ନନ୍ଦିଘୋଷ ବ୍ୟୁରୋ: ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣା। ଜାତୀୟ ମାନବାଧିକାର କମିଶନରେ ମାମଲା ଦାୟର। ମାମଲା ଦାୟର କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ। ଠେଲାପେଲାରେ ୩ ଜଣଙ୍କର ହୋଇଥିଲା ମୃତ୍ୟୁ। ଏକାଧିକ ଆହତଙ୍କର ଚାଲିଛି ଚିକିତ୍ସା। ନିଜେ କମିଶନ ତଦନ୍ତ କମିଟି ଗଠନ କରି ଅଘଟଣ ସ୍ଥଳ ପରିଦର୍ଶନ କରନ୍ତୁ। ପ୍ରଶାସନର ଅବହେଳାରେ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମାନବାଧିକାର କର୍ମୀ। ରଥଯାତ୍ରାରେ ବେଆଇନ ଭାବେ ପାସ ବଣ୍ଟନ କରାଯାଇଛି। ଯେଉଁଥି ପାଇଁ କର୍ଡନରେ ଗାଡ଼ି ପଶୁଥିବା ଦେଖିବାକୁ ମିଳୁଛି। ନନ୍ଦିଘୋଷ ରଥ ଟଣା ବେଳେ, ଛତିଶଗଡ଼ର ଏକ ଇନୋଭା ପଶିଥିଲା।
ଦଳଚକଟାରେ ମୃତ୍ୟୁ : ନବୀନଙ୍କ କ୍ଷୋଭ
ନନ୍ଦିଘୋଷ ବ୍ୟୁରୋ: ଗୁଣ୍ଡିଚା ମନ୍ଦିର ଦଳାଚକଟାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦୁଃଖପ୍ରକାଶ। ଗଭୀର କ୍ଷୋଭ ପ୍ରକାଶ କଲେ ନବୀନ। ୩ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ନବୀନ। ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ। ଭିଡ ନିୟନ୍ତ୍ରଣ କରିବାରେ ସରକାର ସଂପୂର୍ଣ୍ଣ ବିଫଳ। ଏହା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ବୋଲି କହିଛନ୍ତି ନବୀନ । ଦଳାଚକଟା ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ଓ ମୃତକଙ୍କ ସମ୍ପର୍କୀୟଙ୍କ ପ୍ରତିକ୍ରିୟା ଅନୁଯାୟୀ ଭିଡ ନିୟନ୍ତ୍ରଣ କରିବାକୁ ଯାଇ କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ନଥିଲେ । ଏହା ଅତ୍ୟନ୍ତ କର୍ତ୍ତବ୍ୟରେ ଦାୟିତ୍ବହିନ ଅବହେଳା । ମୁଁ ସରକାରଙ୍କୁ ନିବେଦନ କରୁଛି, ତୁରନ୍ତ ସୁଧାର ଆଣିବାକୁ ଉଦ୍ୟମ କରନ୍ତୁ । ଆଗକୁ ଆଡପବିଜେ, ବାହୁଡା, ସୁନାବେଶ ଥିବାରୁ ଭିଡ ନିୟନ୍ତ୍ରଣ ଯେଭଳି ଶାନ୍ତି ଶୃଙ୍ଖଳାର ସହ ହେବ ଏବେଠୁ ପଦକ୍ଷେପ ନିଅନ୍ତୁ ।
ଶରଧାବାଲିରେ ଅଘଟଣ : କାନ୍ଦ ବୋବାଳିରେ ଫାଟି ପଡ଼ୁଛି ମେଡିକାଲ ପରିସର
ନନ୍ଦିଘୋଷ ବ୍ୟୁରୋ: ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା । ତିନି ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ , ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ। ତେବେ ପ୍ରଶାସନର ଅପାରଗତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହେଉଛି । ଏଭଳି ଅଘଟଣ ପାଇଁ କିଏ ଦାୟୀ ? ଏହାକୁ ନେଇ ଏବେ ସବୁଠି ନିନ୍ଦା କରାଯାଉଛି । ସେପଟେ ମେଡିକାଲ ପରିସରରେ ନିଜର ଆତ୍ମୀୟ ପରିଜନଙ୍କୁ ହରାଇ ମର୍ମାହତ ହୋଇଛନ୍ତି ପରିବାର ଲୋକେ ।
