spot_img
Home Blog Page 469

SIR ବିବାଦ: ବିହାରରେ ଭୋଟର ଲିଷ୍ଟରୁ ନାଁ କଟିବା ମିଛ, ରାହୁଲଙ୍କୁ ଅଭିଯୋଗ କରିଥିବା ମହିଳାଙ୍କ ସତ ଆସିଲା ପଦାକୁ

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସର ଭୋଟର ଅଧିକାର ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କୁ ଭେଟି ଭୋଟର ଲିଷ୍ଟରୁ ନାଁ କଟିଥିବା ଅଭିଯୋଗ କରିଥିବା ରଞ୍ଜୁ ଦେବୀଙ୍କ ସତ ପଦାକୁ ଆସିଛି । ଯାଞ୍ଚରୁ ଜଣାପଡ଼ିଛି, ରଞ୍ଜୁ ଦେବୀ ଏବଂ ତାଙ୍କ ପରିବାରର ନାମ ଭୋଟର ଲିଷ୍ଟରେ ରହିଛି । ଅର୍ଥାତ, ତାଙ୍କ ପରିବାର ନାଁ ଲିଷ୍ଟରୁ କଟିନି । ରୋହତାସ ଜିଲ୍ଲା ବାସିନ୍ଦା ରଞ୍ଜ ଦେବୀ କହିଛନ୍ତି, ତାଙ୍କ ଓ୍ବାର୍ଡ ସଚିବ କହିଥିଲେ ତାଙ୍କର ଓ ତାଙ୍କ ପରିବାରର ନାଁ ଭୋଟର ଲିଷ୍ଟରେ ନାହିଁ । ସଚିବ ଏହା ମଧ୍ୟ କହିଥିଲେ, ରାହୁଲ ଗାନ୍ଧି ଯାତ୍ରାରେ ଆସିଛନ୍ତି । ତାଙ୍କୁ ଭେଟି ଏ ନେଇ ଅଭିଯୋଗ କର । ଏହାପରେ ସେ କଂଗ୍ରେସ ନେତାଙ୍କୁ ଭେଟି ତାଙ୍କୁ ନାଁ କଟିଥିବା କହିଥିଲି ।

ଡ୍ରାଫ୍ଟ ଭୋଟର ଲିଷ୍ଟରେ ରହିଛି ନାଁ

ରଞ୍ଜୁ ଦେବୀ ସ୍ପଷ୍ଟ କରିଛନ୍ତି, ସେ ନିଜେ ଲିଷ୍ଟ ଦେଖିଛନ୍ତି । ସେଥିରେ ତାଙ୍କର ଓ ତାଙ୍କ ପରିବାରର ନାଁ ରହିଛି । ଅର୍ଥାତ ତାଙ୍କ ନାଁ ଭୋଟର ଲିଷ୍ଟରୁ କଟିନି । ଏହାମଧ୍ୟ ସେ ସ୍ବୀକାର କରିଛନ୍ତି ଯେ, ଓ୍ବାର୍ଡ ସଚିବଙ୍କ କହିବାରୁ ସେ ରାହୁଲ ଗାନ୍ଧିଙ୍କୁ ଭେଟି ନିଜ ପକ୍ଷ ରଖିଥିଲେ ।

ରାହୁଲଙ୍କ ଅଭିଯୋଗ କରିବା ଭିଡିଓ ହୋଇଥିଲା ଭାଇରାଲ

ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ବିହାରରେ ଭୋଟର ଅଧିକାର ଯାତ୍ରା କରିବା ସମୟରେ ରଞ୍ଚୁ ଦେବୀ ତାଙ୍କୁ ଭେଟି ଅଭିଯୋଗ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଶାସକ ଦଳ ଏବଂ ବିପକ୍ଷଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଥିଲା । ବିରୋଧୀ ଦଳ ଏହାକୁ ଭୋଟ ଚୋରି କହିଥିଲେ । ଏବେ ପ୍ରକୃତ ସତ ପଦାକୁ ଆସିବା ପରେ ପୂରା ଘଟଣା ବଦଳି ଯାଇଛି ।

SIRକୁ ନେଇ ବିବାଦ ଚରମରେ

ବିହାରରେ SIRକୁ ନେଇ ରାଜନୈତିକ ବିବାଦ ଚରମରେ ପହଞ୍ଚିଛି । ଆରଜେଡି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି କି ଏନଡିଏ ସରକାର ଭୋଟର ଲିଷ୍ଟରେ ଗଡବଡ଼ି କରି ଲୋକଙ୍କୁ ଭୋଟ ଦେବା ଅଧିକାରରୁ ବଞ୍ଚିତ କରିବାକୁ ଚାହୁଁଛନ୍ତି । ସେପଟେ ସରକାର କହୁଛନ୍ତି, SIR ଏକ ନିୟମିତ ପ୍ରକ୍ରିୟା, ଏଥିରେ ପାରଦର୍ଶିତା ବଜାଇ ରଖାଯାଉଛି । ରଞ୍ଜୁ ଦେବୀଙ୍କ ମାମଲାରେ ବିରୋଧୀଙ୍କ ଅଭିଯୋଗକୁ ଦୃର୍ବଳ କରିଦେଇଛି । ଯେଉଁଥିରେ ସେମାନେ ଲିଷ୍ଟରୁ ନାଁ କଟିବା ଓ ମତଦାନ ଅଧିକାର ଛଡ଼ାଇ ନେବା ଅଭିଯୋଗ କରି ଆସୁଥିଲେ । ଏବେ ଦେଖିବାକୁ ବାକି ରହିଛି କଂଗ୍ରେସ ଓ ଆରଜେଡି ଏହାକୁ ନେଇ କି ସଫେଇ ଦେଉଛନ୍ତି ।

