spot_img
Home Blog Page 6362

CAG Report: କୋଇଲା ଉତ୍ତୋଳନରୁ କମିଛି ରାଜସ୍ୱ ଆଦାୟ

ଭୁବନେଶ୍ୱର: ବିଧାନସଭାରେ ରାଜସ୍ୱ କ୍ଷେତ୍ର ସଂପର୍କିତ ୨୦୧୮ ପାଇଁ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ୨୦୧୭-୧୮ରେ ରାଜସ୍ୱ ଆୟ ୪୨.୬୦ ପ୍ରତିଶତକୁ ବୃଦ୍ଧି ହୋଇଛି । ଏଥିସହ ୭୯୫.୧୮ କୋଟି ଟଙ୍କାର ରାଜସ୍ୱହାନୀ ହୋଇଛି । ବିଭିନ୍ନ ଦ୍ରବ୍ୟର ଭୁଲ ଶ୍ରେଣୀ କରଣ ଯୋଗୁଁ ୬୪.୦୭ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଲଘୁ ଖଣିଜ ଦ୍ରବ୍ୟ ଉପରେ ପ୍ରବେଶ କର ନିର୍ଦ୍ଧାରଣ ହୋଇନଥିଲା । ଫଳରେ ୫୬.୫୨ ଲକ୍ଷ ଟଙ୍କାର କର ଓ ଜରିମାନା ଅନାଦେୟ ରହିଛି । ୪୧ ହଜାର ୧୫୯ ଜଣ ବ୍ୟବସାୟୀ ଜିଏସଟିରେ ପଞ୍ଜୀକରଣ କରିନାହାନ୍ତି ।

ସେପଟେ ଅନୁଚିତ ସମୀକ୍ଷା ଫଳରେ ୭୩.୭୩ ଲକ୍ଷ ସୁଧ ଆଦାୟ ବିଳମ୍ବ ହୋଇଛି । ମହୁଲି ମଦ ବ୍ୟବସାୟୀ ଅବକାରୀ ମାର୍ଗଦର୍ଶିକା ପାଳନ କରିନାହାନ୍ତି । ଲାଇସେନ୍‌ସଧାରୀଙ୍କ ଠାରୁ ମନମୁଖି ଜରିମାନା ଆଦାୟ ହୋଇଛି । ସେପଟେ ମୋଟର ଯାନ କର ଓ ଜରିମାନା ଆଦାୟ ନେଇ ଆପତ୍ତି ଉଠାଇଲେ ସିଏଜି । ୫୩.୪୮ କୋଟି ଟଙ୍କାର ଜରିମାନା ଅନାଦେୟ ରହିଛି । କୋଇଲା ଉତ୍ତୋଳନରୁ ମଧ୍ୟ ୧୧୨.୨୬ କୋଟି ଟଙ୍କାର କମ୍ ରାଜସ୍ୱ ଆଦାୟ ହୋଇଛି ।

ପୁଣି କମିପାରେ ରେପୋ ରେଟ୍‌; ୭-୮-୯ରେ RBI ମୁଦ୍ରା ନୀତି ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମୀକ୍ଷା ବୈଠକ ଆଗାମୀ ୭,୮ ଏବଂ ୯ ଅକ୍ଟୋବରରେ ହେବ । ମଙ୍ଗଳବାର ଆରବିଆଇ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଦ୍ୱି-ମାସିକ ମୁଦ୍ରା ନୀତି ବୈଠକ ୭ ଅକ୍ଟୋବରଠାରୁ ଆରମ୍ଭ ହେବ । ବୈଠକର ଶେଷ ଦିନରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ ଡକାଇ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେବେ । ଏହା ପୂର୍ବରୁ ଆରବିଆଇ ମନିଟାରି ପଲିସି କମିଟିର ୩ ସଦସ୍ୟଙ୍କ ନିଯୁକ୍ତି ଦିଆଯାଇଛି । ସରକାର ସୋମବାର ଦିନ ୩ଜଣ ପ୍ରତିଷ୍ଠିତ ଅର୍ଥନୀତିଜ୍ଞଙ୍କୁ ଆରବିଆଇ ମନିଟରି ପଲିସି କମିଟିର ରେଟ୍‌ ସେଟିଂ ମନିଟରି ପଲିସି କମିଟିର ସଦସ୍ୟ ଭାବେ ନିଯୁକ୍ତି କରିଛନ୍ତି । ଏଥିରେ PMEASର ସଦସ୍ୟ ଅସୀମା ଗୋଏଲ, ନେସନାଲ କାଉଁସିଲ ଫର ଆପ୍ଲାଏଡ୍‌ ଇକୋନୋମିକ୍‌ ରିସର୍ଚ୍ଚର ସିନିୟର ଆଡଭାଇଜର ସଶାଙ୍କ ଭିଡ଼େ ଏବଂ IIM ଅହମ୍ମଦାବାଦର ପ୍ରଫେସର ଜୟନ୍ତ ଆର ବର୍ମା ନୂଆ ସଦସ୍ୟ ହୋଇଛନ୍ତି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ଗଠିତ ସମିତି ଏହି ସଦସ୍ୟମାନଙ୍କୁ ମଞ୍ଜୁରି ଦେଇଛି।

