spot_img
Home Blog Page 6116

କରୋନା ଟିକା ନାଁରେ ଆସିପାରେ କଲ୍‌, ନିମିଷେକେ ଖାଲି ହୋଇଯିବ ଆକାଉଣ୍ଟ ! ଠକଙ୍କ ନୂଆ ଫଣ୍ଡା..

ଭୁବନେଶ୍ୱର: ସାରା ଦୁନିଆ ଏବେ କରୋନା ଟିକା ପଛରେ ପଡ଼ିଛି । ଆଉ ଏଥିରୁ ଚାନ୍ସ ମାରିବାକୁ ଚାହିଁ ବସିଛନ୍ତି ସାଇବର ଠକ । ଲୋକଙ୍କୁ ଭ୍ୟାକ୍ସିନ୍‌ ରେଜିଷ୍ଟ୍ରେସନ ନାଁରେ ମାରି ପାରନ୍ତି ଚୂନ । ଏନେଇ ଲୋକଙ୍କୁ ଆଲର୍ଟ ରହିବାକୁ କହିଛନ୍ତି ଡିସିପି ।

କରୋନା ଭ୍ୟାକ୍ସିନ ନାଁରେ ହୋଇପାରେ ସାଇବର ଠକେଇ । ଭ୍ୟାକ୍ସିନ ପଞ୍ଜୀକରଣ ନାଁରେ ସାଇବର ଠକ କରୁଛନ୍ତି ବ୍ଲୁ-ପ୍ରିଣ୍ଟ । ଅନ୍‌ଲାଇନରେ ପଞ୍ଜୀକରଣ ପାଇଁ ଆସିପାରେ କଲ୍ । ଅନଲାଇନ ମାଧ୍ୟମରେ ଲିଙ୍କ୍ ନେଇ ପକାଇବେ ଥୋପ । ଏପରିକି ଆଧାର କାର୍ଡ ଓ ଇମେଲ୍ ଆଇଡି ମାଗିପାରନ୍ତି ସାଇବର ଠକ । ଭ୍ୟାକ୍ସିନ କନଫର୍ମ ପାଇଁ ମୋବାଇଲ ନମ୍ବରକୁ ଆସିଥିବା ଓଟିପି ମଧ୍ୟ ମାଗିବେ । କାହିଁକି ନା ବ୍ୟାଙ୍କରେ ଆଧାରକାର୍ଡ ଲିଙ୍କ ହୋଇଥାଏ । ଏଭଳି ଏକ ନୂଆ ଫଣ୍ଡା ପ୍ରସ୍ତୁତ କରିଛନ୍ତି ଠକ । କରୋନା ଭ୍ୟାକ୍ସିନ ନାଁରେ ଖୋଳ କରିଦେବେ ପୁରା ଆକାଉଣ୍ଟ । ଯଦି କାହାକୁ ଏଭଳି କଲ ଆସେ, ତେବେ ଏଥିରୁ ଦୂରେଇ ରହିବାକୁ ଅପିଲ କରିଛନ୍ତି ଡିସିପି ।

ରାଜ୍ୟରେ ଭ୍ୟାକ୍ସିନ କେବଳ କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଧିଷ୍ଟ । ଯଦି ସର୍ବସାଧାରଣରେ ଭ୍ୟାକ୍ସିନ ବିକ୍ରି ହୁଏ, ତାହେଲେ ରାଜ୍ୟ ସରକାର ହେଲ୍ପ ଲାଇନ ନମ୍ବର ଜାରି କରିପାରନ୍ତି । ଏଥିପାଇଁ ସରକାର ବିଭାଗୀୟ ୱେବସାଇଟ, ଟୁଇଟର ଓ ବିଜ୍ଞାପନ ମଧ୍ୟ ଦେଇପାରନ୍ତି । କିନ୍ତୁ ଏଯାଁଏ ଏଭଳି କିଛି ଯୋଜନା କରି ନାହାନ୍ତି ରାଜ୍ୟ ସରକାର । ଯଦି ସନ୍ଦେହ ଜନକ ଫୋନ୍‌ ଆସେ, ତାହେଲେ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗଯୋଗ କରନ୍ତୁ ବୋଲି ଭୁବନେଶ୍ୱର ଡିସିପି ନିବେଦନ କରିଛନ୍ତି ।

ରାଜଧାନୀରେ ଗତ କିଛି ଦିନ ଧରି ସାଇବର ଅପରାଧୀମାନେ ବିଭିନ୍ନ ପ୍ରକାର ଲୋଭନୀୟ ଅଫର ଓ କୌଶଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏଣୁ କରୋନା ଟିକା ପଞ୍ଜିକରଣ ନାଁରେ ଠକେଇ ପୂର୍ବରୁ ସାବଧାନ ରହିବାକୁ ପୋଲିସ ସତର୍କ କରାଇଛି ।

