spot_img
Home Blog Page 478

ରୋଷେଇ ଘରେ ଫାଟିଲା ଗ୍ୟାସ ଟାଙ୍କୀ, ତିନି ଗୁରୁତର

ନିମାପଡା : ପୁରୀ ଜିଲ୍ଲା ଗୋପ ଥାନା ବଣିଆସାହିରେ ଅଘଟଣ । ରୋଷେଇ ଘରେ ଥିବା ଗ୍ୟାସ ଟାଙ୍କୀ ଫାଟିବାରୁ ନିଆଁ ଲାଗି ତିନିଜଣ ଗୁରୁତର ହୋଇଛନ୍ତି । ଗୋପ ପୟରା ପଞ୍ଚାୟତ ଯମରା ଗାଁର ନାରାୟଣ ମଲ୍ଲିକ ଓ ତାଙ୍କ ପତ୍ନୀ ବଣିଆସାହିରେ ଭଡାଘରେ ରହି ଆସୁଥିଲେ। ରାତିରେ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କୀରେ କୌଣସି କାରଣ ବଶତଃ ନିଆଁ ଲାଗିଯିବାରୁ ଟାଙ୍କୀଟି ଫାଟି ଯାଇଥିଲା । ଫଳରେ ନାରାୟଣ ଓ ତାଙ୍କ ପତ୍ନୀ ଉଭୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ନାରାୟଣଙ୍କ ସଢୁ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ନିଆଁର ଶିକାର ହୋଇଥିଲେ । ଘଟଣା ଘଟିବା ପରେ ତୁରନ୍ତ ଗ୍ରାମବାସୀଙ୍କ ଦ୍ୱାରା ତିନିଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଗୋପ ମେଡିକାଲରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତିନିଜଣଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି ।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ୭୯ ତମ ସ୍ବାଧୀନତା ଦିବସ ପାଳିତ

ଭୁବନେଶ୍ବର : ଦେଶ ପାଳୁଛି ୭୯ ତମ ସ୍ବାଧୀନତା ଦିବସ । ପଲ୍ଲୀରୁ ଦିଲ୍ଲୀ ସବୁଠି ଦେଶାତ୍ମବୋଧର ମାହୋଲ ଥିବା ବେଳେ, ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଉଡିଛି ତ୍ରିରଙ୍ଗା । ବିଜେଡି ଉପସଭାପତି ତଥା ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଆଜି ପତାକା ଉତ୍ତୋଳନ କରିଛନ୍ତି I ଭୁବନେଶ୍ବର ଜିଲ୍ଲା ସଭାପତି ଅଶୋକ ପଣ୍ଡା, ଦଳର ବରିଷ୍ଠ ନେତା ପ୍ରତାପ ଜେନା, ବିଧାୟକ ସୁଶାନ୍ତ ରାଉତ ,ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସଙ୍କ ସମେତ ଶତାଧିକା ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ବୋଲି ନେତାମାନେ ମତ ରଖିଥିଲେ ।

‘ସିନ୍ଧୂ ନଦୀ ଚୁକ୍ତି ଏକତରଫା ଥିଲା, ରକ୍ତ ଓ ପାଣି ଏକାସଙ୍ଗେ ବହିପାରିବନି’