ଆରବିଆଇ ଅଧିନିୟମ ଅନୁସାରେ, ୩ ଜଣ ନୂଆ ସଦସ୍ୟଙ୍କ ନିଯୁକ୍ତି ୪ବର୍ଷ ପାଇଁ ହେବ । ତେବେ ଗତ ସେପ୍ଟେମ୍ବର ୨୯, ୩୦ ଏବଂ ଅକ୍ଟୋବର ୧ରେ ହେବାକୁ ଥିଲା ମୁଦ୍ରା ନୀତି ବୈଠକ । କିନ୍ତୁ ଆରବିଆଇ ଏମପିସିର ପୂର୍ବ ବୈଠକ ଗୁଡ଼ିକୁ ସ୍ଥଗିତ ରଖିଥିଲା । କାରଣ ସ୍ୱତନ୍ତ୍ର ସଦସ୍ୟଙ୍କ ନିଯୁକ୍ତିରେ ବିଳମ୍ବ ହୋଇଥିଲା । ସେତେବେଳେ ଆରବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଏମପିସିର ବୈଠକ ତାରିଖକୁ ଘୁଞ୍ଚାଯାଇଛି ।

ଯେଉଁମାନଙ୍କ ବଦଳରେ ନୂଆ ସଦସ୍ୟମାନେ ଆସିଛନ୍ତି ସେମାନେ ହେଲେ ଚେତନ ଘାଟେ, ପାମି ଦୁଆ ଏବଂ ରବିନ୍ଦ୍ର ଢୋଲକିଆ । ଚେତନ ଘାଟ ହେଉଛନ୍ତି ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ଜଣେ ପ୍ରଫେସର । ସେହିଭଳି ପାମି ଦୁଆ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍‌ସର ନିର୍ଦ୍ଦେଶକ ହୋଇଥିବା ବେଳେ ରବୀନ୍ଦ୍ର ଢୋଲକିଆ ଅହମ୍ମଦାବାଦ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ପ୍ରଫେସର ଅଛନ୍ତି ।

୨୦୧୬ରେ, ସରକାର ଆରବିଆଇ ଗଭର୍ଣ୍ଣର ଠାରୁ ଆରମ୍ଭ କରି ୬ ସଦସ୍ୟ ବିଶିଷ୍ଟ MPC ପର୍ଯ୍ୟନ୍ତ ସୁଧ ହାର ସେଟିଂର ଭୂମିକା ସ୍ଥିର କରିଥିଲେ । ଆରବିଆଇ ଗଭର୍ଣ୍ଣରଙ୍କ ନେତୃତ୍ୱରେ ପ୍ୟାନେଲର ଅଧା ଅଂଶ ବାହ୍ୟ ସ୍ୱତନ୍ତ୍ର ସଦସ୍ୟଙ୍କୁ ନେଇ ଗଠିତ । ଆରବିଆଇ ଅଧିନିୟମ ଅନୁଯାୟୀ, ବାହ୍ୟ ସଦସ୍ୟମାନେ ୪ ବର୍ଷର ଅବଧି ପାଇଁ କାର୍ଯ୍ୟ କରିପାରିବେ ଏବଂ ପୁନ ନିଯୁକ୍ତି ପାଇଁ ଯୋଗ୍ୟ ହୋଇପାରିବେ ନାହିଁ । ଏମପିସିର ଅନ୍ୟାନ୍ୟ ପଦବୀରେ ଥିବା ସଦସ୍ୟମାନେ ହେଉଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର, ଡେପୁଟି ଗଭର୍ଣ୍ଣର ଏବଂ ଆରବିଆଇର ଜଣେ କେନ୍ଦ୍ରୀୟ ଅଧିକାରୀ ।

Beware Of Banking Fraud RBI Give Instruction About How To Secure Your Money From Bank Frauds

କରୋନା ମହାମାରୀ ଏବଂ ଲକଡାଉନ୍ କାରଣରୁ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହାକୁ ସୁଧାରିବା ଏକ ବଡ଼ ଚ୍ୟାଲେଞ୍ଜ ନିଶ୍ଚିତ । ତେବେ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ କିଛି ଅଣପାରମ୍ପିକ ପଦକ୍ଷେପ ନିଆଯାଇପାରେ ବୋଲି ଆଶା କରାଯାଉଛି । ଯଦି ସଂଖ୍ୟା ଉପରେ ନଜର ପକାଇବା ତେବେ ଗତ ଫେବ୍ରୁଆରୀରୁ ଆଜି ସୁଦ୍ଧା ଆର୍‌ବିଆଇ ପକ୍ଷରୁ ରେପୋ ରେଟ୍‌ରେ ୧.୧୫ ପ୍ରତିଶତ ହ୍ରାସ କରାଯାଇ ସାରିଛି । ତେବେ ଆଗାମୀ ଅକ୍ଟୋବର ୯ ରେ ଆରବିଆଇ ପକ୍ଷରୁ ରେପୋ ରେଟ୍‌ରେ ପୁଣି ୦.୨୫ ପ୍ରତିଶତ ହ୍ରାସ କରାଯାଇପାରେ ।

