spot_img
Home Blog Page 6257

ବାଘ ଭୟରେ ଘରୁ ବାହାରୁ ନାହାନ୍ତି ଲୋକ, ବନ ବିଭାଗ କହିଲା ବୁଲୁଛି କଲରାପତରିଆ

କନ୍ଧମାଳ: ଡରାଉଛି ବାଘ । ଭୟରେ ଲୋକ ଘରୁ ବାହାରୁ ନାହାନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ସାର୍ତ୍ତୁଲ୍ ଅଞ୍ଚଳରେ ବାଘ ଆତଙ୍କ । ତିନି ଚାରିଦିନ ହେଲା ବାଘଟି ଗାଈ ଓ ଛେଳି ଶିକାର କରିଥିବା ଅଭିଯୋଗ ହୋଇଛି । କୋଟଗଡ଼ ରେଞ୍ଜର ଘଟଣାସ୍ଥଳରେ ପହଁଞ୍ଚି ପାଦଚିହ୍ନ ଯାଞ୍ଚ କରିଛନ୍ତି । ବନ ବିଭାଗ ପକ୍ଷରୁ ଜଙ୍ଗଲରେ କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଛି । ତେବେ ମିଳିଥିବା ପାଦଚିହ୍ନରୁ ତାହା କଲରାପତରିଆ ବାଘ ବୋଲି ବନ ବିଭାଗ ଅନୁମାନ କରୁଛି ।

ବାଘ ଭୟରେ ଲୋକେ ଘରୁ ବାହାରୁ ନଥିବା ବେଳେ ସନ୍ଧ୍ୟା ନହେଉଣୁ ଲୋକେ ଘର ଭିତରେ ବନ୍ଦି ହୋଇଯାଉଛନ୍ତି । ତେବେ ବନ ବିଭାଗ ଏହି ଘଟଣାପ୍ରତି ଅବଗତ ଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

File Photo

ସେହିଭଳି ପୂର୍ବରୁ କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ କନକପୁର ଗାଁରେ ମଧ୍ୟ ବାଘ ଆତଙ୍କ ଦେଖାଦେଇଥିଲା । ସାହାଜଖୋଲ ଜଙ୍ଗଲରେ ଏକ ଗାଈକୁ ବାଘ ମାରିଥିବା ଜାଣିବା ପରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ ।

ଅନ୍ୟପଟେ ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଆଦି ଜିଲ୍ଲାରେ ହାତୀ ଆତଙ୍କରେ ଆତଙ୍କିତ ରହିଛନ୍ତି ଲୋକ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ସଞ୍ଜ ହେଲେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ହାତୀଙ୍କୁ ଘଉଡାଇବାକୁ ଯାଇ ବନବିଭାଗକୁ ନାକେଦମ୍ ହେବାକୁ ପଡିଛି ।

‘ଚାଷୀଙ୍କ ସହ ରହିଛି ବିଜେଡି, ଦିଲ୍ଲୀରେ ପହଞ୍ଚାଇଛି ତାଙ୍କ ସ୍ୱର’

ଭୁବନେଶ୍ୱର: ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା । ସବୁଠି ଚାଷୀଙ୍କ ନ୍ୟାୟ ପାଇଁ ଚିତ୍କାର । ଦିଲ୍ଲୀ ଦରବାରରେ ଖରା-ଶୀତ କାକର ଖାଇ ନିଜ ଦାବି ପୁରଣ ପାଇଁ ପଡ଼ି ରହିଛନ୍ତି ଚାଷୀ । ୧୮ ଦିନରୁ ଅଧିକ ସମୟ ଧରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଧିରେ ଧିରେ ଏହା ସାରା ଦେଶ ମଧ୍ୟରେ ବ୍ୟାପିବାକୁ ଲାଗିଲାଣି । ଏମିତିରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚାଷୀଙ୍କୁ ସମର୍ଥନ କରି ଶୋଭାଯାତ୍ରା କରାଯାଇଥିବା ମଧ୍ୟ ଦେଖାଯାଇଛି ।

