ନନ୍ଦିଘୋଷ ବ୍ୟୁରୋ ; ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନ୍ତର୍ଗତ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ତରଫରୁ ପ୍ରଫେସର ଅନିଲ କୁମାର ମହାପାତ୍ର ସମ୍ମାନଜନକ ‘ଭାରତୀୟ ଚେୟାର’ ରୂପେ ଚୟନ ହୋଇଥିବାର ଗୌରବ ଅର୍ଜନ କରିଛନ୍ତି । ଭାରତ ସରକାର ୩୨ ଗୋଟି ଦେଶ ସହ ବୁଝାମଣାପତ୍ର ସ୍ଵାକ୍ଷର କରି ୪୭ ଗୋଟି ଚେୟାର ପ୍ରତିଷ୍ଠା କରିଛନ୍ତି। ଏହି ଚୟନ ପ୍ରକ୍ରିୟା ବହୁତ ପ୍ରତିଯୋଗିତା ପୂର୍ଣ୍ଣ ଅଟେ । କାରଣ ଏହା ବିଭିନ୍ନ ବିଭାଗକୁ ବିଚାରକୁ ନେଇଥାଏ ଏବଂ ଯେଉଁମାନଙ୍କ ଚୟନ ହୋଇଥାଏ ସେମାନେ ବର୍ଷେ ବା ଦୁଇବର୍ଷ ବୁଝାମଣା ସ୍ବାକ୍ଷରିତ ହୋଇଥିବା ବିଶ୍ବବିଦ୍ୟାଳୟ ମାନଙ୍କରେ ଆବାସିକ ଭାବେ ରହି ଭାରତର ସଂସ୍କୃତି, ରାଜନୈତିକ ବ୍ୟବସ୍ଥା ଇତ୍ୟାଦି ଉପରେ ସନ୍ଦର୍ଭ ଲେଖିବା, ଗବେଷଣାରେ ସହାୟତା କରିବା ଏସବୁ କାର୍ଯ୍ୟ କରିଥାନ୍ତି। ଭାରତର ସାଂସ୍କୃତିକ ରାଜଦୂତ ଭାବରେ ସେମାନଙ୍କୁ ଗ୍ରହଣ କରାଯାଏ। ସେହି କ୍ରମରେ ପ୍ରଫେସର ଅନିଲ ମହାପାତ୍ର କାଠମାଣ୍ଡୁର ତ୍ରିଭୁବନ ବିଶ୍ବବିଦ୍ୟାଳୟରେ ସେହି ଭାରତୀୟ ଶିକ୍ଷା ଚେୟାର ମଣ୍ଡନ କରିବେ। ଆଗରୁ ପ୍ରଫେସର ମହାପାତ୍ର ଅକ୍ସଫୋର୍ଡ ଓ ହାଇଡେଲବର୍ଗ ବିଶ୍ବବିଦ୍ୟାଳୟରେ ଫେଲୋସିପ ପାଇ ଗବେଷଣା କରିବାର କୃତିତ୍ବ ଅର୍ଜନ କରିଛନ୍ତି। ଫକୀର ମୋହନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଏହି ସମ୍ମାନ ପାଇବାରେ ଓଡିଶାର ସମସ୍ତ ବିଶ୍ବବିଦ୍ୟାଳୟରୁ ବୋଧହୁଏ ପ୍ରଥମ ବ୍ୟକ୍ତି।
ଅନଲାଇନରେ କରଜ ଟଙ୍କା ସୁଝିବା ପାଇଁ ଚୋରି, ଚୋରକକୁ କାବୁ କଲା ପୋଲିସ୍
ଭୁବନେଶ୍ବର : ବିଳାସପୁର୍ଣ୍ଣ ଜୀବନ ବିତାଇବା ସହ ଅନଲାଇନରେ କରଜ ଟଙ୍କା ସୁଝିବା ପାଇଁ ଚୋରି । ଚୋରକକୁ କାବୁ କଲା ପୋଲିସ୍ । ଭୁବନେଶ୍ୱର ଚନ୍ଦ୍ରଶେଖର ଥାନା କୈଳାଶ ବିହାର ଅଞ୍ଚଳରେ ସୁନା, ଟଙ୍କା ଓ ଗୁରୁତ୍ୱପୂର୍ଣ ଦସ୍ତାବିଜ ଚୋରି କରିଥିଲା । ଏ ନେଇ ଥାନାରେ ଅଭିଯୋଗ କରିଥିଲେ ଘର ମାଲିକ ଜ୍ଞାନ ରଞ୍ଜନ ସେନାପତି । ମାମଲାରେ ଯାଜପୁର ଅଞ୍ଚଳର ପ୍ରତିରଞ୍ଜନ ବିଶ୍ୱାଳ ଓ ତାଙ୍କ ଠାରୁ ଗହଣା କିଣିଥିବା କଟକ ଅଂଚଳର ଜଣେ ସୁନା କାରିଗରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ୬ ଲକ୍ଷ ଟଙ୍କାର ଅଳଙ୍କାର, ନଗଦ ୪୦ ହଜାର ଟଙ୍କା ସହ ଏଲଆଇସି ବଣ୍ଡ ଚୋରୀ ହୋଇଥିଲା । ସମସ୍ତ ଚୋରି ଜିନିଷ ଜବତ କରିଛି ପୋଲିସ । ଆଜି ପୋଲିସ ପକ୍ଷରୁ ଘର ମାଲିକ ଜ୍ଞାନ ରଞ୍ଜନ ସେନାପତିଙ୍କୁ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଅଳଙ୍କାର ଓ କାଗଜପତ୍ର ତଦନ୍ତ ପରେ ଫେରସ୍ତ କରାଯିବ ବୋଲି କୁହାଯାଇଛି ।
