spot_img
Home Blog Page 633

ନିଜ ହିସାବରେ ପନ୍ତ ଚଳାନ୍ତି କମ୍ପ୍ୟୁଟର, ଜାଣନ୍ତୁ କାହିଁକି ଏମିତି କହିଲେ ରବି ଶାସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ଦମଦାର ଶତକ ହାସଲ କରିଛନ୍ତି ଟିମ୍ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ସେ ୧୭୮ ବଲରୁ ୧୩୪ ରନର ପାଳି ଖେଳିଛନ୍ତି । ଯେଉଁଥିରେ ୬ଟି ବିଶାଳ ଛକା ସାଙ୍ଗକୁ ୧୨ ଚୌକା ଅନ୍ତର୍ଭୁକ୍ତ । ତେବେ ପନ୍ତଙ୍କ ଉଚ୍ଚକୋଟିର ପ୍ରଦର୍ଶନକୁ ନେଇ ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, ପନ୍ତଙ୍କ ପାଖରେ ଏକ କମ୍ପ୍ୟୁଟର ରହିଛି । ଯାହାକୁ କେମିତି ଚଳାଯିବ ସେ ଏହାକୁ ବେଶ ଭଲଭାବେ ବୁଝିଛନ୍ତି । ଆଉ ସେ ନିଜ ହିସାବରେ ଚଲାଇଥାନ୍ତି । ତେବେ ପନ୍ତଙ୍କ ପାଖରେ ଏମିତି କେଉଁ କମ୍ପ୍ୟୁଟର ରହିଛି ?

ତେବେ ରବି ଶାସ୍ତ୍ରୀ ତାଙ୍କ ପ୍ରଦର୍ଶନକୁ ନେଇ ଏଭଳି କହିଛନ୍ତି । ପନ୍ତଙ୍କ ଖେଳକୁ ସେ କମ୍ପ୍ୟୁଟର ସହ ତୁଳନା କରିଛନ୍ତି । ପନ୍ତ ସବୁବେଳେ ନିଜ ଷ୍ଟାଇଲରେ ଖେଳିଥାନ୍ତି । ଖେଳକୁ ଶୀଘ୍ର ପରିବର୍ତ୍ତନ କରିବାରେ ପାରଙ୍ଗମ । ସେ ଏଭଳି ସ୍ଥିତି ଦେଖି ଖେଳନ୍ତି କି, ବୋଲରଙ୍କ ଉପରେ ସବୁବେଳେ ଚାପ ପକାଇଥାନ୍ତି । ବିଶ୍ବ ପନ୍ତଙ୍କୁ ଜଣେ ମ୍ୟାଚ ବିଜୟୀ ଏବଂ ମନୋରଞ୍ଜନକାରୀ ବ୍ୟାଟ୍ସମ୍ୟାନ ଭାବେ ଦେଖିବାକୁ ଚାହେଁ । ତେବେ କହି ରଖୁଛୁ କି, ତିନି ବର୍ଷ ତଳେ ବଡ଼ ସଡ଼କ ଦୁର୍ଘଟଣାରୁ ବର୍ତ୍ତିବା ଆଉ ପୁଣିଥରେ ଟିମ ଇଣ୍ଡିଆକୁ କମବ୍ୟାକ୍ କରିବା ସାଙ୍ଗକୁ ଶତକୀୟ ପାଳି । ସମସ୍ତେ ପନ୍ତଙ୍କ ପ୍ରଦର୍ଶନକୁ ନେଇ ଭୁରି ଭୁରି ପ୍ରଂଶସା କରୁଥିବା ଦେଖିବାକୁ ମିଳିଛି ।

୨୨ ବର୍ଷ ପୂର୍ବେ ଯେବେ ଅଭିଶେକଙ୍କ ସହ ଭାଙ୍ଗିଥିଲା ନିର୍ବନ୍ଧ, ଏମିତି ହୋଇଥିଲା କରିସ୍ମାଙ୍କ ଅବସ୍ଥା…

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ବେଶ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ କରିସ୍ମା କପୁର । ତାଙ୍କ ପୂର୍ବତନ ସ୍ବାମୀ ସଞ୍ଜୟଙ୍କ ପରଲୋକ ଘଟିଥିବାବେଳେ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଛି । ତେବେ ଏହାରି ଭିତରେ ଆଉ ଘଟଣାକୁ ନେଇ ମଧ୍ୟ କୁହାଯାଉଛି । ୨୨ ବର୍ଷ ତଳେ ଅଭିଶେକ ବଚ୍ଚନଙ୍କ ବିବାହ କରିଥାନ୍ତେ କରିସ୍ମା । ଏପରିକି ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା । ଉଭୟ ଉଭୟଙ୍କୁ ୫ ବର୍ଷ ବର୍ଷ ଧରି ଡେଟ୍ ମଧ୍ୟ କରିଥିଲେ । ତେବେ ଏମିତି କଣ ହୋଇଥିଲା ? କାହିଁକି ଉଭୟଙ୍କ ବିବାହ ଭାଙ୍ଗି ଯାଇଥିଲା । ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ହୋଇଥିଲେ ସୁଦ୍ଧା ଉଭୟଙ୍କ ପରିବାର ପକ୍ଷରୁ କୌଣସି ସଠିକ୍ ତଥ୍ୟ କୁହାଯାଇନାହିଁ ।

