spot_img
Home Blog Page 534

ଉଡ଼ାନ ଯୋଜନାରେ ଓଡ଼ିଶା ପାଇଁ କଣ ? ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ : ଆଞ୍ଚଳିକ ଯୋଗାଯୋଗ ଯୋଜନା ବା ଉଡାନ ଯୋଜନାରେ ରାଜ୍ୟର ୩୨ଟି ରୁଟରେ ବିମାନ ସେବା ଚାଲିଛି। ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲ ଏହି ସୂଚନା ଦେଇଛନ୍ତି। ଓଡିଶା ଓ ଉତ୍ତର ପୂର୍ବାଞ୍ଚଳ ପାଇଁ ଉଡାନ ଯୋଜନାରେ କେତେ ନୂଆ ଆକାଶ ପଥ ଚିହ୍ନଟ କରାଯାଇଛି ବୋଲି ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ କରିଥିଲେ। ଏଥିସହିତ ଉଡାନ ଯୋଜନାରେ ଦିଆଯାଉଥିବା ବଜେଟ ସହାୟତା ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଏୟାରଷ୍ଟ୍ରିପର ଉନ୍ନତିକରଣ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ।

ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ରାଜ୍ୟମାନଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ଉଡାନ ଯୋଜନାରେ ନୂଆ ନୂଆ ଅଞ୍ଚଳକୁ ବିମାନ ସେବାରେ ଯୋଡା ଯାଇଥାଏ। ରାଜ୍ୟମାନଙ୍କ ଆବଶ୍ୟକତା ଓ ଆଗ୍ରହୀ ଏୟାର ଲାଇନ୍ସର ପ୍ରସ୍ତାବକୁ ବିଚାର କରି କେନ୍ଦ୍ର ସରକାର ଏହାକୁ ମଂଜୁରୀ ଦେଇଥାନ୍ତି। ଓଡିଶାରେ ଏବେ ୩୨ଟି ଏବଂ ଉତ୍ତର ପୂର୍ବାଞ୍ଚଳରେ ୯୦ଟି ରୁଟକୁ ମଂଜୁରୀ ଦିଆଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉଡାନ ଯୋଜନାରେ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନାରେ ଟାୟାର-ଟୁ ଓ ଟାୟାର-ଥ୍ରୀ ସହରରେ ବିମାନ ସେବା ବୃଦ୍ଧି କରାଯିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ମଧ୍ୟ ଯୋଡା ଯାଇଥାଏ। ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଇଦେବାକୁ କେନ୍ଦ୍ର ସରକାର ଏୟାର ଲାଇନ୍ସକୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦେଇଥାନ୍ତି। ଏଥିସହିତ ଡିଜିସିଏ ଯାତ୍ରୀଙ୍କ ସୁରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିଥାଏ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ପୁଣି ଲଜ୍ଜା, ଭୁବନେଶ୍ବର ଏମ୍ସରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବର ଏମ୍ସରେ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ । ଏମ୍ସରେ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ଯୁବତୀଙ୍କୁ ଅସଦାଚରଣ ନର୍ସିଂ ଷ୍ଟାଫ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତର ଗିରଫ ଦାବିରେ ଖଣ୍ଡଗିରି ଥାନାରେ ସକାଳୁ ଲିଖିତ ଅଭିଯୋଗ ପରେ ବି ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଆନ୍ଦୋଳନକୁ ଓହ୍ଲାଇଛି ଠିକା କର୍ମଚାରୀ ସଂଘ  । ସବୁ କାମ ବନ୍ଦ କରି ଏମ୍ସ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଛନ୍ତି  ।

ଗତକାଲି ରାତିରେ ପୀଡିତା ଡିୟୁଟିରେ ଥିବାବେଳେ ଅଭିଯୁକ୍ତ ନର୍ସିଂ ଷ୍ଟାଫ ରୁମ୍ ରେ ଭିତରୁ କବାଟ ବନ୍ଦ କରି ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ପୀଡିତା  । ଜୀବନ ବିକଳରେ କବାଟ ଖୋଲି ପଳେଇ ଆସିଲେ ଯୁବତୀ   । ଆଜି ସକାଳୁ ଅଭିଯୋଗ ଆଣିବା ପରେ ବି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ଏମ୍ସ । ଶେଷରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ପରେ ବି ପୋଲିସ କାର୍ଯ୍ଯାନୁଷ୍ଠାନ ନନେବାରୁ ଧାରଣା ଦେଇଛନ୍ତି ଠିକା କର୍ମଚାରୀ  । ପୀଡିତା ଙ୍କୁ ନ୍ୟାୟ ନମିଳିବା ଯାଏ ଏମର୍ଜେନ୍ସି ବିଭାଗକୁ ଛାଡି ଏମ୍ସରେ ସମସ୍ତ କାମ ବନ୍ଦ ସହ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବେ ବୋଲି ଠିକା କର୍ମଚାରୀ ଚେତାବନୀ ଦେଇଛନ୍ତି  ।

