,୬୮୨ ପିଲା ଅଧାରୁ ପାଠ ଛାଡ଼ିଥିଲେ । ଏଥିସହ ୨୦୨୪-୨୫ ମସିହାରେ ପ୍ରାଥମିକ ଶ୍ରେଣୀରେ ୨, ୨୯୯ ପିଲା ଅଧାରୁ ପାଠ ଛାଡ଼ିଥିଲେ । ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପର୍ଯ୍ୟନ୍ତ ୧,୧୯୮ ପିଲା ଅଧାରୁ ପାଠ ଛାଡ଼ିଥିଲେ । ସେହିପରି ନବମରୁ ଦଶମ ଶ୍ରେଣୀ ମଧ୍ୟରେ ୧,୪୪୬ ପିଲା ଅଧାରୁ ପାଠ ଛାଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୪୮୧ ପିଲା ସ୍କୁଲ ଫେରିଥିଲେ । ମାତ୍ର ୨୮ ଟି ଜିଲ୍ଲା ୯୬୫ ପିଲା ବିଦ୍ୟାଳୟ ଆସୁନାହାନ୍ତି । ମାଟ୍ରିକରେ ଫର୍ମ ଫିଲଅପ୍ କରି ୮୩୬୨ ପିଲା ପରୀକ୍ଷା ଦେଇ ପାରି ନଥିଲେ । ଏହାର ପ୍ରକୃତ କାରଣ ଖୋଜି ଶିକ୍ଷା ଉପଯୋଗୀ ବାତାବରଣ ସୃଷ୍ଟି କରିବାକୁ ଅଭିଭାବକ ଦାବି କରିଛନ୍ତି ।
ଗୁରୁମନ୍ତ୍ର ଦେବେ ନବୀନ; ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଦେବେ ଫର୍ମୁଲା
ଭୁବନେଶ୍ୱର: ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ନବୀନ। ଫୋକସରେ ତୃଣମୂଳ ସଂଗଠନ। ସରକାରଙ୍କ ବିରୋଧରେ ତ୍ବରିତ ହେବ ଜନଜାଗରଣ। ବିଧାୟକ କହିଲେ ଜନସେବା ହିଁ ବିଜେଡିର ମୂଳମନ୍ତ୍ର। ସଶକ୍ତ ବିରୋଧୀ ଦଳ ଭୂମିକାରେ ବିଜେଡି। ଲୋକଙ୍କ ସ୍ବର ସାଜି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଛି ଦଳ। କେତେବେଳେ ଦରଦାମକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ତ ଆଉ କେତେବେଳେ ଓବିସି ସଂରକ୍ଷଣ ନେଇ ସରକାର ବିରୋଧରେ ଜୋରଦାର ଲଢେଇ କରିଛି। ମହାନଦୀ, ପୋଲାଭରମ ପାଇଁ ବିଜେଡି ଗ୍ରାଉଣ୍ଡରୁ ବିଧାନସଭା ଯାଏଁ ହକ ମାଗିଛି। ୫୧ ଜଣ ବିଜେଡି ବିଧାୟକ ବିଧାନସଭାରୁ ନିର୍ବାଚନମଣ୍ଡଳି ଯାଏ ଲୋକଙ୍କ ସମସ୍ୟା ସରକାରଙ୍କ ସାମ୍ନାକୁ ଆଣି ସମାଧାନର ବାଟ ବାହାର କରିଛନ୍ତି। ଏହାରି ଭିତରେ ବିଜେପି ସରକାରକୁ ବର୍ଷେ ପୂରିଛି। ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପାଳନ କରିନାହିଁ। ବିଜେପି ସରକାର ଯାହା ପ୍ରତିଶୃତି ଦେଇଥିଲା ତାହା ପାଳନ କରିବାକୁ ସରକାରଙ୍କ ଉପରେ ଚାପ ପକାଇବାକୁ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ବିଜେଡି ବିଧାୟକମାନଙ୍କ ସହ ବୈଠକ କରି ଦେବେ ଗୁରୁମନ୍ତ୍ର ।
ବିଜେଡି ସଭାପତି ବାରମ୍ବାର ସଂଗଠନକୁ ନେଇ ବୈଠକ କରିବା ପରେ ତୃଣମୂଳରୁ ରାଜ୍ୟସ୍ତରରେ ବିଜେଡି ସଂଗଠନ କ୍ରିୟାଶୀଳ ହୋଇଛି। ୨୦୨୪ ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା କମିଥିଲେ ମଧ୍ୟ ବିଜେପି ଠାରୁ ବିଜେଡି ଅଧିକ ଭୋଟ ପାଇଛି। ବିଜେପି ସରକାର ବିଫଳତା ବିରୋଧରେ ଶାଣିତ ସ୍ବର ଉଠାଇବାକୁ ନବୀନ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ବିଜେଡି ଏବେଠାରୁ ପଂଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛି ।
୨୦୨୪ ନିର୍ବାଚନ ପରେ ୨୦୨୭ ପାଇଁ ବିଜେଡି ସଂଗଠନକୁ ନୂଆରୂପ ଦେଇ ତୃଣମୂଳ ସଂଗଠନକୁ ମଜଭୁତ କରିବାକୁ ଫୋକସ କରିଛି। ରାଜ୍ୟସ୍ତରୀୟ ଜନ ଜଗରଣ ଅଭିଯାନକୁ ତୃଣମୂଳସ୍ତରରେ ବିଧାୟକମାନେ କିପରି ଅଧିକ ତ୍ବରାନ୍ନିତ କରିବେ ତାହା ଉପରେ ବୈଠକରେ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରିବ ବିଜେଡି।

