spot_img
Home Blog Page 6510

୨୯ରୁ ଯୁକ୍ତ ୩ ଶେଷ ସେମିଷ୍ଟାର

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଯୁକ୍ତ ୩ ଶେଷ ସେମିଷ୍ଟାର । କରୋନା ପାଇଁ ବନ୍ଦ ସ୍କୁଲ କଲେଜ ସବୁ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ସତେ ଯେମିତି ଡୋରି ବନ୍ଧା ହୋଇଯାଇଥିଲା । କରୋନା ମହାମାରୀକୁ ଆଖିଆଗରେ ରଖି ରାଜ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏବେ ସରକାର ଧିରେ ଧିରେ ଅନ୍‌ଲକ୍‌ କରିବା ସହ ବିଭିନ୍ନ କଟକଣାକୁ କୋହଳ କରିଛନ୍ତି । ଏବଂ ପିଲାଙ୍କ ପାଠ ପଢ଼ା ପ୍ରତି ମଧ୍ୟ ଧ୍ୟାନ ଦେଇଛନ୍ତି । ଏହି କ୍ରମରେ ଏବେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ଯୁକ୍ତ ୩ କଲେଜରେ ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଛି । ସେପ୍ଟେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ୨୯ରୁ ଅକ୍ଟୋବର ୩ ତାରିଖ ଯାଏଁ ଥିଓରୀ ପରୀକ୍ଷା ହେବ । ଅନ୍ୟପଟେ ଓଏମ୍‌ଆର୍‌ ସିଟ୍‌ରେ ପରୀକ୍ଷା ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

utkal

ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍‌ କଲା ସୁବର୍ଣ୍ଣପୁର ପୋଲିସ

ସୋନପୁର: ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍‌ କଲା ସୁବର୍ଣ୍ଣପୁର ପୋଲିସ । ଗତ ୫ ତାରିଖରେ ଲୁତୁରପଙ୍କ ନିକଟ ଏକ ବିଲରୁ ମିଳିଥିବା ମୁଣ୍ଡ ଓ ହାତ, ଗୋଡ ବିହୀନ ମୃତ ଦେହକୁ ଉଦ୍ଧାର କରିଥିଲା ସୁବଳୟା ପୋଲିସ । ପରେ ମୃତ ଦେହର ପରିଚୟ ମିଳିଥିବାବେଳେ ସେ ଖଇରମାଳ ଗାଁର ମାନଭଞ୍ଜନ ବିଶ୍ୱାଳ ବୋଲି ଜଣା ପଡିଥିଲା ।

ଘଟଣାର ତଦନ୍ତ କରି ସେହି ଗାଁର ଗୁପ୍ତେଶ୍ୱର ବାଙ୍କକୁ ଅଟକ ରଖି ପଚରା ଉଚରା କରିଥିଲା ପୋଲିସ । ଅଭିଯୁକ୍ତଠାରୁ ଘଟଣା ବିଷୟରେ ଅବଗତ ହେବା ସହ ସାଖି ପ୍ରମାଣକୁ ଦୃଷ୍ଟିରେ ରଖି ତାଙ୍କୁ ପୋଲିସ ଗିରଫ କରିଛି । ତା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ଅଭିଯୁକ୍ତକୁ ଡାକ୍ତରି ମାଇନା ପରେ କୋର୍ଟଚାଲାଣ କରାଯାଇଛି ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷି ଅଧିକ୍ଷକ । ଏହି ହତ୍ୟାକାଣ୍ଡ ପରକ୍ରିୟା ପ୍ରିତୀରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ ସହ ଅତିରିକ୍ତ ଆରକ୍ଷି ଅଧିକ୍ଷକ ରମେଶ ପାଣିଗ୍ରାହି, ସୋନପୁର ଏସଡିପିଓ ମିହିର ପଣ୍ଡା, ବୀରମହାରାଜପୁର ଭାରପ୍ରାପ୍ତ ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ପ୍ରମୁଖ ଉପସ୍ଥିତି ଥିଲେ ।

