spot_img
Home Blog Page 630

ପୁଟିନଙ୍କୁ ଖାମେନେଇଙ୍କ ଚିଠି: କହିଲେ- ଖାଲି ନିନ୍ଦା କଲେ ଚଳିବନି କିଛି ତ ସାହାଯ୍ୟ କର…

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ଇସ୍ରାଏଲ ଓ ଇରାନ ଯୁଦ୍ଧ । ଆଉ ଇରାନର ପରମାଣୁ ଘାଟିକୁ ଆକ୍ରମଣ କରି ଆମେରିକା ଏହି ନିଆଁରେ ଘିଅ ଢାଳିବା କାମ କରିଛି । ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ ପରେ ବିଶ୍ବର ପାଓ୍ବାର ହାଉସ ଏବେ ଦୁଇ ଫାଳ ହେବାରେ ଲାଗିଛି । ଗୋଟିଏ ପଟେ ଇସ୍ରାଏଲ ସହ ଆମେରିକା ଛିଡ଼ା ହୋଇଥିବା ବେଳେ ଅନ୍ୟପକ୍ଷେ ଇରାନ ସପକ୍ଷରେ ବାହାରିଛନ୍ତି ଦୁଇ ସୁପର ପାଓ୍ବର ଋଷ ଓ ଚୀନ । ଏମିତି ସ୍ଥିତିରେ ଯେ କୌଣସି ସମୟରେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଭିତରେ ରହିଛି ସାରା ବିଶ୍ବ । ଆମେରିକାର ଆକ୍ରମଣକୁ ଋଷ ନିନ୍ଦା କରିଥିବା ବେଳେ ଏଥିରେ ଇରାନର ସୁପ୍ରିମ ଲିଡର ଆୟାତୁଲ୍ଲା ଅଲ୍ଲୀ ଖାମେନେଇ ଖୁସି ନୁହଁନ୍ତି । ପୁଟିନଙ୍କୁ ଚିଠି ଲେଖି କହିଛନ୍ତି, ଖାଲି ନିନ୍ଦା କଲେ ଚଳିବନି କିଛି ସାହାଯ୍ୟ କର ।

ସୂଚନାଯୋଗ୍ୟ, ଯୁଦ୍ଧ ଭିତରେ ଇରାନ ବିଦେଶ ମନ୍ତ୍ରୀ ଅବ୍ବାସ ଅରାଧଚି ମସ୍କୋରେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ଅରାଧଚି, ପୁଟିନଙ୍କ ଉଦ୍ଦେଶ୍ୟରେ ଖାମେନେଇ ପଠାଇ ଥିବା ଚିଠି ଦେଇଛନ୍ତି । ଅରାଧଚି ସାହାଯ୍ୟ ମାଗିବାକୁ ଋଷରେ ପହଞ୍ଚିଛନ୍ତି ।

ଆମେରିକା ଓ ଇସ୍ରାଏଲ ଖାମେନେଇଙ୍କୁ ହତ୍ୟା ଓ ଇରାନରେ କ୍ଷମତା ପରିବର୍ତ୍ତନ ଲକ୍ଷ୍ୟରେ ରହିଛନ୍ତି । ପୁଟନଙ୍କୁ ଏହି ଭୟ ସତାଉଛିଳ ଯଦି ଏମିତି ହୁଏ ତେବେ ମଧ୍ୟପ୍ରାଚ୍ୟରେ ସ୍ଥିତି ଆହୁରି ସଙ୍ଗୀନ ହୋଇଯିବ । ଏମିତି ସ୍ଥିତିରେ ଇସ୍ରାଏଲ ଆକ୍ରମଣକୁ ପୁଟିନ ନିନ୍ଦା କରିଛନ୍ତି । ହେଲେ, ଇରାନର ପରମାଣୁ ଘାଟି ଉପରେ ଆମେରିକାର ଆକ୍ରମଣକୁ ନେଇ କୌଣସି ବୟାନ ଦେଇନାହାନ୍ତି । ତେବେ ଗତ ସପ୍ତାହରେ ସେ ଶାନ୍ତି ପାଇଁ ଅପିଲ କରିବା ସହ ପରମାଣୁ କାର୍ଯ୍ୟକ୍ରମକୁ ନେଇ ମସ୍କୋ ମଧ୍ୟସ୍ଥତା କରିବାକୁ କହିଥିଲେ ।

ଅବ୍ବାସ ଅରାଧଚି ଯେଉଁ ଚିଠି ନେଇ ଋଷରେ ପହଞ୍ଚିଛନ୍ତି, ସେଥିରେ ଖାମେନେଇ ଋଷକୁ ସାହାଯ୍ୟ ମାଗିଛନ୍ତି । କାରଣ, ଋଷ କରୁଥିବା ସମର୍ଥନକୁ ଇରାନ ପସନ୍ଦ କରୁନାହିଁ । ଇରାନ ଚାହୁଁଛି, ଇସ୍ରାଏଲ ଓ ଆମେରିକା ବିରୋଧରେ ସିଧାସଳଖ ଋଷ ତା’ ସପକ୍ଷରେ ବାହାରୁ ।

ଅଦିନିଆ ରଥଯାତ୍ରା: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାମିଲ ହେବାକୁ ନେଇ ତେଜିଲା ବିବାଦ

ନନ୍ଦିଘୋଷ ବ୍ୟୁରୋ: ଜଗନ୍ନାଥ ସଂସ୍କୃତି ବିଶ୍ୱରେ ପରିଚିତ । ପଶ୍ଚିମବଙ୍ଗରେ ଧାମକୁ ନେଇ ତୁମ୍ବି ତୋଫାନ କଲା ରାଜ୍ୟ ବିଜେପି । କିନ୍ତୁ ଦିଲ୍ଲୀରେ ଅଦିନିଆ ରଥଯାତ୍ରାକୁ ନେଇ ଓଡ଼ିଶା ସରକାର ମୁହଁ ଖୋଲି ନାହାନ୍ତି । ଅଣସର ଘରେ ମହାପ୍ରଭୁ ଥିବା ବେଳେ ଦିଲ୍ଲୀରେ ଅଦିନିଆ ରଥଯାତ୍ରା କରାଯାଇଛି । ଏପରିକି ଏହି ଅଦିନିଆ ରଥଯାତ୍ରାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯୋଗ ଦେବା ମଧ୍ୟ ଲଜ୍ଜା,  ଦୁଃଖ ଓ ପରିତାପର ବିଷୟ । ବିଜେପିର ଏହା ଦୋମୁହାଁ ନୀତି ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେଡ଼ି ବିଧାୟକ ଗୌତମବୁଦ୍ଧ ଦାସ ।

ସେପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖନ୍ତୁ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ମାଗନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ । ଏଭଳି ଅଦିନିଆ ରଥଯାତ୍ରାକୁ ବିଜେପି ବିଧାୟକ ଅଗସ୍ତି ବେହେରା ମଧ୍ୟ ନିନ୍ଦା କରିଛନ୍ତି । ସେପଟେ ଯେଉଁଠି ବି ଅଦିନିଆ ରଥଯାତ୍ରା ହେଉଛି ସରକାର ତା’ ଉପରେ ନଜର ରଖିଛନ୍ତି । ଦିଲ୍ଲୀରେ ଯେଉଁ ଘଟଣା ଘଟିଛି ଆଗରୁ ହେଉ ନଥିଲା । ଘଟଣାକୁ ନେଇ ଦିଲ୍ଲୀ ସରକାରଙ୍କୁ ନିନ୍ଦା କରାଯାଇଛି । ବିଶ୍ଵ ସାରା ନିତିକାନ୍ତୀରେ କେମିତି ରଥଯାତ୍ରା ଶ୍ରୀମନ୍ଦିର ପ୍ରଶାସନ ନିୟମ ଅନୁଯାୟୀ ହେବ ତାକୁ ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

୧୭ ବର୍ଷ ପରେ ୫୦ ଶତକ କରି ନପାରିବାର ଦୁଃଖ ବଖାଣିଲେ ସୌରଭ ଗାଙ୍ଗୁଲି

ନନ୍ଦିଘୋଷ ବ୍ୟୁରୋ: ଦିନ ଥିଲା ଭାରତୀୟ କ୍ରିକେଟ୍ ଦଳରେ ସୌରବ ଗାଙ୍ଗୁଲିଙ୍କ ରାଜ ଚାଲୁଥିଲା । ନିଜ ସମୟରେ ବୋଲରଙ୍କ ପାଇଁ କାଳ ସାଜି କ୍ରିଜକୁ ଓହ୍ଲାଉଥିବା ଗାଙ୍ଗୁଲି ଅନ୍ତରାଷ୍ଟ୍ରିୟ କ୍ରିକେଟରେ ୩୮ ଶତକ ହାସଲ କରିଛନ୍ତି । ହେଲେ ତାଙ୍କୁ ଏହି ସଂଖ୍ୟା ପସନ୍ଦ ନୁହେଁ । ସେ ଚାହିଁଥିଲେ ୫୦ରୁ ଅଧିକ ଶତକ ହାସଲ କରିପାରିଥାନ୍ତି । ଆଉ ଏପରି କରି ପାରି ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । କ୍ରିକେଟରୁ ଅବସର ନେବାର ୧୭ ବର୍ଷ ପରେ ଗାଙ୍ଗୁଲି ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ସାରା ଜୀବନ ଏହା ମୋ ପାଇଁ ଅବଶୋଷ ହୋଇ ରହିଯିବ ବୋଲି କହିଛନ୍ତି ।

ଗାଙ୍ଗୁଲି ୩୧୧ ଦିନିକିଆ ଓ ୧୧୩ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୮ ହଜାର ୫୭୫ ରନ୍ କରିଛନ୍ତି । ଯେଉଁଥିରେ ୩୮ଟି ଶତକୀୟ ପାରି ରହିଛି । ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ‘ମୁଁ ବହୁତ ଥର ଶତକ ଲଗାଇବାରୁ ବଞ୍ଚିତ ହୋଇଛି । ମୋତେ ଆହୁରି ଅଧିକ ରନ୍ ବନାଇବାର ଥିଲା । ମୁଁ ଏକାଧିକ ଥର ୯୦ ଓ ୮୦ ରନରୁ ଅଧିକ କରିଛି ।’ ଗାଙ୍ଗୁଲିଙ୍କ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ଜାଣିବା ସେ ୩୦ ଥର ୮୦ରୁ ଅଧିକ ରନ୍ କରି ଆଉଟ୍ ହୋଇଛନ୍ତି । ଯଦି ସେ ଏହାକୁ ଶତକରେ ପରିଣତ କରିପାରିଥାନ୍ତେ ତେବେ ତାଙ୍କ ଶତକ ସଂଖ୍ୟା ଆହୁରି ଅଧିକ ହୋଇଥାନ୍ତି । ସୂଚନାଯୋଗ୍ୟ, ଗାଙ୍ଗୁଲି ୨୦୦୮ରେ ଶେଷ ଇନ୍ତରନ୍ୟାସନାଲ ମ୍ୟାଚ୍ ଖେଳିଥିଲେ ।

ସେ ଯେତେବେଳେ ଏକା ଥାନ୍ତି, ସେତେବେଳେ ପୁରୁଣା ଦିନର ନିଜ ଖେଳକୁ ଦେଖିଥାନ୍ତି । ସେ ନିଜେ ଏହା କହିଛନ୍ତି । ସେ ଆଡୁରି କହିଛନ୍ତି, ମୁଁ ମୋ ଖେଳ ଦେଖିବା ବେଳେ ଭାବେ ମୁଁ ଆହୁରି ଅଧିକ ଶତକ ଲଗାଇ ପାରିଥାନ୍ତି । ସେ କହିଛନ୍ତି, ଯେତେବେଳେ ମୋ ସ୍ତ୍ରୀ ଘରେ ନଥାନ୍ତି ମୁଁ ୟୁଟ୍ୟୁବରେ ନିଜର ଖେଳ ଦେଖିଥାଏ । ଆଉ ଯେତେବେଳେ ମୁଁ ୭୦ରୁ ଅଧିକ ରନ୍ କରି ଆଉଟ୍ ହୋଇଯିବା ଦେଖେ, ନିଜକୁ କହିଥାଏ ମୁଁ ଶତକ ମାରି ପାରିଥାନ୍ତି । ହେଲେ ଏହାକୁ ଆଉ ବଦଳାଇ ହେବନି ।

ସୂଚନାଯୋଗ୍ୟ, ଗାଙ୍ଗୁଲି ଦିନିକିଆରେ ୭୨ ଓ ଟେଷ୍ଟରେ ୩୫ ଥର ଅର୍ଦ୍ଧ ଶତକ କରିଥିଲେ ବି ଏହାକୁ ଶତକରେ ପରିଣତ କରିପାରି ନଥିଲେ ।

ଉପ-ନିର୍ବାଚନରେ କିଏ କେଉଁଠି ଜିତିଲା ?