ଆହୁରି ବର୍ଷିବ ! ଅମଳକୁ ଆଉ ମାସେ ଥିବାବେଳେ ବିଗିଡିଲାଣି ଚାଷବାସ

ଭୁବନେଶ୍ୱର: ଧାନ ଥୋଡ଼କୁ ବର୍ଷାର ପାହାର । ଅମଳକୁ ଆଉ ମାସେ ଥିବା ବେଳେ ବର୍ଷା ବିଗାଡିଦେଲାଣି ଚାଷବାସ । ପନିପରିବା ଚାଷ ଉପରେ ବି ଦାଉ ସାଧିଛି ସକ୍ରିୟ ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ୨୪ ଘଣ୍ଚା ସକ୍ରିୟ ରହିବାକୁ ଥିବା ବେଳେ, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୧ରୁ ୧୩ ତାରିଖ ଯାଏ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

Hirakud

ସେହିଭଳି ଉପରମୁଣ୍ଡରୁ ଜଳପ୍ରବାହ ବଢିଥିବାରୁ ବିପଦ ସଙ୍କେତ ଛୁଇଁଛି ହୀରାକୁଦ ଜଳଭଣ୍ଡାର । ବର୍ତ୍ତମାନ ଜଳସ୍ତର ବିପଦ ସଙ୍କେତ ୬୩୦ ଫୁଟ୍‌ ଛୁଇଁଥିବା ବେଳେ ୫ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ । ଜଳପ୍ରବାହ ବଢିଲେ ଅଧିକ ସଂଖ୍ୟକ ଗେଟ୍‌ ଖୋଲାଯିବ ବୋଲି ଘୋଷଣା କରିଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ । ସେହିପରି ବାଲେଶ୍ୱର ମଥାନି ଠାରେ ବିପଦ ସଙ୍କେତ ତଳକୁ ଖସୁନି ଜଳକାର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବିପଦ ସଙ୍କେତ ୫.୫୦ ମିଟର ପାର ହୋଇଛି । ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ୫.୮୬ ମିଟର ରେକର୍ଡ ହୋଇଛି ।

କରୋନା ଆଣିଦେଲା ଦୁଃଖ, ଜୀବନ ବଞ୍ଚାଇବାକୁ ମୂଲିଆ ସାଜିଲେ ଜାତୀୟସ୍ତରର ଫୁଟବଲ୍‌ ଖେଳାଳି

ଯାଜପୁର: କରୋନା ଆଣିଦେଲା ଦୁଃଖ । ଗୁଜୁରାଣ ପାଇଁ ଜାତୀୟ ସ୍ତରର ଫୁଟବଲ୍ ତାରକା ଏବେ ଦିନ ମଜୁରିଆ । ଜୀବନ ବଂଚାଇବାକୁ ମୂଲିଆ ସାଜିଲେ ଉଦୀୟମାନ ପ୍ରତିଭା । କିଛିଦିନ ତଳେ ମାଆଙ୍କ ମୃତ୍ୟୁ ପରେ ରୋଗୀଣା ବାପାଙ୍କ ଚିକିତ୍ସା ଓ ନିଜର ଗୁରୁରାଣ ମେଂଟାଇବା ପାଇଁ ସେ ଆଜି ପର ଘରେ ମୂଲ ଲାଗୁଛନ୍ତି । କେତେବେଳେ ରାଜମିସ୍ତ୍ରୀ କାମ ତ ଆଉ କେତେବେଳେ ବିଲବାଡି କାର୍ଯ୍ୟକୁ ଆଦରି ନେବାକୁ ବାଧ୍ୟ ହୋଇଛନ୍ତି ଜଣେ ପ୍ରତିଭାବାନ କ୍ରୀଡ଼ାବିତ୍ । ଦିନକୁ ୨୫୦ ଟଙ୍କା ମଜୁରୀରେ ପର ଘରେ କାମ କରୁଛନ୍ତି ଲକ୍ଷ୍ମୀ । ଆମେ କହୁଛୁ ଯାଜପୁର ସୁକିନ୍ଦା ଅଂଚଳର ଲକ୍ଷ୍ମୀ ମୁଣ୍ଡାଙ୍କ କଥା । ଗରିବ ଆଦିବାସୀ ପରିବାରରେ ଜନ୍ମିତ ଏହି ଝିଅ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛନ୍ତି ।