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୭୯ତମ ସ୍ଵାଧୀନତା ଦିବସ। ସାରା ଦେଶରେ ସ୍ଵାଧୀନତା ଦିବସର ଧୁମ। ଉତ୍ସବ ମୁଖର ପୁର ପଲ୍ଲୀ। ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ଵାଦଶ ଥର ଲାଗି ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦି ପତାକା ଉତ୍ତୋଳନ କରିଛନ୍ତି।ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ଵାଧୀନତାର ଏହି ପର୍ବ ଗୌରବର ପର୍ବ। ସ୍ଵାଧୀନତାର ଏହି ପର୍ବ ସଂକଳ୍ପର ପର୍ବ। ଆଜି ସାରା ଦେଶରେ ମାତୃଭୂମିର ଜୟଗାନ ହେଉଛି। ସ୍ଵାଧୀନତାର ମହାପର୍ବ ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ଆଜି ହୃଦୟ ଖୁସିରେ ଭରି ଯାଇଛି।
୧୪୦ କୋଟି ଭାରତୀୟ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛନ୍ତି ବୋଲି କହିଥିଲେ ମୋଦି। ଏକ ଦେଶ ଏକ ସମ୍ବିଧାନର ସଂକଳ୍ପ ପୂରଣ ହୋଇଛି।
ଭାରତର ସମ୍ବିଧାନ ଆଲୋକସ୍ତମ୍ଭ ଭଳି ମାର୍ଗ ଦର୍ଶନ କରୁଛି। ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଅପରେସନ ସିନ୍ଦୂର ପ୍ରସଙ୍ଗ ଉଠାଇଥିଲେ ପ୍ରଧା ମନ୍ତ୍ରୀ। କହିଥିଲେ, ଅପରେସନ ସିନ୍ଦୂରର ବୀର ଯବାନଙ୍କୁ ସାଲ୍ୟୁଟ କରିବାର ଆଜି ସୁଯୋଗ ମିଳିଛି। ପହଲଗାଓଁରେ ଲୋକଙ୍କୁ ଧର୍ମ ପଚାରି ମରାଗଲା।
ପତି, ପତ୍ନୀ ଓ ପିଲାଙ୍କ ସାମନାରେ ବାପା ମାଆଙ୍କୁ ମରାଗଲା। ଯାହା ଦଶନ୍ଧି ଧରି ହୋଇନଥିଲା ତାହା କରି ଦେଖାଇଲୁ। ଅପରେସନ ସିିନ୍ଦୂର ସଫଳ ହେଲା। ବୀର ଯବାନ ଶତ୍ରୁଙ୍କୁ କଳ୍ପନା ଠାରୁ ଢେର ଅଧିକ ସଜା ଦେଲେ। ଅପରେସନ ସିଦୂରରେ ସେନାକୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଥିଲା। ପଡୋଶୀର ପରମାଣୁ ବ୍ଲାକମେଲିଂ ସହ୍ୟ କରିବନି ଦେଶ।ଦେଶ ଅନେକ ଦଶନ୍ଧି ଧରି ଆତଙ୍କବାଦ ସହ୍ୟ କରି ଆସୁଛି। ପରମାଣୁ ଯୁଦ୍ଧର ଧମକ ଏବେ ଦେଶ ସହ୍ୟ କରିବନି।
ଶତ୍ରୁକୁ ଆମେ ମୁହଁତୋଡ଼ ଜବାବ ଦେବୁ। ଆତଙ୍କବାଦ ଓ ସେମାନଙ୍କୁ ପାଳୁଥିବା ଦେଶ ମାନବତାର ଶତ୍ରୁ। ସିନ୍ଧୁ ନଦୀ ଚୁକ୍ତିରୁ ଦେଶକୁ କ୍ଷତି ପହଞ୍ଚିଥିଲା। ରକ୍ତ ଓ ପାଣି ଏକାସଙ୍ଗେ ବହିପାରିବେନି। ସିନ୍ଧୂ ନଦୀର ପାଣି ଆମ ଦେଶର ଚାଷୀ ପାଇବାକୁ ହକଦାର । ପ୍ରତିରକ୍ଷା କ୍ଷେତ୍ରରେ ଆମେ ଆତ୍ମନିର୍ଭରଶୀଳ ହୋଇଛେ।
ସାମର୍ଥ୍ୟକୁ ବଜାୟ ରଖିବାକୁ ଆତ୍ମନିର୍ଭରତା ଜରୁରୀ। ଅପରେସନ ସିନ୍ଦୂରରେ ଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର ଶକ୍ତି ଦେଖାଇଲେ। ଦେଶରେ ମିଶନ ମୋଡରେ ଚାଲିଛି ସେମିକଣ୍ଡକ୍ଚର କାମ। ଆତ୍ମନିର୍ଭରତା ବିକଶିତ ଭାରତର ଆଧାର। ଆତ୍ମନିର୍ଭରତାରୁ ଅପରେସନ ସିନ୍ଦୂର ସଫଳ ହୋଇଛି। ଏବେ ମେଡ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ବଜାରକୁ ଆସିବ। ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପ୍ରୟାସ ଜାରି ରହିଛି। ଆତ୍ମନିର୍ଭର ହେବାକୁ ଆମକୁ ଆହୁରି ଅଧିକ ଭଲ କରିବାକୁ ପଡ଼ିବ। ମହାକାଶରେ ନିଜର ସ୍ପେସ୍ ଷ୍ଟେସନ ପ୍ରସ୍ତୁତ କରିବ ଭାରତ।