ପୁରୀରେ ଦଳା ଚକଟା, ମିଳିଲା ମୃତକଙ୍କ ପରିଚୟ
ନନ୍ଦିଘୋଷ ବ୍ୟୁରୋ: ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଅଘଟଣକୁ ନେଇ ସବୁଠି ଦୁଃଖ ପ୍ରକାଶ କରାଯାଇଛି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ୩ ଜଣଙ୍କ ଜୀବନ ଯାଇଥିବାବେଳେ ମୃତକଙ୍କ ପରିଚୟ ମିଳିଛି । ମୃତକ ହେଲେ ବାସନ୍ତୀ ସାହୁ ଓ ପ୍ରେମକାନ୍ତ ମହାନ୍ତି । ତେବେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିନାହିଁ । ସେପଟେ ମୃତ ପ୍ରଭାତୀଙ୍କ ଘର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ସେପଟେ ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଆଇନମନ୍ତ୍ରୀ । ଘଟଣାର ତଦନ୍ତ ହେବ କହିଲେ ଆଇନମନ୍ତ୍ରୀ । ଅନ୍ୟପଟେ କୁହାଯାଉଛି କି ଭିଡ଼ ନିୟନ୍ତ୍ରଣ କରିବାରେ ଫେଲ୍ ହେଲା ପ୍ରଶାସନ ।
ଶରଧାବାଲିରେ ଠେଲାପେଲା, ଚାଲିଗଲା ୩ ଜୀବନ
ନନ୍ଦିଘୋଷ ବ୍ୟୁରୋ: ପୁଣି ପୁରୀରୁ ଆସିଲା ଅଘଟଣର ଖବର । ଶରଧାବାଲିରେ ଠେଲାପେଲା । ଠେଲାପେଲାରେ ଚାଲିଗଲା ୩ ଜୀବନ । ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୭୮ ବର୍ଷୀୟ ବ୍ୟକ୍ତି ରହିଛନ୍ତି । ତାଙ୍କୁ କିଡନୀ କ୍ରନିକ ରୋଗ ଥିଲା । ଅନ୍ୟ ମୃତକ ଜଣକ ୫୨ ବର୍ଷୀୟା ଜଣେ ମହିଳା । ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଠେଲାପେଲା ଘଟିଛି । ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭିଡ଼ ଲାଗିଥିଲା ।
ଭକ୍ତମାନେ ଗୋଟିଏ ରଥ ପାଖରୁ ଅନ୍ୟ ରଥପାଖକୁ ଯିବା ଆସିବା ଆରମ୍ଭ କରିଥିଲେ । ହେଲେ ଏହି ସମୟରେ ଚାରମାଳ କାଠ ଭର୍ତ୍ତି ଏକ ଟ୍ରକ୍ ଭିଡ଼ ଭିତରେ ପଶିଥିଲା, ଆଉ ଚାରମାଳ ରଖିଯାଇଥିଲା । ଏହାକୁ ସ୍ଥିତିକୁ ଅଧିକ ଅସମ୍ଭାଳ କରିଦେଇଥିଲା । ଠେଲାପେଲାରେ କିଛି ଭକ୍ତ ତଳେ ପଡ଼ିଯାଇଥିଲେ । ଆଉ ସେହି କାଠ ଉପରେ ପଡ଼ିଥିଲେ । ଆହତ ହୋଇଥିବା ଭକ୍ତ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି ।
ଅବସରଙ୍କ ନିଯୁକ୍ତିକୁ ପୂର୍ବରୁ ବିରୋଧ କରୁଥିଲା ବିଜେପି, ସରକାରକୁ ଆସିବା ପରେ ଓଲଟା ମନୋଭାବ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ୫୩ ହଜାରରୁ ଅଧିକ ଇଞ୍ଜିନୟର ବେକାର । ସେପଟେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କୁ ଅସ୍ଥାୟୀ ଭାବରେ ପୌର ସଂସ୍ଥାରେ ନିଯୁକ୍ତି ପାଇଁ ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପୌର ପ୍ରଶାସକ । ପୌରାଞ୍ଚଳରେ ଇଞ୍ଜିନିୟରଙ୍କ ଅଭାବ ପୂରଣ କରିବାକୁ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି । ଅବସରଙ୍କୁ ନିଯୁକ୍ତି ପ୍ରସଙ୍ଗରେ ବିରୋଧୀ ଦଳରେ ଥିବା ବେଳେ ବିଜେପି ସମାଲୋଚନା କରୁଥିଲା । ହେଲେ ଏବେ ସରକାରକୁ ଆସିବା ପରେ ଏହି ମୋହରୁ ମୁକୁଳି ପାରିନାହିଁ । ଏନେଇ ସରକାରଙ୍କୁ ସମାଲୋଚନା କରିଛି ବିଜେଡି ।