କଟକ-ଭୁବନେଶ୍ବର କ୍ୟାପିଟାଲ ରିଜିଅନ ରିଂ ରୋଡକୁ କେନ୍ଦ୍ର କ୍ୟାବିନେଟ ମୋହର

ନନ୍ଦିଘୋଷ ବ୍ୟୁରୋ: ବହୁ ଥର ପ୍ରତିଶ୍ରୁତି ପରେ ମିଳିଲା ପ୍ରାଶାସନିକ ଅନୁମୋଦନ । କଟକ-ଭୁବନେଶ୍ବର କ୍ୟାପିଟାଲ ରିଜିଅନ ରିଂ ରୋଡକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମୋହର । ଏହି ରିଂ ରୋଡଟି ୬ ଲେନ ବିଶିଷ୍ଟ ହେବ । ଏହାଦ୍ବାରା ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ଟ୍ରାଫିକ ସମସ୍ୟା ହେବ ଦୂର । ଏଥିଲାଗି ଖର୍ଚ୍ଚ ହେବ ୮ ହଜାର ୩୦୭ କୋଟି ୭୪ ଲକ୍ଷ ଟଙ୍କା ।

ଏଥିରେ, ୧୧୧ କି.ମି. ବାଇପାସ ରାସ୍ତା ନିର୍ମାଣ ହେବ । ଖୋର୍ଦ୍ଧା ରାମେଶ୍ଵରରୁ ଟାଙ୍ଗି ପର୍ଯ୍ୟନ୍ତ ରିଂ ରୋଡ୍ ନିର୍ମାଣ ହେବ ପୂର୍ବରୁ NHAI ଅନୁମୋଦନ ନଥାଇ ବାରମ୍ବାର କରୁଥିଲା ଟେଣ୍ଡର ଆହ୍ଵାନ । ୨୦୨୪ ଅକ୍ଟୋବରରେ ରିଂ ରୋଡ୍ କାମ ଆରମ୍ଭ ନେଇ ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ।

ରିଂରୋଡ ପାଇଁ ୧୫ ବର୍ଷ ତଳୁ ଦାବି ହୋଇଆସୁଥିଲା । କେତେବେଳେ ଡିପିଆର ପରିବର୍ତ୍ତନ ହେଉଥିଲା ତ ପୁଣି କେତେବେଳେ ଟେଣ୍ଡର ପ୍ରକ୍ରିୟା ପରିବର୍ତ୍ତନ ହେଉଥିଲା । ବିରୋଧୀ NHAI ଆଭିମୁଖ୍ୟକୁ ନେଇ ଅନେକ ବାର ପ୍ରଶ୍ନ ଉଠାଇଥିଲେ । ଏଥିପାଇଁ ହାଇବ୍ରିଡ ଆନୁଇଟି ମୋଡ ବା HAMରେ ଟେଣ୍ଡର ଆହ୍ଵାନ କରାଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।

ଏସିଆ କପ୍: ଏହି ତାରିଖରେ ଦୁବାଇରେ ଭାରତ-ପାକିସ୍ତାନ ଟକ୍କର

ନନ୍ଦିଘୋଷ ବ୍ୟୁରୋ: ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହେବା ପରେ ଏବେ ଚର୍ଚ୍ଚା ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ । ନ୍ୟୁଟ୍ରାଲ ଭେନ୍ୟୁ ଦୁବାଇରେ ଦୁଇ ଦେଶ ପରସ୍ପରକୁ ଭେଟିବେ । ସବୁ ବେଳେ ଭାରତ ଓ ପାକିସ୍ତାନ ମ୍ୟାଚ୍ ହାଇ-ଭୋଲଟେଜ ହୋଇଥିବା ବେଳେ ସାରା ବିଶ୍ବର କ୍ରିକେଟ ପ୍ରେମୀ ଏହାକୁ ଅନାଇ ବସିଥାନ୍ତି । ତେବେ ଭାରତୀୟ ଟିମ୍ ଘୋଷଣା ସହ ଦୁବାଇରେ ଦୁଇ ଦେଶ ମଧ୍ୟରେ ଟକ୍କର ହେବାକୁ ଥିବା ବେଳେ ଏହାର ତାରିଖ ବି ସ୍ପଷ୍ଟ ହୋଇ ଯାଇଛି ।