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ କେରଳର ପାଞ୍ଚଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଭୋଟ ଗଣତି ଚାଲିଛି। ଲୁଧିଆନାରେ ସକାଳ 8ଟାରେ ଗଣତି ଆରମ୍ଭ ହୋଇଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଏହି ପାଞ୍ଚଟି ଆସନରେ ଅନୁଷ୍ଠିତ ନିର୍ବାଚନ ହେଉଛି ପ୍ରଥମ ନିର୍ବାଚନ। ଲୁଧିଆନା ପଶ୍ଚିମରେ ବିଜେପି ଏବଂ ଆପ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

ଗୁଜୁରାଟରେ ଦମ ଦେଖାଇଲା ଆପ୍ । ବିସନଗର ଆସନରେ ଆପ ନେତା ଗୋପାଲ ଇଟାଲିଆ ବିଜୟୀ । ବିଜେପି ଗଡ଼ ଗୁଜରାଟରେ 2022 ନିର୍ବାଚନରେ ଜିତିଥିବା ବିସାବାଦର ଆସନକୁ ଆପ ବଜାୟ ରଖିଛି। ଆପ ଏହି ଆସନରୁ ପୂର୍ବତନ ରାଜ୍ୟ ସଭାପତି ଗୋପାଳ ଇଟାଲିଆଙ୍କୁ ପ୍ରାର୍ଥୀ କରିଥିଲା। ବିଜେପି ପ୍ରାର୍ଥୀ କିରୀଟ ପଟେଲଙ୍କୁ ୧୭୫୮୧ ଭୋଟରେ ପରାସ୍ତ କରିଛନ୍ତି ଗୋପାଲ । ୨୦୦୭ ମସିହାରୁ ବିଜେପି ଏହି ଆସନରେ ବିଜୟ ପାଇଁ ଆଗ୍ରହୀ ଥିଲା। ଏହି ନିର୍ବାଚନରେ ମୋଟ ୧୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିଲେ ।

ସେପଟେ କେରଳର ନୀଳାମ୍ବୁର ଆସନରେ ବାଜି ମାରିନେଇଛି କଂଗ୍ରେସ । ପିନାରାଇ ବିଜୟନଙ୍କ ନେତୃତ୍ୱାଧୀନ ଏଲଡିଏଫ ସରକାରଙ୍କୁ ଝଟକା ଦେଇ ଏହି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ପ୍ରାର୍ଥୀ ଆର୍ଯ୍ୟଦାନ ସୌକଥ ୭୭,୦୦୦ରୁ ଅଧିକ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇଏମର ଏମ ସ୍ୱରାଜଙ୍କୁ ୧୧,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ଆର୍ଯ୍ୟଦାନ ସୌକଥ ।

 

ପୁଣି ରିଲିଜ୍ ହେବେ ‘ଶୋଲେ’,ଏଥର ଗବ୍ବରକୁ ମାରିବ ଠାକୁର

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ, ବ୍ଲକବଷ୍ଟର ଓ କଲ୍ଟ ଫିଲ୍ମ ‘ଶୋଲେ’ର ୫୦ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଫିଲ୍ମ ୧୯୭୫ ମସିହା ଅଗଷ୍ଟ ୧୫ରେ ରିଲିଜ ହୋଇଥିଲା। ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ଜୟା ବଚ୍ଚନ, ହେମା ମାଳିନୀ, ସଞ୍ଜୀବ କୁମାର ଓ ଅମଜଦ ଖାନ ଅଭିନୀତ ‘ଶୋଲେ’ର ୫୦ ବର୍ଷ ପୂରଣ ଅବସରରେ ଏହାକୁ ପୁନର୍ବାର ରିଲିଜ କରାଯାଉଛି। ବିଶେଷ କଥା ହେଉଛି, ଫିଲ୍ମଟିକୁ ଅନକଟ ସଂସ୍କରଣ ସହ ରିଲିଜ କରାଯିବ। ଶୋଲେକୁ ରମେଶ ସିପ୍ପୀ ନିର୍ଦ୍ଦେଶନା ଦେଇଥିଲେ। ଏବେ ୨୭ ଜୁନରେ ଏହାର ପ୍ରିମିୟର ଇଟାଲୀର ବୋଲୋଗ୍ନାରେ ହେବ।

ଭାରତର ଏହି କଲ୍ଟ ଫିଲ୍ମକୁ ଇଟାଲୀର ‘ଇଲ ସିନେମା ରିଟ୍ରୋଭେଟୋ ଫେଷ୍ଟିଭାଲ’ରେ ପ୍ରଦର୍ଶିତ କରାଯିବ। ଏହାର ବିଶେଷ ସ୍କ୍ରିନିଂ ପିୟାଜା ମାଜିଓରେ ହେବ। ଏହି ସ୍ଥାନ କ୍ଲାସିକ ଫିଲ୍ମର ସ୍କ୍ରିନିଂ ପାଇଁ ପ୍ରସିଦ୍ଧ। ଏହି ଅନକଟ ସଂସ୍କରଣର କ୍ସାଇମାକ୍ସରେ ଗବ୍ବର ସିଂକୁ ଠାକୁର ମାରୁଥିବାର ଦୃଶ୍ୟ ରହିଛି। ଏହି ଦୃଶ୍ୟଟିକୁ ସିବିଏଫସିର ନିର୍ଦ୍ଦେଶ ଅନୁସାରେ ମୂଳ ଥିଏଟର ରିଲିଜରୁ ହଟାଇ ଦିଆଯାଇଥିଲା। ଏଥିରେ ପୂର୍ବରୁ କେବେ ନ ଦେଖାଯାଇଥିବା ଦୃଶ୍ୟଗୁଡ଼ିକ ମଧ୍ୟ ଅନକଟ୍ ଭର୍ସନରେ ସାମିଲ ଅଛି, ଯାହାକୁ ସିବିଏଫସିର କହିବା ଅନୁସାରେ କିମ୍ବା ନିର୍ମାତାମାନେ ନିଜ ଇଚ୍ଛାରେ ଏଡିଟିଂ ସମୟରେ ହଟାଇ ଦେଇଥିଲେ।

ଫିଲ୍ମ ହେରିଟେଜ ଫାଉଣ୍ଡେସନ ଓ ସିପ୍ପୀ ଫିଲ୍ମସ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଏକ ଯୌଥ ପ୍ରୋଜେକ୍ଟ ରୂପେ ଏହି ଅନକଟ ସଂସ୍କରଣକୁ ରିଲିଜ କରିବାର ଉଦ୍ଦେଶ୍ୟ ହେଉଛି ଫିଲ୍ମକୁ ମୁଳ ରୂପରେ ଦେଖାଇବା, ଯେପରି ‘ଶୋଲେ’ ପ୍ରଥମେ ନିର୍ମାଣ କରାଯାଇଥିଲା। ଅମିତାଭ ଫିଲ୍ମଟି ପୁନର୍ବାର ରିଲିଜ ହେବା ଉପରେ ଖୁସି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ, ଧର୍ମେନ୍ଦ୍ର ଏହି ଫିଲ୍ମକୁ ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ ବୋଲି ଅଭିହିତ କରିଛନ୍ତି।

ଅମିତାଭ ବଚ୍ଚନ କହିଛନ୍ତି, “ସେହି ସମୟରେ ମୋତେ ଆଦୌ ଆଭାସ ନଥିଲା ଯେ ଏହା ଭାରତୀୟ ସିନେମା ପାଇଁ ଏକ ମାଇଲଖୁଣ୍ଟ ହେବ। ଏହାକୁ ଫ୍ଲପ୍ ଘୋଷଣା କରାଯିବାରୁ ଆରମ୍ଭ କରି ବକ୍ସ ଅଫିସରେ ରେକର୍ଡ୍ ତୋଡ ରନ ପର୍ଯ୍ୟନ୍ତର ନାଟକୀୟ ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଏକ ଭାବନାତ୍ମକ ରୋଲରକୋଷ୍ଟର ଥିଲା… ମୁଁ ଆଶା କରୁଛି ଯେ ୫୦ ବର୍ଷ ପରେ ମଧ୍ୟ, ଏହି ଫିଲ୍ମ ବିଶ୍ୱଭରର ନୂଆ ଦର୍ଶକଙ୍କ କଳ୍ପନାଶକ୍ତିକୁ ଆକର୍ଷଣ କରିବ।”