୧୦୮ ଏଵଂ ଜନନୀ ଆମ୍ବୁଲାନ୍ସ ସେବାରେ ନିୟୋଜିତ କର୍ମଚାରୀଙ୍କ ଆନ୍ଦୋଳନ
ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ୧୦୮ ଏଵଂ ଜନନୀ ଆମ୍ବୁଲାନ୍ସ ସେବାରେ ନିୟୋଜିତ କର୍ମଚାରୀଙ୍କ ଆନ୍ଦୋଳନ । ଆମ୍ବୁଲାନ୍ସ ଚାଲୁ ନଥିବାରୁ ଜିଲ୍ଲାରେ ରୋଗୀ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ କାର୍ଯ୍ୟରତ ୬୨ଟି ୧୦୮ ଆମ୍ବୁଲାନ୍ସ ଏଵଂ ୪୦ରୁ ଅଧିକ ଜନନୀ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି । ସଠିକ ଦରମା ପାଉନଥିବା, ଗତ ସରକାରଙ୍କ ସମୟରେ ପାଉଥିବା ସ୍ପେଶାଲ ଇନସେଣ୍ଟିଭ ବନ୍ଦ ରଖାଯାଇଥିବା ଏଵଂ ଆମ୍ବୁଲାନ୍ସ ଗୁଡ଼ିକର ଆବଶ୍ୟକତା ମୁତାବକ ମରାମତି କରାଯାଉନଥିବାରୁ ରୋଗୀ ପରିବହନରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି । ଆମ୍ବୁଲାନ୍ସରେ ଏସି ଅଚଳ ହୋଇପଡିବା ସହିତ ଅଧିକାଂଶ ଆମ୍ବୁଲାନ୍ସରେ ଭେଣ୍ଟିଲେଟର ନ ଥିବାରୁ ଅକ୍ସିଜେନ ସିଷ୍ଟମ ଅଚଳ ହୋଇପଡିଛି । ଫଳରେ ଗୁରୁତର ରୋଗୀ ବାହାରକୁ ଯିବା ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ସମ୍ପର୍କରେ କର୍ମଚାରୀମାନେ ବାରମ୍ବାର କମ୍ପାନୀ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ମାତ୍ର କିଛି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଆନ୍ଦୋଳନ କୁ ଓହ୍ଲାଇଛନ୍ତି କର୍ମଚାରୀ ।
ହୋଟେଲରୁ ମିଳିଲା ଡାକ୍ତରଙ୍କ ମୃତଦେହ
ବାଲେଶ୍ବର : ହୋଟେଲରୁ ମିଳିଲା ଡାକ୍ତରଙ୍କ ମୃତଦେହ । ବାଲେଶ୍ବର ହୋଟେଲ ନିଶିରୁ ଉଦ୍ଧାର ହେଲା ପଶ୍ଚିମବଙ୍ଗ ଡାକ୍ତରଙ୍କ ମୃତଦେହ । ମୃତକ ହେଲେ ଡାକ୍ତର ପ୍ରଦିପ ମଲ୍ଲିକ । ପ୍ରତି ମାସରେ ବାଲେଶ୍ଵର ଦିନକ ପାଇଁ ଆସନ୍ତି । ନିଶା ଛଡାଇବା ପାଇଁ ଔଷଧ ଦିଅନ୍ତି । ଗତକାଲି ଠାରୁ ଆସି ହୋଟେଲରେ ରହିଥିଲେ । ବେଙ୍ଗଲରୁ ମଦ ଛଡାଇବା ଔଷଧ ଦେବାପାଇଁ ୧୨-୧୩ ବର୍ଷ ହେଲା ସେ ବାଲେଶ୍ବର ଆସୁଥିଲେ । ପ୍ରତିଥର ହୋଟେଲ ନିଶିରେ ରହିଛି ଚିକିତ୍ସା କରୁଥିଲେ । ଗତକାଲି ରାତିରେ ଖାଇ ଶୋଇଥିଲେ । ଆଜି ସକାଳୁ ୭ଟା ରେ ରୁମ ଛାଡିବା କଥା । ତେବେ ରୁମ୍ ଭିତରୁ ଲକ୍ ଥିବାରୁ ଡାକିଥିଲେ କର୍ମଚାରୀ । କୌଣସ ଉତ୍ତର ନମିଳିବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ତାଲା ଭାଙ୍ଗି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।
