spot_img
Home Blog Page 535

ଆଉ ଦୁଇ ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

ଆଉ ଦୁଇ ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଗାଁ ଠୁ ସହର ଚଳଚଞ୍ଚଳ ହୋଇପଡିଥିବା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଦେଖିବାକୁ ମିଳିଛି ବେଶ ଉତ୍ସାହ । ମହିଳାମାନେ ଘର ଲିପାପୋଛା କରୁଥିବା ବେଳେ ଲୁଗା ଦେକାନ, ପରିବା ହାଟରେ ଲୋକଙ୍କ ପ୍ରବଳ ଗହଳି । ଗ୍ରାମଦେବୀଙ୍କ ପାଖରେ ନୂଆ ଧାନ ପୂଜାର୍ଚ୍ଚନା ପରେ ଘରେ ଘରେ ନୂଆ ଧାନ ବାଣ୍ଟିଲେଣି ପୂଜାରୀ । ନୂଆଁଖାଇ ଦିନ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ନୂଆ ଖାଇବେ ସମସ୍ତେ । ସେପଟେ ଦୂରଦୂରାନ୍ତରରେ ଥିବା ଭାଇ ବନ୍ଧୁ ମାନେ ଘରକୁ ଆସିଲେଣି  ।

ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ନୂଆଁଖାଇ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏହାର ଭିନ୍ନ ସ୍ଵତନ୍ତ୍ରତା ରହିଛି । ଜିଲ୍ଲାରେ ପାଞ୍ଚ ପର୍ଯ୍ୟାୟରେ ପାଳନ ହୋଇଥାଏ ନୂଆଁଖାଇ । କିମ୍ବଦନ୍ତୀ ଅନୁସାରେ, ଜିଲ୍ଲାରେ ନୂଆଁଖାଇ ସପ୍ତପୁରୀ ଅମବାସ୍ୟା ଠାରୁ ଆରମ୍ଭ ହୋଇ ଦଶହରା ଦଶମୀରେ ଶେଷ ହୁଏ । ଭାଦ୍ରବ ଶୁକ୍ଳ ପକ୍ଷ ପ୍ରଥମୀ ତିଥିରେ କେସିଙ୍ଗା ବ୍ଲକ ପଥର୍ଲା, ବାହାଦୂର ପଦର ଓ ପଲସାପଡା ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ବ ଲୋକେ ନୂଆ ଖାଇଛନ୍ତି ।

ସିନେମା ଜଗତରୁ ଆସିଲା ଦୁଃଖ ଖବର: KGF ଫିଲ୍ମର ଏହି ଅଭିନେତାଙ୍କର ପରଲୋକ

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଦୁଃଖଖବର । ସୁପରଷ୍ଟାର ୟଶଙ୍କ କେଜିଏଫ ସମେତ ବହୁ ଫିଲ୍ମରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ଦିନେଶ ମଙ୍ଗଲୁରୁ ଆଉ ନାହାନ୍ତି । ୫୫ ବର୍ଷ ବୟରେ ଦିନେଶ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି । ତାଙ୍କର ମୃତ୍ୟୁରେ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି । ଦୀର୍ଘସମୟ ଧରି ସେ ବୀମାର ଗ୍ରସ୍ତ ରହିଥିଲେ । ଏହା ମଧ୍ୟରେ ଅଚାନକ ତାଙ୍କର ବିୟୋଗ ଖବର ସାମ୍ନାକୁ ଆସିଛି, ଯାହାକି ସାରା ସିନେମା ଜଗତକୁ ସ୍ତବ୍ଧ କରିଦେଇଛି ।

ଦିନେଶ ଆଜି ସକାଳେ କର୍ଣ୍ଣାଟକର ଉଡୁପି ଜିଲ୍ଲାର କୁଣ୍ଡାପୁରା ସ୍ଥିତ ନିଜ ଘରେ ଅନ୍ତିମ ନିଃଶ୍ବାସ ତ୍ୟାଗ କରିଥିଲେ । ତାଙ୍କର ବିୟୋଗ ଖବର କନ୍ନଡ଼ ଫିଲ୍ ଇଣ୍ଡଷ୍ଟ୍ରିକୁ ଶୋକର ସାଗରରେ ବୁଡ଼ାଇ ଦେଇଛି । ଜଣେ ସପୋର୍ଟିଂ ଆକ୍ଟର ଭାବେ ଦିନେଶ କନ୍ନଡ଼ ଫିଲ୍ମ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ । ସୁପରଷ୍ଟାର ୟଶଙ୍କ ବ୍ଲକବଷ୍ଟର ଫିଲ୍ ‘KGF: Chapter 1’ରେ ଦିନେଶ ଶେଟ୍ଟୀଙ୍କ ରୋଲ ନିଭାଇଥିଲେ । ଦିନେଶଙ୍କ ଦମଦାର ଅଭିନୟକୁ ଦର୍ଶକ ବେଶ୍ ପ୍ରଶଂସା କରିଥିଲେ । ଉକ୍ତ ଭୂମିକା ପାଇଁ ସେ ଫିଲ୍ମର ସବୁଠାରୁ ଜଣେ ପ୍ରଭାବଶାଳୀ ଖଳନାୟକ ହୋଇପାରିଥିଲେ ।

