spot_img
Home Blog Page 457

ରାହୁଲଙ୍କ ଫୋକସରେ ଓଡିଶା କଂଗ୍ରେସ: ଦିଲ୍ଲୀରେ ବସିବ ବଡ ବୈଠକ

ଦିଲ୍ଲୀରେ ଓଡିଶା କଂଗ୍ରେସର ବସିବ ବଡ ବୈଠକ । ସାଂଗଠନିକ ସ୍ଥିତି ମଜଭୁତ ପାଇଁ ରାହୁଲ କରିବେ ସମୀକ୍ଷା । ଜିଲ୍ଲା ସଭାପତି ଚୟନ ପାଇଁ ୩୫ ଜଣ ପର୍ଯ୍ୟବେକ୍ଷକଙ୍କୁ ଦେବେ ଗୁରୁମନ୍ତ୍ର । ଏଆଇସିସି ବୈଠକ ନେଇ ଉତ୍ସାହିତ କଂଗ୍ରେସ ନେତା । ଶକ୍ତିଶାଳୀ ହେବେ ଜିଲ୍ଲା ସଭାପତି । ୨୦୨୯ ନିର୍ବାଚନ ପରିଚାଳନାରେ ଗୁରୁଦାୟିତ୍ବ ତୁଲାଇବେ ଜିଲ୍ଲା ସଭାପତି । ସାଂସଦ ଓ ବିଧାୟକ ପ୍ରାର୍ଥୀ ବି ଜିଲ୍ଲା ସଭାପତିଙ୍କ ସୁପାରିସରେ ଚୂଡାନ୍ତ ହେବ। ଦକ୍ଷ ଲୋକଙ୍କ ହାତରେ ଜିଲ୍ଲା ସଂଗଠନ ଦାୟିତ୍ବ ଦେବା ପାଇଁ ନୂଆ ଢାଞ୍ଚାରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଂଗଠନ ସୃଜନ ଅଭିଯାନ ଜରିଆରେ ସଭାପତି ଚୟନ କରିବା ପାଇଁ ୩୫ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ଏଆଇସିସି । ଆସନ୍ତା ୨୫ ତାରିଖ ଦିନ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ୩୫ ଜଣ ପର୍ଯ୍ୟବେକ୍ଷକ, ପିସିସି ସଭାପତି,କଂଗ୍ରେସ ବିଧାୟକ ଦଳ ନେତା, ସାଂସଦଙ୍କ ସମେତ କିଛି ବରିଷ୍ଠ ନେତାମାନଙ୍କ ସହ ଓଡିଶା ସଂଗଠନ ନେଇ ଆଲୋଚନା କରିବେ । ସୁପାରିସ କି ଲବି ନୁହେଁ କଂଗ୍ରେସ ସଙ୍ଗଠନକୁ ମଜଭୁତ କରିପାରୁଥିବା ନେତାଙ୍କୁ ଜିଲ୍ଲା ସଭାପତି ଲାଗି ଗୁରୁ ଦାୟିତ୍ବ ଦେବାକୁ ବୈଠକରେ ଆଲୋଚନା ହେବ । ଓଡିଶା କଂଗ୍ରେସ ପାଇଁ ଏଆଇସିସି ଏପରି ଅଭିଯାନକୁ ନେଇ ବେଶ ଉତ୍ସାହିତ ଦଳର ବିଧାୟକ ଓ ନେତା ।