ଅନ୍ୟପଟେ ଓଡ଼ିଶା ସରକାର ସବୁବେଳେ ଚାଷୀଙ୍କ ସପକ୍ଷରେ ଥିବା କଥା କହିଛନ୍ତି । ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସବୁବେଳେ ଚାଷୀଙ୍କ ହିତ ଚିନ୍ତା କରୁଛନ୍ତି ଓଡ଼ିଶା ସରକାର । ଚାଷୀଙ୍କ ସ୍ୱରକୁ ଦିଲ୍ଲୀରେ ପହଞ୍ଚାଇଛି ବିଜେଡି । ଚାଷୀଙ୍କ ଉନ୍ନତି ପାଇଁ ବିଜେଡି ସବୁବେଳେ ଚେଷ୍ଠିତ । ଚାଷୀଙ୍କ ପ୍ରତି ବିଜେଡି ସମ୍ବେଦନଶୀଳ ।

ସେହିଭଳି ବିଜେଡିର ଆଉ ଜଣେ ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମଧ୍ୟ ଚାଷୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ବିଜୁ ଜନତା ଦଳ ସବୁବେଳେ ଚାଷୀଙ୍କ ସହ ରହିଆସିଛି । କେନ୍ଦ୍ର ସରକାର ଚାଷୀଙ୍କ ଦାବି ଅନୁଯାୟୀ ସ୍ୱାମୀନାଥନ କମିଟିର ସୁପାରିଶକୁ ଲାଗୁ କରନ୍ତୁ ବୋଲି ବିଜେଡି ମଧ୍ୟ ଦାବି କରିଛି ।

ପୂର୍ବରୁ ସାଂସଦ ସସ୍ମିତ ପାତ୍ର ମଧ୍ୟ ଚାଷୀଙ୍କ ସପକ୍ଷରେ କହିଥିଲେ । ସ୍ୱାମୀନାଥନ କମିଟିର ସୁପାରିଶକୁ କେନ୍ଦ୍ର ସରକାର ଲାଗୁ କରନ୍ତୁ ବୋଲି ଦାବି କରିଥିଲେ ।

ଘରୋଇ ସ୍କୁଲର ବେଆଇନ୍‌ ଫି’ ଆଦାୟକୁ ନେଇ ତେଜୁଛି ଅସନ୍ତୋଷ, ଧାରଣାରେ ଅଭିଭାବକ

ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ମନ୍ତ୍ରୀଙ୍କ ଘର ଆଗରେ ହୋ-ହଲ୍ଲା କଲେ ଅଭିଭାବକ । ସ୍କୁଲ ଫି ସମ୍ବନ୍ଧରେ ହାଇକୋର୍ଟରେ ସରକାର ଦେଇଥିବା ସତ୍ୟପାଠକୁ ବିରୋଧ କରି ‘ଅର୍ଗାନାଇଜେସନ୍‌ ଅଫ ପ୍ୟାରେଣ୍ଟ ଆସୋସିଏସନ ଫୋରମ’ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ ଓ ଧାରଣା ଦିଆଯାଇଛି । ଏକ ଅଭିନବ ଉପାୟରେ ଘଣ୍ଟ ବାଡ଼େଇ, ହୁଳହୁଳି ପକାଇ ପ୍ରତିବାଦ ଜଣାଇଛନ୍ତି ଅଭିଭାବକମାନେ ।

ଘରୋଇ ସ୍କୁଲ ଗୁଡ଼ିକ ବେଆଇନ୍‌ ଭାବେ ମନଇଚ୍ଛା ଫି ଆଦାୟ କରୁଛନ୍ତି । ନିୟମ ଅନୁଯାୟୀ ଯେତିକି ସେବାକୁ ସେତିକି ଫି ନେବାକଥା । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଅଧିକ ଫି ନେଉଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

ଅନ୍ୟପଟେ ଘରୋଇ ସ୍କୁଲ ଉପରେ ରାଜ୍ୟ ସରକାରଙ୍କ କୌଣସି କତ୍ତୃତ୍ୱ ନାହିଁ ବୋଲି କୋର୍ଟରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି । ତୁରନ୍ତ ଘରୋଇ ସ୍କୁଲର ମନମାନୀ ଉପରେ ରୋକ ଲଗାଇବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ବେଆଇନ ଭାବେ ଫି’ ଆଦାୟ ବନ୍ଦ କରିବା ପାଇଁ ସେ ନିବେଦନ କରିଛନ୍ତି ।

