spot_img
Home Blog Page 611

କାମ୍ବୋଡିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ‘ଅଙ୍କଲ’ ସମ୍ବୋଧନ କରି ନିଲମ୍ବିତ ହେଲେ ଥାଇ ପ୍ରଧାନମନ୍ତ୍ରୀ

ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପ୍ୟାତୋଙ୍ଗତାର୍ନ ଶିନାଓ୍ବାତ୍ରାଙ୍କୁ ସସପେଣ୍ଡ କରାଯାଇଛି । ଦେଶର ସାମ୍ବିଧାନିକ ନ୍ୟାୟାଳୟ ଆଜି ତାଙ୍କୁ ସସପେଣ୍ଡ କରାଯିବା ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କାମ୍ବୋଡିଆ ସହ ରାଜନୈତିକ ବିବାଦ ପରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ଏକ ବହୁତ ବଡ଼ ନିଷ୍ପତ୍ତି କୋର୍ଟ ଶୁଣାଇଛନ୍ତି । ଏହାକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ୍ ରହିଛି । ଥାଇଲାଣ୍ଡର ମିଡ଼ିଆ ରିପୋର୍ଟସ ମୁତାବକ, ଲିକ୍ ହୋଇଥିବା ଏକ ଟେଲିଫୋନ କଲକୁ ନେଇ କୋର୍ଟଙ୍କ ଏହି ନିଷ୍ପତ୍ତି ଆସିଛି । କାମ୍ବୋଡିଆ ସହ ସୀମା ବିବାଦକୁ ନେଇ ନିଜର ଭୂମିକାକୁ ନେଇ ମନ୍ତ୍ରୀ ପଦର ନୈତିକତା ଉଲ୍ଲଂଘନ କରିଥିଲେ । ଥାଇଲାଣ୍ଡର ସାମ୍ବିଧାନିକ ଅଦାଲତ ୭-୨ ବହୁମତରେ ନିଷ୍ପତ୍ତି ନେଇଛନ୍ତି । ସାମ୍ବିଧାନିକ ଅଦାଲତ ବହୁମତ ଆଧାରରେ ନିଷ୍ପତ୍ତି ନେଇ ଜୁଲାଇ ୧ରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ବୋଲି କୁହାଯାଇଛି । ଅଦାଲତ ଏହି ମାମଲାର ଅନ୍ତିମ ଶୁଣାଣି କରିବା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ।

ଗତ ମେ’ରେ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଘଟିଥିବା ସୀମା ଉତ୍ତେଜନାରୁ ଏହି ବିବାଦର ସୂତ୍ରପାତ ହୋଇଥିଲା । ଉକ୍ତ ଘଟଣାରେ ଜଣେ କାମ୍ବୋଡିଆ ସୈନିକଙ୍କର ମୃତ୍ୟୁ ଘଟିଥିଲା । ସୀମାରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ଶିନାଓ୍ବାତ୍ରା କାମ୍ବୋଡିଆ ନେତା ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରିଥିଲେ । ହୁନ ଦେଶର ଜଣେ ପ୍ରଭାବଶାଳୀ ରାଜନେତା ଭାବେ ଜଣାଶୁଣା । ନିକଟରେ ସେହି ଟେଲିଫୋନ କଲର ଏକ ରେକର୍ଡିଂ ଲିକ୍ ହୋଇଯାଇଥିଲା । ସେଥିରେ ଥାଇଲାଣ୍ଡର  ପ୍ରଧାନମନ୍ତ୍ରୀ ଶିନାଓ୍ବାତ୍ରା ହୁନଙ୍କୁ ’ଅଙ୍କଲ’ କହି ସମ୍ବୋଧିତ କରିଥିଲେ ଓ ଥାଇଲାଣ୍ଡର ସେନାର ଜଣେ ବରିଷ୍ଠ କମାଣ୍ଡରଙ୍କୁ ନିଜର ’ବିରୋଧୀ’ କହିଥିଲେ । ତାଙ୍କର ଏହି ବୟାନ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନ ଓ ସଂସଦରେ ରହିଥିବା ରୁଢ଼ୀବାଦୀ ସାଂସଦଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିଲା । ଏହି କଲକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଥାଇ ସଂସଦର ଏକ ଗ୍ରୁପ ପକ୍ଷରୁ ଯାଚିକା ଦାୟର କରାଯାଇଥିଲା । ଏହି ଘଟଣାରେ ଏବେ ସୁଦ୍ଧା ଶିନାଓ୍ବ୍ରା କୌଣସି ବୟାନ ଜାରି କରିନାହାନ୍ତି ।

BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବିଜେପିରୁ ୫ ସଦସ୍ୟ ନିଲମ୍ବିତ

ଭୁବନେଶ୍ବର: BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ବିଜେପି । ବିଜେପିରୁ ୫ ସଦସ୍ୟ ନିଲମ୍ବିତ ହୋଇଛନ୍ତି  । ପ୍ରାଥମିକ ସଦସ୍ୟ ପଦରୁ ୫ ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି । କର୍ପୋରେଟର ଅପରୂପ ନାରାୟଣ ରାଉତ ନିଳମ୍ବିତ ହୋଇଛନ୍ତି । ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ, ସଂଜୀବ ମିଶ୍ର ନିଲମ୍ବିତ ହୋଇଛନ୍ତି ।