୩୫ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ କରିବା ନେଇ ଏଆଇସିସିର ନୂଆ ଫର୍ମୁଲାକୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଭିନ୍ନ ଆକଳନ କରିଛନ୍ତି । ରାହୁଲ ଗାନ୍ଧୀ ଓଡିଶାରେ ସମ୍ଭାବନା ଦେଖିଥିବାରୁ ଏବେଠାରୁ ୨୦୨୯ ସାଧାରଣ ନିର୍ବାଚନ ପାଇଁ ଓଡିଶା କଂଗ୍ରେସକୁ ପ୍ରସ୍ତୁତ କରୁଛନ୍ତି । ପ୍ରଥମଥର ଲାଗି ଦଳୀୟ ନିଷ୍ପତ୍ତିରେ ଜିଲ୍ଲା ସଭାପତିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ସଂଗଠନ ଠାରୁ ବିଧାୟକ ଓ ସାଂସଦ ଟିକେଟ ବଣ୍ଟନରେ ଜିଲ୍ଲା ସଭାପତିମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି । ୨୫ ବର୍ଷ ଧରି କ୍ଷମତା ବାହାରେ ଥିବା ଓଡିଶା କଂଗ୍ରେସକୁ ସଜାଡିବା ପାଇଁ ଏଆଇସିସି ଗୁରୁତ୍ବ ଦେଇଛି । ଓଡିଶାରୁ ଦିଲ୍ଲୀ ଯାଏ ସାଂଗଠନିକ ସ୍ଥିତିକୁ ମଜଭୁତ କରିବାକୁ ରଣନୀତି କରାଯାଉଛି । ଆଗକୁ ରାହୁଲ ଗାନ୍ଧୀ ଘନଘନ ଓଡିଶା ଗସ୍ତରେ ଆସି ତୃଣମୂଳ କର୍ମୀଙ୍କ ମନରେ ଜୋଶ ଭରିବେ ବୋଲି ପିସିସି ପକ୍ଷରୁ କୁହାଯାଇଛି ।

ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପରେ ବାହାରେ ଛଡ଼ାଯାଉ: ସୁପ୍ରିମକୋର୍ଟ

ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପରେ ବାହାରେ ଛଡ଼ାଯାଉ। ଟିକାକରଣ ଓ କୃମିନାଶକ ଔଷଧ ଦେବା ପରେ ଯେଉଁ ସ୍ଥାନରୁ ଧରାଯାଇଥିଲା ସେଠାରେ ଛଡ଼ାଯାଉ। ପାଗଳା, ଜଳାତଙ୍କରେ ପୀଡ଼ିତ ଆଗ୍ରେସିଭ୍ କୁକୁରଙ୍କୁ ଚିକିତ୍ସା କରିବା ସହ ସେମାନଙ୍କୁ ଅଲଗା ସ୍ଥାନରେ ରଖାଯାଉ। ବୁଲାକୁକୁରଙ୍କୁ ସର୍ବସାଧାରଣ ସ୍ଥାନରେ ଖାଇବାକୁ ଦିଆ ନଯାଉ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ବୁଲାକୁକୁର ପ୍ରସଙ୍ଗରେ ଜଷ୍ଟିସ ବିକ୍ରମ ନାଥ, ସନ୍ଦୀପ ମେହଟ୍ଟା ଓ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟରେ କହିଛନ୍ତି- କେବଳ ଦିଲ୍ଲୀ ଏନସିଆର ଲାଗି ନୁହେଁ ବରଂ ସାରା ଦେଶ ଲାଗି ଏହା ପ୍ରଯୁଜ୍ୟ ହେଉ। କୁକୁରଙ୍କୁ ଖାଇବାକୁ ଦେବା ଲାଗି ନିର୍ଦ୍ଦିଷ୍ଟ ସ୍ଥାନ ରଖାଯାଉ। କୁକୁରଙ୍କୁ ଯେଉଁମାନେ ପୋଷ୍ୟଭାବେ ଗ୍ରହଣ କରିବେ ସେମାନେ ଲିଖିତ ଆବେଦନ କରନ୍ତୁ। କିନ୍ତୁ ପରେ ସେମାନେ ପୋଷ୍ୟ କୁକୁରଙ୍କୁ ରାସ୍ତାକୁ ଛାଡ଼ିପାରିବେ ନାହିଁ। ଏଥିଲାଗି ବ୍ୟକ୍ତିବିଶେଷ ସ୍ତରରେ ୨୫ ହଜାର ଓ ଏନଜିଓ ସ୍ତରରେ ୨ ଲକ୍ଷ ଟଙ୍କା ଜମା କରିବାକୁ ପଡିବ। ଏହି ଅର୍ଥ ଜରିଆରେ କୁକୁରଙ୍କ ଲାଗି ଭିତ୍ତିଭୂମି ଓ ସେମାନଙ୍କ ରହିବା ଲାଗି ବ୍ୟୟ ହେବ। ବୁଲାକୁକୁର ପ୍ରସଙ୍ଗରେ ଏକ ଜାତୀୟ ନୀତି ପ୍ରସ୍ତୁତ କରିବା ଲାଗି ପରାମର୍ଶ ଦେଇଛନ୍ତି କୋର୍ଟ। ଦିଲ୍ଲୀ ଏନସିଆରରେ ୮ ଲକ୍ଷ ବୁଲାକୁକୁରଙ୍କ ନେଇ ଦେଖାଦେଇଥିବା ସମସ୍ୟା ପରିପ୍ରେକ୍ଷୀରେ ଆଗତ କେତେକ ପିଟିସନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି କୋର୍ଟ। ଗତ ୨୦୨୪ରେ ଦିଲ୍ଲୀରେ ୨୫ ହଜାର ଲୋକଙ୍କୁ କୁକୁର କାମୁଡିଥିବାବେଳେ କେବଳ ଗତ ଜାନୁଆରୀରେ ପ୍ରାୟ ୩ ହଜାର ଲୋକ କୁକୁର କାମୁଡାରେ ଆହତ ହେଉଥିଲେ।

ପ୍ରାଣୀ ଅଧିକାର କର୍ମୀ ଯୁକ୍ତି ଦର୍ଶାଇଥିଲେ ଯେ ଦେଶରେ ଲକ୍ଷ ଲକ୍ଷ ବୁଲାକୁକୁର ରହିଛନ୍ତି। ସେମାନଙ୍କ ରହିବା ଲାଗି ବ୍ୟବସ୍ଥା କରିବା ସମ୍ଭବ ନୁହେଁ। ଗତ ଅଗଷ୍ଟ ୮ରେ ଜଷ୍ଟିସ ଜେ.ବି. ପାର୍ଦ୍ଦିୱାଲା ଓ ଜଷ୍ଟିସ ଆର. ମହାଦେବନ ଯେଉଁ ରାୟ ଦେଇଥିଲେ ତାହା ପ୍ରାଣୀ ପ୍ରଜନନ ନିୟନ୍ତ୍ରଣ ବା ଏବିସି ନିୟମର ଉଲ୍ଲଂଘନ କରୁଛି। କୋର୍ଟ କହିଥିଲେ- ୮ ସପ୍ତାହ ମଧ୍ୟରେ ସମସ୍ତ ବୁଲାକୁକୁରଙ୍କୁ ଧରାଯାଇ ଆଶ୍ରୟସ୍ଥଳୀରେ ରଖାଯାଉ। ଏହାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ହେବା ପରେ ରାୟ ବଦଳାଇଥିଲେ କୋର୍ଟ।

ଭୁବନେଶ୍ବରରେ ବିଏମସି କୁକୁର ଗଣନା କରିବ। ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କ ଗଣନା କରାଯିବ। କାନରେ ଟ୍ୟାଗ ଲାଗିବ। BMC ପାଖରେ ରହିବ କୁକୁରଙ୍କ ସମସ୍ତ ତଥ୍ୟ। ପୋଷା କୁକୁରର ମାଲିକ କିଏ ଓ ବୁଲା କୁକୁର କେଉଁଠୁ ଯାଇଛନ୍ତି, ଟ୍ୟାଗରେ ସେସବୁ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଟିକାକରଣ ହେଇଛି କି ନାହିଁ ସମସ୍ତ ତଥ୍ୟ ରହିବ ଚିପରେ। ଏହା ଦ୍ଵାରା କୁକୁରାଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣି ହେବ। ବନ୍ଧ୍ୟାକରଣ ପରେ କୁକୁର ସଂଖ୍ୟା ବଢୁଛି କି କମୁଛି, ନଜରରେ ରହିବ। ଭୁବନେଶ୍ଵରରେ ୮୫ ହଜାରରୁ ଅଧିକ କୁକୁର ଅଛନ୍ତି। ଟ୍ୟାଗ୍ ଲାଗିଲେ ସମସ୍ତ କୁକୁରଙ୍କର ତଥ୍ୟ ରହିବ ଓ କୁକୁର ତଥା ଲୋକେ ସୁରକ୍ଷିତ ରହିବେ ବୋଲି କହିଛନ୍ତି ମେୟର।  ସେମାନେ କଥା କହିପାରନ୍ତିନି। ସେମାନେ ମଣିଷର ଅତୀବ ବିଶ୍ବାସୀ। ପ୍ରତ୍ୟେକ୍ଷ ଓ ପରୋକ୍ଷରେ ମଣିଷ ଲାଗି ଅଶେଷ ଉପକାର ସାଧନ କରିଥାନ୍ତି। ହେଲେ ସେମାନେ ସର୍ବଦା ଅବହେଳିତ। ସୁପ୍ରିମକୋର୍ଟଙ୍କ ରାୟ ପରେ ବଦଳିପାରେ ବୁଲାକୁକୁରଙ୍କ ଭାଗ୍ୟ।

ରାଜ୍ୟର ସ୍ଵାର୍ଥ ପାଇଁ ବିଜେଡିର ସ୍ଵର ଶାଣିତ: ପଲ୍ଲୀରୁ ଦିଲ୍ଲୀଯାଏ ଜୋରଦାର ଲଢ଼େଇ

ରାଜ୍ୟର ସ୍ଵାର୍ଥ ପାଇଁ ବିଜେଡିର ସ୍ଵର ଶାଣିତ । ପଲ୍ଲୀରୁ ଦିଲ୍ଲୀଯାଏ ଜୋରଦାର ଲଢ଼େଇ । ପୋଲାଭରମ, ମହାନଦୀ, କୋଟିଆ ପାଇଁ ସଂଘର୍ଷ । ନେତା କହିଲେ ଅନୁଦାନ ହକ୍ ପାଇଁ ବି ଜାରି ରହିବ ଲଢ଼େଇ । ଓଡ଼ିଶାର ସ୍ଵାର୍ଥ ରକ୍ଷା ପାଇଁ ବିଜେଡି ଜାରି ରଖିଛି ଲଢ଼େଇ। ବିଭିନ୍ନ ପ୍ରକଳ୍ପରେ ପଡ଼ୋଶୀ ରାଜ୍ୟ ଫାଇଦା ପାଇବ, ଆଉ ଓଡ଼ିଶାବାସୀ ଦୁଃଖ ଭୋଗିବେ – ଏହାକୁ ବିଜେଡି ବରଦାସ୍ତ କରିବ ନାହିଁ। ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ଅର୍ଥ ଅଜାଡ଼ି ଦେଇଥିବା ବେଳେ ଆନ୍ଧ୍ର ହେବ ଲାଭବାନ। କିନ୍ତୁ ବୁଡ଼ିଯିବ ମାଲକାନଗିରିର ଅଧା ଅଞ୍ଚଳ। ସଂପୃକ୍ତ ଅଞ୍ଚଳ ସହିତ ରାଜ୍ୟରେ ଲଢେ଼ଇ ପରେ ଦିଲ୍ଲୀରେ ବି ସ୍ଵର ଉଠାଇଛି ବିଜେଡି।କେନ୍ଦ୍ରୀୟ ଜଳ କମିଶନଙ୍କୁ ଭେଟି ବିଜେଡି ପ୍ରତିନିଧି ୧୦ଟି ଦାବି କରିଛି । ପୋଲାଭରମ ପ୍ରକଳ୍ପରେ ଓଡ଼ିଶାର ସ୍ଵାର୍ଥ ରକ୍ଷା କରିବାକୁ କେନ୍ଦ୍ରୀୟ ଜଳ କମିଶନଙ୍କ ନିକଟରେ ଦାବି କରିଛି ବିଜେଡି। କେନ୍ଦ୍ର ସମାଧାନ କରନ୍ତୁ ବୋଲି ବିଭିନ୍ନ ଫୋରମରେ ଦାବି କରାଯାଇଛି। ପ୍ରମିଳା ମଲ୍ଲିକ କହିଛନ୍ତି ବିଜେପି ସରକାରକୁ ଆସିବା ପରଠୁ ସେମାନେ ଓଡିଶାବାସୀଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ଅଧିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏହା ବିରୋଧରେ ପଲ୍ଲୀରୁ ଦିଲ୍ଲୀ ଯାଏ ଲଢ଼େଇ ହେବ କହିଛି ବିଜେଡି। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କିନ୍ତୁ ଭିନ୍ନ ଯୁକ୍ତି କରିଛନ୍ତି। …

ଅନୁଦାନ ପ୍ରଦାନରେ ବି ଓଡ଼ିଶାକୁ ଅବହେଳା। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହେବା ପରେ ଅନୁଦାନ ବଢିବା ପରିବର୍ତ୍ତେ କମିବାରେ ଲାଗିଛି । ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି, ୭ ବର୍ଷ ହେଲାଣି, କେନ୍ଦ୍ର ସରକାର ଶକ୍ତି ବିଭାଗକୁ ଟଙ୍କାଟିଏ ବି ଦେଇ ନାହାନ୍ତି। ଦିନକୁ ଦିନ କେନ୍ଦ୍ରୀୟ ଅନୁଦାନ କମୁଛି। ଏହା ବିରୋଧରେ ବିଜେଡି ଲଢ଼ୁଛି, ଏହି ଲଢ଼େଇ ଜାରି ରହିବ। ରାଜ୍ୟସଭାରେ ବିଜେଡିର ସାଂସଦମାନେ ଓଡିଶା ସ୍ଵାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ହକ୍ ପାଇଁ ଆଗକୁ ଲଢେଇ ଜୋରଦାର କରିବାକୁ ତୃଣମୂଳସ୍ତରୁ ରଣନୀତି ପ୍ରସ୍ତୁତ କରୁଛି ଦଳ। ଏଥିପାଇଁ ଶଙ୍ଖ ଭବନରୁ ନବୀନ ନିବାସ ଯାଏ ଘନଘନ ବୈଠକ ହେଉଛି।

ଅନଲାଇନ୍ ଗେମିଂ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅନଲାଇନ୍ ଗେମିଂ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏବେ ଏହି ଫାଣ୍ଟାସୀ ଗେମିଂ ଉପରେ ତାଲା ପଡ଼ିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ସହ ଏବେ ଏହି ଗେମିଂ ଉପରେ ତାଲା ପଡ଼ିବାର ରାସ୍ତା ମଧ୍ୟ ପରିଷ୍କାର ହୋଇଯାଇଛି । ସଂସଦର ମୌସୁମୀ ଅଧିବେସନ ଅବସରରେ ଅନଲାଇନ୍ ଗେମିଂ ବିଲ ପାସ ହୋଇଥିଲା । ସଂସଦର ଉଭୟ ଗୃହ, ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ଅନଲାଇନ୍ ଗେମିଂ ପ୍ରମୋସନ ଓ ରେଗୁଲେସନ ବିଲକୁ ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମଧ୍ୟ ମିଳିଯାଇଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ସହିତ ଏବେ ଏହା ଆଇନରେ ପରିଣତ ହୋଇଯାଇଛି ଓ ଏହାର ପ୍ରାବଧାନ ଲାଗୁ ହୋଇଯାଇଛି । ଏହି ବିଲ ଅଗଷ୍ଟ ୦ ତାରିଖରେ ଲୋକସଭା ଓ ୨୧ରେ ରାଜ୍ୟସଭାରେ ପାରିତ ହୋଇଥିଲା । ଉଭୟ ଗୃହରେ ବିଲକୁ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥାପନ କରିଥିଲେ ।

ରାଜ୍ୟରେ ନନଷ୍ଟପ୍ ବର୍ଷା: ୨୭ ଯାଏଁ ଭିଜିବ ସାରା ରାଜ୍ୟ

ରାଜ୍ୟରେ ନନଷ୍ଟପ୍ ବର୍ଷା । ୨୭ ଯାଏଁ ଭିଜିବ ସାରା ରାଜ୍ୟ । ଆସୁଛି ବ୍ୟାକ ଟୁ ବ୍ୟାକ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉଏକ ଲଘୁଚାପ । ଯାହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ଥିବା କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରଯାଇଛି ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ସୁନ୍ଦରଗଡ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଜାରି ହୋଇଛି ରେଡ୍ ଆଲର୍ଟ I ପୁଣି ୪ ଜିଲ୍ଲା କେଉଁଝର, ମୟୁରଭଞ୍ଜ, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନ୍ୟ ୨୫ ଜିଲ୍ଲାରେ ପାଇଁ ଜାରି ହୋଇଛି ୟେଲୋ ଓ୍ବାର୍ଣ୍ଣିଂ । ତେବେ ୨୭ ପରେ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଗୋଟିଏ ପରେ ଗୋଟିଏ ଲଘୁଚାପ ପରେ ବି ରାଜ୍ୟର କିଛି ଜିଲ୍ଲା ମାନଙ୍କରେ ଦେଖିବାକୁ ମିଳିଛି ନିଅଣ୍ଟିଆ ବର୍ଷା  । ତେବେ ମୌସୁମୀ ଋତୁ ଜାରି ରହିଥିବାରୁ ନିଅଣ୍ଟିଆ ଭରଣା ହେବା ଆଶା କରାଯାଉଛି ।

ବର୍ଷାରେ ବେହାଲ ସମ୍ବଲପୁର: ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ

ବର୍ଷାରେ ବେହାଲ ସମ୍ବଲପୁର । ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ । ଘରେ ବାହାରେ ଲହଡ଼ି ଭାଙ୍ଗୁଛି ଡ୍ରେନପାଣି । ଘରେ ଅପରିଷ୍କାର ପାଣି ପଶି ହନ୍ତସନ୍ତ ଲୋକେ । ଲଗାଣ ବର୍ଷା ଯୋଗୁଁ ଉଛୁଳିଛି ନାଳ ନର୍ଦ୍ଦମା । ଫଳରେ ଡ୍ରେନ ପାଣି ସିଧା ଘର ଭିତରକୁ ପଶିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସକାଳୁ ବର୍ଷା ଲାଗି ରହିଥିବାବେଳେ ଘରୁ ବାହାରିବା ମୁସ୍କିଲ ହେଉଛି । ବିଶେଷ କରି ସମ୍ବଲପୁରର ବୁଢ଼ାରାଜା, ପ୍ରଧାନପଡା, ଫାଟକ, ଜଗନ୍ନାଥ କଲୋନୀ, ସାକ୍ଷୀପଡା ଭଳି ସ୍ଥାନ ମାନଙ୍କରେ ଏବେ ଡ୍ରେନ ପାଣି ପଶି ଜଳବନ୍ଦୀ ଭାବେ ଜୀବନ ବିତାଉଛନ୍ତି ଲୋକେ ।
ପ୍ରବଳ ବର୍ଷାରେ କେବଳ ଘରେ ପାଣି ପଶିଛି ତାହା ନୁହେଁ ସହରର ବିଭିନ୍ନ ରେଳୱେ ଅଣ୍ଡର ପାସ ମାନଙ୍କରେ ଜମିଛି ପାଣି । ଫଳରେ ଅନେକ ଗୁରୁତ୍ଵପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସହରବାସୀ । ବର୍ଷା ଆଗରୁ ଡ୍ରେନ ସଫେଇ ସହ ସଠିକ ପ୍ଲାନିଂ କରାଯାଇ ନଥିବାରୁ ଏପରି ସମସ୍ୟା ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି ।

ନାହିଁ ନାହିଁରେ ଚାଲିଛି ଭୀମସାର: ମେଡିକାଲରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ନାହିଁ ନାହିଁରେ ଚାଲିଛି ଭୀମସାର । ମେଡିକାଲରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ । ବିଶ୍ବାସ ହରାଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ପଶ୍ଚିମ ଓଡ଼ିଶା ତଥା ଛତିଶଗଡ ଓ ଝାଡ଼ଖଣ୍ଡ ଜନସାଧାରଣଙ୍କ ବିଶ୍ୱାସ ଯୋଗ୍ୟ ମେଡ଼ିକାଲ ବୁର୍ଲା ଭୀମସାର । ହେଲେ ଏବେ ଏହା ସ୍ଥାଣୁ ପାଲଟିଥିବା ଅଭିଯୋଗ ହୋଇଛି । ୨୦୨୩ ରେ ନିର୍ଦ୍ଦେଶକ ଲଳିତ ମେହେର ଅବସର ନେବା ପରେ ଏ ପର୍ଯ୍ୟନ୍ତ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ପାଇ ନାହାନ୍ତି । କେତେବେଳେ ଡାକ୍ତର ପଦ ଖାଲି ରହୁଛି ତ ଆଉ କେତେବେଳେ ମେଡ଼ିକାଲ ସରଞ୍ଜାମ ରୋଗୀ ପାଖରେ ପହଞ୍ଚି ପାରୁନାହିଁ । ମେଡ଼ିକାଲର ଲିଫ୍ଟ ଠାରୁ ବିଭିନ୍ନ ମୌଳିକ ସମସ୍ୟା ଲାଗି ରହୁଥିବାରୁ ରୋଗୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
କେବଳ ନିର୍ଦ୍ଦେଶକ ପଦ ଖାଲି ପଡ଼ିଛି ତାହା ନୁହେଁ ତା ସହ ମେଡ଼ିକାଲ କଲେଜର ଡିନ ଓ ଡାକ୍ତର ଖାନାର ଅଧିକ୍ଷକ ପଦ ମଧ୍ୟ କାମଚଳାରେ ଚାଲିଛି । ଦୀର୍ଘଦୀନ ଧରି ନୂଆ ନିଯୁକ୍ତି ନେଇ ସରକାର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । କର୍ମଚାରୀ ଅଭାବରୁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି । ତେଣୁ ସମସ୍ୟା ଦିଗରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଜିଲ୍ଲାବାସୀ ଦାବି କରିଛନ୍ତି ।

ହନ୍ତସନ୍ତ କରୁଛନ୍ତି ବୁଲା କୁକୁର: ବଢୁଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା

ହନ୍ତସନ୍ତ କରୁଛନ୍ତି ବୁଲା କୁକୁର । ବଢୁଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା । ଜଳାନ୍ତକ ଆତଙ୍କରେ ଆତଙ୍କିତ ସହରବାସୀ । ବାଲେଶ୍ୱର ସହରରେ ବଡ଼ ସମସ୍ୟା ପାଲଟିଛି ବୁଲା କୁକୁର । ଅନେକ ଲୋକ କୁକୁରଙ୍କୁ ଆଦର କରିଥାନ୍ତି, ଏପରିକି ବିଭିନ୍ନ ଦୋକାନ ଖାଦ୍ୟ ଦୋକାନ ରେ କୁକୁର ମାନଙ୍କୁ ଖାଇବାକୁ ଦେଉଛନ୍ତି । ତେବେ ଅନେକ ସମୟରେ ପିଲା ଓ ଯାତ୍ରୀଙ୍କୁ ଭୟଭୀତ କରିବା ସହ କାମୁଡ଼ି କ୍ଷତାକ୍ତ କରୁଛନ୍ତି । ବାରବାଟୀ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ୧୮ ଜଣ ଲୋକଙ୍କୁ ଆକ୍ରମଣ କଲେଣି ବୁଲା କୁକୁର । ଏପରିକି ଅନେକ ସମୟରେ ଏହି ବୁଲା କୁକୁରଙ୍କ ଯୋଗୁଁ ଦୁର୍ଘଟଣା ଘଟୁଛି । କୁକୁର ଆକ୍ରମଣରେ ଗୁରୁତର ହୋଇ ଜଣେ ପରେ ଜଣେ ମେଡିକାଲରେ ଭର୍ତ୍ତିହେବା ପରେ ଲୋକେ ପ୍ରଶାସନକୁ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।
ପୂର୍ବରୁ ପୌରପାଳିକା ଦ୍ୱାରା କୁକୁର ଧରା ଅଭିଯାନ ହେଉଥିଲା । ସ୍ୱତନ୍ତ୍ର ଗାଡ଼ି ରେ କୁକୁର ଧରିବା ସହିତ ସେମାନଙ୍କ ବନ୍ଧ୍ୟାକରଣ କରାଯାଉଥିଲା । କିନ୍ତୁ ଏହା ଏବେ ବନ୍ଦ ହୋଇଯାଇଛି । ଏପରିକି କୁକୁର ମାମଲାକୁ ନେଇ ସୁପ୍ରିମକୋର୍ଟ ମଧ୍ଯ କ୍ଷୋଭ ପ୍ରକାଶ କରିଛନ୍ତି । ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପରେ ବାହାରେ ଛଡ଼ାଯିବ। ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଦ୍ୟ ଦେବାକୁ ବାରଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ମୁନିସିପାଲଟି ଚେୟାରମ୍ୟାନ କହିଛନ୍ତି, କୁକୁର କାମୁଡ଼ା ଅଭିଯୋଗ ବିଭିନ୍ନ ସ୍ଥାନରୁ ବହୁଳ ମାତ୍ରାରେ ଆସୁଛି । ତେବେ ସରକାର ଯଦି କିଛି ନିୟମ ଆଣନ୍ତି ତେବେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା ।

ଅସୁରକ୍ଷିତ ବଡ଼ଦେଉଳ: ସୁରକ୍ଷା ବଳୟ ଭେଦି ଶ୍ରୀମନ୍ଦିର ଉପରେ ଚଢିବାକୁ ଉଦ୍ୟମ

ଅସୁରକ୍ଷିତ ବଡ଼ଦେଉଳ । ସୁରକ୍ଷା ବଳୟ ଭେଦି ଶ୍ରୀମନ୍ଦିର ଉପରେ ଚଢିବାକୁ ଉଦ୍ୟମ । ୫ ଫୁଟ ଉପରକୁ ଚଢିବା ପରେ ଉଦ୍ଧାର କଲେ ସୁରକ୍ଷା କର୍ମୀ । କେତେବେଳେ ଶ୍ରୀମନ୍ଦିର ଭିତର ଫୋଟୋ ଭାଇରାଲ ହେଉଛି ତ କେତେବେଳେ ଉପରେ ଉଡୁଛି ଡ୍ରୋନ । ସ୍ପାଏ କ୍ୟାମେରା ନେଇ ଭିତରେ ପ୍ରବେଶ କରୁଛନ୍ତି ଲୋକେ । ଗତ କିଛିଦିନ ମଧ୍ୟରେ ଅନେକ ଭକ୍ତ ଶ୍ରୀମନ୍ଦିର ଉପରେ ଚଡିବା ପାଇଁ ଉଦ୍ୟମ କରୁଥିବା ମଧ୍ଯ ନଜର ଆସିଛି । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ସୃଷ୍ଟି ହୋଇଛି ଆଶଂକା । ଜିଲ୍ଲା ପୋଲିସ ଓ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଥିବା ସତ୍ତ୍ବେ ସୁରକ୍ଷା ବଳୟକୁ ଭେଦ କରି ଏପରି ଘଟଣା କିପରି ଘଟୁଛି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।

ଆଜି ପୁଣି ବେହରଣ ଦ୍ବାର ଦେଇ ଦେଉଳର ପ୍ରାୟ ୫ ଫୁଟ ଉପରକୁ ଚଢିଥିଲେ ଉତ୍ତରପ୍ରଦେଶର ମନୋଜ ସିଂ । ତାଙ୍କୁ କାବୁ କରିବା ପରେ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଆନନ୍ଦ ବଜ଼ାରରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ କରାଯିବା ସହ କିଛି ସ୍ଥାନରେ ସୁରକ୍ଷା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ସ୍ଥାନରେ ଲଗାଯିବ ହୋର୍ଡିଂ । ସୁରକ୍ଷାକୁ ନେଇ ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ଦିଗରେ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟପକ୍ଷରେ ପରିଚାଳନା କମିଟି ଗଠନ ପରେ ନାଟ ମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ଆବଶକୀୟ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଏକତରଫା ପ୍ରେମ କରି ବିଫଳ ହେବାରୁ ନାବାଳିକାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଏକତରଫା ପ୍ରେମ କରି ବିଫଳ ହେବାରୁ ନାବାଳିକାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଥାନା ଅଂଚଳରେ । ନାବାଳିକା ଜଣଙ୍କ କଲେଜ ଯାଉଥିବା ବେଳେ ମଳୟ ସାମଲ ନାମକ ଜଣେ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପୂର୍ବରୁ ଯୁବକ ଜଣଙ୍କ ନାବାଳିକାଙ୍କ ଫୋନ ନମ୍ବର୍ ସଂଗ୍ରହ କରି ବାରମ୍ବାର ଫୋନ୍ କରି ପ୍ରେମ ନିବେଦନ କରିଥିଲେ । ହେଲେ ନାବାଳିକା ଜଣଙ୍କ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସୁଥିଲେ । ଶେଷରେ ପ୍ରେମ ନିବେଦନ କରି ଯୁବକ ଜଣଙ୍କ ବିଫଳ ହେବାରୁ ଏଭଳି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ନାବାଳିକାଙ୍କ ବାପା ଜଗତପୁର ଥାନାରେ ଅଭିଯୋଗ କରିଛନ୍ତି ।.