ରାଜ୍ୟରେ ବୁଲୁଛନ୍ତି ମାଳ ମାଳ ବେକାର ଇଞ୍ଜିନିୟର । ହେଲେ ଅବସରପ୍ରାପ୍ତଙ୍କୁ ଥଇଥାନ କରିବାକୁ ସରକାରଙ୍କ ନିଷ୍ପତ୍ତି । ସହରାଞ୍ଚଳରେ ଇଞ୍ଜିନିୟର ଅଭାବ, ଶହ ଶହ ପଦବୀ ଖାଲି । ହେଲେ ସରକାରଙ୍କୁ ଦରକାର ରିଟାୟାର୍ଡ଼ ଇଞ୍ଜିନିୟର । ଅବସରପ୍ରାପ୍ତ ଇଞ୍ଜିନିୟରଙ୍କୁ ପୁନଃନିଯୁକ୍ତି ପାଇଁ ରାଜ୍ୟର ସମସ୍ତ ନିଗମ, ପୌରସଂସ୍ଥା, ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି ଲେଖିଛନ୍ତି ପୌର ପ୍ରଶାସକ । ପୌରସଂସ୍ଥାରେ ବର୍ଦ୍ଧିତ କାର୍ଯ୍ୟଭାର ଓ ଇଞ୍ଜିନିୟରଙ୍କ ଅଭାବକୁ ଦୃଷ୍ଟିରେ ରଖି, ସରକାର ମାନବ ସମ୍ବଳ ଏବଂ ଭଲ ଟ୍ରାକ ରେକର୍ଡ ଥିବା ଅବସରପ୍ରାପ୍ତ ଇଞ୍ଜିନିୟରମାନଙ୍କୁ ପୁନଃ ନିଯୁକ୍ତି ପାଇଁ ଚିଠିରେ ଉଲ୍ଲେଖ ରହିଛି । ଅସ୍ଥାୟୀ ଭାବେ ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଇଞ୍ଜିନିଅର । ଜୁଲାଇ ୧୫ ତାରିଖ ଭିତରେ ବିଭାଗକୁ ନିଜ ବାୟୋଡ଼ାଟା ପଠାଇବେ ଇଚ୍ଛୁକ ଅବସରପ୍ରାପ୍ତ ଇଞ୍ଜିନିୟର । ବିରୋଧୀ ଦଳରେ ଥିବା ବେଳେ ବିଜେପି ଅବସର ନେଇଥିବା କର୍ମଚାରୀମାନଙ୍କ ପୁନଃ ନିଯୁକ୍ତିକୁ ବିରୋଧ କରୁଥିବା ବେଳେ ଶାସନକୁ ଆସିଲା ପରେ ବି ଚାଲିଛି ଥଇଥାନ ପର୍ବ । ଏହାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି ।
ବିଧାନସଭାରେ ସରକାରଙ୍କ ତଥ୍ୟ ଅନୁଯାୟୀ, ୫୩ ହଜାରରୁ ଅଧିକ ଇଞ୍ଜିନିୟର ଚାକିରି ନପାଇ ବେକାର ବସିଛନ୍ତି । ୧୦ ବର୍ଷ ମଧ୍ୟରେ ୩୪ ହଜାର ୪୭୧ ପିଲା ଇଞ୍ଜିନିୟରିଂ ପାସ କରିଥିବା ବେଳେ ମାତ୍ର ୧୫ ହଜାର ୨୮୯ ଜଣ ନିଯୁକ୍ତି ପାଇଛନ୍ତି । ବେକାର ବସିଛନ୍ତି ୧୯ ହଜାର ୧୮୨ ଇଞ୍ଜିନିୟର । ସେହିପରି ଡିପ୍ଲୋମାରେ ସ୍ଥିତି ଆହୁରି ସାଂଘାତିକ । ୧୦ ବର୍ଷ ମଧ୍ୟରେ ଡିପ୍ଲୋମା ପାସ କରିଛନ୍ତି ୫୪ ହଜାର ୧୮୯ ଜଣ । ଚାକିରି ପାଇଛନ୍ତି ମାତ୍ର ୨୦ ହଜାର ୯୬ । ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ଜଣ ଡିପ୍ଲୋମା ବେକାର ବସିଛନ୍ତି ।
ଆଉଟସୋର୍ସିଂ ସଂସ୍ଥାକୁ ହଟାଇ ରାଜ୍ୟରେ ଦକ୍ଷ ଇଞ୍ଜିନିୟରଙ୍କୁ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି । ନିକଟରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ବିଭାଗରେ ୯ ଶହରୁ ଅଧିକ ଇଞ୍ଜିନିୟର ନିଯୁକ୍ତ ହୋଇଥିବା ବେଳେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ପ୍ରେମରେ ପଡ଼ିଛି ଗୃହ ଓ ନଗର ଉନ୍ନୟନ ବିଭାଗ ।
ଦୁଇ ମାସ ପୂର୍ବରୁ ପ୍ରସ୍ତୁତି, ତଥାପି କାହିଁକି ଗଡ଼ିଲେନି ଶ୍ରୀଜିଉ: କେଉଁଠି ରହିଲା ତ୍ରୁଟି ?
