spot_img
Home Blog Page 6555

ଗଜପତିରେ ପହଞ୍ଚିଲେ ଜଗପତି, ପାରମ୍ପରିକ ରୀତିରେ ପାଛୋଟି ନେଲେ ଗାଁ ଲୋକ

ଗଜପତି: ବାଜା ବାଜୁଛି, କିଏ ଗୋଡ଼ ଧୋଇ ଦେଉଛି ତ ଆଉ କିଏ ନମସ୍କାର କରି ଆଲିଙ୍ଗନ କରୁଛି । ୩୫ ବର୍ଷ ପରେ ଜଗପତିଙ୍କୁ ପାଇ ଆତ୍ମହରା ହୋଇ ପଡ଼ିଛି ପୂରା ପରିବାର । ସାରା ଗାଁ ଖୁସିରେ ହୋଇପଡ଼ିଛି ଭାବବିହ୍ୱଳ । ଅରୁଣାଚଳ ପ୍ରଦେଶରୁ ଜଗପତି ଓରଫ୍ ଦୟା ଭୂୟାଁ ଜନ୍ମ ମାଟିକୁ ଫେରିବା ପରେ ତାଙ୍କୁ ସେଠି ମିଳିଛି ଉତ୍ସସିତ ସମ୍ବର୍ଦ୍ଧନା । ପାରମ୍ପରିକ ରୀତିନୀତିରେ ତାଙ୍କୁ ପାଛୋଟି ନେଇଥିଲେ ସମସ୍ତେ ।

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରୁ ସୁଦୂର ଅରୁଣାଚଳ ପ୍ରଦେଶକୁ ଯାଇ ଦୀର୍ଘ ୩୫ ବର୍ଷ ଧରି ରହୁଥିଲେ ଜଗପତି । ଦେହ ଖରାପ ପରେ ଦୁଇ ବର୍ଷ ହେଲା ଜଙ୍ଗଲର ପଥର କୋରଡ଼ରେ ରହୁଥିଲେ ସେ । ରାଜ୍ୟ ସରକାର ତଥା ଓଡ଼ିଶା ମୋ ପରିବାରର ଉଦ୍ୟମରେ ଜନ୍ମ ମାଟିକୁ ଫେରିଛନ୍ତି । ଗାଁରେ ତାଙ୍କୁ ଲୋକେ ପାଛୋଟି ନେଇ ଯାଇଥିବା ବେଳେ ଗ୍ରାମବାସୀଙ୍କ ମୁହଁରେ ଥିଲା ଉଲ୍ଲସିତ ହସ । ସମୂହ ଭାବେ ହୁଳହୁଳି ବନ୍ଦାପନା କରି ସ୍ୱାଗତ କରିଥିଲେ ଦୟାଙ୍କୁ । ଦୀର୍ଘ ବର୍ଷ ପରେ ପରିବାରର ବୟୋଜ୍ୟେଷ୍ଠଙ୍କୁ ପାଇ ପାରମ୍ପରିକ ରୀତିରେ ପ୍ରଣାମ କରି ଘରକୁ ନେଇଥିଲେ ଭାଇ ଓ ପରିବାର ବର୍ଗ ।

ନିଜ ଆତ୍ମୀୟଙ୍କୁ ଦେଖି ଭାବ ବିହ୍ଵଳିତ ହୋଇ ଉଠିଥିଲେ ଦୟା । ଦୟାଙ୍କୁ ଫେରି ପାଇଥିବାରୁ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ଅପରପକ୍ଷରେ ଦୟା ଭୂୟାଁଙ୍କ ଥଇଥାନ ନିମନ୍ତେ ବୟସ ପ୍ରମାଣପତ୍ର, ଆଧାର କାର୍ଡ, ଭୋଟ ପରିଚୟ ପତ୍ର, ଶ୍ରମିକ କାର୍ଡ, ରାସନ୍ କାର୍ଡ, ଭତ୍ତା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ନଥିପତ୍ର ପ୍ରସ୍ତୁତ କରିଛି ପ୍ରଶାସନ । ଏଥିସହ ମାସକ ପାଇଁ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଇଛି ।

ଆଜି ଚତୁର୍ଥ ଦିନରେ ସିବିଆଇରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ… ସୁଶାନ୍ତଙ୍କ ବିଜନେସରେ ସହଭାଗିତାକୁ ନେଇ ପଚରାଉଚରା

ଆଜି ଚତୁର୍ଥ ଦିନରେ ସିବିଆଇରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ… ସୁଶାନ୍ତଙ୍କ ବିଜନେସରେ ସହଭାଗିତାକୁ ନେଇ ପଚରାଉଚରା

ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ: ଲଞ୍ଚ ହେଲା ‘ଆମ ସହର’ ଓ ‘ସ୍ୱଚ୍ଛ ସହର ଓଡ଼ିଶା’ ଆପ୍

