spot_img
Home Blog Page 582

କାନାଡାରେ କମେଡିଆନ କପିଲ ଶର୍ମାଙ୍କ କାପସ୍ କାଫେ ଉପରକୁ ଗୁଳିମାଡ

ନନ୍ଦିଘୋଷ ବ୍ୟୁରୋ : କାନାଡାରେ କମେଡିଆନ କପିଲ ଶର୍ମାଙ୍କ କାପସ୍ କାଫେ ଉପରେ ଗୁଳିମାଡ। ବ୍ରିଟିଶ କଲମ୍ବିଆ ଅନ୍ତର୍ଗତ ସୁରେରେ ଚାଲିଥିବା କାଫେ ଉପରେ ଦୁର୍ବୃତ୍ତ କରିଛନ୍ତି ଗୁଳିମାଡ। ଗୁଳିକାଣ୍ଡ ଲାଗି ନିଜକୁ ଦାୟୀ କରିଛନ୍ତି ଖଲିସ୍ତାନୀ ଆତଙ୍କବାଦୀ ହରଜିତ ସିଂ ଲାଡି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା NIA ତାଲିକାରେ ମୋଷ୍ଟ ୱାଣ୍ଟେଡ ଅଛନ୍ତି ହରଜିତ ସିଂ ଲାଡି। ସେ ନିଷିଦ୍ଧ ଘୋଷିତ ବାବର ଖାଲସା ଇଣ୍ଟରନ୍ୟାସନାଲ ସହ ଜଡ଼ିତ ଅଛନ୍ତି। କପିଲ ଶର୍ମାଙ୍କ ଏକ ମନ୍ତବ୍ୟକୁ ନେଇ ଏହି ଗୁଳିମାଡ କରିଥିବା କହିଛନ୍ତି ଲାଡି। ଦୁର୍ବୃତ୍ତମାନେ ଏକ କାରରେ ଆସି ଗୁଳିମାଡ଼ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ। କାଫେ ଉପରକୁ ୧୨ଟି ବୁଲେଟ ଫାୟାରିଂ ହୋଇଥିବା କୁହାଯାଇଛି।

ଚତୁର୍ଥ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ,ଜାରି ରହିଛି ଷ୍ଟିଅରିଂ ଛାଡ଼ ଧର୍ମଘଟ

ନନ୍ଧିଘୋଷ ବ୍ୟୁରୋ : ଚତୁର୍ଥ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ନିଜ ଜିଦରେ ସେମାନେ ଅଟଳ ରହିଛନ୍ତି । ଦାବି ପୂରଣ ନ ହେବା ଯାଏ, ଧର୍ମଘଟ ଜାରି ରହିବ ବୋଲି ସଫା ସଫା ଶୁଣାଇ ଦେଇଛି ସଂଘ। କୌଣସି ଯାତ୍ରୀବାହୀ ଗାଡ଼ି ଚାଲୁନି କି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇପାରୁ ନାହିଁ । ସରକାର ଓ ଡ୍ରାଇଭରଙ୍କ ମଧ୍ୟରେ କିଛି ନୂଆ ଆଲୋଚନା ହୋଇ ନାହିଁ କିମ୍ଵା ସମାଧାନର ବାଟ ବାହାରି ପାରିନାହିଁ। ଆଗରୁ ପରିବହନ ମନ୍ତ୍ରୀ କହିଥିଲେ ଯେ, ଡ୍ରାଇଭର ସଙ୍ଘ ସଦସ୍ୟଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା ହୋଇଛି। ସେମାନଙ୍କ ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ । ଏହା ସତ୍ତ୍ଵେ ସେମିତି କିଛି ଠୋସ୍ ଘୋଷଣା ଏ ଯାଏ କରାଯାଇ ନାହିଁ। ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇପାରୁନଥିବାରୁ ଦରଦାମ ବଢ଼ିବାର ଆଶଙ୍କା ଦେଖା ଦେଲାଣି। ପେଟ୍ରୋଲ ଡିଜେଲ ବି ସରି ଯାଇପାରେ।

ଆଜି ଆସୁଛନ୍ତି ରାହୁଲ ଗାନ୍ଧି,ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ନନ୍ଦିଘୋଷ ବ୍ୟୁରୋ : ଆଜି ଆସୁଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ତାଙ୍କୁ ଅପେକ୍ଷା କରିଛି ଭୁବନେଶ୍ଵରର ବରମୁଣ୍ଡା ପଡ଼ିଆ। ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ସମସ୍ତଙ୍କୁ ଉଦବୋଧନ ଦେବେ ରାହୁଲ ଗାନ୍ଧି। ଏହା ସହିତ କଂଗ୍ରେସ ଶିିବିରରେ ଜୋସ୍ ଭରିବେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ ଦେବେ ବୁଷ୍ଟର ଡୋଜ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। କଂଗ୍ରେସ କର୍ମୀମାନେ ଧୀରେ ଧୀରେ ଆସିବାରେ ଲାଗିଲେଣି। ସଭାସ୍ଥଳରେ ଗହଳି ଚହଳି ଆରମ୍ଭ ହୋଇଗଲାଣି। ରାହୁଲ ଗାନ୍ଧି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ବରମୁଣ୍ଡା ପଡ଼ିଆକୁ ଆସିବେ। ୧୨ଟାରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଉଦବୋଧନ ଦେବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ବି ତାଙ୍କ ସହିତ ଆସୁଛନ୍ତି। ହାଇପ୍ରୋଫାଇଲ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ଉତ୍ସାହ। ସଭାକୁ ସଫଳ କରିବାକୁ ଦିନରାତି ଏକ କରି ଦେଇଛନ୍ତି ସମସ୍ତେ। ସମାବେଶ ସ୍ଥଳରୁ କଂଗ୍ରେସ ଭବନ ଯାଏ ରାହୁଲଙ୍କ କାର୍ଯ୍ୟକ୍ରମ କିପରି ସଫଳ ହେବ ସେନେଇ ଅଣ୍ଟା ଭିଡିଛନ୍ତି କର୍ମୀ ଓ ନେତା। ବରମୁଣ୍ଡା ସମାବେଶ କରିବା ପରେ କଂଗ୍ରେସ ଭବନରେ ରାହୁଲ ଗାନ୍ଧି ଦଳର ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବେ।

ବିଜେପି ବିଧାୟକଙ୍କ ପ୍ରତି ସରକାରଙ୍କ ଉଦାସୀନ ମନୋଭାବ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କୁ ନେଇ ସରକାରଙ୍କ ଉଦାସୀନ ମନୋଭାବ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ମହିଳା ବିଜୁ ଜନତା ଦଳ । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଚରିତ୍ରକୁ ନେଇ ସନ୍ତୋଷ ଦେଇଥିବା ବିବାଦୀୟ ବୟାନକୁ ନେଇ ବିଜେପି କି ପୋଲିସ କେହି ବି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଏହା ବିରୋଧରେ ବିରାଟ ପଟୁଆରେ ଆସି ମହିଳା ବିଜେଡି ପକ୍ଷରୁ ସନ୍ତୋଷଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସନ୍ତୋଷଙ୍କ ଗିରଫଦାରୀ ସହ ବିଜେପିରୁ ବହିଷ୍କାର ଦାବି କରିଛି ବିଜେଡି ।

ଗଣମାଧ୍ୟମ ଆଗରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଚରିତ୍ର ସଂହାର କଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଏହା ବିରୋଧରେ ମହିଳା ଥାନାରୁ ଆରମ୍ଭ କରି ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି । ବିଭିନ୍ନ ସ୍ଥାନରେ ପ୍ରତିବାଦ ବି ହେଲା । ଜାତୀୟ ଗଣମାଧ୍ୟମରେ ବିଜେପି ବିଧାୟକଙ୍କ ଏହି ଆଚରଣକୁ ନିନ୍ଦା କରାଗଲା । ହେଲେ ବିଧାୟକ ସନ୍ତୋଷ ଖଟୁଆଙ୍କ ଏଥିପ୍ରତି ଖାତିର ନାହିଁ । କାରଣ ପୋଲିସ କି ବିଜେପି, କେହି ବି ସନ୍ତୋଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଏହା ବିରୋଧରେ ଆଜି ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇଥିଲା ମହିଳା ବିଜୁ ଜନତା ଦଳ । ଦଳର ବରିଷ୍ଠ ନେତ୍ରୀ ଓ କର୍ମୀମାନେ ବିରାଟ ପଟୁଆରେ ସରକାର ଓ ବିଜେପି ବିଧାୟକଙ୍କ ବିରୋଧରେ ନାରାବାଜି କରିଥିଲେ । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ବିଜେଡି ପକ୍ଷରୁ ବିରୋଧ ଶୋଭାଯାତ୍ରା କରାଯାଇଥିଲା । ଶେଷରେ ମାଷ୍ଟର କ୍ୟାଣ୍ଟିନ ଛକରେ ସନ୍ତୋଷଙ୍କ କୁଶପୁତ୍ତଳିକା ଜାଳି ପ୍ରତିବାଦକୁ ଆହୁରି ଶାଣିତ କରିଥିଲା ବିଜେଡି । ସନ୍ତୋଷଙ୍କୁ ଗିରିଫ କରିବା ସହ ବିଧାୟକ ଓ ବିଜେପି ସଦସ୍ୟତାରୁ ବହିଷ୍କାର ନ କରାଗଲେ, ଆଗାମୀ ଦିନରେ ପୁରପଲ୍ଲୀରେ ଆନ୍ଦୋଳନ କରିବାକୁ ବିଜେଡି ଚେତାବନୀ ଦେଇଛି । ସେପଟେ ନିଜ ସୁରକ୍ଷା ନେଇ ପୋଲିସର ଦ୍ବାରସ୍ଥ ହୋଇଥିବା ଲେଖାଶ୍ରୀଙ୍କୁ ନେଇ ବି ଦେଖା ଦେଇଛି ପ୍ରଶାସନିକ ଉଦାସୀନତା । ବିଜେପିରେ ଥିବା ମହିଳାଙ୍କ ପ୍ରତି ବି ଦଳ ଓ ପ୍ରଶାସନର ଏପରି ଆଚରଣ ରହିବ କି ବୋଲି ପ୍ରଶ୍ନ କରିଛି ବିଜେଡି ।

ସନ୍ତୋଷ ଖଟୁଆଙ୍କ ବିରୋଧରେ ବିଜେଡି ମହିଳା ଥାନାରେ ବି ଏତଲା ଦେଇଛି । ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ସେହିପରି ରାଜ୍ୟ ମହିଳା କମିଶନଙ୍କ ଅଫିସରେ ବି ବିଜେଡି ଫେରାଦ ହୋଇଥିଲା । ହେଲେ ସରକାରଙ୍କୁ ବର୍ଷେ ପୂରିବା ପରେ ବି ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି ହୋଇ ପାରିଲା ନାହିଁ । ସରକାରୀ ଦଳ ଛତ୍ରଛାୟାରେ ଥିବାରୁ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ନିଜକୁ ଆଇନ ଉପରେ ବୋଲି ଭାବୁଥିବା ବିଜେଡି ଅଭିଯୋଗ କରିଛି । ଏହି ସମ୍ବେଦନଶୀଳ ଘଟଣାରେ ସରକାରଙ୍କ ଏକତରଫା ମନୋଭାବ ଯୋଗୁଁ ନ୍ୟାୟର ଆଶା ରଖି ପାରିନି ବିଜେଡି ।

ବିଜେପି ସରକାର ଆସିବାର ପ୍ରଥମ ଆଠ ମାସରେ ନାରୀ ବିରୋଧୀ ଅପରାଧ ପିକରେ ଥିଲା । ଏହି ସମୟ ଭିତରେ ୧୮ ହଜାର ୧ଟି ମହିଳା ବିରୋଧୀ ମାମଲା ରିପୋର୍ଟ ହୋଇଥିଲା । ଯଦି ସେ ସମୟରେ ସରକାର ତଦନ୍ତକୁ ଦିଗହରା କରି ନଥାନ୍ତେ, ଏହି ତାଲିକା ବଢି ନଥାନ୍ତା କି ବିଜେପି ବିଧାୟକ ବି ମହିଳାଙ୍କୁ ଅପମାନ କରିବାର ସାହସ କରି ପାରି ନଥାନ୍ତେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଡ୍ରାଇଭର ଆନ୍ଦୋଳନ ରାଜନୀତି: କଂଗ୍ରେସର ଅଭିଯୋଗ, ରାହୁଲଙ୍କ ଗସ୍ତକୁ ଭଣ୍ଡୁର କରିବାକୁ ଷଡଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ଡ୍ରାଇଭର ଆନ୍ଦୋଳନକୁ ନେଇ ସରକାର କୌଣସି ସମାଧାନର ପନ୍ଥା ବାହାର କରୁନାହାଁନ୍ତି । ଏହାକୁ ନେଇ ବର୍ଷିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାରଙ୍କ ଏହା ଷଡଯନ୍ତ୍ର । ଜାଣିଶୁଣି ଡ୍ରାଇଭର ମହାସଂଘର ଦାବି ପୂରଣ କରୁନାହାନ୍ତି ସରକାର । ଡ୍ରାଇଭର ସଂଘ ବିଜେପି ସରକାରର ଷଡଯନ୍ତ୍ରର ଶିକାର ନହେବାକୁ ଅପିଲ କରିଛନ୍ତି ଭକ୍ତ ।

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ସମ୍ବିଧାନ ବଞ୍ଚାଅ ଆନ୍ଦୋଳନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବ । ଏନେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଯୋଗଦେବେ । ହେଲେ ଡ୍ରାଇଭରଙ୍କ ଦାବି ପୂରଣ ନକରି କଂଗ୍ରେସର ସଭାକୁ ଲୋକ କେମିତି ନଆସିବେ ସେ ନେଇ ବିଜେପି ସରକାର ଷଡଯନ୍ତ୍ର କରୁଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ଭକ୍ତ । ତେଣୁ ଆଜି ସଂଧ୍ୟା ସୁଦ୍ଧା ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବାକୁ କହିଛନ୍ତି ଭକ୍ତ ।

ଏହାସହ ଡ୍ରାଇଭର ସଙ୍ଘକୁ ପିସିସି ସଭାପତି ଭକ୍ତ ଦାସ ଅପିଲ କରିଛନ୍ତି । ଆସନ୍ତାକାଲି ଡ୍ରାଇଭର ସଂଘ ଆନ୍ଦୋଳନ କରନ୍ତୁ, କିନ୍ତୁ କଂଗ୍ରେସ ସମାବେଶକୁ ଆସୁଥିବା ଗାଡ଼ିକୁ ଡ୍ରାଇଭର ସଙ୍ଘ ଛାଡ଼ୁ । ୩ ଦିନ ହେବ ଆମେ ଡ୍ରାଇଭର ସଙ୍ଘର ଦାବିକୁ ସମର୍ଥନ କରୁଛୁ । ସେମାନେ ବିଜେପି ଷଡଯନ୍ତ୍ରର ଶିକାର ନହୋଇ କଂଗ୍ରେସକୁ ସହଯୋଗ କରନ୍ତୁ । ଡ୍ରାଇଭର ସଂଘ ଆମକୁ ସହଯୋଗ କଲେ, ଆମେ ତାଙ୍କ ପାଇଁ ଲଢ଼େଇ ଜୋରଦାର କରିବୁ ବୋଲି କହିଛନ୍ତି ଭକ୍ତ ।

ସେହିପରି ଡ୍ରାଇଭର ଆନ୍ଦୋଳନକୁ ସମର୍ଥନ ଜଣାଇ ଆସୁଥିବା ବିରୋଧୀ ବିଜେଡି ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିରୋଧୀରେ ଥିବା ବେଳେ ମୋହନ ମାଝୀ ଡ୍ରାଇଭରଙ୍କ ଆନ୍ଦୋଳନକୁ ସମର୍ଥନ କରି ସେମାନଙ୍କ ଦାବିକୁ ଯଥାର୍ଥ କହୁଥିଲେ । ଏବେ ସରକାରକୁ ଆସିଲେ । ସେମାନଙ୍କ ଦାବି ପୂରଣ କରନ୍ତୁ । ଯାହା ବିରୋଧୀରେ ଥିବାବେଳେ କହିଥିଲେ, ତାହା ପୂରଣ କରନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ସେପଟେ ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି । ସରକାରଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି ବିରୋଧୀ । କଂଗ୍ରେସ ଏବେ ଯାଏଁ ଡ୍ରାଇଭର ମହାସଂଘକୁ ଆନ୍ଦୋଳନରୁ ଓହରିବାକୁ ଥରେ ହେଲେ ଅପିଲ କରିନାହିଁ । କଂଗ୍ରେସ କରୁଥିବା ଅଭିଯୋଗର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।

ଡ୍ରାଇଭରଙ୍କ ଆନ୍ଦୋଳନ: ପରିବହନ ସେବା ଠପ, କିଛି ସ୍ଥାନରେ ସରିଲାଣି ପଟ୍ରୋଲ-ଡିଜେଲ

ନନ୍ଦିଘୋଷ ବ୍ୟୁରୋ: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ସାରା ରାଜ୍ୟରେ ପରିବହନ ସେବା ଠପ । କିଛି ଜରୁରୀ ସେବା ଜାରି ରହିଥିଲେ ବି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । କେଉଁଠି ଇନ୍ଧନ ଗ୍ୟାସ ପହଞ୍ଚିପାରୁନି, ତ କେଉଁଠି ରାସ୍ତାରେ ତେଲ ଗାଡି ଲାଇନ ଲଗାଇ ଛିଡା ହୋଇଛନ୍ତି । ଯଦିଓ କିଛି ଅଞ୍ଚଳରେ ପୋଲିସ କର୍ଡନ ଭିତରେ ତେଲ ଗାଡି ଯାଉଛି, କିନ୍ତୁ ସବୁ ଜିଲ୍ଲାରେ ସ୍ଥିତି ସମାନ ନୁହେଁ । କନ୍ଧମାଳ ଭଳି ଅନ୍ୟ କିଛି ଜିଲ୍ଲାରେ ପେଟ୍ରୋଲ ପମ୍ପରୁ ତେଲ ସରି ଗଲାଣି । ସେହିଭଳି ଆଉ କିଛି ସ୍ଥାନରେ ଡ୍ରାଇଭରମାନେ ଟ୍ୟାଙ୍କର ଡ୍ରାଇଭରଙ୍କୁ ରାସ୍ତାରେ ଦଣ୍ଡବତ ହୋଇ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ।

ଡ୍ରାଇଭର ଆନ୍ଦୋଳନ ଯୋଗୁଁ ୧୦ କିଲୋମିଟର ଦୂର ଡାକ୍ତରଖାନାକୁ ଚାଲି ଚାଲି ଗଲେ ୯୫ ବର୍ଷର ବୃଦ୍ଧା । ସେପଟେ ବରମୁଣ୍ଡା ବସଷ୍ଟାଣ୍ଡରେ ପଡିଛନ୍ତି ଦୂରଦୂରାନ୍ତକୁ ଯିବାକୁ ଆସିଥିବା ଯାତ୍ରୀ । ତିନି ଦିନ ଧରି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ସାରା ରାଜ୍ୟରେ ଦେଖିବାକୁ ମିଳୁଛି ଏମିତି ବିକଳ ଚିତ୍ର । ୯୫ ବର୍ଷ ବୟସର ବୃଦ୍ଧା କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ୧୦ କିଲୋମିଟର ଚାଲି ଚାଲି ଯାଇ ପହଞ୍ଚିଛନ୍ତି ଡାକ୍ତରଖାନାରେ । ଏହି ବୃଦ୍ଧା ଜଣକ ନୂଆପଡ଼ା ସିନାପାଲି ବ୍ଲକ ସିଙ୍ଗଝର ସିକାବାହାଲ ଗାଁର ମଙ୍ଗଳବାରୀ ମହରା । କୁକୁର କାମୁଡ଼ା ଇଞ୍ଜେକ୍ସନ ନେବାକୁ ସେ ତାଙ୍କ ପୁଅ ସହ ଦୀର୍ଘ ୧୦ କିଲୋମିଟର ଦୂର ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚାଲିଚାଲି ଯାଇଥିଲେ । ସେହିଭଳି ଦୂରଦୂରାନ୍ତକୁ ବସ ଗଡୁ ନଥିବାରୁ ସବୁଠି ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ବସି ରହିଛନ୍ତି । ସେପଟେ ସରକାର ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଜିଦ ଧରି ବସିଛି ଡ୍ରାଇଭର ମହାସଂଘ ।

ଚକ ଅଖ ବନ୍ଦ ହୋଇଥିବାରୁ କେଉଁଠି ଇନ୍ଧନ ଗ୍ୟାସର ଅଭାବ ତ କେଉଁଠି ପେଟ୍ରୋଲ ମିଳୁନି । ଡିପୋରୁ ତେଲ ଗାଡି ଯାଇ ପାରୁ ନଥିବାରୁ କନ୍ଧମାଳ ଭଳି ଉପାନ୍ତ ଜିଲ୍ଲାରେ ବନ୍ଦ ହୋଇଛି ପେଟ୍ରୋଲ ଟାଙ୍କି । ପାରାଦୀପ ଅଏଲ ଟର୍ମିନାଲରେ ପାଖାପାଖି ହଜାରେରୁ ଅଧିକ ଟ୍ୟାଙ୍କର ଏବେ ବି ରାସ୍ତା କଡ଼ରେ ଛିଡା ହୋଇଛି । ସେହିଭଳି ଜଟଣୀ ଛଣଘର କୁସୁମାଟିରେ ଥିବା ରନ୍ଧନ ଗ୍ୟାସ  ଡିପୋରୁ ବି ବାହାରି ପାରୁନି ଗାଡି । ଦିନେ ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅନ୍ୟପଟେ ଭୟଭୀତ ନହେବାକୁ ଲୋକଙ୍କୁ ଅପିଲ କରିଛି ପେଟ୍ରୋଲ ଡିଜେଲ ଡିଲର ସଂଘ ।

ଡ୍ରାଇଭରଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିଜେଡି ଓ କଂଗ୍ରେସ । ଯାଜପୁର କଳିଙ୍ଗନଗରରେ ଆନ୍ଦୋଳନରତ ଡ୍ରାଇଭରଙ୍କ ପାଖରେ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇ । ସେହିପରି ପାଣିକୋଇଲିରେ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ସମର୍ଥନ ଜଣାଇଛନ୍ତି ବିଜେଡି ନେତା ଭବ ପ୍ରସାଦ ଦାସ ।

କିଛି ସ୍ଥାନରେ ଟ୍ୟାଙ୍କରକୁ ପୋଲିସ ପ୍ରୋଟେକ୍ସନ ମିଳୁଥିବା ବେଳେ, କିଛି ଅଞ୍ଚଳରେ ଟ୍ୟାଙ୍କର ଡ୍ରାଇଭରଙ୍କୁ ଦଣ୍ଡବତ ହୋଇ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ଵାନ କରୁଛନ୍ତି ଆନ୍ଦୋଳନରତ ଡ୍ରାଇଭର ।

୧୨ ତାରିଖରେ ଓଡ଼ିଶା ଫେରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୨ ତାରିଖରେ ମୁମ୍ଵାଇରୁ ଫେରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିନ ୧୨ଟାରେ ଭୁବନେଶ୍ଵର ଏୟାରପୋର୍ଟରେ ଆସି ପହଞ୍ଚିବେ । ଗତ ଜୁନ ୨୦ ତାରିଖରେ ମୁମ୍ଵାଇ ଯାଇଥିଲେ ନବୀନ । କୋକିଳାବେନ-ଧୀରୁ ଭାଇ ଅମ୍ଵାନୀ ହସ୍ପିଟାଲକୁ ସର୍ଭାଇକାଲ ଆର୍ଥ୍ରାଇଟିସ୍ ଅପରେସନ କରାଇବାକୁ ଯାଇଥିଲେ । ଗତ ୨୨ ତାରିଖରେ ହୋଇଥିଲା ଅପରେସନ । ନବୀନ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଗତ ୭ ତାରିଖରେ ହସ୍ପିଟାଲରୁ ନବୀନ ଡିସଚାର୍ଜ ହୋଇଥିଲେ ।

ବିକାଶ ମେଳାରେ ପ୍ରୋଜେକ୍ଟ ସଖୀ ମାଧ୍ୟମରେ କଳାହାଣ୍ଡିର ମହିଳା ସଶକ୍ତିକରଣ ପ୍ରଦର୍ଶନ କଲା ବେଦାନ୍ତ ଆଲୁମିନିୟମ

ନନ୍ଦିଘୋଷ ବ୍ୟୁରୋ: ବିକାଶ ମେଳା ୨୦୨୫ରେ କଳାହାଣ୍ଡିର ମହିଳାଙ୍କ ନେତୃତ୍ୱାଧୀନ ଉଦ୍ୟୋଗ ଗୁଡ଼ିକର ଭୂମିକା ପ୍ରଦର୍ଶନ କଲା ବେଦାନ୍ତ ଆଲୁମିନିୟମ । କମ୍ପାନୀ ଏହାର ପ୍ରମୁଖ ମହିଳା ସଶକ୍ତିକରଣ ପଦକ୍ଷେପ ‘ପ୍ରୋଜେକ୍ଟ ସଖୀ’ରୁ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିଥିଲା । ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗୀ ମନୋଭାବକୁ ପାଳନ କରି କଳାହାଣ୍ଡିର ବିକାଶକୁ ପ୍ରୋତ୍ସାହନ ଦେଇଛି ।

ମହିଳାଙ୍କ ନେତୃତ୍ୱରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମିତ ହସ୍ତ ନିର୍ମିତ ଉତ୍ପାଦଗୁଡ଼ିକର ପ୍ରଦର୍ଶନ ମାଧ୍ୟମରେ, କମ୍ପାନୀର ଷ୍ଟଲଟି କଳାହାଣ୍ଡି ଜିଲ୍ଲା ମାଜିଷ୍ଟ୍ରେଟ ପାୱାର ସଚିନ, ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ORMAS), ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା (ITDA), ଜିଲ୍ଲା ଯୋଜନା ଓ ମନିଟରିଂ ୟୁନିଟ୍ (DPMU)ର ବରିଷ୍ଠ ପ୍ରତିନିଧିଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ବ୍ୟାପକ ପ୍ରଶଂସା ପାଇଥିଲା । ପରିଦର୍ଶକମାନେ ପ୍ରଦର୍ଶିତ ଉତ୍ପାଦ ଗୁଡ଼ିକର ଉଚ୍ଚ-ମାନ, ସୃଜନଶୀଳତା ଓ ବଜାର ଉପଯୋଗିତାକୁ ପ୍ରଶଂସା କରିଥିଲେ । ସେଗୁଡ଼ିକୁ ଏହି ଅଞ୍ଚଳରେ ଗ୍ରାମୀଣ ଉଦ୍ୟୋଗ ଓ ମହିଳାଙ୍କ ନେତୃତ୍ୱରେ ସୂକ୍ଷ୍ମ ଅର୍ଥନୀତିକୁ ପୋଷଣ କରିବାରେ ବେଦାନ୍ତର ନିରନ୍ତର ପ୍ରୟାସର ପ୍ରମାଣ ଭାବରେ ସ୍ୱୀକାର କରିଥିଲେ ।

ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘କଳାହାଣ୍ଡିର ବିକାଶ ମହିଳାଙ୍କ ସଶକ୍ତିକରଣ ସହିତ ଆନ୍ତରିକ ଭାବରେ ଜଡିତ । ବେଦାନ୍ତ ଆଲୁମିନିୟମରେ, ଆମେ ବିଶ୍ୱାସ କରୁ ଯେ ମହିଳାମାନେ ଅନ୍ତର୍ଭୁକ୍ତ ଅଭିବୃଦ୍ଧିର ମୂଳଦୁଆ । ପ୍ରୋଜେକ୍ଟ ସଖୀ ମାଧ୍ୟମରେ, ଆମେ ସେମାନଙ୍କୁ ଆତ୍ମନିର୍ଭରଶୀଳ ଉଦ୍ୟୋଗୀ ଓ ସାମାଜିକ-ଆର୍ଥିକ ପରିବର୍ତ୍ତନର ସକ୍ରିୟ ଭାଗିଦାରୀ ହେବାକୁ ସକ୍ଷମ କରୁଛୁ ।’

ବିକାଶ ମେଳାରେ ପ୍ରୋଜେକ୍ଟ ସଖୀର ଉପସ୍ଥିତି ଗ୍ରାମୀଣ ମହିଳାମାନଙ୍କୁ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବା, ନୂତନ ବଜାର ସଂଯୋଗ ସ୍ଥାପନ କରିବା ଏବଂ ବ୍ୟାପକ ଦର୍ଶକଙ୍କ ସମ୍ମୁଖରେ ସେମାନଙ୍କର ଉଦ୍ୟୋଗୀ ପ୍ରୟାସକୁ ବୃଦ୍ଧି କରିବା ପାଇଁ ଏକ ମୂଲ୍ୟବାନ ପ୍ଲାଟଫର୍ମ ପ୍ରଦାନ କରିଥିଲା । ଏହା ସ୍ଥାୟୀ ଜୀବିକା, ସ୍ୱାସ୍ଥ୍ୟସେବା, ଶିକ୍ଷା, ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡା ଏବଂ ସଂସ୍କୃତିରେ କେନ୍ଦ୍ରିତ ହସ୍ତକ୍ଷେପ ମାଧ୍ୟମରେ କଳାହାଣ୍ଡିକୁ ପରିବର୍ତ୍ତନ କରିବାର ବେଦାନ୍ତର ବ୍ୟାପକ ଦୃଷ୍ଟିକୋଣ ସହିତ ନିରନ୍ତର ସମନ୍ୱୟ ରକ୍ଷା କରେ, ଯାହାଦ୍ୱାରା ଏହି ଅଞ୍ଚଳର ଭବିଷ୍ୟତକୁ ପୁନଃ ନିର୍ମାଣ କରିଥାଏ ।

୨୦୧୬ରେ ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ସଖୀ କଳାହାଣ୍ଡି ଜିଲ୍ଲାରେ ମହିଳା ବିକାଶର ଏକ ମୂଳଦୁଆ ଭାବରେ ନିଜର ସ୍ଥିତି ବଜାୟ ରଖିଛି । ଏହା ୪,୭୦୧ ସ୍ୱୟଂ ସହାୟକ ଗୋଷ୍ଠୀରେ ୪,୯୦୦ରୁ ଅଧିକ ମହିଳାଙ୍କୁ ସହାୟତା କରୁଛି । କୃଷି ଓ ଅଣ-କୃଷିକ୍ଷେତ୍ରରେ ବ୍ୟାପକ ତାଲିମ, ନେତୃତ୍ୱ ପରାମର୍ଶ ଓ ବଜାର ପ୍ରବେଶ ପ୍ରଦାନ କରି ସ୍ଥାୟୀ ଜୀବିକା ନିର୍ମାଣ ଏବଂ ଆର୍ଥିକ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରୁଛି । ବେଦାନ୍ତ ଆଲୁମିନିୟମ ପରିବର୍ତ୍ତନର ଏକ ଉତପେରକ ଭାବେ ଏହାର ଭୂମିକା ନିଭାଇବା ସହ ସମ୍ପ୍ରଦାୟକୁ ସଶକ୍ତ କରିବା ଓ ଗ୍ରାମୀଣ ମହିଳାଙ୍କ ଅନ୍ତର୍ନିହିତ ବିକାଶ ଏବଂ ଆକାଂକ୍ଷାକୁ ପୋଷଣ କରିବା ପାଇଁ ପ୍ରତିବଦ୍ଧ ।

କାନାଡ଼ାରେ କପିଲ ଶର୍ମାଙ୍କ କାଫେ ଉପରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ୧୨ ରାଉଣ୍ଡ ଫାୟରିଂ

ନନ୍ଦିଘୋଷ ବ୍ୟୁରୋ: କାନାଡାର ସରେ ସହରରେ ଥିବା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କପସ୍ କାଫେରେ ଗୁଳିକାଣ୍ଡ । ଏକ କାରରେ ଦୁର୍ବୃତ୍ତମାନେ ଆସି ୧୦ରୁ ୧୨ ରାଉଣ୍ଡ ଗୁଳି ଚଲାଇଥିବା ଭିଡିଓ ହେଉଛି ଭାଇରାଲ । ଭିଡିଓରେ ଦେଖିବାକୁ ମିଳୁଛି, ଆକ୍ରମଣକାରୀ କାରରେ ଥାଇ ଏକ ବନ୍ଧୁକ ବାହାର କରିବା ପରେ ଗୁଳି ମାଡ଼ କରୁଛି । ତେବେ ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।

ଖାଲିସ୍ତାନୀ ଆତଙ୍କବାଦୀ କାଣ୍ଡ ଭିଆଇ ଥିବା କହିଲା

କପିଲଙ୍କ କାଫେ ଉପରେ ହୋଇଥିବା ଆକ୍ରମଣର ଦାୟିତ୍ବ ନିଜ ମୁଣ୍ଡକୁ ନେଇଛି ଖାଲିସ୍ତାନୀ ଆତଙ୍କବାଦୀ ହରଜିତ ସିଂହ ଲଡ୍ଡି । ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ରହିଛି ହରିଜିତ । ସେ ବବ୍ବର ଖାଲସା ଇଣ୍ଟରନ୍ୟାଶନାଲ (ବିକେଆଇ) ସହ ଜଡିତ । ମିଳିଥିବା ସୂଚନା ଅନୁସାରେ, କପିଲ ଶର୍ମାଙ୍କ କୌଣସି ପୁରୁଣା ବୟାନକୁ ନେଇ ଏହି ଆକ୍ରମଣ କରାଯାଇଥିବା ହରଜିତ କହିଛି । ତେବେ ଏହା ସ୍ପଷ୍ଟ ହୋଇନାହିଁ କପିଲ ଶର୍ମାଙ୍କ କାଫେ ସିଧା ଟାର୍ଗେଟ ଥିଲା କି କେବଳ ଧମକ ଦେବାକୁ ଏମିତି କରାଯାଇଛି ।

କାରରେ ଆସିଥିଲେ ଆକ୍ରମଣକାରୀ

ସୂଚନାଯୋଗ୍ୟ, ଗତ ରାତିରେ କପିଲ ଶର୍ମାଙ୍କ କପସ୍ କାଫେରେ ଫାୟରିଂ ହୋଇଥିଲା । ନିକଟରେ କପିଲ ଏହାର ଉଦଘାଟନ କରିଥିଲେ । ଏହାକୁ କପିଲଙ୍କ ପ୍ରଥମ ଇଣ୍ଟର ନ୍ୟାସନାଲ ରେଷ୍ଟୁରାଣ୍ଟ ପ୍ରୋଜେକ୍ଟ କୁହାଯାଉଛି । ଖବର ପାଇବା ପରେ ପୋଲିସ ଓ ଫରେନସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଆକ୍ରମଣକାରୀ ଏକ କାରରେ ଆସି ଫାଏରିଂ କରିଥିଲେ ।

ହୋଟେଲରେ ବାପ-ଝିଅ ପରିଚୟରେ ଲୁଚିଥିଲେ ଧର୍ମାନ୍ତରିକରଣ ମାଷ୍ଟରମାଇଣ୍ଡ ଛଙ୍ଗୁର ବାବା ଏବଂ ନସରିନ

ନନ୍ଦିଘୋଷ ବ୍ୟୁରୋ: ଧର୍ମାନ୍ତରିକରଣ ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଜମାଲୁଦ୍ଦିନ ଓରଫ ଛଙ୍ଗୁର ବାବା ଗିରଫ । ତାଙ୍କ ସହ ନସରିନ ମଧ୍ୟ ଗିରଫ । ତେବେ ଉଭୟଙ୍କୁ ଲକ୍ଷ୍ନୌର ଯେଉଁ ହୋଟେଲରୁ ଗିରଫ କରାଯାଇଛି, ସେଠିକାର ମ୍ୟାନେଜର ଆଶ୍ଚର୍ଯ୍ୟ କରି ଦେବା ଭଳି କିଛି କହିଛନ୍ତି । ମ୍ୟାନେଜରଙ୍କ ଅନୁସାରେ ଛଙ୍ଗୁର ବାବା ଏବଂ ତାଙ୍କ ସହଯୋଗୀ ନୀତୁ ରୋହରା ଓରଫ ନସରିନ ଏକାଠି ବିକାଶ ନଗର ଅଞ୍ଚଳରେ ଥିବା ଏହି ହୋଟେଲରେ ରହିଥିଲେ । ସେମାନେ ନିଜକୁ ବାପା ଓ ଝିଅର ପରିଚୟ ଦେଇ ଏପ୍ରିଲ ୧୬ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ସେଠାରେ ରହିଥିଲେ । ୫ ତାରିଖ ଦିନ ହିଁ ଉଭୟଙ୍କୁ ହୋଟେଲରୁ ଗିରଫ କରାଯାଇଥିଲା ।

ମ୍ୟାନେଜରଙ୍କ ଅନୁସାରେ, ଏପ୍ରିଲ ୧୬ ତାରିଖରେ ଛଙ୍ଗୁର ବାବା ଆସି ୧୦୨ ନମ୍ବର ରୁମ୍ ବୁକ କରିଥିଲେ । ପ୍ରଥମେ ୪ ଦିନ ପାଇଁ ଉଭୟ ରୁମ୍ ବୁକ୍ କରିଥିଲେ । ପରେ ଏକ ସପ୍ତାହ ପାଇଁ ବୁକ୍ କରିଥିଲେ । ଏହା ପରେ ୧୦/୧୦ ଦିନ କରି ବୁକିଂ ବଢ଼ାଇଥିଲେ । ଏହି ସମୟରେ ନସରିନ କେବଳ ଖାଇବାକୁ ନେବାକୁ ରୁମରୁ ବାହାରୁ ଥିଲେ । ସେମାନେ କାହାସହ ଭେଟ କରୁ ନଥିଲେ ।

ତେବେ ଜୁଲାଇ ୩ ତାରିଖରେ ସେମାନେ ୧୦୨ ନମ୍ବର ରୁମରୁ ୧୦୪ ନମ୍ବର ରୁମକୁ ସିଫ୍ଟ ହୋଇଥିଲେ । ହେଲେ ୫ ତାରିଖରେ ୟୁପି ଏଟିଏସ ଉଭୟଙ୍କୁ ଗିରଫ କରିଥିଲା । ଗିରଫ ପରେ ଉଭୟଙ୍କ ବିଷୟରେ ଆମେ ଜାଣିବାକୁ ପାଇଥିଲୁ ।

ଏବେ ଆସନ୍ତୁ ଜାଣିବା ଛିଙ୍ଗୁର ବାବା ଏବଂ ନସରିନ କିଏ ?

ତାମିଲନାଡୁ ବାସିନ୍ଦା ନିତୁ ବୋହରା ବିବାହ ପରେ ମୁମ୍ବାଇ ଚାଲି ଯାଇଥିଲେ । ସେଠାରେ ସେ ସ୍ବାମୀ ନବୀନ ବୋହରାଙ୍କ ସହ ରହୁଥିଲେ । ଦୀର୍ଘ ବର୍ଷ ଧରି ଉଭୟଙ୍କ କୌଣସି ପିଲା ହୋଇ ନଥିଲା । ଏହି ସମୟରେ କେହି ଜଣେ ପୀର ବାବା କହି ସେମାନଙ୍କ ଭେଟ ଛଙ୍ଗୁର ବାବାଙ୍କ ସହ କରାଇ ଥିଲେ । ପରେ ନୀତୁ ବାବାଙ୍କ ଜାଲରେ ଫସି ଯାଇଥିଲେ । ଏହାପାରେ ଛଙ୍ଗୁର ବାବା ନୀତୁଙ୍କ ଧର୍ମ ପରିବର୍ତ୍ତନ କରାଇ ନସରିନ କରି ଦେଇଥିଲେ । ଏହାପରେ ତାଙ୍କ ସ୍ବାମୀଙ୍କର ବି ଧର୍ମ ପରିବର୍ତ୍ତନ କରି ଜମାଲୁଦ୍ଦିନ କରି ଦେଇଥିଲେ । ଏହାପରେ ଉଭୟ ସ୍ବାମୀ, ସ୍ତ୍ରୀ ଛଙ୍ଗୁର ବାବାଙ୍କ ସହ ମିଶି ଧର୍ମ ପରିବର୍ତ୍ତନ ରାକେଟ ଚଲାଇ ଥିଲେ ।

ସୂଚନାଯୋଗ୍ୟ, ପୋଲିସ ଛଙ୍ଗୁର ବାବାଙ୍କ ପୁଅକୁ ବି ଗିରଫ କରିଛି । ଏବେ ତାଙ୍କ ବାକି ପରିବାରଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଚାଲିଛି । ଗତ କିଛିଦିନ ପୂର୍ବରୁ ବଳରାମପୁର ସ୍ଥିତ ତାଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା । ଏହା ନସରିନ ନାଁରେ ଥିଲା ।

ତଦନ୍ତରୁ ଜଣାପଡିଛି, ଏମାନେ ଗରିବ ଓ ଶ୍ରମିକ ଶ୍ରେଣୀର ଯୁବତୀଙ୍କୁ ନିଜ ଜାଲରେ ଫସାଇ ପୂରା ପରିବାରକୁ ଇସଲାମ ଧର୍ମରେ ପରିବର୍ତ୍ତନ କରୁଥିଲେ । ଜାତି ହିସାବରେ ଧର୍ମାନ୍ତରିକରଣ କରୁଥିବା ଯୁବତୀଙ୍କୁ ଲକ୍ଷାଧିକ ଟଙ୍କା ଦିଆଯାଉଥିଲା । ଏପରିକି ଜାତିକୁ ନେଇ କେତେ ଟଙ୍କା ଦିଆଯିବ ତାହା ପୂର୍ବରୁ ସ୍ଥିର ହୋଇ ରହିଥିଲା ।