’ସବୁଦିନ ପାଇଁ ଯାଉଛି, କ୍ଷମା କରିଦେବ’…କ୍ରେଡିଟ୍ କାର୍ଡ ବିଲକୁ ନେଇ ଚିନ୍ତାରେ ଥିଲେ ଯୁବକ, ନେଲେ ଏମିତି ପଦକ୍ଷେପ

0

ମୁମ୍ବାଇ: କ୍ରେଡିଟ କାର୍ଡ ବିଲ୍ ଏବଂ ପଇସା ଅସୁଲ୍ କରିବା ପାଇଁ ବାରମ୍ବାର ଆସୁଥିବା ଏଜେଣ୍ଟଙ୍କ ଧମକପୂର୍ଣ୍ଣ କଲରେ ବ୍ୟତିବ୍ୟସ୍ତ ହୋଇ ଜଣେ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ଯଦିଓ ପୋଲିସର ସଜାଗତା ଫଳରେ ତାଙ୍କୁ ଉଦ୍ଧାର କରାଯାଇପାରିଛି ।

ପୋଲିସର ସୂଚନାନୁସାରେ, ୩୨ ବର୍ଷୀୟ ଏହି ଯୁବକ  ମୁମ୍ବାଇର ମୁଲୁନ୍ଦର ବାସିନ୍ଦା ହୋଇଥିବା ବେଳେ  ତାଙ୍କ ପତ୍ନୀ ଜଣେ ନର୍ସ।

ଲକଡାଉନ୍ ଫଳରେ ରାଜୀବ (ଛଦ୍ମନାମ)ଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଇଥିଲା । ଆଉ ଏଭଳି ସ୍ଥଳେ ତାଙ୍କୁ ୮୦ ହଜାର ଟଙ୍କାର କ୍ରେଡିଟ କାର୍ଡ ବିଲ୍ ପଇଠ କରିବାର ଥିଲା ।

ଅନ୍ୟପକ୍ଷରେ କ୍ରେଡିଟ୍ କାର୍ଡ କମ୍ପାନୀ ଏଜେଣ୍ଟମାନଙ୍କର ବାରମ୍ବାର କଲ୍ ଯୋଗୁଁ ସେ ଚାପଗ୍ରସ୍ତ ହେବାକୁ ଲାଗିଥିଲେ । ପରେ ଏଜେଣ୍ଟଙ୍କ ଧମକରୁ ମୁକ୍ତି ପାଇବା ପାଇଁ ସେ ନିଜକୁ ଶେଷ କରିଦେବେ ବୋଲି ଭାବିନେଇଥିଲେ ।

ପରିଶେଷରେ ଗତ ଶନିବାର ଏକ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ମୋବାଇଲକୁ ଶେଷଥର ପାଇଁ ଏକ ମେସେଜ୍ ପଠାଇଥିଲେ, ଯେଉଁଥିରେ ସେ ଲେଖିଥିଲେ- ‘ସବୁଦିନ ପାଇଁ ଛାଡି ଚାଲିଯାଉଛି, ମୋତେ କ୍ଷମା କରିଦେବ’।

ରାଜୀବଙ୍କର ଏଭଳି ମେସେଜ୍ ଦେଖି ତୁରନ୍ତ ତାଙ୍କ ପତ୍ନୀ ଏହାକୁ ସୋସିଆଲ୍ ମିଡିଆରେ ଛାଡି ଦେଇଥିଲେ । ସୗେଭାଗ୍ୟବଶତଃ ଏହି ପୋଷ୍ଟକୁ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଦେଖିବା ସହ ଜଣେ ସମାଜ ସେବୀଙ୍କୁ ପଠାଇ ଦେଇଥିଲେ । ଏହିପରି ଭାବେ ଖବରଟି ଯାଇ ଜୋନ୍-୭ର ଡିସିପି ପ୍ରଶାନ୍ତ କଦମଙ୍କ ପାଖରେ ପହଞ୍ଚିଥିଲା ।