ଆଇଏଏସ୍ ସ୍ତରରେ ଅଦଳ ବଦଳ: ଯାଜପୁର ଜିଲ୍ଲାପାଳଙ୍କୁ ସାହିତ୍ୟ, ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ । ୧୨ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ହେଲେ ଓଡିଶା ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ । ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶେଖର ସ୍ୱାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି । ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ସ୍ୱାଧା ଦେବ ସିଂହଙ୍କୁ ନୂଆପଡା ଜିଲ୍ଲାପାଳ ଭାବେ ନିଯୁକ୍ତି । ପୂର୍ବରୁ ସେ ଏଡିଏମ୍ ମୟୂରଭଞ୍ଜଭାବେ କାର୍ଯ୍ୟରତ ଥିଲେ । ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ । ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ । ସେ ବ୍ରହ୍ମପୁର ଉପ ଜିଲ୍ଲପାଳଭାବେ କାର୍ଯ୍ୟରତ ଥିଲେ । ତେବେ ତାଙ୍କ ସ୍ଥାନରେ ୨୦୧୮ ବ୍ୟାଚ୍‌ର କୀର୍ତ୍ତି ଭାସନଙ୍କୁ ବ୍ରହ୍ମପୁର ଉପ ଜିଲ୍ଲପାଳଭାବେ ନିଯୁକ୍ତି ମିଳିଛି । ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ସିଦ୍ଧେଶ୍ୱର ବାଲିରାମ ବୋନ୍ଦାରଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବେ ନିଯୁକ୍ତ । ସେହିଭଳି ୨୦୧୮ ବ୍ୟାଚ୍‍ର ଆଇଏଏସ୍‍ ଜେ. ସୋନାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଦାୟିତ୍ୱ । ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି । ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳସମ୍ପଦ ବିଭାଗର ଉପସଚିବ ଦାୟିତ୍ୱ । ମୟୂରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରଣା ହେଲେ ବଲାଙ୍ଗିର ଜିଲ୍ଲାପାଳ । ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ଚକ୍ରବର୍ତ୍ତୀ ସିଂହ ରାଠୋର ହେଲେ ଯାଜପୁର ଜିଲ୍ଲାପାଳ ।

କେବେ ବସିବ ବିଧାନସଭା ଅଧିବେଶନ ? ପୁଣି ବିଚାର ବିମର୍ଶ କରିବେ ବାଚସ୍ପତି

ଭୁବନେଶ୍ୱର: ସେପ୍ଟେମ୍ବର ୨୩ରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ଏନେଇ ପୁଣି ବିଚାର ବିମର୍ଶ ଆରମ୍ଭ କରିଛନ୍ତି ବାଚସ୍ପତି । ଏଥର ଅଧିବେଶନ ସଂସଦୀୟ ଢାଞ୍ଚାରେ ବସିବାକୁ ଯାଉଛି । ତେଣୁ ବିଧାନସଭାରେ ପ୍ରଶ୍ନକାଳ ହେବ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ । ବିରୋଧୀଙ୍କ ଯୁକ୍ତି ହେଲା ପ୍ରଶ୍ନକାଳ ବିନା ବିଧାନସଭା ଚାଲିବାର କୌଣସି ଅର୍ଥ ନାହିଁ । ସେପଟେ ବରିଷ୍ଠ ବିଧାୟକମାନଙ୍କ ପାଇଁ ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ସେପଟେ ଶାସକ ଦଳ କହିଛି, ବାଚସ୍ପତି ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଗୃହ ଚାଲିବ । ଏଠି ଯିଏ ମୁଖ୍ୟ ବିରୋଧୀ ସଂସଦରେ ସେମାନେ ଶାସକ ଦଳ ଦଳ । ସଂସଦ ଅଧିବେଶନରେ ବି ପ୍ରଶ୍ନକାଳ ବନ୍ଦ କରାଯାଇଛି । କୋଭିଡ୍ ଗାଇଡ୍‌ ଲାଇନ୍‌ ଓ ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ ଏବଂ ସଂସଦ ଅଧିବେଶନ ନୀତି ନିୟମକୁ ବିଚାର କରି ବାଚସ୍ପତି ନିଷ୍ପତ୍ତି ନେବେ ବୋଲି କହିଛି ଶାସକ ଦଳ ।

ସୂଚନା ଅନୁସାରେ ସେପ୍ଟେମ୍ବର ୨୩ ରୁ ୩୦ ଯାଏଁ ବିଧାନସଭା ବସିବ ବୋଲି ସୂଚନା ମିଳିଛି । ଅଧିବେଶନ ବସିବାର ୨ ଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ୍‌ ଟେଷ୍ଟ କରାଯିବ । ଏହାର ପାଞ୍ଚ ଦିନ ପରେ ପୁଣି ଥରେ ଟେଷ୍ଟ କରାଯିବ । ତେବେ ସାମ୍ବାଦିକଙ୍କୁ ଅଧିବେଶନ ଅନୁମତି ମିଳିବ କି ନାହିଁ ତାହା ଏଯାଏ ସ୍ଥିର ହୋଇନାହିଁ ।

ନାବାଳିକା ଗଣଦୁଷ୍କର୍ମ ମାମଲା: ୯ ଦିନ ବିତିଲାଣି ଏବେ ବି ପୋଲିସ ହାତ ଖାଲି

ଭୁବନେଶ୍ୱର: ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାତବାନ୍ଧି ବସିଛି କମିଶନରେଟ୍‌ ପୋଲିସ । ଅଗଷ୍ଟ ୩୦ତାରିଖରୁ ପୀଡିତାଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବି କାର୍ଯ୍ୟାନୁଷ୍ଠାନ ହେଉନି । ଏହି ଘଟଣାରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ସଂସ୍ଥାର କିଛି କର୍ମଚାରୀ ଓ ପୋଲିସ ସମ୍ପୃକ୍ତ ରହିଥିବା ପୀଡିତାଙ୍କ ମା ଅଭିଯୋଗ କରିଛନ୍ତି । ଲକଡାଉନ ସମୟରେ ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ଯୌନପିପାସୁଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରାଯାଉନି ତ ? ଏଭଳି ପ୍ରଶ୍ନ ଉଠାଇଛନ୍ତି ମହିଳା ସ୍ୱେଚ୍ଛାସେବୀ ।

 

ଲକ୍‌ଡାଉନ୍‌ରେ ଯୌନପିପାଶୁଙ୍କ କାମନାର ଶିକାର ହେଲେ ନାବାଳିକା । ଜଣଙ୍କ ପରେ ଜଣେ ପ୍ରାୟ ୭ଜଣ ବାରମ୍ବାର ଦୁଷ୍କର୍ମ କରିଛନ୍ତି । ଗଣମାଧ୍ୟମ କର୍ମଚାରୀଙ୍କ ସହ ଏଭଳି ଏକ ଜଘନ୍ୟକାଣ୍ଡରେ ସାମିଲ ଅଛନ୍ତି କିଛି ପୋଲିସ କର୍ମଚାରୀ । ପୀଡିତାଙ୍କ ମା’ ପ୍ରଥମେ ଇନ୍‌ଫୋସିଟି ଓ ପରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏତଲାକୁ ୯ ଦିନ ବିତିଗଲାଣି । ହେଲେ ଅପରାଧୀଙ୍କୁ ଗିରଫ କରିପାରୁନି ପୋଲିସ । ତେଣୁ ପୋଲିସର ଆଚରଣକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚର୍ଚ୍ଚା ବି ହେଉଛି, ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରାଯାଉନି ତ ?

