spot_img
Home Blog Page 459

ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ

ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ। ମ୍ୟାନେଜିଙ୍ଗ କମିଟି ଗଠନ ସରିବା ପରେ ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡି ଦର୍ଶନ। ଏଥିପାଇଁ ପ୍ରସ୍ତୁତ ରହିଛି ମନ୍ଦିର ପ୍ରଶାସନ। ଖୁବଶୀଘ୍ର କମିଟି ଗଠନ ଶେଷ ହେବ। ଏହା ପରେ ବୈଠକ ବସିବ। ଭକ୍ତ ମାନେ ଯେପରି ସୁରୁଖୁରୁରେ ଦର୍ଶନ କରି ପାରିବେ, ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ICC ଜାରି କଲା ଦିନିକିଆ ବିଶ୍ବକପର ନୂଆ ଶିଡ୍ୟୁଲ, ଜାଣନ୍ତୁ କେବେ ଓ କେଉଁଠି ଖେଳାଯିବ ମ୍ୟାଚ

ମହିଳା ଦିନିକିଆ ବିଶ୍ବକପ ୨୦୨୫ର ଶିଡ୍ୟୁଲରେ ପରିବର୍ତ୍ତନ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚକୁ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମକୁ ଶିଫ୍ଟ କରାଯାଇଛି । ବେଙ୍ଗାଲୁରୁ ଦଳାଚକଟା ଘଟଣା ପରେ କର୍ଣ୍ଣାଟକ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଥିଲେ । ଫଳସ୍ବରୂପ ଚିନ୍ନାସ୍ବାମୀ ଷ୍ଟାଡିୟମକୁ ବିଶ୍ବକପର ମ୍ୟାଚ ଆୟୋଜନର ଅନୁମତି ମିଳିନଥିଲା । ମହିଳା ଦିନିକିଆ ବିଶ୍ବକପ ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବ ଓ ନଭେମ୍ବର ୨ରେ ଫାଇନାଲ ମ୍ୟାଚ ଖେଳାଯିବ ।

ବିଶ୍ବକପର ଭେନ୍ୟୁରେ ପରିବର୍ତ୍ତନ କରାଯାଇଥିଲେ ହେଁ ଟୁର୍ଣ୍ଣାମେଣ୍ଟର ତାରିଖରେ ପରିବର୍ତ୍ତନ କରାଯାଇନାହିଁ । ପୂର୍ବ ପରି ବିଶ୍ବକପର ପ୍ରଥମ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଏହି ଦୁଇ ରାଷ୍ଟ୍ର ଏଥର ବିଶ୍ବକପ ଆୟୋଜନ କରୁଛନ୍ତି । ଏସିଏ ଷ୍ଟାଡିୟମ (ଗୌହାଟୀ), ହୋଲକର ଷ୍ଟାଡିୟମ (ଇନ୍ଦୋର), ଡିଓ୍ବାଇ ପାଟିଲ ଷ୍ଟାଡିୟମ (ନବୀ ମୁମ୍ବାଇ), ଏଡିଏ-ଭିଡିସିଏ ଷ୍ଟାଡିୟମ (ବିଶାଖାପଟନମ) ଓ ଆର. ପ୍ରେମଦାସା ଷ୍ଟାଡିୟମ (କଲମ୍ବୋ) ଆଦି ୫ଟି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ସେପ୍ଟମ୍ବର ୩୦, ଅକ୍ଟୋବର ୫, ୯, ୧୨, ୧୯, ୨୩ ଓ ୨୬ରେ ଭାରତ ଯଥାକ୍ରେମ ଶ୍ରୀଲଙ୍କା, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷରେ ଖେଳିବ ।

ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି, ଜଣେ ବ୍ୟକ୍ତି ଅନଧିକାର ଭାବେ ପ୍ରବେଶ କରିଥିବା ଅଭିଯୋଗ