ପିଲାବେଳୁ ଲକ୍ଷ୍ମୀଙ୍କର ଫୁଟବଲ୍ ଖେଳ ପ୍ରତି ରହିଥିଲା ରୁଚି । ତେଣୁ ସ୍କୁଲରେ ପଢିବା ସମୟରୁ ସେ ଫୁଟବଲ୍ ଖେଳ ଆରମ୍ଭ କରିଥିଲେ । ପରେ ଲକ୍ଷ୍ମୀ ବ୍ଲକ ଓ ଜିଲ୍ଲା ସ୍ତରରେ ଖେଳିବାକୁ ମନୋନିତ ହୋଇଥିଲେ । ରାଜ୍ୟ ସ୍ତରରେ ମନୋନୀତ ହେବା ପରେ କଳିଙ୍ଗ ଷ୍ଟାଡିୟମରେ ଥିବା ସ୍ପୋର୍ଟସ ହଷ୍ଟେଲରେ ରହି ସେ ଖେଳ ଆରମ୍ଭ କରିଥିଲେ । ଲକ୍ଷ୍ମୀ ୨୦୧୧ରେ ପ୍ରଥମ ଥର ରାଜ୍ୟ ପାଇଁ ଖେଳିଥିଲେ । ଏହା ପରଠୁ ସେ ରାଜ୍ୟ ପାଇଁ ଗୋଟିଏ ପରେ ଗୋଟିଏ ଗୌରବ ଆଣିଥିଲେ । ଏସବୁ ଖେଳରେ ନିଜର ଆଶାତୀତ ପାରଦର୍ଶିତା ଦେଖାଇ ପ୍ରଶଂସିତ ମଧ୍ୟ ହୋଇଥିଲେ ।  ଲକ୍ଷ୍ମୀଙ୍କ ଭଳି ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ତୁରନ୍ତ ସହାୟତା ଓ ଖେଳ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହୋଇଛି ।

ଦେହରେ ମାଟି ବୋଳି କୃଷି ବିଲ୍‌କୁ ବିରୋଧ

କଟକ: କେନ୍ଦ୍ର ଆଣିଥିବା କୃଷି ବିଲ୍‌କୁ ବିରୋଧ ସହ ପ୍ରତ୍ୟାହାର ଦାବିରେ ଅଭିନବ ଉପାୟରେ ଆରମ୍ଭ ହୋଇଛି ପ୍ରତିବାଦ । କଟକ ଜିଲ୍ଲା ମାହାଙ୍ଗା ମଣିଯୋରୀ ସ୍ଥିତ କୃଷକ ମନ୍ଦିର ସମ୍ମୁଖରେ NAPM(ନ୍ୟାସନାଲ ଆଲିଆନ୍‌ସ ଅଫ୍ ପିପୁଲ୍ସ ମୁଭ୍‌ମେଣ୍ଟ୍) ଓଡିଶା ଆବାହକ ମଣ୍ଡଳିର ସଦସ୍ୟ ଓ କୃଷକ ନେତା ଦେହରେ ମାଟି ବୋଳି ଅଭିନବ ପ୍ରତିବାଦ କରିଥିଲେ ।

ଏହି ପ୍ରତିବାଦ ନଭେମ୍ବର ୨୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେମାନେ କହିଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ସରକାର ଏହି ବିଲ୍‌କୁ ଯଦି ପ୍ରତ୍ୟାହାର ନକରନ୍ତି ତାହାଲେ ଆନ୍ଦୋଳନକୁ ତୀବ୍ରତର କରାଯିବ । ଖୁବ୍ କମ୍ ଦିନ ଭିତରେ ଦିଲ୍ଲୀରେ, ଏଭଳି ଦେହରେ ମାଟି ବୋଳି ପ୍ରତିବାଦ କରିବେ ବୋଲି କୃଷକ ନେତା ତଥା ସମାଜସେବୀ ପ୍ରତାପ ସାହୁ କହିଛନ୍ତି ।

କେବେ ମିଳିବ ଜମାଟଙ୍କା ? ଆଶା ଆଶଙ୍କାରେ ଜମାକାରୀ…

ବାରିପଦା: ବିଳମ୍ବରେ ହେଉ ପଛେ ବାରିପଦା ଅର୍ବାନ କୋପରେଟିଭ୍ ବ୍ୟାଙ୍କରେ ଜମାକାରୀଙ୍କୁ ମିଳିବ ସେମାନଙ୍କ ଜମାରାଶି । ଏନେଇ ଆଶାବାଦୀ ଥିଲେ ଜମାକାରୀ । ହେଲେ ମାମଲା ବାରମ୍ବାର କୋର୍ଟକୁ ଯାଉଥିବାରୁ ସେମାନେ ଆଶଙ୍କାରେ ରହୁଛନ୍ତି ।