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କର ଭେଟି । ଲୋକସେବା ଭବନରେ ଭିଡିଓ କନଫରେନସିଂ ଜରୀଆରେ ଆଜି ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳରେ ରହୁଥିବା ଲୋକଙ୍କ ଆଶାକୁ ପୂରଣ କରିବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ଅନୁରୋଧ କରିଥିଲେ । ସହରଗୁଡ଼ିକୁ ଅଧିକ ପରିଷ୍କାର କରିବାରେ ସ୍ଥାନୀୟ ସଂସ୍ଥା ଦ୍ୱାରା ମିଳିଥିବା ସଫଳତା ପାଇଁ ଗର୍ବିତ ଥିବାବେଳେ ବର୍ଜ୍ୟବସ୍ତୁ ପରିଚାଳନାରେ ULB ଦ୍ୱାରା କରାଯାଇଥିବା ପ୍ରୟାସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ମହାମାରୀ ସମୟରେ ନିରନ୍ତର ତଥା ଉତ୍ସର୍ଗୀକୃତ ଉଦ୍ୟମ ପାଇଁ ସେ ପରିମଳ ଯୋଦ୍ଧାମାନଙ୍କୁ ପ୍ରଶଂସା କରିଥିଲେ ।

ସହରୀ ପରିମଳ କ୍ଷେତ୍ରରେ ମହିଳା SHG ର ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ସଶକ୍ତିକରଣ ଆମ ସରକାରଙ୍କ ଅନ୍ୟତମ ସଫଳତା ମନ୍ତ୍ର । ମିଶନ୍ ଶକ୍ତି ସଦସ୍ୟ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ୧୦୦ଟି କାର୍ଯ୍ୟକ୍ଷମ ମାଇକ୍ରୋ କମ୍ପୋଜିଟ୍ ସେଣ୍ଟର ଏବଂ ୫୦ଟି କାର୍ଯ୍ୟକ୍ଷମ ସାମଗ୍ରୀ ପୁନରୁଦ୍ଧାର ସୁବିଧାର ଶୁଭାରମ୍ଭ କରିଛନ୍ତି । ସମସ୍ତ ସହର ଏହି ସୁବିଧାଗୁଡ଼ିକର ବୃହତ କଭରେଜ୍ ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ୫୧ଟି ଫେକାଲ୍ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମୂଳଦୁଆ ପକାଇଛନ୍ତି ।

ପରିମଳ ସୁବିଧା ପରିଚାଳନା ପାଇଁ ସମ୍ପ୍ରଦାୟ ଭିତ୍ତିକ ସଂଗଠନଗୁଡିକୁ ନିୟୋଜିତ କରିବା ପାଇଁ ରାଜ୍ୟର ନିରନ୍ତର ଉଦ୍ୟମ ସହିତ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଉରକେଲା, ଅନୁଗୁଳ, ବାଲେଶ୍ୱର ଏବଂ ଢେଙ୍କାନାଳ ମ୍ୟୁନିସିପାଲିଟିର ମିଶନ୍ ଶକ୍ତି ଗୋଷ୍ଠୀକୁ ଚାରି ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପ୍ରଦାନ କରିଥିଲେ ।

୫-ଟିର ଏକ ଅଂଶ ଭାବରେ ମୁଖ୍ୟମନ୍ତ୍ରୀ ନାଗରିକ କେନ୍ଦ୍ର ସେବା ଯୋଗାଇବା ପାଇଁ ମୋବାଇଲ୍ ଆପ୍ “ ଆମ ସହର” ଏବଂ “ସ୍ୱଚ୍ଛ ସହର ଓଡ଼ିଶା” ୱେବ୍ ଆପ୍ ମଧ୍ୟ ଲଞ୍ଚ କରିଛନ୍ତି । ୱେବ୍ ଆପ୍ ଲଞ୍ଚ ହେବା ସହିତ, ULB ଗୁଡିକ ଅନଲାଇନରେ ଉପଯୋଗିତା ପ୍ରମାଣପତ୍ର ଦାଖଲ କରିବାରେ ସକ୍ଷମ ହେବେ ଯାହା ଉନ୍ନତ ଆର୍ଥିକ ପରିଚାଳନା ଆଣିବ ।

ସମ୍ପ୍ରତି ସ୍ୱଚ୍ଛ ସର୍ବେକ୍ଷଣ – ୨୦୨୦ରେ ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ୍, ପାରାଦୀପ ପୌରପାଳିକା, ଯୋଡା ପୌରପାଳିକା,  କୋଟପାଡ ଏନଏସି, ବଡବିଲ ପୌରପାଳିକା, ଢେଙ୍କାନାଳ ପୌରପାଳିକା, ରାଜଗାଙ୍ଗପୁର ପୌରପାଳିକା, ବ୍ୟାସନଗର ପୌରପାଳିକା, ଚୌଦ୍ୱାର ପୌରପାଳିକାର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଭିସିରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସାମିଲ ହୋଇଥିଲେ । ଏହା ସହିତ ମୁଖ୍ୟ ଶାସନ ସଚିବ, ବିକାଶ ଆୟୋଗ,  5T ସଚିବ ଭି.କେ ପାଣ୍ଡିଆନ ଏବଂ ଏଚ୍ ଏବଂ ୟୁଡି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Flood in Odisha: କେବଳ ମଣିଷ ନୁହେଁ ପଶୁଙ୍କ ଜୀବନ ବଞ୍ଚାଇବାରେ ଲାଗିଛି ପ୍ରଶାସନ