ଧର୍ମେନ୍ଦ୍ର ଶୋଲେକୁ ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି। ସେ କହିଛନ୍ତି, “ଫିଲ୍ମଟି ଅନକଟ ସଂସ୍କରଣ ସହ ରିଲିଜ ହେଉଥିବା ଶୁଣି ମୋତେ ବହୁତ ଖୁସି ଲାଗୁଛି ଏବଂ ମୋର ବିଶ୍ୱାସ ଯେ ଏହା ୫୦ ବର୍ଷ ପୂର୍ବ ପରି ସଫଳତା ପାଇବ। କେହି ସଲିମ-ଜାବେଦଙ୍କ ସଂଳାପ ଓ ରମେଶ ସିପ୍ପୀଙ୍କ ନିର୍ଦ୍ଦେଶନାକୁ ଭୁଲି ପାରିବେ କି? ଭାରତୀୟ ସିନେମାର ଇତିହାସରେ ଅନେକ ଦୃଶ୍ୟ ସ୍ଥାନ ପାଇଛି ଏବଂ ପ୍ରତ୍ୟେକ ଚରିତ୍ର ଷ୍ଟାର ହୋଇଛନ୍ତି । କିନ୍ତୁ ଆସଲ ନାୟକ ଥିଲା ମୁଦ୍ରା… ମୋର ପ୍ରିୟ ଦୃଶ୍ୟ ଟାଙ୍କି ଦୃଶ୍ୟ, ମନ୍ଦିର ଦୃଶ୍ୟ ଓ ଆହୁରି ଅନେକ ଦୃଶ୍ୟ ଥିଲା, କିନ୍ତୁ ସବୁଠାରୁ ଶକ୍ତିଶାଳୀ ଦୃଶ୍ୟ ମୋ ପାଇଁ ଜୟର ମୃତ୍ୟୁ ଦୃଶ୍ୟ, ଯାହା ଏବେ ମଧ୍ୟ ମୋ ମନରେ ରହିଛି।”

ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ; ଆସନ୍ତା ୨୫ରେ ଛାତ୍ର ବିଜେଡିର ଆନ୍ଦୋଳନ

ଭୁବନେଶ୍ବର: ଆସନ୍ତା ୨୫ ତାରିଖରେ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଇଛି ଛାତ୍ର ବିଜେଡି । ନାରୀ ସୁରକ୍ଷାକୁ ନେଇ ସମସ୍ତ କଲେଜ କ୍ୟାମ୍ପସରେ ପ୍ରତିବାଦ କରାଯିବ। ଛାତ୍ର ଛାତ୍ରୀମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବେ ମୋହନ ସରକାରଙ୍କ ବିରୋଧରେ । ମାଆ ଭଉଣୀଙ୍କ ସୁରକ୍ଷା ପାଇଁ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ରାଜ୍ୟର ସମସ୍ତ ଯୁବ ଓ ଛାତ୍ର ସଂଗଠନକୁ ଆହ୍ଵାନ ଦେଇଛି ଛାତ୍ର ବିଜେଡି ।

ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବ୍ୟୋମକେଶ ରାୟ ଓ ଦେବୀରଂଜନ ତ୍ରିପାଠୀ ଅଭିଯୋଗ କରିଛନ୍ତି, ବିଜେପି ସରକାର ଆସିବା ପରେ ରାଜ୍ୟରେ ବଢ଼ିଛି ଦୁଷ୍କର୍ମ। ଚୋରୀ, ଡକାୟତି, ରାହାଜାନୀ ବଢ଼ିଛି । ପ୍ରତ୍ୟେକ ଦିନ ୧୫ଟି ଦୁଷ୍କର୍ମ ହେଉଛି। ଗୋପାଳପୁର ଗଣଦୁଷ୍କର୍ମ ଓଡ଼ିଶାର ବିଶ୍ୱରେ ନିନ୍ଦିତ କରିଛି। ଗଣଦୁଷ୍କର୍ମ ଉପରେ ଉତ୍ସବ ପାଳନ କରୁଛନ୍ତି ରାଜ୍ୟ ସରକାର। ଏଥିରେ ଛାତ୍ର ଓ ଯୁବ ବିଜେଡି ଚୁପ୍ ହୋଇ ବସିବ ନାହିଁ। ସେଥିପାଇଁ ଆସନ୍ତା ୨୫ ତାରିଖରେ ଆନ୍ଦୋଳନର ଡାକରା ଦିଆଯାଇଛି ।

ପୁଅ ସହ ବାଇକକୁ ଦେଲେ ସମାଧି ; କ’ଣ ପାଇଁ ଏମିତି କଲେ ପରିବାର ?

ନନ୍ଦିଘୋଷ ବ୍ୟୁରୋ: ବାଇକ ସହିତ ପୁଅକୁ କବର ଦେଲେ ପରିବାର । ଗୁଜୁରାଟର ନାଡିଆଡରେ ପରିବାର ଏକ ଅନନ୍ୟ ଉପାୟରେ ପୁଅର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏକ ବାଇକ୍ ଦୁର୍ଘଟଣାରେ ୧୮ ବର୍ଷୀୟ କ୍ରିଶ ପରମାରଙ୍କ ମୃତ୍ୟୁ ପରେ, ପରିବାର ତାଙ୍କୁ ତାଙ୍କ ପ୍ରିୟ ବାଇକ୍ ସହିତ କବର ଦେଇଛନ୍ତି ।

ଗୁଜୁରାଟର ନଦିଆଦ ଜିଲ୍ଲାର ଉତ୍ତରସଣ୍ଡା ଗ୍ରାମରୁ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ନିଆରା ଡଙ୍ଗରେ ଏକମାତ୍ର ପୁଅକୁ ଅନ୍ତିମ ବିଦାୟ ଦେଇଛନ୍ତି ପରିବାର ଲୋକ । ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ଧାର ଧାର ହେଇ ଲୁହ ଗଡିଯିବ । ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୮ବର୍ଷୀୟ ଯୁବକ କ୍ରିସ ପରମାର । କ୍ରିସ ତାଙ୍କ ପିତାମାତାଙ୍କ ଏକମାତ୍ର ପୁଅ ଥିଲେ ଏବଂ ତାଙ୍କ ମୃତ୍ୟୁ କେବଳ ପରିବାରକୁ ନୁହେଁ ସମଗ୍ର ଗାଁକୁ ଶକ୍ତ ଧକ୍କା ଦେଇଛି  ।