ଡିସିପି ଏହି ସୂଚନାକୁ ଗମ୍ଭୀରତାର ସହ ନେଇ ମାତ୍ର ୭ରୁ ୮ ମିନିଟ ମଧ୍ୟରେ ରାଜୀବଙ୍କ ଫୋନ୍ ନମ୍ବରକୁ ଟ୍ରାକ୍ ତାଙ୍କ ପାଖରେ ପହଞ୍ଚିଥିଲେ ।

ତେବେ ପୋଲିସର ସହାୟତାରେ ରାଜୀବଙ୍କୁ ଆତ୍ମହତ୍ୟା କରିବାରୁ ରୋକାଯାଇପାରିଥିଲା। ପରେ ତାଙ୍କୁ ଥାନାକୁ ଅଣାଯାଇ କାଉନସିଲିଂ କରିବା ସହ ଘରକୁ ଛାଡି ଦିଆଯାଇଥିଲା ।

ଏଥର ସଜେଇ ହେବନି ମଥୁରା-ଗୋପପୁର, ଶୁଭିବନି କଂସର ଚିତ୍କାର ଆଉ ରାସ୍ତାରେ ଚାଲିବନି ହାତୀ…

ବରଗଡ଼: ଏବର୍ଷ ଆୟୋଜନ ହେବନି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ସାରା ବିଶ୍ୱରେ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ଧନୁଯାତ୍ରାର ଆୟୋଜନ ଏଥର ହେବ ନାହିଁ । ଏନେଇ ଧନୁଯାତ୍ରା କମିଟି ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ଏଭଳି ନିଷ୍ପତି ନିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧନୁଯାତ୍ରାକୁ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

File Photo

ଧନୁଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାତ୍ରା ଆୟୋଜନ ସମ୍ବନ୍ଧରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ଯାତ୍ରା ଆୟୋଜନ କଲେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । କାରଣ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମଜା ଉଠାଇବାକୁ ଦେଶର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସି ବରଗଡ଼ରେ ଭିଡ଼ ଜମାଇଥାନ୍ତି । ଏହି ଜନସମାଗମ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଧନୁଯାତ୍ରା ବନ୍ଦ ଭଳି ନିଷ୍ପତି ନିଆଯାଇଛି ।

ସୂଚନାଯୋଗ୍ୟ ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ମୁକ୍ତାକାଶ ରଙ୍ଗମଞ୍ଚ ଯାତ୍ରା । ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ । ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ ।

DhanuYatra
File Photo

ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗ ନେବା ପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ । ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବା ବେଳେ ପୌରାଞ୍ଚଳର ୧୭ନଂ ୱାର୍ଡ଼ ଅମ୍ବାପାଲି ପାଲଟିଥାଏ ଗୋପପୁର । ବରଗଡ଼ ସହରବାସୀ ଓ ଦର୍ଶକ ପାଲଟିଥାନ୍ତି ପ୍ରଜା । ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡଭୋଗିବାକୁ ହୋଇଥାଏ । ଏହି ମଞ୍ଚରେ କଂସ ଦୋଷ ନିମନ୍ତେ ଲୋକଙ୍କୁ ଦଣ୍ଡବିଧାନ ମଧ୍ୟ କରିଥାନ୍ତି ।

ଆମେରିକାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଙ୍କୁ ଅସମ୍ମାନ କଲେ ଖାଲିସ୍ତାନୀ

ୱାଶିଂଟନ: ଭାରତ ସରକାରଙ୍କ ନୂଆ କୃଷି ନିୟମକୁ ବିରୋଧ କରି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବେ ବର୍ତ୍ତମାନ ବିଶ୍ୱବ୍ୟାପୀ ହୋଇଛି। ଆମେରିକାର ୱାଶିଂଟନରେ ମଧ୍ୟ ଏହା ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ସେଠାରେ ଥିବା ଶିଖ୍ ସମ୍ପ୍ରଦାୟ ଭାରତୀୟ ଦୂତାବାସ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଏହି ବିକ୍ଷୋଭରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି।