ଦେଶର ଭାଗ୍ୟ ବଦଳାଇବାକୁ ଆପଣଙ୍କର ସହଯୋଗ ଦରକାର। ଦେଶକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର କରିବା ଜରୁରୀ। ୧୪୦ କୋଟି ଭାରତୀୟଙ୍କ ଗୋଟିଏ ମନ୍ତ୍ର ହେଉ ସମୃଦ୍ଧ ଭାରତ। ଲାଲକିଲ୍ଲାରୁ ଯୁବବର୍ଗଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଯୁବବର୍ଗଙ୍କ ଲାଗି ୧ ଲକ୍ଷ କୋଟି ଟଙ୍କାର ନୂଆ ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ରୋଜଗାର ଯୋଜନା ଆଜିଠାରୁ ଲାଗୁ ହୋଇଛି। ଦୀପାବଳୀରେ ବହୁତ ବଡ଼ ଉପହାର ମିଳିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। GSTର ସମୀକ୍ଷା କରିବାକୁ ଦାବି ହୋଇ ଆସୁଛି। ସାଧାରଣ ଲୋକଙ୍କ ଲାଗି GST ଦର କମ କରାଯିବ। ସାଧାରଣ ଲୋକଙ୍କ ବ୍ୟବହୃତ ସାମଗ୍ରୀ ଶସ୍ତା ହେବ । ନାଗିରକଙ୍କ ଉପରେ ଟ୍ୟାକ୍ସର ବୋଝ କମ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସରକାର ଚାଷୀ, ମତ୍ସ୍ୟଜୀବୀ ଓ ପଶୁପାଳଙ୍କ ବିକାଶକୁ ପ୍ରାଥମିକତା ଦେଉଛନ୍ତି। ପଛୁଆ ଜିଲ୍ଲାକୁ ଅଧିକ ପ୍ରାଥମିକତା ଦିଆଯିବ। ପିଏମ ଆବାସ ଯୋଜନାରେ ୪ କୋଟି ଲୋକଙ୍କୁ ମିଳିଲା ଘର। ଆମେରିକାର ଟାରିଫ ପ୍ରସଙ୍ଗ ନେଇ ଲାଲକିଲ୍ଲାରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମୋଦି ଜବାବ ଜବାବ ଦେଇଛନ୍ତି। ଚାଷୀଙ୍କ କ୍ଷତିକୁ ବରଦାସ୍ତ କରିବେନି ସରକାର। ଚାଷୀ ବିରୋଧୀ ନୀତିକୁ ସରକାର ଗ୍ରହଣ କରିବେନି। ଦେଶବାସୀଙ୍କ ସ୍ଵାସ୍ଥ୍ୟ ନେଇ ମଧ୍ୟ ଗୁରୁତ୍ଵାରୋପ କରିଥିଲେ ପ୍ରଧାନମନ୍ତ୍ରୀ। ମେଦବହୁଳତା ଲୋକଙ୍କ ମଧ୍ୟରେ ବଡ଼ ସ୍ଵାସ୍ଥ୍ୟ ସଂକଟ ନେଇ ଚିନ୍ତା ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ। ଖାଦ୍ୟରେ ୧୦ ପ୍ରତିଶତ ତେଲ କମ କରିବାକୁ କହିଛନ୍ତି। ପ୍ରତି ୩ ଜଣଙ୍କ ମଧ୍ୟରେ ଜଣେ ମେଦବହୁଳତାର ଶିକାର। ସେଥିଲାଗି ସୁସ୍ଥ ଭାରତ ଗଠନ ଲାଗି ସୁସ୍ଥ ଜୀବନ ଉପରେ ଗୁରୁତ୍ଵ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ବାଦଲ ଫଟା ବର୍ଷାରେ ୫୨ ଜଣଙ୍କର ମୃତ୍ୟୁ, ଚାଲିଛି ଉଦ୍ଧାର କାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ : ଆକାଶରୁ ଝରିଲା ମୃତ୍ୟୁର ଝରଣା । ବାଦଲ ଫଟା ବର୍ଷାରେ ଛାରଖାର ହୋଇଗଲା ଦେବୋଭୂମି ଜମ୍ମୁ ଓ କାଶ୍ମୀରର କିସ୍ତୱାରର ଚାଶୋଟି ଗାଁ। ପାହାଡ଼ରୁ ପାଣି ଏବଂ ଭଗ୍ନାବଶେଷ ଯୋଗୁଁ ଅନେକ ଲୋକ ପ୍ରଭାବିତ ହୋଇଥିଲେ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୧୬୭ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। କିସ୍ତୱାରର ଚାଶୋଟି ଗାଁରେ ମାଚୈଲ ମାତା ଯାତ୍ରା ପାଇଁ ହଜାର ହଜାର ଭକ୍ତ ପହଞ୍ଚିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହା ଯାତ୍ରାର ପ୍ରଥମ ରହଣି । ଯାତ୍ରା ଯେଉଁଠାରୁ ଆରମ୍ଭ ହେବାକୁ ଥିଲା ସେହି ସ୍ଥାନରେ ମେଘ ଫାଟି ଯାଇଥିଲା। ଏଠାରେ ଭକ୍ତଙ୍କ ବସ୍, ତମ୍ବୁ, ଲଙ୍ଗର ଏବଂ ଅନେକ ଦୋକାନ ଥିଲା। ସବୁକିଛି ବନ୍ୟା ପାଣିରେ ଭାସି ଯାଇଥିଲା। ଚାଶୋଟି କିସ୍ତୱାର ସହରରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ମାଚାଇଲ ମାତା ମନ୍ଦିରକୁ ଯିବା ରାସ୍ତାରେ ଏହା ପ୍ରଥମ ଗାଁ । ସେନା, ପୋଲିସ,  ଏନଡିଆରଏଫ ଓ ଏସଡିଆରଏଫ ଟିମ କିସ୍ତୱାଡରେ ରେସକ୍ଯୁ ଅପରେସନ ଚଲାଇଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବହୁ କ୍ଷୟକ୍ଷତି ଘଟିବା ସମ୍ଭାବନା ରହିଛି। କ୍ଷୟକ୍ଷତିର ଆକଳନ କରାଯାଉଛି । ଆବଶ୍ୟକ ଉଦ୍ଧାର ଏବଂ ଚିକିତ୍ସା ବ୍ୟବସ୍ଥା କରାଯାଉଛି। କୁପୱାରା, ବାରାମୁଲ୍ଲା, ବାନ୍ଦିପୋରା, ଶ୍ରୀନଗର, ଗନ୍ଦେରବଲ, ବଡଗାମ, ପୁଞ୍ଚ, ରାଜୌରି, ରଇସି, ଉଧମପୁର, ଡୋଡା,କାଜିଗୁଣ୍ଡ, ବନିହଲ ଓ ରାମବାନ୍ ଅଂଚଳରେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଲଘୁଚାପ ପ୍ରଭାବରେ ଆହୁରି ୪ ଦିନ ଯାଏ ପ୍ରବଳ ବର୍ଷା