ମହିଳା ତଥା ନାବାଳିକା ଅତ୍ୟାଚାର ଘଟଣାର ତଦନ୍ତ ପାଇଁ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ୱିଙ୍ଗ୍‌ ରହିଛି । ଆଇନ ଅନୁଯାୟୀ ଏହି ଘଟଣାରେ ପୀଡିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା କଥା । ହେଲେ ଏଯାଏଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନି ପୋଲିସ ।

ପୋଲିସ ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି ତଦନ୍ତ ପାଇଁ ୪-ଜଣିଆ ଟିମ ଗଠନ କରିଛି ସତ । ହେଲେ ଟିମ ଗଠନ କରିବାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନାହିଁ । ଏନେଇ ଏବେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।

କଟକ ଦୁର୍ଗାପୂଜାକୁ ନେଇ ଦ୍ୱନ୍ଦ୍ୱ, ପୁଣି କୋର୍ଟର ଦ୍ୱାରସ୍ଥ ହେଲେ ପୂଜା କମିଟି

କଟକ: କଟକ ଦୁର୍ଗାପୂଜାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଚଳିତବର୍ଷ କଟକଣା ଭିତରେ ପୂଜା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି । ତେବେ ଏଥିରେ କୋହଳ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସହରର ଏକାଧିକ ପୂଜା କମିଟି । ମଙ୍ଗଳବାର ୭ଟି ପୂଜା କମିଟି ମାମଲା ଦାୟର କରିଥିବା ବେଳେ ବୁଧବାର ପୁଣି ୧୬ଟି କମଟି କୋର୍ଟ ଯାଇଛନ୍ତି । ୩ଟି ଆବେଦନ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସମସ୍ତ ପୂଜା କମିଟି ।

ଦୁର୍ଗାପୂଜା ନେଇ ପ୍ରଶାସନ ଜାରି କରିଥିବା କଟକଣା କୋହଳ ପାଇଁ ପୂଜାକମିଟି ପୁଣି ହାଇକୋର୍ଟଙ୍କ ଦ୍ୱାରରସ୍ଥ ହୋଇଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବଡ଼ ମୂର୍ତ୍ତି, ମଣ୍ଡପରେ ବିନା ପରଦାରେ ପୂଜା ଓ ଚେଚିସ କିମ୍ବା ଟ୍ରାକ୍ଟରରେ ବିସର୍ଜନ କରିବାକୁ ଅନୁମତି ପାଇଁ ପୂଜା କମିଟି ଆବେଦନ କରିଛନ୍ତି । ମଙ୍ଗଳବାର ୭ଟି ପୂଜା କମିଟି ମାମଲା ଦାୟର କରିଥିବା ବେଳେ ଆଜି ପୁଣି ୧୬ଟି କମିଟି କୋର୍ଟ ଯାଇଛନ୍ତି । ଆଗକୁ ଅନ୍ୟମାନେ ମଧ୍ୟ ଆବେଦନ କରିବେ ବୋଲି କହିଛନ୍ତି ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ।

DURGA PUJA (2)

ଆଉ ଏକମାସ ରହିଲା ମାଆଙ୍କ ପୂଜା । ମହାଳୟା ଦିନ ଖଳିଲାଗି ହେବ । ତେଣୁ ବିଧି ମୁତାବକ ମାଆଙ୍କ ପ୍ରତିମା ନିର୍ମାଣ କାମ ଜୋରସୋରରେ ଚାଲିଛି । ବିନା ଭକ୍ତରେ କୋଭିଡ୍‌ ନିୟମ ମାନି ପୂଜା କରିବା ସପକ୍ଷରେ ଅଛନ୍ତି ସମସ୍ତ ପୂଜା କମିଟି । ତେବେ ପୋଲିସ ପକ୍ଷରୁ କୌଣସି ନିର୍ଦ୍ଦେଶ ନଆସିବାରୁ ବାଧ୍ୟ ହୋଇ ସେମାନେ କୋର୍ଟ ଯାଇଥିବା କହିଛନ୍ତି ।

