ବଲାଙ୍ଗୀର : ଚାଷୀଙ୍କ ଧାନ ଚୋରି କରି ଗିରଫ ହେଲେ ପ୍ୟାକ୍ସ ସମ୍ପାଦକ ଓ ଡିଇଓ । ବଲାଙ୍ଗୀର ଜିଲ୍ଲା ବେଳପଡା ଥାନା ଧୁମାଭଟା ପ୍ୟାକ୍ସରେ ଚାଷୀଙ୍କ ୧୫ ଲକ୍ଷ ଟଙ୍କାର ଧାନ ଚୋରି । ଏହି ଅଭିଯୋଗରେଧୂମାଭଟା ଫ୍ୟାକ୍ସ ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପୋଲିସ ଗିରଫ କରିଛି । ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଧୂମାଭଟା ଫ୍ୟାକ୍ସରେ ଚାଷୀଙ୍କ ଧାନ ହଡ଼ପ ନେଇ ଚାଷୀମାନେ ବାରମ୍ବାର ପାଟଣାଗଡ଼ ARCS ଓ ବଲାଙ୍ଗୀର DRCSSଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବି ଅଧିକାରୀମାନେ କୌଣସି ପଦକ୍ଷେପ ନନେବାରୁ ଗତ ମାର୍ଚ୍ଚ ୧୬ ତାରିଖରେ ପାଟଣାଗଡ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଚାଷୀମାନେ ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦେଶ ଦେଇଥିଲେ l ବଲାଙ୍ଗୀର DRCS ପ୍ରମୋଦ କୁମାର ବରିହାଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ବେଳେ ଧୂମାଭଟା ଫ୍ୟାକ୍ସ ସମ୍ପାଦକ ଚିନ୍ତାମଣି ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର ହୃର୍ଷିକେଶ ବୁଡ଼େକ ଚାଷୀମାନଙ୍କ ପାଖାପାଖି ୧୫ ଲକ୍ଷ ଟଙ୍କା ଧାନକୁ ଫଲସ ଏଣ୍ଟ୍ରି କରି ହଡ଼ପ କରାଯାଇଥିବା ଜଣାପଡ଼ିଥିଲା । ଏନେଇ ବେଲପଡା ଥାନାରେ DRCS ଅଭିଯୋଗ କରିଥିଲେ l ଅଭିଯୋଗ ପରେ ବେଲପଡା ପୋଲିସ ଧୂମାଭଟା ଫ୍ୟାକ୍ସ ସମ୍ପାଦକ ଚିନ୍ତାମଣି ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର ହୂର୍ଷିକେଶ ବୁଡ଼େକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ପରେ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ପାଟଣାଗଡ ଅଞ୍ଚଳର ବିଭିନ୍ନ ପ୍ୟାକ୍ସରେ ଫଲସ୍ ଏଣ୍ଟ୍ରି କରାଯାଇ କୋଟି କୋଟି ଟଙ୍କାର ଘୋଟଲା ହୋଇଥିବା ଅଭିଯୋଗ ହୋଇଛି ।
ଧାନ ବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ
ସୋର : ଧାନ ବସ୍ତା ରଖି ସୋର-କୁପାରୀ ରାସ୍ତା ଅବରୋଧ କଲେ ଚାଷୀ l ବାଲେଶ୍ୱର ଜିଲ୍ଲା ସୋର ନଦୀଗାଁ ସେବା ସମବାୟ ସମିତି ଚାଷୀମାନେ ମଣ୍ଡିରେ ଧାନ ଦେଇ ନପାରିବାରୁ ପ୍ରତିବାଦ । ଜିଲ୍ଲାପାଳ, ସିଏସଓ, ବ୍ଲକ ପ୍ରଶାସନ ଜଣାଇବା ପରେ ମଧ୍ୟ ସମିତିକୁ ଟାର୍ଗେଟ ନଦେବା, ମଣ୍ଡିରେ ଚାଷୀ ମାନଙ୍କର ଧାନ ନନେବା ପ୍ରତିବାଦରେ ଆଜି ନଦୀଗାଁ ସେବା ସମବାୟ ସମିତିର ଶତାଧିକ ଚାଷୀ ଧାନ ବସ୍ତା ରଖି ସୋର କୁପାରୀ ରାସ୍ତା ଅବରୋଧ କରିଛନ୍ତି l ସେହିପରି ଖଇରା ବ୍ଲକ କୁରୁଣ୍ଟା ସେବା ସମବାୟ ସମିତିରେ ଶତାଧିକ ଚାଷୀ ସମିତିରେ ତାଲା ପକାଇ ବିଭିନ୍ନ ନାରାବାଜି ଦେଉଥିବାର ଦେଖିବାକୁ ମିଳିଛି l ଏହି ଦୁଇ ସମିତି ର ଘଟଣା ନୁହେଁ ଅନେକ ସମିତି ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି l
ନୟାଗଡ଼ରେ ଗ୍ୟାସ ସଙ୍କଟ, ଗ୍ୟାସ ନ ପାଇ ଉପଭୋକ୍ତାଙ୍କ ରାସ୍ତା ରୋକ
ନୟାଗଡ଼ : ନୟାଗଡ଼ରେ ଗ୍ୟାସ ସଙ୍କଟ । ଗ୍ୟାସ ନ ପାଇ ଉପଭୋକ୍ତାଙ୍କ ରାସ୍ତା ରୋକ । ଗ୍ୟାସ ପାଇବା ପାଇଁ ଏଚପି ଗ୍ୟାସ କାଉଣ୍ଟର ନିକଟରେ ରାସ୍ତା ରୋକ କଲେ ଲୋକେ । ରାସ୍ତା ରୋକ ଯୋଗୁଁ ଜାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ନୟାଗଡ଼ ଟାଉନ ଥାନା ପୋଲିସ ଏବଂ ଯୋଗାଣ ଅଧିକାରୀ ଉପଭୋକ୍ତାଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କରିଛନ୍ତି । ବୁକିଂ କରିଥିଲେ ମଧ୍ୟ ଗ୍ୟାସ ଠିକ ରେ ମିଳୁ ନଥିବାରୁ ଏହାର ପ୍ରଭାବ ହାଣ୍ଡିଶାଳ ଉପରେ ପଡ଼ିଥିବା କହିଛନ୍ତି ହିତାଧିକାରୀ । ଗୋଟେ ପଟେ ଗ୍ୟାସ ସଙ୍କଟ ନଥିବା କଥା ରାଜ୍ୟ ସରକାର କହୁଥିବା ବେଳେ ଏହାର ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ ଓଲଟା । ପ୍ରତ୍ୟେକ ଦିନ ଶତାଧିକ ଲୋକ ଗ୍ୟାସ ପାଇଁ ଆସି ଫେରୁଥିବା ଅଭିଯୋଗ କରିଛନ୍ତି । ସେପଟେ ନୟାଗଡ ଜିଲ୍ଲା ଯୋଗାଣ ଅଧିକାରୀ ମୁରଲୀ କ୍ରିଷ୍ଣା ରାଉ କହିଛନ୍ତି ଯୋଗାଣ ଠିକ ଠାକ ଚାଲିଛି, ଏବଂ ଗ୍ୟାସ ମହଜୁଦ ଅଛି । କିନ୍ତୁ ଉପଭୋକ୍ତା ମାନେ ମିଛ କହି ରାସ୍ତା ରୋକ କରୁଛନ୍ତି।
ପାକିସ୍ତାନ ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦକୁ ଝଟକା