ଭୁବନେଶ୍ବର : କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଆହୁରି ୪ ଦିନ ଯାଏ  ପ୍ରବଳ ବର୍ଷା  । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।  ଆସନ୍ତା ୨୪ ଘଣ୍ଟାରେ ୨୩ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ ।  କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିକରି କରିଛି ପାଣିପାଗ କେନ୍ଦ୍ର । ୧୯ ତାରିଖ ଯାଏ  ପ୍ରବଳ ବର୍ଷର ସମ୍ଭାବନା ରହିଛି । ସେପଟେ ମେଘୁଆ ପାଗ ସହ ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ । ତେଣୁ ୧୫ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ଆଜି ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ

ନୁଆଦିଲ୍ଲୀ : ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଏହି ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ।  ସ୍ୱାଧୀନତା ଦିବସ ପାଳନ ଦେଖିବା ପାଇଁ ପ୍ରାୟ 20 ରୁ 25 ହଜାର ଅତିଥି ଲାଲକିଲ୍ଲାରେ ପହଞ୍ଚନ୍ତି, ଯେଉଁଥିରେ ଭିଆଇପି ଅତିଥି ଏବଂ ସାଧାରଣ ଜନତା ମଧ୍ୟ ସାମିଲ ଅଛନ୍ତି । ତେବେ ଲାଲକିଲ୍ଲା ସମେତ ଅନେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦିଲ୍ଲୀର ପ୍ରତ୍ୟେକ କୋଣରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ଏବଂ ପୋଲିସ ଦ୍ୱାରା ଯାଞ୍ଚ ମଧ୍ୟ କରାଯାଉଛି। ଲାଲକିଲ୍ଲାରେ ପ୍ରବେଶ ପଥ ପୋଲିସ ଦ୍ୱାରା ଯାଞ୍ଚ କରାଯାଉଛି। ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ଅର୍ଦ୍ଧସାମରିକ ବାହିନୀ ସମେତ ୨୦ ହଜାରରୁ ଅଧିକ ଯବାନଙ୍କୁ ନିୟୋଜିତ କରାଯାଇଛି।ଲାଲକିଲ୍ଲା ଏବଂ ଏହାର ଆଖପାଖରେ ଥିବା ସମସ୍ତ ଭିଭିଆଇପି ରୁଟରେ ସିସିଟିଭି କ୍ୟାମେରା ଲଗାଯାଇଛି। ପ୍ରଥମ ଥର ପାଇଁ, ପାର୍କିଂରେ ଅଣ୍ଡର ଯାନ ସ୍କାନିଂ ସିଷ୍ଟମ ବ୍ୟବହାର କରାଯାଇଛି।  ଦିଲ୍ଲୀ ପୋଲିସ ପକ୍ଷରୁ ଡ୍ରୋନ୍ ପ୍ରତିରୋଧୀ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଅନ୍ୟପଟେ ଭୁବନେଶ୍ବର ଗାନ୍ଧିମାର୍ଗରେ ଅନୁଷ୍ଠିତ ହେବ ପରେଡ ଉତ୍ସବ । ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।   ପରେଡ  ୪୯ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ଏହାସହ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ପଡୋଶୀ ରାଜ୍ୟ ସହିତ ଉତ୍ତମ ସମନ୍ୱୟ ରକ୍ଷା ଲାଗି ଆନ୍ଧ୍ରପ୍ରଦେଶ ପୋଲିସର ଗୋଟିଏ ପ୍ଲାଟୁନ ପରେଡରେ ସାମିଲ ହେବେ । ଚଳିତ ବର୍ଷ ୨୦୨୨ ବ୍ୟାଚର IPS ଅନନ୍ୟା ଅୱସ୍ତି ପରେଡ କାମାଣ୍ଡାଣ୍ଟ ଭାବେ ଦାୟିତ୍ୱ ତୁଲାଇବେ । ସୁରକ୍ଷା ଦୃଷ୍ଟିକୋଣରୁ ସ୍ବତନ୍ତ୍ର ରଣନୀତି କରି ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ମୁହଁ ସମ୍ଭାଳି କଥାବାର୍ତ୍ତା କର ନହେଲେ ପରିସ୍ଥିତି ଭୟଙ୍କର ହେବ, ପାକିସ୍ତାନକୁ ଭାରତର ଚେତାବନୀ