ଯୁଗାବସାନ: ରାଷ୍ଟ୍ରପତି ତଥା ଜୟଦେବ ପୁରସ୍କାର ପ୍ରାପ୍ତ ସିନେ ନିର୍ଦ୍ଦେଶକ ଶାରଦାଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ଦେହାନ୍ତ । ବୁଧବାର ସନ୍ଧ୍ୟାରେ ୯୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ନାୟକଙ୍କ ପରଲୋକ ଘଟିଛି । ଏକାଧାରରେ ଜଣେ ସଫଳ ନିର୍ଦ୍ଦେଶକ, ଗୀତିକାର ଓ ସଂଳାପକାର ଭାବେ ପରିଚିତ ଶାରଦା ପ୍ରସନ୍ନଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି । ୬୦ ଦଶକଠାରୁ ଓଡ଼ିଆ ସିନେମା ସହ ଜଡ଼ିତ ହୋଇଥିବା ସାରଦା ପ୍ରସନ୍ନ ଦର୍ଶକଙ୍କୁ ବହୁ ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ର ଭେଟିଦେଇଛନ୍ତି । ତାଙ୍କର ବିୟ‌ୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

୧୯୬୨ ମସିହାରେ ସାରଦା ପ୍ରସନ୍ନ ନାୟକ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ସହ ଏଥିରେ ଗୀତିକାର ଓ ସଂଳାପକାର ଭୂମିକା ନିର୍ବାହ କରିଥିଲେ। ଏହି ଚଳଚ୍ଚିତ୍ର ଲାଗି ସେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ। କେବଳ ସେତିିକି ନୁହେଁ, ଏହି ଚଳଚ୍ଚିତ୍ରରେ ସେ ରଚନା କରିଥିବା ଗୀତ ‘ଆରତ ସୁରେ ବାରେ କରେ ମିନତିରେ..’ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ମହମ୍ମଦ ସିକନ୍ଦର ଆଲାମ  ଗାଇଥିବା ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସ୍ୱରାରୋପିତ ଏହି ଗୀତ ସେ ସମୟରେ ଚହଳ ସୃଷ୍ଟି କରିଥିଲା।

‘ଲକ୍ଷ୍ମୀ’ ପରେ ସେ ‘କା’, ‘ସ୍ତ୍ରୀ’ ଓ ‘ସଂସାର’ ଆଦି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ରକୁ ଅବଦାନ ଲାଗି ୨୦୧୩ ମସିହା ପାଇଁ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ନର୍ଦ୍ଦେଶନା ସହ ସେ ଫିଲ୍ମ ‘ହୀରାନୀଳା’ ଏବଂ ‘ସ୍ତ୍ରୀ’ରେ ଅଭିନୟ ମଧ୍ୟ କରିଥିଲେ। ଦୂରଦର୍ଶନରେ ଜଣେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରି ସେ ଅବସର ଗ୍ରହଣ କରିଥିଲେ।

କଟକଣା ଭିତରେ ପାଳନ ହେବ ଢ଼େଙ୍କାନାଳ ଲକ୍ଷ୍ମୀ ପୂଜା, ନିରାଡମ୍ବର ପୂଜା ସହ ଲାଗିବନି ଲାଇଟ୍‌ ବାଜିବନି ବାଜା

ଢ଼େଙ୍କାନାଳ: ମହାମାରୀ ପାଇଁ ନିରାଡ଼ମ୍ବର ଭାବେ ପାଳିତ ହେବ ଚଳିତ ବର୍ଷ ଗଜଳଷ୍ମୀ ପୂଜା । ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା ଲଷ୍ମୀ । କୋଭିଡ ନିୟମ ଓ ସରକାରଙ୍କ ଅନୁସାରେ ପୂଜା କମିଟି ପକ୍ଷରୁ ଆୟୋଜନ ହେବ ପୂଜ ମଣ୍ଡପ ।

