କୋରାପୁଟ ଜିଲ୍ଲାରେ ଭୁଶୁଡି ପଡିଛି ସ୍ବାସ୍ଥ୍ୟସେବା । ରେଫେରାଲ ହସ୍ପିଟାଲ ପାଲଟିଲାଣି ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଚିକିତ୍ସା ପାଇଁ ଆସି ନ୍ୟାୟନ୍ତ ହେଉଛନ୍ତି ଗରିବ ରୋଗୀ । ଦୀର୍ଘ ଦିନରୁ ଖାଲି ପଡିଛି ଡାକ୍ତର ଓ ର୍କମଚାରୀ ପଦବୀ । ଫଳରେ ବାଧ୍ୟ ହୋଇ ଏବେ ଆନ୍ଧ୍ର ଉପରେ ଭରସା କରୁଛନ୍ତି ଲୋକେ । ଏଠି ୧୨୬ ଟି ଡାକ୍ତର ପଦବୀ ରହିବା କଥା । କିନ୍ତୁ ଅଛନ୍ତି ମାତ୍ର ୩୯ ଜଣ । ସେହିପରି ୪୩ ଜଣ ସ୍ପେଶାଲିଷ୍ଟ ଡାକ୍ଟର ରହିବା କଥା କିନ୍ତୁ ଅଛନ୍ତି ମାତ୍ର ୧୭ ଜଣ । ଜୟପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ଆଇସିୟୁ । ସିଟିସ୍କାନ ସହିତ ଏମ.ଆର.ଆଇ ସୁବିଧା ମଧ୍ୟ ନାହିଁ । ଏମିତିରେ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା କେମିତି ମିଳିପାରିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କୋରାପୁଟ ଜିଲ୍ଲାର ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବାକୁ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁର ଠାରେ ଏକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଏକ ଅତ୍ୟାଧୁନିକ କୋଠା ନିର୍ମାଣ କରିଥିଲେ । ହେଲେ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦଘାଟନ କରିଥିଲେ ନୂଆ ସରକାର । ଜୟପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସଂଖ୍ଯା ଖୁବ୍ କମ ଥିବା ମାନିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ । ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । କିନ୍ତୁ ଡାକ୍ତର ଆସୁନାହାନ୍ତି । ଏହାସହ ମାତ୍ର ୧୭ ଜଣ ସ୍ପେଶାଲିଷ୍ଟ ଡାକ୍ତରରେ ଚାଲିଛି ଚିକିତ୍ସା ସେବା । ଯଥାସମ୍ଭବ ରୋଗୀ ସେବା କରାଯାଉଥିବା କହିଛନ୍ତି ଡିଏମଓ ।
ଭୁବନେଶ୍ୱର ପାଲଟିଛି ଆନ୍ତଃରାଜ୍ୟ ଲୁଟେରାଙ୍କ ସେଫ ପ୍ଲେସ: ଅଭିଯୁକ୍ତଙ୍କ ଭୟରେ ଥର ହର ରାଜଧାନୀ
ଭୁବନେଶ୍ୱର ପାଲଟିଛି ଆନ୍ତଃରାଜ୍ୟ ଲୁଟେରାଙ୍କ ସେଫ ପ୍ଲେସ । ଅଭିଯୁକ୍ତଙ୍କ ଭୟରେ ଥର ହର ରାଜଧାନୀ । ଗଳିକନ୍ଦି ରେ ବୁଲୁଛନ୍ତି ଦୁର୍ବୃତ୍ତଙ୍କ ଏଜେଣ୍ଟ । ବଡ଼ ବଡ଼ୁଅଙ୍କ ଘରକୁ କରୁଛନ୍ତି ସଫ୍ଟ ଟାର୍ଗେଟ । ଲୁଟୁଛନ୍ତି ହାଣୁଛନ୍ତି ଆବଶକ୍ୟତା ପଡିଲେ ହତ୍ୟା ବି କରୁଛନ୍ତି । ଟିକିଏ ମନେ ପକାନ୍ତୁ ସେ ଦିନର ଏୟାରଫିଲଡ଼ ଥାନାର ଛାତିଥରା ଘଟଣା । ଲବଣଗିରିରୁ ଚେନ ଝାମ୍ପିଲା