ପୁଣି ଅଡୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ସ୍ବାମୀ ରାଜ କୁନ୍ଦ୍ରା। ମୁମ୍ବାଇର ଜଣେ ବ୍ୟବସାୟୀଙ୍କଠାରୁ ପ୍ରାୟ ୬୦ କୋଟି ଟଙ୍କା ଠକେଇ ଅଭିଯୋଗରେ ରୁଜୁ ହୋଇଛି ମାମଲା। ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ ଲିମିଟେଡକୁ ନେଇ ହୋଇଥିବା ଡିଲରେ ଏହି ଠକେଇ ଘଟିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ଫାର୍ମ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି। ଶିଳ୍ପା ଓ କୁନ୍ଦ୍ରାଙ୍କ ବିରୋଧରେ ୬୦ କୋଟି ଟଙ୍କାର ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ ଦୀପକ କୋଠାରି। ୨୦୧୫ରୁ ୨୦୨୩ ମଧ୍ଯରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଲୋଟସ କ୍ୟାପିଟାଲ ଫାଇନାନସିଆଲ ସର୍ଭିସେସର ନିର୍ଦ୍ଦେଶକ ଅଛନ୍ତି ଦୀପକ। ଶିଳ୍ପା ଓ କୁନ୍ଦ୍ରାଙ୍କୁ ତାଙ୍କ ସହ ପରିଚୟ କରାଇଥିଲେ ରାଜେଶ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତି। ସେମାନେ ସେତେବେଳେ ବେଷ୍ଟ ଡିଲ ଟିଭି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଥିଲେ। ଏହା ଥିଲା ଏକ ହୋମ ସପିଙ୍ଗ ଓ ଅନଲାଇନ ରିଟେଲ ପ୍ଲାଟଫର୍ମ। ସେମାନେ କମ୍ପାନୀର ୮୭.୬ ପ୍ରତିଶତ ସେୟାର ରଖିଥିଲେ। ପ୍ରଥମେ ବଲିଉଡ ଦମ୍ପତି୧୨ ପ୍ରତିଶତ ସୁଧହାରରେ ୭୫ କୋଟି ଟଙ୍କାର ଋଣ ଚାହିଁଥିଲେ। ଦମ୍ପତିଙ୍କ ଅନୁରୋଧ ପରେ ଏପ୍ରିଲ ୨୦୧୫ ଦୀପକ ୩୧.୯୫ କୋଟି ଟଙ୍କାର ଋଣ ଦେଇଥିଲେ। ସେପ୍ଟେମ୍ବରରେ ଆଉ ୨୮.୫୩ କୋଟି ଟଙ୍କା ପ୍ରଦାନ କରିଥିଲେ। ଋଣ ମିଳିବା ପରେ କମ୍ପାନୀର ନିର୍ଦ୍ଦେଶିକା ପଦରୁ ଶିଳ୍ପା ଇସ୍ତଫା ଦେଇଥିଲେ। ଏହା ସହ ଦୀପକଙ୍କ ଟଙ୍କା ଫେରାଇ ନଥିଲେ। ପୂର୍ବରୁ ଆଡଲ୍ଟ ଫିଲ୍ମ ଓ ବିଟକଏନ ଠକେଇ ମାମଲାରେ ଛନ୍ଦି ହୋଇଥିଲେ କୁନ୍ଦ୍ରା।
ହୁତୁ ହୁତୁ ହୋଇ ଜଳିଗଲା ଲୁହା ବୋଝେଇ ଟ୍ରକ