କେବେ ମିଳିବ ଜମାଟଙ୍କା ? ଆଶା ଓ ଆଶଙ୍କାରେ ଜମାକାରୀ । ସମବାୟ ବିଭାଗ ଅନୁମତିକୁ ଅପେକ୍ଷା କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ରାଜ୍ୟର ଅନ୍ୟତମ ଅଗ୍ରଣୀ ସମବାୟ ବ୍ୟାଙ୍କ ଭାବେ ଖ୍ୟାତି ଅର୍ଜନ କରିଥିଲା । ହେଲେ ବ୍ୟାଙ୍କର ପରିଚାଳନା ଗତ ତ୍ରୁଟି ଓ ଖିଲାପି ଋଣ ଆଦାୟ ନହେବାରୁ ବ୍ୟାଙ୍କ ଦୁର୍ବଳ ହେବା ସହ ଆରବିଆଇ ରଦ୍ଦ କରିଥିଲା ଲାଇସେନ୍ସ । ଏପରିକି କାରବାର ଉପରେ ବି ଲଗାଯାଇଥିଲା ରୋକ୍ । ଫଳରେ ହଜାର ହଜାର ଜମାକାରୀ ସେମାନଙ୍କ ଜମାରାଶି ପାଇବାରୁ ବଞ୍ଚିତ ହୋଇଥିଲେ । ଏ ସଂପର୍କରେ ହାଇକୋର୍ଟ ବିଚାର ପରେ ଜମାକାରୀଙ୍କ ସପକ୍ଷରେ ପ୍ରକାଶ ପାଇଥିଲା ରାୟ । ହେଲେ ରାୟ ଆସିବାର ୨ ସପ୍ତାହ ପରେ ବି ଆରମ୍ଭ ହୋଇନି ଫେରସ୍ତ ପ୍ରକ୍ରିୟା ।

ସେପଟେ ରାଜ୍ୟ ସମବାୟ ବିଭାଗର ଅନୁମତିକୁ ଅପେକ୍ଷା କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଅନୁମତି ଆସିଲେ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଖୁବଶୀଘ୍ର ଏନେଇ ଏହି ନିର୍ଦ୍ଦେଶନାମା ଆସିବ ଓ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ ବୋଲି ଜଣେ ପୂର୍ବତନ ନିର୍ଦ୍ଦେଶକ କହିଛନ୍ତି । ହାଇକୋର୍ଟଙ୍କ ରାୟ ହଜାର ହଜାର ଜମାକାରୀଙ୍କ ଦୁଃଖ ଲାଘବ କରିବାରେ ସକ୍ଷମ ହୋଇପାରିବ ବୋଲି ଆଶା ରଖିଛନ୍ତି ଜମାକାରୀ ।

ଜାଣିଶୁଣି ଅବୁଝା ହେଲେ କିଏ ବୁଝେଇବ : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର:  କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ସିଧାସଳଖ କରାଯାଉଛି । ଏହି ବ୍ୟବସ୍ଥା ହିଁ ତ ସ୍ୱାୟତ୍ତତାକୁ ନଷ୍ଟ କରୁଛି । ସେହିପରି ଗୁଜରାଟରେ ରାଜ୍ୟ ସରକାର ସିଧାସଳଖ ନିଯୁକ୍ତି ମାଧ୍ୟମରେ କୁଳପତିମାନଙ୍କୁ ଅବସ୍ଥାପିତ କରୁଛନ୍ତି । ସେଠାରେ କୁଳାଧିପତିଙ୍କ ଦସ୍ତଖତ ମଧ୍ୟ ଆବଶ୍ୟକତା ପଡୁନାହିଁ । ପଞ୍ଜାବରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ୫ଜଣଙ୍କ ନାଁ ସୁପାରିଶ କରୁଛି । ସେଥିରୁ ମାତ୍ର ଜଣଙ୍କ ନାଁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ପଠାଉଛନ୍ତି । କର୍ନାଟକ ଏବଂ ତେଲେଙ୍ଗାନାରେ ରାଜ୍ୟ ସରକାର ୩ଟି ନାଁ ତାଙ୍କ ତରଫରୁ ଦେଉଛନ୍ତି । ପଶ୍ଚିମବଙ୍ଗରେ ତ ରାଜ୍ୟ ସରକାରଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ରାଜ୍ୟପାଳଙ୍କୁ କୁଳପତି ନିଯୁକ୍ତି କରିବାକୁ ପଡୁଛି । ବିହାରରେ ମଧ୍ୟ ସରକାର କୁଳପତି ନିଯୁକ୍ତିରେ ସିଧାସଳଖ ହସ୍ତକ୍ଷେପ କରୁଛନ୍ତି ।