ବେଳେ, ମହିଳାଙ୍କ ଜୀବନ ନେଇଗଲେ । ଭୁବନେଶ୍ୱରର ଆପର୍ଟମେଣ୍ଟ ରେ ଘର ଭଡ଼ା ନେଇ, ସାଇବର ଠକ ମାନେ ସିମ ବକ୍ସ ଓ ଡିଜିଟାଲ ଡିଭାଇସ ବସାଇ କୋଟି କୋଟି ଟଙ୍କା ବୋହି ନେଲେ । ପରେ ପରେ ବିବାହ ମଣ୍ଡପରୁ ଟଙ୍କା, ସୁନା ଗହଣା ମାରାଥନ ଚୋରି କରି ପୋଲିସକୁ ଘାଇଲା କଲେ । ଖାଲି ସେତିକି ନୁହେଁ କଂଗ୍ରେସର ହେଭିୱେଟ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ପୋଲିସକୁ ନାକରେ ପାଣି ପିଆଇଲେ । ଆଉ ଦିଲ୍ଲୀରୁ ବନ୍ଧା ହେଲେ ଏହି ହାଇ ପ୍ରୋଫାଇଲ ଲୁଟେରା ଗ୍ୟାଙ୍ଗ । ସମସ୍ତ ଘଟଣାରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଲା ।
ରାଜଧାନୀ ଭିତରେ ଘଟୁଥିବା ବଡ଼ ବଡ଼ ଅପରାଧରେ ଆନ୍ତଃରାଜ୍ୟ ଲୁଟେରାଙ୍କ ସମ୍ପୃକ୍ତି ଜଳ ଜଳ ଦିଶୁଛି । ତେବେ ଅପରାଧ ଘଟାଇବା ପରେ, ଧରା ପଡ଼ୁଛନ୍ତି ଲୁଟେରା । କିନ୍ତୁ ଆଡ୍ଡା ସ୍ଥଳୀ, ପ୍ରି ପ୍ଲାନ, ବେଳେ ଖସି ଯାଉ ଥିବାରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୋଲିସ । ବାହାର ରାଜ୍ୟର ପୋଲିସ ସହ ଯୋଗାଯୋଗ କରୁଛି ସ୍ପେଶାଲ ସ୍କ୍ବାଡ । ଆନ୍ତଃରାଜ୍ୟ ପେଶାଦାରଙ୍କ କେସ ହିଷ୍ଟ୍ରି ଖୋଜିବା ସହ ତାଲିକା ବି ପ୍ରସ୍ତୁତ କରୁଛି ସ୍ପେଶାଲ ଟିମ । ଓଡ଼ିଶାର କିଛି ହାର୍ଡକୋର ଙ୍କ ସମ୍ପର୍କରେ ତେଲେଙ୍ଗାନା , ବିହାର, ଆନ୍ଧ୍ର ପ୍ରଦେଶ ଓ କେରଳ ପୋଲିସକୁ ତଥ୍ୟ ଦେଇ ସହଯୋଗର ଲୋଡ଼ିଛି କମିଶନରେଟ ପୋଲିସ । କାହିଁକି ଭୁବନେଶ୍ୱରକୁ ସୁରକ୍ଷିତ ସ୍ଥାନ ଭାବେ ବାଛୁଛନ୍ତି ଅପରାଧୀ ? ବେଧଡ଼କ ଭାବରେ ଅପରାଧ କରି, ରାଜ୍ୟ ଭିତରୁ କେମିତି ବାହାରକୁ ଖସି ଯାଉଛନ୍ତି ? ସ୍ମାର୍ଟ ସିଟରେ ସ୍ମାର୍ଟ ପୋଲିସ ଅଛନ୍ତି I କୋଟି କୋଟି ଟଙ୍କାର କ୍ୟାମେରା ସହର ଜଗିଛି , ତଥାପି କେମିତି ଚକମା ଖାଇ ଯାଉଛି ପୋଲିସ ? ଏସବୁ ଏବେ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି ।
ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ପୁଣି ଟାରିଫ୍ ଲଗାଇଛନ୍ତି । ପୂର୍ବରୁ ଭାରତ ଉପରେ ଟ୍ରମ୍ପ ୨୫ ପ୍ରତିଶତ ଟାରିଫ ଲଗାଇଥିବା ବେଳେ ଏବେ ପୁଣି ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି । ଏହି କ୍ରମରେ ଟ୍ରମ୍ପ ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ଭାରତ କ୍ରମାଗତ ଭାବେ ରୁଷ ଠାରୁ ତେଲ କିଣୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଆମେରିକା ତରଫରୁ କୁହାଯାଇଛି । ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲାଗୁ କରିଥିବା ଘୋଷଣା କରାଯାଇଛି । ଏହା ପୂର୍ବରୁ ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଓ ପେନାଲ୍ଟୀ ଘୋଷଣା କରିଥିଲା । ରୁଷ ଠାରୁ ତେଲ କିଣିବା ଏହା ପଛର କାରଣ ବୋଲି ଟ୍ରମ୍ପ କହିଥିଲେ । ଟ୍ରମ୍ପଙ୍କ ଦ୍ବାରା ଜାରି ଆଦେଶରେ କୁହାଯାଇଛି, ଏହି ଟାରିଫ ୨୧ ଦିନ ଭିତରେ ଲାଗୁ ହେବ । ଅର୍ଥାତ ଅଗଷ୍ଟ ୨୭ ଠାରୁ ଭାରତରୁ ଆମେରିକା ପଠାଯାଉଥିବା ଜିନିଷ ଉପରେ ଲାଗୁ ହେବ ।
କୂଳ ଖାଉଛି ନାଗାବଳୀ, ଖସୁଛି ମାଟି ଅତଡ଼ା: ଏବେ ଆତଙ୍କିତ ଅବସ୍ଥାରେ ନଈକୂଳିଆ
କୂଳ ଖାଉଛି ନାଗାବଳୀ । ଖସୁଛି ମାଟି ଅତଡ଼ା । ଏବେ ଆତଙ୍କିତ ଅବସ୍ଥାରେ ନଈକୂଳିଆ । ରାୟଗଡା ଜିଲ୍ଲା ସଦର ବ୍ଲକର ମାରିଗୁଡା, ଜଗନ୍ନାଥପୁର, ବେଡ଼େଲି, ଗୁସେଇଁକଣ୍ଟୁଆ ଓ ବେହେରାଗୁଡ଼ା ପରି ୧୦ ଖଣ୍ଡ ଗ୍ରାମବାସୀ ଏବେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଲଗାଣ ବର୍ଷା ହେଲେ ନାଗାବଳୀ ନଦୀ ଫୁଲୁଥିବା ବେଳେ କୂଳ ଖାଇଖାଇ ଯାଉଛି । ବନ୍ଯା ଜଳ ଗାଁ ଭିତରେ ପଶି ଧନ ଜୀବନ ନଷ୍ଟ କରୁଥିବା ବେଳେ ଅନେକ ଫସଲ କ୍ଷେତ ନଷ୍ଟ ହୋଇଗଲାଣି । ହେଲେ ଏସବୁ ବିଷୟରେ ଜିଲ୍ଲା ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ଠୋସ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
୨୦୧୭ ମସିହାରେ ନାଗାବଳୀ ନଦୀ ବନ୍ୟା ଜଳ ରାତିରେ ଜଗନ୍ନାଥପୁର ଗାଁରେ ପ୍ରବେଶ କରିଥିଲା । ଆଉ ଲକ୍ଷାଧିକ ଟଙ୍କାର ସଂମ୍ପତ୍ତି ନଷ୍ଟ କରିଥିଲା । ଯାହାକୁ ନେଇ ପ୍ରତିବର୍ଷ ବର୍ଷା ଦିନେ ଆଶଙ୍କାରେ କାଳ କାଟୁଛନ୍ତି ଲୋକେ । ତେବେ କଲ୍ୟାଣସିଂହପୁର ବ୍ଲକରୁ ରାୟଗଡ଼ା ବ୍ଲକର କେରେଡ଼ା ମଧ୍ୟରେ ଜଳସମ୍ପଦ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟରେ ଆଡ଼ିବନ୍ଧ ନିର୍ମାଣ କରାଯାଉଛି । ହେଲେ ନିର୍ମାଣ କାମ ବିଳମ୍ବ ହେଉଥିବାରୁ ଲୋକେ ଏବେବି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଅନ୍ୟପଟେ ଖୁବଶୀଘ୍ର ଲୋକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଜିଲ୍ଲାପ୍ରଶାସନ ନାଗାବଳୀ ନଦୀରେ ଶୀଘ୍ର ଆଡ଼ିବନ୍ଧ ନିର୍ମାଣ ଶେଷ କଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରନ୍ତା ।
ଲଗାଣ ବର୍ଷାରେ ଭୁଶୁଡି ପଡିଲା ଘର: ଅନ୍ୟ ଲୋକଙ୍କ ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି ଦୁଇ ପରିବାର