ବିଏମସି ଅତିରିକ୍ତ କମିଶନରଙ୍କୁ ଗତକାଲି ଆକ୍ରମଣ କରାଯାଇଥିଲା । ଆଜି କଳାବ୍ୟାଜ୍ ପିନ୍ଧି ବିଏମସି କର୍ମଚାରୀ ପ୍ରତିବାଦ କରିଛନ୍ତି । ଅଫିସକୁ ଆସିଥିଲେ ବି କାର୍ଯ୍ୟରେ ସାମିଲ ହୋଇନାହାନ୍ତି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ କର୍ମଚାରୀମାନେ ପ୍ରତିବାଦ କରିଛନ୍ତି । ଏ ନେଇ କମିଶନର କହିଛନ୍ତି ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ ହେବ । ଅନ୍ୟପଟେ ଅଫିସ ଅନୁଧ୍ୟାନ କରିଛି ଓଏଏସ ସଂଘ ।

’ହେରା ଫେରୀ ୩’କୁ ଫେରିଲେ ବାବୁ ଭେୟା: ପରେଶ ରାଓ୍ବଲ ଓ ଅକ୍ଷୟ କୁମାରଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କେମିତି ହେଲା?

ନୂଆଦିଲ୍ଲୀ: ’ହେରା ଫେରୀ’ ଫିଲ୍ମର ଅଗଣିତ ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ’ହେରା ଫେରୀ ୩’ରୁ ବାହାର ହୋଇଥିବା ବରିଷ୍ଠ ଅଭିନେତା ପରେଶ ରାଓ୍ବଲ ପୁଣି ଫିଲ୍ମକୁ ଫେରୁଥିବା ନେଇ ଅଭିନେତା ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଅକ୍ଷୟ ଓ ପରେଶଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ହୋଇଯାଇଛି । ଏହା ମଧ୍ୟରେ ଫିଲ୍ମର ପ୍ରଯୋଜକ ଫିରୋଜ ନାଡିୟାଡଓ୍ବାଲାଙ୍କର ବୟାନ ମଧ୍ୟ ସାମ୍ନାକୁ ଆସିଛି । ଯେଉଁମାନଙ୍କ ପାଇଁ ଏହି ବିବାଦର ସମାଧାନ ସମ୍ଭବ ହୋଇଥିଲା, ତାହା ଫିଲ୍ମର ପ୍ରଡ୍ୟୁସର ଫିରୋଜ ଖୁଲାସା କରିଛନ୍ତି ।

ଫିରୋଜ କହିଛନ୍ତି, ମୋ ଭାଇ ସାଜିଦ ନାଡିୟାଡଓ୍ବାଲା ଓ ମିଷ୍ଟର ଅହମଦଙ୍କ ଭଲ ପାଇବା, ସମ୍ମାନ ଓ ମାର୍ଗଦର୍ଶନ କାରଣରୁ ’ହେରା ଫେରୀ’ ଫ୍ୟାମିଲି ଏବେ ଏକାଠି ଆସୁଛନ୍ତି । ସବୁକିଛି ଠିକ୍ କରିବା ପାଇଁ ସାଜିଦ ଭାଇ ବହୁ ଦିନ ଧରି ପ୍ରୟାସ କରି ଆସିଥିଲେ । ଆମର ସମ୍ପର୍କ ୫୦ ବର୍ଷରୁ ଅଧିକ ହେବ । ଅହମଦ ଖାନ ମଧ୍ୟ ବ୍ୟକ୍ତିଗତ ଭାବେ ବହୁତ ପରିଶ୍ରମ କରିଛନ୍ତି । ସାଜିଦ ଓ ଅହମଦଙ୍କ ପ୍ୟାର ଓ ମାର୍ଗଦର୍ଶନ କାରଣରୁ ହିଁ ଟିମ ଭିତରେ ଏବେ ସବୁକିଛି ପଜିଟିଭ୍ ଓ ପ୍ରଡକ୍ଟିଭ୍ ରହିଛି । ଏହାସହିତ ଅକ୍ଷୟ କୁମାରଙ୍କର ମଧ୍ୟ ବହୁତ ସପୋର୍ଟ ରହିଛି । ପ୍ରିୟଦର୍ଶନୀ, ପରେଶ ରାଓ୍ବାଲ ଓ ସୁନୀଲ ଶେଟ୍ଟୀ ମଧ୍ୟ ବହୁତ ସପୋର୍ଟିଭ ଥିଲେ । ଏବେ ଆମେ ଏକ ବଢ଼ିଆ ଫିଲ୍ମ ତିଆରି କରିବାକୁ ଯାଉଛୁ ।

