କୋଭିଡ୍ ବେଡରେ ସୁରକ୍ଷିତ ପ୍ରସବ, ପ୍ରସୂତି ଓ ନବଜାତ ଉଭୟ ସୁସ୍ଥ

ଝାରସୁଗୁଡ଼ା: ସଫଳ ହେଉଛି ସଂକ୍ରମଣ ବିରୋଧୀ ମୁକାବିଲା । ସୁସ୍ଥ ହେବାରେ ଲାଗିଛନ୍ତି କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ସୁସ୍ଥତା ହାର ୭୦ ପ୍ରତିଶତରୁ ଅଧିକ ରହିଛି । ସଂକ୍ରମଣର ଭୟ ଭିତରେ କୋଭିଡ୍ ହସ୍ପିଟାଲରୁ ଆସୁଛି ଗୋଟିଏ ପରେ ଗୋଟିଏ ଖୁସି ଖବର । ପ୍ରଥମେ ରାଜଧାନୀର କିମ୍ସ କୋଭିଡ୍ ହସ୍ପିଟାଲରେ ସଫଳତାର ସହ ପ୍ରସବ ପରେ ଦ୍ୱିତୀୟ ଥର ଲାଗି ସୁନାମ ଆଣିଛି ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲ ।

ପୂର୍ବରୁ ଏହି କୋଭିଡ୍ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତଙ୍କ ପ୍ରସବ କରାଯାଇଥିଲା । ଏବେ ପୁଣି ଆଉ ଜଣେ ସଂକ୍ରମିତଙ୍କ ପ୍ରସବ ସୁରକ୍ଷିତ ଭାବେ କରାଯାଇଛି । ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ମହିଳା ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଏବେ ମାଆ ଓ ଝିଅ ଉଭୟ ସୁରକ୍ଷିତ ଥିବା କହିଛନ୍ତି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ।

ମହିଳା ଜଣକ କୋଭିଡ୍ ପଜିଟିଭ ଚିହ୍ନଟ ହେଲା ପରେ ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣକ ଗର୍ଭବତି ଥିବାରୁ କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏବେ ସୁରକ୍ଷିତ ପ୍ରସବ ହୋଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳକୁ ନିୟୋଜନ କରାଯାଇଥିଲା । ବର୍ତ୍ତମାନ ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି ।

Leave a Reply