ଏକ ପୁରୁଣା ଇଣ୍ଟରଭିୟ୍ୟୁରେ କରିସ୍ମା କହିଥିଲେ କି, ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରୁ ମୋତେ ବାହାରିବାକୁ ପଡ଼ିଥିଲା । ମୋ ପୁରା ପରିବାର ଏହି ଘଟଣାରେ ମଧ୍ୟ ବୁଝାଇଥିଲେ । ଏହାସହ ସେ କହିଛନ୍ତି ଜୀବନ ମୋ ସହ ବହୁ ଯନ୍ତ୍ରଣାଦାୟକ ଭାବେ ଘଟିଛି । ତେବେ ଯାହା ଭାଗ୍ୟରେ ଯାହା ଥିବ ସେୟା ହିଁ ଘଟିବ । କିନ୍ତୁ ଆମକୁ ସମୟ ସହ ତାଳ ଦେଇ ଗତି କରିବାକୁ ପଡ଼ିବ ବୋଲି କହିଛନ୍ତି କରିସ୍ମା । ଏମିତିବି ସମୟ ମୋ ଜୀବନରେ ଆସିଛି ଯେଉଁ ସମସ୍ୟାର ସମାଧାନ ହୋଇପାରୁନଥିଲା । କିନ୍ତୁ ସମୟ ସହ ତାଳ ଦେଇ ଆଗକୁ ବଢ଼ିବାକୁ ଚେଷ୍ଟା କରିଛି ।

ଇନଷ୍ଟାଗ୍ରାମରେ ଷ୍ଟାଟସ୍ ରଖି ଜୀବନ ହାରିଲେ ଯୁବକ

ଭୁବନେଶ୍ବର : ଧନ ତୁ ଖୁସିରେ ରହ, ଆଉ କେବେ ତତେ ଦୁଃଖ ଦେବିନି । ମୋ ମଲା ମୁହଁ ଦେଖି ତୋ ନୂଆ ଲାଇଫ ପାର୍ଟନର ସହ ଖୁସିରେ ବଞ୍ଚ । ଇନଷ୍ଟାଗ୍ରାମରେ ଏପରି ଷ୍ଟାଟସ୍ ରଖି ଜୀବନ ହାରିଛନ୍ତି ଜଣେ ଯୁବକ । ସେ ହେଲେ ଭୁବନେଶ୍ଵର ଏୟାରଫିଲଡ ଥାନା ବିରବନ୍ଧ ଗାଁର ପ୍ରିୟବ୍ରତ ପ୍ରଧାନ। ସେ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଜଣେ ନାବାଳିକାଙ୍କୁ ସେ ଏକତରଫା ଭଲ ପାଉଥିଲେ ବୋଲି କୁହାଯାଉଛି। କିନ୍ତୁ ବିଫଳ ହେବା ପରେ ସେ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଏୟାରଫିଲଡ଼ ଥାନା ପୋଲିସ ପାରିପାର୍ଶ୍ବିକ ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚଳାଇଛି ତଦନ୍ତ।

ପହଲଗାଓଁ ଆକ୍ରମଣର ଆତଙ୍କବାଦୀଙ୍କୁ ଶରଣ ଦେଇଥିବା ଦୁଇ ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ ; ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାଓଁରେ ପାକିସ୍ତାନୀ ଆତଙ୍କବାଦୀ ୨୬ ଜଣ ନିରୀହ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ । ତାହା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏବେ ଏହି ଆକ୍ରମଣରେ NIA ଏକ ବଡ଼ ସଫଳତା ପାଇଛି। NIA ରବିବାର ଦୁଇ ଜଣ କାଶ୍ମୀରୀଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ଆକ୍ରମଣ ପୂର୍ବରୁ ସେମାନେ ଦୁହେଁ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ ଓ ସେମାନଙ୍କୁ ସାହାଯ୍ୟ କରିଥିଲେ। ଗିରଫ ଦୁଇ ଅଭିଯୁକ୍ତଙ୍କୁ ପହଲଗାଓଁର ବାଟକୋଟର ବାସିନ୍ଦା ପରଭେଜ ଅହମ୍ମଦ ଜୋଥାର ଓ ହିଲ ପାର୍କର ବାସିନ୍ଦା ବଶିର ଅହମ୍ମଦ ଜୋଥାର ବୋଲି ଜଣାପଡିଛି । NIA ଅନୁସାରେ, ସେମାନେ ତଦନ୍ତରେ ଜାଣିପାରିଲେ ଯେ ପରଭେଜ ଅହମ୍ମଦ ଜୋଥାର ଓ ବଶିର ଅହମ୍ମଦ ଜୋଥାର ପହଲଗାଓଁର ହିଲ ପାର୍କର ଏକ କୁଟିରରେ ଲସ୍କର-ଏ-ତୈବାର ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଜାଣିଶୁଣି ଆଶ୍ରୟ ଦେଇଥିଲେ। ସେମାନେ ଆତଙ୍କବାଦୀମାନଙ୍କୁ ଖାଦ୍ୟ, ଆଶ୍ରୟ ଓ ଲଜିଷ୍ଟିକ୍ ସହାୟତା ଯୋଗାଇଥିଲେ  । ସୁରକ୍ଷା ଏଜେନ୍ସିଗୁଡ଼ିକୁ ଭ୍ରମିତ କରିବା ଉଦ୍ଦେଶ୍ୟରେ ସେମାନଙ୍କର ପରିଚୟ ମଧ୍ୟ ଲୁଚାଇ ରଖିଥିଲେ।

ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଗୁପ୍ତ ସାମରିକ ଅଭିଯାନରେ, ଭାରତୀୟ ବାୟୁସେନା ପାକିସ୍ତାନର ବାହାୱଲପୁର ଓ ମୁଜାଫରାବାଦରେ ଅବସ୍ଥିତ ସେହି ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା।

ଏବେ NIA ପହଲଗାଓଁ ଆକ୍ରମଣରେ ସାହାଯ୍ୟ କରିଥିବା ସ୍ଥାନୀୟ ସହଯୋଗୀମାନଙ୍କୁ ଗିରଫ କରିବା ପରେ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ଭାରତ ସ୍ପଷ୍ଟ କରିଛି ଯେ ତାହା ବାହାୱଲପୁର, ମୁଜାଫରାବାଦ କିମ୍ବା ଆତଙ୍କବାଦୀଙ୍କ ଅନ୍ୟ କୌଣସି ସୁରକ୍ଷିତ ଆଶ୍ରୟସ୍ଥଳ ହେଉ, 26 ହିନ୍ଦୁଙ୍କ ଗଣହତ୍ୟାର ଦୋଷୀମାନଙ୍କୁ କୌଣସି ମୂଲ୍ୟରେ ଛଡ଼ାଯିବ ନାହିଁ। ଭାରତର ନୀତି ଏବେ ସ୍ପଷ୍ଟ, କେବଳ ଜବାବ ଦେବା ପରିବର୍ତ୍ତେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ପହଲଗାଓଁରେ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଲୋକଙ୍କ ଶେଷ ଏବେ ଆରମ୍ଭ ହୋଇଛି। ଅପରେସନ ସିନ୍ଦୁର ଚାଲିଛି।

୭୫ କୋଟି ଦରମା ଛାଡି ସନ୍ୟାସୀ ହେଲେ ଅମ୍ବାନୀଙ୍କ ସହଯୋଗୀ

ନନ୍ଦିଘୋଷ ବ୍ୟୁରୋ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଆମ୍ବାନୀଙ୍କ ସହଯୋଗୀ ପ୍ରକାଶ ଶାହା ସନ୍ୟାସୀ ହୋଇଛନ୍ତି । ୭୫ କୋଟି ଟଙ୍କାର ଦରମା ଥିବା ଚାକିରି ଝାଡି ସେ ଏହି ସନ୍ୟାସ ଜୀବନ ଆପଣେଇଛନ୍ତି । ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଓ୍ବାଇସ ପ୍ରେସିଡେଣ୍ଟ ପଦରେ ଥିଲେ । ପ୍ରକାଶଙ୍କୁ ମୁକେଶ ଅମ୍ବାନୀଙ୍କ ଡାହାଣ ହାତ ବୋଲି ମଧ୍ୟ କୁହାଯାଉଥିଲା । ପ୍ରକାଶ ଶାହା ୬୩ ବର୍ଷରେ ଅବସର ନେବା ପରେ ଦିକ୍ଷା ଗ୍ରହଣ କରିଛନ୍ତି । ପ୍ରକାଶ ଶାହା  ଓ  ତାଙ୍କ ପତ୍ନୀ ନୈନା ଶାହ ମହାବୀର ଜୟନ୍ତୀ ଅବସରରେ ଦୀକ୍ଷା ନେଇଥିଲେ। ସେ ବହୁ ପୂର୍ବରୁ ଦୀକ୍ଷା ନେବାକୁ ଚାହୁଁଥିଲେ, କିନ୍ତୁ କରୋନା ମହାମାରୀ ଯୋଗୁଁ ଏହାକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ।