ଧୀରେ ଧୀରେ ସୁଧୁରୁଛି ଭଦ୍ରକ ସ୍ଥିତି, ସଂଧ୍ୟା ୬ଟା ପରେ ଇଣ୍ଟରନେଟ୍ ସେବା ସ୍ବାଭାବିକ
ଭଦ୍ରକ : ଧୀରେ ଧୀରେ ସୁଧୁରୁଛି ଭଦ୍ରକ ସ୍ଥିତି । ହେଲେ ପୁଣି ୧୨ ଘଣ୍ଟା ଇଣ୍ଟରନେଟ୍ ବନ୍ଦ କରିଥିଲା ପ୍ରଶାସନ । ଗତକାଲିଠୁ ୩୬ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ ହେବାଯୋଗୁ ସମସ୍ୟାରେ ଥିଲେ ସହରବାସୀ । ନାମ ଲେଖାଠୁ ନେଇ ନିଯୁକ୍ତି ଆବେଦନ ଓ ଖବର ପାଇବାରେ ହଇରାମ ହୋଇଥିଲେ ଛାତ୍ରଛାତ୍ରୀଙ୍କ ସମେତ ଚାକିରି ଆଶାୟୀ । ଠପ୍ ହୋଇଥିଲା କାରବାର । ଯୁକ୍ତ ଦୁଇ ଓ ଯୁକ୍ତ ତିନି ନାମଲେଖା ଚାଲିଥିବା ବେଳେ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ଛାତ୍ରଛାତ୍ରୀ ଭୋଗିଛନ୍ତି ନାହିଁ ନଥିବା ଅସୁବିଧା । ଆଇଆଇଟି ଓ ଏନଆଇଟିରେ ଆଡ଼ମିଶନ ସମ୍ପର୍କିତ ଖବର ମିଳିବାରେ ସମସ୍ୟା ଯୋଗୁ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ସେହିପରି ଅନଲାଇନ୍ ଯୋଗେ ଆଧାରକାର୍ଡ଼ ସଂଶୋଧନ, ପାର୍ସପୋର୍ଟ ସେବା ପାଇଁ ଆବେଦନ ହୋଇପାରୁନଥିଲା । ଦୂରଦୂରନ୍ତରୁ ଜିଲ୍ଲା ମୁଖ୍ୟାଳୟକୁ ଆସୁଥୁବା ଲୋକଙ୍କୁ ହତାଶ ହୋଇ ଫେରିବାକୁ ପଡୁଥିଲା ।
ଇଣ୍ଟରନେଟ ସେବା ବନ୍ଦ ଯୋଗୁ ଲୋକେ ଅନଲାଇନ ଯୋଗେ ଜିନିଷପତ୍ର ମଗାଇପାରିନାହାନ୍ତି । ରାତି ପାହିଲେ ରଜ ଥିବାରୁ କିଣାବିକା ମଧ୍ୟ ହୋଇପାରିନଥିଲା । ଯାହାର ସିଧାସଳଖ ପ୍ରଭାବ ପଡ଼ିଥିବା ବ୍ୟବସାୟ କ୍ଷେତ୍ରରେ । ତେବେ ପରିସ୍ଥିତିରେ ସୁଧାର ଅସୁଥିବାରୁ ସଂଧ୍ୟା ୬ଟାରୁ ଇଣ୍ଟରନେଟ୍ ସେବା ସ୍ବାଭାବିକ ହୋଇଥିବା କହିଛନ୍ତି ଭଦ୍ରକ ଏସପି । କଷଟି ଗୁଜିଦରଡ଼ା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ସନ୍ତୋଷ ପରିଡ଼ାଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଭଦ୍ରକରେ ଦେଖା ଦେଇଥିଲା ଆଇନଶୃଙ୍ଖଳା ପରିସ୍ଥିତି । ସ୍ଥିତି ବିଗିଡ଼ିବା ଆଶଙ୍କା କରି ୩୬ ଘଣ୍ଟା ଧରି ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିଲା । ଶୁକ୍ରବାର ସଂଧ୍ୟା ୬ଟା ପରେ ଅନଲାଇନ୍ ସେବା ସ୍ବାଭାବିକ ହୋଇଛି ।
ଛତିଶଗଡ଼ର ପୁଣି ଦାଦାଗିରି, ଇନ୍ଦ୍ରାବତୀ ନଦୀ ଉପରେ ବୋଧଘାଟ ପ୍ରକଳ୍ପ କରିବାକୁ ଯୋଜନା