ଆଜି ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ମେନ୍ ଇନ୍ ବ୍ଲ୍ୟୁ । ସେହିପରି ଦୁଇଦିନ ପୂର୍ବରୁ ପାକିସ୍ତାନ ୧୭ ଜଣିଆ ଟିମ୍ ଘୋଷଣା କରିଥିଲା । ସଲମାନ ଅଲ୍ଲୀ ଆଗାଙ୍କ ନେତୃତ୍ବରେ ପାକିସ୍ତାନ ଟିମ୍ ଏସିଆ କପ୍ ଖେଳିବ । ତେବେ ଚର୍ଚ୍ଚାର କେନ୍ଦ୍ର ପାଲଟି ଥିବା ଭାରତ-ପାକିସ୍ତାନ ମ୍ୟାଚ୍ କେବେ ଅଛି ଜାଣିଛନ୍ତି କି ? ଯଦି ନା, ତେବେ ଆପଣଙ୍କ ପାଇଁ କହି ରଖୁଛୁ ଏସିଆ କପ୍ ସିଡ୍ୟୁଲ ଅନୁସାରେ ସେପ୍ଟେମ୍ବର ୧୪ ତାରିଖରେ ଦୁବାଇରେ ହେବ ଏହି ମହା-ମୁକାବିଲା । ତେବେ ରାଜନୈତିକ ଅସ୍ଥିରତା ମଧ୍ୟରେ ଭାରତ-ପାକିସ୍ତାନ ମୁକାବିଲା ହେବ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ, ଟିମ୍ ଇଣ୍ଡିଆ ଘୋଷଣା ପରେ ଦର୍ଶକ ପୁଣି ଥରେ ଆଉ ଏକ ହାଇ-ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ଯାଉଥିବା ସ୍ପଷ୍ଟ ହୋଇଛି ।

ଟି-୨୦ ଫର୍ମାଟରେ ଖେଳାଯିବ ଏସିଆ କପ୍

୨୦୨୫ ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯିବ । ୨୦୨୨ରେ ଟି-୨୦ ଫର୍ମାଟରେ ହୋଇଥିବା ଏସିଆ କପ୍ ଜିତିଥିଲା । ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ହରାଇଥିଲା ।

ଟିମ୍ ଇଣ୍ଡିଆ

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ (ଉପଅଧିନାୟକ), ଅଭିଶେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଜସପ୍ରିତ ବୁମ୍ରା, ବରୁଣ ଚକ୍ରବର୍ତ୍ତି, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ସଞ୍ଜୁ ସ୍ୟାମସଙ୍ଗ ଏବଂ ହର୍ଷିତ ରାଣା ।

ପାକିସ୍ତାନ ଟିମ୍

ସଲମାନ ଅଲ୍ଲୀ ଆଗା (ଅଧିନାୟକ), ଅବରାର ଅହମଦ, ଫହିନ ଅଶରଫ, ଫଖର ଜମାର, ହାରିଶ ରଉଫ, ହସନ ଅଲ୍ଲୀ, ହସନ ନଓ୍ବାଜ, ହୁସେନ ତଲତ, ଖୁଶଦିଲ ଶାହ, ମୋହମ୍ମଦ ହାରିସ (ଓ୍ବିକେଟ କିପର), ମୋହମ୍ମଦ ନଓ୍ବାଜ, ମୋହମ୍ମଦ ଓ୍ବସିମ ଜୁନିୟର, ସାହିବଜାଦା ଫରହାନ, ସଇମ ଅୟୁବ, ସଲମାନ ମିର୍ଜା, ଶାହିନ ଶାହ ଅଫରିଦ ଏବଂ ସୁଫିୟାନ ମୋକିମ  ।

ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ କିଏ ହେଲେ ଆଉଟ୍

ନନ୍ଦିଘୋଷ ବ୍ୟୁରୋ: ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଘୋଷଣା ହୋଇଥିବା ୧୫ ଜଣିଆ ଟିମର ଅଧିନାୟକ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ଟିମ୍ ଇଣ୍ଡିଆର ସାମ୍ଭାବ୍ୟ ଖେଳାଳିଙ୍କ ମଧ୍ୟରୁ ଅଧିକାଂଶଙ୍କୁ ହିଁ ଚୂଡାନ୍ତ ଦଳରେ ସ୍ଥାନ ମିଳିଛି । ତେବେ କିଛି ଷ୍ଟାର ଖେଳାଳି ଟିମରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ବିଶେଷ କରି ଶୁବମନ ଗିଲଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଥିଲା । ନା କେବଳ ତାଙ୍କୁ ଟିମରେ ସ୍ଥାନ ମିଳିଛି ତାହା ନୁହେଁ, ଦଳର ଉପଅଧିନାୟକ ପଦ ବି ଦିଆଯାଇଛି ।

ଏସିଆ କପ୍ ପାଇଁ ଶୁବମନ ଗିଲ, ଅଭିଶେକ ଶର୍ମା ଏବଂ ସଞ୍ଜୁ ସ୍ୟାମସଙ୍ଗ ଉପରେ ପୁଣି ଥରେ ଚୟନକର୍ତ୍ତା ଭରସା ଦେଖାଇଛନ୍ତି । ଟି-୨୦ର ଏକ ନମ୍ବର ଖେଳାଳି ଅଭିଶେକଙ୍କ ସମେତ ଦ୍ବିତୀୟ ସ୍ଥାନରେ ଥିବା ତିଲକ ବର୍ମାଙ୍କ ଉପରେ ମଧ୍ୟ ଚୟନକର୍ତ୍ତା ଭରସା ଦେଖାଇଛନ୍ତି ।