ଝାଡ଼ଖଣ୍ଡ ବାହାଡ଼ାଗୋଡ଼ା ଅଞ୍ଚଳରେ ଗ୍ୟାସ ଲିକ୍, ଆଖପାଖ ଅଞ୍ଚଳରେ ବିଏନଏସ୍ ଧାରା ୧୬୩ ଲାଗୁ

ବାରିପଦା: ଝାଡ଼ଖଣ୍ଡ ବାହାଡ଼ାଗୋଡ଼ା ଅଞ୍ଚଳରେ ଗ୍ୟାସ ଲିକ୍। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ବାହାଡ଼ାଗୋଡ଼ା ଅଂଚଳରେ ଏକ ଟ୍ୟାଙ୍କରରୁ ଗ୍ୟାସ ଲିକ ହେଉଛି। ପ୍ରୋପିଲିନ୍ ଗ୍ୟାସ୍ ଭର୍ତ୍ତି ଏକ ଟ୍ୟାଙ୍କର ଲିକ୍ ହେବା ଯୋଗୁ ଆତଙ୍କ ପ୍ରକାଶ ପାଇଛି। NH-୪୯ର ଜାମଶୋଲା ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ଘଟଣା ଘଟିଛି। ଗ୍ୟାସ୍ ଲିକ୍ ହେବାର ସୂଚନା ପାଇବା ମାତ୍ରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜପଥକୁ ବନ୍ଦ କରିଦେଇଛି। ଆଖପାଖ ଅଞ୍ଚଳରେ ବିଏନଏସ୍ ଧାରା ୧୬୩ ଲାଗୁ କରାଯାଇଛି। ବାହାରାଗୋରା ଥାନାଅଧିକାରୀ ଏବଂ ଜୋନାଲ ଅଧିକାରୀ ସକାଳୁ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି। ଓଡ଼ିଶା ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହି ଗ୍ୟାସ୍ ବିଷାକ୍ତ କି ସାଧାରଣ ତାହା ଜାଣିବା ପାଇଁ ବାଲେଶ୍ୱରରୁ ବିଶେଷଜ୍ଞଙ୍କୁ ଡକାଯାଇଛି। ପ୍ରଶାସନ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ବ୍ୟବସ୍ଥା କରିଛି। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଘଟଣାସ୍ଥଳରୁ ୨ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ଲୋକମାନଙ୍କୁ ଘରେ ରହିବା ଏବଂ ଅଯଥା ବାହାରକୁ ନଯିବା ପାଇଁ ଅପିଲ୍ କରାଯାଇଛି। ସାଧାରଣ ଜନତାଙ୍କୁ ଶାନ୍ତି ଏବଂ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ପୂର୍ବ ସିଂହଭୂମି ଜିଲ୍ଲାପାଳ…

ସାବର୍ଜନିକ ସ୍ଥାନରେ ବୁର୍ଖା ପିନ୍ଧି ପାରିବେନି ମହିଳା, ରୋକ ଲଗାଇଲା ଏହି ଦେଶ

ଅସ୍ତାନା: କାଜାକିସ୍ତାନରେ ମହିଳାମାନେ ସାର୍ବଜନିକ ସ୍ଥାନରେ ବୁର୍ଖା ବା ଚେହେରାକୁ ଢାଙ୍କି ରଖୁଥିବା କପଡ଼ା ପରିଧାନ କରିପାରିବେ ନାହିଁ । ଦେଶର ରାଷ୍ଟ୍ରପତି କାସିମ ଜୋମାର୍ଟ ଟୋକାୟେବ ଏହି ଆଇନ ଉପରେ ହସ୍ତାକ୍ଷର କରିଛନ୍ତି । ସାର୍ବଜନିକ ସ୍ଥାନରେ କେହି ନିଜର ଚେହେରାକୁ ଢାଙ୍କିବା ଉପରେ ଏହି ଆଇନ ରୋକ ଲଗାଇଥାଏ । ସୋଭିଏତ ସଂଘର ଅଂଶ ରହିଥିବା କାଜାକିସ୍ତାନର ସରକାର ଏହି ଆଦେଶ ଜାରି କରିଛନ୍ତି । ଦେଶର ୭୦ ପ୍ରତିଶତ ଜନସଂଖ୍ୟା ଇସଲାମ ଧର୍ମକୁ ମାନିଥାନ୍ତି । ସାରା ଦୁନିଆରେ ଅଧିକାଂଶ ମୁସଲିମ ମହିଳା ହିଜାବ (ଚେହେରା ଢାଙ୍କିବା) ପିନ୍ଧିଥାନ୍ତି । ତେବେ କାଜାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଶର ଧାର୍ମିକ ସଂଗଠନ ପକ୍ଷରୁ ବିରୋଧ କରାଯାଇପାରେ । ତେବେ ଆଇନରେ ସିଧାସଳଖ ଭାବେ କୌଣସି ଧର୍ମ ବା ଧାର୍ମିକ ପୋଷାକକୁ ନେଇ ଚର୍ଚ୍ଚା କରାଯାଇ ନାହିଁ ।