ଭୁବନେଶ୍ବର : ରାଜ୍ୟରେ ନଦୀ ଦୂଷିତ। ଏହାର ପାଣି ବ୍ୟବହାର କଲେ ବ୍ୟାପୁଛି ଝାଡ଼ାବାନ୍ତି। ଛତିଶଗଡ଼ର ଦାଦାଗିରି ଯୋଗୁ ଶୁଖିଲା ପଡ଼ିଛି ଓଡ଼ିଶାର ଜୀବନରେଖା ମହାନଦୀ। ଏବେ ପୁଣି ଛତିଶଗଡ଼, ମହାନଦୀ ଇନ୍ଦ୍ରାବତୀ ନଦୀ ସଂଯୋଗୀକରଣ ସହ ଇନ୍ଦ୍ରାବତୀ ନଦୀ ଉପରେ ବୋଧଘାଟ ପ୍ରକଳ୍ପ କରିବାକୁ ଘୋଷଣା କରିଛି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ଓଡ଼ିଶା ନଦୀ ସୁରକ୍ଷା ସମ୍ମିଳନୀ। ମହାନଦୀ ଶୁଖି ଯିବାକୁ ବସିଥିବା ବେଳେ, ଛତିଶଗଡ଼ର ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ। ମହାନଦୀ, ଇନ୍ଦ୍ରାବତୀ ନଦୀ ସଂଯୋଗୀକରଣ ଓ ଇନ୍ଦ୍ରାବତୀ ନଦୀରେ ଛତିଶଗଡ଼ର ବୋଧଘାଟ ପ୍ରକଳ୍ପକୁ ବିରୋଧ କରିବାକୁ ପ୍ରସ୍ତୁତ ହୋଇଛି ରଣନୀତି। ଏହି ପ୍ରକଳ୍ପକୁ କରାଇ ନଦେବାକୁ ଚେତାବନୀ ଦେଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ଖୁବଶୀଘ୍ର ମହାନଦୀ ସମେତ ରାଜ୍ୟର ଅନ୍ୟାନ୍ୟ ନଦୀକୁ ବଞ୍ଚାଇବାକୁ ପ୍ରସ୍ତୁତ ହେବ କମିଟି। ତେବେ ଓଡ଼ିଶାରେ ନଦୀର ସ୍ଥିତିକୁ ନେଇ ବର୍ଷିଛନ୍ତି ଜଳ ମାନବ ରାଜେନ୍ଦ୍ର ସିଂ। ତାଙ୍କ କହିବା କଥା, ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଥିବା ବେଳେ, ଆଲୋଚନା କରି ଜଳ ବିବାଦର କରାଯାଉ ସମାଧାନ। ବିକାଶ ନାଁରେ ନଦୀକୁ କରାଯାଉଛି ହତ୍ୟା। ଓଡ଼ିଶାର ସବୁ ନଦୀ ଉପରେ ଶ୍ୱେତପତ୍ର ପ୍ରକାଶ ହେବା ଦରକାର ବୋଲି ସମ୍ମିଳନୀରେ ଉଠିଛି ଦାବି।
ସେପଟେ ମନଇଚ୍ଛା ବ୍ୟାରେଜ, ବନ୍ଧ କରି ଜଳର ପ୍ରାକୃତିକ ପ୍ରବାହକୁ ରୋକି ନଦୀକୁ ମାରି ଦିଆଯାଉଛି। ତେଣୁ ସରକାର ଏସବୁ ଉପରେ ଧ୍ୟାନ ଦେବା ଜରୁରୀ। ରାଜ୍ୟରେ ସ୍ୱତନ୍ତ୍ର ନଦୀ ବିଭାଗ, ନଦୀ ନୀତି ଓ ନଦୀ ବଜେଟ ପାଇଁ ଉଠିଛି ଦାବି। ଛତିଶଗଡ଼ ମହାନଦୀରେ ପାଣି ନ ଛାଡିବା ଓ ଆନ୍ଧ୍ର ପୋଲଭରମ କରି ଓଡ଼ିଶାକୁ ବୁଡାଇବା ପାଇଁ ଯୋଜନା କରିଥିବା ବେଳେ, ଏବେ ନୂଆ ପ୍ରକଳ୍ପ ପାଇଁ ଅନୁମତି ପାଇଛି। ସବୁ ଜାଣି ବି ଚୁପ୍ ହୋଇ ବସିଛନ୍ତି ରାଜ୍ୟର ବିଜେପି। ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ମୁହଁ ନ ଖୋଲିଲେ ଓଡ଼ିଶା ଆହୁରି କ୍ଷତି ସହିବ ବୋଲି ଚେତାଇ ଦେଇଛନ୍ତି ବିଶେଷଜ୍ଞ। ଇନ୍ଦ୍ରାବତୀ ଓଡିଶାରୁ ସୃଷ୍ଟି। କିନ୍ତୁ ଏବେ ଲାଭ ନେବ ଛତିଶଗଡ଼। ବସ୍ତର ଅଞ୍ଚଳର ଦାନ୍ତେୱାଡା, ସୁକମା, ବିଜାପୁର ଅଞ୍ଚଳ ଜଳସେଚିତ ହେବ। ୪ ପ୍ରତିଶତ ବଢ଼ିବ ଜଳସେଚନ। ଆଉ ଏବେଠୁ ପ୍ରତିବାଦ ନକଲେ ଓଡ଼ିଶା ସହିବ କ୍ଷତି। ଛତିଶଗଡ଼ର ବୋଧଘାଟ ପ୍ରକଳ୍ପ ହେଲେ ଓଡ଼ିଶାର ବହୁ ଅଞ୍ଚଳ ପାଣି ପାଇବନି ବୋଲି ଚେତାଇ ଦେଇଛନ୍ତି ଜଳ ବିଶେଷଜ୍ଞ।