ଟପ ଅର୍ଡରରେ ସଞ୍ଜୁ, ଅଭିଶେଷ ଏବଂ ତିଲକ ଥିବା ବେଳେ ମିଡିଲ ଅର୍ଡର ସମ୍ଭାଳିବେ ଅଧିନାୟକ ସୂର୍ଯ୍ୟକୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରିଙ୍କୁ ସିଂଙ୍କ ଭଳି ଖେଳାଳି । ଟିମରେ ଦ୍ବିତୀୟ ଓ୍ବିକେଟ କିପର ଏବଂ ବ୍ୟାଟ୍ସମ୍ୟାନ ଭାବେ ଜେତିଶ ଶର୍ମାଙ୍କୁ ସ୍ଥାନ ମିଳିଛି ।

ବୋଲିଂ ବିଭାଗକୁ ଦେଖିଲେ ବୁମ୍ରା ଏବଂ ଅର୍ଶଦୀପ ପେସ ଆଟାକ ସମ୍ଭାଳିବେ । ସ୍ପିନିଂ ଭାଗକୁ ଦୃଢ଼ କରିବା ପାଇଁ ଟଇମରେ ବରୁଣ ଚର୍କବର୍ତ୍ତି ଏବଂ କୁଲଦୀପ ଯାଦବ ରହିବେ ।

ଏମାନଙ୍କୁ ମିଳିଲାନି ସ୍ଥାନ

ତେବେ କିଛି ଆଡ଼ ଖେଳାଳିଙ୍କୁ ଏସିଆ କପ୍ ଟିମରେ ସ୍ଥାନ ମିଳିନାହିଁ । ଯଶ୍ବସ୍ବୀ ଜାୟସଓ୍ବାଲ, ଶ୍ରେୟସ ଆୟର, ଓ୍ବାସିଂଟନ ସୁନ୍ଦର, ମୋହମ୍ମଦ ସିରାଜଙ୍କ ପରି ଦିଗଜ ଖେଳାଳି ଟିମ ଇଣ୍ଡିଆରେ ସ୍ଥାନ ପାଇ ନାହାନ୍ତି ।

ଟିମ୍ ଇଣ୍ଡିଆ

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ)

ଶୁବମନ ଗିଲ (ଉପଅଧିନାୟକ)

ଅଭିଶେକ ଶର୍ମା

ତିଲକ ବର୍ମା

ହାର୍ଦ୍ଦିକ ପାଣ୍ଡ୍ୟା

ଶିବମ ଦୁବେ

ଅକ୍ଷର ପଟେଲ

ଜିତେଶ ଶର୍ମା

ଜସପ୍ରିତ ବୁମ୍ରା

ବରୁଣ ଚକ୍ରବର୍ତ୍ତି

ଅର୍ଶଦୀପ ସିଂ

କୁଲଦୀପ ଯାଦବ

ସଞ୍ଜୁ ସ୍ୟାମସଙ୍ଗ

ହର୍ଷିତ ରାଣା

ରିଙ୍କୁ ସିଂ

ଇଣ୍ଡି ମେଣ୍ଟ ପକ୍ଷରୁ ଘୋଷଣା ହେଲା ନାଁ ; ବି. ସୁଦର୍ଶନ ରେଡ୍ଡୀ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ

ନନ୍ଦିଘୋଷ ବ୍ୟୁରୋ: ବହୁ କଳ୍ପନାଜଳ୍ପନା ପରେ ଇଣ୍ଡି ମେଣ୍ଟ ଉପରାଷ୍ଟ୍ରପତି ପଦ ପାଇଁ ନାମ ଘୋଷଣା କରିଛି । ବିରୋଧୀଙ୍କ ପକ୍ଷରୁ ତେଲେଙ୍ଗାନାର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଛି । ରେଡ୍ଡୀ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ରେଡ୍ଡୀଙ୍କ ନାମ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଘୋଷଣା କରିଛନ୍ତି । ଖଡଗେଙ୍କ ଅନୁଯାୟୀ ସମସ୍ତ ବିରୋଧୀ ଦଳଙ୍କ ସହ ଆଲୋଚନା ପରେ ସୁଦର୍ଶନ ରେଡ୍ଡୀଙ୍କ ନାମ ଉପରେ ମୋହର ମରାଯାଇଛି । ଆମ ଆଦମୀ ପାର୍ଟି ମଧ୍ୟ ରେଡ୍ଡୀଙ୍କ ନାମକୁ ସମର୍ଥନ କରିଛି ।