ନନ୍ଦିଘୋଷ ବ୍ୟୁରୋ: ମାଳ ମାଳ ନେତା, ଅଫିସରଙ୍କୁ ରଥ ପରିଚାଳନା ଦାୟିତ୍ବ । ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ତଥାପି ରଥଯାତ୍ରାରେ ଘଟିଲା ବିଭ୍ରାଟ । ବଳଭଦ୍ରଙ୍କ ରଥ ଅଧାରାସ୍ତାରେ ଅଟକି ଥିବା ବେଳେ ଦର୍ପଦଳନ ରାଜନଅର ଆଗରେ ଓ ନନ୍ଦିଘୋଷ ରଥ କେବଳ ବିଧି ରକ୍ଷା କରିବାକୁ ଚକେ ମାତ୍ର ଗଡିଥିଲା । ରଥଯାତ୍ରାରେ ଏଭଳି ଅବ୍ୟବସ୍ଥାକୁ ନେଇ ପୋଲିସ ଓ ପ୍ରଶାସନ ଉପରେ ବର୍ଷିଛନ୍ତି ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ପୋଲିସ-ପ୍ରଶାସନ ଓ ସରକାରଙ୍କ ମଧ୍ୟରେ ସମନ୍ବୟର ଅଭାବକୁ ଦାୟୀ କରାଯାଉଥିବା ବେଳେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି ସରକାର ।
ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ରୀତିନୀତି ଆରମ୍ଭ ହୋଇଥିଲେ ବି ପହଣ୍ଡି ନିର୍ଦ୍ଧାରିତ ସମୟରେ ସରିଥିଲା । ଗଜପତିଙ୍କ ଛେରାପହଁରା ଓ ରଥରେ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ସବୁକିଛି ଠିକ ସମୟରେ ହୋଇଥିଲା । କିନ୍ତୁ ବଡଠାକୁର ବଳଭଦ୍ରଙ୍କ ରଥ ବାଗେଡିଆ ମଠ ପର୍ଯ୍ୟନ୍ତ ଯିବାକୁ ଅଧଘଣ୍ଟା ଲାଗିଲା । ତା’ପରେ ପ୍ରାୟ ୬ଟା ପର୍ଯ୍ୟନ୍ତ ହଲିଲାନି ତାଳଧ୍ବଜ । ରଥଯାତ୍ରାରେ ଭିଆଇପି ସଂସ୍କୃତି ପ୍ରଶାସନ ପାଇଁ ଅଡୁଆ ହୋଇଥାଇପାରେ ବୋଲି ଆକଳନ କରୁଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ତା’ ସାଙ୍ଗକୁ ପୁଣି ରଥରେ ସମର୍ପିତ ଭାବ ନଥିଲେ କିମ୍ବା ଅର୍ଥ, କ୍ଷମତା ଓ ପ୍ରତିପତିର ଦମ୍ଭ ରହିଲେ ବି ମହାପ୍ରଭୁ ସହ୍ୟ କରିବେନି । କାହାରି ଗର୍ବ ଓ ଅହଂକାରକୁ ମହାପ୍ରଭୁ ପ୍ରଶ୍ରୟ ଦିଅନ୍ତି ନାହିଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ।
ସର୍ବୋପରି ରଥଯାତ୍ରାର ଆୟୋଜନରେ ପୋଲିସ ପ୍ରଶାସନର ବିଫଳତା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଗତକାଲି ଯେଉଁଭଳି ପୋଲିସ କର୍ଡନର ସୁରକ୍ଷା କରିପାରି ନଥିଲା, ଆଜି ମଧ୍ୟ ଶରଧାବାଲିରେ ସମାନ ସ୍ଥିତି ଦେଖିବାକୁ ମିଳିଛି । କେଉଁଠି ଭକ୍ତ କର୍ଡନ ଭିତରକୁ ପଶିଯାଉଛନ୍ତି ତ କେଉଁଠି ଭିଡ ଭିତରେ ଗଡୁଛି ସ୍କୁଟି । ସେପଟେ ନନ୍ଦିଘୋଷ ରଥଟଣା ବେଳେ ଆଗରେ ଛତିଶଗଡର ଏକ କାର ଯାଉଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳି ଅବ୍ୟବସ୍ଥା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା । ସେହିଭଳି ଗତବର୍ଷ ରଥଯାତ୍ରାରେ ବଡଠାକୁର ରଥରୁ ପଡିଯାଇଥିଲେ । ଏହି ଅଘଟଣ ପରେ ପ୍ରଶାସନ ପ୍ରାୟଶ୍ଚିତ କରି ନଥିଲା । ଯେଉଁଥି ପାଇଁ ବଡଠାକୁର ରୁଷି ଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
କିଛି ସେବାୟତ ଓ ଗବେଷକଙ୍କ କହିବା ଅନୁଯାୟୀ ଗଜପତି ମହାରାଜ ଛେରା ପହଁରା କରି ଯିବା ପରେ କର୍ଡନ ଭାଙ୍ଗି ଯାଇଥିଲା । ଆଉ ପୋଲିସ ପୁଣି ଥରେ କର୍ଡନ କରିପାରି ନଥିଲା । ତିନି ରଥ ପାଇଁ କେଉଁ କେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ । କିନ୍ତୁ ଗୋଟେ ସମୟରେ ବଳଭଦ୍ରଙ୍କ ରଥରେ ସବୁ ଭକ୍ତ ଓ ପୋଲିସ ରହିଥିବା ଦେଖିବାକୁ ମିଳିଥିଲା । ଡାହୁକ ଓ ରଥ ଅମିନ ଯେତେ ଡାକ ମାରିଲେ ବି ପୋଲିସ ଭିଡ ନିୟନ୍ତ୍ରଣ କରିପାରି ନଥିଲା ।
ରଥଯାତ୍ରା ବିଭ୍ରାଟ: ୧୦ରୁ ୧୫ ହଜାର କର୍ଡନ ପାସ ଦେଇ ରାଚ୍ୟ ସରକାର ଚରମ ଅବହେଳା କରିଛନ୍ତି
ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରାରେ ବିଶୃଙ୍ଖଳା ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି । ବିଜେପି କର୍ମୀଙ୍କୁ ୧୦ରୁ ୧୫ ହଜାର କର୍ଡନ ପାସ ଦେଇ ଗତକାଲି ରାଜ୍ୟ ସରକାର ରଥଯାତ୍ରାରେ ଚରମ ବିଶୃଙ୍ଖଳାକୁ ଡାକି ଆଣିଛନ୍ତି ବୋଲି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ଅଭିଯୋଗ କରିଛନ୍ତି । ବିଜେପି ସରକାରର ପ୍ରଥମ ରଥଯାତ୍ରାରେ ଯେଉଁ ବିଭ୍ରାଟ ହୋଇଥିଲା ତାହାର ଯେଉଁ ତଦନ୍ତ କରାଯାଇଥିଲା ଯଦି ତା’ର ସଠିକ ପଦକ୍ଷେପ ନିଆଯାଇଥାନ୍ତା ତେବେ ଆଜି ଏହି ବିରାଟ ଭୁଲ ହୋଇନଥାନ୍ତା । ଗୋଟିଏ ଭୁଲକୁ ଘୋଡାଇବାକୁ ଯାଇ ଅନେକ ଭୁଲ କରିବାରେ ଏହି ସରକାର ସିଦ୍ଧହସ୍ତ ବୋଲି କହିଛି ବିଜେଡି । ରଥଯାତ୍ରା ବିଭ୍ରାଟ ପାଇଁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଗଜପତି ମହାପ୍ରଭୁଙ୍କୁ କ୍ଷମା ମାଗନ୍ତୁ ବୋଲି ବରିଷ୍ଠ ରାଜନେତା ଦାବି କରିଛନ୍ତି ।