ନନ୍ଦିଘୋଷ ବ୍ୟୁରୋ :ମୁହଁ ସମ୍ଭାଳି କଥାବାର୍ତ୍ତା କର ନହେଲେ ପରିସ୍ଥିତି ଭୟଙ୍କର ହେବ । ପାକିସ୍ତାନକୁ ଏଭଳି ଚେତାବନୀ ଦେଇଛି ଭାରତ । ପାକିସ୍ତାନର ବାରମ୍ବାର ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ଉଚିତ୍ ଜବାବ ଦେଇଛି ଭାରତ । ଭାରତ ଚେତାବନୀ ଦେଇଛି ଯେ ପାକିସ୍ତାନର କୌଣସି ବି ଭୁଲ୍ ପଦକ୍ଷେପ ଦ୍ବାରା ପାକିସ୍ତାନକୁ ଯନ୍ତ୍ରଣାଦାୟକ ପରିଣାମ ଭୋଗିବାକୁ ପଡିପାରେ ।

ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ୍ ଆଜି ଏକ ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ପାକିସ୍ତାନ  ବାରମ୍ବାର ଭାରତ ବିରୋଧୀ ମନ୍ତବ୍ୟ ଦେବା ସହ ଯୁଦ୍ଧ ପାଇଁ ଉସକାଉଥିବା ଭଳି ବୟାନ ଦେଉଛି  । ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଭାରତ ବିରୋଧୀ ବୟାନ ଦେବା ପାକିସ୍ତାନ ନେତୃତ୍ୟଙ୍କ କାମ  । ତେବେ ସେ ଏଥିରେ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି ଯେ, ସେ ନିଜର ବୟାନ ଉପରେ ସଂଯମ ରଖୁ ନହେଲେ କିଛି ବି ଦୁଃସାହାସିକ କାମର ପରିଣାମ ଅତି ଭୟଙ୍କର ହେବ  ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଚେତାବନୀ ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଗମ୍ଭୀର ପ୍ରତିକ୍ରିୟା ଆସିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ମଙ୍ଗଳବାର (୧୨ ଅଗଷ୍ଟ, ୨୦୨୫) ଚେତାବନୀ ଦେଇଥିଲେ ଯେ ଭାରତକୁ ତାଙ୍କ ଦେଶରୁ ଗୋଟିଏ ବୁନ୍ଦା ପାଣି ମଧ୍ୟ ନେବାକୁ ଦିଆଯିବ ନାହିଁ। ୧୯୬୦ ମସିହାରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତି ପରେ ପାକିସ୍ତାନର ଏହି ବିବୃତ୍ତି ଆସିଛି।