ଉପରାଷ୍ଟ୍ରପତିଙ୍କ ନାମ ଉପରେ ସରକାର ସହମତି ଦେବାକୁ ଆହ୍ବାନ ଦେଇଥିଲେ ମଧ୍ୟ ବିରୋଧୀଙ୍କ ଉପରେ ଏହାର ପ୍ରଭାବ ପଡିଲା ନାହିଁ ।  ଏନଡିଏ ଦୁଇ ଦିନ ପୂର୍ବରୁ ସିପି ରାଧାକୃଷ୍ଣନଙ୍କ ନାମ ଘୋଷଣା କରିଥିଲା । ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସମସ୍ତ ଦଳ ସହିତ କଥାବାର୍ତ୍ତା କରିବାର ଦାୟିତ୍ୱ ଦିଆଯାଇଥିଲା । ବି. ସୁଦର୍ଶନ ରେଡ୍ଡୀଙ୍କ ପୂର୍ବରୁ ଡିଏମକେର ତିରୁଚି ଶିବଙ୍କ ନାମ ମଧ୍ୟ ରାଜନୈତିକ ମହଲରେ ଆଲୋଚନା ହେଉଥିଲା କିନ୍ତୁ ଇଣ୍ଡି ମେଣ୍ଟ ତେଲେଙ୍ଗାନାରୁ ଆସିଥିବା ସୁଦର୍ଶନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ।

ବି. ସୁଦର୍ଶନ ରେଡ୍ଡୀ ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ବିଚାରପତି ଥିଲେ। ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିବା ସୁଦର୍ଶନ ରେଡ୍ଡୀ ଆନ୍ଧ୍ରରେ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ରେଡ୍ଡୀ ଓସମାନିଆ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ପ୍ରସିଦ୍ଧ ଓକିଲ କେ ପ୍ରତାପ ରେଡ୍ଡୀଙ୍କ ଅଧୀନରେ କାମ କରିବା ଆରମ୍ଭ କରିଥିଲେ । ଅଗଷ୍ଟ ୧୯୮୮ ରେ ରେଡ୍ଡୀ ହାଇକୋର୍ଟରେ ସରକାରୀ ଓକିଲ ଭାବରେ ନିଯୁକ୍ତ ହୋଇଥିଲେ । ୧୯୯୩ ମସିହାରେ ରେଡ୍ଡୀଙ୍କୁ ଆନ୍ଧ୍ରପ୍ରଦେଶର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା । ୨୦୦୫ ମସିହାରେ ରେଡ୍ଡିଙ୍କୁ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଥିଲା। ୨୦୦୭ ମସିହାରେ ରେଡ୍ଡୀ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ୨୦୧୩ ମସିହାରେ ରେଡ୍ଡୀଙ୍କୁ ଗୋଆର ଲୋକାୟୁକ୍ତ ଭାବରେ ନିଯୁକ୍ତ କରାଯାଇଥିଲା ।

ବିଜେପି ତାମିଲନାଡୁରୁ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରିଛି । ଏହାକୁ ଦକ୍ଷିଣର ରାଜନୀତିକୁ ଆକର୍ଷିତ କରିବା ପାଇଁ ଏକ ଯୋଜନା ଥିବା ବେଳେ କଂଗ୍ରେସ ମଧ୍ୟ ଏହି ଯୁଦ୍ଧରେ ପଛରେ ରହିବାକୁ ଚାହୁଁନାହିଁ । ସେଥିପାଇଁ ଦଳ ତେଲେଙ୍ଗାନାରୁ ରେଡ୍ଡୀଙ୍କୁ ସୁଯୋଗ ଦେଇଛି । କେବଳ ଏତିକି ନୁହେଁ ସୁଦର୍ଶନ ରେଡ୍ଡୀ ତେଲେଙ୍ଗାନାରେ ଜାତି ସର୍ଭେ ଦଳର ମୁଖ୍ୟ ଥିଲେ। ତେଲେଙ୍ଗାନାରେ ଜାତି ସର୍ଭେ କାମ ତାଙ୍କ ନେତୃତ୍ୱରେ ସମାପ୍ତ ହୋଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିରନ୍ତର ଜାତି ଜନଗଣନା ପ୍ରସଙ୍ଗ ଉଠାଉଛନ୍ତି । ସୁଦର୍ଶନ ରେଡ୍ଡୀଙ୍କୁ ଆଣି ଦଳ ଏହି ଅଭିଯାନକୁ ଅଧିକ ଧାର ଦେବାକୁ ଚାହୁଁଛି ।

 

ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ

ଯାଜପୁର: ପୁଣି ସାମ୍ନାକୁ ଆସିଲା ଅବହେଳାର ସାଂଘାତିକ ଚିତ୍ର। ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀ ମୃତ୍ୟ ଅଭିଯୋଗ ହୋଇଛି । ମୃତକ ହେଲେ କୁଆଖିଆ ଥାନା ବାଉଁଶଅଣ୍ଟା ଗାଁର ଭରତ କୁମାର ଦାସ। ଡାକ୍ତର ଓ ନର୍ସଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।

ଗତକାଲି ଚିକିତ୍ସା ଲାଗି ଯାଜପୁର ସଦରମହକୁମା ଚିକିତ୍ସାଳୟକୁ ଆସିଥିଲେ । ସେ ସମ୍ପୂର୍ଣ ସୁସ୍ଥ ହୋଇଥିଲେ । ସକାଳୁ ଚା’ ପିଇ ପରିବାର ସହ ମିଶିବା ସହ ପାଖ ରୋଗୀଙ୍କୁ ଚା’ ଜଳଖିଆ ଆଣି ଦେଇଥିଲେ । ହଠାତ୍ ନର୍ସ ଆସି ଇଞ୍ଜେକସନ ଦେବା ପରେ ତାଙ୍କର ମୃତ୍ୟୁ ହୋଇଛି । ଭୁଲ ଇଞ୍ଜେକସନ ଓ ନର୍ସଙ୍କ ଅବହେଳା ଲାଗି ମାଆ ଆଗରେ ପୁଅର ମୃତ୍ୟୁ ହୋଇଥିବା ମାଆ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପୋଲିସ ମୁତୟନ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

ସାବଧାନ ! ବୀରମହାରାଜପୁର ମହାନଦୀରେ କୁମ୍ଭୀର ..