କ୍ରିସ ବାଇକ ଚଲାଇବାକୁ ବହୁତ ପସନ୍ଦ କରୁଥିଲେ। ସେ ତାଙ୍କ ବାଇକକୁ କେବଳ ପସନ୍ଦ ନୁହେଁ ବରଂ ଏକ ବନ୍ଧୁ ବୋଲି ମାନୁଥିଲେ। ଗାଁର ଲୋକମାନେ ପ୍ରାୟତଃ ତାଙ୍କୁ ତାଙ୍କ ପ୍ରିୟ ବାଇକରେ ବୁଲୁଥିବାର ଦେଖିଥିଲେ। ସେ କହୁଥିଲେ ଯେ ବାଇକ ହେଉଛି ତାଙ୍କର ପ୍ରକୃତ ସ୍ୱାଧୀନତା।

ପ୍ରାୟ ଦଶ ଦିନ ପୂର୍ବେ, କ୍ରିସ ତାଙ୍କ ବାଇକ୍ ଯୋଗେ ଗାଁ ଦେଇ ଯାଉଥିଲେ। ହଠାତ୍ ତାଙ୍କ ବାଇକ୍ ଏକ ଟ୍ରାକ୍ଟର ଟ୍ରଲି ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ କ୍ରିସଙ୍କ ମୁଣ୍ଡ ଏବଂ ଶରୀରରେ ଗମ୍ଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ୧୨ ଦିନର ଚିକିତ୍ସା ପରେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ।

କ୍ରିସଙ୍କ ଅକାଳ ମୃତ୍ୟୁ ସମଗ୍ର ପରିବାରକୁ ଦୁଃଖ ସାଗରରେ ଭସାଇ ଦେଇଥିଲା। ତାଙ୍କ ଅନ୍ତିମ ସଂସ୍କାର ପୂର୍ବରୁ, ପରିବାର ଏକ ନିଷ୍ପତ୍ତି ନେଇଥିଲା ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା। ପରିବାର ନିଷ୍ପତ୍ତି ନେଇଥିଲା ଯେ କ୍ରିସଙ୍କୁ ତାଙ୍କ ସବୁଠାରୁ ଭଲ ପାଉଥିବା ବାଇକ୍ ସହିତ କବର ଦିଆଯିବ।

କେବଳ ବାଇକ ନୁହେଁ, କ୍ରିସଙ୍କ କିଛି ପ୍ରିୟ ଜିନିଷ ମଧ୍ୟ ତାଙ୍କ ସହିତ କବର ଦିଆଯାଇଥିଲା। ତାଙ୍କ ଶେଷ ଯାତ୍ରାରେ ତାଙ୍କ ପ୍ରିୟ ପୋଷାକ, ଘଣ୍ଟା ଏବଂ କିଛି ସ୍ମାରକୀ ମଧ୍ୟ ତାଙ୍କ ସହିତ ରଖାଯାଇଥିଲା। ଏହି ସବୁ ତାଙ୍କ ସ୍ମୃତିକୁ ଜୀବିତ ରଖିବା ପାଇଁ ଏକ  ପ୍ରୟାସ ଥିଲା।

କ୍ରିସଙ୍କ ବାପା ସଞ୍ଜୟଭାଇ ପରମାର କହିଛନ୍ତି, “ମୋ ପୁଅ ବାଇକ ପାଇଁ ପାଗଳ ଥିଲା। ତାଙ୍କ ପାଇଁ ବାଇକ କେବଳ ମେସିନ୍ ନଥିଲା, ସେଗୁଡିକ ତାଙ୍କର ସ୍ୱପ୍ନ ଥିଲା। ଯେତେବେଳେ ଆମେ ତାଙ୍କୁ ଶେଷ ବିଦାୟ ଦେଇଥିଲୁ, ଆମେ ଭାବିଥିଲୁ ଯେ ତାଙ୍କର ସବୁଠାରୁ ମୂଲ୍ୟବାନ ଜିନିଷ ସେ ଯେଉଁଠାରେ ଯାଉଥିଲେ ମଧ୍ୟ ତାଙ୍କ ସହିତ ରହିବା ଉଚିତ।”

କ୍ରିସଙ୍କ ମୃତ୍ୟୁ ପରେ ଉତ୍ତରସଣ୍ଡା ଗାଁରେ ଶୋକର ଛାୟା । ଗାଁରେ ଏପରି କେହି ନାହାନ୍ତି ଯିଏ ବାଇକ୍ ଚଲାଉଥିବା ସମୟରେ ତାଙ୍କ ହସ ଏବଂ ମୁହଁକୁ ଭୁଲି ପାରୁଛନ୍ତି। ଗାଁ ଲୋକମାନେ ମଧ୍ୟ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ଏବଂ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ବିଦାୟ ଦେଇଥିଲେ।

ଇସ୍ରାଏଲ-ଇରାନ ଯୁଦ୍ଧ ଅପଡେଟ୍ : ଇରାନର ୬ ବାୟୁସେନା ଘାଟି ଉପରେ ଇସ୍ରାଏଲର ଜୋରଦାର ଡ୍ରୋନ୍ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଇରାନର ୬ଟି ବାୟୁସେନା ଘାଟି ଉପରେ ଜୋରଦାର ଡ୍ରୋନ ଆକ୍ରମଣ କରିଛି । ଇସ୍ରାଏଲ ପଶ୍ଚିମ, ପୂର୍ବ ଓ ମଧ୍ୟ ଇରାନରେ ଏହି ଆକ୍ରମଣଗୁଡ଼ିକ କରିଛି । ଆଇଡିଏଫ ସୋମବାର ଏହାର ସୂଚନା ଦେଇ ଦାବି କରିଛି ଯେ ରାତିରେ ହୋଇଥିବା ଏହି ଆକ୍ରମଣରେ ୧୫ଟି ଇରାନୀ ଯୁଦ୍ଧବିମାନ, ଅନେକ ହେଲିକପ୍ଟର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଧ୍ୱଂସ କରାଯାଇଛି । ଇସ୍ରାଏଲ ଡ୍ରୋନ ମାଧ୍ୟମରେ ଏହି ଆକ୍ରମଣ କରିଛି, ଯାହା ଫଳରେ ଇରାନର ବାୟୁସେନା ଘାଟିଗୁଡ଼ିକରେ ବହୁତ କ୍ଷୟକ୍ଷତି ହୋଇଛି । ଏହା ଉପରେ ଇରାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଆଇଡିଏଫ ଅନୁସାରେ, ତାଙ୍କ ଡ୍ରୋନ ଆକ୍ରମଣର ଲକ୍ଷ୍ୟ ଇରାନୀ ସେନା ଓ ଶାସନର ବିମାନଗୁଡ଼ିକ ଥିଲା। ଏହା ମଧ୍ୟରେ ଏଫ-୧୪ ଓ ଏଫ-୫ ଯୁଦ୍ଧବିମାନ ଏବଂ ଏଏଚ-୧ ହେଲିକପ୍ଟର ସାମିଲ ଥିଲା । ଏକ ରି-ଫୁଏଲିଂ ବିମାନକୁ ମଧ୍ୟ ନିଶାନା କରାଯାଇଥିଲା। ଆକ୍ରମଣରେ ରନୱେ, ଭୂଗର୍ଭସ୍ଥ ହ୍ୟାଙ୍ଗାର ଓ ଅନ୍ୟ ମୌଳିକ ଭିତ୍ତିଭୂମିରେ କ୍ଷୟକ୍ଷତି ହୋଇଛି। ଆଇଡିଏଫ ଇସ୍ରାଏଲୀ ଅଭିଯାନ ବିରୋଧରେ ବ୍ୟବହୃତ ହେଉଥିବା ବିମାନଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ଡ୍ରୋନ ବ୍ୟବହାର କରିଛି ।