ରଥଯାତ୍ରାରେ ବିଶୃଙ୍ଖଳା ନେଇ ବିଜେପି ସରକାରକୁ ଘେରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କ ରଥଯାତ୍ରା ପରିଚାଳନା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ସରକାର ୧୦ରୁ ୧୫ ହଜାର କର୍ଡନ ପାସ ଦେଲେ । ଯେଉଁଥି ପାଇଁ ଚରମ ବିଶୃଙ୍ଖଳା ସୃଷ୍ଟି ହେଲା । ରଥଯାତ୍ରାରେ କଳଙ୍କର ଛିଟା ପଡ଼ିଛି । ତେଣୁ ସରକାର ତୁରନ୍ତ ପ୍ରାୟଶ୍ଚିତ କରନ୍ତୁ । ଫଲ୍ସ ପାସ ବାଣ୍ଟିବାରେ ଯେଉଁମାନେ ଦାୟୀ ସେମାନଙ୍କୁ କଠିନ ଦଣ୍ଡ ଦିଅନ୍ତୁ । ଯଦି କୌଣସି ମନ୍ତ୍ରୀଙ୍କର ହାତ ଅଛି ତାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ।
ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କୁ କଡ଼ାଭାଷାରେ ସମାଲୋଚନା କରିଛି । ବିଜେପି ଗୋଟିଏ ବିଶୃଙ୍ଖଳିତ ଦଳ ବୋଲି କହିବା ସହ ସରକାର ପରିଚାଳନାରେ ଚରମ ବିଶୃଙ୍ଖଳା ଦେଖାଦେଉଛି ବୋଲି ଅଭିଯୋଗ କରିଛି । ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରି ସମସ୍ତ ବିଧି ବ୍ୟବସ୍ଥାକୁ ଅଚଳ କରି ସାରିଲେଣି । ତାହା ମହାପ୍ରଭୁଙ୍କ ଘୋଷଯାତ୍ରାରେ ପ୍ରତିଫଳିତ ହୋଇଛି । ସୂର୍ଯ୍ୟାସ୍ତ ହୋଇଯାଇଥିଲେ ମଧ୍ୟ ନନ୍ଦିଘୋଷ ରଥ ଟଣା ଯାଇପାରିଲା ନାହିଁ । ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିକ୍ରମା କାର୍ଯ୍ୟକୁ ଜାଣିଶୁଣି ସମ୍ପୂର୍ଣ୍ଣ କରୁନାହାନ୍ତି । ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହଁ । ଦଳୀୟ ଲୋକଙ୍କୁ ମାତ୍ରାଧିକ କର୍ଡନ ପାସ ଦେଇ ଏଭଳି ପରିସ୍ଥିତି ସୃଷ୍ଟି କଲେ । ଏଥିପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ । ନିଜ ଦୋଷକୁ ଘୋଡାଇ ସବୁ ମହାପ୍ରଭୁଙ୍କ ଉପରେ ଛାଡି ଦେଲେ କେମିତି ହେବ ବୋଲି ପ୍ରଶ୍ନ କରି କଂଗ୍ରେସର ବିଭିନ୍ନ ନେତା ସରକାରଙ୍କ ଉପରେ ବର୍ଷିଛନ୍ତି ।
ରଥଯାତ୍ରାରେ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ ଦୃଢ ଭାବରେ ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକ । ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ପୋଲିସ ଦୁର୍ବ୍ୟବହାର କରିବା ଓ ଠେଲାପେଲାରେ ଆହତ ହେବାକୁ ନିନ୍ଦା କରଛନ୍ତି ସାମ୍ବାଦିକ ।
ଓଡିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ସରକାର କୋଟି କୋଟି ଓଡିଆଙ୍କ ମନରେ ଆଘାତ ପରେ ଆଘାତ ଦେଇ ଚାଲିଛନ୍ତି । ଦୁଇବର୍ଷ ଧରି ରଥଯାତ୍ରାରେ ଯେଉଁ ବିଶୃଙ୍ଖଳା ଦେଖାଯାଉଛି ତାହା ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୋଠାର ଆଘାତ ଦେଇଛି । ଯାହାକୁ ନେଇ ସବୁଠି ସରକାରଙ୍କ ବିରୋଧରେ ଉଠିଲାଣି ସ୍ବର ।