‘ଶୁଣାଣି ହେଉଛି, ସମାଧାନ ହେଉନି’ ; ବାରମ୍ବାର ଦୌଡ଼ି ଲୋକେ ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହେଉଛି, ହେଲେ ସମାଧାନ ହେଉନାହିଁ। ଲୋକଙ୍କ ଅଭିଯୋଗ ସମାଧାନ ନହେବାରୁ ଅସନ୍ତୋଷ ବଢିବାରେ ଲାଗିଛି। ଗୋଟିଏ ଅଭିଯୋଗ ନେଇ ବାରମ୍ବାର ଦୌଡୁଥିଲେ ମଧ୍ୟ ସମାଧାନର ବାଟ ବାହାରୁନାହିଁ। ଅନ୍ୟପଟେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କ୍ଷୋଭ, ସରକାର ତାଙ୍କ କଥା ଶୁଣୁନାହାନ୍ତି। ବାରମ୍ବାର ଅଭିଯୋଗ କଲା ପରେବି କାମ କିଛି ହେଉନାହିଁ। ଗଞ୍ଜାମ ଜିଲ୍ଲା ଢୁଙ୍କାପଡ଼ା ପଞ୍ଚାୟତ ସାରା ଦେଶରେ ଆଦର୍ଶ ପଞ୍ଚାୟତର ମାନ୍ୟତା ପାଇଥିଲା। ଜଳସେଚନ, କିର୍ତ୍ତୀରାଜିର ରକ୍ଷଣାବେକ୍ଷଣ, ପରିବେଶ ସୁରକ୍ଷା ପାଇଁ ଶ୍ରେଷ୍ଠ ସରପଞ୍ଚ ଭାବେ ପୁରସ୍କୃତ ହୋଇଥିଲେ ଆରତୀ ଦେବୀ। ହେଲେ ପଞ୍ଚାୟତର ବିକାଶ ପାଇଁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ସ୍ମାରକପତ୍ର।ପୂର୍ବରୁ ସମସ୍ଯାର ସମାଧାନ ନେଇ ଜିଲ୍ଲାପାଳ ଅବଗତ ଥିଲେ ବି ଏପର୍ଯ୍ୟନ୍ତ କୌଣସି ପ୍ରତିବିଧାନ ହୋଇନଥିବା ଆରତୀ ଅଭିଯୋଗ କରିଛନ୍ତି ।

ଅଭିଯୋଗର ସମାଧାନ ହେଉଛି ବୋଲି ସରକାର କହୁଥିବାବେଳ ବାସ୍ତବତା ଭିନ୍ନ। ଅଭିଯୋଗ ପ୍ରକୋଷ୍ଠକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସୁଛନ୍ତି ନ୍ୟାୟ ପାଇବା ଆଶାରେ। ହେଲେ ଅନେକ ହତାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଏପଟେ ପରିବହନ ମନ୍ତ୍ରୀ କହିଛନ୍ତି, ୯୧ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ଚିକିତ୍ସା ପାଇଁ ୪୮ଜଣଙ୍କୁ ୫୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା ଦିଆଯାଇଛି। ଆଗକୁ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଜାଗାରେ ବି ଶୁଣାଣି ହେବ।

 

ତେଜିଲା ମୌସୁମୀ ଅଧିବେଶନ ପଲିଟିକ୍ସ; କାହିଁକି ବିଳମ୍ବ ହେଉଛି ଅଧିବେଶନ ?

ନନ୍ଦିଘୋଷ ବ୍ୟୁରୋ : ତେଜିଲା ମୌସୁମୀ ଅଧିବେଶନ ପଲିଟିକ୍ସ । କାହିଁକି ବିଳମ୍ବ ହେଉଛି କି ଅଧିବେଶନ ? ବିଜେଡିର କଟାକ୍ଷ- ଶୀତରେ ହେବ ମୌସୁମୀ ଅଧିବେଶନ । କଂଗ୍ରେସ କହିଲା ବିଧାନସଭାକୁ ଡରୁଛି ଶାସକ ଦଳ । ବର୍ଷା ସାରିବାକୁ ବସିଲାଣି, ହେଲେ ମୌସୁମୀ ଅଧିବେଶନ ଡକାଯାଉନି । ରାଜ୍ୟରେ ମାଳମାଳ ସମସ୍ୟା। ଲୋକେ ହେଉଛନ୍ତି ହଇରାଣ । ଆଲୋଚନା କରିବାକୁ ସରକାରୀ ଫୋରମ ନାହିଁ । ମହିଳା ଅସଦାଚରଣ, ନିର୍ଯାତନା, ଦୁଷ୍କର୍ମ, ପିଲାବିକ୍ରି, ଧାନକିଣା ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବନ୍ୟା ଭଳି ଅନେକ ସମସ୍ୟାରେ ଛଟପଟ ରାଜ୍ୟ। ଜନପ୍ରତିନିଧିମାନେ ନିଜ ଅଞ୍ଚଳ ଓ ରାଜ୍ୟର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ବିଧାନସଭା ହିଁ ପ୍ରକୃଷ୍ଟ କ୍ଷେତ୍ର। ହେଲେ ସରକାର ବିଧାନସଭା ଅଧିବେଶନ ଡାକୁନାହାଁନ୍ତି । ସାମ୍ବିଧାନିକ ସଂସ୍ଥାର ଦ୍ବାର ବି ସରକାର ବନ୍ଦ କରିଦେଉଛନ୍ତି। ସରକାରଙ୍କ ସଫଳତା ଓ ବିଫଳତାର ରିପୋର୍ଟ କେଉଁଠି ଆଲୋଚନା ହେବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ମୌସୁମୀ ଅଧିବେଶନ ବିଳମ୍ବ ନେଇ ମୁଖ୍ୟ ବିରୋଧୀ ଦଳ ବିଜେଡି ସହ ସ୍ବର ମିଳାଇଛି କଂଗ୍ରେସ । ରାଜ୍ୟ ସରକାର ବିଧାନସଭାକୁ ଡରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ସବୁ କ୍ଷେତ୍ରରେ ସରକାର ଫେଲ ମାରିଥିବାରୁ ବିଧାନସଭାରେ ବିରୋଧୀଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନି ସରକାରୀ ଦଳ । ସେପଟେ ଅଭିଯୋଗକୁ ମାନିବାକୁ ନାରାଜ ବିଜେପି । ଦଳ କହିଛି- ଖୁବଶୀଘ୍ର ବିଧାନସଭା ଅଧିବେଶନ ଡକାଯିବ । ବାଲେଶ୍ବର, ବଳଙ୍ଗା ଆଦି ଘଟଣା ସମ୍ପର୍କରେ ଆଲୋଚନା ହେବ ।

ଲୋକସଭାରେ ଅପରେସନ ସିନ୍ଦୂର ଘମାସାନ; ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ : ଶହେ ଆତଙ୍କୀ ନିପାତ,୯ ଶିବିର ଧ୍ଵଂସ

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂରରେ ଶହେରୁ ଅଧିକ ଆତଙ୍କୀ ହୋଇଛନ୍ତି ନିପାତ। ୯ ଆତଙ୍କୀ ଠିକଣାକୁ କରାଯାଇଥିଲା ଟାର୍ଗେଟ। ୨୨ ମିନଟ ମଧ୍ୟରେ ସରିଥିଲା ଅପରେସନ ସିନ୍ଦୂର। ଲୋକସଭାରେ ଅପରସେନ ସିନ୍ଦୂର ସମ୍ପର୍କରେ ସ୍ବତନ୍ତ୍ର ଆଲୋଚନା ବେଳେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ୭ ମେ ୨୦୨୫ରେ ଆରମ୍ଭ ହୋଇଥିଲା ଅପରେସନ। ୟୁଏଭି ଜରିଆରେ ବାୟୁସେନା କରିଥିଲା ହମଲା। ଡ୍ରୋନ, ବିମାନ, ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିଲା ପାକିସ୍ତାନ। ହେଲେ ପାକିସ୍ତାନର ସମସ୍ତ ଆକ୍ରମଣକୁ ପ୍ରତିହତ କରିଥିଲା ଭାରତ। ଭାରତର କୌଣସି ଟାର୍ଗେଟକୁ କ୍ଷତି କରିପାରି ନଥିଲା ପାକିସ୍ତାନ। ଏସ-୪୦୦ ଏୟାର ଡିଫେନ୍ସ ଯୋଗୁ ଭାରତକୁ ମିଳିଥିଲା ସଫଳତା। ସାରା ବିଶ୍ବ ଦେଖିଥିଲା ଭାରତୀୟ ବାୟୁସେନାର ତାକତ। ଅପରେସନ ସିନ୍ଦୂରର ଲକ୍ଷ୍ୟ ଥିଲା ଆତଙ୍କୀ ନିପାତ। କାହାର ସୀମା ଦଖଲ କରିବା ଭାରତର ନଥିଲା ଉଦ୍ଦେଶ୍ୟ। ପାକିସ୍ତାନର ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିବା ଥିଲା ଭାରତର ଲକ୍ଷ୍ୟ। ଅପରେସନ ସିନ୍ଦୂର ସ୍ଥଗିତ ରହିଛି, ଶେଷ ହୋଇନାହିଁ ବୋଲି କହିଥିଲେ ରାଜନାଥ।

ସେପଟେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରାରମ୍ଭିକ ବିବୃତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। କଂଗ୍ରେସ ସାଂସଦ ଗୌରବ ଗୋଗଇ ଅଭିଯୋଗ କରିଛନ୍ତି- ଅପରେସନ ସିନ୍ଦୂର ଚାଲିଥିବାବେଳେ ପାକିସ୍ତାନକୁ ଚୀନ ସବୁ ପ୍ରକାରର ସାମରିକ ସହଯୋଗ ଯୋଗାଉଥିଲା। ପ୍ରତିରକ୍ଷା ମନ୍ତ୍ରୀଙ୍କ ଉତ୍ତରରେ ଚୀନ କଥା ପଦୁଟିଏ ବି ଉଲ୍ଲେଖ ନାହିଁ। ସରକାର ଏକଥା ବି କହୁଛନ୍ତି ଅପରେସନ ସିନ୍ଦୂରର ଉଦ୍ଦେଶ୍ୟ ଥିଲା କେବଳ ଆତଙ୍କୀ ଶିବିରକୁ ଧ୍ବଂସ କରିବା। ଦୀର୍ଘ ୨୦ ବର୍ଷ ଧରି ପାକିସ୍ତାନ ଭାରତର ମାଟି ଉପରେ ବର୍ବରୋଚିତ ଆକ୍ରମଣ କରି ଚାଲିଛି। କାହିଁକି ଯୁଦ୍ଧ ହେଲା ନାହିଁ? ପାକ୍ ଅଧିକୃତ କାଶ୍ମୀର ଆଉ କେତେ ଦିନ ପାକିସ୍ତାନ ଅଧୀନରେ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେେ ପହଲଗାଁଓ ଆକ୍ରମଣର ମାଷ୍ଟରମାଇଣ୍ଡ ଖତମ୍। ଅପରେସନ ମହାଦେବରେ ନିହତ ହୋଇଛନ୍ତି ୩ ଆତଙ୍କବାଦୀ । ସେମାନଙ୍କ ମଧ୍ୟରେ ରହିଛି ପହଲଗାଁଓ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାସିମ ମୁସା । ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ସେମାନଙ୍କ ମୃତ୍ୟୁ ହୋଇଛି। ଆର୍ମିର ଅପରେସନ ବେଳେ ସେମାନେ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଲୁଚି ଥିବା ଖବର ପାଇବା ପରେ ସେନା, ସିଆରପିଏଫ୍ ଓ ପୋଲିସ ପକ୍ଷରୁ ଅପରେସନ କରାଯାଇଥିଲା। ଏଥିରେ ୩ ସନ୍ଦିଗ୍ଧ ଆତଙ୍କବାଦୀ ନିହତ ହୋଇଛନ୍ତି। ପହଲଗାଁଓରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିଚାଳନାରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ସଂପୃକ୍ତ ଆତଙ୍କବାଦୀଙ୍କୁ ଏବେ ମିଳିଛି ସଜା। ଆତଙ୍କୀଙ୍କ ନିକଟରୁ ୨ଟି ଏକେ ଧରଣର ରାଇଫଲ, ଗୋଟିଏ ଏମ୪ କାର୍ବାଇନ, ୧୭ଟି ବ୍ୟାରେଲ ଗ୍ରେନେଡ, ବିଭିନ୍ନ ସାମଗ୍ରୀ ଆଦି ଜବତ ହୋଇଛି।

 

ମୃତ୍ୟୁ ପୂର୍ବରୁ ମହିଳା ପ୍ରଂଶସକଙ୍କ ସଞ୍ଜୟ ଦତ୍ତଙ୍କୁ ୭୨ କୋଟି ଟଙ୍କାର ସମ୍ପତ୍ତି ଉପହାର

ନନ୍ଦିଘୋଷ ବ୍ୟୁରୋ : ଫ୍ୟାନ ହେବତ ଏମିତି । ସଞ୍ଜୟ ଦତ୍ତଙ୍କ ଜଣେ ମହିଳା ଫ୍ୟାନ୍ ନିଜ ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ଯାହାର ମୂଲ୍ୟ ୭୨କୋଟି ଟଙ୍କା, ସଞ୍ଜୟ ଦତ୍ତଙ୍କ ନାମରେ କରିଦେଇଛନ୍ତି । ଏହି ଘଟଣା ୨୦୧୮ ମସିହାରେ ଚର୍ଚ୍ଚା ହେବାପରେ, ଲୋକମାନେ ଏହାକୁ ଗୁଜବ ବୋଲି କହିଥିଲେ । ଅଭିନେତା ସଂଜୟ ଦତ୍ତ ସମ୍ପ୍ରତି ଏକ ଆଲୋଚନାରେ ଏହା କାହାଣୀ ନୁହଁ ବରଂ ସତ୍ୟ ବୋଲି ସ୍ବୀକାର କରିଥିଲେ । କର୍ଲି ଟେଲ୍ସ ସହିତ ଏକ ଆଲୋଚନାରେ, ସଞ୍ଜୟଙ୍କୁ ପଚରାଯାଇଥିଲା ଯେ ଜଣେ ମହିଳା ପ୍ରଶଂସକ ତାଙ୍କ ପାଇଁ ୭୨ କୋଟି ଟଙ୍କାର ସମ୍ପତ୍ତି ଛାଡିଛନ୍ତି କି? ଏହାକୁ ସତ୍ୟ ବୋଲି ସ୍ୱୀକାର କରିଥିଲେ ସଞ୍ଜୟ । ଯେତେବେଳେ ପଚରାଗଲା ଯେ ସେ ସମ୍ପତ୍ତି ସହିତ କ’ଣ କରିଛନ୍ତି, ସେ କହିଲେ, “ମୁଁ ସେହି ସମ୍ପତ୍ତି ଦାନ କରିଥିବା ମହିଳାଙ୍କ ପରିବାରକୁ ସବୁ ସମ୍ପତ୍ତି ଫେରାଇ ଦେଇଛି। ୨୦୧୮ରେ, ସଞ୍ଜୟ ଦତ୍ତଙ୍କ ଜଣେ ସମର୍ପିତ ପ୍ରଶଂସକ ନିଶା ପାଟିଲ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି – ଯାହାର ମୂଲ୍ୟ ୭୨ କୋଟି ଟଙ୍କା । ନିଶା ମୁମ୍ବାଇର ଜଣେ ୬୨ ବର୍ଷୀୟା ଗୃହିଣୀ ଥିଲେ । ସେ ଏକ ମାରାତ୍ମକ ରୋଗରେ ପୀଡିତ ରହି ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ତାଙ୍କ ବ୍ୟାଙ୍କକୁ ଜଣାଇଥିଲେ ଯେ ତାଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତି ସଞ୍ଜୟ ଦତ୍ତଙ୍କୁ ହସ୍ତାନ୍ତର କରାଯାଉ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ ଲାଗି ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ ନିବାରଣ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ। ଜମି ହଡ଼ପ, ଚାନ୍ଦା ଆଦାୟ, ଠିକା ହତ୍ୟା, ବେଆଇନ ଖଣି କାରବାର, ନିଶାଦ୍ରବ୍ୟ ଚାଲାଣ ଏବଂ ସମନ୍ୱିତ ଅପରାଧୀ ସିଣ୍ଡିକେଟ୍ ଭଳି ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଇଛି। ପ୍ରକ୍ରିୟାଗତ ବିଳମ୍ବ ଏବଂ ଆଇନର ଗଳାବାଟ ଦେଇ ଖସିଯିବାର ସୁଯୋଗ ନେଇ ଅପରାଧୀ ଏ ସବୁ କାର୍ଯ୍ୟ ଘଠାଇଥାନ୍ତିା । ଏହି ବିପଦର ମୁକାବିଲା କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତର ପ୍ରଦେଶ ଢାଞ୍ଚାରେ ଏକ ସ୍ୱତନ୍ତ୍ର ଆଇନ ପ୍ରତିଷ୍ଠା କରିବା ଆବଶ୍ୟକତା ରହିଛି। ଏହି ଆଇନ ପ୍ରଣୟନ ହେଲେ ସଂଗଠିତ ଅପରାଧୀ ଗୋଷ୍ଠୀ ଗଠନ ଏବଂ କାର୍ଯ୍ୟକୁ ରୋକାଯାଇପାରିବ । ଗ୍ୟାଙ୍ଗ ନେତା ଏବଂ ସଦସ୍ୟଙ୍କ ଉପରେ ପ୍ରଭାବଶାଳୀ ଦଣ୍ଡବିଧାନ ଏବଂ ପ୍ରତିରୋଧ ସୁନିଶ୍ଚିତ କରିହେବ। ଆଇନଗତ ଢାଞ୍ଚା ମାଧ୍ୟମରେ ସାର୍ବଜନୀନ ଶୃଙ୍ଖଳା, ସୁରକ୍ଷା ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖିପାରିବା।

ଏହି ଆଇନ ପ୍ରଣୟ ହେଲେ ଗ୍ୟାଙ୍ଗ ନେଟୱର୍କଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହା ଉପରେ ରୋକ ଲଗାଇବା ଲାଗି ତଦନ୍ତକାରୀ ସଂସ୍ଥଆକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିବ। ଅପରାଧୀଙ୍କ ସମ୍ପତ୍ତି ଆଚାଟ୍ କରିବା ଅଭ୍ୟାସଗତ ଅପରାଧୀଙ୍କ ଉପରେ ପ୍ରତିରୋଧ ଲଗାଯାଇପାରିବ। ତ୍ଵରିତ ବିଚାର ଲାଗି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଲେ ବ୍ୟବସ୍ଥା ସୁଗମ ହେବ। ପୋଲିସ, ଗୁଇନ୍ଦା ବିଭାଗ ଏବଂ ରାଜସ୍ୱ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିବ। ଶୀଘ୍ର ବିଚାର କରିବା ସହ ଦୋଷୀ ସାବ୍ୟସ୍ତ କରିବା। ଦୀର୍ଘକାଳୀନ ଅପରାଧିକ ସାମ୍ରାଜ୍ୟ ଉପରେ ରୋକ ଲଗାଯାଇପାରିବ। ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ MCOCA ଏବଂ ତାମିଲନାଡୁ ଗୁଣ୍ଡା ଆଇନ, ଗ୍ୟାଙ୍ଗ ହିଂସା ଅପରାଧୀଙ୍କୁ ରୋକିବାରେ ସକାରାତ୍ମକ ପ୍ରଭାବ ଦେଖାଇଛି। OGASAPA ଭଳି ଏକ ସ୍ୱତନ୍ତ୍ର ଆଇନ ଓଡ଼ିଶାର ସଂଗଠିତ ଅପରାଧ ବିରୋଧରେ ଲଢ଼େଇରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ। ଏହା ଅପରାଧୀ ନେଟୱାର୍କକୁ ପ୍ରଭାବଶାଳୀ ଭାବରେ ଭାଙ୍ଗିବା, ବେଆଇନ ସମ୍ପତ୍ତି ଜବତ କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ଆଇନଗତ ସମର୍ଥନ ସହିତ ଆଇନ ପ୍ରବର୍ତ୍ତନକାରୀଙ୍କୁ ସଶକ୍ତ କରିବ।

କାଶ୍ମୀର ସବୁଠୁ ବଡ଼ ଆତଙ୍କବାଦୀ କେମିତି ହେଲା ପାକ୍ ହାସିମ ମୁସା ?

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସୁରକ୍ଷା ବାହିନୀକୁ ମିଳିଛି ଏକ ବଡ଼ ସଫଳତା । ମହାଦେବ ଉପତ୍ୟକାରେ ଏକ ଏନକାଉଣ୍ଟରରେ, ଭାରତୀୟ ସେନା ପହଲଗାମ ଆକ୍ରମଣରେ ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ସୂତ୍ର ଅନୁଯାୟୀ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏଜେନ୍ସି ଦ୍ୱାରା ଚିହ୍ନଟ ହୋଇଥିବା ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ, ହାସିମ ମୁସା, ପାକିସ୍ତାନୀ ସେନାର ସ୍ୱତନ୍ତ୍ର ବାହିନୀର ପୂର୍ବତନ ସେନା।

ରିପୋର୍ଟ ଅନୁସାରେ, ପାକିସ୍ତାନୀ ସେନା ମୁସାକୁ ତାର ପଦରୁ ବହିଷ୍କାର କରିଥିଲା, ଯାହା ପରେ ସେ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା ରେ ଯୋଗ ଦେଇଥିଲା। ସେ ସେପ୍ଟେମ୍ବର ୨୦୨୩ରେ ଭାରତରେ ଅନୁପ୍ରବେଶ କରି ଏବଂ ଶ୍ରୀନଗର ନିକଟସ୍ଥ କାଶ୍ମୀରର ବଡଗାମ ଜିଲ୍ଲାକୁ ନିଜର କାର୍ଯ୍ୟ କ୍ଷେତ୍ର ଭାବରେ ବାଛିଥିବା ଜଣାପଡିଥିଲା। ଏହା ପରେ ସେ କାଶ୍ମୀରର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଭାବରେ ବିବେଚିତ ହୋଇଥିଲେ।

ସୁରକ୍ଷା ଏଜେନ୍ସିଗୁଡ଼ିକର ସୂତ୍ର ଅନୁଯାୟୀ, ମୁସାଙ୍କୁ ପାକିସ୍ତାନୀ ସେନାର ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍ ଦ୍ୱାରା ଲସ୍କରରେ ଯୋଗଦେବା ଏବଂ ଆତଙ୍କବାଦୀ ଗୋଷ୍ଠୀର କାଶ୍ମୀର ଅଭିଯାନକୁ ମଜବୁତ କରିବା ପାଇଁ ନିୟୋଜିତ କରାଯାଇଥିବା ଅନୁମାନ କରାଯାଉଛି।

ଗୁପ୍ତ ଅପରେସନରେ ମାହିର ଥିଲା ମୁସା

ତାଲିମପ୍ରାପ୍ତ ପାରା କମାଣ୍ଡୋ ମୁସା ଅପାରମ୍ପରିକ ଯୁଦ୍ଧ ଏବଂ ଗୁପ୍ତଚର କାର୍ଯ୍ୟରେ ମାହିର ବୋଲି ବିଶ୍ୱାସ କରାଯାଏ। ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଏହିପରି ତାଲିମପ୍ରାପ୍ତ କମାଣ୍ଡୋମାନେ ସାଧାରଣତଃ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପରିଚାଳନା କରିବାରେ ପାରଙ୍ଗମ, ଏବଂ ଉଚ୍ଚ ନୌଚାଳନା ଏବଂ ବଞ୍ଚିବା ଦକ୍ଷତା ସହିତ ମେଲି ଯୁଦ୍ଧ ଏବଂ ନିକଟ ଯୁଦ୍ଧରେ ମଧ୍ୟ ପାରଙ୍ଗମ।

ସୁରକ୍ଷା ସେନା ସୂତ୍ର ଅନୁଯାୟୀ, ପାକିସ୍ତାନ ସେନା ଏବଂ ISI ର ଭୂମିକା ଏବେ ସ୍ପଷ୍ଟ ହୋଇଛି କାରଣ ଅକ୍ଟୋବର ୨୦୨୪ରେ ଉପତ୍ୟକାରେ ହୋଇଥିବା ଆକ୍ରମଣରେ ସମାନ ପ୍ରକାରର ନମୁନା ଦେଖାଯାଇଥିଲା, ଯେଉଁଥିରେ ଛଅ ଜଣ ଅଣ-ସ୍ଥାନୀୟ ଲୋକ, ଜଣେ ଡାକ୍ତର, ଦୁଇ ଜଣ ଭାରତୀୟ ସେନା କର୍ମଚାରୀ ଏବଂ ଦୁଇ ଜଣ ସେନା କୁଲି ପ୍ରାଣ ହରାଇଥିଲେ। ମୁସା ୨୦୨୪ ରେ ତିନୋଟି ଆକ୍ରମଣରେ ମଧ୍ୟ ସାମିଲ ଥିଲା।

 ଯଦିଓ ଏବେ ଏହା ସ୍ପଷ୍ଟ ହୋଇଛି ଯେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ମୁସା ଏବଂ ଅଲି ଭାଇ ଏବଂ ଦୁଇ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଠୋକର ଏବଂ ଆସିଫ ଶେଖ ସିଧାସଳଖ ସମ୍ପୃକ୍ତ ଥିଲେ, କିନ୍ତୁ OGW ମାନଙ୍କର ପଚରାଉଚରାରୁ ଆହୁରି ପାକିସ୍ତାନୀ ଆତଙ୍କବାଦୀଙ୍କ ସମ୍ପୃକ୍ତି ସୂଚିତ ହୋଇଛି, ଯାହା ଅଧିକ ତଦନ୍ତରେ ପ୍ରକାଶ ପାଇପାରେ।

 

ପହଲଗାଓଁକୁ କେମିତି ଆସିଲେ ଆତଙ୍କବାଦୀ ? ଏ ସୂଚନାକୁ କାହିଁକି ଲୁଚାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ? : ଗୌରବ ଗୋଗୋଇ

ନନ୍ଦିଘୋଷ ବ୍ୟୁରୋ :  ସୋମବାର ଲୋକସଭାରେ ’ଅପରେସନ ସିନ୍ଦୂର’କୁ ନେଇ ଆଲୋଚନା ଆରମ୍ଭ ହୋଇଛି। ‘ଅପରେସନ ସିନ୍ଦୂର’ ଉପରେ ଆଲୋଚନାରେ ଭାଷଣ ଦେଇ କଂଗ୍ରେସ ସାଂସଦ ଗୌରବ ଗୋଗୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ସୂଚନା ଲୁଚାଇବା ନେଇ ଅଭିଯୋଗ କରିଥିଲେ। ସେ କହିଥିଲେ, “ରାଜନାଥ ସିଂହ ବହୁତ ସୂଚନା ଦେଇଥିଲେ, କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ଭାବରେ, ସେ କେବେ କହି ନଥିଲେ ଯେ ପାକିସ୍ତାନରୁ ଆତଙ୍କବାଦୀମାନେ ପହଲଗାଓଁକୁ କିପରି ଆସି ୨୬ ଜଣଙ୍କୁ ହତ୍ୟା କଲେ ? ଜାତୀୟ ସ୍ୱାର୍ଥ ପାଇଁ ଏହି ପ୍ରଶ୍ନ ପଚାରିବା ଆମର କର୍ତ୍ତବ୍ୟ।”

ସରକାର ଦାୟିତ୍ୱ ନେବା ଉଚିତ 

ଲୋକସଭାରେ କଂଗ୍ରେସର ଉପନେତା ଗୋଗୋଇ କହିଛନ୍ତି ଯେ, “ଆମେ ଦେଶରେ ହିନ୍ଦୁ-ମୁସଲିମ ରାଜନୀତି ହେଉ ବୋଲି ଚାହୁଁନାହୁଁ। ରାହୁଲ ଗାନ୍ଧୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେ ସରକାରଙ୍କ ସହିତ ଅଛୁ ଏବଂ ସରକାରଙ୍କୁ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ପଡିବ। ଲୋକମାନେ ଏହା ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ୧୦୦ ଦିନ ବିତିଗଲାଣି ଏବଂ ସରକାର ସେହି ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଧରିପାରିଲେ ନାହିଁ। କିଏ ଏହି ଆତଙ୍କବାଦୀଙ୍କୁ ସୂଚନା ଦେଇଥିଲେ ଏବଂ କେଉଁ ଲୋକମାନେ ସେମାନଙ୍କୁ ସାହାଯ୍ୟ କରିଥିଲେ  ? ଏନେଇ ଆଜି ମଧ୍ୟ ସରକାର ଏହାର କୌଣସି ଜବାବ ଦେଇନାହାଁନ୍ତି।

ବିରୋଧୀ ଦଳ ଏହି ପ୍ରଶ୍ନଗୁଡ଼ିକ ପଚାରିବା ପାଇଁ ଅପରେସନ ସିନ୍ଦୁର ଉପରେ ଏକ ବିଶେଷ ବିତର୍କ ଦାବି ସେ କରିଛନ୍ତି। ଗୋଗୋଇ କହିଛନ୍ତି ଯେ ସରକାର ଦାୟିତ୍ୱ ନେବା ଉଚିତ ଏବଂ ଜମ୍ମୁ ଏବଂ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ପଛରେ ଲୁଚିବା ଉଚିତ ନୁହେଁ, ଯିଏ ସମ୍ପ୍ରତି ସୁରକ୍ଷା ବିଫଳତା ବୋଲି କହିଥିବା ନୈତିକ ଦାୟିତ୍ୱ ନେଇଛନ୍ତି।

ଗୋଗୋଇ ତାଙ୍କ ଭାଷଣରେ କହିଥିଲେ ଯେ ପହଲଗାଓଁ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ, “କିଛି ଲୋକ ଭୁଲ ସୂଚନା ପ୍ରସାର କରିବା ପାଇଁ କାମ କରୁଥିଲେ।” ସେ ଏହା ମଧ୍ୟ କହିଛନ୍ତି ଯେ ପହଲଗାମ ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଗସ୍ତ ସମାପ୍ତ କରିବା ପରେ, ପ୍ରଭାବିତ ଅଞ୍ଚଳକୁ ତୁରନ୍ତ ପରିଦର୍ଶନ କରିବା ପରିବର୍ତ୍ତେ ବିହାରରେ ରାଜନୈତିକ ଭାଷଣ ଦେଇଥିଲେ। ସେ ଆହୁରି କହିଥିଲେ, “କେବଳ ରାହୁଲ ଗାନ୍ଧୀ ପ୍ରଭାବିତ ଲୋକଙ୍କୁ ଭେଟିବା ପାଇଁ ସେଠାକୁ ଯାଇଥିଲେ,” ଯେତେବେଳେ ଶାସକ ମେଣ୍ଟର ସଦସ୍ୟମାନେ ତାଙ୍କୁ ଚୁପ୍ କରିବାକୁ ଚେଷ୍ଟା କରୁଥିଲେ।

 

 

ବଳଙ୍ଗା ଘଟଣା : ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପାଇଁ ଜଗି ରହିଛନ୍ତି ୬ ପୋଲିସ

ନନ୍ଦିଘୋଷ ବ୍ୟୁରୋ : ବଳଙ୍ଗା ଘଟଣାର ୮ ଦିନ ପରେ ବି ଜଣାପଡ଼ିନି ନାବାଳିକା ଦେହରେ କିଏ ନିଆଁ ଲଗାଇଥିଲା । ଆଜି ପୀଡ଼ିତାଙ୍କ ପରିବାରକୁ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାିଛି। ତାଙ୍କର ଘର ସାମ୍ନାରେ ପୋଲିସ ମୁତୟନ ହୋଇଛନ୍ତି। କଡାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ଦିନ ରାତି ୨୪ ଘଣ୍ଟା ୬ ଜଣ ପୋଲିସ ଜଗି ରହିବେ। ଆଗରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ଦୁଃଖୀଶ୍ୟାମଙ୍କ ପରିବାରକୁ ବଳଙ୍ଗା ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆ ଯାଇଥିଲା। ଗତ ଶନିବାର ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗାଁର ଜଣେ ନାବାଳିକାଙ୍କ ଦେହରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ। ଆଜି ଆଉ ଥରେତ ତାଙ୍କର ଅପରେସନ ହେଉଥିବା ଜଣାପଡ଼ିଛି। ଆଗରୁ ଥରେ ତାଙ୍କର ବୟାନ ରେକର୍ଡ ହୋଇଥିଲା। ପୁଣି ଥରେ ବୟାନ ପାଇଁ ଦିଲ୍ଲୀ ଯାଇଛି ପୋଲିସ। ଆଜି ତାଙ୍କ ଆଗରେ ପୋଲିସ ମୁତୟନ ହେବା, ଘଟଣାକୁ ନୂଆ ମୋଡ଼ ଦେଇଛି।