ପ୍ରକାଶ ଶାହା କେମିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ଆଇଆଇଟି ବମ୍ବେରୁ ସ୍ନାତକୋତ୍ତର ମଧ୍ୟ କରିଛନ୍ତି । ତାଙ୍କ ସ୍ତ୍ରୀ ବାଣିଜ୍ୟରେ ସ୍ନାତକ କରିଛନ୍ତି। ସେମାନଙ୍କର ଦୁଇଟି ପୁଅ ଅଛନ୍ତି। ତାଙ୍କର ଗୋଟିଏ ପୁଅ କିଛି ବର୍ଷ ପୂର୍ବରୁ ଦୀକ୍ଷା ଗ୍ରହଣ କରିଥିଲା। ତାଙ୍କର ଅନ୍ୟ ପୁଅ ବିବାହିତ ଓ ତାଙ୍କର ମଧ୍ୟ ଗୋଟିଏ ପିଲା ଅଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ କାମ କରିବା ସମୟରେ, ପ୍ରକାଶ ଶାହା କମ୍ପାନୀର ଅନେକ ବଡ଼ ପ୍ରକଳ୍ପକୁ ସଫଳତାର ସହ ପରିଚାଳନା କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରକାଶ ଅବସର ନେବା ସମୟରେ ବାର୍ଷିକ ୭୫ କୋଟି ଟଙ୍କା ଦରମା ପାଉଥିଲେ।

ଭାରତ ପାଇଁ ଆମେରିକାର ଟ୍ରାଭେଲ ଆଡଭାଇଜରି

ନନ୍ଦିଘୋଷ ବ୍ୟୁରୋ : ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛି ଆମେରିକା। ବିଶେଷ କରି ଭାରତର କେତେକ ରାଜ୍ୟରେ ଏକାକୀ ଯାତ୍ରା କରିବା ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଏଥିରେ କୁହାଯାଇଛି। ଦୁଷ୍କର୍ମ, ହିଂସା ଓ ଆତଙ୍କବାଦର ଆଶଙ୍କା ଦର୍ଶାଇ ଏହି ଆଡଭାଇଜରି ଜାରି କରାଯାଇଛି। ଜୁନ ୧୬ ତାରିଖରେ ଜାରି କରାଯାଇଥିବା ଲେଭଲ ୨ ର ଏହି ଆଡଭାଇଜରିରେ କୁହାଯାଇଛି ଯେ, ଅପରାଧ ଓ ଆତଙ୍କବାଦ ପାଇଁ ଯାତ୍ରା କରିବା ବିପଦପୂର୍ଣ୍ଣ। ଏହା ସହିତ ଭାରତରେ ଦୁଷ୍କର୍ମ ବଢୁଛି। ପର୍ଯ୍ୟଟନସ୍ଥଳୀରେ ବି ଦୁଷ୍କର୍ମ କରାଯାଉଛି। ଅତର୍କିତ ଆକ୍ରମଣ କରୁଛନ୍ତି ଆତଙ୍କବାଦୀ। ପର୍ଯ୍ୟଟନସ୍ଥଳୀ, ପରିବହନ ହବ୍‌ ମାର୍କେଟ, ସପିଂ ମଲ୍‌, ସରକାରୀ ଅଫିସକୁ ଆତଙ୍କବାଦୀ ଟାର୍ଗେଟ କରିବାର ଆଶଙ୍କା ଅଛି। ଗ୍ରାମାଞ୍ଚଳରେ ଆମେରିକା ନିଜ ନାଗରିକଙ୍କୁ ଜରୁରୀକାଳୀନ ସୁବିଧା ପ୍ରଦାନ କରିପାରିବ ନାହିଁ। ମହାରାଷ୍ଟ୍ର, ତେଲଙ୍ଗାନା, ପଶ୍ଚିମବଙ୍ଗରେ ଏହି ସବୁ ବିପଦ ରହିଛି। ଭାରତରେ ଚାକିରି କରୁଥିବା ଆମେରିକୀୟ ନାଗରିକ ଏହି ସବୁ ରାଜ୍ୟକୁ ଯିବା ପୂର୍ବରୁ ଅନୁମତି ନେବା ପାଇଁ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା। କଣ କରିବେ, କଣ ନ କରିବେ, ତାହ ଏକ ତାଲିକା ମଧ୍ୟ ନିଜ ନାଗରିକଙ୍କ ପାଇଁ ଜାରି କରାଯାଇଛି। ସାଟେଲାଇଟ ଫୋନ୍ ନେବା ଭାରତରେ ବେଆଇନ, ଏଥିପାଇଁ ଜେଲ୍ ବି ହୋଇପାରେ। ମହିଳାମାନେ ଏକାକୀ ଯାତ୍ରା କରନ୍ତୁ ନାହିଁ। ଜାମ୍ମୁ କାଶ୍ମୀର, ଭାରତ-ପାକ ସୀମା, ମଧ୍ୟ ଓ ପୂର୍ବ ଭାରତରେ ଯାତ୍ରା କରିବା ବେଳେ ସତର୍କ ରହିବାକୁ ଆମେରିକା ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି। ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ମେଘାଳୟକୁ ଗଲେ ପୂର୍ବରୁ ଅନୁମତି ନେବାକୁ ଭାରତରେ ଚାକିରି କରୁଥିବା ନିଜ ନାଗରିକଙ୍କୁ କହିଛି ଆମେରିକା। ତେବେ ଯଦି ଏହି ସବୁ ରାଜ୍ୟର କେବଳ ରାଜଧାନୀକୁ ଯାଉଥାନ୍ତି, ତେବେ କୌଣସି ଅନୁମତି ଦରକାର ନାହିଁ। ମଣିପୁର, ନେପାଳ ସୀମାନ୍ତକୁ ମଧ୍ୟ ନ ଯିବା ପାଇଁ କୁହାଯାଇଛି।