ବେଳାଭୂମି ପର୍ଯ୍ୟଟନସ୍ଥଳ ଗୁଡ଼ିକର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ପଦକ୍ଷେପ

ଭୁବନେଶ୍ୱର: ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରୟାସ ଚଳାଇଛନ୍ତି । ଆଉ ମଙ୍ଗଳବାର ଏଥିରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ବେଳାଭୂମିର ବିକାଶ ଲାଗି ଘୋଷଣା କରିଛନ୍ତି ନୂଆ ଯୋଜନା ।

ଚନ୍ଦ୍ରଭାଗା ଓ ତାଳସାରିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳିର ରୂପ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଯୋଡିବା ପାଇଁ ପ୍ରସ୍ତୁତ ହୋଇଛି ଉଚ୍ଚାଭିଳାଷ ଯୋଜନା । ତାଳସାରି ବେଳାଭୂମିରେ ଏକାଧିକ ଦିନ ରହଣି ବ୍ୟବସ୍ଥା ହେବା ସହ ୨.୪ କିମି ଅଞ୍ଚଳକୁ ବିକଶିତ କରାଯିବ । ତାରକା ଓ ବଜେଟ୍‌ ହୋଟେଲ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ ସହିତ ନିର୍ମାଣ ହେବ ପ୍ୟାଭିଲିୟନ, ବର୍ଷା ଆଶ୍ରୟସ୍ଥଳ, କିଓସ୍କ ।

ସେହିଭଳି ସିଟିଂ ଆଇଲ୍ୟାଣ୍ଡ, ସୋଲାର ଫଟୋ ଭୋଲଟିକ୍ ପ୍ୟାନେଲ୍ସ ନିର୍ମାଣ ହେବ । ଆମ୍ପିଥିଏଟର, ରେସ୍ତୋରାଁ, କ୍ରାଫ୍ଟ ପ୍ଲାଜା ତିଆରି ହେବାକୁ ମଧ୍ୟ ଯୋଜନା ହୋଇଛି । ୨୦୨୧ ଅକ୍ଟୋବର ସୁଦ୍ଧା ଭିତ୍ତିଭୂମି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଅନ୍ୟପଟେ ଚନ୍ଦ୍ରଭାଗା ବେଳାଭୂମିରେ ୧ କିମି ବ୍ୟାପୀ ଅଞ୍ଚଳର ବିକାଶ କରାଯିବାକୁ ନିଷ୍ପତି ହୋଇଛି । ଏଥିପାଇଁ ପ୍ରସ୍ତୁତି ହୋଇଛି ମାଷ୍ଟରପ୍ଲାନ୍‌ । ବେଳାଭୂମିରେ ଜଳକ୍ରୀଡ଼ା, ଆମୋଦ ପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ ଟ୍ରାକ୍ ନିର୍ମାଣ କରାଯିବ । ସମୁଦ୍ର କୂଳେ କୂଳେ କାଠ ଚଲାପଥ, ମୁକ୍ତାକାଶ ରଂଗମଞ୍ଚ ମଧ୍ୟ ନିର୍ମାଣ ହେବାକୁ ଯୋଜନା କରାଯାଇଛି ।

ଛୋଟ ପିଲାଙ୍କ ଖେଳ ପାଇଁ ସ୍ୱତନ୍ତ୍ର ଅଞ୍ଚଳ ଓ ସୂର୍ଯ୍ୟୋଦୟ ଦେଖିବାକୁ ମଂଚ ପ୍ରସ୍ତୁତ କରାଯିବ । ଦୁଃସାହସିକ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଏଠାରେ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ବି ରହିବ । ଲ୍ୟାଣ୍ଡସ୍କାପିଂ, ବାଲି ସୁରକ୍ଷା ବ୍ୟବସ୍ଥା ଓ ସୌର ଆଲୋକର ମଧ୍ୟ ସୁବିଧା ରହିବ । ଏଥିପାଇଁ ସ୍ଥାନୀୟ ଲୋକଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରାଯିବ । ବର୍ଷକ ମଧ୍ୟରେ ସମଗ୍ର ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

କୃଷକ ସଂଘର୍ଷ ସମନ୍ୱୟ ସମିତି ଦେଲା ଆନ୍ଦୋଳନ ଡାକରା, ସାରା ରାଜ୍ୟରେ ଜଳିବ କୃଷି ଆଇନ୍‌ କପି

ଭୁବନେଶ୍ୱର: ବୁଧବାରଠାରୁ ରାଜ୍ୟରେ କେନ୍ଦ୍ର କୃଷି ଆଇନ ବିରୋଧରେ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆନ୍ଦୋଳନ । ରାଜ୍ୟବ୍ୟାପୀ କୃଷି ଆଇନର କପି ପୋଡ଼ିବ ସଂଗଠନ । ୧୮ ତାରିଖରେ ମହିଳା ଚାଷୀମାନେ ରାଜ୍ୟବ୍ୟାପୀ ବିରୋଧ କରିବେ । ୨୩ ତାରିଖରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ କିଷାନ ମୁକ୍ତି ସଂକଳ୍ପ ଦିବସରେ ରାଜଭବନ ଆଗରେ ଧାରଣା ଦେବେ ଚାଷୀ ସଂଗଠନ ।