ଅପରପକ୍ଷରେ ଓଡ଼ିଶାରେ ସର୍ଚ୍ଚ କମିଟି ପକ୍ଷରୁ ୩ଟି ନାଁ ସୁପାରିଶ କରାଯିବ । ତନ୍ମଧ୍ୟରୁ ଜଣଙ୍କୁ ରାଜ୍ୟପାଳ ନିଜ ବିଚାର ଅନୁସାରେ ନିଯୁକ୍ତି କରିବେ । କାହାକୁ ନିଯୁକ୍ତି କରିବେ, ସେ କଥା ପଚାରିବାର ବି ଆବଶ୍ୟକତା ନାହିଁ । ଏହି ଉଦାହରଣରୁ ସ୍ପଷ୍ଟ ଯେ, ଓଡ଼ିଶାରେ କୁଳପତିମାନଙ୍କ କ୍ଷମତାକୁ ସଙ୍କୁଚିତ କରାଯାଉନାହିଁ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦ ଗୃହୀତ ହେବା ପରେ ଏକ ବିତର୍କରେ ଭାଗ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି ।


ରାଜ୍ୟର ଉଚ୍ଚଶିକ୍ଷାର ରାଜନୀତିକରଣ ହେଉଥିବା କେତେକ ବିରୋଧୀ ଓ ବୁଦ୍ଧିଜୀବୀ ଆଶଙ୍କା କରୁଛନ୍ତି । ଏହି ପ୍ରଶ୍ନର ଉତ୍ତର ଦେଇ କହିଲେ । ପୂର୍ବରୁ କଲେଜ ଗଭର୍ଣ୍ଣିଂ ବଡିରେ ବିଧାୟକ ରହୁଥିଲେ । ଏହି ପଦ୍ଧତିରେ ତ ଶାସକ ଦଳର ଅଧିକ ବିଧାୟକ କଲେଜ ସହ ସଂପୃକ୍ତ ହେଉଥିଲେ । ଆମେ ତ ସେହି ବ୍ୟବସ୍ଥା ଉଚ୍ଛେଦ କଲୁ । ବିଧାୟକ ନୁହେଁ, ଶିକ୍ଷାବିତଙ୍କୁ ପ୍ରାଧାନ୍ୟ ଦେଲୁ । ଏହା କଣ ଶିକ୍ଷାର ଅଣରାଜନୀତିକରଣ ନୁହେଁ କି । ତେଣୁ କୌଣସି ପ୍ରସଙ୍ଗକୁ ନ ବୁଝି ବିରୋଧ କଲେ ତାଙ୍କୁ କିପରି ବୁଝାଯିବ ବୋଲି ଅରୁଣ କହିଛନ୍ତି । ୩୧ ପୂର୍ବେ ଯେଉଁ ଆଇନ ଥିଲା, ସେ ସମୟର ବିଶ୍ୱବିଦ୍ୟାଳୟର ସଂଖ୍ୟାକୁ ଦେଖିଲେ ଠିକ୍ ଥିଲା । ତିନି ଦଶନ୍ଧିରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଏହି ପରିବର୍ତ୍ତନ ସମୟର ଆବଶ୍ୟକତା । ଯେଉଁମାନେ ଭାବୁଛନ୍ତି ସ୍ୱାୟତ୍ତତା ଥିଲା, ତେବେ ସେମିଷ୍ଟାର ହେବା, ଖାତା ଦେଖା କାହିଁକି ବିଳମ୍ବ ହେଉଥିଲା । ତେଣୁ ଏହି ପରିବର୍ତ୍ତନ ଅଧିକ ସ୍ୱାୟତ୍ତତା ବୃଦ୍ଧି କରିବ ବୋଲି ମନ୍ତ୍ରୀ କହିଛନ୍ତି ।


ଗବେଷଣାଗତ ଜ୍ଞାନ ବୃଦ୍ଧି ପାଇଁ ବିଶ୍ୱବିଦ୍ୟାଳୟଗୁଡିକର ପରିକଳ୍ପନା କରାଯାଇଥିଲା । ହେଲେ ବର୍ତ୍ତମାନ ବ୍ୟବସ୍ଥା ସେଥିରେ ଅନ୍ତରାୟ ସୃଷ୍ଟି କରୁଥିଲା । ପ୍ରଶିକ୍ଷକମାନେ ଅନ୍ୟ ଗୁଡିକ ପ୍ରଶାସନିକ କାର୍ଯ୍ୟ ଯଥା-ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ, ଚୟନ ଇତ୍ୟାଦିରେ ସମୟ ଅତିବାହିତ କରୁଥିଲେ । ବର୍ତ୍ତମାନ ଏକ ଉତ୍ତମ ସଂସ୍ଥା ସେ ଦାୟିତ୍ୱ ନେବ, ଏହା ଦ୍ୱାରା ସମୟ ବଞ୍ଚିବ । ସେମାନେ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ଦେବେ ବୋଲି ମନ୍ତ୍ରୀ ଦୃଢ ଦାବି କରିଛନ୍ତି ।

ରି-ଆଡମିଶନ ଫି’ ହ୍ରାସ ଦାବିରେ ଆନ୍ଦୋଳନ

ବାରିପଦା: ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ରିଆଡ଼ମିଶନ ଫି’ ହ୍ରାସ ଦାବିରେ ଆନ୍ଦୋଳନ । ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ତାଲା ପକାଇ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରା ଦେଉଛନ୍ତି ଛାତ୍ରଛାତ୍ରୀ । କରୋନା ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇଛି । ଏହା ସହ ଶିକ୍ଷାବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି ।