ଇସଲାମାବାଦରେ ଏକ ସମାରୋହରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଥିଲେ, “ଯଦି ତୁମେ ଆମର ପାଣି ବନ୍ଦ କରିବାକୁ ଧମକ ଦିଅ, ତେବେ ତୁମେ ପାକିସ୍ତାନରୁ ଗୋଟିଏ ବୁନ୍ଦା ପାଣି ମଧ୍ୟ ଛଡ଼ାଇ ନେଇପାରିବ ନାହିଁ। ଯଦି ଭାରତ ଏପରି କିଛି କରିବାକୁ ଚେଷ୍ଟା କରେ, ତେବେ ତାକୁ ଶିକ୍ଷା ଦିଆଯିବ।” ପାକିସ୍ତାନ ବାରମ୍ବାର ଦାବି କରିଆସୁଛି ଯେ ତାକୁ ପାଣି ପ୍ରବାହିତ ହେବା ବନ୍ଦ କରିବା ଯୁଦ୍ଧର ଏକ କାର୍ଯ୍ୟ ଭାବରେ ବିବେଚନା କରାଯିବ।

ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିବୃତ୍ତି ପୂର୍ବରୁ, ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଭାରତ ବିରୋଧୀ ବିବୃତ୍ତି ଦେଇଥିଲେ। ସେମାନେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ସିନ୍ଧୁ ଉପତ୍ୟକା ସଭ୍ୟତା ଉପରେ ଆକ୍ରମଣ ସହିତ ତୁଳନା କରିଥିଲେ ଏବଂ ଚେତାବନୀ ଦେଇଥିଲେ ଯେ ଯଦି ଆମକୁ ଯୁଦ୍ଧ କରିବାକୁ ବାଧ୍ୟ କରାଯାଏ, ତେବେ ସେଥିରୁ ପାକିସ୍ତାନ ପଛକୁ ହଟିବ ନାହିଁ।

ଏହି ସମୟରେ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ୍ ଭାରତ-ଆମେରିକା ସମ୍ପର୍କ ଉପରେ କହିଛନ୍ତି, “ଆମେ ବିଶ୍ୱାସ କରୁଛୁ ଯେ ଏହି ସହଭାଗୀତା ପାରସ୍ପରିକ ସମ୍ମାନ ଆଧାରରେ ବୃଦ୍ଧି ପାଇବ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଦୃଢ଼ । ଗତ କିଛି ବର୍ଷ ମଧ୍ୟରେ ଏହି ସମ୍ପର୍କ ବିସ୍ତାରିତ ହୋଇଛି । ଏହି ମାସରେ ଆମେରିକାରୁ ଏକ ପ୍ରତିରକ୍ଷା ନୀତି ଦଳ ଆସୁଛି । ଏହି ମାସରେ ଆଲାସ୍କାରେ ଦୁଇ ଦେଶ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ହେବ।”

 

 

 

ଜମ୍ମୁକାଶ୍ମୀରରେ ଫାଟିଲା ବାଦଲ, ବନ୍ୟାରେ ଭାସିଯାଇ ୧୭ ମୃୃତ

ନନ୍ଦିଘୋଷ ବ୍ୟୁରୋ : ଜାମ୍ମୁ କାଶ୍ମୀର କିସ୍ତୱାଡ଼ରେ ବାଦଲ ଫଟା ବର୍ଷା। ପାଣିରେ ଭାସି ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ୫୦ରୁ ଅଧିକ ଆହତ ହୋଇଛନ୍ତି। ଚାଶୋଟି ଅଂଚଳରେ ଏହି ଅଘଟଣ ଘଟିଛି। ଗୁରୁବାର ଜମ୍ମୁର କିସ୍ତୱାରର ଚାଶୋଟି ଅଞ୍ଚଳରେ ମେଘ ଫାଟିବା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ମେଘ ଫାଟିବା ଘଟଣା ପରେ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିସ୍ତୱାଡ଼ର ଚାଶୋଟି ଅଞ୍ଚଳରେ ବାଦଲ ଫଟା ବର୍ଷାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବହୁ କ୍ଷତି ହେବାର ସମ୍ଭାବନା ରହିଛି। ପ୍ରଶାସନ ପକ୍ଷରୁ ଜୋରସୋରରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। କ୍ଷୟକ୍ଷତିର ଆକଳନ କରାଯାଉଛି । ଆବଶ୍ୟକ ଉଦ୍ଧାର ଏବଂ ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଆଗାମୀ ୪ରୁ ୬ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ହେବା ନେଇ ସମ୍ଭାବନା ରହିଛି। କୁପୱାରା, ବାରାମୁଲ୍ଲା, ବାନ୍ଦିପୋରା, ଶ୍ରୀନଗର, ଗନ୍ଦେରବଲ, ବଡଗାମ, ପୁଞ୍ଚ, ରାଜୌରି, ରଇସି, ଉଧମପୁର, ଡୋଡା,କାଜିଗୁଣ୍ଡ-ବନିହଲ-ରାମବାନ୍ ଅଂଚଳରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