ସେହିଭଳି ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଚାଷୀମାନେ ରାଜ୍ୟବ୍ୟାପୀ ସମାନ୍ତରାଳ ପ୍ୟାରେଡ୍‌ କରିବେ । ଦେଶବ୍ୟାପୀ ଚାଲିଥିବା କୃଷକ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ସମସ୍ତ କୃଷକ ସଙ୍ଗଠନର ମିଳିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

କଂଗ୍ରେସ ମଧ୍ୟ ଆସନ୍ତା ୧୫ ତାରିଖରେ ସବୁ ରାଜ୍ୟର ରାଜଭବନ ଘେରାଉ କରିବ । ଓଡ଼ିଶାରେ ମଧ୍ୟ ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ପଦଯାତ୍ରାରେ ଯାଇ ରାଜଭବନ ଆଗରେ ଧାରଣା ଦିଆଯିବ । କୃଷି ଆଇନ ପ୍ରତ୍ୟାହାର ଦାବିରେ ଆହୁରି ଜୋରଦାର ଆନ୍ଦୋଳନ ହେବ ବୋଲି କଂଗ୍ରେସ କହିଛି । ବିଜେଡି ମଧ୍ୟ କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ୍‌ କରିଛି । ଚାଷୀମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ସରକାର ସମାଧାନ ନକରିବା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ତୁରନ୍ତ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ବିଜେଡି ଦାବି କରିଛି । ବିଜେପି କିନ୍ତୁ ଏବେ ବି କୃଷି ଆଇନକୁ ଐତିହାସିକ ଆଇନ କହିବା ସହ କିଛି ନ୍ୟାସ୍ତସ୍ୱାର୍ଥ ଗୋଷ୍ଠୀ ଭିନ୍ନ ରୂପ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ।

ମାଟ୍ରିକ ପରୀକ୍ଷା ଫି’ ଛାଡ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫି’‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ର ସମାଜର ବୃହତର ସ୍ବାଥକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏ ବାବଦରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ ବୋଲି ସୂଚନା ମିଳିଛି। ପ୍ରତି ପିଲାଙ୍କୁ ମାଟ୍ରିକ ପରୀକ୍ଷା ନିମନ୍ତେ ୪୨୦ ଟଙ୍କା ଲେଖାଏଁ ଫି’ ଦେବାକୁ ପଡିଥାଏ ।

ତେବେ ଏହା ପୂର୍ବରୁ ମଙ୍ଗଳବାର ଦିନ ଦଶମ ବୋର୍ଡ ପରୀକ୍ଷା ଫି’ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବି ରଞ୍ଜନ ତ୍ରିପାଠି । ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖି ଅନୁରୋଧ କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ କରୋନା କାରଣରୁ ଅନେକ ପରିବାର ରୋଜଗାର ହରାଇ ବସିଛି । ଦୁଃଖ କଷ୍ଟରେ ଦିନ କଟୁଛି । ଏଭଳି ପରିସ୍ଥିତିରେ ଯଦି ସେମାନଙ୍କ ପିଲାଙ୍କ ପରୀକ୍ଷା ଫି ଛାଡ଼ କରାଯାଏ ତେବେ ଏହା ସେମାନଙ୍କୁ ଏକ ବଡ଼ ଉପକାର ସାବ୍ୟସ୍ତ ହେବ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଭିନ୍ନ ପରିବାରକୁ ଏହା ସାମାନ୍ୟ ଆଶ୍ୱସ୍ତି ମଧ୍ୟ ପ୍ରଦାନ କରିବ ।

ଗତ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ର ଓ ଯୁବ ଗୋଷ୍ଠିଙ୍କୁ ଲୋକାଭିମୁଖି ହେବାକୁ ଏବଂ ଲୋକଙ୍କ ହିତ ପାଇଁ ବିଭିନ୍ନ ପସ୍ତାବ ଦେବାକୁ ଆହ୍ୱାନ କରିଥିଲେ । ଏହି କ୍ରମରେ ଆଜି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବିରଞ୍ଜନ ତ୍ରିପାଠି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ହିତ ପାଇଁ ପରୀକ୍ଷା ଫି’ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ,  କରୋନା ମହାମାରୀ ପରିପ୍ରେକ୍ଷୀରେ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କୋଭିଡ ଗାଇଡଲାଇନ୍ ମଧ୍ୟରେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲାଯାଇଛି। ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ କରାଯାଉଛି।