ତେବେ ଦୀର୍ଘ ୭ ମାସରୁ ଉର୍ଦ୍ଧ୍ୱ ସମୟରେ ବିଶ୍ୱବିଦ୍ୟାଳୟରେ ପାଠ ପଢା ଚାଲିନଥିବା ବେଳେ ରିଆଡ଼ମିଶନ ଫି କିଭଳି ବୃଦ୍ଧି କରାଯାଇ ଛାତ୍ରଛାତ୍ରୀଙ୍କ ଠାରୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ଏହାସହ ମହାମାରୀ ବେଳେ ରାଜ୍ୟ ବାହାରୁ ଶତାଧିକ ଛାତ୍ରଛାତ୍ରୀ ଅଳ୍ପସମୟରେ ବିଶ୍ୱବିଦ୍ୟାଳୟରେ ଆସି କିଭଳି ଫି ଦାଖଲ କରିବେ ତାହା ମଧ୍ୟ ପ୍ରଶ୍ନ କରିଛନ୍ତି ।

ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ ବୋଲି ଅଭିଯୋଗ ହୋଇଛି । ସେପଟେ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ମହାମାରୀ ସମୟରେ ପୂର୍ବରୁ କୌଣସି ସୂଚନା ନଦେଇ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି । ୯୮% ଛାତ୍ରଛାତ୍ରୀ ମାନେ ରିଆଡ଼ମିଶନ ଫି ଦାଖଲ କରିସାରିଥିବା ବେଳେ, ଶେଷ ୧୦ ତାରିଖକୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଥିବା କହିଛନ୍ତି ।

ଭାଇରାଲ ବିଜ୍ଞାପନ: ପରିବାରର ଗୋଟିଏ ସର୍ତ୍ତ- ‘ଏମିତି ବୋହୂ ଦରକାର ଯାହାକୁ ସୋସିଆଲ ମିଡିଆ ନିଶା ନଥିବ’

ନୂଆଦିଲ୍ଲୀ: ଆଜିକାଲି ବିବାହ ପାଇଁ ବିଜ୍ଞାପନ ଦେବା କିଛି ନୂଆ କଥା ନୁହେଁ । ବିଭିନ୍ନ ମାଟ୍ରିମୋନିଆଲ ସାଇଟ ହେଉ କି ଖବରକାଗଜ, ଲୋକେ ନିଜ ମନ ପସନ୍ଦର ଜୀବନସାଥୀ ପାଇଁ ବିଜ୍ଞାପନ ଦେଇଥାନ୍ତି । ତେବେ ଏକ ପରିବାର ଏମିତି ବିଜ୍ଞାପନ ଦେଇଛନ୍ତି ଯାହା ସାଧାରଣରେ କୌତୁହଳ ସୃଷ୍ଟି କରିଛି । ବିଜ୍ଞାପନରେ ପରିବାର ଲେଖିଛନ୍ତି ଯେ, ବୋହୂର ସମସ୍ତ ଅଭ୍ୟାସ ସହ୍ୟ କରିପାରିବେ କିନ୍ତୁ ସୋସିଆଲ ମିଡିଆ ନିଶାକୁ ନୁହେଁ ।

ସାଧାରଣରେ ଯେତେବେଳେ ବିବାହ ପାଇଁ ବିଜ୍ଞାପନ ଦିଆହୁଏ ସେଥିରେ ବୋହୂ ଲମ୍ବା, ପତଳା, ଗୋରା ଆଦି ହୋଇଥିବା ଆବଶ୍ୟକ ବୋଲି ଲେଖାହୋଇଥାଏ । କିନ୍ତୁ ଲାଗୁଛି ଯେମିତି ଦୁନିଆ ବଦଳିବା ସହିତ ଯୋଗ୍ୟ ବୋହୂର ମାନଦଣ୍ଡ ମଧ୍ୟ ବଦଳିବାରେ ଲାଗିଛି ।

https://twitter.com/nitinsangwan/status/1312291041853280257

ଖବରକାଗଜରେ ଛପିଥିବା ଏକ ମାଟ୍ରିମୋନିଆଲ ଆଡର ଫଟୋ ନିତିନ ସାଙ୍ଗୱାନ ନାମକ ଜଣେ IAS ଅଧିକାରୀ ନିଜ ଟ୍ୱିଟରରେ ସେୟାର କରିଛନ୍ତି । ବିଜ୍ଞାପନରେ ଲେଖାହୋଇଛି ଯେ, ଆମର ବୋହୂ ସୂନ୍ଦର, ଡେଙ୍ଗା, ପତଳା ଥିବାଭଳି କୌଣସି ଦାବି ନାହିଁ କିନ୍ତୁ ବୋହୂକୁ ସୋସିଆଲ ମିଡିଆର ନିଶା ନଥିବା ଦରକାର  ।