ସୁବର୍ଣ୍ଣପୁର : ମହାନଦୀରେ ଘଡିଆଳ କୁମ୍ଭୀର। ନଦୀକୁ ଯିବାକୁ ବାରଣ କଲା ବନ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଦୁରଦୁରା ନିକଟ ମହାନଦୀ ଘାଟରେ ଏହି କୁମ୍ଭୀର ଦେଖିବାକୁ ମିଳିଛି। ବନ ବିଭାଗ ସୂଚନା ପାଇଲା ପରେ ଲୋକଙ୍କୁ ସତର୍କ କରିଦେଇଛି। ନଦୀକୁ ନ ଯିବା ପାଇଁ ଲୋକକୁ ମାଇକରେ ସତର୍କ କରାଯାଇଛି। ଗତକାଲି କିଛି ଲୋକ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟର ମହାନଦୀ ଘାଟରେ ଏକ କୁମ୍ଭୀର ଦେଖିବାକୁ ପାଇଥିଲେ । ସେହି ସମୟରୁ ଲୋକେ ଆଉ ନଦୀକୁ ଯାଇ ନାହାଁନ୍ତି।

ବୀରମହାରାଜପୁର ରେଞ୍ଜର ଅବିନାଶ ବରିହା ଓ ଅନ୍ୟ ବନ କର୍ମଚାରୀମାନେ ସେହି ଘାଟକୁ ଯାଇ ଅନୁଧ୍ୟାନ କରିଛନ୍ତି । ପରେ ଦୁରଦୁରା ବନପାଳ ଲିଙ୍ଗରାଜ ନାଏକଙ୍କ ତତ୍ତ୍ଵାବଧାନରେ ବନ ବିଭାଗର ଏକ ଟିମ ଦୁରଦୁରା, ଟେଭାପଦର ଓ ନଦୀ କୂଳିଆ ଗାଁ ଲୋକ ସମତେ ନଦୀ ଖଣ୍ଡିଆ ଜନ ବସତି ଅଞ୍ଚଳକୁ ଯାଇ ଲୋକଙ୍କୁ ନଦୀକୁ ନଯିବାକୁ ସଚେତନ କରିଛନ୍ତି ।

ରାଜଧାନୀରେ ମାତିଲେ ମାତାଲ ଯୁବତୀ ; ଯାହାକୁ ପାରିଲେ ତାକୁ ଗାଳି ଦେଲେ

ଭୁବନେଶ୍ବର: ହାଇଡ୍ରାମା କଲେ ‘ପାପା କି ପରୀ’ । ରାଜଧାନୀରେ ମାତିଲେ ମାତାଲ ଯୁବତୀ । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଆଗରେ ଗଡ଼ିଲେ । ନିଶା ଖାଇ ଯାହାକୁ ପାରିଲେ ତାକୁ ଗାଳି ଦେଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ୮ ମାସ ତଳେ ପୋଲିସକୁ ଆକ୍ରମଣ କରି ଯାଇଥିଲେ ଜେଲ୍ ।

ଟ୍ରେନରେ ଅଧିକ ଲଗେଜ୍ ନେଇ ଯାଉଛନ୍ତି କି ? ଲାଗିପାରେ ଜରିମାନା ..

ନନ୍ଦିଘୋଷ ବ୍ୟୁରୋ: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ସୂଚନା । ଯାତ୍ରୀମାନଙ୍କ ପାଇଁ ଏକ  ପରିବର୍ତ୍ତନ ହେବାକୁ ଯାଉଛି। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ନିୟମ ଲାଗୁ ହେବାକୁ ଯାଉଛି। ଏବେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଲଗେଜର ସୀମା ସ୍ଥିର ହେବ। ନିର୍ଦ୍ଧାରିତ ସୀମାଠାରୁ ଅଧିକ ଲଗେଜ ବହନ କଲେ ଯାତ୍ରୀମାନଙ୍କୁ ଜରିମାନା ଦେବାକୁ ପଡିବ। ଏବେ  ବିମାନ ପରି ଟ୍ରେନରେ ନିର୍ଦ୍ଧାରିତ ମାନଦଣ୍ଡଠାରୁ ଅଧିକ ଲଗେଜ ବହନ କରିବା ପାଇଁ ଅତିରିକ୍ତ ଭଡା ଦେବାକୁ ପଡିବ। ଏଥିପାଇଁ, ଉତ୍ତର କେନ୍ଦ୍ରୀୟ ରେଳବାଇର ପ୍ରୟାଗରାଜ ଡିଭିଜନ ଜଙ୍କସନ ସମେତ ପ୍ରମୁଖ ଷ୍ଟେସନଗୁଡ଼ିକରେ ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ସ୍ଥାପନ କରିବାକୁ ଯାଉଛି। ଯାତ୍ରୀମାନେ ଏହି ମେସିନ୍ ମାଧ୍ୟମରେ ସେମାନଙ୍କର ଲଗେଜ ଓଜନ କରିବେ।