ସଫଳତାର ସହ ସରିଲା ନବୀନଙ୍କ ଅସ୍ତ୍ରୋପଚାର

ଭୁବନେଶ୍ବର : ସଫଳତାର ସହ ସରିଲା ନବୀନ ପଟ୍ଟନାୟକଙ୍କର ଅସ୍ତ୍ରୋପଚାର। ମୁମ୍ବାଇର କୋକିଳାବେନ୍ ଧୀରାଭାଇ ଅମ୍ବାନୀ ହସପିଟାଲରେ ନବୀନଙ୍କର କରାଯାଇଛି ସଫଳ ଅସ୍ତ୍ରୋପଚାର। ଅପରେସନ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ନବୀନଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପରାମର୍ଶଦାତା। ସପ୍ତାହକ ମଧ୍ୟରେ ହସ୍ପିଟାଲରୁ ହେବେ ଡିସଚାର୍ଜ। କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲର ସ୍ପାଇନ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ନବୀନଙ୍କ ଅସ୍ତ୍ରୋପଚାର କରିଥିଲେ। ଏହାସହ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ବି ଅପରେସନ ବେଳେ ଉପସ୍ଥିତ ଥିଲେ। ଅସ୍ତ୍ରୋପଚାର ପରେ ନବୀନ ପଟ୍ଟନାୟକ ଭଲ ଭାବେ କଥା ହୋଇ ପାରୁଛନ୍ତି। ଡାକ୍ତରଙ୍କ ସୂଚନା ଅନୁସାରେ, ବୟସ ବଢିଲେ ସର୍ଭିକାଲ ଆଥ୍ରାଇଟିସ ହୁଏ। ଆଜି ଦୁଇ ଘଣ୍ଟା ଧରି ଅପରେସନ ଚାଲିଥିଲା। ୫ରୁ ୭ ଦିନ ମଧ୍ୟରେ ଷ୍ଟିଚ ଖୋଲାଯିବ ବୋଲି କହିଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା। ଅନେକ ପ୍ରତିଷ୍ଠିତ ଲୋକ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଚାହୁଁଛନ୍ତି। ଅପରେସନ ସରିଥିବାରୁ ଡାକ୍ତର ୪୮ ଘଣ୍ଟା ଅପେକ୍ଷା କରିବାକୁ କହିଛନ୍ତି। ଆଇସିୟୁରୁ ରୁମକୁ ଆସିବାକୁ ପରେ ନବୀନଙ୍କୁ ସାକ୍ଷାତ କରିହେବ ବୋଲି କହିଛନ୍ତି ଡାକ୍ତର। ନବୀନଙ୍କ ପାଖରେ ଉପସ୍ଥିତ ଥିଲେ ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଓ ଭାଉଜ। ଦୀର୍ଘ ବର୍ଷର ଶାସନ ସମୟରେ ହେଉ କିମ୍ବା ବିରୋଧୀ ଦଳ ନେତା ଭାବେ ସବୁଠି ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରି ଆସୁଛନ୍ତି । ଆଧୁନିକ ଓଡି଼ଶାର ବିକାଶ ପୁରୁଷର ମାନ୍ୟତା ପାଇଛନ୍ତି । ସାରା ରାଜ୍ଯରେ ନବୀନଙ୍କ ଆରୋଗ୍ଯ କାମନା କରି ଦୀପଦାନ କରାଯାଇଥିଲା। ଭୁବନେଶ୍ବର ଏକାମ୍ର କ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ ଶତାଧିକ ଲୋକେ। ନବୀନଙ୍କ ପାଇଁ ସାରା ରାଜ୍ଯରୁ ଆଶୁ ଆରୋଗ୍ଯ କାମନାର ସୁଅ ଛୁଟୁଛି।