ନୂଆଦିଲ୍ଲୀ ; ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି। ଜଣେ ବ୍ୟକ୍ତି ସଂସଦ ଭବନ ପରିସରରେ ପ୍ରବେଶ କରିଥିବାର ଅଭିଯୋଗ ହୋଇଛି। ସେହି ବ୍ୟକ୍ତି ଜଣକ ଗଛରେ ଚଢ଼ି, ସେଇଠୁ ୨୦ ମିଟର ଉଚ୍ଚ ପାଚେରୀ ଡେଇଁ ସଂସଦ ଭବନ ପରିସରରେ ପହଞ୍ଚିଥିଲା। ଆଜି ସକାଳ ସାଢ଼େ ୬ଟାରେ ଏହା ଘଟିଛି। ସେହି ବ୍ୟକ୍ତିର ନାଁର ରାମା। ରେଳ ଭବନ ପାର୍ଶ୍ୱରୁ କାନ୍ଥ ଡେଇଁ ନୂତନ ସଂସଦ ଭବନର ଗରୁଡ଼ ଫାଟକରେ ସେ ପହଞ୍ଚିଥିଲା। ଗରୁଡ଼ ଦ୍ୱାର ପାଚେରୀରୁ ପ୍ରାୟ ୧୫ ମିଟର ଦୂର। ସୁରକ୍ଷା କର୍ମୀମାନେ ସେହି ଅନୁପ୍ରବେଶକାରୀଙ୍କୁ ଧରିଛନ୍ତି। ତାଙ୍କୁ ପଚରାଉଚରା କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ ପୋଲିସର କହିବା ଅନୁସାରେ, ସେହି ବ୍ୟକ୍ତି ଜଣକ ମାନସିକ ଭାବେ ସୁସ୍ଥ ନୁହେଁ। ଗତ ବର୍ଷ ମଧ୍ୟ ଏପରି ସୁରକ୍ଷାରେ ତ୍ରୁଟି ହୋଇଥିଲା। 20 ବର୍ଷର ଜଣେ ବ୍ୟକ୍ତି ସଂସଦ କାନ୍ଥ ଡେଇଁ ସଂସଦ ଭବନ କୋଠା ପରିସର ଭିତରକୁ ଡେଇଁ ପଡ଼ିଥିଲା। ସଶସ୍ତ୍ର CISF ଯବାନମାନେ ତାଙ୍କୁ କାବୁ କରିଥିଲେ।

୧ ମିନିଟରେ ୧୧ଟି ମିସାଇଲ ମାଡ଼ କଲା ଇରାନ

ନନ୍ଦିଘୋଷ ବ୍ୟୁରୋ  : ଇସ୍ରାଏଲ ସହ ୧୨ ଦିନିଆ ଯୁଦ୍ଧ ପରେ ଇରାନର ନୌସେନା ପ୍ରଥମ ଥର ପାଇଁ ସାମରିକ ଅଭ୍ୟାସ କରିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ସାମରିକ ଅଭ୍ୟାସକୁ ସଷ୍ଟେନେବଲ୍ ପାୱାର ୧୪୦୪ ନାମ ଦିଆଯାଇଛି। ନୌସେନା ଅଭ୍ୟାସ ସମୟରେ, ଇରାନ ନୌସେନା ମାତ୍ର ୧ ମିନିଟରେ ୧୧ଟି ମିସାଇଲ ମାଡ କରିଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଓମାନ ଉପସାଗର ଏବଂ ଭାରତ ମହାସାଗରରେ ସମୁଦ୍ର ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିଲା। ୧୨ ଦିନିଆ ଯୁଦ୍ଧ ସମୟରେ ଇସ୍ରାଏଲ ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା  । ଅନେକ ପରମାଣୁ ପ୍ରତିଷ୍ଠାନକୁ ମଧ୍ୟ ଟାର୍ଗେଟ କରିଥିଲା। ଏପରି ପରିସ୍ଥିତିରେ, ଏହି ସାମରିକ ଅଭ୍ୟାସକୁ ଇରାନ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିବା ଏବଂ ଶତ୍ରୁମାନଙ୍କୁ ସତର୍କ କରାଇବାର ଏକ ପ୍ରୟାସ ବୋଲି ବିବେଚନା କରାଯାଉଛି।

ସରକାରୀ ଟିଭି ରିପୋର୍ଟ କରିଛି ଯେ ଇରାନୀ ନୌସେନା ଯୁଦ୍ଧଜାହାଜ IRIS ସବାଲାନ ଏବଂ IRIS ଗାନାଭେ ନାସିର ଓ କାଦିର କ୍ରୁଜ୍ ମିସାଇଲ ନିକ୍ଷେପ କରିଥିଲେ, ଯାହା ସଫଳତାର ସହ ସେମାନଙ୍କ ଲକ୍ଷ୍ୟସ୍ଥଳକୁ ଛୁଇଁଥିଲା। ଏହା ବ୍ୟତୀତ ଉପକୂଳ ବ୍ୟାଟେରୀରୁ ମଧ୍ୟ ମିସାଇଲ ନିକ୍ଷେପ କରାଯାଇଥିଲା ଏବଂ ଡ୍ରୋନ୍ ମାଧ୍ୟମରେ ସାମୁଦ୍ରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଥିଲା। ଏହି ନୌସେନା ଅଭ୍ୟାସ ଓମାନ ଉପସାଗର ଏବଂ ଉତ୍ତର ଭାରତ ମହାସାଗରରେ ବିସ୍ତାରିତ ଅଞ୍ଚଳରେ କରାଯାଇଥିଲା।

ଗତ ମାସରେ ଇରାନ ଓ ରୁଷ କାସରେକ୍ସ ୨୦୨୫ ନାମକ ଏକ ମିଳିତ ଅଭ୍ୟାସ କରିଥିଲେ। ଏବେ ଇରାନ ଦକ୍ଷିଣ ସମୁଦ୍ର ଅଞ୍ଚଳରେ ଏକାକୀ ନିଜର ଶକ୍ତି ପ୍ରଦର୍ଶନ କରିଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଅଭ୍ୟାସ କେବଳ ଶକ୍ତି ପ୍ରଦର୍ଶନ ନୁହେଁ, ବରଂ ଇସ୍ରାଏଲକୁ ଏକ ବାର୍ତ୍ତା ଯେ ଇରାନ ଏବେ ବି ପ୍ରତିଶୋଧ ନେବାର ସ୍ଥିତିରେ ଅଛି।

ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ। କଟକ ସିଟି ହସ୍ପିଟାଲ ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ। ସରକାରୀ ଅର୍ଥ ହେରଫେର ଅଭିଯୋଗରେ ରେଡ୍ କରୁଛି। ୧ କୋଟି ୨୪ ଲକ୍ଷ ଟଙ୍କା ସରକାରୀ ଫଣ୍ଡ ହେରଫେର କରିଥିବା ଅଭିଯୋଗ ରହିଛି। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି। ରେଡରେ ୯ ଡିଏସପି, ୧୦ ଇନ୍ସପେକ୍ଟର, ୭ ଏଏସଆଇ ସମେତ ଅନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି। କଟକ ନୂଆସାହି ସ୍ଥିତ ୩ ମହଲା କୋଠାରେ ରେଡ୍ କରୁଛି ଭିଜିଲାନ୍‌ସ। ଏହାସହ ଚୌଦ୍ଵାର ପଳାସିଆରେ ଥିବା ଘର ଓ ଫାର୍ମ, କଟକ ତୁଳସୀପୁର ଦେଉଳସାହିରେ ଥିବା ସମ୍ପର୍କୀୟଙ୍କ ଘର, କଟକ କିଶୋରନଗର ଉତ୍ତରକୁଳରେ ଥିବା ପୈତୃକ ଘରେ ରେଡ୍ କରୁଛି ଭିଜିଲାନ୍ସ.। ରେଡରୁ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ତାଙ୍କର ମୋଟ ୧୯ଟି ପ୍ଲଟ ରହିଛି। ଏହି ସବୁ ପ୍ଲଟର ଦାମ କୋଟି କୋଟି ଟଙ୍କା ହେବା ଅନୁମାନ କରାଯାଉଛି। ତାଙ୍କର ରହିଛି ୨ଟି କୋଠା, ସାଢେ ୩ ଲକ୍ଷ କ୍ୟାସ ଉଦ୍ଧାର ହୋଇଥିବାବେଳେ ୪୪ ଲକ୍ଷ ୪୬ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଠାବ ହୋଇଛି।

ପାଣିରେ ଫସିଥିବା କ୍ଷୀର ଟ୍ୟାଙ୍କରରୁ ଉଦ୍ଧାର ହେଲେ ୧୩ ଜଣ ବିପନ୍ନ

ନନ୍ଦିଘୋଷ ବ୍ୟୁରୋ : ଗୁଜରାଟରେ ବର୍ଷାରୁ ବନ୍ୟା ବିତ୍ପାତ। ପୋରବନ୍ଦର ଅଂଚଳରେ ପାଣି ମଧ୍ୟରେ ଫସିଥିବା ଏକ କ୍ଷୀର ଟ୍ୟାଙ୍କରରୁ ଉଦ୍ଧାର ହୋଇଛନ୍ତି ୧୩ ଜଣ ବିପନ୍ନ। ପାଣି ଭିତରେ ଫସି ରହିଥିଲେ ୧୩ ଜଣ ଲୋକ। ୧୧ ଜଣ ପୁରୁଷଙ୍କ ସହ ୨ ମହିଳା ଫସି ରହିଥଲେ। ଖବର ପାଇ ଏନଡିଆରଏଫର ରେସକ୍ୟୁ ଟିମ ସମସ୍ତଙ୍କୁ ସୁରକ୍ଷିତ। ମାଧବପୁର ଅଂଚଳରେ ପ୍ରବଳ ବର୍ଷାରୁ ଫସି ରହିଥିଲେ ଲୋକେ। ଟ୍ୟାଙ୍କର ସହ ଏକ ଟ୍ରାକ୍ଟର ମଧ୍ୟ ପାଣିରେ ଫସି ଯାଇଥିଲା। ପୋରବନ୍ଦର ଜିଲ୍ଲାର ମାଧବପୁର ଘେଡ୍ ଅଂଚଳରେ ପ୍ରବଳ ବର୍ଷାରୁ ଜଳମଗ୍ନ ହୋଇପଡିଛି। ଏକର ଏକର ଅଂଚଳ ଜଳମଗ୍ନ ହୋଇପଡ଼ିଛି। ପାଣିରେ ଭାସି ଯାଇ ଜଣେ ବ୍ଯକ୍ତି ନିଖୋଜ ଥିବା ଜଣାପଡିଛି। ତାଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଛି। ଗତକାଲି ପ୍ରବଳ ବର୍ଷାରୁ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି।

ସମସ୍ତ କୁକୁରଙ୍କୁ ବନ୍ଧ୍ୟାକରଣ ପରେ ମୁକ୍ତ କରାଯିବ : ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ : ଆଜି ସୁପ୍ରିମକୋର୍ଟ ବୁଲା କୁକୁର ପ୍ରସଙ୍ଗରେ ତାଙ୍କର ରାୟ ଦେଇଛନ୍ତି। ଅଗଷ୍ଟ ୧୧ ତାରିଖରେ ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରର ରାସ୍ତାରୁ ବୁଲା କୁକୁରମାନଙ୍କୁ ସ୍ଥାୟୀ ଭାବରେ କୁକୁର ଆଶ୍ରୟସ୍ଥଳକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଏକ ସମୀକ୍ଷା ଆବେଦନ ଦାଖଲ କରାଯାଇଥିଲା। ଆଜି, ଏହି ମାମଲାରେ ନିଜର ରାୟ ଦେବା ସମୟରେ, କୋର୍ଟ କହିଛନ୍ତି ଯେ କୁକୁରମାନଙ୍କୁ ବନ୍ଧ୍ୟାକରଣ ପରେ ମୁକ୍ତ କରାଯିବ। ଏହା ସହିତ, କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ହିଂସ୍ର କୁକୁରମାନଙ୍କୁ ମୁକ୍ତ କରାଯିବ ନାହିଁ। କୋର୍ଟ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଛନ୍ତି ଯେ ସାର୍ବଜନୀନ ସ୍ଥାନରେ କୁକୁରମାନଙ୍କୁ ଖାଦ୍ୟ ଦିଆଯିବ ନାହିଁ।

କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେ ପୂର୍ବ ନିଷ୍ପତ୍ତି ଏବଂ ଆଦେଶରେ କିଛି ସଂଶୋଧନ କରୁଛୁ। ଏବେ ଏହା ଦିଲ୍ଲୀ-ଏନସିଆର ଅଞ୍ଚଳ ସହିତ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। ଆମେ ସମସ୍ତ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରୁଛୁ ଏବଂ ହାଇକୋର୍ଟରେ ପଡ଼ି ରହିଥିବା ସମସ୍ତ ମାମଲାକୁ ଏଠାକୁ ସ୍ଥାନାନ୍ତର କରୁଛୁ।

ବିଚାରପତି ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ବୁଲା କୁକୁର ପ୍ରସଙ୍ଗରେ ରାୟ ଦେଉଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ବୁଲା କୁକୁରଙ୍କ ସମ୍ପର୍କରେ ଏକ ଜାତୀୟ ନୀତି ପ୍ରସ୍ତୁତ କରାଯିବ। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ନିର୍ଦ୍ଦେଶ ଦେଇଛନ୍ତି ଯେ ରାବିଜ୍ ସଂକ୍ରମିତ କୁକୁରମାନଙ୍କୁ ଖୋଜାଖୋଜି କରାଯିବା ଉଚିତ। ଯେଉଁମାନେ ଧରାପଡ଼ିଛନ୍ତି ସେମାନଙ୍କୁ ଛାଡିବା ଉଚିତ୍ ନୁହେଁ। ଏହା ସହିତ, ବାହାରେ ବୁଲୁଥିବା ରାବିଜ୍ ସଂକ୍ରମିତ କୁକୁରମାନଙ୍କୁ ଧରି ଏକ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ଉଚିତ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସାର୍ବଜନୀନ ସ୍ଥାନରେ କୁକୁରମାନଙ୍କୁ ଖାଇବାକୁ ଦେବା ଅନୁମୋଦିତ ନୁହେଁ। ବୁଲା କୁକୁରମାନଙ୍କ ପାଇଁ ପୃଥକ ଖାଦ୍ୟ ସ୍ଥାନ କରାଯିବ। ଏହି ପ୍ରକାର ଖାଦ୍ୟ ଦେବା ଯୋଗୁଁ ଅନେକ ଘଟଣା ଘଟିଛି। କୁକୁର କାମୁଡ଼ା ଯୋଗୁଁ ଲୋକମାନେ ରାବିଜ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଅନେକ ଛୋଟ ପିଲାଙ୍କ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ସେଥିପାଇଁ କୋର୍ଟ ସ୍ୱୀକାର କରିଛନ୍ତି ଯେ ଖୋଲା ସ୍ଥାନରେ କୁକୁରମାନଙ୍କୁ ଖାଇବାକୁ ଦେବା ବିପଜ୍ଜନକ। ରାୟ ଦେବା ସମୟରେ, ଅଦାଲତ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି କେହି ଖୋଲାରେ କୁକୁରମାନଙ୍କୁ ଖାଇବାକୁ ଦିଅନ୍ତି, ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅଗଷ୍ଟ ୧୧ ତାରିଖରେ ସୁପ୍ରିମକୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ଯେ ଆଗାମୀ ୮ ସପ୍ତାହ ମଧ୍ୟରେ ଦିଲ୍ଲୀ ଏନସିଆରର ସମସ୍ତ ବୁଲା କୁକୁରମାନଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରନ୍ତୁ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ, ସାରା ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହି କାରଣରୁ ଲୋକମାନେ କୋର୍ଟଙ୍କୁ ଏହି ମାମଲା ଉପରେ ଥରେ ବିଚାର କରିବାକୁ କହିଥିଲେ। ସିଜେଆଇ ଏହା ମଧ୍ୟ କହିଥିଲେ ଯେ ଆମେ ଏହି ମାମଲା ଉପରେ ବିଚାର କରିବୁ।  ଆଜି ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କିଛି ସଂଶୋଧନ କରିଛନ୍ତି ।

ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ଏହା ମଧ୍ୟ କହିଛନ୍ତି ଯେ କୋର୍ଟର ଦ୍ୱାରସ୍ଥ ହୋଇଥିବା ସମସ୍ତ କୁକୁର ପ୍ରେମୀ ଏବଂ ଏନଜିଓମାନଙ୍କୁ କୁକୁର ଆଶ୍ରୟସ୍ଥଳ ପାଇଁ ୨୫,୦୦୦ ଟଙ୍କା ଏବଂ ୨ ଲକ୍ଷ ଟଙ୍କା ଜମା କରିବାକୁ ପଡିବ।

ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି ରଥଭଙ୍ଗା କାମ

ପୁରୀ : ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥର କଳସରୁ ଭଙ୍ଗା କାମ ଆରମ୍ଭ ହୋଇଛି । ମୁଖ୍ୟ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶକ୍ରମେ ରଥଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି । ରଥର ଚକ, ପ୍ରଭା, ଦ୍ୱାର ବେଢା, କଣଗୁଜକୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ କରିଥାଏ । ଏବଂ ଅନ୍ୟ ଟୁକୁରା କାଠ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ଜାଳ ଭାବେ ବ୍ୟବହାର ହୋଇଥାଏ ।

NAC ମାନ୍ୟତା ଦାବିରେ ବେଗୁନିଆ ବନ୍ଦ

ଖୋର୍ଦ୍ଧା : ଏନଏସି ମାନ୍ୟତା ଦାବିରେ ବେଗୁନିଆ ବନ୍ଦ । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ବୋଲଗଡ, ଟାଙ୍ଗୀକୁ ପୂର୍ବ ସରକାର ସମୟରେ ଏନଏସି ଘୋଷଣା କରାଯାଇଥିଲା। ବର୍ତ୍ତମାନ ସରକାର କିଛି ଦିନ ତଳେ ୧୨ଟି ନୂଆ ଏନଏସି ଘୋଷଣା କରିଥିଲେ ସୁଦ୍ଧା ସେଥିରେ ଖୋର୍ଦ୍ଧା ଜିଲ୍ଲାର କୌଣସି ଅଞ୍ଚଳ ନଥିଲା । ଏହାର ପ୍ରତିବାଦରେ ବେଗୁନିଆରେ ଦେଖାଦେଇଛି ଘୋର ଅସନ୍ତୋଷ ଏବଂ ପ୍ରତିବାଦ । ଆଜି ବିଭିନ୍ନ ସଙ୍ଗଠନ ପକ୍ଷରୁ ବେଗୁନିଆ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ସମସ୍ତେ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ,କଲେଜ ଗୁଡିକୁ ବନ୍ଦ ରଖିବା ପାଇଁ ନିବେଦନ କରିଛନ୍ତି ।

ବୋରିଗୁମ୍ମାକୁ ଏନଏସି ମାନ୍ୟତା ଦାବି, ଆଜି ୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ

ଜୟପୁର : ବୋରିଗୁମ୍ମାକୁ NAC ମାନ୍ୟତା ଦାବି । ଏନେଇ ଆଜି ବୋରିଗୁମ୍ମା ନାଗରିକ ମଞ୍ଚ ପକ୍ଷରୁ୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ ଡାକରା ଦିଆଯାଇଛି ।ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ।ବୋରିଗୁମ୍ମା ମୁଖ୍ୟ ଛକ ନିକଟରେ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି ଲୋକେ ।ଜାତୀୟ ରାଜପଥ ୨୬ ଏବଂ ୬୩ ନମ୍ବର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ମଟର ଅଟକି ରହିଛି । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।…