ୱାଶିଂଟନ୍ ଡିସିସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ଖାଲିସ୍ତାନ ସମର୍ଥକମାନେ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେମାନେ ପ୍ରତିମୂର୍ତ୍ତି ଉପରେ ଖାଲିସ୍ତାନ ପତାକା ପକାଇ ବେକରେ ଦଉଡ଼ି ସାହାଯ୍ୟରେ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟର ବାନ୍ଧିଥିଲେ ଓ ଭାରତ ବିରୋଧୀ ନାରାବାଜୀ କରିଥିଲେ। ତେବେ ଏହି ଘଟଣାକୁ ନେଇ ଆମେରିକା ଦୂତାବାସ ଓ ଆମେରିକା ପ୍ରଶାସନ ନିକଟରେ ପ୍ରତିବାଦ କରିଛି ଭାରତ। ଏହି ଘଟଣାର ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଦାବି କରିଛି। ତେବେ ଏହା ପ୍ରଥମଥର ନୁହେଁ ଏହା ପୂର୍ବରୁ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଜୁନରେ ୱାଶିଂଟନରେ ଏକ ପ୍ରଦର୍ଶନ ସମୟରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଥିଲା।

ସୂଚନାଯୋଗ୍ୟ, ନୂଆ କୃଷି ନିୟମକୁ ବିରୋଧ କରି ଦେଶରେ ଚାଷୀଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ତିନୋଟି ଆଇନକୁ ପ୍ରତ୍ୟାହାର କରିବାକୁ ଚାଷୀମାନେ ଦାବି କରୁଛନ୍ତି। ଚାଷୀମାନେ ସରକାରଙ୍କ ସହ ପାଞ୍ଚ ରାଉଣ୍ଡ ଆଲୋଚନା କରିଛନ୍ତି କିନ୍ତୁ ସମସ୍ୟାର ସମାଧାନ ହୋଇପାରି ନାହିଁ। ଚାଷୀମାନେ ଏବେ ବି ଦିଲ୍ଲୀ ସୀମାରେ ଅଟକି ରହିଛନ୍ତି। ଆଗକୁ ଆନ୍ଦୋଳନ ଆହୁରି ତୀବ୍ର କରିବା ପାଇଁ ଦିଲ୍ଲୀ ଅଭିମୁଖେ ହଜାର ହଜାର ଚାଷୀ ପଞ୍ଜାବରୁ ଆସୁଥିବା ସୂଚନା ରହିଛି।

କଡାକଡ଼ି ହେଉଛି ଟ୍ରାଫିକ୍‌ ଚେକିଂ, ହେଲ୍‌ମେଟ୍‌ ନଥିଲେ ଲାଇସେନ୍ସ ରଦ୍ଦ ସମ୍ଭାବନା

ରାଉରକେଲା: କଡ଼ାକଡ଼ି ହେଉଛି ଟ୍ରାଫିକ୍‌ ଚେକିଂ । କଟକ ଭୁବନେଶ୍ୱର ପରେ ଏବେ ରାଉରକେଲାରେ କଡ଼ାକଡ଼ି ହୋଇଛି ଗାଡ଼ି ଚେକିଂ । ପ୍ରତି ଛକରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଉଛି । ହେଲ୍‌ମେଟ୍ ପିନ୍ଧି ନଥିବା ବାଇକ୍ ଚାଳକଙ୍କୁ କଡ଼ା ତାଗିଦ୍ କରାଯିବା ସହ ଜରିମାନା ଆଦାୟ କରାଯାଉଛି ।