ହୁତୁ ହୁତୁ ହୋଇ ଜଳିଗଲା ଲୁହା ବୋଝେଇ ଟ୍ରକ । କେନ୍ଦୁଝରରୁ ଲୁହା ଧରି ପାରାଦୀପ ଯାଉଥିବା ସମୟରେ ଘଟଗାଁ ଥାନା ପୋଇଜାମୁଳା ଛକ ନିକଟରେ ଜଳିଯାଇଛି। ସର୍ଟ ସର୍କିଟ ଯୋଗୁଁ ଉକ୍ତ ଟ୍ରକଟି ଜଳିଯାଇଥିବା ସନ୍ଦେହ କରାଯାଉଛି। ଟ୍ରକଟି ଜଳିଯାଉଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଟ୍ରକ ଚାଳକ ସୁରକ୍ଷିତ ଥିବା ସୂଚନା ମିଳିଛି।
ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ମୃତ ଛାତ୍ରୀଙ୍କ ମା’ ଆଣିଲେ ହତ୍ୟା ଅଭିଯୋଗ
ପୁରୀ ଜିଲ୍ଲା ନିମାପଡ଼ାରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା। ମୃତ ଛାତ୍ରୀଙ୍କ ମା ଆଣିଲେ ହତ୍ୟା ଅଭିଯୋଗ। ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ଅଣ୍ଢିଆ ସାହି ଗ୍ରାମର ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ । ଖବର ପାଇବା ପରେ ନିମାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଜବତ୍ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିଲା। ସେପଟେ ଆଜି ଘଟଣା ନୂଆମୋଡ ନେଇଛି। ଗତକାଲି ନାବାଳିକାଙ୍କ ବାପା ନିମାପଡ଼ା ଥାନାରେ ଝିଅର ମୃତ୍ୟୁକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ।ପୋଲିସ ଅଭିଯୋଗ ଅନୁଯାୟୀ ତଦନ୍ତ ଜାରି ରଖିଥିବା ବେଳେ ପୁଣି ଆଜି ନାବାଳିକାଙ୍କ ମା ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।
ନାବାଳିକାଙ୍କ ବାପା ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀ କୋଣାର୍କରେ ରହୁଥିବା ବେଳେ ଦ୍ଵିତୀୟ ପତ୍ନୀଙ୍କୁ ପାଖରେ ରଖିଥିଲେ। ନାବାଳିକାଜଣକ ପ୍ରଥମ ପତ୍ନୀଙ୍କ ଝିଅ ହୋଇଥିବା ବେଳେ ଝିଅକୁ ହତ୍ୟା କରି ଟାଙ୍ଗୀ ଦେଇଥିବା ଅଭିଯୋଗ କରିଛନ୍ତି ମା। ଝିଅର ମୃତ୍ୟୁ ଖବର ତାଙ୍କ ମାଙ୍କୁ ବାପା କିମ୍ବା ପରିବାର ଲୋକ ଜଣାଇ ନଥିବା ବେଳେ ଝିଅକୁ ମାନସିକ ନିର୍ଯ୍ୟାତନା ଦିଆ ଯାଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମା। ବିଭିନ୍ନ ସମୟରେ ସାବତ ମାଆ ଝିଅକୁ ଜୀବନରୁ ମାରିଦେବା ପାଇଁ ଧମକ ଚମକ ଦେଇ ଆସୁଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ମା। ଘଟଣାର ତଦନ୍ତ ଲାଗି ଦାବି କରିଛନ୍ତି ନାବାଳିକାଙ୍କ ମା।
ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ
ଦେଶର ୧୦୯୦ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଉଲ୍ଲେଖନୀୟ ସେବା ଲାଗି ୭୫୮ ଜଣଙ୍କୁ ମିଳିବ ପୁରସ୍କାର। ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଏଏସପି ରବୀନ୍ଦ୍ର ପଣ୍ଡା ଓ କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଓଡ଼ିଶାର ୯ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର। ଉଲ୍ଲେଖନୀୟ ସେବା ଲାଗି ଓଡ଼ିଶାର ୧୧ ଜଣଙ୍କୁ ମିଳିବ ପଦକ। ଯେଉଁ ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ଲାଗି ପଦକ ପାଇବେ ସେମାନେ ହେଲେ ସହକାରୀ ଆଇଜି ମହେଶ୍ବର ସେଠୀ, ଅତିରିକ୍ତ ଏଏସପି ପ୍ରଦୀପ କୁମାର ପ୍ରଧାନ, ଏଏସପି ଦେବେନ୍ଦ୍ର ନାରାୟଣ ଦାସ, ଡିଏସପି ଆଶିଷ କୁମାର ରାଉତ, ଇନସ୍ପପେକ୍ଟର ଏ. ଶ୍ରୀନିବାସ ଦୋରା, ଡିଏସପି ହେମାମାଳିନୀ ନାୟକ, କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍କିକ, ଇନ୍ସପେକ୍ଟର ସନ୍ତୋଷ କୁମାର ମିର୍ଦ୍ଧା, ଏଏସଆଇ ଅରୁଣ କୁମାର ସାମନ୍ତ, ଏଏସଆଇ ଅରବିନ୍ଦ ଦାସ, କନଷ୍ଟେବଳ ଚିନ୍ମୟୀ ରାଉତ।
ସାପ କାମୁଡ଼ାରେ ଚାରି ଜଣଙ୍କ ମୃତ୍ୟୁ
ସାପ କାମୁଡ଼ାରେ ଚାଲିଗଲା ମା ଓ ପୁଅର ଜୀବନ । କେନ୍ଦୁଝର ଘସିପୁ୍ରା ବ୍ଲକ ରାଧିକାଦେଇପୁର ଗାଁରେ ଅଘଟଣ । ରାତିରେ ଖାଇ ସାର ଘରେ ଶୋଇଥିଲେ ବାପା, ମା ଓ ୯ ବର୍ଷର ପୁଅ । ହଠାତ ଘର ଭିତରକୁ ପଶି ଆସିଥିଲା ବିଷାକ୍ତ ସାପ । ଆଉ ସାପ କାମୁଡ଼ାରେ ଏକାବେଳକେ ଚାଲିଗଲା ମା ଓ ପୁଅର ଜୀବନ ।
ବର୍ତ୍ତିଗଲେ ବାପା । ମୃତକ ହେଲେ ସୁନୀଲ ମୁଣ୍ଡାଙ୍କ ପତ୍ନୀ ଜେମା ମୁଣ୍ଡା ଓ ପୁଅ ଗୋପାଳ । ରାତିରେ ପେଟରେ ଯନ୍ତ୍ରଣା ଓ ବାନ୍ତି ହେବାରୁ ସୁନୀଲ ସେମାନଙ୍କୁ ପ୍ରଥମେ କେଶଦୁରାପାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଉଭୟ ମା ଓ ପୁଅଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ପୋଲିସ ପହଁଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସେହିପରି ଗଞ୍ଜାମ ଦିଗପହଣ୍ଡିରେ ସାପ କାମୁଡାରେ ମାଇଁ, ଭାଣିଜୀ ମୃତ। ପାତ୍ରପୁର ବ୍ଲକ ବୁରାତାଲ ପଂଚାୟତ ପାହାଡ଼ ଉପରେ ଥିବା ବିଲୁ ଗାଁରେ ଘଟିଛି ଅଭାବନୀୟ ଘଟଣା। ଘରେ ଶୋଇଥିବା ଅବସ୍ଥାରେ ସେମାନଙ୍କୁ ସାପ କାମୁଡିଥିଲା। ତେବେ ସେମାନଙ୍କୁ ମେଡିକାଲକୁ ନେବା ପୂର୍ବରୁ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରକୁ ପଠାଯାଇଛି। ମୃତକ ମାଇଁ ହେଲେ ଦମୟନ୍ତୀ ଶବର ଓ ଭାଣିଜୀ ଲିମି କାର୍ଜି।
ରିଲିଜ ହେଲା ସୁପରଷ୍ଟାର ରଜନୀକାନ୍ତଙ୍କ ମୋଷ୍ଟ ଆଓ୍ବେଟେଡ ଫ୍ଲିଲ୍ମ `କୁଲି’
ରିଲିଜ ହେଲା ମୋଷ୍ଟ ଆଓ୍ବେଟେଡ ଫ୍ଲିଲ୍ମ `କୁଲି । ସୁପରଷ୍ଟାର ରଜନୀକାନ୍ତଙ୍କ ଦମଦାର ଆକ୍ସନରେ ଫିଦା ଫ୍ୟାନ୍ସ ।ମଲ୍ଟି ଷ୍ଟାରର ଫିଲ୍ମ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମ ପୋଷ୍ଟରରେ କ୍ଷୀର ଢାଳିଛନ୍ତି ପ୍ରଶଂସକ। ଆଡଭାନ୍ସ ବୁକିଂରେ ରେକର୍ଡ ୧୦୦ କୋଟି ଆୟ କରିଛି କୁଲି । ଯାହାକି ଭାରତୀୟ ସିନେମା ଇତିହାସରେ ପ୍ରଥମ। ଲୋକେଶ କନଗରାଜ ନିର୍ଦ୍ଦେଶିତ ଫିଲ୍ମରେ ବ୍ୟୟ ହୋଇଛି ୪୦୦ କୋଟି ଟଙ୍କା । ବିଭିନ୍ନ ଭାଷାରେ ଫିଲ୍ମଟି ରିଲିଜ ହୋଇଛି। ନାଗାର୍ଜୁନ, ସୃତି ହାସନ, ଅମିର ଖାନ, ଉପେନ୍ଦ୍ର, ସୌବିନ ସାହିର ଓ ସତ୍ୟରାଜ ଫିଲ୍ମରେ ନଜର ଆସିଛନ୍ତି। ଏହା ସହିତ ତାମିଲ ସିନେମାରେ ୫୦ ବର୍ଷ ପୂରଣ କରିଛନ୍ତି ରଜନୀକାନ୍ତ। ୪୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଫିଲ୍ମ ଆଜି ସାରା ବିଶ୍ବରେ ବି ରିଲିଜ ହୋଇଛି। ତାମିଲରେ ନିର୍ମିତ ଏହି ଫିଲ୍ମର ଅବଧି ରହିଛି ୧୭୦ ମିନଟ। ସନ୍ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଫିଲ୍ମର ପ୍ରଯୋଜନା କରିଛନ୍ତି କଳାନିଥି ମରାନ। ଏହି ଫିଲ୍ମ ହେଉଛି ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ। ଏହାର ଟାଇଟଲ ଘୋଷଣା ହୋଇଥିଲା ଏପ୍ରିଲ ୨୦୨୪ରେ। ଚେନ୍ନାଇ, ହାଇଦ୍ରାବାଦ, ବିଶାଖପାଟଣା, ଜୟପୁର, ବ୍ୟାଙ୍ଗକରେ ଫିଲ୍ମର ଶୁଟିଂ ହୋଇଛି।
ଖୁବ୍ ଶୀଘ୍ର ବଦଳିବ ଆର୍ମିର ରୂପରେଖ: ସେନାରେ ସାମିଲ ହେବ ସ୍ବତନ୍ତ୍ର ଡ୍ରୋନ ୟୁନିଟ
ଖୁବ୍ ଶୀଘ୍ର ବଦଳିବ ଆର୍ମିର ରୂପରେଖ। ସେନାରେ ସାମିଲ ହେବ ସ୍ବତନ୍ତ୍ର ଡ୍ରୋନ ୟୁନିଟ। ଏହା ସହ ଅଲ-ଆର୍ମି ବ୍ରିଗେଡକୁ ବି ସାମିଲ କରାଯିବ। ଆର୍ମିରେ ବି ସ୍ଥାନୀତ ହେବ ନୂଆ ସ୍ବତନ୍ତ୍ର ବାହିନୀ। ଏନେଇ ଗତ ଜୁଲାଇ ୨୬ ବିଜୟ ଦିବସ ଅବସରରେ ସୂଚନା ଦେଇଥିଲେ ଆର୍ମିଚିଫ। ୨୦୨୩ରୁ ୨୦୩୨ ରୂପାନ୍ତରଣ ଦଶନ୍ଧି ଅବସରରେ ସେନାକୁ ସର୍ବଶକ୍ତିମାନ କରିବା ଲାଗି ହୋଇଛି ଯୋଜନା। ସେନାରେ ସାମିଲ ହେବ ନୂଆ ବାଟାଲିୟନ- ରୁଦ୍ର, ଭୈରବ, ଶକ୍ତିବାନ ଓ ଦିବ୍ୟାସ୍ତ୍ର। ଏହା ସହ ସେନାରେ ବ୍ୟାପକ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। ଚଳିତ ଅଗଷ୍ଟ ଶେଷ ସୁଦ୍ଧା ସାମିଲ ହେବ ଭୈରବ ବାଟାଲିଅନ। ଏହି ବାଟାଲିୟନ ଆର୍ମିର ଏଲିଟ ସ୍ପେସାଲ ଫୋର୍ସ ଓ ନିୟମିତ ବାହିନୀ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ। କୌଶଳଗତ ଦାୟିତ୍ବ ନିର୍ବାହ କରିବ ଭୈରବ ବାଟାଲିୟନ। ଏହା ସମ୍ପୂର୍ଣ୍ଣ ଆଧୁନିକତା ଶୈଳୀରେ ଗଠିତ ହେବ। ସେମାନେ ଆକସ୍ମିକ ଭାବେ ହମଲା କରିବା ସହ ସୀମାପାର ହମଲା, ଶତ୍ରୁବାହିନୀ ଉପରେ କୌଶଳଗତ ଆକ୍ରମଣ କରିବେ। ସେହିପରି ଆର୍ମିରେ ସ୍ଥାନ ପାଇବ ଏକ ସ୍ବତନ୍ତ୍ର ଡ୍ରୋନ ୟୁନିଟ। ପ୍ରତି ଇନଫାଣ୍ଟ୍ରି ବାଟାଲିୟନରେ ରହିବ ଡ୍ରୋନ ପ୍ଲାଟୁନ। ଇନଫାଣ୍ଟ୍ରି, ଆର୍ଟିଲେରୀ ଓ ଆର୍ମର୍ଡ କର୍ପସରୁ ସୈନ୍ୟମାନଙ୍କୁ ଆଣି ଗଠନ କରାଯିବ ଶକ୍ତିଶାଳୀ ରୁଦ୍ର ବ୍ରିଗେଡ। ଦିବ୍ୟାସ୍ତ୍ର ବ୍ୟାଟେରି ହେଉଛି ଅତ୍ୟାଧୁନିକ ମାନବବିହୀନ ଓ ଲକ୍ଷ୍ୟଭେଦୀ ପ୍ରଯୁକ୍ତି। ଏଥିରେ ଡ୍ରୋନ, ବନ୍ଧୁକ ଆଦି ସାମିଲ ହେବ।
ପୋଲିସର ଥାର୍ଡ ଡିଗ୍ରୀ ପ୍ରସଙ୍ଗ: ଏସପିଙ୍କ ନିକଟରେ ନ୍ୟାୟ ଭିକ୍ଷା କଲେ ପୀଡ଼ିତ ବ୍ୟକ୍ତି
ଜଗତସିଂହପୁର ଜିଲ୍ଲା ବାଲିକୁଦା ବନ୍ଦର ସାମୁଦ୍ରିକ ଥାନା ପୋଲିସର ଥାର୍ଡ ଡିଗ୍ରୀ ପ୍ରସଙ୍ଗ। ସ୍ଥାନୀୟ ଧନୁହର ବେଲାରୀ ଗ୍ରାମର ଵିବୁରାମ ଦଳାଇ ଜଗତସିଂହପୁର ଏସପିଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି। ବିବୁ ରାମ ଦଳାଇ ଘରର ସମ୍ପତ୍ତି ବାଡ଼ି ମାମଲା କୁ କେନ୍ଦ୍ର କରି ଥାନାକୁ ଏକ ଅଭିଯୋଗ ପତ୍ର ନେଇ ଗତ ୧୧ ତାରିଖରେ ଯାଇଥିଲେ। ବାଲିକୁଦା ସାମୁଦ୍ରିକ ଥାନାଧିକାରୀ ତାଙ୍କ ଅଭିଯୋଗ ପତ୍ର ଦେଖିବା ପରେ ଗୁରୁତ୍ୱ ନ ଦେଇଥିଲେ। ପରେ ଏତଲାଟିକୁ ମୁଁହକୁ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି। ଏହା ତାଙ୍କ ଉପରେ ଆକ୍ରମଣ କରିଥିଲେ। ଉପସ୍ଥିତ ଥିବା ସେକଣ୍ଡ ଅଫିସର ଏବଂ ରାଇଟର ତାଙ୍କ ସହିତ ମିଶି ଜୋତାରେ ଗୋଇଠା ମାରିବା ସହିତ ଏକ ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ପିଟିବା ଅଭିଯୋଗ ହୋଇଛି। ଏହା ସହ ହାଜତ ଭିତରେ ଭର୍ତ୍ତି କରି ଦୀର୍ଘ ସମୟ ପରେ ଛାଡିଥିଲେ। ଏନେଇ ଆହତ ବିବୁରାମ ନ୍ୟାୟ ପାଇଁ ଜଗତସିଂହପୁର ଏସ ପି ଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ।ଏହି ଖବର ପ୍ରଥମେ ନନ୍ଦିଘୋଷ ଟିଭିରେ ପ୍ରସାରଣ ପରେ ବରିଷ୍ଠ ପୋଲିସ ଅଧିକାରୀ ଯାଇ ତଦନ୍ତ କରି ସିସିଟିଭି କ୍ୟାମେରାର ଯାଞ୍ଚ ପାଇଁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।
ଭୁବନେଶ୍ବର ଆଇଗିଣିଆ ମୌଜାରୁ ହଟିଲା ଜବରଦଖଲ
ଭୁବନେଶ୍ବର ଆଇଗିଣିଆ ମୌଜାରୁ ହଟିଲା ଜବରଦଖଲ । ଜବରଦଖଲରେ ଥିବା ପରିବା ଗୋଦାମ ଏବଂ ଭଡ଼ା ଘରକୁ ବିଡିଏର ଏନ୍ଫୋର୍ସମେଣ୍ଟ ଟିମ୍ ଭାଙ୍ଗି ଦେଇଛି । ଉଚ୍ଛେଦରେ ୬ଟି ଆଜବେଷ୍ଟସ ଘର, ପାଚେରୀ ଏବଂ ଗୋଦାମ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଆଇଗିଣିଆରେ ଥିବା ଖାତା ନମ୍ବର ୨୭୭ର ପ୍ଲଟ୍ ନମ୍ବର ୩୪୮ ସାଧାରଣ ପ୍ରଶାସନ ବିଭାଗର ଜମି ରହିଛି । ଏହାକୁ ବନମାଳୀ ଛୁଆଳ ସିଂ ନାମକ ଜଣେ ବ୍ୟକ୍ତି ଜବରଦଖଲ କରି ରଖିଥିଲେ । ସେ ଏଠାରେ ଏକ ଛାତ ଘର କରି ପରିବା ଗୋଦାମ କରିଥିଲେ ଓ ୬ଟି ଆଜବେଷ୍ଟସ୍ ଘର କରି ୨ଟି ପରିବାରଙ୍କୁ ଭଡା ସୂତ୍ରରେ ଦେଇଥିଲେ । ଏନେଇ ଜିଏ ବିଭାଗ ଜାଣିବା ପରେ ବିଭାଗ ମାମଲା ରୁଜୁ କରିଥିଲା । ବିଡିଏ ଟିମ୍ ବିନା କୌଣସି ପୁଲିସ ସହାୟତାରେ ଏଠାରୁ ଜବରଦଖଲ ଉଚ୍ଛେଦ କରିଥିଲା ।
ଦ୍ଵିପାକ୍ଷିକ ଆଲୋନଚା ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼଼ ଚେତାବନୀ
ଦ୍ଵିପାକ୍ଷିକ ଆଲୋନଚା ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼଼ ଚେତାବନୀ। କହିଲେ ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନକଲେ ରୁଷକୁ ଏହାର ଗମ୍ଭୀର ପରିମାଣ ଭୋଗିବାକୁ ପଡିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ବିବୃତି ଜାରି କରି ଏହି ଚେତାବନୀ ଦେଇଛନ୍ତି। ଆସନ୍ତାକାଲିର ବୈଠକ ପୂର୍ବରୁ ଏହି ଧମକ ଜାରି କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଆସନ୍ତାକାଲି ଆଲାସ୍କାରେ ପୁଟିନଙ୍କୁ ରାଷ୍ଟ୍ରପତି ଟ୍ରମ୍ପ ଭେଟିବା କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ୟୁକ୍ରେନ ସହ ରୁଷ ଯୁଦ୍ଧ ବନ୍ଦ ନକରେ ତେବେ ସେଥିଲାଗି ରୁଷକୁ ଅତି ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ବୁଧବାର ଦିନ କେନେଡି ସେଣ୍ଟରରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ ଏହି ବିବୃତି ରଖିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ରୁଷ ଯୁଦ୍ଧ ବନ୍ଦ କରିବାକୁ ରାଜି ନ ହୁଏ ତେବେ ତା’ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରୁଷ ଉପରେ ଆମେରିକା ଜାରି କରିଥିବା ଟାରିଫକୁ ବୃଦ୍ଧି କରିବ ଆମେରିକା। ଅଧିକ ଟାରିଫ ସହ ପ୍ରତିବନ୍ଧକ ଲାଗୁ କରାଯିବ। ଆସନ୍ତାକାଲି ଦୁଇ ସୁପରପାୱାରେ ଆଲାସ୍କାରେ ଆଲୋଚନା କରିବେ। ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଥାବାର୍ତ୍ତା। ୟୁକ୍ରେନ ଯୁଦ୍ଧର ଅବସାନ ପ୍ରସଙ୍ଗରେ ଦୁଇ ନେତା କରିବେ ଆଲୋଚନା। ଆସନ୍ତାକାଲି ହେବାକୁ ଥିବା କଥାବାର୍ତ୍ତା ଉପରେ ସାରା ବିଶ୍ବର ରହିଛି ନଜର। ଅସ୍ତ୍ରବିରତି ସମ୍ପର୍କରେ ବିଭିନ୍ନ ପକ୍ଷ ସହମତ ହେଉଛନ୍ତି ବୋଲି କହିଛନ୍ତି ଟ୍ରମ୍ପ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବି ଅସ୍ତ୍ରବିରତି ପ୍ରସଙ୍ଗରେ ରାଜି ଥିବା କୁହାଯାଉଛି। ଏହି କଥାବାର୍ତ୍ତା ଉଭୟ ରୁଷ ଓ ୟୁକ୍ରେନ ମଧ୍ୟରେ କିଛି ଅଞ୍ଚଳକୁ ଦିଆନିଆ କରାଯାଇପାରେ ବୋଲି ଜଣାଯାଇଛି।