ଆମେରିକାକୁ ଚକମା ଦେଲା ଇରାନ: ଖାଲି ହୋଇ ସାରିଥିବା ଫୋର୍ଡୋ ନ୍ୟୁକ୍ଲିୟର ସେଣ୍ଟରକୁ ଧ୍ବଂସ କରି ବାଃ ବାଃ ନେଉଛନ୍ତି ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ସାରା ବିଶ୍ବରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି ଏବେ ଇରାନର କ’ଣ ହେବ ? ହେଲେ ଆମେରିକା ଡାଳେ ଡାଳେ ଗଲେ ଇରାନ ପତ୍ରରେ ପତ୍ରରେ ଯାଉଛି । ଶନିବାର ଆମେରିକାର ବୋମା ବର୍ଷକ ବିମାନ ଇରାନର ତିନୋଟି ମୁଖ୍ୟ ପରମାଣୁ ଘାଟି ଫୋର୍ଡୋ, ନତାଞ୍ଜ ଓ ଇସଫାହାନ ଉପରେ ବଙ୍କର ବଷ୍ଟର ବୋମା ପକାଇ ଧ୍ବଂସ କରି ଦେଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଛାତି ପିଟି ଦାବି କରୁଛନ୍ତି । ଯାହା ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପଙ୍ଗୁ କରି ଦେଇଥିବା କୁହାଯାଉଛି । ହେଲେ, ଟ୍ରମ୍ପ ଭୁଲି ଯାଇଥିଲେ, ଆମେରିକାର ଏହି ଆକ୍ରମଣ ପାଇଁ ଇରାନ ପୂର୍ବରୁ ପ୍ରସ୍ତୁତ ଥିଲା । କାରଣ ଆମେରିକା ଧ୍ବଂସ କରିଥିବା ପରମାଣୁ ଘାଟିରୁ ଇରାନ ପୂର୍ବରୁ ସମସ୍ତ ୟୁରାନିୟମକୁ ସ୍ଥାନାନ୍ତର କରି ଦେଇଥିଲା । ଆମେରିକାର ବଙ୍କର ବଷ୍ଟର ଖାଲି ପଡ଼ିଥିବା ଇରାନର ଉକ୍ତ ଘାଟିଗୁଡିକୁ ଧ୍ବଂସ କରିଛି । ଯାହା ଆମେରିକାର ସୁରକ୍ଷା ଏଜେନ୍ସିଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଛିଡ଼ା କରି ଦେଇଛି । ସେପଟେ, ଏହି ଆକ୍ରମଣ ପରେ ଇରାନ ଆମେରିକାକୁ ଚେତାବନୀ ଦେଇଛି । ଇରାନ ତରଫରୁ କୁହାଯାଇଛି, ଆମେ ଚୁପ ବସିବୁନି, ଏହାର ପ୍ରତିଶୋଧ ନେବୁ ।

ଆମେରିକା ଧ୍ବାଂସ କରିଥିବା ଇରାନର ୩ଟି ପରମାଣୁ ଘାଟି ମଧ୍ୟରୁ ଫୋର୍ଡୋ ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା । କାରଣ ଏଠାରେ ପ୍ରାୟ ୪୦୦ ଫୁଟ ମାଟି ତଳେ ଇରାନ ପରମାଣୁ ସମୃଦ୍ଧି ପ୍ଲାଣ୍ଟ ଥିଲା । ଇରାନ ଉପରେ ଆକ୍ରମଣ ସଫଳ ହୋଇଥିବା ଟ୍ରମ୍ପ ଦାବି କରି ବାହାବାହା ନେଉଥିବା ବେଳେ ଫୋର୍ଡୋ ଅଞ୍ଚଳର ଜଣେ ସାଂସଦଙ୍କ ପ୍ରତିକ୍ରିୟା ଆସିଛି । ଯାହା ଆମେରିକା ସମେତ ଇରାନର ଶତ୍ରୁ ରାଷ୍ଟ୍ରଙ୍କୁ ଚକିତ କରି ଦେଇଛି । ସାଂସଦ ମହମ୍ମଦ ମନନ ରଇସି କହିଛନ୍ତି, ଆମେରିକାର ଆକ୍ରମଣ ପରେ ଫୋର୍ଡୋ ଅଞ୍ଚଳରେ କୌଣସି ରେଡିଏସନ ହୋଇନାହିଁ । କାରଣ, ଉକ୍ତ ପରମାଣୁ ଘାଟି ଉପରେ ଆକ୍ରମଣ ପୂର୍ବରୁ ଏହାକୁ ଖାଲି କରିଦିଆଯାଇଥିଲା ।

ଏବେ ପ୍ରଶ୍ନ ଉଠୁଛି, କ’ଣ ଆମେରିକାର ଗୁଇନ୍ଦା ସଂସ୍ଥାର ଆକଳନ ଭୁଲ ଥିଲା ? ଇରାନ ଉକ୍ତ ଘାଟିକୁ ଖାଲି କରି ଦେବାର ଟେରି ବି ଆମେରିକୀୟ ଗୁଇନ୍ଦା ସଂସ୍ଥା ପାଇ ପାରିଲାନି କେମିତି ? ଯଦି ଇରାନର ଦାବି ସତ, ତେବେ ଏହା ଆମେରିକାର ଗୁଇନ୍ଦା ସଂସ୍ଥାର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏକ ସ୍ଥାନୀୟ ଇରାନୀ ମିଡିଆ ସହ ଆଲୋଚନା କରିବା ବେଳେ ରଇସି ଆଶ୍ବାସନା ଦେଇ କହିଛନ୍ତି, ଫୋର୍ଡୋ ନ୍ୟୁକ୍ଲିୟର ଫେସିଲିଟି ସେଣ୍ଟରକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ମୁତାବକ ଗମ୍ଭୀର କ୍ଷତି ହୋଇନାହିଁ । ଆକ୍ରମଣରେ ପ୍ଲାର୍ଟର ଉପର ଅଂଶ କ୍ଷତିଗ୍ରସ୍ତ ହୋଇଛି, ଯାହାକୁ ଠିକ କରାଯାଇପାରିବ । ସେ ଆଗକୁ କହିଛନ୍ତି, ଆକ୍ରମଣ ପରେ କୌଣସି ପ୍ରକାର ରେଡିଏସନ ହୋଇନାହିଁ । କାରଣ, ଆକ୍ରମଣ ପୂର୍ବରୁ ଏହାକୁ ଖାଲି କରି ଦିଆଯାଇଥିଲା । ଏବେ ଇରାନ ଉପରେ ନିର୍ଭର କରୁଛି, ଟ୍ରମ୍ପଙ୍କ ଏହି ମୂର୍ଖତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନର ପ୍ରତି ଉତ୍ତର କ’ଣ ଦେବ ।

ଆମେରିକା ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇ ଆମେରିକାକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଆମେରିକୀୟଙ୍କୁ ପୂର୍ବରୁ ବହୁତ ଅଧିକ ଝଟକା ପାଇଁ ପ୍ରସ୍ତୁତ ରହିବାକୁ ପଡିବ ।

ଇସ୍ରାଏଲ ଉପରକୁ ୩୦ଟି ମିସାଇଲ ମାଡ଼ କରିଛି ଇରାନ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ଆକ୍ରମଣ ପରେ ଇରାନର ପ୍ରତି ଆକ୍ରମଣ। ଇସ୍ରାଏଲରେ ଇରାନର ଜବାବୀ ବାଲିଷ୍ଟିକ୍ ମିସାଇଲ ମାଡ଼ ହୋଇଛି। ତେଲ ଅଭିଭ ସମେତ ଅନେକ ଅଞ୍ଚଳରେ ବିସ୍ଫୋରଣ ହୋଇଛି। ଇସ୍ରାଏଲର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇରାନରୁ ଇସ୍ରାଏଲ ଆଡ଼କୁ ଅତି କମରେ ୩୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। IDF ଟେଲିଗ୍ରାମରେ କହିଛି, ଇସ୍ରାଏଲ ରାଜ୍ୟ ଆଡ଼କୁ ଆଉ ଏକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଜନସାଧାରଣଙ୍କୁ ହୋମ୍ ଫ୍ରଣ୍ଟ୍ କମାଣ୍ଡର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି। IDF ମଧ୍ୟ ଜୋର ଦେଇ କହିଛି ଯେ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଫୁଟେଜ୍ ଓ ସ୍ଥାନଗୁଡ଼ିକୁ ସେୟାର କରାଯିବା ଉଚିତ୍ ନୁହେଁ। ଇରାନର ଏହି ବ୍ୟାରେଜ୍ ଆକ୍ରମଣର ଶବ୍ଦ ତେଲ ଅଭିଭ, ହାଇଫା ଓ  ଜେରୁସାଲେମରେ ଶୁଣାଯାଇଥିଲା। ଏହା ସହିତ, ଇସ୍ରାଏଲର ଅନେକ ଅଞ୍ଚଳକୁ ସତର୍କ କରାଯାଇଛି ଓ ସାଇରନ୍ ବାଜୁଛି।

ଆମେରିକା ଆକ୍ରମଣ ପରେ ଇରାନର ଆକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ଦୃଷ୍ଟିରେ ରଖି, ଅଧିକାରୀମାନେ ଜନସାଧାରଣଙ୍କୁ ହୋମ୍ ଫ୍ରଣ୍ଟ୍ କମାଣ୍ଡର ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି। ବର୍ତ୍ତମାନ, ବାୟୁସେନା ବିପଦକୁ ନିରପେକ୍ଷ କରିବା ପାଇଁ ଆବଶ୍ୟକ ସ୍ଥାନରେ ଆକ୍ରମଣ କରିବା ଓ ଅବରୋଧ କରିବା ପାଇଁ କାର୍ଯ୍ୟ କରୁଛି। ଇସ୍ରାଏଲ ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଆକ୍ରମଣକୁ ଆକାଶରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇପାରିବ ନାହିଁ, ତେଣୁ ଜନସାଧାରଣ ହୋମ୍ ଫ୍ରଣ୍ଟ୍ କମାଣ୍ଡର ନିର୍ଦ୍ଦେଶାବଳୀ ପାଳନ କରିବା ଉଚିତ।

ଇସ୍ରାଏଲୀ ଗଣମାଧ୍ୟମ ଇରାନର ସଦ୍ୟତମ ଆକ୍ରମଣରେ ପ୍ରାୟ ୨୫ଟି କ୍ଷେପଣାସ୍ତ୍ର ଥିବା ରିପୋର୍ଟ କରିଛି। ଇସ୍ରାଏଲୀ ସେନା କହିଛି ଯେ ଏହା ଇରାନରୁ ଇସ୍ରାଏଲୀ ଅଞ୍ଚଳ ଆଡ଼କୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଚିହ୍ନଟ କରିଛି ଏବଂ କହିଛି ଯେ ଏହାର ପ୍ରତିରକ୍ଷା ବ୍ୟବସ୍ଥା ବିପଦକୁ ରୋକିବା ପାଇଁ କାର୍ଯ୍ୟ କରୁଛି।

ସନ୍ ଟିଭି ବିବାଦ: IPL ଟିମ୍ SRH ପ୍ରତି ବିପଦ, ଯାଇପାରେ କାବ୍ୟା ମାରନଙ୍କ ମାଲିକାନା

ନନ୍ଦିଘୋଷ ବ୍ୟୁରୋ: IPL ଟିମ୍ ସନରାଇଜର୍ସ ହାଇଦ୍ରାବାଦ ସିଇଓ କାବ୍ୟା ମାରନଙ୍କ ବଢ଼ିପାରେ ସମସ୍ୟା । ପାରିବାରିକ କଳହ ଗୋଟିଏ କାରଣ ହୋଇଥିବା ବେଳେ ଦକ୍ଷିଣ ଭାରତର ବଡ଼ ମିଡ଼ିଆ ହାଉସ୍ ସନ୍ ନେଟଓ୍ବର୍କ ମାଲିକ ତଥା କାବ୍ୟାଙ୍କ ବାପା କଲାନିଧି ମାରନଙ୍କ ଉପରେ ମନି ଲଣ୍ଡରିଂ ଅଭିଯୋଗ ଲାଗିଛି । କଲାନିଧିଙ୍କ ଭାଇ ତଥା ପୂର୍ବତନ ସାଂସଦ ଦୟାନିଧି ମାରନ ଏହି ଅଭିଯୋଗ ଆଣିଛନ୍ତି । ଯାହା ନାଁ କେବଳ ସନ୍ ନେଟଓ୍ବର୍କ ପାଇଁ ସମସ୍ୟା ବଢ଼ାଇଛି ବରଂ IPL ଟିମ୍ ଏସଆରଏଚ ପାଇଁ ଚିନ୍ତା ବଢ଼ାଇ ଦେଇଛି ।  ଆସନ୍ତୁ ଜାଣିବା ପୂରା ମାମଲା କ’ଣ ଓ ଏହା IPL ପାଇଁ ଚିନ୍ତାର କାରଣ କାହିଁକି ପାଲଟିଛି ।

ସୂଚନାଯୋଗ୍ୟ, ସନ୍ ନେଟଓ୍ବର୍କ ସେୟରକୁ ନେଇ ବିବାଦ ଲାଗି ରହିଛି । ୨୦୦୩ ପୂର୍ବରୁ ମାରନ ପରିବାର ଓ କରୁଣାନିଧି ପରିବାର ପାଖରେ କମ୍ପାନୀର ସମାନ ସେୟର ଥିଲା । ହେଲେ ଏହା ପରେ ଏଥିରେ ପରିବର୍ତ୍ତନ ହୋଇଥିଲା । ଅଭିଯୋଗ ହେଉଛି, କମ୍ପାନୀର ଅର୍ଥକୁ ଅପବ୍ୟବହାର କରାଯାଇ ସନ୍ ଡାଇରେକ୍ଟ ଟିଭି, ସନ୍ ପିକଚର୍ସ, ଏଫଏମ ଚ୍ୟାନେଲ ଓ IPL ଟିମ୍ SRH ପରି କମ୍ପାନୀ ଛିଡ଼ା କରାଯାଇଛି । ଏବେ ଯଦି ୨୦୦୩ର ସେୟର ପାର୍ଟନ ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତି ତେବେ ମାଲିକାନାରେ ପରିବର୍ତ୍ତନ ହୋଇପାରେ । ଯାହାର ପ୍ରଭାବ ଆଇପିଏଲ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ଉପରେ ବି ପଡ଼ିପାରେ ।

ଏମିତି ସ୍ଥିତିରେ ବିସିସିଆଇକୁ ସମ୍ମୁଖକୁ ଆସିବାକୁ ପଡ଼ିପାରେ । ଏପରିକି ସନ୍ ଟିଭିକୁ ଏସଆରଏଚ ଟିମକୁ ବିକ୍ରି କରିବାକୁ ବି ପଡ଼ିପାରେ । ଯଦି ଏମିତି ହେବ ତେବେ ଆଇପିଏଲର ପ୍ରତି ମ୍ୟାଚରେ ନଜରକୁ ଆସୁଥିବା କାବ୍ୟା ମାରନ ଆଗାମୀ ଦିନରେ ମାଲିକ ରହି ନପାରନ୍ତି । ଏହି ବିବାଦର ସମାଧାନ ଯଦି ଶୀଘ୍ର ନହେଲା ତେବେ ସନରାଇଜର୍ସ ହାଇଦ୍ରାବାଦ ଟିମ ଓ ପ୍ରଶଂସକଙ୍କ ପାଇଁ ଏହା ଶକ୍ତ ଧକ୍କା ହୋଇପାରେ ।