 

ଏହି ବିଜ୍ଞାପନକୁ ସେୟାର କରି ଅଧିକାରୀ ଜଣଙ୍କ ଲେଖିଛନ୍ତି ଯେ, ଭାବି ବୋହୂ / ବର ମାନେ ଧ୍ୟାନ ଦିଅନ୍ତୁ । ବଦଳୁଛି ବିବାହର ମାନଦଣ୍ଡ । ଏହି ବିଜ୍ଞାପନ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକମାନେ ଫନି କମେଣ୍ଟ ମଧ୍ୟ ଦେଉଛନ୍ତି ।

OTV MDଙ୍କ ବିରୋଧରେ ବଢ଼ିଲା ଅଭିଯୋଗର ଫର୍ଦ୍ଦ, ରୁଜୁ ହେଲା SC/ST ମାମଲା

ଖୋର୍ଦ୍ଧା: ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ବିରୋଧରେ ବଢ଼ିଲା ଅଭିଯୋଗର ଫର୍ଦ୍ଦ । ବାଘମାରୀ ଥାନାରେ ଓଟିଭି ଏମଡିଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । ଓଟିଭିର ଏକଛତ୍ରବାଦ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ସାରୁଅ ଓ ଲୋକନାଥପୁର ଗ୍ରାମବାସୀ । ଏତଲାରେ ଦର୍ଶାଇଯାଇଛି ଯେ, ଜଗିଙ୍କ ବାପା, ଭାଇ ଓ ପ୍ରୋଜେକ୍ଟ ଦାୟିତ୍ଧରେ ଥିବା ବ୍ୟକ୍ତି ବିଶେଷମାନେ ସ୍ଥାନୀୟ ଲୋକଙ୍କୁ ଧମକାଉଛନ୍ତି ।

ଏପରିକି ଓଟିଭି ଓ ତରଙ୍ଗ ଚ୍ୟାନେଲ ଦ୍ୱାରା ଗାଁ ପୋଖରୀ ଜବରଦଖଲ ସହ ପାଚେରୀକୁ ବିରୋଧ ନକରିବାକୁ ଧମକ ଦେଉଛନ୍ତି ଜଗିଙ୍କ ପରିବାର । ଅନୁସୂଚିତ ଜାତି ଜନଜାତି ଶ୍ରେଣୀର ହୋଇଥିବାରୁ ଧମକାଉଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ । ଏନେଇ SC/ST ଆଇନର ଧାରା ୩(୧) ଓ ଧାରା ୨(ଭିଏ)ରେ ମାମଲା ରୁଜୁ ହୋଇଛି । ସେହିପରି ଆଇପିସି ଧାରା ୪୪୭, ୫୦୬ ଓ ୩୪ରେ ମାମଲା ରୁଜୁ ହୋଇଛି । ସେହିପରି ପାଚେରୀ ତିଆରି କରିଥିବା ୪ ଠିକାଦାରଙ୍କ ସହ ପୋଲିସର ପଚରାଉଚରା କରିଥିବା ସୂଚନା ମିଳିଛି ।

ଅନ୍ୟପଟେ ଜମି କିଣା ଆଳରେ ଗାଁଟା ଯାକର ଜମି ମାଡ଼ି ବସିବାକୁ ରଚିଛନ୍ତି ଚକ୍ରବ୍ୟୂହ । ଏମିତି ବାଗରେ ଜମି କିଣାଯାଇଛି ଯେ ବାକି ଜମି ଯେମିତି ଆପେ ଆପେ ଗୋଡ଼ତଳକୁ ଆସିବ । ନିଜର ଜମି ହରାଇବା ଆଶଂକାରେ ଚିନ୍ତିତ ଗାଁଲୋକ ଜିଲ୍ଲାପାଳଙ୍କୁ ଅଭିଯୋଗ କଲାପରେ ମାପଚୁପ ଜାରି ରହିଛି । ଆଜି ଚତୁର୍ଥ ଥର ପାଇଁ ଖୋର୍ଦ୍ଧା ପ୍ରଶାସନର ୭ ଜଣିଆ ଟିମ ପୋଲିସ ଉପସ୍ଥିତିରେ ସାରୁଅ ଯାଇ ମାପଚୁପ କରିଛି । ତେବେ ଏହି ଟିମ୍‌ରୁ ବାଦ ପଡ଼ିଛନ୍ତି ବିବାଦୀୟ ବେଗୁନିଆ ତହସିଲଦାର । ପୂର୍ବରୁ ଏହି ତଦସିଲଦାର ଜଣଙ୍କ ବିରୋଧରେ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଥିଲେ । ତାଙ୍କ ବିରୋଧରେ ସ୍ଥାନୀୟ ଲୋକ ଅଭିଯୋଗ କରିବା ପରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ରାଜସ୍ୱ ବିଭାଗକୁ ସୁପାରିସ କରିଥିଲେ ।