ତେବେ କରୋନା ଯୋଗୁଁ ବହୁ ଲୋକଙ୍କର ଜୀବନଜୀବିକା ପ୍ରଭାବିତ ହୋଇଥିବା ବେଳେ ଅର୍ଥାଭାବରୁ ପିଲାମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେବାର ଆଶଙ୍କା ରହିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଯୋଗୁଁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ।

 

ଦିଶା ବୈଠକରେ ହୋ-ହଲ୍ଲା, ବିଜେପି ନେତ୍ରୀ ହଟ୍ଟହଟା

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି ହଟ୍ଟହଟା ହେଲେ ବିଜେପି ନେତ୍ରୀ । ବରିପଦାରେ କେନ୍ଦ୍ର ସରକାରଙ୍କ ଏକ ଦିଶା ବୈଠକ ଚାଲିଥିବା ବେଳେ ଜଣେ ଜିଲ୍ଲାପରିଷଦ ଅଧ୍ୟକ୍ଷା କହୁ କହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଥିଲେ । ଏଥିପାଇଁ ଉକ୍ତ ସଭାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେଠାରେ ଉପସ୍ଥିତ ଅନ୍ୟ ଅତିଥିମାନେ ତାଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ ।

ଖାଲି ସେତିକି ନୁହେଁ ଖୋଦ୍‌ ବିଧାୟକ ପ୍ରଣବ ପ୍ରକାଶ ଦାଶ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ସେ ନିଜ ଟ୍ୱିଟ୍‌ ଆକାଉଣ୍ଟ ଜରିଆରେ ଜିଲ୍ଳାପରିଷଦ ଅଧ୍ୟକ୍ଷାଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି ।

ସୂଚନାଯୋଗ୍ୟ, ଖୋଦ୍‌ ବିଜେଡି ରାଜ୍ୟସଭା ସଂସଦ ମମତା ମହନ୍ତ ସେଠାରେ ଉପସ୍ଥିତ ଥିବା ବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ଏଭଳି ବୟାନ୍‌ ଦେଇଥିଲେ । ଏହାକୁ ସାଂସଦ ନିନ୍ଦା କରିଥିଲେ । ସେ ସିଧା ସଳଖ କହିଥିଲେ ଅଧ୍ୟକ୍ଷା ମହାଶୟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାତ୍ସଲ୍ୟ କରିବା ଭୁଲ । ସେ ଏଭଳି କହିବା ଉଚିତ୍‌ ନଥିଲା । ଏହା କୌଣସି ରାଜନୈତିକ ମଞ୍ଚ ନୁହେଁ ।

ଏହି ବୈଠକରେ ଅନ୍ୟ ବିଜେଡି ନେତା ଓ ଜିଲ୍ଲାପରିଷଦ ସଭ୍ୟ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ମଧ୍ୟ ସୁଜାତାଙ୍କ ଏଭଳି ବୟାନକୁ ବିରୋଧ କରିଥିଲେ । ଫଳରେ ଉକ୍ତ ବୈଠକରେ ଉତ୍ତେଜନା ଦେଖାଦେଇଥିଲା, ପରେ ସେଠାରେ ଗଣ୍ଡଗୋଳର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ।

ଏହି ସମ୍ପୂର୍ଣ୍ଣ ଘଟଣା ସର୍ବସମ୍ମୁଖରେ ହୋଇଥିଲେ ସୁଦ୍ଧା ଅଧ୍ୟକ୍ଷା ମହାଶୟା ଏହାକୁ ସ୍ୱୀକାର କରିବାକୁ ଅରାଜି । ସେ କହଉଛନ୍ତି ଏଭଳି କୌଣସି ଘଟଣା ଘଟିନାହିଁ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ସୁଜାତା କ୍ଷମା ପ୍ରାର୍ଥନା କରିନ୍ତୁ ବୋଲି ଦାବି କରିଛି ସ୍ଥାନୀୟ ବିଜେଡି ସଂଗଠନ । ଗେଟ୍‌ ସମ୍ମୁଖ୍ୟରେ ଧାରଣା ବସିଛନ୍ତି ଦଳୀୟ କର୍ମୀ ।

