ନନ୍ଦିଘୋଷ ବ୍ୟୁରୋ : ଭାରତ ମହାସାଗରରେ ପୁଣି ଆମେରିକାର ଦାଦାଗିରି। କାରିବିୟାନ ଅଞ୍ଚଳରୁ ଆସୁଥିବା ଏକ ତୈଳ ଟ୍ୟାଙ୍କରକୁ ନିଜ କବଜାକୁ ନେଇଛି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ଏହାକୁ ଜବତ କରାଯାଇଛି। ଦେଶର ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛି ଡିପାର୍ଟମେଣ୍ଟ ଅଫ ୱାର। ବେଆଇନ ଭାବେ ଭାରତ ମହାସାଗରରେ ପ୍ରବେଶ କରୁଥିବା ତୈଳ ଟ୍ୟାଙ୍କରଗୁଡିକୁ ଜବତ କରାଯିବ ବୋଲି ଗତ ଡିସେମ୍ବରରେ ଧମକ ଦେଇଥିଲେ ଟ୍ରମ୍ପ। ଭେନେଜୁଏଲାର ତତକାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ଏହି ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ। ତୈଳ ଟ୍ୟାଙ୍କରଟି ପାନାମାର ଭେରୋନିକା-୩ ହୋଇଥିବା ଜଣାଯାଇଛି। ଭାରତ ମହାସାଗରର ମଧ୍ୟଭାଗରେ ତଥା ଇଣ୍ଡୋନେସିଆରେ ଦକ୍ଷିଣ ଦିଗରେ ଟ୍ୟାଙ୍କରଟି ଯଉଥିବାବେଳେ ତାହାକୁ ଜବତ କରାଯାଇଥିଲା। ଗତ ସପ୍ତାହରେ ବି ଆଉ ଏକ ତୈଳ ଟ୍ୟାଙ୍କରକୁ ଜବତ କରିଥିଲା ଆମେରିକା।
ଅଧାରେ ଅଟକିଛି ଭିକ୍ଷୁକ ମୁକ୍ତ କଟକ ଅଭିଯାନ, ଫେଲ ମାରିଛି CMCର ଥଇଥାନ ନୀତି
ଅଧାରେ ଅଟକିଛି ଭିକ୍ଷୁକ ମୁକ୍ତ କଟକ ଅଭିଯାନ, ଫେଲ ମାରିଛି CMCର ଥଇଥାନ ନୀତି
ନନ୍ଦିଘୋଷ ବ୍ୟୁରୋ: କଟକରେ ଦିନକୁ ଦିନ ବୃଦ୍ଧି ପାଉଛି ଭିକ୍ଷୁକ ସଂଖ୍ୟା । ସମସ୍ତ ଧାର୍ମିକ ସ୍ଥଳ ଓ ସର୍ବସାଧାରଣ ସ୍ଥାନରୁ ଭିକ୍ଷୁକଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖିଥିଲା କଟକ ମହାନଗର ନିଗମ । କିନ୍ତୁ ଦୁଇ ବର୍ଷ ହେଲା ଭିକ୍ଷୁକ ଚିହ୍ନଟ ପ୍ରକ୍ରିୟା ବନ୍ଦ ଥିବାରୁ ଏହି ଲକ୍ଷ୍ୟ ପୂରଣ ହୋଇପାରୁନି । ଯାହାକୁ ନେଇ ସାଧାରଣରେ ପ୍ରକାଶ ପାଇଛି ଅସନ୍ତୋଷ ।
ଅଧାରେ ଅଟକିଛି ଭିକ୍ଷୁକ ମୁକ୍ତ କଟକ ଅଭିଯାନ । ଫେଲ ମାରିଛି ସିଏମସିର ଭିକ୍ଷୁକ ଥଇଥାନ ନୀତି । ବହୁ ଉଦ୍ୟମ ପରେ ବି ସଫଳ ହେଉନି ପ୍ରୟାସ । କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ଗୋଷ୍ଠୀଙ୍କ ଅସହଯୋଗ ମୁଖ୍ୟ କାରଣ । କଟକ ସହରକୁ ଭିକ୍ଷୁକ ମୁକ୍ତ କରିବା ନିମନ୍ତେ ସିଏମସି ପକ୍ଷରୁ ଆରମ୍ଭ ହୋଇଥିଲା ଯୋଜନା । ସବୁ ଧାର୍ମିକ ତଥା ସର୍ବସାଧାରଣ ସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ମୁଖ୍ୟ ସ୍ରୋତରେ ସାମିଲ କରାଯିବାକୁ ଲକ୍ଷ୍ୟ ରହିଥିଲା । ଏଥିପାଇଁ ବିଭିନ୍ନ ବେସରକାରୀ ସଂସ୍ଥାଙ୍କୁ ଦାୟିତ୍ଵ ମଧ୍ଯ ଦିଆଯାଇଥିଲା । କିନ୍ତୁ ଗତ ଦୁଇବର୍ଷ ଧରି ସହରରେ ଭିକ୍ଷୁକ ଚିହ୍ନଟ ପ୍ରକ୍ରିୟା ବନ୍ଦ ରହିଛି । ଫଳରେ ବିଭିନ୍ନ ମନ୍ଦିର ଓ ସର୍ବସାଧାରଣ ସ୍ଥାନରେ ଭିକ୍ଷୁକ ସଂଖ୍ୟା ବୃଦ୍ଧି ପାଉଥିବା ସହରବାସୀ ଅଭିଯୋଗ କରିଛନ୍ତି ।
କଟକ ମହାନଗର ନିଗମ ପକ୍ଷରୁ ଭିକ୍ଷୁକଙ୍କ ପାଇଁ ସହରରେ ତିଆରି ହୋଇଛି ୩ଟି ପୁନର୍ବାସ କେନ୍ଦ୍ର । ଜଗତପୁରଠାରେ ମହିଳା ଏବଂ ଶିଶୁମାନଙ୍କ ପାଇଁ କେନ୍ଦ୍ର ଥିବାବେଳେ ୪୨ ମୌଜାର ବେଣ୍ଟକାର ଓ କଟକ ସଦର ଭାଣପୁରଠାରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଆନନ୍ଦାଳୟ ବନ୍ଦାଳୟ ଖୋଲା ଯାଇଛି । ପୂର୍ବରୁ ପ୍ରତି ଦୁଇ ସପ୍ତାହରେ ୩ ଥର ଭିକ୍ଷୁକଙ୍କୁ ଚିହ୍ନଟ କରାଯାଇ ଆନନ୍ଦାଳୟକୁ ଅଣାଯାଇ ସେମାନଙ୍କୁ ଖାଦ୍ୟ ପାନୀୟ ଓ ରହଣି ଖର୍ଚ୍ଚ ଯୋଗାଇ ଦେଉଥିଲେ ସରକାର । କିନ୍ତୁ କାର୍ଯ୍ଯାନୁଷ୍ଠାନ ଓ ଦାୟିତ୍ବରେ ଥିବା ଗୋଷ୍ଠୀର ଆନ୍ତରିକତା ଅଭାବରୁ ଏହା କାର୍ଯ୍ଯକ୍ଷମ ହୋଇ ପାରୁ ନଥିବା କହିଛନ୍ତି ମେୟର ।
ବାରରେ ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ, ମ୍ୟାନେଜର ଅଟକ
ବାରରେ ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ, ମ୍ୟାନେଜର ଅଟକ
ନନ୍ଦିଘୋଷ ବ୍ୟୁରୋ: ଜନପଥର ଜନଗହଳିପୂର୍ଣ୍ଣ ସ୍ଥାନରେ ନିୟମକୁ ଜଳାଞ୍ଜଳି । ରାତି ଅଧରେ ଛାତି ଥରାଇ ଦେଇ ବାଜୁଥିଲା ଡିଜେ । ଖବର ପାଇ ଅତର୍କିତ ଚଢ଼ାଉ କଲା ଅବକାରୀ ବିଭାଗ । ମହଙ୍ଗା ପଡ଼ିଲା ଷ୍ଟ୍ରାଇକିଂ ଟିମକୁ ମରଣାନ୍ତକ ଆକ୍ରମଣ । ପ୍ରେମ ନିଶା ସାଙ୍ଗକୁ ମଦ ନିଶା। ଭାଲେଣ୍ଟାଇନ ଡେ’ ସେଲିବ୍ରେସନ କରିବା ସହ ଯୁବପୀଢ଼ିଙ୍କୁ ନିଶାର ଆସର ଦେଇ ମତୁଆଲା କରିଥିଲା OD O2 ବାର । କିନ୍ତୁ ଭୁଲିଯାଇଥିଲା ସମୟ ସୀମା । ରାତି ସାଢେ ୨ଟା ପର୍ଯ୍ୟନ୍ତ ଡିଜେ ସାଙ୍ଗକୁ ଚାଲିଥିଲା ମଦର ଆସର । କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଖୋଦ ରାଜଧାନୀ ଭୁବନେଶ୍ବର ଖାରବେଳନଗର ଥାନାଠାରୁ ମାତ୍ର ୨ ଶହ ମିଟର ଦୂରରେ ଥିବା ଏହି ବାର ସମସ୍ତ ନିୟମ କାନୁନର ଉଡାଇଥିଲା ଧଜ୍ଜିଆ । ଖବର ପାଇ ପହଞ୍ଚିଥିଲା ଅବକାରୀ ବିଭାଗ । ଯାଞ୍ଚ ସମୟରେ ଅବକାରୀ ବିଭାଗର ଷ୍ଟ୍ରାଇକିଂ ଟିମକୁ ରୋକିବାକୁ ଚେଷ୍ଟା କରିଥିଲେ ବାର କର୍ତ୍ତୃପକ୍ଷ । ଡିଜେ ବନ୍ଦ କରିବା ବଦଳରେ ଓଲଟା ଅବକାରୀ ବିଭାଗର ଅଫିସରଙ୍କୁ ଆକ୍ରମଣ କରିଥିଲେ ।
ଅବକାରୀ ସୁପରିଟେନଣ୍ଡେଣ୍ଟଙ୍କୁ ‘ହୁ ଆର ୟୁ’ କହିବା ସହ ପୋଲିସ ଉପସ୍ଥିତିରେ ଠେଲାପେଲା କରିଥିଲେ । ବାଉନସର ମଧ୍ୟ ନିଜ ସୀମା ଭୁଲିଯାଇ ବାହୁବଳ ଦେଖାଇଥିଲେ । ଏପରିକି ଅଫିସରଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାଇ ନଥିଲେ । ଖାରବେଳନଗର ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ବାର ମ୍ୟାନେଜର ଅବିନାଶ ସାହୁଙ୍କୁ ଅଟକ ରଖିଛି । ଅସ୍ଥାୟୀ ଭାବେ ବାରକୁ ସିଲ କରାଯାଇଛି । ଲାଇସେନ୍ସ ରଦ୍ଦ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ସିସିଟିଭି ହାର୍ଡଡିସ୍କ ମଧ୍ୟ ଜବତ କରାଯାଇଥିବା କହିଛନ୍ତି ଅବକାରୀ ସୁପରିନଟେଣ୍ଡେଣ୍ଟ ।
ଅଧିକାଂଶ ବାର ଓ ପବ୍ ଗୁଡିକ ରାତି ତମାମ ଖୋଲୁଛି । ଖବର ମିଳିଲେ ଆକ୍ସନ ନିଆଯାଉଛି । କିନ୍ତୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନହେବାରୁ ରାତି ବଢ଼ିଲେ ନିଶା ମାଫିଆଙ୍କ ତାତି ବଢୁଥିବା ଦେଖାଯାଇଛି ।
ମହାଶିବରାତ୍ରିରେ ଅଘଟଣ: ଦୀପ ନିଆଁରେ ଦୁଇ ମହିଳା ଗୁରୁତର
ମହାଶିବରାତ୍ରିରେ ଅଘଟଣ: ଦୀପ ନିଆଁରେ ଦୁଇ ମହିଳା ଗୁରୁତର
ନନ୍ଦିଘୋଷ ବ୍ୟୁରୋ: ମହାଶିବରାତ୍ରିକୁ ନେଇ ସବୁଠି ଉତ୍ସାହର ମାହୋଲ । ଶୈବପୀଠରେ ଦୀପ ଜାଳି ଶ୍ରଦ୍ଧାଳୁ ଭୋଳେନାଥଙ୍କୁ ନିଜର ଭକ୍ତି ଜଣାଉଛନ୍ତି । ଆଉ ଏହାରି ଭିତରେ ବାଲେଶ୍ବର ଓ ଆନନ୍ଦପୁରରୁ ଦୁଇଟି ଅଘଟଣ ଖବର ଆସିଛି । ଉଭୟ ସ୍ଥାନରେ ଦୀପ ନିଆଁରୁ ଦୁଇ ଜଣ ମହିଳା ଆହତ ହୋଇଥିବା ଜଣାପଡିଛି ।
ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଗଣ୍ଡିବେଡ ଗାଁର ଭଗବାନ ବେହେରାଙ୍କ ପତ୍ନୀ ରଞ୍ଜୁସ୍ମିତା ବେହେରା ଦୀପ ନିଆଁରେ ଆହତ ହୋଇଛନ୍ତି । ସେ ଗ୍ରାମର ଥିବା ଲଙ୍କେଶ୍ୱର ମହାଦେବଙ୍କ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ । ସେଠାରେ ଦୀପ ଜାଳିବା ବେଳେ ପୂର୍ବରୁ ଜଳୁଥିବା ଦୀପରୁ ତାଙ୍କ ଶାଢ଼ୀରେ ନିଆଁ ଲାଗି ଯାଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବାଲେଶ୍ୱର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସେହିପରି କେଉଁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋରେ ମଧ୍ୟ ଜଣେ ମହିଳା ଦୀପ ନିଆଁରେ ଆହତ ହୋଇଛନ୍ତି । ମହିଳା ଜଣଙ୍କ ଶିବରାତ୍ରି ଅବସରରେ ବଟେଶ୍ବର ମହାଦେବ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ । ସେଠାରେ ଦୀପରୁ ନିଆଁ ତାଙ୍କ ଶାଢ଼ୀରେ ଲାଗି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଠାକୁର ଦର୍ଶନ ସମୟରେ ଅସାବଧାନତାରୁ ଦୀପ ନିଆଁ ତାଙ୍କ ଶାଢ଼ିରେ ଲାଗିଯାଇଥିଲା ।