ଯଦି ଓଜନ ସମୟରେ ଲଗେଜ୍ ନିର୍ଦ୍ଧାରିତ ସୀମାଠାରୁ ଅଧିକ ହୁଏ, ତେବେ ଯାତ୍ରୀଙ୍କୁ ଏଥିପାଇଁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ। ସୂଚନା ଅନୁଯାୟୀ, ଯଦି ଜଣେ ଯାତ୍ରୀ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଲଗେଜ୍ ସହିତ ଯାତ୍ରା କରିବାକୁ ଚାହାଁନ୍ତି, ତେବେ ସେ ଆଗୁଆ ବୁକିଂରେ ଶୁଳ୍କ ଦେଇପାରିବେ। ଯଦି ସେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଲଗେଜ୍ ପାଇଁ ଶୁଳ୍କ ଦେଇନାହାଁନ୍ତି, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ।

ପ୍ରାରମ୍ଭିକ ଭାବରେ, ପ୍ରୟାଗରାଜ ଡିଭିଜନର ପ୍ରମୁଖ ଷ୍ଟେସନଗୁଡ଼ିକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଗୁଡ଼ିକ ପ୍ରୟାଗରାଜ ଜଙ୍କସନ୍, ପ୍ରୟାଗରାଜ ଛେଓକି, ସୁବେଦାରଗଞ୍ଜ, କାନପୁର ସେଣ୍ଟ୍ରାଲ୍, ମିର୍ଜାପୁର, ଟୁଣ୍ଡଲା, ଆଲିଗଡ଼ ଜଙ୍କସନ୍, ଗୋବିନ୍ଦପୁରୀ ଏବଂ ଇଟାୱା ଷ୍ଟେସନଗୁଡ଼ିକରେ କାର୍ଯ୍ୟକାରୀ ହେବ। ଏହି ଷ୍ଟେସନଗୁଡ଼ିକରେ ଖୁବ୍ ଶୀଘ୍ର ଇଲେକ୍ଟ୍ରୋନିକ୍ ଲଗେଜ୍ ମେସିନ୍ ସ୍ଥାପନ କରାଯିବ। ଯେଉଁଠାରେ ଯାତ୍ରୀଙ୍କ ଲଗେଜ୍ ଯାଞ୍ଚ କରାଯିବ।

ପ୍ରୟାଗରାଜ ବିଭାଗର ବରିଷ୍ଠ ଡିସିଏମ୍ ହିମାଂଶୁ ଶୁକ୍ଲା କହିଛନ୍ତି ଯେ ଏହା ଉପରେ ବିଚାର ବିମର୍ଶ ଚାଲିଛି। ଯଦି କାହାର ଲଗେଜ୍ ଆକାର ବହୁତ ବଡ଼ ଥାଏ, ଯଦିଓ ଏହାର ଓଜନ ନିର୍ଦ୍ଧାରିତ ସୀମାଠାରୁ କମ୍ ଥାଏ, ତେବେ ଅଧିକ ସ୍ଥାନ ଦଖଲ କରିବା ପାଇଁ ତାଙ୍କ ଉପରେ ଜରିମାନା ଲାଗୁ କରାଯିବ। ଲାଗୁ ହୋଇଥିବା ଜରିମାନା ସାଧାରଣ ହାରଠାରୁ ଅଧିକ ହେବ।

ଏଥିରେ ଯାତ୍ରୀଙ୍କ ଶ୍ରେଣୀ ଅନୁସାରେ ଲଗେଜ୍ ସୀମା ସ୍ଥିର କରାଯାଇଛି। ନିର୍ଦ୍ଧାରିତ ସୀମା ଅନୁସାରେ, ପ୍ରଥମ ଏସି ଯାତ୍ରୀମାନେ 70 କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ବହନ କରିପାରିବେ। ଦ୍ୱିତୀୟ ଏସି ଯାତ୍ରୀମାନେ 50 କିଲୋଗ୍ରାମ ଏବଂ ତୃତୀୟ ଏସି ଯାତ୍ରୀମାନେ 40 କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ବହନ କରିପାରିବେ। ସ୍ଲିପର୍ ଶ୍ରେଣୀର ଯାତ୍ରୀମାନେ ମଧ୍ୟ 40 କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ବହନ କରିପାରିବେ, ସାଧାରଣ ଏବଂ ଦ୍ୱିତୀୟ ସିଟିଂ ଯାତ୍ରୀମାନେ 35 କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ବହନ କରିପାରିବେ।

ରେଳବାଇ ଅନୁଯାୟୀ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧାକୁ ଧ୍ୟାନରେ ରଖି ଏହି ନିୟମ କରାଯାଇଛି। ଏହି ନିୟମ ସମସ୍ତ ଯାତ୍ରୀଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ ଏବଂ କୌଣସି ଛାଡ଼ ଦିଆଯିବ ନାହିଁ। ରେଳବାଇ କହିଛି ଯେ ଯଦି ଜଣେ ଯାତ୍ରୀଙ୍କୁ ତାଙ୍କ ସହିତ ଅଧିକ ଲଗେଜ୍ ନେବାକୁ ପଡିବ, ତେବେ ସେ ପୂର୍ବରୁ ବୁକ୍ କରିପାରିବେ। ଏହା ସେମାନଙ୍କୁ ଯାତ୍ରା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ କରିବ ନାହିଁ।

ବଳଙ୍ଗା ପୀଡ଼ିତାଙ୍କ ଭିଡିଓ ଭାଇରାଲ ଘଟଣା ; ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଆକ୍ସନ ହେବ

ପୁରୀ: ଯିଏ ବଳଙ୍ଗା ପୀଡ଼ିତାଙ୍କ ଭିଡିଓ ଭାଇରାଲ କରିଛି, ତା ବିରୋଧରେ ଆକ୍ସନ ହେବ। ଏଥିପାଇଁ ଫେସବୁକ ଓ ଗୁଗୁଲକୁ ଚିଠି ଲେଖାଯାଇଥିବା କହିଛନ୍ତି ପୁରୀ ଏସପି ପିନାକ ମିଶ୍ର। ସେ କହିଛନ୍ତି, ଜୁଭେନାଇଲ୍ କୋର୍ଟ ଆଧାରରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ। ସୋସିଆଲ ମିଡିଆର ସୋର୍ସ ଆସିବା ପରେ ସେହି ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ। ସୁପ୍ରିମକୋର୍ଟର କଡା ନିର୍ଦ୍ଦେଶ ରହିଛି ଯେ କୌଣସି ନାବାଳିକା ବା ନାବାଳକର ଫଟୋ ପ୍ରକାଶ କରାଯାଇପାରିବ ନାହିଁ। ଏଭଳି ସମ୍ବେଦନଶୀଳ ଘଟଣାରେ ସାଇବର କ୍ରାଇମ ବିଭାଗକୁ ଦାୟିତ୍ବ ଦିଆଯାଇଛି।

କିଛି ଦିନ ହେଲା ସୋସିଆଲ ମିଡିଆରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ସମୟର ଏକ ଭିଡିଓ ଭାଇରାଲ ହୋଇଛି । ଉକ୍ତ ଭିଡିଓଟି ଭୁବନେଶ୍ୱର ଏମ୍ସରେ ପୀଡ଼ିତାଙ୍କ ଚିକିତ୍ସା ସମୟର। ପୀଡ଼ିତା ନାବାଳିକାଙ୍କ ଭିଡ଼ିଓ‌ କିଏ ଏବଂ କାହିଁକି ଭାଇରାଲ କଲା ତାର ଅନୁସନ୍ଧାନ ଚାଲିଛି । ସାଇବର ଟିମ୍ ଏବଂ କ୍ରାଇମବ୍ରାଞ୍ଚର ସହଯୋଗରେ ତଦନ୍ତ କରାଯାଉଥିବା ପୁରୀ ଏସପି କହିଛନ୍ତି ।

ଭାଇରାଲ ଭିଡିଓରେ ଦେଖାଯାଉଛି କି, “ଜଣେ ମହିଳା ପୋଲିସ ଅଧିକାରୀ ନାବାଳିକାଙ୍କ ବୟାନ ରେକର୍ଡ କରୁଛନ୍ତି । ନାବାଳିକା ଚିକିତ୍ସାଧିନ ଅବସ୍ଥାରେ ଥିବା ସମୟରେ ଏହି ବୟାନ ରେକର୍ଡ ହେଉଛି । ତେବେ ଗୋପନୀୟ ଭାବେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହାକୁ ରେକର୍ଡ କରିବାକୁ ମାତ୍ର କିଛି ପୋଲିସ ଅଧିକାରୀଙ୍କୁ ଅନୁମିତି ମିଳିଥିଲା । ଏପରିକି ମେଡିକାଲ ଷ୍ଟାଫଙ୍କୁ ମଧ୍ୟ ବୟାନ ରେକର୍ଡ ସମୟରେ ନାବାଳିକାଙ୍କ ପାଖକୁ ଯିବାକୁ ଅନୁମତି ନଥିଲା ।” ତେବେ ଏତେ ସୁରକ୍ଷା ଥାଇ ମଧ୍ୟ କିପରି ହେଲା ଭିଡିଓ ଭାଇରାଲ ? କିଏ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରୁଛି ଏବଂ କଣ ରହିଛି ଏହା ପଛରେ କାରଣ ? ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ବୟାନ ରେକର୍ଡ ଭିଡିଓ ଗୋପନୀୟ ରହିବା କଥା କିନ୍ତୁ ବର୍ତ୍ତମାନ ମୋବାଇଲରୁ ମୋବାଇଲ ଡେଉଁଛି ଏହି ଭିଡିଓ ।