ମଧ୍ୟ ଏସୀୟ ଦେଶଗୁଡ଼ିକରେ ବିଗତ କିଛି ସମୟ ଧରି ବୁର୍ଖା ଓ ନକାବ ପରି ପରିଧାନ ଉପରେ କଟକଣା ଲାଗି ଆସିଛି । ଏବେ କାଜାକିସ୍ତାନ ଏହି ଲିଷ୍ଟରେ ସାମିଲ ହୋଇଯାଇଛି । କାଜାକିସ୍ତାନର ଏହି ନୂଆ ଆଇନ କହୁଛି ଯେ, ଯେଉଁ କପଡ଼ା ଦ୍ବାରା ଚେହେରାକୁ ଚିହ୍ନି ହେବନି, ତାହାକୁ ପିନ୍ଧିବାକୁ ଅନୁମତି ନାହିଁ । ମାତ୍ର କିଛି ମାମଲାରେ ଏହି ଆଇନରେ ଛାଡ଼ ଦିଆଯିବ । ମେଡିକାଲ କାରଣ, ଖରାପ ପାଣିପାଗ, ଖେଳ ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏପରି କପଡ଼ା ପିନ୍ଧିବାକୁ ଅନୁମତି ଦିଆଯିବ ।

ପୂର୍ବତନ ଇଣ୍ଟରନ୍ୟାସନାଲ ହକି ଖେଳାଳି ବିମଲ ଲାକ୍ରା ମେଡିକାଲରେ ଭର୍ତ୍ତି

ରାଞ୍ଚି: କ୍ରୀଡ଼ା ଜଗତରୁ ଆସିଛି ଏକ ନୈରାଶ୍ୟଜନକ ଖବର । ପୂର୍ବତନ ଇଣ୍ଟରନ୍ୟାସନାଲ ହକି ଖେଳଳି ବିମଲ ଲାକ୍ରା କ୍ଷେତରେ ପଡ଼ି ବେହୋସ୍ ହୋଇଯାଇଛନ୍ତି । ତେଣୁ ଚିକିତ୍ସା ପାଇଁ ତାଙ୍କୁ ରାଞ୍ଚିର କ୍ୟୁରେସେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିମଲଙ୍କ ପୈତୃକ ଗ୍ରାମ ସିମଡେଗାର ଟ୍ୟାନ୍ସରରେ ଓ ସେ ନିଜ ଗାଁକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ହକି ଝାରଖଣ୍ଡର ଉପାଧ୍ୟକ୍ଷ ଓ ସିମଡେଗା ହକିର ଅଧ୍ୟକ୍ଷ ମନୋଜ କୋନବେଗୀ କହିଛନ୍ତି, ବିମଲ ଗାଁର ନିଜ କ୍ଷେତକୁ ଯାଇଥିବା ବେଳେ ସେଠାରେ ବେହୋସ ହୋଇଯାଇଥିଲେ ।

ସୂଚନାଯୋଗ୍ୟ ଯେ, ବିମଲ ରାଷ୍ଟ୍ରୀୟ ଟିମରେ ମିଡଫିଲ୍ଡର ଭାବେ ଖେଳୁଥିଲେ । ୨୦୦୨ ମସିହ ଏସୀୟ କ୍ରୀଡ଼ାରେ ସେ ରୌପ୍ୟ ପଦକ ବିଜୟୀ ହୋଇଥିବା ଟିମର ସଦସ୍ୟ ଥିଲେ । ବିମଲଙ୍କ ଛୋଟ ଭାଇ ବିରେନ୍ଦ୍ର ଲାକ୍ରା ସିନିୟର ଓ ସାନ ଭଉଣୀ ଅସନ୍ତା ଲାକ୍ରା ମଧ୍ୟ ଫିଲ୍ଡ ହକିରେ ଭାରତର ପ୍ରତିନିଧିତ୍ବ କରିସାରିଛନ୍ତି ।