ଇରାନୀ ଯୁଦ୍ଧବିମାନ ଉଡ଼ାଣ କରିପାରୁନାହାନ୍ତି !
ଆଇଡିଏଫ ତା’ ବୟାନରେ ଦାବି କରିଛି ଯେ, ଡ୍ରୋନ ଆକ୍ରମଣ ଇରାନୀ ବିମାନବନ୍ଦରଗୁଡ଼ିକରେ ଉଡ଼ାଣ କ୍ଷମତାକୁ ବାଧାପ୍ରାପ୍ତ ହୋଇଛି । ଏହା ଦ୍ୱାରା ଇରାନୀ ସେନାରୁ ବାୟୁ ଅଭିଯାନ ଆରମ୍ଭ କରିବାରେ ଅସୁବିଧା ହେଉଛି । ଆଇଡିଏଫ ଦାବି କରିଛି ଯେ ଇରାନ ଉପରେ ଏହି ନୂଆ ଡ୍ରୋନ ଆକ୍ରମଣ ତେହରାନର ଚିନ୍ତା ବଢ଼ାଇ ଦେଇଛି କାରଣ ଛଅଟି ବିମାନବନ୍ଦର ଉପରେ ଆକ୍ରମଣ ଦ୍ୱାରା ଇରାନୀ ବାୟୁସେନାର ମେରୁଦଣ୍ଡ ଭାଙ୍ଗି ଯାଇଛି ।

ଦଶ ଦିନ ଧରି ଚାଲିଛି ଯୁଦ୍ଧ

ଇରାନ ଓ ଇସ୍ରାଏଲ ମଧ୍ୟରେ ଗତ ଦଶ ଦିନ ଧରି ଯୁଦ୍ଧ ଚାଲିଛି। ଉଭୟ ଦେଶ ସୋମବାର ଏକାଦଶ ଦିବସରେ ମଧ୍ୟ ପରସ୍ପର ବିରୋଧରେ ଆକ୍ରମଣ ଜାରି ରଖିଛନ୍ତି। ଏହି ଯୁଦ୍ଧର ଆରମ୍ଭ ୧୩ ଜୁନରେ ହୋଇଥିଲା, ଯେତେବେଳେ ଇସ୍ରାଏଲ ଇରାନ ଉପରେ ଜୋରଦାର ଆକ୍ରମଣ କରି ତାର ଅନେକ ସୈନ୍ୟ ଅଧିକାରୀ ଓ ପରମାଣୁ ବୈଜ୍ଞାନିକମାନଙ୍କୁ ହତ୍ୟା କରିଥିଲା। ଏହା ପରେ ଇରାନ ମଧ୍ୟ ଇସ୍ରାଏଲର ପ୍ରମୁଖ ସହରଗୁଡ଼ିକ ଉପରେ ମିସାଇଲ ଆକ୍ରମଣ କରିଛି।

ଆମେରିକା ମଧ୍ୟ ଯୁଦ୍ଧରେ ସାମିଲ
ଇସ୍ରାଏଲକୁ ସମର୍ଥନ ଦେଇ ଆମେରିକା ମଧ୍ୟ ଏହି ଯୁଦ୍ଧରେ ପ୍ରବେଶ କରିଛି। ଆମେରିକୀୟ ବାୟୁସେନା ରବିବାର ସକାଳେ ଶହ ଶହ ଯୁଦ୍ଧବିମାନ, ବୋମାବର୍ଷକ ଓ ବଙ୍କର ବଷ୍ଟର ବୋମା ସହ ଇରାନର ପରମାଣୁ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଛି। ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତାଙ୍କ ସେନାର ଆକ୍ରମଣରେ ଇରାନକୁ ବହୁତ କ୍ଷୟକ୍ଷତି ହୋଇଛି ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଧ୍ୱଂସ ହୋଇଯାଇଛି। ଇରାନ ଆମେରିକୀୟ ଆକ୍ରମଣର ନିନ୍ଦା କରି ଏହାର ଜବାବ ଦେବା ବୋଲି ଧମକ ଦେଇଛି ।

ଅଲ୍ଲୁ ଅର୍ଜୁନ ନୁହେଁ ରଣବୀର ସିଂ ହେବେ ‘ଶକ୍ତିମାନ’ !

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ଇଣ୍ଟରନେଟରେ ଗୋଟିଏ ଚର୍ଚ୍ଚା ‘ଶକ୍ତିମାନ’ ଚଳଚ୍ଚିତ୍ରର କିଏ ହେବ ହିରୋ ? ପ୍ରତିଦିନ ସୋସିଆଲ ମିଡିଆରେ ଲିଡ୍ ହିରୋକୁ ନେଇ କଳ୍ପନା ଜଳ୍ପନା । ନିକଟରେ ଅଭିନେତା ମୁକେଶ ଖାନ୍ନା ଅଲ୍ଲୁ ଅର୍ଜୁନଙ୍କ ଅଭିନୟକୁ ପ୍ରଶଂସା କରିଥିବା ବେଳେ ଏନେଇ ପ୍ରଶଂସକଙ୍କ ଭିତରେ ନୂଆ ଗୁଜବ ସୃଷ୍ଟି କରିଥିଲା । ‘ଶକ୍ତିମାନ’ ଫିଲ୍ମରେ ଅଲ୍ଲୁ ଅର୍ଜୁନ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପ୍ରଶଂସକ ଚର୍ଚ୍ଚା କରୁଥିବା ବେଳେ ଏହାକୁ ନିର୍ଦ୍ଦେଶକ ଖଣ୍ଡନ କରିଛନ୍ତି । ନିର୍ମାତାମାନେ ସ୍ପଷ୍ଟ କରିଛନ୍ତି ଯେ ଏପରି କୌଣସି କାଷ୍ଟିଂର ଅପଡେଟ୍ ନାହିଁ। ‘ଶକ୍ତିମାନ’ ଚଳଚ୍ଚିତ୍ର ଫିଲ୍ମ ନିର୍ମାତା ବାସିଲ ଜୋସେଫଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ। ସେ ରଣବୀର ସିଂହଙ୍କୁ ମୁଖ୍ୟ ଭୂମିକାରେ ନେବା ପାଇଁ ଆରମ୍ଭରୁ କହିଛନ୍ତି। ଏତେ ବଡ଼ ପ୍ରୋଜେକ୍ଟ ବିଷୟରେ ଗୁଜବ ବାରମ୍ବାର ଆସୁଥିବା ବେଳେ ପ୍ରଯୋଜନା ସଂସ୍ଥା ଏହି ଗୁଜବକୁ ଖାରଜ କରିଛନ୍ତି ।

