କରୋନା ଆଣିଦେଲା ଦୁଃଖ, ଜୀବନ ବଞ୍ଚାଇବାକୁ ମୂଲିଆ ସାଜିଲେ ଜାତୀୟସ୍ତରର ଫୁଟବଲ୍‌ ଖେଳାଳି

Jajpur Football Player Laxmi

ଯାଜପୁର: କରୋନା ଆଣିଦେଲା ଦୁଃଖ । ଗୁଜୁରାଣ ପାଇଁ ଜାତୀୟ ସ୍ତରର ଫୁଟବଲ୍ ତାରକା ଏବେ ଦିନ ମଜୁରିଆ । ଜୀବନ ବଂଚାଇବାକୁ ମୂଲିଆ ସାଜିଲେ ଉଦୀୟମାନ ପ୍ରତିଭା । କିଛିଦିନ ତଳେ ମାଆଙ୍କ ମୃତ୍ୟୁ ପରେ ରୋଗୀଣା ବାପାଙ୍କ ଚିକିତ୍ସା ଓ ନିଜର ଗୁରୁରାଣ ମେଂଟାଇବା ପାଇଁ ସେ ଆଜି ପର ଘରେ ମୂଲ ଲାଗୁଛନ୍ତି । କେତେବେଳେ ରାଜମିସ୍ତ୍ରୀ କାମ ତ ଆଉ କେତେବେଳେ ବିଲବାଡି କାର୍ଯ୍ୟକୁ ଆଦରି ନେବାକୁ ବାଧ୍ୟ ହୋଇଛନ୍ତି ଜଣେ ପ୍ରତିଭାବାନ କ୍ରୀଡ଼ାବିତ୍ । ଦିନକୁ ୨୫୦ ଟଙ୍କା ମଜୁରୀରେ ପର ଘରେ କାମ କରୁଛନ୍ତି ଲକ୍ଷ୍ମୀ । ଆମେ କହୁଛୁ ଯାଜପୁର ସୁକିନ୍ଦା ଅଂଚଳର ଲକ୍ଷ୍ମୀ ମୁଣ୍ଡାଙ୍କ କଥା । ଗରିବ ଆଦିବାସୀ ପରିବାରରେ ଜନ୍ମିତ ଏହି ଝିଅ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛନ୍ତି ।

ପିଲାବେଳୁ ଲକ୍ଷ୍ମୀଙ୍କର ଫୁଟବଲ୍ ଖେଳ ପ୍ରତି ରହିଥିଲା ରୁଚି । ତେଣୁ ସ୍କୁଲରେ ପଢିବା ସମୟରୁ ସେ ଫୁଟବଲ୍ ଖେଳ ଆରମ୍ଭ କରିଥିଲେ । ପରେ ଲକ୍ଷ୍ମୀ ବ୍ଲକ ଓ ଜିଲ୍ଲା ସ୍ତରରେ ଖେଳିବାକୁ ମନୋନିତ ହୋଇଥିଲେ । ରାଜ୍ୟ ସ୍ତରରେ ମନୋନୀତ ହେବା ପରେ କଳିଙ୍ଗ ଷ୍ଟାଡିୟମରେ ଥିବା ସ୍ପୋର୍ଟସ ହଷ୍ଟେଲରେ ରହି ସେ ଖେଳ ଆରମ୍ଭ କରିଥିଲେ । ଲକ୍ଷ୍ମୀ ୨୦୧୧ରେ ପ୍ରଥମ ଥର ରାଜ୍ୟ ପାଇଁ ଖେଳିଥିଲେ । ଏହା ପରଠୁ ସେ ରାଜ୍ୟ ପାଇଁ ଗୋଟିଏ ପରେ ଗୋଟିଏ ଗୌରବ ଆଣିଥିଲେ । ଏସବୁ ଖେଳରେ ନିଜର ଆଶାତୀତ ପାରଦର୍ଶିତା ଦେଖାଇ ପ୍ରଶଂସିତ ମଧ୍ୟ ହୋଇଥିଲେ ।  ଲକ୍ଷ୍ମୀଙ୍କ ଭଳି ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ତୁରନ୍ତ ସହାୟତା ଓ ଖେଳ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହୋଇଛି ।

Leave a Reply