ରୋହିତଙ୍କ ଗୋଟିଏ ପରାମର୍ଶ, ବଦଳାଇ ଦେଲା କେ.ଏଲ. ରାହୁଲଙ୍କ କ୍ୟାରିୟର
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ କେ.ଏଲ. ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ତ ଭୁଲି ନଥିବେ । ଆଉ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପରାଜିତ ହୋଇଥିଲେ ବି ରାହୁଲଙ୍କ ଶତକୀୟ ପାରି ମନେ ପଡୁଛି କି ? ଏବେ ଭାରତୀୟ କ୍ରିକେଟରେ ସବୁଠାରୁ ଭରଷାଯୋଗ୍ୟ ଓ୍ବିକେଟ କିପର ବ୍ୟାଟର ଯଦି କେହି ଅଛନ୍ତି ତେବେ ସେ ହେଉଛନ୍ତି କେ.ଏଲ. ରାହୁଲ । ହେଲେ, ଟିମ୍ ଇଣ୍ଡିଆରୁ ବାହାର ହେବାର ସ୍ଥିତିରେ ପହଞ୍ଚି ଯାଇଥିବା ରାହୁଲଙ୍କ ହଠାତ ଏହି ପରିବର୍ତ୍ତନ ପଛର କାରଣ କ’ଣ ଜାଣିଛନ୍ତି କି ? ଆଜ୍ଞା ହଁ, ରାହୁଲଙ୍କ କ୍ୟାରିୟରକୁ ନୂଆ ମୋଡ଼ ଦେବା ପଛରେ ଅଛି ପୂର୍ବତନ ଭାରତୀୟ ଅଧିନାୟକ ତଥା ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ହାତ । ଯାହାର ଖୁଲାସା ପୂର୍ବ ସହାୟକ କୋଚ ଅଭିଶେଷ ନାୟର କରିଛନ୍ତି ।
ନାୟରଙ୍କ ଅନୁସାରେ, ରୋହିତଙ୍କ ଗୋଟିଏ ପରାମର୍ଶ ରାହୁଲଙ୍କୁ ଅଧିକ ଆକ୍ରମଣାତ୍ମକ ଖେଳିବାକୁ ସାହାଯ୍ୟ କରିଥିଲା । ଆଉ ରାହୁଲଙ୍କୁ ଏହି ଭୂମିକାକୁ ଆଣିବା ଦାୟିତ୍ବ ରୋହିତ ମୋତେ ଦେଇଥିଲେ ।
ନାୟର କହିଛନ୍ତି, ଯେତେବେଳେ ମୁଁ କୋଚିଂ ଦାୟିତ୍ବ ନେଲି ସେତେବେଳେ ରୋହିତଙ୍କ ସହ ମୋର ଆଲୋଚନା ହୋଇଥିଲା । ଏହି ସମୟରେ କେ.ଏଲ. ରାହୁଲଙ୍କ ଉପରେ କାମ କରିବାକୁ ସେ ମୋତେ କହିଥିଲେ । ତାଙ୍କ ଖେଳକୁ ଅଧିକ ଆକ୍ରମଣାତ୍ମକ କରିବାକୁ ପଡ଼ିବ ଓ ଏହା ମୋତେ କରିବାକୁ ପଡ଼ିବ ବୋଲି ରୋହିତ କହିଥିଲେ । ଏପରି ହେଲେ ରାହୁଲଙ୍କ ପାଖରୁ ସର୍ବଶେଷ୍ଠ ପ୍ରଦର୍ଶନ ବାହାର କରାଯାଇ ପାରିବ ବୋଲି ରୋହିତ ଚିନ୍ତା କରୁଥିଲେ । ଏପରିକି ଚାମ୍ପିୟନ୍ସ ଟ୍ରଫି, ଓ୍ବାର୍ଲ୍ଡ କପ, ବର୍ଡର ଗାଭାସ୍କର ଟ୍ରଫି ଓ ଇଂଲଣ୍ଡ ଟେଷ୍ଟ ପରି ଟୁର୍ଣ୍ଣାମେଣ୍ଟରେ ରାହୁଲ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇ ପାରିବେ ବୋଲି ରୋହିତଙ୍କର ବିଶ୍ବାସ ଥିଲା ।