ଯାଜପୁରରେ ଝାଡାବାନ୍ତିର କାରଣ ଖୋଜି ପାଉନି ସ୍ବାସ୍ଥ୍ୟ ବିଭାଗ, ୪ ଦିନ ପରେ ବି ନିୟନ୍ତ୍ରଣକୁ ଆସିନି ସ୍ଥିତି
ନନ୍ଦିଘୋଷ ବ୍ୟୁରୋ : ବର୍ଷପୂର୍ତ୍ତି ଉତ୍ସବ ମନାଇବାରେ ବ୍ୟସ୍ତ ରାଜ୍ୟ ସରକାର । ସେପଟେ ଚୁଲିକୁ ଗଲାଣି ସ୍ବାସ୍ଥ୍ୟ ସେବା । ୪ଦିନ ହେଲା ନିୟନ୍ତ୍ରଣକୁ ଆସୁନି ଝାଡାବାନ୍ତି । ପାଖାପାଖି ୬୦୦ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲାଣି । ହେଲେ ଏଯାଏଁ ସ୍ପଷ୍ଟ ହୋଇନି ଝାଡାବାନ୍ତିର ପ୍ରକୃତ କାରଣ । ଗତ ୪ ଦିନ ମଧ୍ୟରେ ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ, ଦାନଗଦି ଓ ସୁକିନ୍ଦା ଆଦି ୬ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୬୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଜିଲ୍ଲାରେ ୧୦ ଜଣ ଗତ ଚାରି ଦିନରେ ଝାଡିବାନ୍ତିରେ ମୃତ୍ୟୁବରଣ କରିସାରିଲେଣି । କିନ୍ତୁ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରାଯାଉନି । ଆବଶ୍ୟକ ସଂଖ୍ୟକ ବେଡ ନଥିବାରୁ ରୋଗୀଙ୍କୁ ଚଟାଣରେ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି । ଏଥିସହିତ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା କରାଯାଉନଥିବାରୁ ମେଡିକାଲରୁ ଘରକୁ ଫେରିବା ପରେ ପୁଣି ବାନ୍ତିଝାଡ଼ା ହେଉଛି ଓ ବାରମ୍ବାର ମେଡିକାଲକୁ ଆସିବାକୁ ପଡୁଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ଜିଲ୍ଲାର ଛଅଟି ଭିନ୍ନ ଭିନ୍ନ ସ୍ଥାନରେ ଝାଡାବାନ୍ତି ବ୍ୟାପିଥିବାରୁ କାରଣ ଗୋଟିଏ ନୁହେଁ । ତେଣୁ ପାଣି ଉତ୍ସରୁ ଝାଡାବାନ୍ତି ବ୍ୟାପିଥିବା ଆଶଙ୍କା କରାଯାଉଛି । କିନ୍ତୁ ଏଯାଏଁ ସ୍ବାସ୍ଥ୍ୟ ବିଭାଗ ପ୍ରକୃତ କାରଣ ସ୍ପଷ୍ଟ କରିନାହିଁ । ହେଲେ ଜିଲ୍ଲାରେ ଏକାଧିକ ମେଡିକାଲ ଟିମ ବିଭିନ୍ନ ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରୁଛି । ନଳକୂଅ ଓ ପାଣି ଟାଙ୍କିର ବିଶୁଦ୍ଧିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ସେହିଭଳି କାଲିଠୁ ରଜ ପର୍ବ ଆରମ୍ଭ ହେଉଥିବା ସଂକ୍ରମିତ ଅଞ୍ଚଳରେ ପିଠାପଣାରୁ ଦୂରେଇ ରହିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି । ଏଥିସହିତ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏହା ଭିତରେ ଝାଡାବାନ୍ତି ସୀମା ଡେଇଁ ପଡୋଶୀ କେନ୍ଦୁଝର ଓ ଭଦ୍ରକରେ ପଶିଲାଣି । କାରଣ ଏଠାରୁ ମଧ୍ଯ ଝାଡାବାନ୍ତିରେ ଆକ୍ରାନ୍ତ ହେବାର ଖବର ଆସୁଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ଯାଞ୍ଚ କରୁଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ମହିଳାଙ୍କୁ ଅତ୍ୟାଚାର ବିରୋଧରେ ବିଜେଡିର ଗର୍ଜନ, ବିଜେପିର ମିଛ ବିରୋଧରେ ଲଢ଼େଇ ପାଇଁ ମହିଳାଙ୍କ ସଙ୍କଳ୍ପ
ଯାଜପୁର : ସ୍ବପ୍ନ ଦେଖାଇ ଭୋଟ ନେଲେ, ବର୍ଷେ ଭିତରେ ଧୂଳିସାତ କଲେ । ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା ଦେବାକୁ କହି ବର୍ଷକୁ ମାତ୍ର ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେଲେ। ଦିନକୁ ମାତ୍ର ୨୭ ଟଙ୍କାରେ କିପରି ମହିଳା ହେବେ ସ୍ବାବଲମ୍ବୀ। ମିଶନ ଶକ୍ତିରେ କାମ କରୁଥିବା ମହିଳାଙ୍କୁ ଦରମା ଦେଉନି ବିଜେପି ସରକାର। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢିବା ସହ ସୀମା ଟପିଛି ଦୁଷ୍କର୍ମ। ବିଜେପି ସରକାର ବିରୋଧରେ ଏଭଳି ଅଭିଯୋଗ କରି ରଣହୁଙ୍କାର ଦେଇଛନ୍ତି ବିଜେଡିର ହେଭିୱେଟ ନେତାଙ୍କ ଠାରୁ ଆରମ୍ଭ କରି ମହିଳା ନେତ୍ରୀ। ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଯାଜପୁର ବରୁଆଁ ଦଶହରା ପଡିଆରେ ଡବଲ ଇଞ୍ଜିନ ସରକାରକୁ କରାଯାଇଛି ତୀବ୍ର ସମାଲୋଚନା। ନିର୍ବାଚନ ସମୟରେ ଲମ୍ବା ପ୍ରତିଶୃତି ଦେଇଥିଲା ବିଜେପି। କିନ୍ତୁ ବର୍ଷକରେ ଏହା ମିଛ ବୋଲି ପ୍ରମାଣିତ ହୋଇଛି। ଏନେଇ ଗାଁ ଗାଁରେ ଜନଜାଗରଣ କରିବାକୁ ମହିଳା ସମାବେଶରେ ସଙ୍କଳ୍ପ ନେଇଛନ୍ତି ମା’ମାନେ ।
ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ସଙ୍କଳ୍ପ ନେଇଛନ୍ତି ହଜାର ହଜାର ମହିଳା। ବିଜେପି ସରକାରର ବର୍ଷ ଏକ, ବିଫଳତାର ଅନେକ ଉଦାହରଣ ଦେଇ ଗେରୁଆ ଦଳର ବର୍ଷ ପୂର୍ତ୍ତି ଉତ୍ସବକୁ କଟାକ୍ଷ କରିଛି ବିଜେଡି । ଗତ ବର୍ଷକ ଭିତରେ ରାଜ୍ଯରେ ୮ ପ୍ରତିଶତ ବଢ଼ିଛି ନାରୀ ନିର୍ଯାତନା। ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଥିବାରୁ ଜନଜାଗରଣ କରି ଓଡ଼ିଶାବାସୀଙ୍କୁ ସଚେତନ କରୁଛି ବିଜେଡି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳା ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତ ଓ ସ୍ୱାବଲମ୍ବୀ ହୋଇଥିଲେ। ନିଜକୁ ଲୋକଙ୍କ ସରକାର କହି ଆସୁଥିବା ବିଜେପି ସରକାର, ଲୋକଙ୍କୁ ସଶକ୍ତ କରିବାରେ ବିଫଳ ହୋଇଛି। ସମାବେଶ ଆରମ୍ଭରୁ ବିମାନ ଦୁର୍ଘଟଣା ଓ ଡାଇରିଆରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଶୋକସଭା କରାଯାଇଥିଲା।
ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର, ସବସିଡି ଦରରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ
ଭୁବନେଶ୍ବର : ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର । ସବସିଡି ଦରରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ । ମଧ୍ୟବିତ୍ତଙ୍କୁ କରାଯିବ ସାମିଲ । ବିଳମ୍ବିତ ପଦକ୍ଷେପକୁ ନେଇ ବିରୋଧୀଙ୍କ ସମାଲୋଚନା ।.. ..ଶେଷରେ ଲୋକଙ୍କ କଥା ମନେ ପଡିଲା । ଦରବୃଦ୍ଧିରେ ହନ୍ତସନ୍ତ ଲୋକଙ୍କୁ ଆଶ୍ବସ୍ତି ଦେବାକୁ ଅଣ୍ଟାଭିଡିଛନ୍ତି । ସରକାର ପୋଷଣ କେନ୍ଦ୍ର ଜରିଆରେ ସବସିଡି ଦରରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ । ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଭାବେ ୫ଟି ପୋଷଣ କେନ୍ଦ୍ର ଖୋଲିବ । ଏଥିରେ ଚାଉଳ, ଅଟା, ଡ଼ାଲି, ଚିନି, ଲୁଣ, ତେଲ ଯୋଗାଇବେ ସରକାର । ଏହି ସବୁ କେନ୍ଦ୍ରରେ କାହାକୁ କେତେ ପରିମାଣର ସାମଗ୍ରୀ ମିଳିବ, ତାର ଗାଇଡଲାଇନ ପ୍ରସ୍ତୁତ ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
ଦରଦାମ୍ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି। ବିଜେପିର ବର୍ଷେ ଶାସନ ଭିତରେ ଅହେତୁକ ଭାବେ ବଢିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ । ସରକାର ଆଳୁ ଯୋଗାଇବାରେ ମଧ୍ୟ ଫେଲ ହୋଇଛନ୍ତି । ତେଣୁ ସରକାରଙ୍କ ଉପରେ ଚାପ ଅଛି । ସେଥିପାଇଁ ଏଭଳି ଯୋଜନା ଘୋଷଣା କରିବାକୁ ସରକାର ବାଧ୍ୟ ହେଉଛନ୍ତି । ଖାଉଟିଙ୍କୁ ବୁଝାଇବା ପାଇଁ ସରକାର ଏଭଳି ଆଇ ଓ୍ବାସ୍ କାର୍ଯ୍ୟକ୍ରମ କରୁଛନ୍ତି । ମଧ୍ୟବିତ୍ତ ଓ ଗରିବ ଏହି ସରକାର ସମୟରେ ଅଧିକ ଶୋଷିତ ହୋଇଛି ବୋଲି ବିଜେଡି କହିଛି। ଏଭଳି ଯୋଜନା ଘୋଷଣା କରି ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କଂଗ୍ରେସ କହିଛି । ବର୍ତ୍ତମାନ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଥିବା ବେଳେ ରାସନ ଦୋକାନରୁ ଚାଉଳ ଓ ଗହମ ପାଉଛନ୍ତି । ଜନ ପୋଷଣ କେନ୍ଦ୍ର ହେଲେ ପ୍ରାୟ ୫୦ ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରନ୍ତି ବୋଲି ସରକାର ଆକଳନ କରିଛନ୍ତି ।
ପ୍ଲେନ୍ କ୍ରାସରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର କେବେ ପାଇବେ ସେମାନଙ୍କ ଆତ୍ମୀୟଙ୍କ ଦଗ୍ଧ ମୃତଶରୀର ?
ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦ ପ୍ଲେନ୍ କ୍ରାସରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର କେବେ ପାଇବେ ସେମାନଙ୍କ ଆତ୍ମୀୟଙ୍କ ଦଗ୍ଧ ମୃତଶରୀର ? କେବେସୁଦ୍ଧା ଚିହ୍ନଟ କରି ଗୁଜୁରାଟ ସରକାର ଆତ୍ମୀୟଙ୍କ ଅବଶେଷ ହସ୍ତାନ୍ତର କରିବେ? ଏ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପରିବାର ସଦସ୍ୟଙ୍କ ଡିଏନ୍ଏ ନମୁନା ସଂଗ୍ରହ । ଏ ପର୍ଯ୍ୟନ୍ତ ପ୍ରାୟ ୨୦୦ରୁ ଅଧିକ ନମୁନା ସଂଗ୍ରହ ସରିଥିବା ଜଣାପଡ଼ିଛି । AI-171 ଏୟାର ଇଣ୍ଡିଆ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମୃତଦେହ ସମ୍ପୂର୍ଣ୍ଣ ଜଳି ପୋଡ଼ି ଯାଇଥିବାରୁ ଚିହ୍ନଟ କରିହେଉନି । ଏଭଳି ସ୍ଥିତିରେ ଡିଏନ୍ଏ ପ୍ରୋଫାଇଲିଂ କରିବା ଗୁଜୁରାଟ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ପାଲଟିଛି । ବିମାନଟି କ୍ରାସ ହେବା ପରେ ବିମାନରେ ଥିବା ଅତି ଦହନଶୀଳ ଇନ୍ଧନ ଏଟିଏଫ୍ ପ୍ରଭାବରେ ନିଆଁର ତାତି ଏତେ ଥିଲା ଯେ, କେତେକ ମୃତ ବ୍ୟକ୍ତିଙ୍କ ହାଡ଼ ଓ ଦାନ୍ତ ବି ଜଳିଯାଇଛି । ଏଭଳି କ୍ଷେତ୍ରରେ ସେସବୁ ଦଗ୍ଧ ଶରୀରର ହାଡ଼ରେ ଡିଏନ୍ଏ ନମୁନା ସବୁଠି ମିଳିବା ମଧ୍ୟ କଷ୍ଟକର ବ୍ୟାପାର । ନିୟମାନୁଯାୟୀ ଜଣଙ୍କର ଡିଏନ୍ଏ ପ୍ରୋଫାଇଲିଂ ସହିତ ପରିବାର ସଦସ୍ୟଙ୍କ ନମୁନା ସହ ମେଳ କରିବା ପାଇଁ ୭୨ ଘଣ୍ଟା ସମୟ ଲାଗିଥାଏ । ଏଭଳି କ୍ଷେତ୍ରରେ ଶତାଧିକ ମୃତକଙ୍କ ପାଇଁ ଏକସପ୍ତାହ କିମ୍ବା ଅଧିକ ଦିନ ଲାଗିପାରେ । ତେବେ ଏହାକୁ ଯଥାଶୀଘ୍ର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୃତକଙ୍କ ଡିଏନ୍ଏ ସହିତ ପରିବାର ସଦସ୍ୟଙ୍କ ଡିଏନ୍ଏ ମେଳ ଗୁଜୁରାଟ ରାଜ୍ୟ ଫରେନ୍ସିକ ଲାବୋରେଟରୀ ଓ ଗାନ୍ଧୀନଗରରେ ଥିବା ଜାତୀୟ ଫରେନ୍ସିକ ସାଇନସ୍ ବିଶ୍ବବିଦ୍ୟାଳୟର ବୈଷୟିକ ଟିମ୍ ଲାଗିପଡ଼ିଛନ୍ତି ।