୬୫ ଲକ୍ଷ ଭୋଟରଙ୍କ ତାଲିକା ଦିଅ : ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ :  ବିହାର ସ୍ପେଶାଲ ଇଣ୍ଟେନସିଭ ରିଭିଜନକୁ ମାମଲାରେ ଆସିଲା ନୂଆ ମୋଡ଼। ସୁପ୍ରିମକୋର୍ଟଙ୍କ ନିର୍ବାଚନ କମିଶନଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ। ଅଗଷ୍ଟ ପହିଲାରେ ୬୫ ଲକ୍ଷ ଭୋଟର ତାଲିକାରୁ ବାଦ ପଡ଼ିଥିବା ନେଇ ତାଲିକା ଦିଅ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବାଦ ପଡିଥିବା ଭୋଟରଙ୍କ ନାମ ତାଲିକାରୁ କାହିଁକି ବାଦ ପଡ଼ିଲା ତାକୁ ସାର୍ବଜନୀନ କର। ତୃତୀୟ ଦିନରେ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୱେବସାଇଟରେ ତଥ୍ୟ ପ୍ରକାଶ କରିବାକୁ ନିର୍ବାଚନ କମିଶନକୁ ୩ ଦିନର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ।

ବହୁଳ ପ୍ରସାରିତ ଖବର କାଗଜ, ଟିଭି ଓ ରେଡିଓରେ ସୂଚନା ଦେବାକୁ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ ପଦକ୍ଷେପ ଗ୍ରହଣ କରିବେ। ଏପରିକି ନିର୍ବାଚନ କମିଶନଙ୍କ ସୋସିଆଲ ମିଡିଆ ସାଇଟରେ ମଧ୍ୟ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ ଜାରି କରାଯିବ। ପ୍ରତି ବ୍ଲକର ପଞ୍ଚାୟତରେ ବୁଥ ଲେବଲ ଅଧିକାରୀ ଭୋଟର ତାଲିକାରୁ ବାଦ ପଡିଥିବା ବ୍ୟକ୍ତିଙ୍କର ନାମ ଓ ତାଲିକା ଜାରି କରିବେ। ଏଇ ତାଲିକାକୁ ଦେଖିବାକୁ ବ୍ୟକ୍ତି ଯଦି ଚାହିବେ ଲେଖା କାଗଜପତ୍ର ସହ ଏବଂ କମ୍ପ୍ୟୁଟରରେ ସଫ୍ଟ କପି ଦେଖିବାକୁ ଅଧିକାରୀ ଅନୁମତି ଦେବେ। ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ବାଗଚୀ ନିର୍ବାଚନ କମିସନଙ୍କ ଓକିଲଙ୍କୁ ପ୍ରଶ୍ନ କରି କହିଛନ୍ତି ବିହାରରେ ହେଉଥିବା ଏହି ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନରେ ଯେଉଁମାନଙ୍କର ନାମ ଭୋଟର ତାଲିକାରୁ ବାଦ୍‌ ଦିଆଯାଇଛି କାହିଁକି ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ନିର୍ବାଚନ କମିସନ ଦେବେନି ? ନାମ କଟିଥିବା ଭୋଟର କାହିଁକି ଦ୍ବନ୍ଦ୍ବରେ ରହିବେ ? ଏଥିପାଇଁ କଣ ପାଇଁ ବୁଥସ୍ତରୀୟ ଅଧିକାରୀ କିମ୍ବା ଅନ୍ୟ ଅଧିକାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ଭୋଟର ଯେପରି ସୁବିଧାରେ ତାଙ୍କ ନାମ କଟିଥିବା ନେଇ ଜାଣିପାରିବେ ସେ ନେଇ ସବିଶେଷ କାରଣ ସହିତ ନିର୍ବାଚନ କମିସନ ତାଙ୍କ ଓ୍ବେବସାଇଟରେ ଅପଲୋଡ କରିବା ଦରକାର।

ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯଦିଓ ଆଧାର ଓ ଏପିକ ନମ୍ବର ସଠିକ ପ୍ରମାଣ ନୁହେଁ ତାହେଲେ ନିର୍ବାଚନ କମିସନ ଗୋଟିଏ ସର୍ବସାଧାରଣରେ ନୋଟିସ ଜାରି କରିବା ଦରକାର। SIRର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ ଦେବା। ଏଥିରେ କୌଣସି ନୂଆ ଭୋଟର ଯୋଡ଼ି ହେଉନାହାନ୍ତି। ବିହାରର ସ୍ପେଶାର ଇଣ୍ଟେନସିଭ ରିଭିଜନ୍‌ କେବଳ ସାମ୍ବିଧାନିକ ସଂସ୍ଥାର କ୍ଷମତା ଓ ବ୍ୟକ୍ତିର ସାମ୍ବିଧାନିକ ଅଧିକାର ଭିତରେ ଲଢ଼େଇ ଚାଲିଛି। ଏପରିକି ଖଣ୍ଡପୀଠ ନିର୍ବାଚନ କମିସନଙ୍କ ଓକିଲଙ୍କୁ କହିଛନ୍ତି ପ୍ରସ୍ତୁତ କରାଯାଇଥିବା ଭୋଟର ତାଲିକା ସଂଶୋଧନ ଚିଠାର ଜିଲ୍ଲାଓ୍ବାରୀ ତାଲିକା ଦେବା ଦରକାର। ଭୋଟ ଦେବା ନାଗରିକର ମୌଳିକ ଅଧିକାର। ଏଥିରେ ସ୍ବଚ୍ଛତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଯାହାଦ୍ବାରା ଜଣେ ଯୋଗ୍ୟ ଭୋଟର ଯେପରି ଭୋଟଦାନରୁ ବାଦ ନ ପଡ଼ନ୍ତି ସେ ନେଇ ନିର୍ବାଚନ କମିଶନ ପଦକ୍ଷେପ ନେବା ଦରକାର।

ଜାମ୍ମୁ କାଶ୍ମୀରରେ ଦେଖିବାକୁ ମିଳିଲା ୨ କିମି ଲମ୍ବର ଜାତୀୟ ପତାକା

ଆସନ୍ତାକାଲି ସାରା ଦେଶ ପାଳିବ ୭୯ତମ ସ୍ଵାଧୀନତା ଦିବସ। ଏହି ଅବସରରେ ସାରା ଦେଶବାସୀଙ୍କ ମଧ୍ୟରେ ପ୍ରସ୍ତୁତି ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଜାମ୍ମୁ କାଶ୍ମୀର ରାଜୈରୀ ଅଂଚଳରେ ଦେଖିବାକୁ ମିଳିଥିଲା ଦୀର୍ଘ ୨ କିଲୋମିଟର ଲମ୍ବର ଜାତୀୟ ପତାକା।ସ୍ଵାଧୀନତା ଦିବସ ପାଳନ ପୂର୍ବରୁ ଆଜି ଆୟୋଜିତ ହୋଇଥିଲା ଜାତୀୟ ପତାକା ସହିତ ବିଶାଳ ତ୍ରିରଙ୍ଗା ରାଲି।ଏଥିଲାଗି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହା ପୂର୍ବରୁ ଗତକାଲି ଭାଦରୱାହ ଘାଟିରେ ସ୍ଥାନୀୟ ପୋଲିସ ଦ୍ୱାରା ଆୟୋଜିତ ହୋଇଥିଲା ତ୍ରିରଙ୍ଗା ରାଲି। ପୋଲିସ, ଛାତ୍ର ଏବଂ ସ୍ଥାନୀୟ ଲୋକଙ୍କ ସହିତ ୧୦୦ ମିଟର ଜାତୀୟ ପତାକା ଉଡ଼ାଇ ଦେଶପ୍ରେମର ବାର୍ତ୍ତା ବାଣ୍ଟିଥିଲେ। 100 ମିଟର ଲମ୍ବା ଜାତୀୟ ପତାକାର ପ୍ରଦର୍ଶନରେ ଲୋକେ କରତାଳି, ଜୟଧ୍ୱନି ଦେଇ ଉତ୍ସାହିତ କରିଥିଲେ। ରାସ୍ତାରେ ଧାଡ଼ି ବାନ୍ଧି ପତାକା ଲହରାଇ ଦେଶପ୍ରେମର ସ୍ଲୋଗାନ ଦେଇଥିଲେ।