ଦଶମ ପରୀକ୍ଷା ଫି’ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ଦଳର ଅନୁରୋଧ

ଭୁବନେଶ୍ୱର: ଦଶମ ବୋର୍ଡ ପରୀକ୍ଷା ଫି’ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ । ଏଭଳି ଅନୁରୋଧ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବି ରଞ୍ଜନ ତ୍ରିପାଠି । ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି । ସେଥିରେ ଉଲ୍ଲେଖ କରିଛନ୍ତି ଯେ, କରୋନା କାରଣରୁ ଅନେକ ପରିବାର ରୋଜଗାର ହରାଇ ବସିଛି । ଦୁଃଖ କଷ୍ଟରେ ଦିନ କଟୁଛି । ଏଭଳି ପରିସ୍ଥିତିରେ ଯଦି ସେମାନଙ୍କ ପିଲାଙ୍କ ପରୀକ୍ଷା ଫି ଛାଡ଼ କରାଯାଏ ତେବେ ଏହା ସେମାନଙ୍କୁ ଏକ ବଡ଼ ଉପକାର ସାବ୍ୟସ୍ତ ହେବ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଭିନ୍ନ ପରିବାରକୁ ଏହା ସାମାନ୍ୟ ଆଶ୍ୱସ୍ତି ମଧ୍ୟ ପ୍ରଦାନ କରିବ ।

ଗତ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ର ଓ ଯୁବ ଗୋଷ୍ଠିଙ୍କୁ ଲୋକାଭିମୁଖି ହେବାକୁ ଏବଂ ଲୋକଙ୍କ ହିତ ପାଇଁ ବିଭିନ୍ନ ପସ୍ତାବ ଦେବାକୁ ଆହ୍ୱାନ କରିଥିଲେ । ଏହି କ୍ରମରେ ଆଜି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବିରଞ୍ଜନ ତ୍ରିପାଠି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ହିତ ପାଇଁ ପରୀକ୍ଷା ଫି’ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ପୂର୍ବରୁ ବିଜେଡି କର୍ମୀଙ୍କ ଅନୁରୋଧ କ୍ରମେ ସରକାର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ନାମରେ ନାମିତ କରିଥିଲେ । ସେହିପରି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂରେ ସଂରକ୍ଷଣ କରିବାକୁ ଛାତ୍ର ବିଜେଡି ପ୍ରସ୍ତାବ ଦେଇଥିଲା । ତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ ଏବଂ ରାଜ୍ୟ କ୍ୟାବିନେଟ୍‌ରେ ମଧ୍ୟ ଏନେଇ ସଂକଳ୍ପ ପାରିତ ହୋଇଛି ।

ଟୁର୍ଣ୍ଣାମେଣ୍ଟ ଖେଳିପାରନ୍ତି ସାଇନା ନେହୱାଲ୍, କରୋନା ପଜିଟିଭ ରିପୋର୍ଟ ଭୁଲ୍

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ୍ ବୁଧବାର ଦିନ ହେବାକୁ ଥିବା ଥାଇଲାଣ୍ଡ ଓପନ୍ ଖେଳିବାର ସମ୍ଭାବନା ରହିଛି ।

ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ବିଏଆଇ)ର ସୂଚନା ମୁତାବକ, ସାଇନାଙ୍କର କରୋନା ରିପୋର୍ଟ ପଜିଟିଭ ନୁହେଁ । ସେ କରୋନା ସଂକ୍ରମିତ ହୋଇଥିବା ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା ତାହା ସମ୍ପୂର୍ଣ୍ଣ ଭୁଲ୍ ।

ସୂଚନାଯୋଗ୍ୟ, ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସାଇନା ଥାଇଲାଣ୍ଡ ଗସ୍ତରେ ଥିବାବେଳେ ଆଜି ସକାଳେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଏକ ଖବର ପ୍ରକାଶ ପାଇଥିଲା । ଯାହାପରେ ସେ ଥାଇଲାଣ୍ଡ ଓପନ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ସାଇନାଙ୍କୁ ଡାକ୍ତରଖାନାର କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ତେବେ ୧୦ଦିନ ପାଇଁ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ଖବର ମିଳିଥିଲା।

ଖାଲି ଏତିକି ନୁହେଁ ସାଇନା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସ୍ବାମୀ ପାରୁପାଲୀ କଶ୍ୟପ ମଧ୍ୟ କାନାଡାର ଜେସନ ଆନ୍ଥୋନୀ ହୋ-ଶୁ ମ୍ୟାଚ୍‌ରୁ ଓହରି ଯାଇଛନ୍ତି । ସାଇନାଙ୍କ ନିକଟତର ଥିବାରୁ କଶ୍ୟପଙ୍କୁ ଆଉ ଏକ ରାଉଣ୍ଡ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଇଛି । ତାଙ୍କର ମଧ୍ୟ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଯୋଗୁଁ ମ୍ୟାଚ୍ ଖେଳିବା ନେଇ ଏକପ୍ରକାର ସଙ୍କେତ ମିଳିଛି ।