ଏହାପରେ ରାହୁଲଙ୍କ ଉପରେ କାମ କରିବା ଆରମ୍ଭ କରି ଦେଇଥିଲି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ତାଙ୍କ କ୍ୟାରିୟରର ଭବିଷ୍ୟତ ଲେଖିବ ବୋଲି ବୋଲି ରାହୁଲ ବି ଜାଣି ସାରିଥିଲେ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଫ୍ଲପ୍ ହେବା ପରେ ତାଙ୍କୁ ଆଗାମୀ ଦୁଇଟି ମ୍ୟାଚରେ ସୁଯୋଗ ମିଳି ନଥିଲା । ଯାହାକୁ ନେଇ ସେ ଚାପରେ ଥିଲେ । ଏହି ସମୟରେ ତାଙ୍କ ସହ ଘଣ୍ଟା ଘଣ୍ଟା କଥା ହୋଇଥିଲି ବୋଲି ନାୟର କହିଛନ୍ତି । ଏହି ସମୟରେ ରଣନୀତିରେ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲି ।
ନାୟର କହିଛନ୍ତି, ଏପର୍ଯ୍ୟନ୍ତ ସେ କ’ଣ କରିଛନ୍ତି ଓ କ’ଣ ତାଙ୍କୁ ସଫଳତା ଦେଇଛି ଏ ସମ୍ପର୍କରେ ରହୁଲ ମୋତେ କହିଥିଲେ । ମୋ ଚିନ୍ତାଧାରା ତାଙ୍କଠାରୁ ବହୁତ ଅଲଗା ଥିଲା । ଆମେ ଘଣ୍ଟା ଘଣ୍ଟା ଆଲୋଚନା କରିଥିଲୁ । ଧୀରେ ଧୀରେ ସେ ମୋତେ ଭରଷା କରିବା ଆରମ୍ଭ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଦର୍ଶନ ତାଙ୍କ ଆତ୍ମବିଶ୍ବାସକୁ ବଢ଼ାଇ ଦେଇଥିଲା । ସେତେବେଳେ ରାହୁଲ ମୋତେ କହିଥିଲେ ଏବେ କ୍ରିକେଟ ମୋତେ ଗୀତ ପରି ଲାଗିଛୁ ।
ପରାଗ ଜୈନ ହେଲେ ନୂଆ ର’ ମୁଖ୍ୟ
ନନ୍ଦିଘୋଷ ବ୍ୟୁରୋ: ୧୯୮୯ ବ୍ୟାଚ ଆଇପିଏସ ଅଫିସର ପରାଗ ଜୈନ ହେଲେ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ ବା ‘ର’ ମୁଖ୍ୟ । ସେ ଆସନ୍ତା ୨ ବର୍ଷ ଲାଗି ଏହି ଗୁରୁତ୍ବପୂର୍ଣ୍ମ ପଦ ସମ୍ଭାଳିବେ । RAW ସଚିବ ରବି ସିହ୍ନାଙ୍କ ସ୍ଥାନରେ ସେ କାର୍ଯ୍ୟଭାର ସମ୍ଭାଳିବେ । ବର୍ତ୍ତମାନ ପରାଗ ଆଭିଏସନ ରିସର୍ଚ୍ଚ ସେଣ୍ଟର ବା ଏଆରସିର ମୁଖ୍ୟ ଅଛନ୍ତି ।
ଅପରେସନ ସିନ୍ଦୂର ବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏଆରସି । ପାକିସ୍ତାନ ସଶସ୍ତ୍ର ବାହିନୀର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହରେ ଏହି ସଂସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପୂର୍ବରୁ ଚଣ୍ଡୀଗଡ଼ରେ ପରାଗ ଏସଏସପି ଭାବେ କାର୍ଯ୍ୟ କରୁଥିଲେ । ଏହାସହ କାନାଡ ଓ ଶ୍ରୀଲଙ୍ଗର କୂଟନୈତିକ ଅଧିକାରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଜାମ୍ମୁ ଓ କାଶ୍ମୀରରେ ଅବସ୍ଥାପିତ ଥିବାବେଳେ ସେ ଆତଙ୍କବାଦ ବିରୋଧୀ ପଦକ୍ଷେପ ନେଇ ଚର୍ଚ୍ଚାରେ ଥିଲେ । ଆସନ୍ତା ସୋମବାର ଅର୍ଥାତ ୩୦ ତାରିଖରେ ସେ ବିଧିବଦ୍ଧ ଭାବେ ଏହି ଦାୟିତ୍ବ ନେବେ ।