ସଞ୍ଜୁ ସାମସନଙ୍କ ଜର୍ସିରେ କାହିଁକି ଲେଖାଯାଇଛି DHONI ? ଏହା ପଛର କାରଣ କ’ଣ ?

କେରଳ କ୍ରିକେଟ ଲିଗ୍ (କେସିଏଲ) ୨୦୨୫ରେ ଭାରତୀୟ କ୍ରିକେଟର ସଞ୍ଜୁ ସାମସନ ପୁଣି ଥରେ ଚର୍ଚ୍ଚା ସାଉଁଟୁଛନ୍ତି । ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାନ୍ୟାସନାଲ ଷ୍ଟାଡିୟମରେ ଅଗଷ୍ଟ ୨୫ରେ କୋଚି ବ୍ଲୁ ଟାଇଗର୍ସ ପାଇଁ ଖେଳି ଶତକ ଅର୍ଜନ କରିଥିଲେ ସଞ୍ଜୁ । ଉକ୍ତ ମ୍ୟାଚରେ ସଞ୍ଜୁଙ୍କ ଟିମ୍ ଅନ୍ତିମ ବଲରେ ବିଜୟ ହାସଲ କରିଥିଲା । ଏହି ଅବସରରେ ସଞ୍ଜୁ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ସଞ୍ଜୁଙ୍କ ଜର୍ସି ଉପରେ ’ଧୋନୀ’ ଲେଖାଯାଇଥିବାରୁ ତାଙ୍କୁ ଅନେକଙ୍କୁ ଚକିତ କରିଦେଇଥିଲା । ତେବେ କ’ଣ ପାଇଁ ସଞ୍ଜୁଙ୍କ ଜର୍ସିରେ ’ଧୋନୀ’ ଲେଖାଯାଇଥିଲା ?

ସଞ୍ଜୁ କେରଳର ଜଣେ ବଡ଼ କ୍ରିକେଟ ତାରକା ଭାବେ ପରିଗଣିତ ଅଟନ୍ତି । କେସିଏଲ ୨୦୨୫ ଅକ୍ସନରେ ତାଙ୍କୁ କୋଚି ବ୍ଲୁ ଟାଇଗର୍ସ ରେକର୍ଡ ମନି ୨୬.୭୫ ଲକ୍ଷରେ କିଣିଥିଲା । ସଞ୍ଜୁ ଏହି ଲିଗର ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରୁ ସଞ୍ଜୁ ନିଜ ଟିମ୍ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ତାଙ୍କର ବଡ଼ ଭାଇ ସୈଲୀ ସାମସନ ସଞ୍ଜୁଙ୍କ ଟିମର ଅଧିନାୟକ ରହିଛନ୍ତି । ଏହି ମୁକାବିଲା ଅବସରରେ ସଞ୍ଜୁ ନିଜର ଇନିଂସ ସହିତ ନିଜ ଜର୍ସିରେ ’ଧୋନୀ’ ନାମ ଲେଖି ଚର୍ଚ୍ଚାକୁ ଆସିଛନ୍ତି । ପ୍ରକୃତ କଥା ହେଉଛି, ’ଧୋନୀ’ ନାମ କୋଚି ବ୍ଲୁ ଟାଇଗର୍ସର ଜର୍ସିରେ ଏକ ସ୍ପନସର ଭାବେ ଛପା ଯାଇଛି । ଏହା ’ଧୋନୀ ଆପ’ର ଲୋଗୋ ଅଟେ, ଯାହା ଏହି ଟିମର ଅଫିସିଆଲ ସ୍ପନସର ଅଟେ । ସବୁ ଖେଳାଳିଙ୍କ ଜର୍ସିରେ ଏହି ଲୋଗୋ ରହିଛି ଓ ସଞ୍ଜୁ ମଧ୍ୟ ଏହାର ଅଂଶ ଅଟନ୍ତି ।