ରଣବୀର ସିଂ ଶକ୍ତିମାନ ହେବେ

ଏକ ରିପୋର୍ଟ ଅନୁଯାୟୀ “ଶକ୍ତିମାନ ଆଉ କେହି କରୁନାହାଁନ୍ତି ଏହା ରଣବୀର ସିଂ କରୁଛନ୍ତି। ଅର୍ଥାତ୍ ଏପରି କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣ ବିରାମ ଲଗାଇଛନ୍ତି ନିର୍ଦ୍ଦେଶକ ।   ବାସିଲ୍ ଯୋସେଫ୍ କହିଛନ୍ତି, “ଶକ୍ତିମାନ କେବଳ ରଣବୀର ସିଂହଙ୍କ ସହିତ ନିର୍ମିତ ହେବ।”

ଅଲୁ ଅର୍ଜୁନଙ୍କୁ ମୁକେଶ ଖାନ୍ନାଙ୍କ ସମର୍ଥନ

ମୁକେଶ ଖାନ୍ନା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ବିବୃତ୍ତି ଦେଇଥିଲେ। କାହାକୁ ଆନୁଷ୍ଠାନିକ ଭାବରେ ସମର୍ଥନ ନକରି, ମୁକେଶ ଖାନ୍ନା ସୁପରହିରୋ ଭୂମିକାରେ ଅଲୁ ଅର୍ଜୁନଙ୍କ ବିଷୟରେ କହିଥିଲେ ଏବଂ କହିଥିଲେ, ‘ମୁଁ ପ୍ରତିଶ୍ରୁତି ଦେଉନାହିଁ, କହୁନାହିଁ, ବିଚାର ମଧ୍ୟ କରୁନାହିଁ, କିନ୍ତୁ ସେ ଶକ୍ତିମାନ ହୋଇପାରିବେ । ତାଙ୍କର ସେ କ୍ଷମତା ଅଛି। ବାସ୍ତବ ଜୀବନରେ ମଧ୍ୟ ତାଙ୍କର ଏକ ଭଲ ଲୁକ୍ ଅଛି, ତାଙ୍କର ଏକ ଭଲ ଉଚ୍ଚତା ଅଛି… ମୁଁ କହୁନାହିଁ ଯେ, ସେ ଏମିତି କିଛି ଯୋଜନା କରୁଛନ୍ତି କି ଆଉ କ’ଣ। ମୁଁ କେବଳ ପରାମର୍ଶ ଦେଉଛି ଯେ, ଏହି ଚରିତ୍ରରେ ସେ ଭଲ ଲାଗିବେ। ଏହି ଚରିତ୍ର ପାଇଁ ସେ ଉପଯୁକ୍ତ ବ୍ୟକ୍ତିତ୍ବ।’’

ଅଲୁ ଅର୍ଜୁନଙ୍କ ‘ପୁଷ୍ପା 2’

ମୁକେଶ ଖାନ୍ନା ମଧ୍ୟ ଅଲୁ ଅର୍ଜୁନଙ୍କ ଅଭିନୟ ଏବଂ ପୁଷ୍ପା -୨ କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ‘କେବଳ ଟଙ୍କା ପକାଇ ଫିଲ୍ମ ତିଆରି ହୁଏ ନାହିଁ। ପ୍ରତ୍ୟେକ ଫ୍ରେମ୍ ଦେଖାଉଛି ଯେ ସେମାନେ ଭଲ କାମ କରିଛନ୍ତି। ଯେତେବେଳେ ଆପଣଙ୍କର ନିଜ ଉପରେ ଆତ୍ମବିଶ୍ୱାସ ଥାଏ, ଆପଣ ଦର୍ଶକଙ୍କୁ ମଧ୍ୟ ମନାଇ ପାରନ୍ତି ।’ ଆହୁରି ମୁକେଶ କହିଥିଲେ ଯେ, ‘‘ଜଣେ ଅଭିନେତା ସମସ୍ତ ପ୍ରକାର ଭୂମିକାରେ ଅଭିନୟ କରିପାରେ, କିନ୍ତୁ ଶକ୍ତିମାନ କୌଣସି ଭୂମିକା ନୁହେଁ। ଶକ୍ତିମାନ ଚରିତ୍ରରେ ଅଭିନୟ କରିବା ପାଇଁ କେବଳ ଅଭିନେତା ହେବା ଯଥେଷ୍ଟ ନୁହେଁ। ଆପଣଙ୍କର ସଠିକ୍ ଚେହେରା ଥିବା ଆବଶ୍ୟକ।

ପାକ୍-ଆଫଗାନିସ୍ତାନ ସୀମାରେ ରହସ୍ୟମୟୀ ଶବ୍ଦହିନ ‘ଉଡ଼ନ୍ତା ଥଳିଆ’କୁ ରେକର୍ଡ କଲା ଆମେରିକୀୟ ସେନା

ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତରେ ଆମେରିକୀୟ ସେନା ଦ୍ୱାରା ରେକର୍ଡ କରାଯାଇଥିବା ଏକ ରହସ୍ୟମୟ ଫୁଟେଜ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଫୁଟେଜ କୌଣସି ଚଳଚ୍ଚିତ୍ରର ଦୃଶ୍ୟ ପରି ନୁହେଁ, ବରଂ ଏହା ଯେତିକି ବାସ୍ତବ ଏବଂ ସେତିକି ଭୟଙ୍କର। ଏହି ଭିଡିଓରେ ଏକ ଅଜଣା ଉଡ଼ନ୍ତା ଥଳିଆ ବା ୟୁଏଫଓ (ଯାହାକୁ ଆମେରିକୀୟ ସେନା ଏବେ ‘ୟୁଏପି’ ବୋଲି କହୁଛି) ଆକାଶରେ ଦୃଶ୍ୟମାନ ହୋଇଛି। ଏହାର ଆକାର ସମ୍ପୂର୍ଣ୍ଣ ଗୋଲାକାର, ଅର୍ଥାତ୍ ଏକ ‘ଡିସ୍କ’ ପରି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ୟୁଏଫଓ ବିନା କୌଣସି ଇଞ୍ଜିନର ଶବ୍ଦ, ବିନା କୌଣସି ତାପ ସହ ଆକାଶରେ ନିର୍ବିଘ୍ନରେ ଉଡ଼ୁଥିବା ଦେଖାଯାଇଛି।