ଲାଇସେନ୍ସ ଓ ଗାଡ଼ିର କାଗଜପତ୍ର ଠିକ୍ ନଥିଲେ ଚାଳକ ମୋଟା ଅଙ୍କର ଜରିମାନା ଗଣୁଛନ୍ତି । ହେଲ୍‌ମେଟ୍ ନପିନ୍ଧି ବାଇକ୍ ଚଲାଉଥିବା କିଛି ଲୋକଙ୍କ ଲାଇସେନ୍ସ ରଦ୍ଦ କରିବାକୁ ପରିବହନ ବିଭାଗକୁ ସୁପାରିଶ‌ କରାଯାଇଛି । ଆଗାମୀ ଦିନରେ ରାଉରକେଲାରେ ଏଭଳି ଯାଞ୍ଚ ଜାରି ରହିବ ବୋଲି ପୋଲିସ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଭୁବନେଶ୍ୱର ଓ କଟକରେ ମଧ୍ୟ ଜୋରଦାର ଚେକିଂ ଆରମ୍ଭ ହୋଇଛି । ପହିଲାରୁ ଆହୁରି କଡ଼ାକଡ଼ି କରାଯିବ ବାେଲି କୁହାଯାଇଛି । ସବୁଠାରୁ ବଡ଼ କଥା ହେଲା ବାଇକରେ ଯାତାୟାତ ବେଳେ ଉଭୟ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ । ନୂଆବର୍ଷରୁ ଏହି ନିୟମକୁ କଡ଼ାକଡ଼ି କରାଯିବ ବୋଲି ମନ୍ତ୍ରୀ ନିଜେ କହିଛନ୍ତି । କରୋନା ମହାମାରୀ ପାଇଁ କଟକଣା କୋହଳ କରାଯାଇଥିଲା । ହେଲେ ଏବେ କରୋନାର ପ୍ରକାେପ କମିଥିବା ବେଳେ କଟକଣାକୁ କଡ଼ାକଡ଼ି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ ।

ଦିନକରେ ଓଡିଶାରୁ ୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧିରେଧିରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ମଧ୍ୟରେ ଓଡିଶାରୁ ପାଖାପାଖି ୩୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହି କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୧୬୫।

ତେବେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୭୫୭ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୧୮ ହଜାର ୬୮୩ କରୋନା ରୋଗୀ। ଏହାବ୍ୟତୀତ ଆକ୍ଟିଭ କେସ୍ ୩ ହଜାର ୨୧୪ ରହିଛି ଏବଂ ମୋଟ୍ ମୃତ୍ୟୁ ସଂଖ୍ୟା ୧୮୦୭କୁ ବୃଦ୍ଧି ପାଇଛି ।

୨୦ରେ କାର୍ଯ୍ୟକାରିଣୀ ବୈଠକ, ଲୋକଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟ

ଭୁବନେଶ୍ୱର: ବିଜେଡିକୁ ୨୩ ପୂରି ୨୪ ଚାଲିବ । ଆସନ୍ତା ଡିସେମ୍ବର ୨୬ରେ ଦଳ ପାଳନ କରିବ ପ୍ରତିଷ୍ଠା ଦିବସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । ଏଥିରେ ବରିଷ୍ଠ ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହା ପୂର୍ବରୁ ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୧ରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

BJD will run from 23 to 24; celebrating Foundation Day at Block 4-NAC level

ଏଥିରେ ଦଳର ସମସ୍ତ ବିଧାୟକ, ସାଂସଦ ଏବଂ ରାଜ୍ୟ ପରିଷଦର ସମସ୍ତ ସଦସ୍ୟ ଯୋଗଦେବେ । ଏହି ବୈଠକରେ ସାଙ୍ଗଠନିକ, ଅର୍ଥନୈତିକ ଏବଂ ଅନ୍ୟାନ୍ୟ ବହୁ ପ୍ରସଙ୍ଗ ଉପରେ ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରାଯିବ । ଏଥିସହ ଦଳର ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୂପରେଖ ପ୍ରସ୍ତୁତ ହେବ ଏବଂ ଏ ସମ୍ପର୍କରେ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯିବ ।

BJD will run from 23 to 24; celebrating Foundation Day at Block 4-NAC level

୨୦ ଓ ୨୧ ତାରିଖରେ କାର୍ଯ୍ୟକାରିଣୀ ଏବଂ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ଲାଗି ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଦଳର ସାଙ୍ଗଠନିକ ବିଷୟ ଠାରୁ ଆରମ୍ଭ କରି ରାଜନୈତିକ ଓ ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗ ଆଲୋଚିତ ହେବ । ସେହିପରି ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀ ଏବଂ ପୌରାଞ୍ଚଳ ସ୍ତରରେ ପାଳନ କରିବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା କହିଛନ୍ତି- ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ୨୦ ତାରିଖରେ ଏବଂ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ୨୧ ତାରିଖରେ ଅନୁଷ୍ଠିତ ହେବ ।