ରାଜଧାନୀରେ ୨୭ଟି ସରକାରୀ ଓ ୧୮ଟି ବେସରକାରୀ ହସ୍ପିଟାଲରେ ହେବ ଟିକାକରଣ

ଭୁବନେଶ୍ୱର: ପ୍ରତୀକ୍ଷାର ଅନ୍ତ ଘଟିଛି, ଭୁବନେଶ୍ୱରରେ ପହଞ୍ଚିଛି କୋଭିସିଲ୍‌ଡ ଟିକା । ଭାକ୍ସିନ ପହଞ୍ଚିବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟ ଭ୍ୟାକ୍ସିନ ଷ୍ଟୋରର ପହଞ୍ଚି ସ୍ଥିତି ପରଖିଥିଲେ । କୋଭିସିଲ୍‌ଡର ୪ ଲକ୍ଷ ୮ହଜାର ଡୋଜ୍ ଆସିଛି । ଗୋଟିଏ ଶିଶିରୁ ୧୦ଟି ଡୋଜ୍‌ ଦିଆଯାଇପାରିବ । ସେହି ଅନୁସାରେ ଆସିଥିବା ଟିକା ୧ ଲକ୍ଷ ୯୧ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇପାରିବ ।

ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ତାଲିକା ପ୍ରଦାନ କରାଯାଇଛି । ମଙ୍ଗଳବାର ସଂଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଓପନ୍ ଅଛି । ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର ଖୋଲାଯାଇଛି । ବିଏମ୍‌ସି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି ବୋଲି ବିଏମ୍‌ସି କମିଶନର କହିଛନ୍ତି ।

୧୬ ତାରିଖରେ ଭୁବନେଶ୍ୱରର ୫ଟି ଲୋକେସନରେ କୋଭିଡ୍- ୧୯ ଭ୍ୟାକସିନ୍ ଲଞ୍ଚ କରାଯିବ । କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍‌ସ ହସ୍ପିଟାଲରେ ହେବ କୋଭିଡ୍‌ ଟିକାକରଣ ।

ଅନ୍ୟପଟେ ପ୍ରଥମେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କୁ ପାଖକୁ ମେସେଜ ଯିବ । କୋଭିଡ୍ ମହାମାରୀ ସଂକ୍ରମଣ ଅଧିକ ଥିବା ଅଞ୍ଚଳକୁ ବି ଗୁରୁତ୍ୱ ଦିଆଯିବ । ରାଜ୍ୟ ଭ୍ୟାକସିନ୍ ଷ୍ଟୋରରୁ ସବୁ ଜିଲ୍ଲାକୁ ଟିକା ନେବା ପାଇଁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଚିଠି କରାଯାଇଛି । ସେମାନେ ଭ୍ୟାକସିନ୍ ଗାଡ଼ି ପଠାଇ ଟିକା ନେଇପାରିବେ । ଟିକା ନେଇ ଜିଲ୍ଲା ଭ୍ୟାକସିନ୍ ଷ୍ଟୋରରେ ରଖିବେ । ସେଠାରୁ କୋଲ୍‌ଡ ଚେନ୍ ମାଧ୍ୟମରେ ସ୍ଥିରୀକୃତ ହୋଇଥିବା ଶହେଟି ସ୍ଥାନକୁ ଟିକା ପଠାଯିବ । ୧୬ତାରିଖରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

ସେହିପରି କୋଭାକ୍ସିନ୍‌ର ୨୦ ହଜାର ଡୋଜ୍ ଆସିବ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଡାଟା ପ୍ରସ୍ତୁତ କରିବାକୁ ଗୃହ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଏବଂ ଅର୍ବାନ ବିଭାଗକୁ ଚିଠି କରାଯାଇଛି । ଜାନୁଆରୀ ୨୫ ସୁଦ୍ଧା ଡାଟା ବେସ୍‌ ପ୍ରସ୍ତୁତ କରାଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

ଫର୍ଜି କମ୍ପାନୀ କରି ଠକେଇ କରୁଥିଲେ କୋଟି କୋଟି ଟଙ୍କା, ଏବେ ଗିରଫ

ନୋଏଡା: ଉତ୍ତରପ୍ରଦେଶର ନୋଏଡାରେ ନକଲି କମ୍ପାନୀ କରି କୋଟି କୋଟି ଟଙ୍କା ଠକେଇ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ପୋଲିସ । ଏହି ଗ୍ୟାଙ୍ଗର ଦୁଇ ମୁଖ୍ୟ ଅଭିଯୁକ୍ତ ଓମ୍ ପ୍ରକାଶ ଜାଗିଡ ଓ ମୋହିତ ଗୋୟଲଙ୍କ ନୋଏଡା ସେକ୍ଟର-୫୦ରୁ ଗିରଫ କରିଛି ଥାନା ସେକ୍ଟର ୫୮ ପୋଲିସ ।

ଅଭିଯୁକ୍ତ ମୋହିତ ୨୦୧୫ ମସିହାରେ ରିଙ୍ଗିଗ୍ ବେଲ୍ ନାମକ କମ୍ପାନୀ ବନାଇ ୨୫୧ ଟଙ୍କାରେ ଆଣ୍ଡ୍ରୋଏଡ୍ ଫୋନ୍ ଦେବାକୁ କହି ଅରବ ଟଙ୍କା ଲୁଟି ନେଇଥିଲେ । ଏବେ ଏହି ଲୋକ ଡ୍ରାଇ ଫ୍ରୁଟ୍ସ ନାମରେ ୧୦୦ କୋଟିରୁ ଅଧିକ ଠକେଇ କରିଛନ୍ତି । ହେଲେ ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନେ ଫେରାର ଥିବା ପୋଲିସ ସୁତ୍ରରୁ ପ୍ରକାଶ ।

ଏସମ୍ପର୍କରେ ଆଡିସନାଲ୍ ପୋଲିସ କମିଶନର ଲବ କୁମାର (ଲ ଆଣ୍ଡ୍ ଅର୍ଡର) ସୂଚନା ଦେଇ କହିଛନ୍ତି ଯେ ଅଭିଯୁକ୍ତ ମାନେ ସେକ୍ଟର-୬୨ ସ୍ଥିତ କାରେଥମ୍ ଟାୱାରରେ ‘ଦୁବାଇ ଡ୍ରାଇ ଫ୍ରୁଟ୍ସ  ଆଣ୍ଡ ହବ୍’ ନାମରେ ଏକ ଫର୍ଜି କମ୍ପାନୀ ଖୋଲିଥିଲେ । ଆଉ ଏହି କମ୍ପାନୀର ଏମଡି ଓମ୍ ପ୍ରକାଶ ଜାଗିଡ ହୋଇଥିଲା ବେଳେ ମୋହିତ ଏହାର ପ୍ରମୋଟର ଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏମାନେ ଦେଶର ବିଭିନ୍ନ ଫାର୍ମରୁ ଡ୍ରାଇ ଫ୍ରୁଟ୍ସ , ଡାଲି, ତେଲ ଓ ମସଲା ଆଦି କିଣୁଥିଲେ । ଆଉ ଆଡଭାନ୍ସ ଭାବେ କିଛି ଟଙ୍କା ଦେଇ ଫାର୍ମ ସଞ୍ଚାଳକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ । ପରେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଠାଉଥିଲେ କିନ୍ତୁ ପେମେଣ୍ଟ କରୁନଥିଲେ ।

ତେବେ ପଚରାଉଚରା ବେଳେ ମୋହିତ କହିଛି ଯେ ସେମାନେ ହୋଲସେଲ୍ ବେପାରୀଙ୍କ ଠାରୁ ବଜାର ମୂଲ୍ୟରୁ ଅଧିକ ଦାମରେ ବିଭିନ୍ନ ସାମଗ୍ରୀ କିଣୁଥିଲେ । ପ୍ରତି ବଦଳରେ ସେମାନଙ୍କୁ ୪୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ବଳକା ଟଙ୍କା ପାଇଁ ଚେକ୍ ଦେଉଥିଲେ । ହେଲେ ପରେ ପେମେଣ୍ଡକୁ ଷ୍ଟପ୍ କରାଇ ଦେଉଥିଲେ ।

ପରବର୍ତ୍ତୀ ସମୟରେ ଦିଲ୍ଲୀ, ଗାଜିଆବାଦ, ଗୁଡଗାଁଓର ବିଭିନ୍ନ ମଣ୍ଡିରେ ତଥା ରିଟେଲର ବେପାରୀଙ୍କୁ ଶସ୍ତା ଦାମରେ ସାମଗ୍ରୀ ଗୁଡିକୁ ବିକ୍ରି କରୁଥିଲେ । ଆଉ ସେହି ଟଙ୍କାକୁ ପରସ୍ପର ମଧ୍ୟରେ ବାଣ୍ଟି ଦେଉଥିଲେ ।

ଅଗଷ୍ଟ ସୁଦ୍ଧା ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ

ଅପେକ୍ଷାର ଅନ୍ତ। ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଆସନ୍ତା ୧୬ରୁ ଆରମ୍ଭ ହେବ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ୨୧ ହଜାର ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ତାଲିକା ପ୍ରଦାନ କରାଯାଇଛି। ସେହିପରି ସାରା ଦେଶରେ ସମୁଦାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଏହି ଟିକା ଦିଆଯିବ। ଆଉ ଏହାପରେ ୫୦ ବର୍ଷରୁ ଉର୍ଦ୍ଧ୍ୱ ଓ ବିଭିନ୍ନ ରୋଗରେ ପୀଡ଼ିତ ଥିବା ୨୭କୋଟି ବ୍ୟକ୍ତିଙ୍କୁ ଦିଆଯିବ। ୨୦୨୧ ଅଗଷ୍ଟ ସୁଦ୍ଧା ୩୦ କୋଟି ଲୋକଙ୍କୁ ଏହି ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଏକ ସର୍ଭେ ଅନୁଯାୟୀ ସରକାରଙ୍କୁ ଏହି ଟାର୍ଗେଟ ପୂରଣ କରିବାକୁ ହେଲେ ପ୍ରତି ଦିନ ୧୩ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ପଡ଼ିବ। ଏହା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କାରଣ ଚୀନ ବ୍ୟତୀତ ଅନ୍ୟ କୌଣସି ଦେଶରେ ଗୋଟିଏ ଦିନେର ଏତେ ଲେକଙ୍କୁ ଟିକା ଦିଆଯାଇ ନାହିଁ। ଚୀନ ଦିନକୁ ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ସୂଚନା ରହିଛି। ସେହିଭଳି ଆମେରିକାରେ ଦିନକୁ ୫ ଲକ୍ଷ ୩୭ ହଜାର ଏବଂ ୟୁକେ ରେ ୪ ଲକ୍ଷ ୭୨ ହଜାର ଲୋକଙ୍କୁ ଟିକା ଦିଆଯାଉଛି।