ଏହି ଭିଡିଓକୁ ସ୍ୱାଧୀନ ଅନୁସନ୍ଧାନୀ ସାମ୍ବାଦିକ ଜେରେମୀ କର୍ବେଲ ନିଜର ସୋସିଆଲ ମିଡିଆରେ ଲିକ୍ କରିଛନ୍ତି। ତାଙ୍କ ଦାବି ଅନୁସାରେ, ଏହି ଫୁଟେଜ ୨୦୨୦ ନଭେମ୍ବରରେ ଆମେରିକୀୟ ସେନା ଦ୍ୱାରା ରେକର୍ଡ କରାଯାଇଥିଲା ଏବଂ ଏହା ହାସଲ କରିବା ପାଇଁ ତାଙ୍କୁ ୫ ବର୍ଷ ଲାଗିଛି। କର୍ବେଲଙ୍କ ମତରେ, ଆମେରିକୀ ସାମରିକ ଅଧିକାରୀମାନେ ନିଜେ ସ୍ୱୀକାର କରିଛନ୍ତି ଯେ ଏହା ଏକ ଡିସ୍କ ଆକାରର ବସ୍ତୁ, ଯାହାର ଉତ୍ପତ୍ତି ଅଜଣା। ସେନା ଅଧିକାରୀମାନେ କହିଛନ୍ତି ଯେ ଏହି ବସ୍ତୁ ଏପରି ଉଡ଼ୁଥିଲା ଯେମିତି କେହି ଏହାକୁ ଭିତରୁ ବା ଦୂରରୁ ନିୟନ୍ତ୍ରଣ କରୁଛି, ଅର୍ଥାତ୍ ଏହା ନିଜେ ନିଜେ ଉଡ଼ୁ ନଥିଲା।

କୌଣସି ଶବ୍ଦ ନାହିଁ… ତଥାପି ତୀବ୍ର ଉଡ଼ାଣ
ଏହି ୟୁଏଫଓ ଆକାଶରେ ଡାହାଣକୁ ଗଲା ଏବଂ ତା’ପରେ ହଠାତ୍ ଦିଗ ପରିବର୍ତ୍ତନ କରି ବାମକୁ ମୋଡ଼ି ଗଲା। ତାହା ମଧ୍ୟ ବିନା କୌଣସି ବାଧା କିମ୍ବା ଗତି କମାଇ। କୌଣସି ସାଧାରଣ ବିମାନ କିମ୍ବା ଡ୍ରୋନରେ ଏପରି କରିବା ଅସମ୍ଭବ। ବିଶେଷକରି ଯେତେବେଳେ କୌଣସି ଇଞ୍ଜିନ କିମ୍ବା ଥର୍ମାଲ ପ୍ରୋପଲସନ ସିଷ୍ଟମ ଉପସ୍ଥିତ ନଥାଏ। ସବୁଠାରୁ ରହସ୍ୟମୟ କଥା ହେଉଛି ଯେ ଏହି ୟୁଏଫଓରୁ କୌଣସି ତାପ ନିର୍ଗତ ହେଉ ନଥିଲା। ଅର୍ଥାତ୍, ଏହା କୌଣସି ଜଣାଶୁଣା ପ୍ରଯୁକ୍ତି ଦ୍ୱାରା ଉଡ଼ୁଥିବା ଦେଖାଯାଉ ନଥିଲା। ତେବେ କ’ଣ ଏହା ଏପରି କିଛି ଯାହା ଆମର ପୃଥିବୀର ପ୍ରଯୁକ୍ତିଠାରୁ ମଧ୍ୟ ଆଗରେ ଅଛି?

ଗୁଇନ୍ଦାଗିରି ନା ଭବିଷ୍ୟତ ଯୁଦ୍ଧର ପ୍ରସ୍ତୁତି ?
କର୍ବେଲଙ୍କ ଦାବି ଅନୁସାରେ, ଏହି ଭିଡିଓକୁ ଜାଣିଶୁଣି ଲୁଚାଯାଇଥିଲା ଯାହା ଦ୍ୱାରା ସରକାରମାନେ ଏହି ପ୍ରଯୁକ୍ତିକୁ ବୁଝି ତାହାକୁ ସୈନ୍ୟ ଅସ୍ତ୍ରରେ ରୂପାନ୍ତରିତ କରିପାରିବେ। ତାଙ୍କ କହିବା ଅନୁସାରେ, ୟୁଏଫଓର ଉପସ୍ଥିତିକୁ ବହୁ ବର୍ଷ ଧରି ଲୁଚାଯାଇଛି ଯାହା ଦ୍ୱାରା ଏଥିରୁ ମିଳୁଥିବା ବୈଜ୍ଞାନିକ ଓ ସାମରିକ ଲାଭଗୁଡ଼ିକୁ ଚୁପଚାପ ନିଜ ପାଖରେ ରଖାଯାଇପାରିବ। କିନ୍ତୁ ଏବେ ଯେତେବେଳେ ଏହି ଭିଡିଓ ସାମ୍ନାକୁ ଆସିଛି, ପ୍ରଶ୍ନ ଉଠୁଛି ଯେ କ’ଣ ଏଲିୟନମାନେ ପୃଥିବୀକୁ ଆସିସାରିଛନ୍ତି ଏବଂ ମଣିଷର କାର୍ଯ୍ୟକଳାପ ଉପରେ ନଜର ରଖୁଛନ୍ତି?

କର୍ବେଲଙ୍କ ଅନୁସାରେ, ସେ ସେହି ସୈନିକମାନଙ୍କ ସହ କଥା ହୋଇଛନ୍ତି ଯେଉଁମାନେ ଏହି ଫୁଟେଜକୁ ନିଜେ ଦେଖିଛନ୍ତି ଓ ରେକର୍ଡ କରିଛନ୍ତି। ସେମାନେ ଚାହୁଁଛନ୍ତି ଯେ ଆମେରିକୀୟ କଂଗ୍ରେସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଏବଂ ଜନସାଧାରଣ ସାମ୍ନାରେ ସତ୍ୟତା ଆଣୁ। ତାଙ୍କ କହିବା ଅନୁସାରେ, ଅନେକ ‘ହ୍ୱିସଲବ୍ଲୋଅର’ ଏବେ ସାକ୍ଷ୍ୟ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି।

ଆମକୁ ଏହାର ଅଭ୍ୟାସ କରିବାକୁ ହେବ – କର୍ବେଲ
କର୍ବେଲ କହିଛନ୍ତି, “ଏହି ଭିଡିଓ କେବଳ ଏକ ଉଡ଼ନ୍ତା ଥଳିଆକୁ ଦେଖାଉ ନାହିଁ, ବରଂ ଏହା ଏକ ସଙ୍କେତ ଯେ କୌଣସି ଶକ୍ତି ଆମ ଉପରେ ନଜର ରଖୁଛି। ଯଦି ଆମେ ଏହାକୁ ଅଣଦେଖା କରୁ, ତେବେ ଆମେ ସେହି ଦିନ ପାଇଁ ପ୍ରସ୍ତୁତ ରହିବୁ ନାହିଁ ଯେତେବେଳେ ଏହି ଶକ୍ତିଗୁଡ଼ିକ ସାମ୍ନାକୁ ଆସିବ।” କର୍ବେଲଙ୍କ ଏହି କଥା ଭୟପ୍ରଦ ତଥା ଚେତାବନୀ ମଧ୍ୟ ଦେଉଛି।