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦକୁ ଝଟକା । ମସୁଦ ଅଜହରର ବଡ଼ ଭାଇ ମହମ୍ମଦ ତାହିର ଅନୱର ମୃତ । ୨ ଦଶନ୍ଧି ଧରି ଜୈସ ର ସେନା ମୁଖ୍ୟଭାର ସମ୍ଭାଳୁଥିଲା ଅନୱର । ତେବେ କେଉଁ ପରିସ୍ଥିତିରେ ତାର ମୃତ୍ୟୁ ହୋଇଛି ସେନେଇ ସ୍ପଷ୍ଟ କରାଯାଇ ନାହିଁ । ତାହିର ଅନୱର ଜୈସ ଏ ମହମ୍ମଦର ପ୍ରମୁଖ ଭୂମିକା ନିର୍ବାହ କରୁଥିଲା । ଦୀର୍ଘ ଦିନ ଧରି ସଂଗଠନ ସହ ରହିଥିଲା ତାହିର । ତେବେ ୬୨ ବର୍ଷ ବୟସରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାହିର ଜନାଜା ସୋମବାର ରାତିରେ ଉଠିଥିବା ଜଣାପଡ଼ିଛି । ଏହାପରେ ବହାବଲପୁର ସ୍ଥିତ ଜାମିଆ ମସଜିଦ ଉସମାନ ଅଲ୍ଲୀରେ ନମାଜ ଏ ଜନାଜା କରାଯିବ । ଏହି ଜନାଜାରେ ବହୁ ସଂଖ୍ୟାରେ ଲୋକ ସାମିଲ ହେବେ । ଜୈସ ଏ ମହମ୍ମଦ ଓ ମସୁଜ ଆଜହର ଭାରତେର ଅନେକ ଆତଙ୍କୀ ହମଲା କରିଛି । ତେବେ କେଉଁ ପରିସ୍ଥିତିରେ ତାହିରର ମୃତ୍ୟୁ ହୋଇଛି ତାହ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।
ଇରାନର ଇସଫହାନକୁ ପୁଣି ଆମେରିକା ଓ ଇସ୍ରାଏଲର ଟାର୍ଗେଟ
ନନ୍ଦିଘୋଷ ବ୍ୟୁରୋ : ଇରାନର ଇସଫହାନକୁ ପୁଣି ଆମେରିକା ଓ ଇସ୍ରାଏଲର ଟାର୍ଗେଟ। ସହରରେ ଥିବା ଏକ ବୃହତ ଅସ୍ତ୍ର ଗୋଦାମ ଉପରେ ହୋଇଛି ହମଲା। ପ୍ରାୟ ୯୦୦ କିଲୋଗ୍ରାମର ବଙ୍କରଭେଦୀ ବୋମାରେ ଅସ୍ତ୍ର ଗୋଦାମର ବିପୁଳ କ୍ଷତି ହୋଇଥିବା ସୂଚନା ମିଳିଛି। ସେଠାରେ ଆଣବିକ ଅସ୍ତ୍ରଶସ୍ତ୍ର ମହଜୁଦ ଥିବାରୁ ଏହାକୁ ଟାର୍ଗେଟ କରିଥିଲେ ଆମେରିକା ଓ ଇସ୍ରାଏଲ। ଏୟାରଷ୍ଟ୍ରାଇକ ପରେ ସେଠାରେ କ୍ରମାଗତ ନିଆଁ ଜଳୁଥିବା ପରିଲକ୍ଷିତ ହୋଇଛି। ଇସଫାହନରେ ପ୍ରାୟ ୨୩ ଲକ୍ଷ ଲୋକ ବସବାସ କରୁଥିବାବେଳେ ଏହି ସହରରେ ରହିଛି ଇରାନର ବାଦର ସାମରିକ ଏୟାରବେସ। ସେପଟେ ଆମେରିକୀୟ MQ-9 ରିପର ଲଙ୍ଗରେଞ୍ଜ ମାନବବିହୀନ ଏରିଆଲ ଭେହିକଲକୁ ଖସାଇ ଦେଇଛି ଇରାନ। ତେଣେ ଇସ୍ରାଏଲର ଜେରୁଜେଲମରେ ୧୦ଟି ବିସ୍ଫୋରଣ ଘଟିଥିବା ଜଣାଯାଇଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଏକମାସ ବିତିଥିଲେ ସୁଦ୍ଧା ସମାଧାନ ପାଇଁ ରାସ୍ତା ବାହାରିପାରୁନି…
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଏକମାସ ବିତିଥିଲେ ସୁଦ୍ଧା ସମାଧାନ ନେଇ କୌଣସି ରାସ୍ତା ବାହାରିପାରୁ ନାହିଁ । ଏହାରି ଭିତରେ ନିଜ ଦେଶରେ ବିରୋଧର ଶିକାର ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ପାରମ୍ପରିକ ସହଯୋଗୀ ମଧ୍ଯ ଖୋଲାଖୋଲି ସମର୍ଥନ ଦେଉ ନାହାନ୍ତି । ତେଣୁ ଇରାନକୁ ଧ୍ବଂସ କରିବାକୁ ଚେତାବନୀ ଦେଉଥିବା ଟ୍ରମ୍ପଙ୍କ ସ୍ବର ଦିନକୁ ଦିନ ବଦଳିବାରେ ଲାଗିଛି । ଯୁଦ୍ଧ ବିରତି ନେଇ ଆଲୋଚନା ଜାରି ରହିଥିବା ଟ୍ରମ୍ପ କହୁଥିବାବେଳେ କୌଣସି ଆଲୋଚନା ହୋଇ ନଥିବା ସ୍ପଷ୍ଟ କରିଛି ତେହେରାନ । ଏଥିରୁ ସ୍ପଷ୍ଟ ହେଉଛି ଏହି ଭୟଙ୍କର ଯୁଦ୍ଧ ଭିତରେ ଏକା ହୋଇଯାଇଛନ୍ତି ଉଭୟ ଆମେରିକା ଓ ଇସ୍ରାଏଲ । ୨୮ ଫେବୃଆରୀରୁ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ରଖିଥିବା ଦୁଇଦେଶର ସ୍ଥିତି ଏବେ ବଦଳିବାରେ ଲାଗିଥିବା ନଜରକୁ ଆସିଛି । ତଥାପି ମୁହଁଟାଣ ରଖିବାକୁ ଗୋଟିଏ ପରେ ଗୋଟିଏ ଚେତାବନୀ ଦେଇ ଚାଲିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ସବୁ ଚେତାବନୀର କଡ଼ା ଜବାବ ଦେଇଛି ଇରାନ । ଇରାନ ପକ୍ଷରୁ ଇରାକ ଉପରେ ବଡ଼ ଆକ୍ରମଣ କରାଯାଇଛି ।ସୁଲେମାନୀ ସ୍ଥିତ ଅମେରିକା ୟୁନିଭର୍ସିଟିକୁ ଟାର୍ଗେଟ କରିଛି ତେହେରାନ । ସେପଟେ ୨୪ ଘଣ୍ଟା ଭିତେର ଇସ୍ରାଏଲ ଉପରେ ୪୩ ହମଲା କରାଯାଇଥିବା ଦାବି କରିଛି ହିଜବୁଲ୍ଲା । ସେପଟେ ବର୍ତ୍ତମାନ ସୁଦ୍ଧା ଇରାନର ୧୧ ହଜାର ସ୍ଥାନକୁ ମିଳିତ ସେନା ଟାର୍ଗେଟ କରିଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଆମରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ କହିଛନ୍ତି, ଇରାନର ମିସାଇଲ ଓ ଡ୍ରୋନ ଉତ୍ପାଦନ କେନ୍ଦ୍ର ପୂରା ନଷ୍ଟ କରିବାକୁ ଚାଲିଛି ଯୋଜନା । ହର୍ମୁଜ ପ୍ରଣାଳୀ ମୁକ୍ତ କରିବାକୁ ଆମେରିକୀୟ ସେନା ମୁତୟନ ହୋଇଛନ୍ତି । ଇରାନ ଯଦି ହର୍ମୁଜ ପ୍ରଣାଳୀ ଉପରେ କଟକଣା ବନ୍ଦ ନକରେ ତେବେ ସ୍ଥିତି ଭୟଙ୍କର ହେବ । ଇସ୍ରାଏଲ ଓ ଆମେରିକା ଇରାନ ରାଜଧାନୀ ତେହେରାନ ସମେତ ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଗତକାଲି ରାତି ସାରା ଆକ୍ରମଣ କରିଛନ୍ତି। ଆମେରିକା ଏବେ ସ୍ଥଳଯୁଦ୍ଧ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇବା ସହ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକରେ ୫୭ ହଜାର ଆମେରିକୀୟ ସୈନ୍ୟ ଠୁଳ କଲାଣି । ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ଯଦି ଖୁବ୍ଶୀଘ୍ର ଯୁଦ୍ଧ ଶେଷ ପାଇଁ ଇରାନ ଓ ଆମେରିକା ମଧ୍ୟରେ କୌଣସି ଚୁକ୍ତି ନ ହୁଏ ତେବେ ଆମେ ଇରାନର ବିଦ୍ୟୁତ୍ କେନ୍ଦ୍ର ଓ ଖାର୍ଗ ଦ୍ବୀପକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେବୁ ।
ଶୀତଳା ମନ୍ଦିରରେ ଦଳାଚକଟା : ୮ ମହିଳା ମୃତ
ନାଳନ୍ଦା : ବିହାର ନାଳନ୍ଦା ଜିଲ୍ଲା ଶୀତଳା ମନ୍ଦିରରେ ଦଳାଚକଟା। ଧାର୍ମିକ ଉତ୍ସବ ଚାଲିଥିବାବେଳେ ଘଟିଛି ଦଳାଚକଟା। ଦଳାଚକଟାରେ ୮ ମହିଳା ମୃତ, କିଛି ଭକ୍ତ ଆହତ ହୋଇଥିବା ସୂଚନା। ପୂଜା ଲାଗି ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହେବା ପରେ ଘଟିଥିଲା ଅଘଟଣ। ଦଳାଚକଟାରେ ମୃତକଙ୍କ ସଂଖ୍ୟା ଅଧିକ ହେବାର ଆଶଙ୍କା ରହିଛି। ଘଟଣାସ୍ଥଳରେ ପୋଲିସର ଉଦ୍ଧାରକାର୍ଯ୍ଯ ଜାରି ରହିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରି ରଖିଛି। ଘଟଣାର ତଦନ୍ତ ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଆହତମାନଙ୍କ ଚିକିତ୍ସା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ରନ୍ଧନ ଗ୍ଯାସ କଳାବଜାରୀ ଅଭିଯୋଗ ପରେ ରେଡ
ଉମରକୋଟ : ରନ୍ଧନ ଗ୍ଯାସ କଳାବଜାରୀ ଅଭିଯୋଗ ପରେ ରେଡ । ଉମରକୋଟର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ଓ ପୋଲିସର ଚଢ଼ାଉ । ବିପୁଳ ଗ୍ଯାସ ସିଲିଣ୍ଡର ଜବତ । ଉମରକୋଟ ସନ୍ତୋଷୀ ନଗରର ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ ଥିବା ସୂଚନା ପାଇ ଚଢାଉ କରିଥିଲା ପୋଲିସ । ସେଠାରୁ ଅନେକ ଟାଙ୍କି ଜବତ ହୋଇଥିବାବେଳେ ଦୀପକ ଶର୍ମା ନାମକ ଗ୍ୟାସ ବେପାରୀ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଶୌଚାଳୟରେ ୫ଟି ଖାଲି ହାଣ୍ଡି ରଖିଥିବା ବେଳେ ପୋଲିସ ଓ ଯୋଗାଣ ବିଭାଗ ଜବତ କରିଛି । ସେହିପରି ଝରୀଗାଁ ରୋଡର ମନୋଜ ଅଗ୍ରୱାଲଙ୍କ ନିକଟରୁ ୩୩ ଟି ଖାଲି ସିଲିଣ୍ଡର ଜବତ କରାଯାଇଛି । ଅନ୍ୟପଟେ ନୂଆ ବସଷ୍ଟାଣ୍ଡରୁ ଉଠା ଦୋକାନୀଙ୍କ ପାଖରୁ କିଛି ଘରୋଇ ସିଲିଣ୍ଡର ଜବତ କରାଯାଇଛି ।
ଏନଏସି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ…
ଚାନ୍ଦବାଲି : ଚାନ୍ଦବାଲି ଏନଏସି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କଲେ ଅଧ୍ୟକ୍ଷାଙ୍କ ସମେତ କାଉନସିଲର । ଶାସକ ଦଳର କର୍ମୀଙ୍କୁ କାମ ବଣ୍ଟନ କରି ଖୁସି କରୁଥିବା ଅଭିଯୋଗ । ପ୍ରତିବାଦରେ ଚାନ୍ଦବାଲି ଏନ ଏ ସି ଅଧିକାରୀଙ୍କୁ ଘେରିଲେ ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ କାଉନସିଲର । ଅଭିଯୋଗ ମୁତାବକ ଚାନ୍ଦବାଲି ଏନଏସି ର ପ୍ରତ୍ୟେକ ୱାର୍ଡ ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଛି । ମାତ୍ର କେଉଁଠି କେତେ ଟଙ୍କାର କେଉଁ କାର୍ଯ୍ୟ ହେଉଛି ସେ ବିଷୟରେ ଅବଗତ ନାହାନ୍ତି ଅଧ୍ୟକ୍ଷାଙ୍କ ସମେତ କାଉନସିଲର । ଏନଏସି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିଛନ୍ତି କଂଗ୍ରେସ ଓ ବିଜେଡି ଦଳର କାଉନସିଲର । ଯଦି ଏନଏସି ଅଧିକାରୀ ଏମିତି କାର୍ଯ୍ୟରୁ ବିରତ ନ ହୁଅନ୍ତି ତେବେ ଏନଏସି ଅଫିସରେ ଚାବି ପକାଇବା ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ଓ କଂଗ୍ରେସ । ଅନ୍ୟ ପଟେ ଏ ବିଷୟରେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଛନ୍ତି ଏନଏସି ଅଧିକାରୀ ।
ଗୁଣି ସନ୍ଦେହରେ ଶାଶୁକୁ ହାଣିଲା ବୋହୂ…
ଉଦଳା : ଶାଶୁକୁ ହାଣିଲା ବୋହୂ । ଗୁଣି ସନ୍ଦେହରେ ଶାଶୁକୁ ଅତି ନିଷ୍ଠୁର ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ। ଆଉ ଏ ସବୁର ଦେଖଣାହାରି ସାଜିଥିଲା ପୁଅ। ମୟୂରଭଞ୍ଜ ଉଦଳା ଥାନା ଏନଏସି ୬ ନମ୍ବର ୱାର୍ଡରେ ଘଟିଛି ଏଭଳି ଘଟଣା। ଗାଁର ସାବିତ୍ରୀ ଦତ୍ତ ଘର ବାହାରେ ବସିଥିବା ବେଳେ ଅଚାନକ ବୋହୂ ମାମି ଦତ୍ତ ଆସି ସାବିତ୍ରୀଙ୍କୁ ଘର ଭିତରକୁ ଘୋଷାରି ନେଇଥିଲେ। ସେଠାରେ ବେତବାଡ଼ିରେ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ଅନ୍ଧାଧୂନ ହାଣି ଚାଲିଲେ। ତେବେ ଆକ୍ରମଣରେ ଗୁରୁତର ହୋଇ ସାବିତ୍ରୀ ଚିତ୍କାର କରିବାରୁ ପଡୋଶୀ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶାଶୁକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଆକ୍ରମଣ କରିଥିବା ବୋହୂକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ.