ରାୟଗଡ଼ାରେ ବେଦାନ୍ତ ଆଲୁମିନିୟମର ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହିତ ମିଶି ରାୟଗଡ଼ାର କାଶୀପୁର ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲା। ଏହି ପଦକ୍ଷେପ କାଶୀପୁର ବ୍ଲକ ଏବଂ ନିକଟସ୍ଥ ଗ୍ରାମଗୁଡ଼ିକର ୧୬୫ରୁ ଅଧିକ ବାସିନ୍ଦାଙ୍କୁ ଉପକୃତ କରିଥିଲା, ଯାହା ଗୋଷ୍ଠୀ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ବୃଦ୍ଧି ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଇଥିଲା।

ଏହି ଶିବିରରେ ମୋତିଆବିନ୍ଦୁ ଏବଂ ଅନ୍ୟାନ୍ୟ ଚକ୍ଷୁ ସମ୍ବନ୍ଧୀୟ ସମସ୍ୟାର ପ୍ରାରମ୍ଭିକ ଚିହ୍ନଟ ଉପରେ ଧ୍ୟାନ ଦିଆଯାଇଥିଲା।ଯାହାଦ୍ୱାରା ସମୟୋଚିତ ଚିକିତ୍ସା ସମ୍ଭବ ହୋଇପାରିବ ଏବଂ ଗ୍ରାମାଞ୍ଚଳରେ ଚକ୍ଷୁ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବୃଦ୍ଧି କରାଯାଇ ପାରିବ। କାଶୀପୁରର ଭାରପ୍ରାପ୍ତ ଇନ୍ସପେକ୍ଟର ଦେବବ୍ରତ ମଲ୍ଲିକ, କାଶୀପୁରର ସିଏଚସି ମୁଖ୍ୟ ଡକ୍ଟର ନେତ୍ରାନନ୍ଦ ନାୟକଙ୍କ ଉପସ୍ଥିତିରେ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ପ୍ରଦାୟ ପ୍ରତିନିଧିଙ୍କ ସହିତ ଏହାକୁ ଉଦଘାଟନ କରିଥିଲେ।

ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧତା ନିଶ୍ଚିତ କରିବା ଆମର ସମ୍ପ୍ରଦାୟ ବିକାଶ ପ୍ରୟାସର ଏକ ମୂଳଦୁଆ। ଚକ୍ଷୁ ଶିବିର ଭଳି ପଦକ୍ଷେପ ମାଧ୍ୟମରେ, ଆମେ ଅତ୍ୟାବଶ୍ୟକ ଚିକିତ୍ସା ସେବାକୁ ସେହି ସମ୍ପ୍ରଦାୟଗୁଡ଼ିକ ନିକଟକୁ ଆଣିବାକୁ ଚେଷ୍ଟା କରୁଛୁ ଯେଉଁମାନଙ୍କୁ ସେମାନଙ୍କୁ ସବୁଠାରୁ ଅଧିକ ଆବଶ୍ୟକତା ଅଛି। ଏହି ପ୍ରୟାସଗୁଡ଼ିକ ସମାଜକୁ ସୁସ୍ଥ, ଅଧିକ ସୂଚନା ପ୍ରଦ ଜୀବନଯାପନ କରିବା ପାଇଁ ସଶକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”

କମ୍ପାନୀର ପ୍ରୟାସକୁ ପ୍ରଶଂସା କରି, କମ୍ୟୁନିଟି ହେଲଥ ସେଣ୍ଟରର ମୁଖ୍ୟ ଡକ୍ଟର ନେତ୍ରାନନ୍ଦ ନାୟକ କହିଛନ୍ତି, “ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଆବଶ୍ୟକତା ପୂରଣ କରିବାରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।ଚକ୍ଷୁ ସ୍ୱାସ୍ଥ୍ୟ ସଚେତନତାକୁ ଆଗକୁ ବଢାଇବା ଏବଂ ଆମ ସମ୍ପ୍ରଦାୟ ପାଇଁ ଗୁଣାତ୍ମକ ସେବାକୁ ଅଧିକ ସୁଲଭ କରିବାରେ ବେଦାନ୍ତ ଆଲୁମିନିୟମର ସହଭାଗୀତାକୁ ଆମେ ପ୍ରଶଂସା କରୁଛୁ।”

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧତାକୁ ରେଖାଙ୍କିତ କରେ, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି ପାଇଁ ସମ୍ପ୍ରଦାୟ ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ଦୃଢ ସାମାଜିକ- ଆର୍ଥିକ ପ୍ରଗତି ଆଡ଼କୁ ନେଇଯାଏ।

ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ବେଦାନ୍ତ ଆଲୁମିନିୟମ୍, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ଯାହା ଆର୍ଥିକ ବର୍ଷ ୨୫ ମସିହାରେ ଭାରତର ଅଧାରୁ ଅଧିକ ଅର୍ଥାତ୍ ୨.୪୨ ନିୟୁତ ଟନ ଆଲୁମିନିୟମ ଉତ୍ପାଦନ କରିଛି। ଏହା ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦରେ ଏକ ନେତା ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ଖୋଜେ। ଆଲୁମିନିୟମ ଶିଳ୍ପ ପାଇଁ S&P ଗ୍ଲୋବାଲ କର୍ପୋରେଟ ସଷ୍ଟେନେବିଲିଟି ଆସେସମେଣ୍ଟ୍ ୨୦୨୪ ବିଶ୍ୱ ରାଙ୍କିଂରେ ବେଦାନ୍ତ ଆଲୁମିନିୟମ ଦ୍ବିତୀୟ ସ୍ଥାନରେ ଅଛି, ଯାହା ଏହାର ପ୍ରମୁଖ ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ। ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ରିଫାଇନାରୀ ଏବଂ ପାୱାର ପ୍ଲାଣ୍ଟ ସହିତ, କମ୍ପାନୀ ଏକ ସବୁଜ ଆସନ୍ତାକାଲି ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାର ଏହାର ଲକ୍ଷ୍ୟ ପୂରଣ କରୁଛି।

ରେଡ୍‌ ସମୟରେ ଜବତ କରାଯାଉଥିବା ଟଙ୍କା କ’ଣ ହୋଇଥାଏ?

ବେଆଇନ ଅର୍ଥ କାରବାର ମାମଲାରେ ଅନେକ ସମୟରେ କିଛି ସରକାରୀ ଅଧିକାରୀଙ୍କ ଘରେ ରେଡ୍ କରାଯାଇଥାଏ । ଉକ୍ତ ରେଡ୍ ସମୟରେ ବିପୁଳ ମାତ୍ରାରେ ଟଙ୍କା, ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥାଏ । ତେବେ ଜବତ କରାଯାଇଥିବା ଉକ୍ତ ଟଙ୍କା କ’ଣ କରାଯାଏ, ସେନେଇ ଆପଣଙ୍କ ମନରେ ପ୍ରଶ୍ନ  ଉଠିବା ସ୍ବାଭାବିକ । ଯେତେବେଳେ କୌଣସି ସରକାରୀ ଅଧିକାରୀଙ୍କ ଘରୁ ବେଆଇନ ଅର୍ଥ ଜବତ କରାଯାଇଥାଏ, ସେ କ୍ଷେତ୍ରରେ ସରକାରୀ ଏଜେନ୍ସି ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ସେହି ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ), ଆୟକରବିଭାଗ ଓ ପୋଲିସର ଆର୍ଥିକ ଅପରାଧ ୟୁନିଟ ରହିଛି । ସେହିପରି ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ମଧ୍ୟ ସନ୍ଦିଗ୍ଧ ଟଙ୍କାର ଯାଞ୍ଚ କରିଥାନ୍ତି । ଏଜେନ୍ସିଗୁଡ଼ିକ ଯେଉଁ ସମୟରେ ଛାପା ମାରନ୍ତି, ସେହି ସମୟରେ ସେମାନଙ୍କୁ ପକ୍କା ପ୍ରମାଣ ମିଳିଯାଇଥାଏ ।

ଯେତେବେଳେ କୌଣସି ଦୁର୍ନୀତିଗ୍ରସ୍ତ ବାବୁଙ୍କ ଘରେ ଏଜେନ୍ସି ତରଫରୁ ଯାଞ୍ଚ କରାଯାଏ, ସେ ସମୟରେ ନଗଦ କ୍ୟାଶକୁ ସରକାରୀ ଅଫିସରଙ୍କ ଉପସ୍ଥିତିରେ ଗଣନା କରାଯାଇଥାଏ । କେତେ ଟଙ୍କା, କେତୋଟି ନୋଟ, କେଉଁଠାରୁ ମିଳିଲା, ତାହା ସବୁ ଲେଖାଯାଇଥାଏ । ଏହାପରେ ଉକ୍ତ ଅର୍ଥକୁ ସିଧାସଳଖ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଏକ ଧାର୍ଯ୍ୟ ଶାଖାରେ ଡିପୋଜିଟ୍ କରାଯାଇଥାଏ । ଉକ୍ତ ଅର୍ଥକୁ ଇଡି ବା ସିବିଆଇ ନିଜେ ବ୍ୟବହାର କରିପାରିବେ ନାହିଁ । ଯଦି ଅଭିଯୁକ୍ତ ଜଣଙ୍କ ଏହା ପ୍ରମାଣ କରନ୍ତି ଯେ, ଉକ୍ତ ଅର୍ଥ ବୈଧ ଓ ଟ୍ୟାକ୍ସ ମଧ୍ୟ ଜମା କରାଯାଇଛି, ତେବେ ଅଦାଲତଙ୍କ ଆଦେଶ ପରେ ଅର୍ଥ ଫେରସ୍ତ କରଯାଇପାରେ । ମାତ୍ର ଅର୍ଥ କେଉଁଠୁ ଆସିଛି, ସେନେଇ ଯଦି ସେ ପ୍ରମାଣ କରି ନପାରନ୍ତି, ତେବେ ଉକ୍ତ ରାଶି ଭାରତ ସରକାରଙ୍କ ଖାତାକୁ ଚାଲିଯାଇଥାଏ । ଜବତ ସମ୍ପତ୍ତି ସେ ପର୍ଯ୍ୟନ୍ତ ସରକାରଙ୍କ କବଜାରେ ରୁହେ, ଯେ ପର୍ଯ୍ୟନ୍ତ ମକଦ୍ଦମା କୋର୍ଟରେ ଚାଲିଥାଏ । ଯଦି ଅଭିଯୁକ୍ତ ଦୋଷୀ ହୁଅନ୍ତି, ତେବେ କୋର୍ଟଙ୍କ ଆଦେଶ ପରେ ସାମଗ୍ରୀକୁ ନିଲାମ କରାଯାଇଥାଏ । ଯେଉଁମାନଙ୍କର କ୍ଷତି ହୋଇଥିବ, ସେମାନଙ୍କୁ କିଛି ଅର୍ଥ ଦିଆଯାଏ ଓ ଅବଶିଷ୍ଟ ଅର୍ଥ ସରକାରୀ ଖାତାକୁ ଚାଲିଯାଇଥାଏ ।

ଟିମ୍ ଇଣ୍ଡିଆର କେଉଁ ଖେଳାଳିମାନେ ଏବେ ବି ରହିଛନ୍ତି ଅବିବାହିତ ? ଦେଖନ୍ତୁ ଲିଷ୍ଟ….

ଭାରତୀୟ କ୍ରିକେଟ ଟିମରେ ଅନେକ ମହାନ୍ ଖେଳାଳି ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଖେଳାଳି ବିବାହ କରି ଖୁସିରେ ଘର ସଂସାର କରୁଥିବା ବେଳେ ଆଉ କିଛି ଖେଳାଳି ଏବେ ବି କୁଆଁରା ରହିଛନ୍ତି । ୨୭ ବର୍ଷୀୟ ରିଙ୍କୁ ସିଂହଙ୍କ ନିର୍ବନ୍ଧ ସାଂସଦ ପ୍ରିୟା ସରୋଜଙ୍କ ସହ ହୋଇ ସାରିଛି । ଆସନ୍ତା ନଭେମ୍ବରରେ ଦୁହେଁ ବିବାହ କରିବେ । ଟିମ୍ ଇଣ୍ଡିଆର ଟି-୨୦ ଟିମର ଅଧିନାୟକ ଶୁଭମନ ଗିଲ ବର୍ତ୍ତମାନ ସୁଦ୍ଧା ବିବାହ କରିନାହାନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କନ୍ୟା ସାରାଙ୍କ ସହ ଗିଲଙ୍କର କେମିଷ୍ଟ୍ରି ଥିବା ନେଇ ମିଡ଼ିଆରେ ଚର୍ଚ୍ଚା ହୋଇଥାଏ । ମାତ୍ର ସେ ସିଙ୍ଗଲ ବୋଲି ଗିଲ୍‌ ସ୍ପଷ୍ଟ କରିଛନ୍ତି ।

ସେହିପରି ଓ୍ବିକେଟ କିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବେ ବି କୁଆଁରା ରହିଛନ୍ତି । ଆଇଶା ନେଗୀଙ୍କ ସହ ତାଙ୍କର ନାମ ଯୋଡ଼ା ଯାଇଥିଲା । ଈଶାନ କିଶାନ ମଧ୍ୟ ଏବେ ବି ଅବିବାହିତ ରହିଛନ୍ତି । ମଡେଲ ଆଦିତୀ ହୁଣ୍ଡିୟାଙ୍କ ସହ ତାଙ୍କର ଲିଙ୍କ ଖବର ସାମ୍ନାକୁ ଆସିଥିଲା । ଏହାଛଡ଼ା ଯଶସ୍ବୀ ଜୟସ୍ବାଲ, ଅଭିଷେକ ଶର୍ମା, ସାଈ ସୁଦର୍ଶନ, ଅଭିମନ୍ୟୁ ଈଶ୍ବରନ, ନିତିଶ ରେଡ୍ଡୀ, ଧ୍ରୁବ ଜୁରେଲ, ଓ୍ବାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ଉମରାନ ମଲିକ, ପୃତ୍ବୀ ଶ’ଙ୍କ ପରି ଖେଳାଳିମାନେ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

ଅନ୍ୟପକ୍ଷରେ ବିବାହ କରିସାରିଥିବା ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା, କେଏଲ ରାହୁଲ, ଶିଖର ଧବନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ବିନ, ଚେତେଶ୍ବର ପୂଜାରା, ସୂର୍ଯ୍ୟକୁମାର ଯାଦବ, ମହମ୍ମଦ ଶାମୀ, ଭୁବନେଶ୍ବର କୁମାର, ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ଅଜିଙ୍କ୍ୟ ରାହାଣେ, ଜୟଦେବ ଉନାଦକଟ, ଉମେଶ ଯାଦବ ରହିଛନ୍ତି । ବିବାହ ପରେ କିଛି ଖେଳାଳିଙ୍କର ତଲାକ ମଧ୍ୟ ହୋଇସାରିଛନ୍ତି ।

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ; ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ହରିବାବୁ କମ୍ଭମପତି

ଭୁବନେଶ୍ବର: ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ରାଜ୍ୟପାଳ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ ଏବଂ ତାଙ୍କର ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନ ହୋଇଥିଲା । ଡିହାଇଡ୍ରେସନ ଯୋଗୁଁ କିଛି ଦିନ ତଳେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ । ସୁସ୍ଥ ହୋଇ ସେ ଗତ ବୁଧବାର ରାତିରେ ଡିସଚାର୍ଜ ହୋଇଥିଲେ। ଏହା ପରେ ତାଙ୍କୁ ଅନେକ ବିଶିଷ୍ଟ ବ୍ୟକ୍ତି ଭେଟିଛନ୍ତି ଓ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ନବୀନଙ୍କୁ ରାଜ୍ୟପାଳ ଭେଟିବା ନେଇ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ଓଡିଶାବାସୀଙ୍କ ପ୍ରିୟନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ  । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ବିରୋଧୀ ଦଳନେତା ଖଡ଼ଗେ, ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଠାରୁ ଆରମ୍ଭ କରି ଅନେକ ଶୁଭେଛୁ ନବୀନଙ୍କ ସ୍ଵାସ୍ଥ୍ୟ ସଂପର୍କରରେ ପଚାରି ବୁଝିଛନ୍ତି ।

Post Officeର ଖାସ୍ ସ୍କିମ୍: ମାତ୍ର ୧୦୦୦ ଟଙ୍କା ନିବେଶ କରି ଲକ୍ଷପତି ହେବେ

ନନ୍ଦିଘୋଷ ବ୍ୟୁରୋ: ଯଦି ଆପଣ ମଧ୍ୟ ଏପରି ଯୋଜନାରେ ନିବେଶ କରିବାକୁ ଚାହୁଁଛନ୍ତି ଯେଉଁଠାରେ ଆପଣଙ୍କ ଟଙ୍କା ସୁରକ୍ଷିତ ଏବଂ ଆପଣଙ୍କୁ ଭଲ ସୁଧ ସହିତ ନିଶ୍ଚିତ ରିଟର୍ଣ୍ଣ ମିଳିବ, ତେବେ ପୋଷ୍ଟ ଅଫିସର ସଞ୍ଚୟ ଯୋଜନା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ। ଆଜି ଆମେ ଆପଣଙ୍କୁ ଏକ ପୋଷ୍ଟ ଅଫିସ ଯୋଜନା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ୧ ଲକ୍ଷ ଟଙ୍କା ନିବେଶ କରି ୧,୨୩,୫୦୮ ଟଙ୍କାର ପାଣ୍ଠି ପାଇପାରିବେ। ଅର୍ଥାତ୍ଆ ପଣଙ୍କୁ ୨୩,୫୦୮ ଟଙ୍କାର ସିଧାସଳଖ ଲାଭ ମିଳିବ ଏବଂ ତାହା ମଧ୍ୟ କୌଣସି ବିପଦ ବିନା। ଆସନ୍ତୁ ଏହି ଯୋଜନା ବିଷୟରେ ଜାଣିବା ଏବଂ ଏହାର ସମ୍ପୂର୍ଣ୍ଣ ହିସାବ ବୁଝିବା।

ପୋଷ୍ଟ ଅଫିସ୍ ଟିଡି ଯୋଜନା

ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ସ୍କିମ୍ ବ୍ୟାଙ୍କଗୁଡ଼ିକର ଏଫ୍ ଡି ପରି କାମ କରେ। ଏଥିରେ ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଟଙ୍କା ଜମା କରନ୍ତି ଏବଂ ପରିପକ୍ୱତାରେ ସ୍ଥିର ସୁଧ ସହିତ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଆନ୍ତି। ପୋଷ୍ଟ ଅଫିସ୍ ଏଫ୍ ଡି ସ୍କିମ୍ ରେ ସୁଧ ହାର ବ୍ୟାଙ୍କଗୁଡ଼ିକ ତୁଳନାରେ ଟିକିଏ ଭଲ। ଏହି ସ୍କିମ୍ ରେ ୧ ବର୍ଷ ପାଇଁ ସୁଧ ହାର ୬.୯%, ୨ ବର୍ଷ ପାଇଁ ସୁଧ ହାର ୭.୦%, ୩ ବର୍ଷ ପାଇଁ ସୁଧ ହାର ୭.୧% ଏବଂ ୫ ବର୍ଷ ପାଇଁ ସୁଧ ହାର ୭.୫%।

ଏହି ଯୋଜନାରେ କେତେ ଲାଭ ମିଳିବ ?

ଯଦି ଆପଣ ପୋଷ୍ଟ ଅଫିସ୍ FDରେ ୩ ବର୍ଷ ପାଇଁ ୧ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ୩ବର୍ଷ ପରେ ଆପଣ ମୋଟ୧,୨୩,୫୦୮ ଟଙ୍କା ପାଇବେ। ଏହାର ଅର୍ଥ ହେଉଛି ଆପଣ ୨୩,୫୦୮ଟଙ୍କା ଗ୍ୟାରେଣ୍ଟି ସୁଧ ପାଇବେ। ଏହା ଏକ ଅତ୍ୟନ୍ତ ସୁରକ୍ଷିତ ନିବେଶ।

ପୋଷ୍ଟ ଅଫିସ୍ ଟିଡି ଯୋଜନାର ବିଶେଷ ବୈଶିଷ୍ଟ୍ୟ

ଆପଣ ଏହି ଯୋଜନାରେ ୧୦୦୦ ଟଙ୍କାରୁ ନିବେଶ ଆରମ୍ଭ କରିପାରିବେ। ଏଥିରେ ନିବେଶର କୌଣସି ସର୍ବାଧିକ ସୀମା ନାହିଁ। ଏହି ଯୋଜନାରେ, ଆପଣ ଏକକ ଆକାଉଣ୍ଟ ଏବଂ ଏକ ମିଳିତ ଆକାଉଣ୍ଟ ଖୋଲିପାରିବେ। ବ୍ୟାଙ୍କଗୁଡ଼ିକରେ, ବରିଷ୍ଠ ନାଗରିକମାନଙ୍କୁ କିଛି FD ଉପରେ ଅଧିକ ସୁଧ ମିଳିଥାଏ, କିନ୍ତୁ ପୋଷ୍ଟ ଅଫିସରେ, ସମସ୍ତ ଗ୍ରାହକଙ୍କୁ ସମାନ ସୁଧ ହାର ଦିଆଯାଏ। ଯାହା ଦ୍ୱାରା ସମସ୍ତେ ସମାନ ଭାବରେ ଲାଭ ପାଇପାରିବେ।

 

ମାଆ ହେବାକୁ ଯାଉଛନ୍ତି ପରିଣୀତି ! ସୋସିଆଲ ମିଡ଼ିଆରେ ଦେଲେ ଖୁସିଖବର ..

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି ପରିଣୀତି ଚୋପ୍ରା ! ସୋସିଆଲ ମିଡ଼ିଆରେ ଏହି ଖୁସିଖବର ଦେଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିବା ପରେ ଚାରିଆଡ଼ୁ ତାଙ୍କ ପାଇଁ ଶୁଭେଚ୍ଚାର ସୁଅ ଛୁଟୁଛି । ଶେଷରେ ଜୁନିଅର ଚଢା ଆସିବାକୁ ଯାଉଛନ୍ତି । ପରିଣୀତି ଚୋପ୍ରା ସ୍ୱାମୀ ରାଘବ ଚଢାଙ୍କ ସହ ଗର୍ଭବତୀ ହେବାର ଘୋଷଣା ସୋସିଆଲ ମିଡ଼ିଆରେ କରିଛନ୍ତି। ସେ କହିଛନ୍ତି ଯେ ଏବେ ସେମାନେ ଦୁଇରୁ ତିନି ହେବାକୁ ଯାଉଛନ୍ତି ।

ପରିଣୀତି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ସ୍ୱତନ୍ତ୍ର କେକ୍ ଦେଖିବାକୁ ମିଳୁଛି । ଏହି କେକ୍ ଉପରେ ଛୋଟ ଛୋଟ ପାଦଚିହ୍ନ ଅଛି ଏବଂ ଏଥିରେ ‘1+1=3’ ଲେଖାଯାଇଛି… ଏହା ଅଭିନେତ୍ରୀଙ୍କ ସ୍ବତନ୍ତ୍ରତା ଯାହା ସେ ଏବେ ମାଆ ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଉଛି । ଯଦିଓ ସେ ସିଧାସଳଖ ଶବ୍ଦରେ ଗର୍ଭଧାରଣ ବିଷୟରେ କହି ନାହାଁନ୍ତି, କିନ୍ତୁ ଏହା ସ୍ପଷ୍ଟ ଭାବରେ ସୂଚିତ କରେ ଯେ ସେ ଗର୍ଭବତୀ ଅଛନ୍ତି ।

ଏହା ବ୍ୟତୀତ ସେ ତାଙ୍କ ପୋଷ୍ଟରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ସ୍ୱାମୀ ରାଘବ ଚଢାଙ୍କ ସହ ବିଦେଶରେ ବୁଲୁଥିବାର ଦେଖାଯାଉଛି । ଉଭୟ ପରସ୍ପରର ହାତ ଧରି ଚାଲୁଥିବାର ଦେଖାଯାଉଛି । ଏହି ପୋଷ୍ଟ ସହିତ ସେ କ୍ୟାପସନରେ ଲେଖିଛନ୍ତି, “ଆମର ଛୋଟ ଦୁନିଆ ବାଟରେ ଅଛି … ଆମକୁ ଆଶୀର୍ବାଦ କରନ୍ତୁ ।” ତାଙ୍କ କ୍ୟାପସନରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସେ ଗର୍ଭବତୀ ଏବଂ ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ପରିଣୀତିଙ୍କ ପ୍ରଶଂସକ ଏବଂ ବନ୍ଧୁମାନେ ଏହି ପୋଷ୍ଟରେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସର୍ବପ୍ରଥମେ ତାଙ୍କ ଘନିଷ୍ଠ ବନ୍ଧୁ ଏବଂ ଅଭିନେତ୍ରୀ ଭୂମି ପେଡନେକର ତାଙ୍କୁ ଅଭିନନ୍ଦନ ଜଣାଇ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି ।

ଏହା ବ୍ୟତୀତ ଅନେକ ପ୍ରଶଂସକ ତାଙ୍କୁ ପ୍ରେମପୂର୍ଣ୍ଣ ଶବ୍ଦରେ ଶୁଭେଚ୍ଛା ଜଣାଇଛନ୍ତି । ଅନେକ ଲୋକ ଲେଖିଛନ୍ତି ଜୁନିୟର ଚଢାଙ୍କୁ ଦେଖିବାକୁ ବହୁତ ଉତ୍ସାହିତ। କିଛି ପ୍ରଶଂସକ ତାଙ୍କୁ ବହୁତ ଭଲପାଇବା ଏବଂ ଆଶୀର୍ବାଦ ପଠାଇଛନ୍ତି। ଏହା ବ୍ୟତୀତ ଅନେକ ଲୋକ ତାଙ୍କ ଏବଂ ତାଙ୍କ ସ୍ୱାମୀଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖମୟ ଜୀବନ କାମନା କରିଛନ୍ତି।

 

ଲାଞ୍ଚ ନେଉଥିଲେ ପୋଲିସ ବାବୁ; ମାଡ଼ିବସିଲା ଭିଜିଲାନ୍ସ

ବରଗଡ଼ : ଏକ ମାମଲା ରଫା ଦଫା କରିବାକୁ ଲାଞ୍ଚ ନେଉଥିଲେ ପୋଲିସ ବାବୁ । ମାଡ଼ି ବସିଲା ଭିଜିଲାନ୍ସ । ତାଙ୍କ ପାଖରୁ ୭ ହଜାର ଟଙ୍କା ଜବତ ହୋଇଛି । ଏହି ଘଟଣା ହେଉଛି ବରଗଡ଼ ଜିଲ୍ଲା ବିଜେପୁର ଥାନାର । ଏସଆଇ ଜଗା ବରିହା ଲାଞ୍ଚ ନେବା ବେଳେ ଭିଜିଲାନସ ହାତରେ ଧରାପଡ଼ିଛନ୍ତି । ଜଣେ କବାଡ଼ିବାଲାଠାରୁ ସେ ୭ ହଜାର ଟଙ୍କା ନେଉଥିଲେ । ବେପାର କରିବାକୁ ଅନୁମତି ଦେବା ପାଇଁ ଓ କୌଣସି ମାମଲା ରୁଜୁ ନ କରିବାକୁ ପୋଲିସ ବାବୁ ଜଣକ ମାଗିଥିଲେ ୧୦ ହଜାର ଟଙ୍କା।

୭ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ ସଂପୃକ୍ତ ଅଭିଯୋଗକାରୀ । ଲାଞ୍ଚ ନେବା ବେଳେ ଜଗା ବରିହାଙ୍କୁ ଧରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୩ ଟି ଜାଗାରେ ରେଡ୍ କରାଯାଉଛି ।