ଜଗତସିଂହପୁର: ବନ୍ୟା ଆସିଛି, ବାସ ଉଜୁଡ଼ି ଯାଇଛି । ନଦୀବନ୍ଧରେ ପଶୁ ସହ ରାତି ବିତାଉଛନ୍ତି ବନ୍ୟା ବିସ୍ଥାପିତ । ହୀରାକୁଦ ଗେଟ୍ ଖୋଲିବା ପରେ ମହାନଦୀରେ ବନ୍ୟା ଆସିଛି । ଜଳମଗ୍ନ ହୋଇ ରହିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବ୍ୟାପକ ଅଞ୍ଚଳ ।  ଗାଁରେ ବନ୍ୟା ଜଲ ପଶିବା ପରେ ଏବେ ମଣିଜଙ୍ଗା କେନାଲ ବନ୍ଧ ପାଲଟିଛି ଗୋପାଳସାହିର ୪୦ ପରିବାରର ସାହାରା । ବଢ଼ି ପାଣିରେ ଘର ବୁଡ଼ି ଯାଇଛି । ଫଳରେ ୪୦ ପରିବାର ନିଜ ଗୃହପାଳିତ ପଶୁଙ୍କୁ ନେଇ ତିନିଦିନ ହେଲା ନଦୀ ବନ୍ଧରେ ରାତି ବିତାଉଛନ୍ତି ।

ପ୍ରତିବର୍ଷ ମହାନଦୀରେ ବଢ଼ି ପାଣି ଆସିଲେ ଗୋପାଳସାହିବାସୀଙ୍କ ଚିନ୍ତା ବଢ଼େ । କଣ କରିବେ, କେମିତି ପରିବାର ସହ ପେଟପାଟଣାର ସାଥୀ ଗାଈଗୋରୁଙ୍କୁ ବନ୍ୟା ପାଣିରୁ ରକ୍ଷା କରିବେ । ଏହି ଚିନ୍ତାରେ ବନ୍ୟା ପାଣି ମାଡ଼ି ଆସିଲା ମାନେ ଏମାନେ ମଣିଜଙ୍ଗା କେନାଲ ବନ୍ଧକୁ ଉଠି ଆସନ୍ତି । ଏବର୍ଷ ବି ଠିକ୍ ସେମିତି ଜୀବନ ସହ ଜୀବିକାକୁ ଧରି ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି ୪୦ ଗୋପାଳ ପରିବାର । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ଖୁବଶୀଘ୍ର ବନ୍ୟା ବିସ୍ଥାପିତଙ୍କୁ ପ୍ରଶାସନ ପକ୍ଷରୁ ପଲିଥିନ୍ ଯୋଗାଇ ଦିଆଯିବ । ପ୍ରଶାସନ ମଣିଷ ସହିତ ଗୋପାଳିତ ପଶୁଙ୍କୁ ଧ୍ୟାନ ଦେଇଛି । ବଡ଼ ଗାଇ, ଛେଳିଙ୍କ ପାଇଁ ତିନିଦିନର ଖାଦ୍ୟ ଭାବେ ୧ କେଜି ଲେଖାଏଁ ଓ ଛୋଟ ପଶୁଙ୍କ ପାଇଁ ୨୦୦ ଗ୍ରାମ ଲେଖାଏଁ ୩ ଦିନର ଖାଦ୍ୟ ଯୋଗାଇ ଦିଆଯାଇଛି । ଏଥିସହ ଗୋପାଳିତ ପଶୁଙ୍କ ଚିକିତ୍ସା ନିମନ୍ତେ ଭ୍ୟାମ୍ୟମାଣ୍ୟ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇ ଆବଶ୍ୟକୀୟ ଔଷଧ ଯୋଗାଇ ଦେଇଛି ପ୍ରଶାସନ ।

Prashant Bhushan case: ଅଦଲାତ ଅବମାନନା ମାମଲାରେ ପ୍ରଶାନ୍ତଙ୍କୁ ୧ ଟଙ୍କା ଜରିମାନା,ଫାଇନ୍ ନଦେଲେ ୩ମାସ ଜେଲ ଓ ୩ବର୍ଷ ଓକିଲାତି ଲାଇସେନ୍ସ ରଦ୍ଧ

0

ନୂଆଦିଲ୍ଲୀ :  ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ପ୍ରଶାନ୍ତ ଭୁଷଣଙ୍କ ଉପରେ ସୁପ୍ରିମକୋର୍ଟ ଏକ ଟଙ୍କାର ଜରିମାନା ଲଗାଇଛନ୍ତି । ତେବେ ଜୋରିମାନା ନଦେଲେ ୩ ବର୍ଷ ପାଇଁ ଓକିଲାତି ଲାଇସେନ୍ସ ରଦ୍ଧ ହେବା ସହ ୩ ମାସର ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପ୍ରଶାନ୍ତ ଭୂଷଣ ଦୁଇଟି ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟର ବିଶୟକୁ ସୁପ୍ରିମକୋର୍ଟ ଆପତ୍ତିଜନକ ଭାବେ ଗ୍ରହଣ କରିଥିଲେ । ନିଜ ତରଫରୁ ଏହାକୁ ବିଚାର ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।  ପ୍ରଶାନ୍ତ ଭୂଷଣଙ୍କୁ  ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କ୍ଷମା ପ୍ରାଥର୍ନା କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ କହିବା ଥିଲା ଯେ,  ଭୂଷଣଙ୍କ ମନ୍ତବ୍ୟ ସୁପ୍ରିମ୍ କୋର୍ଟର ମର୍ଯ୍ୟାଦାହାନୀ କରିବା ସହ ସାଧାରଣରେ ସୁପ୍ରିମକୋର୍ଟର ବିଶ୍ୱସନୀୟତା କମାଇଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବିଶ୍ୱସନୀୟତା କମାଇବା ପାଇଁ ଚେଷ୍ଟା କରି ସେ ଭୁଲ୍ କରିଛନ୍ତି । ତେଣୁ ଅତିକମରେ ସେ ନିସର୍ତ୍ତ କ୍ଷମାପ୍ରାଥର୍ନା କଲେ ତାଙ୍କୁ ଦଣ୍ଡରୁ ମୁକ୍ତ କରାଯିବା ନେଇ ବିଚାର କରାଯିବ ।

ମାତ୍ର ପ୍ରଶାନ୍ତ ଭୂଷଣ ଏଭଳି କରିବା ପାଇଁ ସିଧାସଳଖ ଭାବେ ମନା କରିଥିଲେ । ସେ ସୁପ୍ରିମକୋର୍ଟ ବିରୋଧରେ ମନ୍ତବ୍ୟ ରଖିନାହାଁନ୍ତି ବରଂ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଥିଲେ ବୋଲି ସଫେଇ ଦେଇଥିଲେ । ଅନ୍ୟପକ୍ଷରେ  କେନ୍ଦ୍ର ସରକାରଙ୍କ ଆଟୋର୍ଣ୍ଣି ଜେନେରାଲ ଭେନୁଗୋପାଳ ରାଓଙ୍କୁ ସୁପ୍ରିମ୍ କୋର୍ଟ ଏହି ପ୍ରସଙ୍ଗ ଉପରେ ମତ ରଖିବା ପାଇଁ କହିଥିଲେ ।

ପ୍ରଶାନ୍ତ ଭୂଷଣଙ୍କ ବରିଷ୍ଠତା ଓ ସାମାଜିକ ଦାୟିତ୍ୱବୋଧକୁ ବିଚାରକୁ ନେଇ ଭେନୁଗୋପାଳ ରାଓ କାରାଦଣ୍ଡ ପ୍ରବଧାନ ନରଖି  ତାଙ୍କ ଉପରେ ଜରିମାନା ଲାଗୁ କରାଯାଉ ବୋଲି ସେ ପ୍ରସ୍ତାବ ରଖିଥିଲେ । ତାଙ୍କ ପ୍ରସ୍ତାବ ଉପରେ ବିଚାର କରି ସୁପ୍ରିମକୋର୍ଟ ଆଜି ଏହି ରାୟ ଦେଇଛନ୍ତି । ତେବେ ପ୍ରଶାନ୍ତ ଭୂଷଣ ନିଜ ଯଦିରେ ଅଟଳ ରହି ଜେଲଦଣ୍ଡ ଭୋଗିବେ ନା’ ୧ ଟଙ୍କାର ଜରିମାନା ଦେବେ ତାହା ପରିବର୍ତ୍ତୀ ସମୟରେ ଜାଣିବାକୁ ମିଳିବ ।

ଆଣ୍ଡାମାନରେ ଲୁପ୍ତ ପ୍ରାୟ ଜନଜାତିର ୨୦ ପ୍ରତିଶତ ଲୋକଙ୍କୁ କିଭଳି ହେଲା କରୋନା?

ନୂଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ରହୁଥିବା ଗ୍ରେଟ ଆଣ୍ଡାମାନି ଜନଜାତିର ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉକ୍ତ ଦ୍ୱୀପପୁଞ୍ଜରେ ଏହି ଜନଜାତିର ଜନସଂଖ୍ୟା ଖୁବ କମ୍ । ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ କେୟାର ସେଣ୍ଟରରେ ରଖା ଯାଇଥିବା ଘଟଣା ଗତ ଗୁରୁବାରକୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି ।

ସଂକ୍ରମଣ ପରେ ନିକଟରେ ପୋର୍ଟ ବ୍ଲେୟରରୁ ସ୍ୱାସ୍ଥ୍ୟ ଅଥୋରିଟିର ୫ ଜଣଙ୍କୁ ଆଇଲ୍ୟାଣ୍ଡକୁ ପଠାଯାଇଛି । ସ୍ୱାସ୍ଥ୍ୟ ବିଭାଗର ନୋଡାଲ ଅଫିସର ଅଭିଜିତ ରାୟଙ୍କ କହିବା ଅନୁସାରେ ନିଆଯାଇଥିବା ୩୭ଟି ସ୍ୟାମ୍ପଲ ମଧ୍ୟରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଗତ ମାସରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏମାନେ ସହରରେ କାମ କରୁଥିଲେ । ଡାକ୍ତର ରାୟଙ୍କ କହିବା ଅନୁସାରେ ଏହି ଜନଜାତିର ପ୍ରାୟ ଲୋକ ପୋର୍ଟ ବ୍ଲେୟରରୁ ଦ୍ୱୀପ ମଧ୍ୟରେ ଯାତ୍ରା କରନ୍ତି । ଏହି ଯାତ୍ରା ସମୟରେ ଏମାନେ ସଂକ୍ରମିତ ହୋଇଥାଇ ପାରନ୍ତି । କିଛି ସଂକ୍ରମିତଙ୍କୁ ଘରେ ରଖା ଯାଇଥିବାବେଳେ କିଛି ସଂକ୍ରମିତଙ୍କୁ ହସ୍ପିଟାଲରେ ରଖାଯାଇଥିବା ସୂଚନା ଦେଇଛନ୍ତି ଡାକ୍ତର ରାୟ । ଏହି ଜନଜାତିର କେବଳ ୫୦ ଜଣ ଲୋକ ଅଛନ୍ତି । ଯାହା ଦର୍ଶାଉଛି କି ଏହା ଏକ ଲୁପ୍ତ ପ୍ରାୟ ଜନଜାତି ।

ସମଗ୍ର ଦ୍ୱୀପପୁଞ୍ଜରୁ କରୋନା ଭାଇରସର ୩୦୧୮ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ ୨୩୭୫ ସୁସ୍ଥ ହୋଇ ସାରିଛନ୍ତି । କେନ୍ଦ୍ର ଶାସିତ ରାଜ୍ୟରେ ଏପର୍ଯ୍ୟନ୍ତ କୋଭିଡ-୧୯ରେ ୪୨ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଏହା ସହିତ ୬୦୦ ସକ୍ରିୟ ମାମଲା ରହିଛି । ଏଭଳି ପରିସ୍ଥିତିରେ ଲୁପ୍ତ ପ୍ରାୟ ଜନଜାତି ପାଇଁ ଏହା ଏକ ଚିନ୍ତାର ବିଷୟ ସାଜିଛି ।

ବଢ଼ି ପାଣିରେ ବୁଡ଼ିଗଲା ୬ ସରକାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ଡଙ୍ଗା

ଅନୁଗୁଳ: ବନ୍ୟା କବଳରେ ଅଧା ଓଡ଼ିଶା ଥିବାବେଳେ ଆସିଛି ଅଘଟଣର ଖବର । ବନ୍ୟା ପୀଡ଼ିତଙ୍କୁ ସହାୟତା ଯୋଗାଇ ଦେବାକୁ ଯାଉଥିବା ଡଙ୍ଗା ବୁଡ଼ିଯାଇଛି । ଟିକରପଡ଼ାରେ ବନ୍ୟା ପୀଡ଼ିତଙ୍କୁ ସହାୟତା ଯୋଗାଇବା ପାଇଁ ସରକାରୀ କର୍ମଚାରୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି । ସୌଭାଗ୍ୟବଶତଃ ଏଥିରେ ଥିବା କର୍ମଚାରୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ।

ଅନୁଗୁଳ ବ୍ଲକର କନିଷ୍ଠ ଯନ୍ତ୍ରୀ କ୍ଷମାସାଗାର ସିଂହ, ମାଣିକଯୋଡ଼ି ପଞ୍ଚାୟତ ନିର୍ବାହୀ ଅଧିକାରୀ ନିରଂଜନ ଦେହୁରୀ, ଭିଏଲଡବ୍ଲୁ ସୋମନାଥ ଦାସ, ନାଉରିଆ ଗୋଗୁଆ ବେହେରାଙ୍କ ସହିତ ୬ ଜଣ ଟିକରପଡ଼ା ହାଇସ୍କୁଲ ନିକଟରୁ ପଞ୍ଚାୟତ ଅଫିସକୁ ଏକ ଦେଶୀ ଡଙ୍ଗାରେ ଯାଉଥିଲେ । ଅଚାନକ ବନ୍ୟା ପାଣି ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ଗୋଟିଏ ପଟକୁ ପଲଟି ଯାଇଥିଲା ।

FILE

ଦେଖୁ ଦେଖୁ ନାଉରିଆଙ୍କ ସହିତ ୬ ଜଣ ଯାକ ପାଣିରେ ପଡ଼ିଯାଇଥିଲେ । କାହାରି ପାଖରେ ଲାଇଫ୍ ଜାକେଟ୍‌ ନଥିଲା। ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । ତେବେ, ଅନ୍ୟ ଏକ ଡଙ୍ଗାରେ ଥିବା କିଛି ଲୋକଙ୍କ ନଜର ଏମାନଙ୍କ ଉପରେ ଏହି ଘଟଣା ପଡ଼ିଥିଲା । ସେମାନେ ସଙ୍ଗେ ସଙ୍ଗେ ଦେବଦୂତ ଭଳି ସେଠାରେ ପହଞ୍ଚି ବହୁ କଷ୍ଟରେ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ।

DTH ବ୍ୟବହାରକାରୀଙ୍କ ପାଇଁ ବଡ଼ ଅଫର, ମାସକୁ ମାତ୍ର ୪ ଟଙ୍କାରେ ପାଆନ୍ତୁ ଏହି ସବୁ ଖାସ୍ ସର୍ଭିସ୍

ନୂଆଦିଲ୍ଲୀ: DTH ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଅଗ୍ରଣୀ DTH ଅପରେଟର ଡିସ୍ ଟିଭି ଏହାର ବ୍ୟବହାରକାରୀଙ୍କ ପାଇଁ ‘ଡିସ୍ ଟିଭି ମେଗା ଏଣ୍ଟରଟେନମେଣ୍ଟ ସେଲ୍ ‘ ଆଣିଛି । ଏହି ସେଲରେ କମ୍ପାନୀ ମାସିକ ୪ ଟଙ୍କାରେ ରେଣ୍ଟାଲରେ ଆକ୍ଟିଭ ସର୍ଭିସ ଅଭର ଦେଉଛି । ଅଗଷ୍ଟ ୨୮ ତାରିଖରେ ଆରମ୍ଭ ହୋଇଥିବା ଏହି ଅଫର ଆଜି ଶେଷ ହେଉଛି । ତେବେ ଆସନ୍ତୁ ଜାଣିବା ଏହି ଅଫର ବିଷୟରେ…

୪ ଟଙ୍କାରେ ଦେଖନ୍ତୁ ନିଜର ପ୍ରିୟ ଚ୍ୟାନେଲ ଗୁଡ଼ିକ-

ଡିସ୍ ଟିଭି ମେଗା ଏଣ୍ଟରଟେନମେଣ୍ଟ ଅଫର୍ ବର୍ତ୍ତମାନ ଲାଇଭ୍ ରହିଛି । ଏଥିରେ, ମାସିକ ୪ ଟଙ୍କା ଶୁଳ୍କରେ, ଉପଭୋକ୍ତାମାନଙ୍କୁ ସମୁଦାୟ ୨୦ଟି ଆକ୍ଟିଭ ସେବା ମଧ୍ୟରୁ ସେମାନଙ୍କର ପ୍ରିୟ ସେବା ବାଛିବା ପାଇଁ ସୁଯୋଗ ଦିଆଯାଉଛି । ଡିସ୍ ଟିଭିର ଆକ୍ଟିଭ ସେବା ଗୁଡ଼ିକ ବ୍ୟବହାରକାରୀଙ୍କୁ ସକ୍ରିୟ କରିବା ଏବଂ ସେମାନଙ୍କର ଜୀବନଶୈଳୀରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ।

ସାଧାରଣ ଦିନରେ ଆପଣଙ୍କୁ ପ୍ରତିଦିନ ୫.୬ ଟଙ୍କା ଦେବାକୁ ପଡିବ

ଏହି ସେବାଗୁଡିକ ସହିତ, ଉପଭୋକ୍ତାମାନେ ଅନେକ ନୂତନ କୌଶଳ ଶିଖିପାରିବେ । ସାଧାରଣତଃ ଉପଭୋକ୍ତାମାନେ ଏହି ସେବାକୁ ପ୍ରତିଦିନ ୫.୬ଟଙ୍କାରେ ପାଉଥିଲେ, କିନ୍ତୁ ଏହି ବିଶେଷ ଅଫର ଅନୁଯାୟୀ ଏହା ମାସିକ ୪ ଟଙ୍କାରେ ଦିଆଯାଉଛି ।

ଏମିତି ଆକ୍ଟିଭେଟ କରନ୍ତୁ ନିଜର ପ୍ରିୟ ଚ୍ୟାନେଲ

ଯଦି ଆପଣ ରୋଷେଇ କରିବାକୁ ଭଲ ପାଆନ୍ତି, ତେବେ ଆପଣ ମାସିକ ୪ ଟଙ୍କା ରେଣ୍ଟରେ କୁକିଂ ଆକ୍ଟିଭ୍ ଚ୍ୟାନେଲକୁ ସବସ୍କ୍ରାଇବ କରିପାରିବେ । ଯଦି ଆପଣ ଏକ ଆକ୍ଟିଭ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କେବଳ 1800-270-0283 ରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ଏକ ମିସ୍ କଲ କରିବାକୁ ପଡିବ ।

କଣ୍ଟେଣ୍ଟର କ୍ୱାଲିଟି ମଧ୍ୟ ଭଲ ରହିଛି-

ଡିସ୍ ଟିଭି ଏହାର ଉପଭୋକ୍ତାମାନଙ୍କୁ ଆହୁରି ଅନେକ ଆକ୍ଟିଭ ଚ୍ୟାନେଲ୍ ପ୍ରଦାନ କରୁଛି । ଏହି ଆକ୍ଟିଭ ଚ୍ୟାନେଲଗୁଡିକର ପ୍ରୟାସ ହେଉଛି ଉପଭୋକ୍ତାମାନଙ୍କୁ ମନୋରଞ୍ଜନ ବିଷୟବସ୍ତୁ ଦେଖାଇବା । ଯଦି ଆପଣ ଚଳଚ୍ଚିତ୍ରକୁ ଭଲ ପାଆନ୍ତି, ତେବେ ଆପଣ ଚଳଚ୍ଚିତ୍ର ଆକ୍ଟିଭକୁ ସବସ୍କ୍ରାଇବ କରିପାରିବେ । ସେହିଭଳି, ଯଦି ଆପଣ କମେଡି ପସନ୍ଦ କରନ୍ତି, ତେବେ ଆପଣ କମେଡି ଚ୍ୟାନେଲ ଆକ୍ଟିଭେଟ କରିପାରିବେ । ଡିସ୍ ଟିଭିର ଅଧିକାଂଶ ସକ୍ରିୟ ଚ୍ୟାନେଲ୍ Shemaroo ଦ୍ୱାରା ଚାଳିତ ତେଣୁ ସେମାନଙ୍କର ବିଷୟବସ୍ତୁର କ୍ୱାଲିଟି ମଧ୍ୟ ଖୁବ ଭଲ ।

କୋଭିଡ୍ ବେଡରେ ସୁରକ୍ଷିତ ପ୍ରସବ, ପ୍ରସୂତି ଓ ନବଜାତ ଉଭୟ ସୁସ୍ଥ

ଝାରସୁଗୁଡ଼ା: ସଫଳ ହେଉଛି ସଂକ୍ରମଣ ବିରୋଧୀ ମୁକାବିଲା । ସୁସ୍ଥ ହେବାରେ ଲାଗିଛନ୍ତି କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ସୁସ୍ଥତା ହାର ୭୦ ପ୍ରତିଶତରୁ ଅଧିକ ରହିଛି । ସଂକ୍ରମଣର ଭୟ ଭିତରେ କୋଭିଡ୍ ହସ୍ପିଟାଲରୁ ଆସୁଛି ଗୋଟିଏ ପରେ ଗୋଟିଏ ଖୁସି ଖବର । ପ୍ରଥମେ ରାଜଧାନୀର କିମ୍ସ କୋଭିଡ୍ ହସ୍ପିଟାଲରେ ସଫଳତାର ସହ ପ୍ରସବ ପରେ ଦ୍ୱିତୀୟ ଥର ଲାଗି ସୁନାମ ଆଣିଛି ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲ ।

ପୂର୍ବରୁ ଏହି କୋଭିଡ୍ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତଙ୍କ ପ୍ରସବ କରାଯାଇଥିଲା । ଏବେ ପୁଣି ଆଉ ଜଣେ ସଂକ୍ରମିତଙ୍କ ପ୍ରସବ ସୁରକ୍ଷିତ ଭାବେ କରାଯାଇଛି । ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ମହିଳା ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଏବେ ମାଆ ଓ ଝିଅ ଉଭୟ ସୁରକ୍ଷିତ ଥିବା କହିଛନ୍ତି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ।

ମହିଳା ଜଣକ କୋଭିଡ୍ ପଜିଟିଭ ଚିହ୍ନଟ ହେଲା ପରେ ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣକ ଗର୍ଭବତି ଥିବାରୁ କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏବେ ସୁରକ୍ଷିତ ପ୍ରସବ ହୋଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳକୁ ନିୟୋଜନ କରାଯାଇଥିଲା । ବର୍ତ୍ତମାନ ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି ।

ସରକାର ଆଣୁଛନ୍ତି ନିଶ୍ଚିତ ପେନସନ ସ୍କିମ,ଜାଣନ୍ତୁ ପୂରା ଖବର

Pension Fund Regulatory and Development Authorityର ଅଧ୍ୟକ୍ଷ ସୁପ୍ରତିମ ବନ୍ଦୋପାଧ୍ୟାୟ କହିଛନ୍ତି କି ପ୍ରାଧିକରଣ ସର୍ବନିମ୍ନ ରିଟର୍ଣ୍ଣ ଗ୍ୟାରେଣ୍ଟି ଥିବା ପେନସନ ଯୋଜନା ଉପସ୍ଥାପନ କରିବାକୁ ପ୍ରସ୍ତୁତି ଜାରି ରହିଛି। ସେ ଏହା ମଧ୍ୟ କହିଛନ୍ତି କି ପେନସନ ପ୍ରାଧିକରଣ ଏହା ବାବଦରେ ପେନସନ ଫଣ୍ଡ୍ ଏବଂ ଆକଚୁରିଆଲ ଫର୍ମ ଗୁଡ଼ିକ ସହିତ ଆଲୋଚନା କରୁଛନ୍ତି । ଏହି ଆଲୋଚନାକୁ ଆଧାର କରି ପ୍ରସ୍ତାବିତ ଯୋଜନାକୁ କାର୍ଯ୍ୟକାରୀ କରାଯିବ । PFRDA  ନିୟମ ଦ୍ୱାରା ଏକ ସର୍ବନିମ୍ନ ସୁନିଶ୍ଚିତ ଫେରସ୍ତ ଯୋଜନା ଆରମ୍ଭ କରିବାକୁ ଅନୁମତି ଅଛି ବୋଲି କହିଛନ୍ତି ସୁପ୍ରତିମ ।
ପେନସନ ଫଣ୍ଡ ଯୋଜନା ଦ୍ୱାରା ପରିଚାଳିତ ଫଣ୍ଡକୁ ମାର୍କ ଟୁ ମାର୍କେଟ କରାଯାଏ । ତେଣୁ ସ୍ୱଭାବିକ ଭାବରେ ଉନ୍ନତି ଅବନତି ଘଟିଥାଏ ଏବଂ ମୂଲ୍ୟାଙ୍କନ ବଜାରର ପରିସ୍ଥିତି ଉପରେ ଆଧାରିତ । ତେଣୁ ଏଭଳି କିଛି ଲୋକ ଥାଇ ପାରନ୍ତି ଯେଉଁମାନେ ସର୍ବନିମ୍ନ ଫେରସ୍ତ ଚାହାଁନ୍ତି । ସର୍ବନିମ୍ନ ଗ୍ୟାରେଣ୍ଟି କେତେ ରହିବ ଯାହା ପେନସନ ଭାବେ ଦିଆଯାଇ ପାରିବ  ତାହ ଉପରେ  PFRDA, ପେନସନ ଫଣ୍ଡ ପ୍ରବନ୍ଧକ ଏବଂ ଆକଚୁରିଆଲ ଫର୍ମ ଗୁଡ଼ିକ ସହିତ ମିଶି କାମ କରୁଛି ।  ଚଳିତ ଆର୍ଥିକ ବର୍ଷରେ ପିଏଫଆରଡିଏ ଏହି ଯୋଜନାକୁ ପେସ କରିବାର ସମ୍ଭାବନା ରହିଛି ।

ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ଏନପିଏସ

ଏନପିଏସ ଏବଂ ଏପିଓ୍ୱାଇରେ ସବସ୍କ୍ରାଇବର୍ସଙ୍କୁ ପ୍ରତି ମାସରେ ତିନି ମାସ କିମ୍ବା ଛଅ ମାସରେ ଧାର୍ଯ୍ୟ ରାଶି ନିବେଶ କରିବାକୁ ପଡ଼ିଥାଏ । ଏହାପରେ ସବସ୍କ୍ରାଇବର୍ସଙ୍କୁ ଅବସର ପରେ ନିଶ୍ଚିତ ରାଶି ପ୍ରତି ମାସରେ ପେନସନ ଭାବରେ ଦିଆଯାଏ । ଏନପିଏସରେ ୧୮ରୁ ୬୦ ବର୍ଷ ମଧ୍ୟରେ କୌଣସି ନାଗରିକ ସାମିଲ ହୋଇ ପାରିବେ । କେନ୍ଦ୍ର ସରକାର ଏହାକୁ ୧ ଜାନୁୟାରୀ ୨୦୦୪ରେ ଆରମ୍ଭ କରିଥିଲେ । ଏହି ତାରିଖ ପରେ ଜଏନ କରିଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହି ଯୋଜନା ଜରୁରୀ ଅଟେ । ୨୦୦୯ ମସିହା ପରେ ଏହି ଯୋଜନା ପ୍ରାଇଭେଟ ସେକ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଆରମ୍ଭ ହୋଇଥିଲା । ଅବସର ପରେ କର୍ମଚାରୀ ଏନପିଏସର ଗୋଟିଏ ଭାଗ ଉଠାଇ ପାରିବେ ଓ ବଳକା ଭାଗରୁ ଅବସର ପରେ ନିୟମିତ ଆୟ ପାଇଁ ଏନ୍ୟୁଟି ନେଇ ପାରିବେ ।