ଗତ ଲଗାଣ ବର୍ଷାରେ ଭୁଶୁଡି ପଡିଲା ଘର । ଏବେ ଭଙ୍ଗା ଦଦରା ଘରେ ଓ ଅନ୍ୟ ଲୋକଙ୍କ ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି ଦୁଇ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲିପଦର ପଞ୍ଚାୟତରେ । ଗୁଡଭେଲିପଦର ଗାଁରେ ରହୁଥିବା ଦୁଇ ଭାଇ ବିକ୍ରମ ନାଏକ ଓ ଅକ୍ଷମ ନାଏକଙ୍କ ଘର ବର୍ଷାରେ ଭଙ୍ଗା ଯାଇଛି । ବିକ୍ରମ ନାଏକଙ୍କ ଘର କାନ୍ଥ ଭୁଶୁଡି ପଡିଛି । ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବାରୁ ସେ ଅନ୍ୟ ଏକ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ପରିବାର ସହ ଆଶ୍ରୟ ନେଇ ଦିନ କାଟୁଥିବା ଅଭିଯୋଗ କରିଛନ୍ତି । ସେହିପରି ଅକ୍ଷମଙ୍କ ଘର କାନ୍ଥ ବି ଭୁଶୁଡି ପଡିଛି । ନିଜ ଘର ବାରଣ୍ଡାରେ ସେ ଜରିପାଲ ଟାଣି ନିଜ ପରିବାର ସହ ଭୟରେ ଦିନ କାଟୁଛନ୍ତି । ଝଡ ବର୍ଷା ହେଲେ ପଡୋଶୀଙ୍କ ଘରେ ଆଶ୍ରୟ ନେଉଛନ୍ତି ।
ଦୁଇ ଭାଇ ମୂଲ ମଜୁରୀ ଲାଗି ବହୁ କଷ୍ଟରେ ପରିବାର ଚଳାନ୍ତି । ସ୍ଵଳ୍ପ ରୋଜଗାରରେ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଥିବା ବେଳେ ଭଙ୍ଗା ଘର ମରାମତି କରିବା ତାଙ୍କ ପକ୍ଷେ ସମ୍ଭବପର ହେଉନି । ତୁରନ୍ତ ଏହି ଦୁଇ ପରିବାରକୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟ ପଟେ ନୂତନ ଭାବେ ଆବାସ ଘର ପାଇଁ ହେଉଥିବା ସର୍ଭେରେ ସେମାନଙ୍କ ନାଁ ତାଲିକାଭୁକ୍ତ କରାଯାଇଛି ବୋଲି କହିଛନ୍ତି ବିଡିଓ ।
କମ୍ୟୁନିଟି ସେଣ୍ଟର ନାଁରେ ଘୋଟାଲା: ଫଲ୍ସ ବିଲ କରି ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଚଳୁ
କମ୍ୟୁନିଟି ସେଣ୍ଟର ନାଁରେ ଘୋଟାଲା । ଫଲ୍ସ ବିଲ କରି ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଚଳୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ପଞ୍ଚାୟତର ତମ୍ବାଖଣ୍ତି ଗାଁରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । କମ୍ୟୁନିଟି ସେଣ୍ଟର ନାଁରେ ଟଙ୍କା ହେରଫେର ହୋଇଥିବା ନେଇ ଗ୍ରାମବାସୀ ସରକାରୀ ପୋର୍ଟାଲରୁ ଜାଣିବା ପରେ ଏ ସଂକ୍ରାନ୍ତ କାଗଜପତ୍ରସବୁ ପ୍ରମାଣସ୍ବରୂପ ଡାଉନଲୋଡ କରିଛନ୍ତି । କେନ୍ଦ୍ରୀଯ ଯୋଜନାରେ ତମ୍ବାଖଣ୍ଡି ଗାଁରେ ଏକ କମ୍ୟୁନିଟି ସେଣ୍ଟର ପାଇଁ ୧ ଲକ୍ଷ ୨୬ ହଜାର ୮୨୪ ଟଙ୍କା ବ୍ୟୟ ବରାଦ ହୋଇଥିଲା । ହେଲେ ଗାଁରେ କୌଣସି କମ୍ୟୁନିଟି ସେଣ୍ଟର ପାଇଁ ମୂଳଦୁଆ ପଡିନଥିବା ବେଳେ ୧ ଲକ୍ଷ ୧୩ ହଜାର ୪ ଶହ ଟଙ୍କା ବିଲ ହୋଇସାରିଲାଣି । ଖୋଦ ଅରଣ୍ଡୁଆ ସରପଞ୍ଚଙ୍କ ଦସ୍ତଖତରେ ଏହି ବିଲ୍ ମଞ୍ଜୁର ହୋଇଥିବା ନେଇ ଅଭିଯୋଗ ହୋଇଛି।