ଏହି ପାଞ୍ଚଟି କାରଣ ପାଇଁ କିଡନୀରେ ପଥର ସୃଷ୍ଟି ହୋଇପାରେ

ମଣିଷର ଶରୀର ପାଇଁ କିଡନୀ ଷ୍ଟୋନ ଏକ ଭୟଙ୍କର ସମସ୍ୟା । ଆଜିର ସମୟରେ ଯେ କୌଣସି ବୟସର ଲୋକଙ୍କୁ ଏହା ଆକ୍ରାନ୍ତ କରିବାର ସମ୍ଭାବନା ରହିଥାଏ । ଯେତେବେଳେ ୟୁରିନ (ମୂତ୍ର)ରେ ରହିଥିବା ଖଣିଜ ଓ ଏସିଡି ସଲଟସ୍‌ ପରସ୍ପର ସହ ମିଶି ଛୋଟ ଛୋଟ କଣ ବା କ୍ରିଷ୍ଟଲ ସୃଷ୍ଟି କରନ୍ତି, ସେତେବେଳେ ଏହା ଦେଖିବାକୁ ମିଳିଥାଏ । ତା’ପରେ ତାହା ଧୀରେଧୀରେ ବଢ଼ି ପଥରର ରୂପ ନେଇଥାଏ । ଅନେକ ସମୟରେ ଏହି ପଥରଗୁଡ଼ିକ ଆପେଆପେ ୟୁରିନ ରାସ୍ତା ଦେଇ ବାହାରକୁ ବାହାରି ଯାଇଥାନ୍ତି । ମାତ୍ର କିଛି କ୍ଷେତ୍ରରେ ଏହା ମୂତ୍ର ମାର୍ଗକୁ ବ୍ଲକ କରିଦେଇଥାନ୍ତି । ଫଳରେ ଅସହ୍ୟ ଯନ୍ତ୍ରଣା, ରକ୍ତ ପରୀସ୍ରା ଓ ବାନ୍ତି ପରି ସମସ୍ୟା ସୃଷ୍ଟି ହୋଇଥାଏ ।

କିଡନୀ ଷ୍ଟୋନ ଧୀରେଧୀରେ ହୋଇଥାଏ ଓ ଏହା ଆମର ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ମଧ୍ୟ ହୋଇଥାଏ । ଯଦି ସମୟ ପୂର୍ବରୁ ସଠିକ ମାତ୍ରାରେ ପାଣି ପିଇବେ, ସନ୍ତୁଳିତ ଭୋଜନ ନେବେ ଓ ଶରୀରର ଆବଶ୍ୟକତାକୁ ଧ୍ୟାନରେ ରଖିବେ, ତେବେ ଏହି ସମସ୍ୟାକୁ ଦୂରେଇହେବ । କିଛି ଛୋଟ ଛୋଟ ଅଭ୍ୟାସକୁ ଆମେ ଧ୍ୟାନରେ ରଖିନଥାଉ । ଫଳରେ ଆମକୁ କିଡନୀ ଷ୍ଟୋନ ପରି ଗମ୍ଭୀର ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ।

ଏହିସବୁ କାରଣ ପାଇଁ କିଡନୀରେ ଷ୍ଟୋନ ସୃଷ୍ଟି ହୋଇଥାଏ….

ପାଣି କମ୍ ପିଇବା: ଶରୀରକୁ ଡିଟକ୍ସ ରଖିବା ଓ ମୂତ୍ରକୁ ପତଳା ରଖିବା ପାଇଁ ପର୍ଯ୍ୟାପ୍ତ ପାଣିର ଆବଶ୍ୟକତା ରହିଥାଏ । ମାତ୍ର କମ୍ ପାଣି ସେବନ ଫଳରେ ୟୁରିନ ଗାଢ଼ା ହୋଇଥାଏ ଓ ପଥର ସୃଷ୍ଟି ହେବାର ସମ୍ଭାବନା ବଢ଼ିଯାଇଥାଏ ।

ଅଧିକ ନମକିନ ଖାଦ୍ୟ ଖାଇବା: ଅତ୍ୟଧିକ ନମକିନ ଖାଦ୍ୟ ସେବନ କରିବା ଫଳରେ ଶରୀରରେ ସୋଡିୟମର ମାତ୍ରା ବଢ଼ିଯାଇଥାଏ । ଫଳରେ ୟୁରିନରେ ଅଧିକ କ୍ୟାଲସିୟମ ନିର୍ଗତ ହୋଇଥାଏ । ଏହା ପଥର ସୃଷ୍ଟିରେ ସହାୟତା କରିଥାଏ ।

ଅଧିକ ଅକ୍ସାଲେଟ ଯୁକ୍ତ ଖାଦ୍ୟ ସେବନ: ପାଲକ, ଚା’, ଚକୋଲେଟ, ବୀଟ ମୂଳ ପରି ଅଧିକ ଅକ୍ସାଲେଟ ଯୁକ୍ତ ଜିନିଷ ଖାଇବା ଫଳରେ ୟୁରିନରେ ଅକ୍ସାଲେଟର ମାତ୍ରା ବଢ଼ିଯାଇଥା । ଏହା କ୍ୟାଲସିୟମ ସହ ମିଶି ପଥର ସୃଷ୍ଟି କରିଥାଏ ।

ଅଧିକ ମାତ୍ରାରେ ପ୍ରୋଟିନ ନେବା: ଅଧିକ ମାତ୍ରାରେ ପ୍ରୋଟିନ ନେବା ଯେପରିକି, ରେଟ ମିଟ, ଅଣ୍ଡା, ପ୍ରୋସେସଡ ଫୁଡସ ଆଦି ୟୁରିକ ଏସିଡର ମାତ୍ରାକୁ ବଢ଼ାଇଥାଏ । ଏହା ୟୁରିନକୁ ଅଧିକ ଅମ୍ଲୀୟ କରିଦେବା ଫଳରେ ପଥର ହେବାର ସମ୍ଭାବନା ବଢ଼ିଯାଇଥାଏ ।

ପରିସ୍ରାକୁ ରୋକିବା: ପରିସ୍ରାକୁ ରୋକି ରଖିବା ଫଳରେ ୟୁରିନ ଟ୍ରାକ୍ଟରେ ଖଣିଜ ଜମିଥାଏ ଓ କିଡନୀରେ ପଥର ସୃଷ୍ଟି ପ୍ରକ୍ରିୟା ବଢ଼ିଯାଇଥାଏ ।

ଛଅଟି ସମୋସା ବଦଳାଇ ଦେଲା କେସର ଦିଗ: ଏହି ଲାଞ୍ଚ ନେଇ ଭୁଲ୍ ରିପୋର୍ଟ ପ୍ରସ୍ତୁତ କଲେ ଯାଞ୍ଚ ଅଧିକାରୀ

ଲକ୍ଷ୍ନୌ: ଅନେକ ସମୟରେ କିଛି ସରକାରୀ ଅଧିକାରୀ କିଛି ଟଙ୍କା ଲାଞ୍ଚ ନେଇ ଧରାପଡ଼ି ଜେଲ ଯାଇଥାନ୍ତି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶରୁ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଜଣେ ଅଧିକାରୀ ଟଙ୍କା ନୁହେଁ, ବରଂ କିଛି ସମୋସା ଲାଞ୍ଚ ନେଇଥିଲେ । ଅଧିକାରୀଙ୍କୁ ଏହି ସମୋସା ଖାଇବାକୁ ଦେବା ପରେ କେସର ଦିଗ ବଦଳି ଯାଇଥିଲା । ଏକ ଦୁଷ୍କର୍ମ ମାମଲାର ଯାଞ୍ଚ ପାଇଁ ପହଞ୍ଚିଥିବା ଅଧିକାରୀ ଛଅଟି ସମୋସା ଲାଞ୍ଚ ନେଇ ଅନ୍ତିମ ରିପୋର୍ଟ ଦାଖଲ କରିଥିବା ଅଭିଯୋଗ ହୋଇଛି । ଅଧିକାରୀ ଜଣଙ୍କ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିନଥିଲେ ଓ ପୀଡ଼ିତାଙ୍କ ବୟାନକୁ ମଧ୍ୟ ଅଣଦେଖା କରିଥିଲେ ।

ଜଣେ ୧୪ ବର୍ଷୀୟା ଯୁବତୀଙ୍କ ଦୁଷ୍କର୍ମ ମାମଲାରେ ପୋଲିସର କାର୍ଯ୍ୟପ୍ରଣାଳୀକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାଞ୍ଚ ଅଧିକାରୀ ଜଣଙ୍କ ଛଅଟି ସମୋସା ଲାଞ୍ଚ ନେଇ ମାମଲାର ଅନ୍ତିମ ରିପୋର୍ଟ ଦାଖଲ କରିଥିଲେ । ତାହାକୁ ବିଶେଷ ନ୍ୟାୟାଧୀଶ ପକ୍ସୋ ଆକ୍ଟ ରଦ୍ଦ କରିଦେଇଥିଲେ । ଜଲେସର ଥାନା ଅଞ୍ଚଳରେ ଏହି ମାମଲା ଘଟିଛି । ଘଟଣାଟି ୨୦୧୯ ମସିହା ଏପ୍ରିଲ ୧ରେ ଘଟିଥିଲା । ପୀଡ଼ିତାଙ୍କ ପିତା ଅଦାଲତରେ କହିଛନ୍ତି, ଅଭିଯୁକ୍ତଙ୍କ ସମୋସା ଦୋକାନ ରହିଛି । ଯାଞ୍ଚ ଅଧିକାରୀ ସେଠାକୁ ଯାଇ କେବଳ ଛଅଟି ସମୋସା ନେଇଥିଲେ ଓ କେସର ଯାଞ୍ଚରେ ଲାପରବାହୀ ଦେଖାଇ ଭୁଲ୍ ରିପୋର୍ଟ ପ୍ରସ୍ତୁତ କରିଥିଲେ । ପୋଲିସ ଦ୍ବାରା ଦାଖଲ କରାଯାଇଥିବା ଅନ୍ତିମ ରିପୋର୍ଟକୁ ଅଦାଲତ ରଦ୍ଦ କରିଦେଇଥିଲେ ।

ରଥଯାତ୍ରାରେ ସେବକ ଭାବେ ଦାୟିତ୍ୱ ସମ୍ପାଦନା କରୁଛି ଆଦାନୀ ଗ୍ରୁପ

ପୁରୀ: ରଥଯାତ୍ରାରେ ଆଦାନୀ ଗ୍ରୁପ ସେବାର ଅପୂର୍ବ ନମୁନା ପ୍ରଦର୍ଶନ କରିଛନ୍ତି। ବିଶ୍ୱର ଧନୀ ବ୍ୟକ୍ତି ଭାବେ ଜଣାଶୁଣା ଗୌତମ ଆଦାନୀ ଓ ଆଦାନୀ ଗ୍ରୁପ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଜୀବନରେ ସିଧାସଳଖ ସେବକ ଭାବେ ଉଭା ହୋଇଛନ୍ତି। ସେବା ହିଁ ସାଧନା ରେ ବିଶ୍ୱାସ ରଖୁଥିବା ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ପୁରୀ ରଥଯାତ୍ରାରେ ୨୬ ତାରିଖରୁ ଜୁଲାଇ ଆଠ ତାରିଖ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ଅଧିକାରୀଙ୍କୁ ମଧ୍ୟ ସେବା ଯୋଗାଇ ଦେବାର କାର୍ଯ୍ୟରେ ନିୟୋଜିତ। ଏହି କ୍ରମରେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ୪୦ ଲକ୍ଷ ପ୍ରସାଦ ବଣ୍ଟନ ସହିତ ପାନୀୟ ମାଗଣାରେ ଯୋଗାଇ ଦିଆଯାଉଛି। ସେହିପରି ସହରରେ ଫୁଡ଼ କାଉଣ୍ଟର ସହ ସ୍ଵଛ ଓ ଗୁଣାତ୍ମକ ଖାଦ୍ୟ ଓ ଗରମରୁ ସୁରକ୍ଷା ଦେବା ପାଇଁ ଥଣ୍ଡା ପାନୀୟ ଉଭୟ ଭକ୍ତ ଓ ଅଫିସିଆଲ ମାନଙ୍କୁ ଯୋଗାଇ ଦିଆଯାଉଛି। ସେହିପରି ସମୁଦ୍ର ବେଳାଭୂମିରେ ଲାଇଫଗାର୍ଡଙ୍କୁ ସହାୟତା ଦେବା ସହ ମନୋବଳ ବଢାଇବାକୁ ଆଦାନୀ ଗ୍ରୁପ ଉଦ୍ୟମ କରିଛି। ସେହିପରି ବେଳାଭୂମିରୁ ପ୍ଲାଷ୍ଟିକ ସଫା କରିବା ସହ ପ୍ଲାଷ୍ଟିକ ବର୍ଯ୍ୟକୁ ସଫା କରିବା କାର୍ଯ୍ୟ କରୁଛନ୍ତି। ସେହିପରି ପୌର କର୍ମଚାରୀ ଓ ଅନ୍ୟ ଅଫିସିଆଲ ଓ ଭକ୍ତ ମାନଙ୍କୁ ଜ୍ୟାକେଟ, ରେନକୋଟ, ଟୋପି ଓ ଛତା ଆଦି ଯୋଗାଇଦେଇଛି ଆଦାନୀ ଗ୍ରୁପ। ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଖୁସି ବ୍ୟକ୍ତ କରିବା ସହ ଆଦାନୀ ଗ୍ରୁପର ସେବା ମନୋଭାବକୁ ପ୍ରଶଂସା କରିଛନ୍ତି।

ପୁରୀ ଜିଲ୍ଲା ପ୍ରଶାସନ, ଇସ୍କନ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ସହ ହାତ ମିଳାଇ ପୁରୀରେ ସେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ଆଦାନୀ ଗ୍ରୁପ। ଆଦାନୀ ଫାଉଣ୍ଡେସନ ମାଧ୍ୟମରେ ଓଡ଼ିଶାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା, ବିଦ୍ୟାଳୟ ଭିତ୍ତିଭୂମି, ଜୀବନଜୀବିକା ପାଇଁ କାର୍ଯ୍ୟ କରି ଆସୁଥିବା ଆଦାନୀ ଗ୍ରୁପ ଏବେ ଆଧ୍ୟାତ୍ମିକ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛି। ୪୫ ଦିନିଆ ମହାକୁମ୍ଭ ମେଳାରେ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ବଣ୍ଟନ ସହ ଅନ୍ୟାନ୍ୟ ସେବା ଯୋଗାଇଥିଲେ। ଏହି ସେବାରେ ଗୌତମ ଆଦାନୀ ନିଜେ ସାମିଲ ହୋଇଥିବା ବେଳେ ପୁରୀରେ ମଧ୍ୟ ସେବାରେ ସାମିଲ ହୋଇଛନ୍ତି। ଯାହାକି ଗ୍ରୁପର ସେବା ମନୋଭାବକୁ ଏକ ସାଇଡ଼ଲାଇନ ଆକ୍ଟିଭିଟି ନୁହେଁ ବରଂ ଏକ ପ୍ରମୁଖ ଦାୟିତ୍ୱର ଭୂମିକା ବୋଲି ଦର୍ଶାଇଛି। ଏସବୁକୁ ନେଇ ସବୁ ବର୍ଗ ଆଦାନୀ ଗ୍ରୁପର ଉଦ୍ୟମ ଓ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ରଥଯାତ୍ରାରେ ଏହି ସେବା ପ୍ରଦାନ କରିବାକୁ ଆଦାନୀ ଗ୍ରୁପ ଲମ୍ବା ସମୟ ପୂର୍ବରୁ ଅନ୍ୟାନ୍ୟ ସହଯୋଗୀ ମାନଙ୍କ ସହ ଯୋଜନା କରିଥିଲେ। ଗ୍ରୁପର ସ୍ୱେଚ୍ଛାସେବୀଙ୍କ ସମେତ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ସାମିଲ କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇ ଦିଆଯାଉଛି। ପ୍ରୟାଗରାଜ ହେଉ କିମ୍ବା ପୁରୀ ଆଦାନୀ ଗ୍ରୁପ ଦ୍ୱାରା ସେବାର ଏହି ନିଦର୍ଶନ ଆଧୁନିକ ଭାରତର ବ୍ୟବସାୟ କିଭଳି ଦେଶର ଆଧ୍ୟାତ୍ମିକ ପରମ୍ପରା କିଭଳି ହାତରେ ହାତ ଧରି ଚାଲିପାରିବେ ତାର ଉଦାହରଣ ସୃଷ୍ଟି କରିଛି।

 

ବାଲେଶ୍ବର ବନ୍ୟା: ବିପଦ ସଂକେତ ଉପରେ ପ୍ରବାହିତ ସୁବର୍ଣ୍ଣରେଖା

ବାଲେଶ୍ୱର: ଉତ୍ତର ବାଲେଶ୍ୱରରେ ଲାଗି ରହିଛି ବନ୍ୟା ସ୍ଥିତି। ବିପଦ ସଂକେତ ଉପରେ ପ୍ରବାହିତ ସୁବର୍ଣ୍ଣରେଖା। ସୁବର୍ଣ୍ଣରେଖା ନଦୀର ବିପଦ ସଂକେତ ରାଜଘାଟ ଠାରେ ୧୦.୩୬ ମିଟର ଥିବାବେଳେ ସକାଳ ୯ଟାରେ ୧୦.୭୧ ମିଟରରେ ପ୍ରବାହିତ ହେଉଛି। ଜଳକାରେ ବିପଦ ସଙ୍କେତ ୬. ୫ ମିଟର ଥିବାବେଳେ ୬.୪୮ ମିଟରରେ ଜଳ ପ୍ରବାହିତ ହେଉଛି। ଜାମଶୋଲାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବାବେଳେ ୪୯.୮ ମିଟରରେ ପ୍ରବାହିତ ହେଉଛି। ଏବେବି ୩୦ରୁ ଅଧିକ ପଞ୍ଚାୟତ ପାଣି ଘେରରେ ରହିଛନ୍ତି । ସୁବର୍ଣ୍ଣରେଖାର ବନ୍ୟା ଜଳ ପାଇଁ ଜଳେଶ୍ଵର, ବସ୍ତା, ବାଲିଆପାଳ, ଭୋଗରାଇ, ରେମୁଣା, ସଦର ବ୍ଳକର ୪୬ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଗାଁ ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଚାଷ ଜମି ଜଳମଗ୍ନ ହୋଇଛି ।  ଚାରିଆଡେ ସୃଷ୍ଟି ହୋଇଛି ନଦୀର ଭ୍ରମ । ଗାଲୁଡି ବ୍ୟାରେଜର ଗେଟ ଖୋଲିବା ଫଳରେ ନଦୀରେ ବନ୍ୟା ପାଣି ଆସି ଉତ୍ତର ବାଲେଶ୍ବରକୁ ଜଳମଗ୍ନ କରିଚି । ଉପରେ ମୁଣ୍ଡରେ ଅଧିକ ବର୍ଷାରେ ଭୟାବହ ସ୍ଥିତି ଉପୁଜିବାର ଆଶଙ୍କା କରାଯାଇଛି । ସେପଟେ ବୁଢାବଳଙ୍ଗ ନଦୀର ବନ୍ୟା ଜଳ ବି କିଛି ଅଞ୍ଚଳରେ ପ୍ରବେଶ କରିଛି । ଜିଲ୍ଲାରେ ପ୍ରାୟ ୩ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସବୁ ସ୍ଥାନରେ ଓଡ୍ରାଫର ୪  ଓ ଅଗ୍ନିଶମ ବିଭାଗର ୮ ଟି ଟିମ ମୁତୟନ ରହିଛନ୍ତି । ବିଛିନ୍ନ ଅଞ୍ଚଳକୁ SRC ବୋଟ ମାଧ୍ୟମରେ ଲୋକଙ୍କୁ ଯିବା ଆସିବା ସୁବିଧା ଯୋଗାଇ ଦିଆଯାଉଛି। ଏଥିସହିତ ୨୪ ଘଣ୍ଟିଆ ଜରୁରୀକାଳୀନ ନମ୍ବର ଜାରି କରାଯିବା ସହିତ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ ଦାୟିତ୍ୱ ଦେଇଛନ୍ତି ଜିଲ୍ଲାପାଳ।…