କେମିତି ଚ୍ୟାଲେଞ୍ଜ ପୂରା କରିବ ଭାରତ

  •  ଟୀକାକରଣର ପାଇଁ ପ୍ରାୟ ୨ ହଜାର ୩୬୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଜାତୀୟ ସ୍ତରରେ ତାଲିମ ଦିଆଯାଇଛି । ଏଥିରେ ଟୀକାକରଣ ଅଧିକାରୀ, କୋଲ୍ଡ ଚେନ୍ ଅଧିକାରୀ, ଡେଭଲପମେଣ୍ଟ ପାର୍ଟନର ଏବଂ ଅନ୍ୟମାନେ ସାମିଲ ଅଛନ୍ତି। ଏହା ବ୍ୟତୀତ ପ୍ରାୟ ୬୧ହଜାର ପ୍ରୋଗ୍ରାମ ମ୍ୟାନେଜର, ୨ ଲକ୍ଷ ଟୀକାକରଣକାରୀ ଏବଂ ଟୀକାକରଣ ଦଳର ଅନ୍ୟ ୩.୭ ଲକ୍ଷ ସଦସ୍ୟଙ୍କୁ ସେମାନଙ୍କୁ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ତାଲିମ ଦିଆଯାଇଛି।
  • ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୧୫ଟି ଜିଲ୍ଲାର ୪୮୯୫ଟି କେନ୍ଦ୍ରରେ ଡ୍ରାଏରନ୍ କରାଯାଇଛି। ଯୋଜନା ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ୧୦୦ ରୁ ୨୦୦ ଲୋକଙ୍କୁ ଟିକା ଦିଆଯିବ।
  •  ପ୍ରାରମ୍ଭରେ ଟିକା ଉପଲବ୍ଧତା ସୀମିତ ରହିଛି। ସେରମ ଇନଷ୍ଟିଚ୍ୟୁଟ ୧୦ କୋଟି କୋଭିସିଲ୍ଡ ଯୋଗାଇଦେବାକୁ ପ୍ରତିଶୃତି ଦେଇଛି । ଆଗକୁ ଭାରତ ବାୟୋଟେକ୍ ବି କୋଭାକ୍ସିନର ସମାନ ମାତ୍ରା ପ୍ରଦାନ କରିବ। ଉଭୟ କମ୍ପାନୀ କରୋନା ଟିକା ଉତ୍ପାଦନ ପାଇଁ ଏକ ନୂତନ ବିକଶିତ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି, ଯାହା ମାର୍ଚ୍ଚ କିମ୍ବା ଏପ୍ରିଲରେ କାର୍ଯ୍ୟ ଆରମ୍ଭ କରିବ। ଏହା ପରେ ଟିକା ଉତ୍ପାଦନ କ୍ଷମତା ଏବଂ ଟିକା ଉପଲବ୍ଧତା ବୃଦ୍ଧି ହେବ।
  •  ଏବଂ ମାର୍ଚ୍ଚ ପରେ ଅନ୍ୟ ଟିକା ଯେପରିକି ଜାୟଡସ୍ କ୍ୟାଡିଲାର ଟିକା ମଧ୍ୟ ଅନୁମୋଦନ ହେବାର ଆଶା କରାଯାଉଛି। ଅର୍ଥାତ୍ ମାର୍ଚ୍ଚ ଏବଂ ଏପ୍ରିଲ ପରେ ଟୀକାର ଉପଲବ୍ଧତା ସହିତ ଟୀକାକରଣର ଗତି ବି ବୃଦ୍ଧି ପାଇବ। ଏହା ସହିତ ଅଗଷ୍ଟ ୨୦୨୧ ସୁଦ୍ଧା ୩୦କୋଟି ଲୋକଙ୍କୁ ଟୀକାକରଣର ଲକ୍ଷ୍ୟ ପୂରଣ ହୋଇପାରିବ।