ଏଥର ଗଜଲକ୍ଷ୍ମୀ ପୂଜା ଯାତ୍ରାରେ ନାଁ ବସିବ ବଜାର ନାଁ ଲାଗିବ ଦୋଳି । ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ ବି ବାରଣ କରାଯାଇଛି । କେବଳ ସ୍ଥାୟୀ ଦୋକାନ ଗୁଡିକ ଛଡା ଆଉ କୌଣସି ଉଠା ଦୋକାନୀଙ୍କୁ ପୂଜାରେ ଆସିବା ପାଇଁ କମିଟି ପକ୍ଷରୁ ମନା କରାଯାଇଛି । କେବଳ ସେତିକି ନୁହେଁ ପୂଜା ପରେ ଭସାଣ ବି ନିରାଡମ୍ବର ଭାବେ କରିବାକୁ ନିଷ୍ପତ୍ତି ହୋଇଛି ।

ଏପଟେ ପୂଜାକୁ ଆଉ ଅଳ୍ପ ଦିନ ଥିବାରୁ ସୁନିଆ ଦିବସରେ ମାଆଙ୍କ ମାଟି ଉଠା କାର୍ଯ୍ୟକ୍ରମ ଶେଷ ହୋଇଛି । କେବଳ ମୂର୍ତ୍ତି ନିର୍ମାଣ କରାଯାଇ ମାଁଙ୍କ ୧୦ ଦିନିଆ ପୂଜା ବିଧିକୁ ପାଳନ କରାଯିବ । ମଣ୍ଡପ ଗୁଡିକରେ କେବଳ ପୂଜା କମିଟିର କିଛି ଲୋକଙ୍କ ଛଡା ଭିଡ଼କୁ ସମ୍ପୂର୍ଣ ରୂପେ ବାରଣ କରାଯାଇଛି । ରାସ୍ତା ଘାଟରେ କୌଣସି ସାଜ ସଜା ଜନିତ ଲାଇଟ ମଧ୍ୟ ଲଗାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ମଣ୍ଡପ ଗୁଡିକରୁ ଭକ୍ତଙ୍କୁ କିପରି ଦୁରେଇ ରଖାଯାଇ ପାରିବ ସେନେଇ ଏବେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାରେ ବ୍ୟସ୍ତ ପୂଜା କମିଟିର କର୍ମକର୍ତା ।

୨୪ ଘଣ୍ଟାରେ ରାଜ୍ୟରେ ଆଉ ୩୧୧୦ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩ ହଜାର ୧୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥତା ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୫ ହଜାର ୨୯୫ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ତେବେ ୩୧୧୦ ଜଣ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ପୁରୀରୁ ୨୧୫, କଟକରୁ ୨୦୨, ମୟୂରଭଞ୍ଜ ୧୫୪, କେନ୍ଦ୍ରାପଡ଼ା ୧୩୧, ଢ଼େଙ୍କାନାଳ ୧୨୩, ବାଲେଶ୍ୱର ୧୦୩, ସମ୍ବଲପୁର ୧୦୨, ଯାଜପୁର ୧୦୦, ଗଞ୍ଜାମ ୯୮, ଝାରସୁଗୁଡ଼ା ୯୫, କୋରାପୁଟ ୯୫, ବରଗଡ଼ ୯୨, କଳାହାଣ୍ଡି -କେନ୍ଦୁଝର- କାନ୍ଧମାଳରୁ ୬୦ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ଏହାସହ ସୁନ୍ଦରଗଡ଼ରୁ ୫୮, ରାୟଗଡ଼ା ୫୦, ଭଦ୍ରକରୁ ୪୩, ଜଗତସିଂହପୁର ୪୨, ବଲାଙ୍ଗିର ୪୧, ନବରଙ୍ଗପୁର ୩୪, ମାଲକାନଗିରି ୩୨, ନୟାଗଡ଼ ୨୯, ଗଜପତି ୨୦, ସୋନପୁର ୨୦, ନୂଆପଡ଼ା ୧୬, ବୌଦ୍ଦ ୭, ଅନୁଗୁଳରୁ ୩ ଓ ଦେଓଗଡ଼ରୁ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନଲାଇନ କ୍ଲାସ ପାଇଁ ବାପା ଫୋନ କିଣି ନଦେବାରୁ ଝିଅ କଲା ଆତ୍ମହତ୍ୟା

ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀ ଯୋଗୁଁ ଗତ କିଛି ମାସ ହେବ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେଣୁ ପାଠପଢାକୁ ଗୁରୁତ୍ୱ ଦେଇ ଅନଲାଇନ କ୍ଲାସ କରୁଛନ୍ତି ସମସ୍ତ ଶିକ୍ଷାନୁଷ୍ଠାନ । କିନ୍ତୁ ଏହି ଅନଲାଇନ କ୍ଲାସକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଖୁବ ଆଶ୍ଚର୍ଯ୍ୟଜନକ ।

ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାରେ ଅନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନ କିଣିବାକୁ ଅସମର୍ଥ ହୋଇଥିବାରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ବୁଧବାରକୁ ଏହି ସୂଚନା ଦେଇଛି ପୋଲିସ୍ । କ୍ରାନ୍ତି ପୋଲିସ ଥାନା ଅଧିକାରୀ ଦିଲ୍ଲୀପ ସରକାରଙ୍କ କହିବାନୁଯାୟୀ ମଲ୍ଲି କଲେଜରେ ବିଏ ପ୍ରଥମ ବର୍ଷର ଜଣେ ଛାତ୍ରୀ ଜୟନ୍ତି ବାଉଲୀ ସୋମବାର ରାତିରେ ସରିପୁକୁରୀ ଅଞ୍ଚଳର ଡାବରୀପାରା ଗାଁରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଛାତ୍ରୀଙ୍କ ବାପା ଅବିରାମ ବାଉଲୀ ପୋଲିସକୁ କହିଛନ୍ତି କି ସେ ଜଣେ ଦିନ ମଜୁରିଆ । ଖୁବ କଷ୍ଟରେ ସେ ତାଙ୍କ ଝିଅର ପଢା ପାଇଁ ଅର୍ଥ ଯୋଗାଡ଼ କରୁଥିଲେ । କିନ୍ତୁ ଅନଲାଇନ କ୍ଲାସ ପାଇଁ ଝିଅକୁ ମୋବାଇଲ ଫୋନର ଆବଶ୍ୟକତା ଥିଲା । କିନ୍ତୁ ସେ ଏହି ଫୋନ କିଣିପାରିନଥିବାରୁ ତାଙ୍କ ଝିଅ ଅବସାଦରେ ଥିଲେ । ବ୍ୟକ୍ତି ଜଣକ ବୟାନରେ ଏହା ମଧ୍ୟ କହିଛନ୍ତି କି ମୁଁ ଜାଣି ନଥିଲି ସେ ଫୋନ ପାଇଁ ଏଭଳି ପଦକ୍ଷେପ ନେବ । ନଚେତ୍ ମୁଁ ଧାରକୁ ଟଙ୍କା ଆଣି ତା ପାଇଁ ଫୋନ କିଣି ଦେଇଥାନ୍ତି ।

ଫୋନ ପାଇଁ ଝିଅର ଏଭଳି ଅଚାନକ ଦୁନିଆ ଛାଡ଼ି ଚାଲିଯିବାଟା ଜଣେ ଅସହାୟକ ବାପାକୁ ଖୁବ କଷ୍ଟ ଦେଇଛି ନିଶ୍ଚୟ ।