ନନ୍ଦିଘୋଷ ବ୍ୟୁରୋ : ପୁଣି ଆମେରିକା ସହ ଇରାନର ବଢ଼ିଲା ତିକ୍ତତା। ନିଜର ୟୁରାନିୟମ ଏନରିଚମେଣ୍ଟ କାର୍ଯ୍ୟକ୍ରମ ବନ୍ଦ ହେବ ନାହିଁ ବୋଲି କହିଛି ଇରାନ। ସାନି କଟକଣା ଓ ସାମରିକ ଧମକ ପରେ ବି ମୁଣ୍ଡ ନୋଇଁବାକୁ ଚାହୁଁନି ଇରାନ। ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଚି କହିଛନ୍ତି- ନିଜ ଦେଶର ଆଣବିକ ନୀତିକୁ ବାତିଲ କରାଯିବ ନାହିଁ କିମ୍ବା କାହାର ଚାପ ଆଗରେ ତାଙ୍କ ଦେଶ ମୁଣ୍ଡ ନୁଆଁଇବ ନାହିଁ। ଏହା ସହ ଆମେରିକା ସହ କଥାବାର୍ତ୍ତାର ସଫଳତା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଆଣବିକ ପ୍ରସଙ୍ଗ ନେଇ ଓମାନରେ ହୋଇଥିବା ଆମେରିକା-ଇରାନ କଥାବାର୍ତ୍ତା ପରେ ଆରାଗାଚି କିହଛନ୍ତି- ଇରାନ ନିଜର ୟୁରାନିୟମ ଏନରିଚମେଣ୍ଟ ପ୍ରକ୍ରିୟା ଜାରି ରଖିବ। ଏହି ପ୍ରସଙ୍ଗକୁ ନେଇ କିଛି ମାସ ତଳେ ଇସ୍ରାଏଳ ସହ ମିଶି ଇରାନ ଉପରେ ହମଲା କରିଥିଲା ଆମେରିକା। ସେପଟେ ଇରାନ ବିରୋଧରେ ଆମେରିକା ଲଗାଇଥିବା ଆର୍ଥିକ କଟକଣାକୁ ହଟାଇବା ଲାଗି ଦାବି କରିଛି ଇରାନ। ଇରାନ ନିକଟରେ ଆମେରିକା ୟୁଏସଏସ ଆବ୍ରାହମ ଲିଙ୍କନ ସାମରିକ ଜାହାଜ ମୁତୟନ କରିଥିଲେ ବି ତାଙ୍କ ଦେଶ ଡରିବ ନାହିଁ ବୋଲି ସେ କହିଛନ୍ତି। ଗତ ଡିସେମ୍ବରରୁ ଆରମ୍ଭ ହୋଇଥିବା ଇରାନ ହିଂସାରେ ୨ ହଜାର ୧୧୭ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ଇରାନ କହୁଥିବାବେଳେ ମୃତ୍ୟୁ ସଖ୍ଯା ୭ ହଜାରରୁ ଅଧିକ ବୋଲି କହିଛି ଆମେରିକାର ମାନବାଧିକାର ସଂସ୍ଥା।
ଆଖୁ ଚାଷ କରି ଅଭାବୀ ବିକ୍ରିର ଶିକାର କଳାହାଣ୍ଡିର ଚାଷୀ
ଆଖୁ ଚାଷ କରି ଅଭାବୀ ବିକ୍ରିର ଶିକାର କଳାହାଣ୍ଡିର ଚାଷୀ
ନନ୍ଦିଘୋଷ ବ୍ୟୁରୋ: ଆଖୁ ଚାଷ କରି ଆଖିରୁ ଲୁହ ଗଡ଼ାଉଛି ଚାଷୀ । ଏକର ଏକର ଜମିରେ ଆଖୁ ଚାଷ କରି ଅଭାବୀ ବିକ୍ରିର ହେଉଛନ୍ତି ଶିକାର । ଆଉ ଏହା ପ୍ରଭାବରେ କଳାହାଣ୍ଡିର ଆଖୁ ଚାଷୀ ଏବେ ଛତିଶଗଡ଼ ଉପରେ ଭରସା କରିଛନ୍ତି । ଜିଲ୍ଲାର ତେଲ ନଦୀ ଅବବାହିକାରେ ଅବସ୍ଥିତ କାଙ୍କେରି, କନା ଗାଁ, ଲୁହା ଗାଁ, ଗୋଲାମୁଣ୍ଡା ଓ ଜୁନାଗଡ଼ ବ୍ଲକର ଅଧିକାଂଶ ଅଞ୍ଚଳରେ ବହୁଳ ମାତ୍ରାରେ ଆଖୁ ଚାଷ ହେଉଛି । ଚଳିତବର୍ଷ ପ୍ରାୟ ହଜାରେ ହେକ୍ଟର ଚାଷ ଜମିରେ ଆଖୁ ଚାଷ ହୋଇଛି l ହେଲେ ପ୍ରତିବର୍ଷ ଆଖୁ ଚାଷ କରି ନିରାଶ ହେଉଛନ୍ତି ଚାଷୀ । ବିକ୍ରି ପାଇଁ ସରକାରୀ ସୁବିଧା ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ ହୋଇଛି ।
ପ୍ରତିବର୍ଷ ଡିସେମ୍ବର ମାସରେ ଆଖୁ ଅମଳ ହୋଇଥାଏ । ଏହାକୁ ବିକ୍ରି କରିବା ପାଇଁ ସୁବିଧା ନ ଥିବାରୁ ଆଖୁକୁ ଘଣାରେ ପେଡ଼ି ଗୁଡ଼ ବିକ୍ରି କରୁଛନ୍ତି ଚାଷୀ l ତାହା ବି ଛତିଶଗଡର କିଛି ଦଲାଲକୁ ଶାଗ ମାଛ ଦରରେ କେଜି ପ୍ରତି ୫୦ରୁ ୬୦ଟଙ୍କା ଦରରେ ଟେକି ଦେଉଛନ୍ତି l ଫଳରେ ପରିଶ୍ରମ ତୁଳନାରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା ନଥିବା ସତ୍ତ୍ବେ ପେଟ ପାଟଣା ପାଇଁ ଆଖୁ ଚାଷକୁ ଆଦରି ନେଇଛନ୍ତି ଚାଷୀ ।
କେତେବେଳେ ଧାନ ତ କେତେବେଳେ କପା ଓ ମକା । ଏବେ ଆଖୁର ଅଭାବୀ ବିକ୍ରି ଚାଷୀଙ୍କ ଲାଗି ହୋଇଛି ବୋଝ ଉପରେ ନଳିତା ବିଡ଼ା ।
କଟନୀ ଛଟନୀ ଓ ଚାଷୀ ଶୋଷଣ ପ୍ରତିବାଦରେ ୧୬ ତାରିଖରେ ବିଜେଡିର ବିଶାଳ ଚାଷୀ ଆନ୍ଦୋଳନ
କଟନୀ ଛଟନୀ ଓ ଚାଷୀ ଶୋଷଣ ପ୍ରତିବାଦରେ ୧୬ ତାରିଖରେ ବିଜେଡିର ବିଶାଳ ଚାଷୀ ଆନ୍ଦୋଳନ
ନନ୍ଦିଘୋଷ ବ୍ୟୁରୋ: ଧାନରେ କଟନୀ ଛଟନୀ, ଚାଷୀଙ୍କୁ ଶୋଷଣ ପ୍ରତିବାଦରେ ଆଗାମୀ ୧୬ ତାରିଖରେ ଭଦ୍ରକରେ ବିଶାଳ ଚାଷୀ ଆନ୍ଦୋଳନ ଡାକରା ଦେଇଛି ବିଜେଡି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ନୂତନ ବିଜେଡି ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାଙ୍ଗଠନିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ ସାମଲ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଧାମନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ପ୍ରମୁଖଙ୍କ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ତ ନେତୃବୃନ୍ଦ ସାମିଲ ହୋଇଥିଲେ ।
ଏହି ଅବସରରେ ନୂତନ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ସଭାପତି ପରି ଗୁରୁ ଦାୟିତ୍ବ ଦେଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବ୍ୟୋମକେଶ । ଅନ୍ୟପଟେ ଜିଲ୍ଲାରେ ଚାଲିଥିବା ଚାଷୀ ଶୋଷଣ, ମିଲରଙ୍କ ମନମାନି ଓ ପ୍ରଶାସନର ନିରବତାକୁ ନେଇ ଆଗାମୀ ୧୬ରେ ଭଦ୍ରକ ବିଜେଡି ପକ୍ଷରୁ ଦଶ ହଜାର ଚାଷୀଙ୍କୁ ନେଇ ବିଶାଳ ଚାଷୀ ସମାବେଶ କରାଯିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି।
ବଡ଼ ଭାଇ ବାହାଘର ନିମନ୍ତ୍ରଣ କରିବାକୁ ଯିବା ବେଳେ ଦୁର୍ଘଟଣାରେ ସାନ ଭାଇର ମୃତ୍ୟୁ
ବଡ଼ ଭାଇ ବାହାଘର ନିମନ୍ତ୍ରଣ କରିବାକୁ ଯିବା ବେଳେ ଦୁର୍ଘଟଣାରେ ସାନ ଭାଇର ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ବଡ଼ ଭାଇର ବିବାହ ଭୋଜି ନିମନ୍ତ୍ରଣ ପାଇଁ ଯିବା ବେଳେ ଦୁର୍ଘଟଣାରେ ଚାଲିଗଲା ସାନ ଭାଇର ଜୀବନ । ଘଟଣା ବ୍ରହ୍ମପୁର ଚିକିଟି ରାସ୍ତାରେ ଘଟିଛି ।
ଜରଡ଼ା ଗାଁର ଦୁଇ ଭାଇ ଏକ ବାଇକରେ ବ୍ରହ୍ମପୁରକୁ ବିବାହ ଭୋଜି ନିମନ୍ତ୍ରଣ ପାଇଁ ଯାଉଥିଲେ । ସାନ ଭାଇ ଗାଡି ଚଳାଉ ଥିବା ବେଳେ ବଡ଼ ଭାଇ ପଛରେ ବସିଥିଲେ । ହେଲେ ଟାମଣା ଘାଟି ନିକଟରେ ଗାଡି ଏକ ଗଛକୁ ଧକ୍କା ଦେବା ପରେ ଦୁଇ ଭାଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସାନ ଭାଇକୁ ମୃତ ଘୋଷଣା କରିଥିଲେ । ଆଉ ଦୁଇ ଦିନ ପରେ ବଡ଼ ଭାଇଙ୍କ ବିବାହ ଭୋଜି ହୋଇଥାନ୍ତା ।