BJD will run from 23 to 24; celebrating Foundation Day at Block 4-NAC level

ଏହି ପରିପ୍ରେକ୍ଷୀରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ସହ ଆଗାମୀ ଦିନ ପାଇଁ ଦଳର ରଣକୌଶଳ ନିର୍ଦ୍ଧାରଣ କରାଯିବ । ବିଭିନ୍ନ ଦୃଷ୍ଟିକୋଣରୁ ଏହି ୨ ଦିନିଆ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ସେହିପରି ୩୨ଟି ସାଙ୍ଗଠନିକ ଜିଲ୍ଲାରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ସଭ୍ୟ ସଂଗ୍ରହ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯିବ ।

BJD will run from 23 to 24; celebrating Foundation Day at Block 4-NAC level

ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି- ବିଜୁ ବାବୁଙ୍କ ଆଦର୍ଶକୁ ଭିତ୍ତି କରି ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳ ପ୍ରତିଷ୍ଠା କରାଯାଇଥିଲା । ଆଗାମୀ ୨୬ ତାରିଖ ଦିନ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ, ମ୍ୟୁନିସିପାଲିଟି, ଏନ୍‌ଏସି ଏବଂ ଭୁବନେଶ୍ୱର, କଟକ ଭଳି ବଡ଼ ବଡ଼ ସହର ସମେତ ବ୍ଲକ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କୋଭିଡ୍ କଟକଣାକୁ ଅନୁପାଳନ କରି ଦଳର ସମସ୍ତ କାର୍ଯ୍ୟକ୍ରମ ବିଭିନ୍ନ ସ୍ତରରେ ପାଳିତ ହେବ ।

ଚାଷୀ ଆନ୍ଦୋଳନ ସମର୍ଥନରେ କଟକ ଶିଖ୍‌ ସଂପ୍ରଦାୟର ଶୋଭାଯାତ୍ରା

କଟକ: ତେଜୁଛି କୃଷକ ଆନ୍ଦୋଳନ । ସାରା ଦେଶରେ ଏବେ କୃଷକ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ଦିଲ୍ଲୀ ଦରବାରରେ କୃଷକମାନେ ୧୮ ଦିନ ଧରି ଖରା- ଶୀତ କାକର ଖାଇ ଆନ୍ଦୋଳନ କରୁଥିବା ବେଳେ ଏହା ଏବେ ବିଭିନ୍ନ ରାଜ୍ୟକୁ ବ୍ୟପିବାରେ ଲାଗିଛି ।

ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ କଟକରେ ଶୋଭାଯାତ୍ରାର ଆୟୋଜନ କରିଛନ୍ତି ଶିଖ୍‌ ସଂପ୍ରଦାୟ । ଶିଖ ସଂଗତ ପୂଜା କମିଟି ପକ୍ଷରୁ ଏହି ନୂଆ କୃଷି ଆଇନର ପ୍ରତ୍ୟାହାର ଦାବି କରାଯାଇଛି । ଏହି ଶୋଭାଯାତ୍ରାରେ ଶହ ଶହ ପୁରୁଷ ଓ ମହିଳା ସାମିଲ ହୋଇଛନ୍ତି । କୃଷକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି ।

ଅନ୍ୟପଟେ କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି । ସରକାରଙ୍କ ସହ ଲଗାତାର ଆଲୋଚନା ବିଫଳ ହେବା ପରେ କୃଷକ ୟୁନିୟନଗୁଡ଼ିକ ନିଜ ଆଭିମୁଖ୍ୟ ଆହୁରି କଠୋର କରିଛନ୍ତି । ଆଇନ ପ୍ରତ୍ୟାହାର ନହେଲେ ଆସନ୍ତାକାଲିଠାରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି କୃଷକ ସଂଗଠନ । କୃଷକ ନେତାମାନେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ମିଳିବା ପରେ ବଢୁଛି କୃଷକଙ୍କ ବଳ । ତେଣୁ ଆସନ୍ତାକାଲିଠାରୁ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି ।