spot_img
Home Blog Page 537

ଶ୍ରୀମନ୍ଦିରରେ ଆଜି ପାଳନ ହେବ ନିକୁଞ୍ଜ ଲୀଳା

ପୁରୀ: ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶ୍ରୀକୃଷ୍ଣଜନ୍ମାଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଏବଂ ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀକୃଷ୍ଣ ଲୀଳା। ଏହି କ୍ରମରେ ଆଜି ଭାଦ୍ରବ ଶୁକ୍ଳ ଦ୍ୱିତୀୟା ତିଥି ଅବସରରେ ଶ୍ରୀମନ୍ଦିରରେ ନିକୁଞ୍ଜ ଲୀଳା ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ବଢ଼ିବା ପରେ ମଦନମୋହନ ମହାଜନ ସେବକଙ୍କ ହସ୍ତରେ ରତ୍ନ ସିଂହାସନକୁ ବିଜେ ହେବେ । ସେଠାରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ପାଇ ସେଠାରୁ ନାଟ ମନ୍ଦିର ଖଟଶେଜ ଉପରେ ବିଜେ କରିବେ । ଶୀତଳ ଭୋଗ ଓ ବନ୍ଦାପନା ସମ୍ପନ୍ନ ହେବା ପରେ ହରିଚଣ୍ଡୀ ସାହିର ଆଖଡ଼ା ପକ୍ଷରୁ ନିକୁଞ୍ଜ ଲୀଳା ପ୍ରସ୍ତାବ ଆଗତ କରାଯିବ । ସେହି ଦ୍ୱାପର ଯୁଗର ଲୀଳାକୁ ସ୍ମରଣ କରାଯାଇ ଶ୍ରୀମନ୍ଦିରରେ ଏହି ଲୀଳା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ବିଭିନ୍ନ ଲୀଳା ମଧ୍ୟରେ ଏହା ଅନ୍ୟ ଏକ ଲୀଳା ଅଟେ ।

ଆଜି ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ନିକୁଞ୍ଜ ଲୀଳା ଅନୁଷ୍ଠିତ ହେବ । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରଠୁ ଶ୍ରୀମନ୍ଦିରରେ ଚାଲି ଆସୁଥିବା ଶ୍ରୀକୃଷ୍ଣ ଲୀଳା କ୍ରମରେ ଆଜି ସନ୍ଧ୍ୟା ଧୂପ ପରେ ଏହି ସ୍ୱତନ୍ତ୍ର ନିକୁଞ୍ଜ ଲୀଳା ବିଧି ପାଳନ କରାଯିବ । ଆଜି ଭାଦ୍ରବ ଶୁକ୍ଳ ଦ୍ୱିତୀୟା ତିଥିରେ ରାମକୃଷ୍ଣ ନାଟ ମଣ୍ଡପରେ ବିଜେ ହେବା ପରେ ହରଚଣ୍ଡୀ ସାହି ଲୋକେ ଏହି ସ୍ୱତନ୍ତ୍ର ନିକୁଞ୍ଜ ଲୀଳା ପ୍ରସ୍ତାବ କରିବେ । ତେବେ ପୌରାଣିକ କଥାବସ୍ତୁ ଅନୁଯାୟୀ ଶ୍ରୀକୃଷ୍ଣ କିଶୋର ଅବସ୍ଥାରେ ଗୋପଲୀଳା କରୁଥିବା ବେଳେ ଗୋପୀଙ୍କ ଭିତରେ କଂସ ଦ୍ୱାରା ପ୍ରେରିତ ଜଣେ ରାକ୍ଷସୀ ମାୟା କରି ଶ୍ରୀକୃଷ୍ଣଙ୍କୁ ମୋହିତ କରି ହରଣ ପାଇଁ ଚେଷ୍ଟା କରିଥିଲେ । ତେବେ ଶ୍ରୀକୃଷ୍ଣ ଏହା ଜାଣି ପାରି ଗୋପୀରୂପୀ ରାକ୍ଷସୀଙ୍କୁ ବଶୀଭୂତ କରି ବିଦା କରିଦେଇଥିଲେ । ଯାହାକୁ ଶ୍ରୀକୃଷ୍ଣଙ୍କ ନିକୁଞ୍ଜ ଲୀଳା ରୂପେ ବିବେଚନା କରାଯାଏ  ।ଗତକାଲି ଶ୍ରୀମନ୍ଦିରରେ ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଥିଲା ।

ଫୁଲୁଛି ବୈତରଣୀ ; ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ

ଭଦ୍ରକ : ଭଦ୍ରକ ଆଖୁଆପଦାରେ ପୁଣି ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ସକାଳ‌ ୭ଟା ସୁଦ୍ଧା ବିପଦ ସଂକେତ ଟପି ୧୮.୬୪ ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଏଠାରେ ବିପଦ ସଂଙ୍କେତ ୧୮.୩୩ ମିଟର ରହିଛି । ଉପରମୁଣ୍ଡରୁ ଖସୁଥିଵାରୁ ଆହୁରି ଜଳସ୍ତର ବଢିବା ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ସହ ଧାମନଗର ଓ ଚାନ୍ଦବାଲି ବ୍ଲକର ବନ୍ୟା ପରିସ୍ଥିତି ଉପୁଜିଛି । ଧାମନଗରର ପଧାନି, କରପଦା, ସୋହଡା, ଆନନ୍ଦପୁର, ଅର୍ଜୁନପୁର, ହସନାଵାଦ, ନଦୀଗାଁ , ବ୍ରାହ୍ମଣୀପାଳ, ବାଲିପାଟଣା ଆଦି ପଞ୍ଚାୟତରେ ୨୫ରୁ ଉର୍ଦ୍ଧ ଗାଁ ଦାଣ୍ଡ ଓ ଘରେ ବନ୍ୟାପାଣି ପସିଛି । ସେହିପରି ଵୈତରଣୀ ନଦୀର ବାମପାର୍ଶ୍ଵ ମଲିମାହାରା ଓ ଗୋୖରାଙ୍ଗ ଏସକେପ କର୍ଲଭଟର ଫାଟ ସୃଷ୍ଟି ହେବା ସହ ଘଳିଆ ପଡ଼ି ବନ୍ୟାପାଣି ଗାଁ ଆଡକୁ ମାଡି

ଅର୍ଜୁନପୁର , ହସନାଵାଦ, ପଧାନି ପଞ୍ଚାୟତ ସମେତ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ପଧାନି ପଞ୍ଚାୟତର ସଇଲୋ ଠାରେ କୋଚିଳା ନଦୀବନ୍ଧ ଧସିଯିଵାରୁ ୫ ଗାଁରେ ଵନ୍ୟାପାଣି ପସିଵା ସହ ଶହଶହ ଲୋକ ବନ୍ୟା ଘେରରେ ଫସି ରହିଛନ୍ତି । ତଳମୁଣ୍ଡରେ ଚାନ୍ଦବାଲି ବ୍ଲକର ଆରଡି ଅଞ୍ଚଳ ସହ ଓଳଗ, ନାନ୍ଦପୁର, ସୁନ୍ଦରପୁରରେ ବନ୍ୟା ସ୍ଥିତି ବଢିବା ସହ ବୋଡକ ନିକଟରେ ବୈତରଣୀ ନଦୀ କୂଳ ଲଘିଂଵାରୁ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥର ଦେଢକିମି ଯାଏଁ ୨/୩ଫୁଟ ଉଚ୍ଚରେ ଵନ୍ୟାପାଣି ପ୍ରବାହିତ ହେଉଛି । ପର୍ଯ୍ୟଟନସ୍ଥଳୀ ଆଖଣ୍ଡଳମଣି ଓ ଯାଜପୁରର ବିରଜା କ୍ଷେତ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଦୋହରା ପାଟଣା ଓ ବୋଡକ ତଳିଆ ଅଞ୍ଚଳରେ ଵନ୍ୟାପାଣି ପସିଵାରୁ ଗାଁ ଦାଣ୍ଡରେ ଲହଡ଼ି ମାରୁଛି । ୨ଟି ଵ୍ଲକର ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଗୃହପାଳିତ ପଶୁ ଗାଁ ଦାଣ୍ଡ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ।

ଓଡ଼ିଶାରେ କ୍ଷମତାକୁ ଫେରିବାକୁ କଂଗ୍ରେସର ସ୍ଵତନ୍ତ୍ର ଷ୍ଟ୍ରାଟେଜି

ଭୁବନେଶ୍ବର: ଓଡ଼ିଶାରେ କ୍ଷମତାକୁ ଫେରିବାକୁ କଂଗ୍ରେସର ସ୍ଵତନ୍ତ୍ର ଷ୍ଟ୍ରାଟେଜି । ଏଆଇସିସି ରଣନୀତି ପ୍ରସ୍ତୁତ କରି ରାଜ୍ୟ କଂଗ୍ରେସକୁ ଦେଉଛି ଟାସ୍କ । ସେହି ଟାସ୍କ ଠିକ୍ ରେ ହେଉଛି କି ନାହିଁ, ଆଉ କଣ ଦରକାର, ତାକୁ ନେଇ ଆଜି ଦିଲ୍ଲୀରେ ପର୍ଯ୍ୟବେକ୍ଷକଙ୍କର ଏକ ବୈଠକ କରିବେ ରାହୁଲ ଗାନ୍ଧି। ଏଥିରେ ଯୋଗ ଦେବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ ଲଲୁ, ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଅନ୍ୟ ବରିଷ୍ଠ ନେତା। ଆଗକୁ ଜିଲ୍ଲା ସଭାପତି ନିଯୁକ୍ତ ହେବାକୁ ଥିବା ବେଳେ ଏହାର ମାପଦଣ୍ଡ କଣ ରହିବ, ରାହୁଲ ଗାନ୍ଧି ତାହା ନିର୍ଦ୍ଧାରଣ କରିବେ।

ରାହୁଲ ଗାନ୍ଧିଙ୍କ ଫୋକସରେ ଓଡିଶା ରହିଥିବାରୁ କିଭଳି ତୃଣମୁଳ ସ୍ତରରେ ସଂଗଠନ ସୁଦୃଢ କରାଯିବ ସେନେଇ ବୈଠକରେ ଆଲୋଚନା କରାଯିବ। ଏହାକୁ ନେଇ ରାଜ୍ୟ କଂଗ୍ରେସ ବେଶ ଉତ୍ସାହିତ। ଅକ୍ଟୋବର ୨ ରୁ ଏକ ବର୍ଷ ଧରି କଂଗ୍ରେସ ରାଜ୍ୟରେ ପଦଯାତ୍ରା କରିବାର ଅଛି। ଏହାର ରଣନୀତି ମଧ୍ୟ ପ୍ରସ୍ତୁତ କରାଯିବ।

ଆଜି ସୃଷ୍ଟି ହୋଇପାରେ ଲଘୁଚାପ, ୨୮ ଯାଏଁ କାଚିବ ପ୍ରବଳ ବର୍ଷା …

ଭୁବନେଶ୍ବର: ଆଜି ସୃଷ୍ଟିହୋଇପାରେ ଆଉ ଏକ ଲଘୁଚାପ । ଏହା ପ୍ରଭାବରେ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆକଳନ କରାଯାଇଛି । ଆଜିଠାରୁ ବର୍ଷା ବଢ଼ିପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର  । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ  ।

ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲାକନଗିରି ଅଞ୍ଚଳର ଅନେକ ସ୍ଥାନକୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ  । ଏହି ସବୁ ଜିଲ୍ଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତ ସମ୍ଭାବନା ରହିଛି ।

ଡରାଉଛି ବନ୍ୟା ; ଭଦ୍ରକରେ ସ୍କୁଲ ଦୁଇଦିନ ଛୁଟି

ଭଦ୍ରକ : ବନ୍ୟା ପାଇଁ ଭଦ୍ରକ ଜିଲ୍ଲାରେ ସ୍କୁଲ ଦୁଇଦିନ ଛୁଟି । ବୈତରଣୀ ନଦୀରେ ଆସିଥିବା ବନ୍ୟାକୁ ଲକ୍ଷ୍ୟ କରି ଧାମନଗର ବ୍ଲକର କେତେକ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ବନ୍ୟା ଯୋଗୁଁ ଅନେକ ରାସ୍ତାରେ ପାଣି ପ୍ରବାହିତ ହେଉଛି । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛୁଟି ଘୋଷଣା କରାଯାଇଛି । ସୋହଡା, ପ୍ରଧାନୀ, ହସାନବାଦ, ଅର୍ଜୁନପୁର ପଞ୍ଚାୟତର ୨୫ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏସବୁ ସ୍କୁଲ ବୁଧବାର ଦିନ ଖୋଲିବ ବୋଲି ଘୋଷଣା କରାଯାଇଛି  ।

ଡରାଉଛନ୍ତି ବୈତରଣୀ ଓ ସୁବର୍ଣ୍ଣରେଖା ; ଦୁଇ ନଦୀର ବନ୍ୟାରେ ଭାସୁଛି ଉତ୍ତର ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଉପରମୁଣ୍ଡରେ ପ୍ରବଳ ବର୍ଷା । ଫଳରେ ସୁବର୍ଣ୍ଣରେଖା ବୈତରଣୀରେ ବନ୍ୟାସ୍ଥିତି । ପ୍ରଭାବିତ ହୋଇଛି ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲା । ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି ପ୍ରଶାସନ । ବାଲେଶ୍ବର ଜିଲ୍ଲା ଭୋଗରାଇ ଓ ବାଲିଆପାଳର ବହୁ ଗାଁରେ ପଶିଛି ପାଣି । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ପଞ୍ଚମଥର ବନ୍ୟା ସ୍ଥିତି ଉପୁଜିଛି । ଭଦ୍ରକଜିଲ୍ଲା ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲିର ଅନେକ ପଞ୍ଚାୟତ ପାଣି ଘେରରେ ରହିଛି । ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ମାଡ଼ି ଯାଇଛି। ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ବନ୍ୟା କ୍ଷୟକ୍ଷତିର ଆକଳନ କରିବା ସହିତ ସହାୟତା ଯୋଗାଇବାକୁ ଦାବି ହୋଇଛି ।

ସେପଟେ ଉପର ମୁଣ୍ଡରେ ବର୍ଷା ହେବା ଫଳରେ ବୈତରଣୀ ଓ ଏହାର ଶାଖା ନଦୀରେ ବନ୍ୟା ଆସିଛି । ଫଳରେ ଦଶରଥପୁର, ଯାଜପୁର ବ୍ଲକ ପ୍ରଭାବିତ ହୋଇଛି । ସେପଟେ ଜଳସ୍ତର ବଢୁଥିବାରୁ ହୀରାକୁଦର ୧୨ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି । ସେହିପରି ରେଙ୍ଗାଲି ଡ୍ୟାମରେ ଦୁଇଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ଷା ବଢିଲେ ପରିସ୍ଥିତି ବିଗିଡିପାରେ ବୋଲି ଆଶଙ୍କା କରାଯାଇଛି ।

ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ କ୍ରିକେଟର ଚେତେଶ୍ୱର ପୂଜାରା

ନନ୍ଦିଘୋଷ ବ୍ୟୁରୋ  : ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ କ୍ରିକେଟର ଚେତେଶ୍ୱର ପୂଜାରା । ଟେଷ୍ଟ କ୍ରିକେଟର ସର୍ବୋତ୍ତମ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ଅଭିଜ୍ଞ ଭାରତୀୟ କ୍ରିକେଟର ହେଲେ ଚେତେଶ୍ୱର ପୂଜାରା । ଏବେ ସେ ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି। ପୂଜାରାଙ୍କ କ୍ୟାରିୟର ବହୁତ ଚମତ୍କାର ରହିଛି। ସେ ଭାରତୀୟ କ୍ରିକେଟରେ ଥିବା ସମୟରେ ବହୁତ ରୋଜଗାର ମଧ୍ୟ କରିଥିଲେ।

ସୂଜନା ଅନୁଯାୟୀ, ଚେତେଶ୍ୱର ପୂଜାରାଙ୍କ ମୋଟ ସମ୍ପତ୍ତି ପ୍ରାୟ ୨୪ କୋଟି। ତାଙ୍କର ମାସିକ ଆୟ ପ୍ରାୟ ୧୫ ଲକ୍ଷ ହୋଇଛି। ୨୦୨୨-୨୩ରେ, ତାଙ୍କୁ ବିସିସିଆଇର ବି ଗ୍ରେଡ ଚୁକ୍ତିନାମାରେ ସାମିଲ କରାଯାଇଥିଲା ଯାହା ଅନୁଯାୟୀ ସେ ବାର୍ଷିକ ୩ କୋଟି ଦରମା ପାଉଥିଲେ। ପୂଜାରା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, କମେଣ୍ଟ୍ରି ମାଧ୍ୟମରେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି।

୩୭ ବର୍ଷୀୟ ପୂଜାରା ତାଙ୍କ ଚମତ୍କାର କ୍ୟାରିୟରରେ ଭାରତ ପାଇଁ ୧୦୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ୭,୧୯୫ ରନ କରିଛନ୍ତି ଏବଂ ୪୩.୬ ହାରାହାରି ବ୍ୟାଟିଂ କରିଛନ୍ତି। ସେ ତାଙ୍କ କ୍ୟାରିୟରରେ ୧୯ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ଦୀର୍ଘ ଫର୍ମାଟରେ ଭାରତୀୟ ଦଳରେ ରନ ମେସିନର ଭୂମିକା ନିର୍ବାହ କରିଛନ୍ତି। ପୂଜାରା ୨୦୧୮-୧୯ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ଆଡିଲେଡ, ମେଲବୋର୍ଣ୍ଣ ଏବଂ ସିଡନୀରେ ଶତକ ହାସଲ କରି ଭାରତର ଐତିହାସିକ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ସେ ଚାରୋଟି ଟେଷ୍ଟ ମ୍ୟାଚରେ ୯୨୮ ବଲ ସାମ୍ନା କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଚେତେଶ୍ୱର ପୂଜାରା ଭାରତୀୟ କ୍ରିକେଟକୁ ଯେଉଁ ସମର୍ପଣ, ସ୍ଥିରତା ଏବଂ ସମ୍ମାନ ଆଣିଥିଲେ ତାହା ସର୍ବଦା ମନେ ରହିବ।

ସରକାରଙ୍କ ନାଲି ଆଖି ସତ୍ତ୍ଵେ ଜିଦରେ ଅଟଳ ଅମଲା, ରାଜସ୍ଵ ମନ୍ତ୍ରୀଙ୍କ ଧମକ ନେଇ ସଂଘର ପାଲଟା ଜବାବ

ନନ୍ଦିଘୋଷ ବ୍ୟୁରୋ : କାଲି କାର୍ଯ୍ୟରେ ଯୋଗଦିଅ, ନହେଲେ ହେବ କାର୍ଯ୍ୟାନୁଷ୍ଠାନ । ଥରେ ନୁହେଁ ଅମଲା ସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜସ୍ବ ମନ୍ତ୍ରୀ ଦୁଇଥର ତାଗିଦ କଲେଣି । ହେଲେ ଜିଦରେ ଅଟଳ ଅମଲା ସଂଘ । ଦାବି ପୂରଣ ନ ହେଲେ ସରକାରଙ୍କ ନାଲିଆଖି ଆଗରେ ନଇଁବୁନି । ଆଜି ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି । ଡରିବୁନି କି ଦାବି ପୂରଣ ନ ହେବାଯାଏ କାର୍ଯ୍ୟରେ ଯୋଗଦେବୁନି । ୧୪ ଦିନ ହେଲାଣି ଅମଲା ସଂଘର ଆନ୍ଦୋଳନ । ଜିଲ୍ଲାଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ସରକାରୀ କାମ ଠପ୍‌ । ସରକାକ ଜିଦରେ ଅଟଳ । ଅମଲା ସଂଘ ସହ ଆଲୋଚନା କରୁନାହାନ୍ତି । ଅଚଳାବସ୍ଥା ଦୂର ହେବା ନେଇ କିଛି ରାସ୍ତା ବାହାରୁନି । ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ଜିଲ୍ଲା, ବ୍ଳକ, ତହସିଲ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୌଣସି କାର୍ଯ୍ୟ ହୋଇପାରୁନି । ସରକାରଙ୍କ ପାଖରେ ସମାଧାନର ବାଟ ନାହିଁ ନା ଲୋକଙ୍କ ଅସୁବିଧା ସରକାରଙ୍କ ଆଖିକୁ ଦେଖାଯାଉନି । ଯଦି ଉଭୟ ପଟୁ ଜିଦରେ ଅଟଳ ରହିବେ, ତାହେଲେ ସମାଧାନ ବାହାରିବ କେମିତି?

ବାରମ୍ବାର ନାଲିଆଖି ଦେଖାଉଥିବା ରାଜସ୍ବ ମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ଅମଲା ସଂଘ । ସେପଟେ ଅମଲା ଆନ୍ଦୋଳନ ପଛରେ ବିରୋଧୀ ଉସୁକାଉଥିବା ଅଭିଯୋଗ କରିଥିଲେ ରାଜସ୍ବ ମନ୍ତ୍ରୀ । ଯାହାକୁ ନେଇ ରାଜସ୍ବ ମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅପାରଗତା ଯୋଗୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି କଂଗ୍ରେସ ଶସ୍ତା ମନ୍ତବ୍ୟରୁ ଦୂରରେ ରହିବାକୁ ରାଜସ୍ବ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛି ।ଏବର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧ ଦଳ ବିଧାୟକ ଥିବାବେଳେ ଅମଲାଙ୍କ ଦାବିକୁ ସମର୍ଥନ ଜଣାଇ ପ୍ରେସ ବିବୃତି ଜାରି କରିଥିଲେ । ଏ କଥା କଣ ରାଜସ୍ବ ମନ୍ତ୍ରୀ ଜାଣିନାହାନ୍ତି କି ବୋଲି ଅମଲା ସଂଘ ପ୍ରଶ୍ନ ଉଠାଇଛି ।

ଓୟୁଏଟିରେ ଅଧ୍ୟାପକ ମରୁଡ଼ି : ୩୧୫ ପଦବୀରୁ ଖାଲି ପଡ଼ିଛି ୧୭୬

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଓୟୁଏଟିରେ ଅଧ୍ୟାପକ ମରୁଡ଼ି। ଅନୁମୋଦିତ ୩୧୫ ପ୍ରାଧ୍ୟାପକ ପଦବୀରୁ ଏବେ ଖାଲି ପଡ଼ିଛି ୧୭୬ ପଦ। ଅର୍ଥାତ ପ୍ରାୟ ୬୦ ପ୍ରତିଶତ ପ୍ରାଧ୍ୟାପକ ପଦବୀ ଫାଙ୍କା। କେବଳ ସେତିକି ନୁହେଁ ୫୨୦ ଅଣ ଶିକ୍ଷକ ପଦବୀ ମଧ୍ୟରୁ ଖାଲି ପଡ଼ିଛି ୩୬୫ ପଦ। ନୂଆ ନିଯୁକ୍ତି ବଦଳରେ ୭୬ଜଣ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେଇ କାମ ଚଳା ବାଟ କରାଯାଇଛି। ଏମିତି ଅଧ୍ୟାପକ ଓ କର୍ମଚାରୀଙ୍କ ଉତ୍କଟ ସମସ୍ୟା ଭିତରେ କେମିତି ପାଠ ପଢ଼ା ହେବ, କେମିତି ଗବେଷଣା ହେବ, ତାହା ବଡ଼ ପ୍ରଶ୍ନ। ଏତେ ବଡ଼ ଅସୁବିଧା ଭିତରେ ସମ୍ବଲପୁର ଚିପିଲିମାରେ ଓୟୁଏଟିର ଦ୍ଵିତୀୟ କ୍ୟାମ୍ପସ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି
ବାଲେଶ୍ବର ଓ ସୋନପୁରରେ ନୂଆ ମତ୍ସ୍ୟ ମହାବିଦ୍ୟାଳୟ, ବଲାଙ୍ଗୀର ଓ ମୟୂରଭଞ୍ଜରେ କୃଷି ମହାବିଦ୍ୟାଳୟ ଖୋଲାଯିବ। ଓଡ଼ିଶାର ଫଳ, ପନିପରିବା ବାହାର ଦେଶକୁ ଅଧିକ ରପ୍ତାନୀ ହେଉଥିବାରୁ ସାର ବିହୀନ ଅର୍ଗାନିକ ଚାଷ ଉପରେ ଗୁରୁତ୍ବ ଦେବାକୁ ଆହ୍ଵାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଖାଲି ଥିବା ପଦବୀ ପୂରଣ ପାଇଁ ମଧ୍ୟ ସେ ଓୟୁଏଟିର ୬୪ତମ ପ୍ରତିଷ୍ଠା ଦିବସରେ ପ୍ରତିଶୃତି ଦେଇଛନ୍ତି।

ରାଜ୍ୟର ଏକମାତ୍ର ଏକକ ସାମଗ୍ରିକ ବିଶ୍ବବିଦ୍ୟାଳୟ ଭାବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ବେଶ ସୁନାମ ରହିଛି। ଧାନ ଚାଷରୁ ଆରମ୍ଭ କରି ବିଭିନ୍ନ ଚାଷ ବାବଦରେ ଗବେଷଣା କରୁଛି ଏହି ଶିକ୍ଷାନୁଷ୍ଠାନ। କୁଶଳୀ ଚାଷୀ ସୃଷ୍ଟି କରିବାରେ ଓୟୁଏଟିର ବହୁ ଅବଦାନ ଥିବା ବେଳେ ଏବେ କୃଷି ଉଦ୍ୟୋଗୀ କରିବାର ଆହ୍ବାନ ରହିଛି। ବିଶେଷ କରି ମାଛ ଓ ଅଣ୍ଡା ଉତ୍ପାଦନରେ ଓଡ଼ିଶା କିପରି ଆତ୍ମ ନିର୍ଭର ହେବ, ତାର ବାଟ ଦେଖାଇଛନ୍ତି ରାଜ୍ୟପାଳ। ଆନ୍ଧ୍ର ଭଳି ଓଡ଼ିଶାରେ ଧାନ ଚାଷ ହେଉଥିବା ଜମିରେ ମାଛ ଚାଷ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଏ ଦିଗରେ ସରକାର କାମ କରୁଛନ୍ତି।

ରାତିରେ ହାଇ ବିମ ଲାଇଟ୍ ନଲଗାଇବାକୁ ସଚେତନତା

ନନ୍ଦିଘୋଷ ବ୍ୟୁରୋ: ରାତିରେ ଅଧିକାଂଶ ଦୁର୍ଘଟଣାର କାରଣ ହେଉଛି ହାଇ ବିମ୍ ବା ଉଜ୍ଜ୍ବଳ ଆଲୋକର ବ୍ୟବହାର । କେଉଁ ସମୟରେ ଉଜ୍ଜ୍ବଳ ଆଲୋକ ଓ କେଉଁ ସମୟରେ କମ୍ ଆଲୋକ ବ୍ୟବହାର କରାଯିବ ତାହା ବହୁ ଗାଡି ଚାଳକଙ୍କ ଜଣାନାହିଁ । ତେଣୁ ସଚେତନତା ଅଭାବରୁ ଦୁର୍ଘଟଣା ଘଟିବା ସହ ଚାଲି ଯାଉଛି ଅମୂଲ୍ୟ ଜୀବନ । ଏମିତି ସମସ୍ୟାର ସମ୍ପର୍କରେ ରାଜଧାନୀ ଭୁବନେଶ୍ବରରେ ଗାଡି ଚାଳକଙ୍କୁ କରାଯାଇଛି ସଚେତନ । ଏବିସିଡି ଡ୍ରାଇଭିଂ ଟ୍ରେନିଂ ସ୍କୁଲ ହାଇ ବିମର ସଠିକ୍ ବ୍ୟବହାର ନେଇ ରାଜଧାନୀର ସିଆରପି ଓ ଗୋଠାପାଟନା ରାସ୍ତାରେ ଏକ ସଚେତନତା କାର୍ଯ୍ୟକ୍ରମ କରିଥିଲା ।

କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ରାତିରେ ହାଇ ବିମ ବ୍ୟବହାର ଯୋଗୁଁ ହେଉଥିବା ଦୁର୍ଘଟଣାର ବୃଦ୍ଧିକୁ ରୋକିବା । ଏହା ଏକ ଗୁରୁତର ସମସ୍ୟା ହୋଇଥିଲେ ବି ପ୍ରାୟତଃ ଏହାକୁ ଅଣଦେଖା କରାଯାଏ । ଚାଳକ ଓ ପଥଚାରୀଙ୍କୁ ସଚେତନ କରିବା ପାଇଁ ଏବିସିଡି ଡ୍ରାଇଭିଂ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ବିଭୂତି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଫ୍ଲାସକାର୍ଡ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା । ହାଇ ବିମ୍ର ଅପବ୍ୟବହାର ଯୋଗୁଁ ସୃଷ୍ଟି ହେଉଥିବା ବିପଦ ଓ ଏହାର ସଠିକ୍ ବ୍ୟବହାର ଦ୍ୱାରା ଦୁର୍ଘଟଣା ରୋକିବା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ଅନେକ ସଚେତନ ନାଗରିକ ନିଜ ଆଡୁ ଇଚ୍ଛା ପ୍ରକାଶ କରି ରାସ୍ତାରେ ଯିବା ସମୟରେ ମଧ୍ୟ କିଛି ସମୟ ଅଟକି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ହାଇ ବିମ୍ ଅନ୍ୟମାନଙ୍କ ଉପରେ କିପରି ପ୍ରଭାବ ପକାଇଥାଏ ସେ ବିଷୟରେ ଅଧିକ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମରେ ରମାନନ୍ଦ ଦାସ, ଆଲୋକ ବେହେରା, ଦିଲ୍ଲୀପ ବରାଡ଼, ମହେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଥିଲେ ।