ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଆସିକା ଥାନା ଦନ୍ତାରି ବିଗଡ଼ ଗାଁରେ ଅଭାବନୀୟ ଘଟଣା। ନିଜ ଜନ୍ମକଲା ମାକୁ ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁଅର ବର୍ବର କାଣ୍ଡ । ମୃତକ ହେଲେ ୭୫ ବର୍ଷିୟା ଲକ୍ଷ୍ମୀ ବରାଡ଼ । ପୁଅ ବୋହୂ ମିଶି ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଝିଅ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡ଼ିକାଲରେ ଭର୍ତ୍ତି କରିଥିବାବେଳେ ତଦନ୍ତ ଜାରି ରଖିଛି। ସେପଟେ ନିଜ ଜନ୍ମ କଲା ମାକୁ ପୁଅ ମାରିବା ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ଅପରେସନ ସିନ୍ଦୂରରେ କାହାର ବିଜୟ ଏବଂ କାହାର ପରାଜୟ? ସେନା ମୁଖ୍ୟ କହିଲେ ପାକିସ୍ତାନୀଙ୍କ ଉତ୍ତର
ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାନ ବିବାଦ ଏବଂ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ମଧ୍ୟ, ପାକିସ୍ତାନ ସାରା ବିଶ୍ୱରେ ନିଜର ବିଜୟର ବିଗୁଲ ବଜାଇ ଚାଲିଥିଲା, ଯଦିଓ ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ କରିଥିଲା। ହେଲେ ଏହି ସତ୍ୟ କାହାଠାରୁ ଲୁଚି ନାହିଁ। ଏବେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହା ଉପରେ କଡ଼ା ସମାଲୋଚନା କରିଛନ୍ତି।
ଉପେନ୍ଦ୍ର ଦ୍ୱିବେଦୀ ଆଇଆଇଟି ମାଡ୍ରାସରେ ଅପରେସନ ସିନ୍ଦୂର ବିଷୟରେ କହିଥିଲେ। ଏହି ସମୟରେ ସେ ସଂଘର୍ଷ ସମୟରେ ପାକିସ୍ତାନର ଅବସ୍ଥା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଯଦି ଆପଣ କୌଣସି ପାକିସ୍ତାନୀଙ୍କୁ ପଚାରନ୍ତି ଯେ ଯୁଦ୍ଧ କିଏ ଜିତିଛି? ତେବେ ସେମାନେ କହିବେ; ଆମେ ଜିତିଥିଲୁ, ସେଥିପାଇଁ ଆମ ଚିଫ୍ ମାର୍ଶାଲ ହୋଇଥିଲେ।
ଏହି ମନ୍ତବ୍ୟ ମାଧ୍ୟମରେ ଜେନେରାଲ ଦ୍ୱିବେଦୀ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ଭାବେ ନିଯୁକ୍ତି ନେଇ କଟାକ୍ଷ କରିଛନ୍ତି। ଏହା ସହିତ, ଅପରେସନ ସିନ୍ଦୁର ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ କେନ୍ଦ୍ର ସରକାର ସଶସ୍ତ୍ର ବାହିନୀକୁ ମୁକ୍ତ ହାତ ଦେଇଥିଲେ। ଏହି କାରଣରୁ ଆମେ ପାକିସ୍ତାନକୁ ଉଚିତ ଶିକ୍ଷା ଦେବାରେ ସଫଳ ହୋଇଛୁ।
ସେ ଆହୁରି କହିଥିଲେ କି, ପାକିସ୍ତାନ ସେନା ମୁଖ୍ୟ ଲୋକଙ୍କ ମଧ୍ୟରେ କାହାଣୀ ପରିଚାଳନା କରିଥିଲେ। ସେମାନେ ଯୁଦ୍ଧ ସଂଘର୍ଷ ବିଷୟରେ ସୋସିଆଲ ମିଡିଆରେ ଏକ କାହାଣୀ ସୃଷ୍ଟି କରିଥିଲେ। ଏହି କାରଣରୁ ସେଠାକାର ଲୋକମାନେ ଏବେ ବି ଅନୁଭବ କରନ୍ତି ଯେ ସେମାନେ ଜିତିଛନ୍ତି। ଏହା ମାଧ୍ୟମରେ ଯୁଦ୍ଧ ସମୟରେ ଏକ କାହାଣୀ ସୃଷ୍ଟି କରାଯାଏ ଏବଂ ଦର୍ଶାଯାଏ ଯେ ଆମେ ଜିତିଛୁ। ପାକିସ୍ତାନ ମଧ୍ୟ ସେହିପରି କରୁଥିଲା।
କିଛି ବଡ଼ କରିବାକୁ ମିଳିଥିଲା ଆଦେଶ
ଅପରେସନ ସିନ୍ଦୂର ପରେ ସାରା ଦେଶରେ କ୍ରୋଧର ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତେ ପାକିସ୍ତାନଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ। ଆକ୍ରମଣର ୨୪ ଘଣ୍ଟା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ତିନି ସେନା ମୁଖ୍ୟଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ଏକ ସିଧାସଳଖ ଏବଂ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ କିଛି ବଡ଼ କାମ କରିବାକୁ ପଡିବ। ଏବେ ଯଥେଷ୍ଟ ହେଲା। ଆମ ସେନା ମୁଖ୍ୟମାନଙ୍କୁ, ପାକିସ୍ତାନଠାରୁ ପ୍ରତିଶୋଧ ନେବା ପାଇଁ ସମ୍ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଥିଲା। ଏହି ବିଶ୍ୱାସ ଯୋଗୁଁ ହିଁ ଅପରେସନ ସିନ୍ଦୂର ସଫଳ ହୋଇଛି।
ପ୍ରଥମ ଥର ପାଇଁ, ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ହୋଇଥିବା କ୍ଷତି ବିଷୟରେ ଜଣେ ବରିଷ୍ଠ ଅଧିକାରୀ ଏକ ବିବୃତ୍ତି ଦେଇଥିଲେ। ବାୟୁସେନା ମୁଖ୍ୟ ଗତକାଲି କହିଥିଲେ ଯେ ଅପରେସନ ସିନ୍ଦୂର ସମୟରେ, ଆମେ ପାକିସ୍ତାନର ୫ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛୁ। ଆମେ ୩୦୦ କିଲୋମିଟର ଭିତରକୁ ପ୍ରବେଶ କରି ସେମାନଙ୍କୁ ଏକ ଶିକ୍ଷା ଦେଇଛୁ।
ଋଣ ଠକେଇ ମାମଲାରେ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟ ଆଶ୍ଵସ୍ତି
ନନ୍ଦିଘୋଷ ବ୍ୟୁରୋ : ବ୍ୟାଙ୍କ ଋଣ ଅର୍ଥ ହେରଫେର ମାମଲା। ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ଵସ୍ତି। ରିଲାଏନ୍ସ ଇନଫ୍ରାର ଦୁଇ ସହଯୋଗୀ କମ୍ପାନୀ ଯମୁନା ପାୱାର ଲିମିଟେଡ ଓ ରାଜଧାନୀ ପାୱାର ଲିମିଟେଡର ପଡିଥିବା ବକେୟା ଆଦାୟ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ। ଏହି ଦୁଇ କମ୍ପାନୀର ବକେୟା ୨୮ ହଜାର ୪୮୩ କୋଟି ଆଦାୟ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବକେୟା ଆଦାୟ କରାଯିବ।
ରିଲାଏନ୍ସ ଇନଫ୍ରା କହିଛି ଯେ BSES ଯମୁନା ପାୱାର ଲିମିଟେଡ୍ ଏବଂ BSES ରାଜଧାନୀ ପାୱାର ଉପରେ ୩୧ ଜୁଲାଇ୨୦୨୫ ସୁଦ୍ଧା ମୋଟ ୨୮ ହଜାର ୪୮୩କୋଟି ଟଙ୍କା ବକେୟା ଅଛି। ନିୟାମକ ସମ୍ପତ୍ତିର ପୁନରୁଦ୍ଧାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରିଲାଏନ୍ସ ଇନଫ୍ରାର ସହାୟକ କମ୍ପାନୀଗୁଡ଼ିକ ୧ ଏପ୍ରିଲ, ୨୦୨୪ ପରଠାରୁ ୪ ବର୍ଷ ମଧ୍ୟରେ ୨୮ ହଜାର ୪୮୩ କୋଟି ଟଙ୍କାର ନିୟାମକ ସମ୍ପତ୍ତି ପୁନରୁଦ୍ଧାର କରିବେ।BSES ଯମୁନା ପାୱାର ଲିମିଟେଡ୍ ଏବଂ BSES ରାଜଧାନୀ ପାୱାରରେ ରିଲାଏନ୍ସ ଇନଫ୍ରାଷ୍ଟକ୍ଚରର ୫୧ପ୍ରତିଶତ ଅଂଶଧନ ଅଛି, ଯେତେବେଳେ ବାକି ୪୯ ପ୍ରତିଶତ ଅଂଶଧନ ଦିଲ୍ଲୀ ସରକାରଙ୍କ ପାଖରେ ଅଛି। ଏହି ଦୁଇଟି ବିଦ୍ୟୁତ ବଣ୍ଟନ କମ୍ପାନୀ DISCOMs ଦିଲ୍ଲୀର ପ୍ରାୟ ୫୩ ଲକ୍ଷ ଘରକୁ ବିଦ୍ୟୁତ୍ ଯୋଗାଣ କରନ୍ତି।
ଟ୍ରମ୍ପ–ପୁଟିନ ଆଲୋଚନାକୁ ଭାରତର ସ୍ଵାଗତ, ବୈଦେଶିକ ମନ୍ତ୍ରାଳୟର ବିବୃତ୍ତି
ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଅଗଷ୍ଟ ୧୫ରେ ଟ୍ରମ୍ପ-ପୁଟିନ ଆଲୋଚନା । ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ହେବ ବଡ଼ ଆଲୋଚନା। ଯୁକ୍ରେନ ଯୁଦ୍ଧ ସମାପ୍ତ କରିବା ନେଇ ଏହି ବୈଠକ ହେବ। ଭାରତ ଏହାକୁ ସ୍ଵାଗତ କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଆମେରିକା ଏବଂ ରୁଷ ମଧ୍ୟରେ ବୈଠକକୁ ସ୍ବାଗତ କରୁଛି ଭାରତ। ବିବୃତ୍ତିରେ କୁହାଯାଇଛି, “ଏହି ବୈଠକ ୟୁକ୍ରେନରେ ଚାଲିଥିବା ସଂଘର୍ଷର ଅନ୍ତ ଆଣିବା ଏବଂ ଶାନ୍ତିର ସମ୍ଭାବନା ଖୋଲିବାର ପ୍ରତିଶୃତି ରଖୁଛି ।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର କହିଛନ୍ତି ଯେ, “ଏହା ଯୁଦ୍ଧର ଯୁଗ ନୁହେଁ” । ୨୦୧୫ ମସିହାରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଭେଟିବା ପରେ ପୁଟିନଙ୍କର ଏହା ପ୍ରଥମ ଆମେରିକା ଯାତ୍ରା ହେବ। ଆଗରୁ ସୋସିଆଲ ମିଡିଆରେ ଟ୍ରମ୍ପ ପୋଷ୍ଟ କରିଥିଲେ ଯେ, ଆଲାସ୍କାର ଗ୍ରେଟ୍ ଷ୍ଟେଟରେ ବହୁ ପ୍ରତୀକ୍ଷିତ ବୈଠକ ହେବ। ପୁଟିନଙ୍କ ସହିତ ମୋର ଆଲୋଚନା ହେବ। ଆହୁରି ବିସ୍ତୃତ ସୂଚନା ପରେ ଆସିବ। କ୍ରେମଲିନ୍ ସୂଚନା ଦେଇଛି ଯେ ଦୁଇ ନେତା ୟୁକ୍ରେନ ସଙ୍କଟର ଏକ ଦୀର୍ଘକାଳୀନ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା କରିବେ। ୟୁକ୍ରେନକୁ ନେଇ ଟ୍ରମ୍ପ-ପୁଟିନ ଆଲୋଚନା ଖବର ପରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ୟୁକ୍ରେନକୁ ନେଇ କୌଣସି ଆଲୋଚନା ବିନା ୟୁକ୍ରେନର ଅଂଶଗ୍ରହଣରେ ସଂପୂର୍ଣ୍ଣ ହେବ ନାହିଁ।
ରୁଷକୁ ଟାର୍ଗେଟ କରି ସେ କହିଛନ୍ତି, କୌଣସି ପରିସ୍ଥିତିରେ ଜବରଦଖଲକାରୀକୁ ୟୁକ୍ରେନ ନିଜ ଅଞ୍ଚଳ ସମର୍ପି ଦେବ ନାହିଁ। ଏଥିରୁ ଜଣାପଡୁଛି ଜେଲେନସ୍କି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨୦୨୨ ଫେବୃଆରୀରେ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଥିଲା। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହିତ ଧ୍ଵଂସସ୍ତୁପରେ ପରିଣତ ହୋଇଛି ୟୁକ୍ରେନର ବହୁ ଅଞ୍ଚଳ। ରୁଷିଆ କେତେକ ଡୋନବାସ ପରି କେତେକ ଏରିଆକୁ ଦଖଲ କରି ନେଇଛି। ଏହି ଯୁଦ୍ଧରେ କେବଳ ଯେ, ୟୁକ୍ରେନର କ୍ଷତି ହୋଇଛି, ତାହା ନୁହେଁ। ରୁଷିଆ ମଧ୍ୟ ପ୍ରଭୁତ କ୍ଷତି ସହିଲାଣି। ତାର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏପରିକି ଉତ୍ତର କୋରିଆରୁ ଭଡ଼ାରେ ସୈନ୍ୟ ଆଣିଛି ମସ୍କୋ। ଅନ୍ୟଦେଶର ନାଗରିକଙ୍କୁ ମଧ୍ୟ ଟଙ୍କା ଦେଇ ଲଢେ଼ଇରେ ସାମିଲ କରିଛି ରୁଷିଆ। ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଶ୍ଵ ଅର୍ଥନୀତିରେ ବି ପଡ଼ିଛି।
ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆଭାସୀ ମାଧ୍ୟମରେ କ୍ରାନ୍ତିଦିବସ ପାଳିତ
ନନ୍ଦିଘାେଷ ବ୍ୟୁରୋ: ଆଜି କ୍ରାନ୍ତି ଦିବସ ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆଭାସୀ ମାଧ୍ୟମରେ କ୍ରାନ୍ତି ଦିବସ ପାଳନ କରାଯାଇଛି । ବିଧାୟକ ଡ. ବ୍ୟୋମକେଶ ରାୟ ଓ ବିଧାୟକ ଦେବୀ ରଂଜନ ତି୍ରପାଠୀଙ୍କ ନେତୃତ୍ୱରେ ଏହି ଆଭାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଏହି ଆଭାସୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ, ଉପସଭାପତି ସଂଜୟ କୁମାର ଦାସବର୍ମା ଓ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେବା ସହିତ ବହୁ ଯୁବ ଓ ଛାତ୍ର ନେତାମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ଶ୍ରୀ ଦାସବର୍ମା, ଦେଶରୁ ଇଂରେଜମାନଙ୍କୁ ହଟାଇ ସ୍ୱାଧୀନତା ଆଣିଥିବା ମହାପୁରୁଷମାନଙ୍କ ସ୍ମୃତିଚାରଣ କରିଥିଲେ । ସେମାନଙ୍କ ବୀରତ୍ୱ ତଥା ବଳିଷ୍ଠ ତ୍ୟାଗ ଯୋଗୁ ଦେଶ ସ୍ୱାଧୀନତା ହାସଲ କରିଥିଲା । ପୂର୍ବପୁରୁଷ ମାନଙ୍କୁ ସମ୍ମାନ ଜଣାଇ ଆମ ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ୱ । ସେହିପରି ଶ୍ରୀ ଦାସ କହିଥିଲେ, ରାଜ୍ୟରେ ଦିନକୁ ଦିନ ଛାତ୍ରୀ ଓ ନାରୀ ବିରୋଧୀ ହିଂସା ଘଟଣା ଅହେତୁକ ଭାବରେ ବଢିବାରେ ଲାଗିଛି । ଯାହା ଆମ ସମସ୍ତଙ୍କୁ ଚିନ୍ତିତ କରିଛି । ରାଜ୍ୟ ସରକାରଙ୍କ ଅପାରଗତା ଓ ପୋଲିସ ପ୍ରଶାସନ ନିଷ୍କ୍ରିୟତା ଯୋଗୁଁ, ଗୋପାଳପୁର, ବଳଙ୍ଗା, ବାଲେଶ୍ୱର ଓ କେନ୍ଦ୍ରାପଡା ଭଳି ସ୍ଥାନରେ ଆଇନ କାନୁନର ଖୋଲା ଉଲ୍ଲଂଘନ କରି ଅପରାଧୀମାନେ ଅପରାଧ ଘଟାଉଛନ୍ତି । କିନ୍ତୁ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଗୋଟିଏ ସଜାଗ, ଦାୟିତ୍ୱପୂର୍ଣ୍ଣ ତଥା ପ୍ରମୁଖ ବିରୋଧୀ ଦଳ ହିସାବରେ ବିଜେଡି ଆଗାମୀ ଦିନରେ ରାଜ୍ୟ ସରକାରଠାରୁ ଏହାର ଉତ୍ତର ଆଶା କରିବା ସହ ଯେପର୍ଯ୍ୟନ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ସୁଧୁରୁନି ସେ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଯୁବ ଓ ଛାତ୍ର ନେତାମାନେ ଆନେ୍ଦାଳନକୁ ତୀବ୍ରତର କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।
ଅନ୍ୟପଟେ ଡ. ସାହୁ, ଅଗଷ୍ଟ ୧ରୁ ୮ ପର୍ଯ୍ୟନ୍ତ ଛାତ୍ରୀ ଓ ନାରୀ ସୁରକ୍ଷା ପାଇଁ ଡିଜିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଏହି ପର୍ଯ୍ୟାୟରେ ହଜାର ହଜାର ଛାତ୍ର ଓ ଯୁବ ନେତା ସ୍ୱତଃପ୍ରଭୂତ ଭାବେ ଯୋଗଦାନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ବହୁ ଦିନ ପରେ ଏଭଳି ଗୋଟିଏ ବିରାଟ ଯୁବ ଓ ଛାତ୍ର ଆନେ୍ଦାଳନ ରାଜ୍ୟରେ ସଫଳ ହୋଇଛି । ବିଜୁ ଯୁବ ଓ ଛାତ୍ର ଜନତା ଦଳ ନେତୃତ୍ୱରେ ଅଗଷ୍ଟ ୯ରୁ ୧୪ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ହଜାର ହଜାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରୀ ଓ ନାରୀ ସୁରକ୍ଷା ପାଇଁ ଉଦବେଗ ପ୍ରକାଶ କରି ଖୋଲା ଚିଠି ଲେଖିବେ । ରାଜ୍ୟରେ ଛାତ୍ରୀ ଓ ନାରୀ ସୁରକ୍ଷା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଏହି ଆନେ୍ଦାଳନକୁ ଅଧିକରୁ ଅଧିକ ଶାଣିତ କରିବ । ଏହି ଆଭାସୀ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା କର୍ମକର୍ତ୍ତା ଓ ବ୍ଲକ ସଭାପତି ପ୍ରମୁଖ ଯୋଗ ଦେଇଥିଲେ ।