ଗ୍ରାମବାସୀଙ୍କ ଖୋଳତାଡ଼ ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । କମ୍ୟୁନିଟି ସେଣ୍ଟରଟିକୁ ତମ୍ବାଖଣ୍ଡି ଗାଁର ଜଣେ ଆବାସ ହିତାଧିକାରୀ ପାଇଥିବା ଆବାସ ଘରକୁ ଦେଖାଇ ଅର୍ଥ ଲୁଟ କରାଯାଇଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଗାଁକୁ ନଯାଇ ଭଦ୍ରକରେ ରହି ମିଛ ବିଲ୍ କରି ସରକାରୀ ଅର୍ଥ ଲୁଟ କରିଥିବା ଅଭିଯୋଗ ହୋଇଛି । ଗୋଟିଏ ଘର ପାଇଁ ଦୁଇ ଥର ବିଲ କରି ଟଙ୍କା ହଡ଼ପ ହେଲା କିପରି ? ଏ ସଂପର୍କରେ କେହି ଜାଣି ପାରୁନାହାନ୍ତି କିପରି ? ସବୁଠାରୁ ବଡ କଥା ହେଲା ସମ୍ପୃକ୍ତ ଜଣେ ଆବାସ ହିତାଧିକାରୀଙ୍କର ଏକ ବିଶାଳ କୋଠାଘର ଥିବା ସତ୍ତ୍ବେ ପୁଣି ଥରେ ସେ କେମିତି ହାତେଇଥିଲେ ଆବାସ ଘର । ସେପଟେ ଅଭିଯୋଗ ଆସିଲେ ତଦନ୍ତ କରିବୁ କହିଛନ୍ତି ବିଡିଓ । ଦୁର୍ନୀତିକାରୀଙ୍କ ବିରୋଧରେ କାର୍ଯ୍ୟାଷ୍ଠାନ ନିଆଯିବ ନା ଅଭିଯୋଗକୁ ଫାଇଲ ତଳେ ଚାପି ଦିଆଯିବ ତାହା ଦେଖିବାକୁ ବାକି ରହିଲା ।
ପୁଣି ଜଳିଗଲେ ଛାତ୍ରୀ: ବାଲେଶ୍ବର, ବଲଙ୍ଗା ପରେ ପଟ୍ଟାମୁଣ୍ଡାଇର ବଡପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ
ପୁଣି ଜଳିଗଲେ ଛାତ୍ରୀ । ବାଲେଶ୍ବର ବଲଙ୍ଗା ପରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବଡପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ । କିରାସିନ ଢାଳି ହୋଇ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଅଶ୍ଳୀଳ ଫଟୋ ଭାଇରାଲ କରି ଛାତ୍ରୀଙ୍କୁ ପ୍ରେମିକ ବ୍ଲାକମେଲ କରୁଥିବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ବ୍ଲାକମେଲର ଶିକାର ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଗ୍ରାମାଞ୍ଚଳ ଥାନାରେ ଏନେଇ ହୋଇଥିଲା ଏତଲା । ତେବେ ଘରେ କେହି ନଥିବା ବେଳେ ସେ ନିଜ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ପୀଡ଼ିତା ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ, ସଂପୃକ୍ତ ଯୁବକ ବ୍ଲାକମେଲିଂ କରୁଥିବା ନେଇ ଗ୍ରାମାଞ୍ଚଳ ଥାନାରେ ୬ ମାସ ପୂର୍ବରୁ ହୋଇଥିଲା ଏତଲା। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଯାହାକୁ ନେଇ ମାନସିକ ଚାପରେ ଥିଲେ ପୀଡ଼ିତା।
ଓଡ଼ିଶାର ଗ୍ରାମୀଣ ସ୍କୁଲଗୁଡ଼ିକରେ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟ ପାଇଁ ବେଦାନ୍ତ ଆଲୁମିନିୟମର ଅବଦାନ
ସୁନ୍ଦରଗଡ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଗ୍ରାମାଞ୍ଚଳ ସମ୍ପ୍ରଦାୟରେ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଉପରେ ଏକ ସପ୍ତାହ ବ୍ୟାପୀ ପ୍ରୟାସର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ଜାମକାନି, କୁରାଲୋଇ ଏବଂ ଘୋଘରପାଲିର ୧୮ରୁ ଅଧିକ ସ୍କୁଲରେ ପହଞ୍ଚିଥିଲା । ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ ୧,୧୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ।
ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ବିଷୟରେ ବିସ୍ତୃତ ଆଲୋଚନା, ସଚେତନତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆନ୍ତରିକ ଶିକ୍ଷା ଅଧିବେଶନ, ହିଟବ୍ୟାଗ ଏବଂ ‘ମାସିକ ଋତୁସ୍ରାବ’ ଶିକ୍ଷା ପୁସ୍ତିକା ଭଳି ଲିଙ୍ଗ-ସମ୍ବେଦନଶୀଳତା ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ଅଧିବେଶନରେ ବେଦାନ୍ତର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯାହା ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ପରିବର୍ତ୍ତନ ଏବଂ ପ୍ରାରମ୍ଭିକ ସ୍ୱାସ୍ଥ୍ୟ ସଚେତନତାର ଗୁରୁତ୍ୱ ଉପରେ ଅବଗତ କରାଇବା ପାଇଁ ସାହାଯ୍ୟ କରିଥିଲା।
ଏହି କାର୍ଯ୍ୟକ୍ରମର ପ୍ରଭାବ ଉପରେ ଆଲୋକପାତ କରି ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଏକ ସୁସ୍ଥ ଏବଂ ନିୟନ୍ତ୍ରିତ ସମାଜ ଗଠନ ପାଇଁ ସମ୍ପ୍ରଦାୟ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଜରୁରୀ। ନିରନ୍ତର ଏବଂ ଅନ୍ତର୍ଭୁକ୍ତ ପ୍ରୟାସ ମାଧ୍ୟମରେ, ଆମେ ମହିଳା ଏବଂ କିଶୋରୀମାନଙ୍କୁ ଉପଯୁକ୍ତ ଜ୍ଞାନ ଏବଂ ଆବଶ୍ୟକୀୟ ସମ୍ବଳ ପ୍ରଦାନ କରି ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ ଯାହାଦ୍ୱାରା ସେମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇପାରିବେ।ଏହି ପଦକ୍ଷେପ ଶିକ୍ଷା ଏବଂ ସଚେତନତା ମାଧ୍ୟମରେ ସମ୍ପ୍ରଦାୟର ଉନ୍ନତି ପାଇଁ ଆମର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଭିତ୍ତିଭୂମି, ତୃଣମୂଳ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପାଇଁ ଅଂଗୀକାରବଦ୍ଧ।ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି, ପ୍ରତି ସମ୍ପ୍ରଦାୟର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହା ଭବିଷ୍ୟତରେ କମ୍ପାନୀର ସାମାଜିକ ଓ ଆର୍ଥିକ ପ୍ରଗତିର ମୂଳଦୁଆ ଭାବେ ଛିଡାହେବ।
ଥାନା ପରିସରରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ
ଚଣ୍ଡିଖୋଲ: ଥାନା ପରିସରରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ । ବାଲିଚନ୍ଦ୍ରପୁର ଥାନା ଅଧୀନ ଅଣକା ପଞ୍ଚାୟତ ମହିପୁର ଗ୍ରାମର ରବୀନ୍ଦ୍ର ମଲ୍ଲିକ ଏକ ଘଟଣାକୁ ନେଇ ଥାନାକୁ ଲିଖିତ ଅଭିଯୋଗ କରିବା ପାଇଁ ଯାଇଥିଲେ। ହେଲେ ରବୀନ୍ଦ୍ରଙ୍କ ନାମରେ ପୂର୍ବରୁ ଲିଖିତ ଅଭିଯୋଗ ଥିବାରୁ ପୋଲିସ ତାଙ୍କୁ ଅଟକ ରଖିଥିଲା । ରବୀନ୍ଦ୍ର ଥାନାରେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୁଅକୁ ଭେଟିବା ପାଇଁ ପରିବାର ଲୋକେ ଥାନାକୁ ଆସିଥିଲେ ସୁଦ୍ଧା ପୋଲିସ ଭେଟ କରେଇ ଦେଇନଥିଲ। । ପରିବାର ଲୋକେ କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ପୁଅକୁ ଦେଖିବାକୁ ପାଇଥିଲେ । ରବୀନ୍ଦ୍ରଙ୍କୁ ଥାନାରେ ମାଡ ମରାଯାଇ ଥିବା ସହ ତାଙ୍କୁ ବିଷ ପିଆଇ ଦେଇଥିବା ପରିବାର ଲୋକେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଘଟଣାକୁ ଖଣ୍ଡନ କରିଛନ୍ତି । ସମସ୍ତ ଘାଟଣା ସିସିଟିଭିରେ କଏଦ ହୋଇଛି । ଯୁବକଙ୍କ ଦେହ ଖରାପ ହେବାରୁ ତାଙ୍କୁ କଟକ ମେଡିକାଲ ପଠାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ବୋଲି ପୋଲିସ କହିଛି । ଅନ୍ୟପଟେ ନ୍ୟାୟ ଦାବୀ କରିଛନ୍ତି ପରିବାର ଲୋକେ ।
ଜଣଙ୍କ ନାଁରେ ୱାରେଣ୍ଟ ହେଲେ ଆଉ ଜଣକୁ ଉଠାଇ ନେଲା ପୋଲିସ
ପଟ୍ଟାମୁଣ୍ଡାଇ : ଜଣଙ୍କ ନାଁରେ ୱାରେଣ୍ଟ ହେଲେ ଆଉ ଜଣକୁ ଉଠାଇ ହାଜତରେ ପୁରାଇଲା ଆଳି ପୋଲିସ । ଦୀର୍ଘ ତିନି ଘଣ୍ଟା ଜଣେ ଶିକ୍ଷକଙ୍କୁ ହାଜତରେ ରଖିବା ପରେ ଛାଡିଲା ପୋଲିସ । ଶିକ୍ଷକଙ୍କ ଆଧାର କାର୍ଡ ଦେଖିବା ସହ ଗ୍ରାମବାସୀ ଥାନାରେ ପହଞ୍ଚିବା ପରେ ପୋଲିସ ଶିକ୍ଷକଙ୍କୁ ଛାଡିଦେଇଛି । ଏନେଇ ଶିକ୍ଷକ ଅଭିଯୋଗ କରିଛନ୍ତି ଯେ ବିନା ଦୋଷରେ ତାଙ୍କୁ ଜଣେ ଅପରାଧୀ ଭଳି ପୋଲିସ ଘରୁ ଉଠାଇ ନେଇ ହାଜତରେ ରଖିଥିଲା । ଥାନାରେ ଅଟକ ରଖିବା ଯୋଗୁଁ ତାଙ୍କର ସମ୍ମାନ ହାନି ହୋଇଛି । ଆଳି ପ୍ରାଥମିକ ଶିକ୍ଷକ ସଙ୍ଘର ସଦସ୍ୟମାନେ ଆଳି ଥାନାକୁ ଆସିଥିବା ବେଳେ ଆଳି ଥାନା ଅଧିକାରୀ ତାଙ୍କୁ ଦେଖା ଦେଇନଥିଲେ । ଯାହାଫଳରେ ପ୍ରାଥମିକ ଶିକ୍ଷକ ସଙ୍ଘର ସଦସ୍ୟମାନେ କେନ୍ଦ୍ରାପଡ଼ା ଜିଲ୍ଲା ଆରକ୍ଷୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

